• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

କଳା

ଅବିଭକ୍ତ ଗଞ୍ଜାମର ଲୁପ୍ତପ୍ରାୟ ଭିତ୍ତି ଚିତ୍ର ସମ୍ପର୍କରେ କେତେକ ତଥ୍ୟ

November 16, 2017 by ଓଡିଶା ଡଟ କମ 1 Comment

ଭିତ୍ତି ଚିତ୍ର
ବିଘ୍ନେଶ୍ୱର ସାହୁ

ଗଞ୍ଜାମର ସାହିତ୍ୟ, ସଙ୍ଗୀତ, କଳା ଓ ସଂସ୍କୃତି ଭଳି ବିଭବ ପାଇଁ ଓଡ଼ିଶା ଯୁଗେ ଯୁଗେ ଗୌରବାନ୍ୱିତ । ଗଞ୍ଜାମ ଭୂମିର ଭିତ୍ତି ଚିତ୍ରରେ ପରମ୍ପରା ସମାଜ ତଥା ମନୁଷ୍ୟର ଧର୍ମ ଜୀବନ ଉପରେ ପକାଇଥିବା ପ୍ରଭାବକୁ ଆଲୋଚନାର ବଳୟ ମଧ୍ୟରୁ ବାଦ୍ ଦିଆଯାଇ ନପାରେ ।

ଭିତ୍ତି ଚିତ୍ରର ପରିଭାଷା ହେଉଛି କାନ୍ଥଚିତ୍ର । ଏହି କାନ୍ଥଚିତ୍ର ପାଇଁ ଯେଉଁ ଭୂମି ପ୍ରସ୍ତୁତ କରାଯାଏ, ତାହା ସ୍ଥଳ ବିଶେଷରେ ଭିନ୍ନ ଭିନ୍ନ!

ଅବିଭକ୍ତ ଗଞ୍ଜାମଜିଲ୍ଳାର ବିଭିନ୍ନ ଇଲାକାରେ ଭିତ୍ତି ଚିତ୍ର ବା କାନ୍ଥଚିତ୍ରର ଇତିହାସ ଓ ପରମ୍ପରାକୁ ଦେଖିବା । ରାଜାଶାସନ ସମୟରେ ରାଜାନୁଗ୍ରହରେ ବିଭିନ୍ନ ଜନବହୁଳ ଅଞ୍ଚଳରେ ବୈଷ୍ଣବ ଓ ଶାକ୍ତ ତଥା ଶୈବ ପରମ୍ପରାଭିତ୍ତି କ ମନ୍ଦିରମାନ ଗଢ଼ି ଉଠିଥିଲା ।

ଗଞ୍ଜାମର ବୁଗୁଡ଼ାସ୍ଥ ବିରଞ୍ଚିନାରାୟଣ ମନ୍ଦିର ଅଥବା ଚିକିଟିଗଡ଼ର ରାଧାକାନ୍ତ ମନ୍ଦିର, ଦିଗପହଣ୍ଡିର ରାଧାକୃଷ୍ଣ ମନ୍ଦିର, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ରାଜମହଲ ସମ୍ମୁଖ ବଡ଼ରାଧାକାନ୍ତ ମଠ, ରସିକରାଜ ମଠ (ଯାହାକି ଆପନ୍ନାପରିଚ୍ଛା ମଠ ଭାବେ ପରିଚିତ), ପାରଳା ରାଜମହଲ ଭିତର ଦରବାରରେ ଥିବା କାନ୍ଥ ଚିତ୍ର ଏବଂ ମେଳିଆପୁଟି (ଆନ୍ଧ୍ରପ୍ରଦେଶ) ସ୍ଥିତ ରାଧାକୃଷ୍ଣ ମନ୍ଦିର ବେଢ଼ାରେ ଥିବା ଭିତ୍ତି ଚିତ୍ରଗୁଡ଼ିକ ବେଶ୍ ମନୋମୁଗ୍ଧକର ତଥା ଇତିହାସର ସ୍ୱାକ୍ଷର ବହନ କରେ ।

ଏବେ ଅବଶ୍ୟ ପାରଳାର ବର୍ତମାନର ରାଜ ଉତରାଧିକାରୀଙ୍କ ମନୋନୀତ ଜଣେ ତତ୍ୱାବଧାରକଙ୍କ ଅଦୂରଦର୍ଶିତା ତଥା ସ୍ୱୈରାଚାରିତା ଯୋଗୁଁ ପ୍ୟାଲେସ (ମହଲ) ଭିତର ମୂଲ୍ୟବାନ କାନ୍ଥଚିତ୍ରରେ ଚୂନ ବୋଳି ଦିଆଯାଇଛି ।

ଭିତ୍ତି ଚିତ୍ର ଦୀର୍ଘ ଶହଶହ ବର୍ଷର କାନ୍ଥ ଚିତ୍ରଗୁଡ଼ିକ ଅନାବଶ୍ୟକ ମନେକରି ସେ ମଧ୍ୟରେ ଥିବା ଏକ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟକାରିତାରେ ବାଧା ଦେଇ ଜବରଦସ୍ତ ଭିତ୍ତି ଚିତ୍ରଗୁଡ଼ିକୁ ଲିଭାଇଦେବା ଏକ ଗର୍ହିତ କଥା ବୋଲି ପାରଳାର ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରନ୍ତି।

ସେହିପରି ପାରଳା ରାଜପ୍ରାସାଦ ସମ୍ମୁଖସ୍ଥ ବଡ଼ରାଧାକାନ୍ତ ମଠ କାନ୍ଥରେ ବର୍ତମାନର ପରିଚାରକଙ୍କ ବୁଦ୍ଧିହୀନତା ଯୋଗୁଁ ତିନିଶହ ବର୍ଷରୁ ଊଦ୍ଧ୍ୱର୍ କାନ୍ଥ ଚିତ୍ରକୁ ମନ୍ଦିର ନବୀକରଣ ନାଁରେ ଏନାମେଲ ପେଂଟ୍ସ୍ ବୋଳି ଦିଆଯାଇଛି ।ଭିତ୍ତି ଚିତ୍ର

ଫଳରେ ଶହ ଶହ ବର୍ଷର ଐତିହ୍ୟ ଓ ଗୌରବ ବହନ କରୁଥିବା ପଟ୍ଟଚିତ୍ର ବା ଭିତ୍ତି ଚିତ୍ରଗୁଡ଼ିକ ଅକାରଣରେ ସମାଧି ନେଇଯାଇଛି ।

ଦେଖିବାକୁ ଗଲେ, ମନ୍ଦିର କାନ୍ଥରେ ଭିତ୍ତି ଚିତ୍ରର ପରମ୍ପରା ଗଞ୍ଜାମରେ ହିଁ ଚଳିଆସିଛି । ଅଜନ୍ତା, ଏଲୋରା ଗୁମ୍ଫାରେ ଯେପରି ଦୀର୍ଘବର୍ଷରୁ ଭିତ୍ତି ଚିତ୍ର ସବୁ ରହି ଆସିଛି, ଗଞ୍ଜାମର ବିଭିନ୍ନ ମନ୍ଦିର, ବିଶେଷ କରି ମଠ ସହ ସଂଲଗ୍ନ ମନ୍ଦିରଗୁଡ଼ିକରେ ଏସବୁର ବହୁଳତା ଦେଖିବାକୁ ମିଳେ । ଭିତ୍ତି ଚିତ୍ର

ପ୍ରତ୍ୟେକ ଅଂଚଳରେ(ରାଜା ଅଥବା ଜମିଦାରଶାସିତ ଇଲାକା)ସେଠାକାର ଶାସକବର୍ଗ ଏସବୁର ପୃଷ୍ଠପୋଷକତା କରୁଥିବା ଏଗୁଡ଼ିକୁ ଅନୁଧ୍ୟାନ କଲେ ଜଣାଯାଏ ।

ବୁଗୁଡ଼ାସ୍ଥ ବିରଂଚିନାରାୟଣ ମନ୍ଦିରକୁ କାଠର କୋଣାର୍କ ଭାବେ ମଧ୍ୟ ଅଭିହିତ କରାଯାଏ । କାରଣ କାଠର ଖୋଦେଇ ଏତେ କାରୁକାର୍ଯ୍ୟପୂର୍ଣ୍ଣ ହୋଇଛି ଯେ କୋଣାର୍କର ପ୍ରସ୍ତର କାରୁକାର୍ଯ୍ୟ ସମ ଏହାକୁ ତୁଳନା କରାଯାଏ ।

ଏହି ମନ୍ଦିରରେ ପେଡ଼ାଚୁନର ପ୍ରସ୍ତୁତ କାନ୍ଥଉପରେ ରନ୍ଧାସିପର ପ୍ରଲେପ ନିଆଯାଇଛି । ଏହି ପ୍ରଲେପ ରସ ସହିତ ବେଲ ଅଠାର ମିଶ୍ରଣରେ ପୁନର୍ବାର ପତଳା ପ୍ରଲେପ ଦିଆଯାଇ ଘଷାପଥରରେ ଘଷି ଭୂମି ପ୍ରସ୍ତୁତ କରାଯାଇଛି ।

ଏହାକୁ ଭିତ୍ତି ଚିତ୍ର ପଦ୍ଧତିରେ ‘ଡ୍ରାଇପ୍ରସେସ୍’ କୁହାଯାଏ । ସଦ୍ୟ ପ୍ରସ୍ତୁତ ଭିଜାଚୁନ କାନ୍ଥରେ ରଙ୍ଗଦେଇ ଅଙ୍କାଯିବା ଭିତ୍ତି ଚିତ୍ରକୁ ‘ୱେଟ୍ପ୍ରସେସ୍’କୁହାଯାଏ । ଅନ୍ୟ ଏକ ଜୟପୁରୀ ଫ୍ରେସ୍କୋପ୍ରସେସ୍ ମଧ୍ୟ ଅଛି । ବିରଂଚିନାରାୟଣ ମନ୍ଦିରର ଚିତ୍ରଭୂମିଠାରୁ ଅଜନ୍ତା ଭୂମିର ପ୍ରସ୍ତୁତି ପ୍ରଣାଳୀ ଭିନ୍ନ ଅଟେ ।ଭିତ୍ତି ଚିତ୍ର

ଅଜନ୍ତାର ପଥର କାନ୍ଥଉପରେ ଉଈମାଟି, ଚଷୁ, ଶୁଖିଲା ଗୋବରଗୁଣ୍ଡ, ଝୋଟ ଓ ମେଥିପାଣିକୁ ଏକାଠି ପଚାଇ କାନ୍ଥରେ ପଲସ୍ତରା କଲାପରେ ଖଣି ରଙ୍ଗର ପ୍ରଲେପ ଦେଇ ଭୂମି ପ୍ରସ୍ତୁତ କରାଯାଏ ।

ଏହି ମନ୍ଦିରର ଚିତ୍ରଭୂମିର ପ୍ରସ୍ତୁତିକରଣ ପରେ ଅଙ୍କନ ଓ ରଙ୍ଗଲେପନ ପ୍ରଣାଳୀ ମଧ୍ୟ ଆଲୋଚ୍ୟର ବିଷୟ । ଧଳାଭୂମି ଉପରେ ପ୍ରଥମେ ହଳଦିଆ ବା ଗେରୁରଙ୍ଗର ରେଖାଚିତ୍ର ଅଙ୍କନ କରି ତାହା ଭିତରେ ଭରାଟ କରାହୋଇଛି । ବିଶେଷ କରି ଧଳା, କଳା, ଲାଲ, ନୀଳ ଓ ହଳଦିଆ ରଙ୍ଗ ପ୍ରୟୋଗ ହୋଇଥିବାର ଦେଖାଯାଏ ।

ଏହି ରଙ୍ଗଗୁଡ଼ିକ ଯଥାକ୍ରମେ ଶଙ୍ଖ, ପୀଦକଳା, ଢାଉ, ନୀଳବଡ଼ି ଓ ହରିତାଳରୁ ପ୍ରସ୍ତୁତ । ଏହି ରଙ୍ଗର ପ୍ରସ୍ତୁତିକରଣ ପ୍ରଣାଳୀ ପଟ୍ଟଚିତ୍ରର ରଙ୍ଗ-ପ୍ରସ୍ତୁତି ପ୍ରଣାଳୀ ସଦୃଶ କହିଲେ ଅତ୍ୟୁକ୍ତି ହେବନାହିଁ ।ଭିତ୍ତି ଚିତ୍ର

ଅଧିକାଂଶ ମନ୍ଦିରର ଭିତ୍ତି ଚିତ୍ର ବିଶେଷକରି ରାମାୟଣ ଉପରେ ଆଧାରିତ । ରାମରାବଣ ବା ମହାଭାରତରେ କୌଣସି ମୁଖ୍ୟ ନାୟକ ନାୟିକାଙ୍କୁ ଭିତ୍ତି ଚିତ୍ରର ମଧ୍ୟସ୍ଥଳିରେ ବୃହତ ଆକାରରେ ଅଙ୍କା ଯାଇଥାଏ । ଅନ୍ୟ ପାଶ୍ୱର୍ଚିତ୍ରରେ ଦେବାଦେବୀ, ବୃକ୍ଷଲତା ବା ଜୀବଜନ୍ତୁଙ୍କୁ ତାହା ତୁଳନାରେ ଆକାରରେ କ୍ଷୁଦ୍ର କରାଯାଇଥାଏ ।

କେତେକ ସ୍ଥାନରେ କୃଷ୍ଣଲୀଳାରେ ରାଧାକୃଷ୍ଣଙ୍କୁ ମୁଖ୍ୟସ୍ଥାନ ଦେଇ ସେଥିରେ ଥିବା ଆନୁଷଙ୍ଗିକ ବୃକ୍ଷଲତା ବା ଜୀବଜନ୍ତୁଙ୍କୁ କ୍ଷୁଦ୍ରକରି ଦେଖାଇ ଦିଆଯାଇଥାଏ । ଭିତ୍ତି ଚିତ୍ରରେ ପରସ୍ପେକ୍ଟିଭ୍ ପ୍ରତି ଧ୍ୟାନ ଦିଆଯାଇ ନଥାଏ । ନାରୀ ଚିତ୍ରରେ ନାରୀକୁ ଦଣ୍ଡି, ନୋଥ, ନାକଚଣା, ଅଂଟାସୂତା ଓ ଖଡ଼ୁ ଅତ୍ୟନ୍ତ ଶୋଭନୀୟ ।

ସ୍ଥଳବିଶେଷରେ ପୁରୁଷ ହାତରେ ଖଡ଼ୁ ଓ କାନରେ ନୋଳି ବା କୁଣ୍ଡଳ ତା’ର ପୌରୁଷର ଶୋଭାବର୍ଦ୍ଧନ କରିଥାଏ । ଏହି ମନ୍ଦିରର ପୌରାଣିକ ଚିତ୍ର ମଧ୍ୟରେ ପୁରୀ ରଥଯାତ୍ରା ବା ପୁରୀର ନକ୍ସାଙ୍କନର ଦୃଶ୍ୟ ଅତୀବ ବିଚିତ୍ର ଓ ମହତ୍ୱପୂର୍ଣ୍ଣ ।ଭିତ୍ତି ଚିତ୍ର

ସେହିପରି ଅଧିକାଂଶ ମନ୍ଦିରରେ ଖମ୍ବ, ଓରା, ଶେଣି ଓ ଛାତତଳ (ସିଲିଂ)ଗୁଡ଼ିକରେ ମଧ୍ୟ ବହୁ ଚିତ୍ର ଦେଖିବାକୁ ମିଳିଥାଏ । ଗଞ୍ଜାମର ଏହି ବିରଞ୍ôଚନାରାୟଣ ମନ୍ଦିର ବ୍ୟତୀତ ଜଉଗଡ଼ର ଗୁପ୍ତେଶ୍ୱର ମନ୍ଦିର, ଝାଡ଼େଶ୍ୱର ମନ୍ଦିର, ଧରାକୋଟ, ବେଲଗୁଣ୍ଠା, କାଇପଦର, ଚିକିଟି, ସାନଖେମୁଣ୍ଡି, ବଡ଼ଖେମୁଣ୍ଡି, ତାରାତାରିଣୀ ନିକଟସ୍ଥ ଏକ ମଠରେ ମଧ୍ୟ ଭିତ୍ତି ଚିତ୍ର ପରିଦୃଷ୍ଟ ହୁଏ ।

ମୁଖ୍ୟତଃ ତକ୍ରାଳୀନ ରାଜାମାନଙ୍କର ଗଡ଼ଗୁଡ଼ିକରେ ଜଗନ୍ନାଥ ମନ୍ଦିର ଓ ଅନ୍ୟ କେତେକ ମନ୍ଦିରରେ ଏହି ଭିତ୍ତିଚିତ୍ର ସ୍ଥାନ ପାଇଛି । ରାମାୟଣ, ମହାଭାରତର ଗଳ୍ପ, ବିଭିନ୍ନ ଦେବାଦେବୀ, ଦଶ ଅବତାର, ମାଣିକ ଗଉଡ଼ୁଣୀ ଓ ଅନନ୍ତଶୟନ ଆଦିର ଚିତ୍ରଗୁଡ଼ିକ ଏହି ମଠ ମନ୍ଦିରର କାନ୍ଥରେ ଶୋଭାବର୍ଦ୍ଧନକାରୀ ରୂପେ କେବଳ ଯେ ଦୃଶ୍ୟମାନ ତାହା ନୁହେଁ, ଗଞ୍ଜାମ ଜିଲ୍ଲାର ସଂସ୍କୃତି ଓ ତକ୍ରାଳୀନ ଶିଳ୍ପୀମାନଙ୍କର ଉଚ୍ଚମାନର ମଧ୍ୟ ପରିଚୟ ଦେଇଥାଏ ।

ଅବିଭକ୍ତ ଗଞ୍ଜାମ ଜିଲ୍ଳା (ବର୍ତମାନର ଗଜପତି ଜିଲ୍ଳା)ର ପାରଳାଖେମୁଣ୍ଡିର ଅନେକ ଶତାୟୁ ମନ୍ଦିର ମଧ୍ୟରୁ ବଡ଼ ରାଧାକାନ୍ତ ମଠ ଏବଂ ରସିକରାଜ ମଠ କାନ୍ଥରେ ଏଭଳି ଶହ ଶହ ବର୍ଷର ଚିତ୍ର ଅଙ୍କିତ ହୋଇ ରହିଛି ।

ସେଥିରୁ ଅଧିକାଂଶ ନଷ୍ଟ ହୋଇସାରିଥିବା ବେଳେ ରସିକରାଜ ମଠର ଉତରାଧିକାରୀ ମୂରଲୀଧର ପରିଚ୍ଛାଙ୍କ ଆନ୍ତରିକ ଉଦ୍ୟମରୁ ମନ୍ଦିରର ଗୋଟିଏ ପାର୍ଶ୍ଵ କାନ୍ଥରେ କିଛିଟା ଚିତ୍ରକୁ ସଂରକ୍ଷିତ କରାଯାଇପାରିଛି ।

ସେହିପରି ପାରଳା ରାଜପ୍ରାସାଦ ଭିତର କାନ୍ଥରେ ଅନେକ କାନ୍ଥ ଚିତ୍ର ବା ମୁରାଲ ରହିଥିଲା, ଯାହା ଏବେ ଚୂନ ପ୍ରଲେପ ମଧ୍ୟରେ ସମାଧି ନେଇସାରିଛି । ସେହିପରି ପାରଳାଖେମୁଣ୍ଡି ଉପକଣ୍ଠ ବର୍ତମାନର ଆନ୍ଧ୍ରପ୍ରଦେଶର ମେଳିଆପୁଟି ମଣ୍ଡଳର ମେଳିଆପୁଟି ରାଧାକାନ୍ତ ମନ୍ଦିର (ପାରଳା ଗଜପତି ରାଜାଙ୍କ ପୃଷ୍ଣପୋଷକତାରେ ଚାଲିଆସୁଥିବା)ର ଅନେକ ସୁଦୃଶ୍ୟ ଭିତ୍ତି ଚିତ୍ର ବା କାନ୍ଥଚିତ୍ର ଏବେ ବି ଦୃଶ୍ୟମାନ । ଏହା ଯେ କେହି ଦର୍ଶକଙ୍କୁ କିଛି କ୍ଷଣ ଅବାକ୍ କରିଦେବ, ଏଥିରେ ସନ୍ଦେହ ନାହିଁ ।

ରାଜା, ଜମିଦାର ତଥା ମଠମହନ୍ତମାନେ ଶିଳ୍ପୀମାନଙ୍କୁ ଉପଯୁକ୍ତ ମୂଲ୍ୟ ଓ ସମ୍ମାନ ଦେଇ ଏହିଭଳି ମନ୍ଦିର, ମଠ ଆଦିରେ ଭିତ୍ତି ଚିତ୍ର କରାଉଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ମନ୍ଦିରର ଭିତ୍ତି ଚିତ୍ରରେ ବୃକ୍ଷଲତା, ପାହାଡ଼ ଓ ଜୀବଜନ୍ତୁ ଚିତ୍ରଗୁଡ଼ିକର ଶୈଳୀକୁ ଲକ୍ଷ୍ୟ କଲେ ସେଥିରେ ରାଜସ୍ଥାନୀ ଶୈଳୀର ପ୍ରଭାବ ପଡ଼ିଥିବାର ପରିଲକ୍ଷିତ ହୁଏ ।

ଏଥିରୁ ସମ୍ପୂର୍ଣ୍ଣ ଅନୁମେୟ ଯେ ତକ୍ରାଳୀନ ଓଡ଼ିଶାର ରାଜା ଓ ଜମିଦାରମାନେ ରାଜସ୍ଥାନୀ ବା ଓଡ଼ିଶା ବାହାରର ଶିଳ୍ପୀଙ୍କୁ ସ୍ୱଦେଶକୁ ନିମନ୍ତ୍ରଣ କରି ଓଡ଼ିଶାର ଶିଳ୍ପୀମାନଙ୍କ ସହିତ ମିଶି ଭିତ୍ତି ଚିତ୍ରାଙ୍କନ କାର୍ଯ୍ୟ କରାଉଥିଲେ । ଶିଳ୍ପୀମାନେ ମଧ୍ୟ ତାଙ୍କର ଶ୍ରମ ଓ ସମୟ ବ୍ୟୟକରି ଗୋଷ୍ଠୀଗତ ଉଦ୍ୟମରେ ଚିତ୍ରାଙ୍କନ ଏକମାତ୍ର ବୃତି ଓ କର୍ତବ୍ୟ ଭାବି ସୃଷ୍ଟି କରିଚାଲିଥିଲେ । ଏବେ ସେ ସମୟ ନାହିଁ ।

ତଥାପି ଗଞ୍ଜାମର ଭିତ୍ତି ଚିତ୍ର ପରମ୍ପରାର ପ୍ରଭାବ ସର୍ବସାଧାରଣଙ୍କର କାନ୍ଥରେ ଚିତା ଓ ଚିତ୍ର ମାଧ୍ୟମରେ ପରମ୍ପରା ସୃଷ୍ଟି କରିଛି, ଯାହାକି ଗଞ୍ଜାମର ସହରଠାରୁ ପୁରପଲ୍ଲୀ ଯାଏଁ ଏବଂ ଧନୀଠାରୁ ଗରିବ ପର୍ଯ୍ୟନ୍ତ ପ୍ରତ୍ୟେକର ଧର୍ମ ଜୀବନରେ ଏକ ଅଙ୍ଗ ହୋଇ ଆସିଛି । କଥାରେ ଅଛି, ବାରମାସରେ ତେର ପର୍ବ ।

ଏହି ପର୍ବପର୍ବାଣୀ ଗଞ୍ଜାମର ସହରର ଗ୍ରାମ, ପୁରପଲ୍ଲୀ ଓ ଆଦିବାସୀ ଅଂଚଳରେ ମଧ୍ୟ ବହୁ ସମାରୋହରେ ପାଳିତ ହୋଇଥାଏ । ପିତଳ, ହିଞ୍ଜଳିକାଟୁ, ବ୍ରହ୍ମପୁର, ରମ୍ଭା, କଞ୍ଚଣା ଓ ଖଲିକୋଟର ନିକଟବର୍ତୀ କେତେକ ଅଂଚଳରେ କାର୍ତିକ ମାସରେ ଘରେ ଘରେ କୋଠିଶାଳ ବା ଊଷାକୋଠି ଚିତ୍ର ଦେଖିବାକୁ ମିଳିଥାଏ ।

ସ୍ତ୍ରୀ ଲୋକମାନେ ଠାକୁରଙ୍କ ପାଖରେ ବହୁବିଧ ମାନସିକ କରିଥାନ୍ତି । କାନ୍ଥରେ କୋଠି କାଟି ମଙ୍ଗଳା ଓ ଆନୁଷଙ୍ଗିକ ଚିତ୍ର ନିକଟରେ କଳସୀ ପୂଜା ହୋଇଥାଏ । ଏହି ପୂଜା ସମୟରେ ଗାହାଣ ଗାଇବା ପଦ୍ଧତି ଓଡ଼ିଶାରେ ଅତ୍ୟନ୍ତ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ । ଖୁଦୁରୁକୁଣି ଓଷା ଅବସରରେ ମଧ୍ୟ କାନ୍ଥଚିତ୍ରର ପରମ୍ପରା ଓ ତା’ର ପ୍ରଭାବ ପରିଲକ୍ଷିତ ହୋଇଥାଏ ।

ଖୁଦୁରୁକୁଣି ଓଷାରେ କାନ୍ଥରେ ମଙ୍ଗଳା ବା କାଳୀଙ୍କର ଚିତ୍ର ଅଙ୍କନ କରାଯାଇଥାଏ ଯାହାକି ସମ୍ପୂର୍ଣ୍ଣ ଦେଶୀୟ ମାଟି ରଙ୍ଗରେ ପ୍ରସ୍ତୁତ । ଧଳାଖଡ଼ି, ଗେରୁ, ସଢ଼େଇ( ନଡ଼ିଆର ଉପର କଠିନଭାଗ) କଳା, ପତ୍ରର ସବୁଜ ରଙ୍ଗ, ଏଭଳିକି ହଳଦୀକୁ ରଙ୍ଗ ରୂପେ

କାଠିରେ କନା ଗୁଡ଼ାଇ ବା ତୂଳୀ ସାହାଯ୍ୟରେ ବ୍ୟବହାର କରାଯାଇଥାଏ । ମାର୍ଗଶିର ମାସରେ ଗଞ୍ଜାମରେ ଘରେ ଘରେ ହେଉଥିବା ମାଣବସା ପର୍ବରେ ମାଣଠାରୁ ଚଟାଣ, କବାଟ କାନ୍ଥ ଏବଂ ଓଡ଼ିଆ ପୁଡ଼ୁଗ ପର୍ଯ୍ୟନ୍ତ ପ୍ରତ୍ୟେକଟିରେ ଚିତା ବା ଚିତ୍ରାଙ୍କନ ହୋଇଥାଏ ।

ଗଜଲକ୍ଷ୍ମୀ, ଧାନଶିଁଷା, ଲକ୍ଷ୍ମୀପାଦ ଏବଂ କାର୍ତିକ ମାସରେ ଓଲଟ ଶୁଆ, ପୂର୍ଣ୍ଣକୁମ୍ଭ, ଯୋଡ଼ିମାଛ, ନିଶୁଣି, ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଚିତା ଓ ଚିତ୍ରାଙ୍କନ କରାଯାଇଥାଏ । ଏହି ଚିତ୍ରପାଇଁ ପ୍ରସ୍ତୁତି ପ୍ରଣାଳୀ ଗୁମ୍ଫା, ମନ୍ଦିର ବା ମଠ ଭିତ୍ତି ଚିତ୍ରର କାନ୍ଥ ଭଳି ହୋଇନଥାଏ ।

ଏହି ଚିତ୍ରର ରଙ୍ଗଗୁଡ଼ିକ ସେଭଳି ଉଚ୍ଚକୋଟିର ନହୋଇପାରେ । ଘରର କାନ୍ଥ ବାରମ୍ବାର ଲିପାଯାଇ ନୂତନ ଚିତ୍ରମାନ ଅଙ୍କା ଯାଇଥିଲେ ମଧ୍ୟ ଏଥିରେ ଭିତ୍ତି ଚିତ୍ର ପରମ୍ପରାର ପ୍ରଭାବ ଯେ ପଡ଼ିଛି, ତାହା ଅସ୍ୱୀକାର କରି ହେବନାହିଁ । ଚିକିଟି ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧ ।
ଏହା ମଧ୍ୟ ଭିତ୍ତି ଚିତ୍ର ଦ୍ୱାରା ପ୍ରଭାବିତ ଏବଂ ପଟ୍ଟ ମାଧ୍ୟମରେ ଏହା ଏକ ରୂପାନ୍ତର ମାତ୍ର । ଏ ସମ୍ପର୍କରେ ଆମ୍ଭେ ଗଭୀର ଭାବେ ବିଚାର ବିଶ୍ଳେଷଣ କଲେ ଜାଣିପାରିବା ଯେ ଗଞ୍ଜାମର ଭିତ୍ତି ଚିତ୍ରର ପରମ୍ପରା ବଳିଷ୍ଠ ଓ ପ୍ରଭାବଶାଳୀ ।

ଭିତ୍ତି ଚିତ୍ରର ପରମ୍ପରା କେବଳ କାନ୍ଥ ଓ ପଟ୍ଟଉପରେ କାହିଁକି, ମନୁଷ୍ୟର ଦେହକୁ ମଧ୍ୟ ଅଙ୍କନ ମାଧ୍ୟମରେ ପ୍ରଭାବିତ କରିଛି । ଗଞ୍ଜାମବାସୀଙ୍କର ଧର୍ମବିଶ୍ୱାସ ଓ ପରମ୍ପରା ଯେ ସେହି ଭିତ୍ତି ଚିତ୍ରର ପ୍ରଭାବ ଓ ରୂପର ରୂପାନ୍ତର ମାତ୍ର ଏହା କହିଲେ ଅତ୍ୟୁକ୍ତି ହେବନାହିଁ ।

ତେଣୁ ଗଞ୍ଜାମର ଭିତ୍ତି ଚିତ୍ର ଗଞ୍ଜାମବାସୀଙ୍କ ସାମାଜିକ ତଥା ଧର୍ମ ଜୀବନ ଉପରେ କିପରି ପ୍ରଭାବ ପକାଇ ପାରିଛି ତାହା ବେଶ୍ ଅନୁମେୟ ।

ଯୋଗାଯୋଗ:୯୪୩୭୯୨୦୪୪୭ 

Filed Under: ଜଣା ଅଜଣା Tagged With: କଳା, ଗଞ୍ଜାମ, ସଙ୍ଗୀତ, ସଂସ୍କୃତି, ସାହିତ୍ୟ

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବକୁ ନେଇ କେତୋଟି କଥା

September 16, 2016 by ନିଉଜ ଡେସ୍କ Leave a Comment

kedar

କେଦାର ମିଶ୍ର

ଗୁରୁ କେଳୁଚରଣ ମହାପାତ୍ରଂକ ନାଁ ସହିତ ଓଡିଶାର ପରମ୍ପରା, ପ୍ରତିଷ୍ଠା ଓ ଉତ୍କର୍ଷ ର ନିବିଡ ସମ୍ପର୍କ ରହିଛି। ନିଜ ଜୀବନକାଳରେ ଗୁରୁ କେଳୁଚରଣ ଓଡିଶାର ଐତିହାସିକ ପରିଚୟକୁ ନିଜ ନୃତ୍ୟ ମାଧ୍ୟମରେ ଆନ୍ତର୍ଜାତିକ ସ୍ଵୀକୃତି ପ୍ରଦାନକାରୀ ସାଂସ୍କୃତିକ ଦୂତର ଭୂମିକା ନିର୍ବାହ କରିଥିଲେ।

ଆଜି ପୃଥିବୀ ସାରା ଓଡିଶୀ ନୃତ୍ୟର ଯେଉଁ ଆଦର ଓ ଆଗ୍ରହ, ସେଥିରେ ଗୁରୁଜୀଂକର ଭୂମିକା ସବୁଠୁ ବେଶୀ ।ତାଂକରି ସ୍ମୃତିରେ ତାଂକ ହାତ ଗଢା ଅନୁଷ୍ଠାନ “ସୃଜନ” ପ୍ରତିବର୍ଷ ଭୁବନେଶ୍ଵରରେ ପାଳନ ଆସୁଛି ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ। ଗୁରୁ ବଂଚିଥିବା ସମୟରୁ ଏହି ଉତ୍ସବର ଆରମ୍ଭ।

ବହୁ ସ୍ମୃତି ଓ ଅନୁଭୁତିର ମଂଚ ଏ ଉତ୍ସବ । ଭାରତୀୟ ଶାସ୍ତ୍ରୀୟ ସଂଗୀତ ଓ ନୃତ୍ୟ ଜଗତର ବହୁ କିମ୍ବଦନ୍ତି ଏହି ଉତ୍ସବରେ ନିଜର ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି । ଗୋଟିଏ ମଂଚରେ କଥକ ନୃତ୍ୟର ମହାନାୟକ ବିରଜୁ ମହାରାଜ୍ ଓ ଗୁରୁ କେଳୁଚରଣ ନୃତ୍ୟ କରିବାର ବିରଳ ଅନୁଭୁତି ଏ ଉତ୍ସବର ସ୍ମୃତିରେ ରହିଛି।

ସେମିତି ଗିରିଜା ଦେବୀଂକ ତାନକାରୀରେ ଗୁରୁଜୀଂକ ସ୍ଵତଃସ୍ଫୁର୍ତ୍ତ ନର୍ତ୍ତନ ମଧ୍ୟ ଦିନେ ଏ ଉତ୍ସବର ଅଂଶବିଶେଷ ଥିଲା। ୨୨ ବର୍ଷରେ ପଦାର୍ପଣ କରିଥିବା ଏହି ଉତ୍ସବ ର ପରିଚାଳନା ଦାୟିତ୍ବ ଏବେ ଗୁରୁଜୀଂକ ସୁପୁତ୍ର ଓ ଆମ ସମୟର ଅନ୍ୟତମ ଶକ୍ତିଶାଳୀ ନୃତ୍ୟବିଦ୍ ରତିକାନ୍ତ ମହାପାତ୍ରଂକ ହାତରେ ।

କହିବାରେ ଦ୍ବିଧା ନାହିଁ, ରତିକାନ୍ତ ଏକ ମହାନ ଉତ୍କର୍ଷର ପରମ୍ପରାକୁ ପ୍ରବହମାନ ରଖିବାରେ କେବଳ ସଫଳ ହୋଇନାହାନ୍ତି, ସେ ଏହି ଉତ୍ସବକୁ ଆହୁରି ମନୋଜ୍ଞ ଓ ପ୍ରସାରଣକ୍ଷମ କରିପାରିଛନ୍ତି । ଗୁରୁଜୀ ଦେହତ୍ୟାଗ କରିବାର ୧୨ ବର୍ଷ ପରେ ଆଜି ଏହି ଉତ୍ସବ ଆୟୋଜନରେ ରତିକାଂତଂକ ନିଜସ୍ଵ ସ୍ପର୍ଶ ବାରୀ ହୋଇପଡୁଛି ।

ଗତ ୫ ରୁ ୯ ସେପ୍ଟେମ୍ବର ଯାଏଁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ୨୨ଶ ଗୁରୁ କେଳୁଚରଣ ମହାପାତ୍ର ଉତ୍ସବ କୁ ନେଇ କେତୋଟି ଖାସ୍ କଥା –

kedar2 kedar6୧. ଭୁବନେଶ୍ବରରେ ଆୟୋଜିତ ଶ୍ରେଷ୍ଠତମ ଶାସ୍ତ୍ରୀୟ ସଂଗୀତ ଓ ନୃତ୍ୟ ର ଉତ୍ସବ ଭାବରେ ଏହାର ଏକ ସ୍ଵତନ୍ତ୍ର ମର୍ୟଦା ରହିଛି ।ଦେଶର ସବୁଠୁ ନାମୀ ଓ ସଫଳ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ ଶିଳ୍ପୀ ଏହି ଉତ୍ସବରେ ଯୋଗଦେଇ ଆସୁଛନ୍ତି।

ସେହି କ୍ରମରେ ଚଳିତ ବର୍ଷ ସୀତାରର ଉସ୍ତାଦ ଶାହିଦ୍ ପରବେଜ୍ ଖାନ୍, ପ୍ରବୀଣ ବଂଶୀ ବାଦକ ପ୍ରବୀଣ ଗୋଡ଼ଖିଣ୍ଡି, ବିଖ୍ୟାତ ତବଲାବାଦକ ଯୋଗେଶ ସାମସୀ, କଥକ ଶିଳ୍ପୀ ଅସୀମବନ୍ଧୁ ଦାସଗୁପ୍ତ, ଭରତନାଟ୍ୟମ ଶିଳ୍ପୀ ସତ୍ୟନାରାୟଣ ରାଜୁ , ଯୁବ ଓଡିଶୀ ଶିଳ୍ପୀ ରାହୁଳ ଆଚାର୍ୟ ଏହି ଉତ୍ସବରେ ନିଜସ୍ଵ କଳାତ୍ମକ ଉତ୍କର୍ଷ ପ୍ରଦର୍ଶନ କରିଥିଲେ ।

୨. ଏଥର ଉତ୍ସବର ଉଦଘାଟନ ଥିଲା ଓଡିଶୀ ନୃତ୍ୟ ପାଇଁ ଏକ ଐତିହାସିକ ଦିନ। ବର୍ତ୍ତମାନ ସମୟର ଓଡିଶୀ ନୃତ୍ୟର ତିନି ଶ୍ରେଷ୍ଠ ତାରକା ଅରୁଣା ମହାନ୍ତି, ସୁଜାତା ମହାପାତ୍ର ଓ ମୀରା ଦାସ ମିଳିତ ଭାବରେ ଏକ ଅନନ୍ୟ ପ୍ରସ୍ତୁତି ପରିବେଷଣ କରିଥିଲେ ।

ସୀତା, ଶବରୀ ଓ ମୀରାଂକ ଜୀବନ ଆଧାରରେ ଏହି ଓଡିଶୀ ସଂରଚନାକୁ ସମକାଳୀନ ନାରୀ ଜୀବନର ନବ କଳ୍ପନା ବୋଲି କୁହାଯାଇପାରେ।

ଏମିତି ଏକ ସମନ୍ଵୟ ଓ ସଂରଚନାକୁ ଓଡିଶୀ ର ଇତିହାସ ରେ ଅଭିନବ ବୋଲି କୁହା ଯାଇପାରେ । ଅରୁଣା, ସୁଜାତା ଓ ମୀରା ମଂଗଳାଚରଣ ଓ ହଂସଧ୍ବନୀ ପଲ୍ଲବୀ ରେ ନିଜ ନିଜର ଏକକ ଉତ୍କର୍ଷ ପ୍ରଦର୍ଶନ ସହ ଏକ ସମନ୍ୱିତ ମେଳ ରଚନା କରିବାରେ ସଫଳ ହୋଇଥିଲେ ।

୩. ଅନେକ ସମୟରେ ତାରକା ନୃତ୍ୟଶିଳ୍ପୀ ମାନେ ଯୁଗଳବନ୍ଦୀ ବା ତ୍ରୟୀ ପରିବେଷଣ କଲାବେଳେ ନିଜସ୍ଵ ଅହଂକାର ଓ ଅଭିମାନକୁ ଅଲଗା ରଖି ପାରନ୍ତି ନାହିଁ । ଏ କ୍ଷେତ୍ରରେ ତିନି ଜଣ ତାରକା ଶିଳ୍ପୀ ଗୋଟିଏ ସ୍ରୋତରେ ସମାହିତ ହୋଇ ଏକ ନୁଆ ସଂରଚନାକୁ ସଫଳ କରାଇବା ପଛରେ ଏକ ମିଳିତ ପ୍ରୟାସ ଥିଲା ।

୪. ସୀତାର ଶିଳ୍ପୀ ଉସ୍ତାଦ ଶାହିଦ୍ ପରବେଜ୍ ଖାନ୍ଂକୁ ଉତ୍ସବର ମଧୁରତମ ଅନୁଭବ ବୋଲି କୁହା ଯାଇପାରେ। ତାଂକ ତନ୍ତ୍ରକାରୀ ରେ ମାଧୁର୍ୟ ଓ ରସ ବିନ୍ୟାସର ନିଆରା ଶକ୍ତି ରହିଥିଲା ।

kedar5ରାଗ ଚାରୁକେଶୀ ରେ ରୁପକ ତାଳ, ମଧ୍ୟଲୟରେଏକ ତାଲ ଓ ଦୃତ ରେ ତିନ ତାଲ ଦେଇ ସୀତାର ର ସ୍ଵର ମୂର୍ଛନା ଶ୍ରୋତାଂକୁ ସମ୍ମୋହିତ କରିଥିଲା । ତାଂକ ତନ୍ତ୍ରୀ ଚାଳନା ରେ ଏକ ଅପୂର୍ବ ମାଧୁର୍ଯ୍ୟ ଓ ପ୍ରଶାନ୍ତ ଭାବର ପ୍ରଭାବ ଦେଖିବାକୁ ମିଳିଥିଲା।

ଚାରୁକେଶୀ ରାଗରେ ହିନ୍ଦୁସ୍ତାନୀ ଓ କର୍ନାଟକୀ ର ମିଶ୍ର ଅନୁଭବକୁ ଅତ୍ୟନ୍ତ କୁଶଳୀ ତନ୍ତ୍ରକାରୀ ମାଧ୍ୟମରେ ସେ ଉପସ୍ଥାପିତ କରିଥିଲେ।

୫. ଉତ୍ସବର ଚତୁର୍ଥ ସଂଧ୍ୟାରେ ବିଶିଷ୍ଟ ବଂଶୀ ବାଦକ ପ୍ରବୀଣ ଗୋଡ଼ଖିଣ୍ଡି ତାଂକର ଯାଦୁକରୀ ପ୍ରଭାବ ବିସ୍ତାର କରିଥିଲେ। ମୂଳତଃ କିରାନା ଘରାନା ର ଶିଳ୍ପୀ ହୋଇଥିଲେ ମଧ୍ୟ ପ୍ରବୀଣ ନିଜ ଅଂଦାଜ୍ ଓ ଫୁଂକରେ ବହୁ ଧାରା ତଥା ଶୈଳୀ ର ସମନ୍ଵୟ ଘଟାଇପାରନ୍ତି । ମାରୁ ବିହାଗ ରାଗ ର ସ୍ଵର ଓ ଶ୍ରୁତି କୁ ଯଥାର୍ଥ ଭାବରେ ଛୁଇଁବାର ବିରଳ ସାମର୍ଥ୍ୟ ଯୋଗୁଁ ତାଂକ ବଂଶୀ ମୋହକ ମୂର୍ଛନା ସୃଷ୍ଟି କରୁଥିଲା ।

ଦ୍ରୁତ ଲୟ ଉପରେ ସବୁଠୁ ବେଶୀ ପକଡ଼ ଥିବା ସତ୍ତ୍ୱେ ଆଳାପ ଓ ମଧ୍ୟ ଲୟରେ ମଧ୍ୟ ତାଂକର ଦକ୍ଷତା ବାରି ହୋଇ ପଡୁଥିଲା।

୬. ପ୍ରବୀଣ ଥିଲେ ଉତ୍ସବର ସବୁଠୁ ବଡ ଆକର୍ଷଣ । କାର୍ୟକ୍ରମ ସରିଲା ପରେ ମଧ୍ୟ ଦର୍ଶକ ନିଜ ଜାଗାରୁ ଉଠିବାକୁ ପ୍ରସ୍ତୁତ ନଥିଲେ। ଦର୍ଶକଂକ ପ୍ରବଳ ଅନୁରୋଧ ରକ୍ଷା କରି ପ୍ରବୀଣ ଶେଷରେ ପାହାଡି ଧୁନ୍ ପରିବେଷଣ କରିଥିଲେ। ବଂଶୀ ର ଶ୍ରୋତାଂକ ଲାଗି ପାହାଡି ହେଉଛି ସବୁଠୁ ମଧୁର ଅନୁଭବ ।

ପ୍ରକୃତି କୁ ସଂଗୀତରେ ଅନୁଭବ କରିବା ଲାଗି ପାହାଡି ଧୁନ ର ସଂରଚନା । ପ୍ରବୀଣ ସେଦିନ ନିଜ କୁଶଳୀ ଫୁଂକ୍ ମାଧ୍ୟମରେ ଦର୍ଶକଂକୁ ତନ୍ମୟ କରି ଦେଇଥିଲେ।

kedar4୭. ନୂଆ ପିଢିର ଓଡିଶୀ କ୍ଷେତ୍ରରେ ରାହୁଳ ଆଚାର୍ୟ ଏକ ପ୍ରଚୁର ପ୍ରତିଶ୍ରୁତିବଦ୍ଧ ନାମ । ଦେବପ୍ରସାଦ ଶୈଳୀ ର ଓଡିଶୀ ରେ ରାହୁଳ ସବୁଠୁ ବଡ ସମ୍ଭାବନା। ଉତ୍ସବରେ ରାହୁଳ ଓଡିଶୀ ର ଏକ ପୂର୍ଣ୍ଣ ରୂପ ପ୍ରସ୍ତୁତ କରିଥିଲେ ।

ହରି-ହର ସ୍ତୁତି ରେ ମଂଗଳାଚରଣ, ଚକ୍ରବାକ ପଲ୍ଲବୀ,ପ୍ରିୟେ ଚାରୁଶୀଳେ….ଅଷ୍ଟପଦୀ ରେ ଅଭିନୟ ଓ ମୋକ୍ଷ ପରିବେଷଣ କଲାବେଳେ ତାଂକର ତାଲିମ୍ ଓ ଅଭ୍ୟାସ ବାରୀ ହୋଇ ପଡୁଥିଲା, କିନ୍ତୁ ଯେଉଁ ରାହୁଲଂକୁ ଭାରତୀୟ ଶାସ୍ତ୍ରୀୟ ଜଗତର ଆଲୋଚକ ଓ ରସିକ ଗ୍ରାହକ ଭଲ ପାଆନ୍ତି, ସେ ରାହୁଳ ସେଦିନ ମଂଚରେ ନଥିଲେ !!

ଗୋଟିଏ ପଦରେ କହିଲେ- ସେଦିନ ରାହୁଳ ନିଜ ଫର୍ମ୍ ରେ ନଥିଲେ।

୮. ସତ୍ୟ ନାରାୟଣ ରାଜୁ ଓ ଯୋଗେଶ୍ ସାମସୀ- ସେମାନଂକ କାର୍ୟକ୍ରମ ଦେଖିନଥିବାରୁ, ସେ ଉପରେ ମୋର କୌଣସି ମତାମତ ଦେବାର ନାହିଁ।

୯. ଉତ୍ସବର ଅନ୍ତିମ ପ୍ରସ୍ତୁତି ଥିଲା ଆୟୋଜକ “ସୃଜନ” ର ନିଜସ୍ଵ ସଂରଚନା “ତ୍ୟାଗ” । ରତିକାନ୍ତ ମହାପାତ୍ର ଓଡିଶୀ ରେ ପରମ୍ପରା ର ନବ ନିର୍ମାଣ ଲାଗି ପ୍ରୟାସ କରିଛନ୍ତି । ନୃତ୍ୟର ପରିଧିରୁ କ୍ରମଶଃ ହଜିଯାଉଥିବା ଗୀତି ନାଟ୍ୟକୁ ରତିକାନ୍ତ ନୂଆ କରି ଉପସ୍ଥାପନ କରିଛନ୍ତି ।

ଅନସୁୟା, ଲକ୍ଷହୀରା ଓ ବିଷ୍ଣୁ ଦାସଂକ ତ୍ରିକୋଣ ପ୍ରେମ କାହାଣୀ କୁ ନେଇ ଚର୍ଚିତ ଗୀତି ନାଟ୍ୟ “ ନ ପାହୁ ରାତି ନ ମରୁ ପତି” ର ନୃତ୍ୟ ରୂପ ଜୟଦେବ ଦାସ ରଚନା କରିଥିବା ବେଳେ ନିର୍ଦ୍ଦେଶକ ରତିକାନ୍ତ ଏହାର ନବ ରଚନା କୁ ନୃତ୍ୟ ରେ ଏକ ଭିନ୍ନ ରୂପ ଦେବାରେ ସମର୍ଥ ହୋଇଛନ୍ତି ।

୧୦. ଚଳିତ ବର୍ଷ ଗୁରୁ କେଳୁଚରଣ ମହାପାତ୍ର ପୁରଷ୍କାର ଗୁରୁ କିଶୋର ମହାନ୍ତି ଓ ବିଗତ ଦିନର ଓଡିଆ ସିନେମାର ନାୟିକା ଝରଣା ଦାସଂକୁ ପ୍ରଦାନ କରାଯାଇଥିବା ବେଳେ କେଳୁଚରଣ ଯୁବ ପ୍ରତିଭା ପୁରଷ୍କାର ଭରତନାଟ୍ୟମ ଶିଳ୍ପୀ ପ୍ରବୀଣ କୁମାର, ଓଡିଶୀ ଶିଳ୍ପୀ ରାଜୀବ ଭଟ୍ଟାଚାର୍ଯ୍ୟ ଓ ମଧୁସ୍ମିତା ମହାନ୍ତି ତଥା ଯୁବ ଓଡିଶୀ କଣ୍ଠ ଶିଳ୍ପୀ ରୂପକ ପରିଡାନ୍କୁ ପ୍ରଦାନ କର ଯାଇଥିଲା ।

ଅନ୍ୟତମ ଓଡିଶୀ ଶିଳ୍ପୀ ମଧୁବ୍ରତା ଶତପଥୀ ମଧ୍ୟ ଏ ଅବସରରେ ସମ୍ମାନିତ ହୋଇଥିଲେ ।

ଓଡିଶା ଡଟ କମ

Filed Under: ମନୋରଞ୍ଜନ Tagged With: ଉତ୍କର୍ଷ, ଓଡିଶା, ଓଡିଶୀ, କଳା, ଗୁରୁ କେଳୁଚରଣ ମହାପାତ୍ର, ନୃତ୍ୟ, ପରମ୍ପରା, ପ୍ରତିଷ୍ଠା, ଶାସ୍ତ୍ରୀୟ ନୃତ୍ୟ, ଶାସ୍ତ୍ରୀୟ ସଂଗୀତ, ସଂଗୀତ ଶିଳ୍ପୀ, ସାଂସ୍କୃତିକ

ମହାନଦୀକୁ ନେଇ ଦଶଟି ଅନାଲୋଚିତ ତଥ୍ୟ

June 13, 2016 by ନିଉଜ ଡେସ୍କ Leave a Comment

mahanadi2କେଦାର ମିଶ୍ର

ମହାନଦୀ କେବଳ ଓଡିଶା ଓ ଛତିଶଗଡର ସବୁଠୁ ବଡ ନଦୀ ନୁହଁ, ଏହା ପୂର୍ବ ଭାରତର ଜୀବନ ରେଖା। ମହାନଦୀର ମୂଳ ପ୍ରବାହ ଓ ଶାଖା ପ୍ରବାହ ଓଡିଶା ସମେତ ଛତିଶଗଡ , ମହାରାଷ୍ଟ୍ର ଓ ଝାଡଖଣ୍ଡ ରାଜ୍ୟ ଗୁଡିକର ଭୌଗୋଳିକ, ଅର୍ଥନୈତିକ ଓ ସାମାଜିକ ଜୀବନକୁ ପ୍ରଭାବିତ କରିଛି। ମହାନଦୀ କୁ ନେଇ କେତେ କଥା ଓ କାହାଣୀ ଆଜିଯାଏ ସଂକଳିତ ହୋଇପାରିନାହିଁ।

ଏହାର ଉଦଗମ ଠୁଁ ସମୁଦ୍ର ସଂଗମ ପର୍ଯନ୍ତ ଏକ ସୁଦୀର୍ଘ ଯାତ୍ରାପଥରେ ମହାନଦୀ କେଉଁଠି ଦେବୀ ତ ଆଉ କେଉଁଠି ଦେବତାର ଆଶ୍ରୟସ୍ଥଳ ପାଲଟିଛି।

ଓଡିଶାର ଦୁଇ ପ୍ରମୁଖ ଧାର୍ମିକ-ସାଂସ୍କୃତିକ ଧାରା ଯଥା – ଶ୍ରୀଜଗନ୍ନାଥ ଓ ସମଲେଶ୍ଵରୀ ସଂସ୍କୃତି ମହାନଦୀ କୁଳେ କୁଳେ ବିକଶିତ ହୋଇଛି। ମହାନଦୀ ର ପାଣି ଓଡିଶାର ଜନଜୀବନ ଓ ଅର୍ଥନୀତିର ଅପରିହାର୍ୟ ଉପାଦାନ। ମହାନଦୀ କୁ ନେଇ ଆସନ୍ତୁ କିଛି ଅଜଣା ତଥ୍ୟ ଖୋଜିବା-

୧.  ଛତିଶଗଡ ର ପୂର୍ବଘାଟ ପର୍ବତମାଳା ହେଉଛି ମହାନଦୀର ଉଦଗମ ସ୍ଥଳ। ଏହାର ଧମତରୀ ଜିଲ୍ଲା ଅନ୍ତର୍ଗତ ଫାରିସିୟା ଗାଁ ର ଏକ ପାହାଡରୁ ଏହାର ପ୍ରଥମ ସ୍ରୋତ ଠାବ କରାଯାଇଛି ।

କ୍ରମେ କ୍ରମେ ଅନେକ ଜଳସ୍ରୋତ ଏକାଠି ହୋଇ ଏହା ଏକ ନଦୀ ର ରୂପ ପାଇଛି ଓ ଛତିଶଗଡର ରାୟପୁର୍ ବାଟ ଦେଇ ଓଡିଶା ଅଭିମୁଖେ ପ୍ରବାହିତ ହେଉଛି। ଛତିଶଗଡର ଅନ୍ୟ ଦୁଇ ଶାଖା ନଦୀ ହଂସଦେଓ ଏବଂ ଶେଓନାଥ୍ ମହାନଦୀରେ ମିଶିବା ଫଳରେ ଏହା ଏକ ବିଶାଳ ନଦୀର ମାନ୍ୟତା ପାଇଛି।

River-Mahanadi୨.  ଲୋକକଥା ଅନୁସାରେ ପୂର୍ବଘାଟ ପର୍ବତମାଳାର ଏହି ସ୍ଥାନରେ ବିଶିଷ୍ଟ ଋଷି ଶ୍ରୁଂଗୀମୁନିଂକ ଆଶ୍ରମ ଥିଲା। ମହାକୁମ୍ଭ ମେଳାରେ ବୁଡ ପକେଇବାକୁ ଏହି ବାଟଦେଇ ଅନେକ ଋଷି ଯାଉଥିଲେ।

ଯିବା ପୂର୍ବରୁ ସେମାନେ ଶ୍ରୁଂଗୀମୁନିଂକ ସହ ସାକ୍ଷାତ କରିବାକୁ ଚାହୁଁଥିଲେ। ଶ୍ରୁଂଗୀ ଗଭୀର ତପସ୍ୟାରେ ନିମଗ୍ନ ଥିବାରୁ ଋଷି ମାନେ ଅପେକ୍ଷା କରି ରହିଲେ। ତଥାପି ମୁନିଂକ ତପ ଭାଂଗିଲା ନାହିଁ । ଶେଷରେ ଅନ୍ୟ ଋଷି ମାନେ ସ୍ନାନ ସାରି ଲୋଟାଏ ଜଳ ଶ୍ରୁଂଗୀ ମୁନିଂକ କମଂଡଳୁରେ ଢାଳି ଦେଇଗଲେ।

ତପ ଭାଂଗିବା ବେଳେ ଶ୍ରୁଂଗୀଙ୍କ ହାତ ବାଜି ଜଳଧାର ବିଛୁଡି ହୋଇପଡିଲା। ସେ ଦିବ୍ୟ ଜଳଧାର ଆଗକୁ ଆଗକୁ ବୋହି ଯାଇ ମହାନଦୀ ରୂପେ ଜନ କଲ୍ୟାଣ ରେ ଲାଗିଲା।

୩.  ମହାନଦୀର ସମୁଦାୟ ଲମ୍ବ ୮୬୦-୮୫୫ କିଲୋ ମିଟର ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଏହାର ଓସାର କମିଛି ଓ ବଢିଛି। ସମ୍ବଲପୁର୍ ଜିଲ୍ଲାରେ ଏହା ଓଡିଶାକୁ ସ୍ପର୍ଶ କରିଛି।

ସମ୍ବଲପୁର ସହର ପୂର୍ବରୁ ଏସିଆର ସର୍ବବୃହତ୍ ମାଟି ବନ୍ଧ ଦେଇ ଅଟକାଯାଇ ଏକ କୃତ୍ରିମ ହ୍ରଦ ନିର୍ମାଣ କରାଯାଇଛି , ଯାହାକି ହିରାକୁଦ ନଦୀ ବନ୍ଧ ନାମରେ ପ୍ରସିଦ୍ଧ।

୪.  ଓଡିଶାରେ ଇବ, ଅଂଗ,ସୁକତେଲ୍, ତେଲ, ବାଘ, ମେହେରୁଣୀ ଇତ୍ୟାଦି ଶାଖା ନଦୀ ମହାନଦୀ ସହ ସଂଯୁକ୍ତ ହେବା ଫଳରେ ଏହା ବିପୁଳ ଗର୍ଭା ଓ ସୁନାବ୍ୟା ହୋଇଛି। ଶହ ଶହ ବର୍ଷ ଧରି ମହାନଦୀ ଅବବାହିକାରେ ଏକ ସମୃଦ୍ଧ ସଭ୍ୟତା ଗଢି ଉଠିଛି।

ପ୍ରାଚୀନ କାଳରେ ମହାନଦୀ ଓ ତେଲବାହ ନଦୀ (ଏବର ତେଲ ନଦୀ) ଜଳ ବାଣିଜ୍ୟ ପାଇଁ ପ୍ରସିଦ୍ଧ ଥିଲା।

hirakud୫.  ସମ୍ବଲପୁର ରୁ ବୌଦ ପର୍ଯନ୍ତ ମହାନଦୀର ପ୍ରାଚୀନ ନାମ ଚିତ୍ରୋତ୍ପଲା ଥିଲା ବୋଲି କୁହାଯାଏ। ଐତିହାସିକ କାବ୍ୟ “କୋଶଲାନନ୍ଦ” ରେ କବି ଗଂଗାଧର ମିଶ୍ର ମହାନଦୀ- ଚିତ୍ରୋତ୍ପଲା କୁ ଗଂଗା ପରି ପବିତ୍ର ଓ ଏହା କୁଳ ରେ ଥିବା ସୁବର୍ନପୁର ନଗରୀ (ଆଜିର ସୋନପୁର ସହର) କୁ ଦ୍ଵିତୀୟ ବାରାଣସୀ ବୋଲି ବର୍ଣନା କରିଛନ୍ତି।

ସମ୍ବଲପୁର୍, ବିନିକା, ସୋନପୁର୍ ଓ ବୌଦ ସହର ଗୁଡିକରେ ପ୍ରାଚୀନ କାଳରୁ ବୌଦ୍ଧ, ଜୈନ, ତନ୍ତ୍ର, ଶୈବ ଓ ବୈଷ୍ଣବ ସଂସ୍କୃତିର ମହାସଂଗମ ଦେଖିବାକୁ ମିଳେ ।

୬.  ବିନିକା ପାଖରେ ମହାନଦୀ କୁଳରେ ଏକ ପ୍ରାଚୀନ ବରଗଛ ରହିଛି। ସୁର୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ କାଳରେ ମହାନଦୀରେ ବୁଡ ପକାଇ ଏହି ବରଗଛର ସଂକୀର୍ଣ କୋଟର ଅତିକ୍ରମ କଲେ ସବୁ ପାପ କ୍ଷୟ ଯାଏ ବୋଲି ଲୋକ ବିଶ୍ଵାସ ରହିଛି।

ଗଂଗ ବଂଶର ରାଜା ଅନଂଗ ଭୀମ ଦେବ ଏହି ସ୍ଥାନ ରେ ସ୍ନାନ କରି ଦୁରାରୋଗ୍ୟ ବ୍ୟାଧି ରୁ ମୁକ୍ତି ପାଇଥିବାରୁ ଓ ଏହି ଠାରେ ତାଂକ ପାପ ରହିତ ହୋଇଥିବାରେ , ମହାନଦୀକୁଳର ଏହି ତୀର୍ଥ ଗ୍ରାମ ର ନାମ ହେଉଛି “ରହିଲା”।

୭. ସୋନପୁରରେ ତେଲ ଓ ଜୀର୍ଣ ନଦୀ ମହାନଦୀ ସହ ମିଳିତ ହୋଇଥିବାରୁ ଏହାକୁ ତ୍ରିବେଣୀ ସଂଗମ ବୋଲି କୁହାଯାଏ। ଏଠାରେ ବହୁ ପ୍ରାଚୀନ ଶିବ ଓ ଶକ୍ତି ପୀଠ ରହିଛି। ଏକଦା ଏହା ସୋମବଂଶୀ ଶାସକ ମାନଂକର ରାଜଧାନୀ ଥିଲା ବୋଲି ଐତିହାସିକ ମାନେ ମତ ଦିଅନ୍ତି। ଏହା ନିକଟରେ ମହାନଦୀ ଗର୍ଭରେ ଅସୁରଗଡ ନାମକ ଏକ ଟାପୁ ରହିଛି।

ଏହାର ପ୍ରତ୍ନତାତ୍ଵିକ ଖନନରୁ ଏଠାରେ ବହୁ ପ୍ରାଚୀନ ଏକ ସଭ୍ୟତା ରହିଥିବାର ପ୍ରମାଣ ମିଳେ ।

୮.  ବୌଦ ପାରିହେଲା ପରେ ମହାନଦୀ ପ୍ରାୟ ୭ କୋଷ (୬୪ କିଲୋମିଟର) ବ୍ୟାପୀ ଏକ ଗଭୀର ଗଣ୍ଡ ସୃଷ୍ଟି କରିଛି। ଏହା ସତକୋଶିଆ ଗଣ୍ଡ ନାମରେ ପରିଚିତ। ଏହି ଗଣ୍ଡରେ କୁମ୍ଭୀର ଅଭୟାରଣ୍ୟ ଓ କୁଳରେ ବାଘ ଅଭୟାରଣ୍ୟ ରହିଛି।

୯. ସାତକୋଶିଆ ପରେ ମହାନଦୀ ର ଓସାର ଅନେକ ପରିମାଣରେ ବ୍ୟାପକ ହେବା ସହ ଏହା ଅନେକ ଉପନଦୀ ସୃଷ୍ଟି କରିଛି। କାଠଯୋଡି, ବିରୁପା, ପାଇକା , ଚିତ୍ରୋତ୍ପଲା ଇତ୍ୟାଦି ମହାନଦୀ ରୁ ସୃଷ୍ଟି ହୋଇ ଭିନ୍ନ ଭିନ୍ନ ଦିଗକୁ ପ୍ରବାହିତ ହେଉଛନ୍ତି। କଟକ ଜିଲ୍ଲାରେ ମହାନଦୀ ଏକ ବିଶାଳ ତ୍ରିକୋଣଭୁମୀ ସୃଷ୍ଟି କରି ବଂଗୋପ ସାଗରରେ ମିଶିଛି।

୧୦.  କଂଟିଲୋ ଠାରେ ମହାନଦୀ କୁଳରେ ଶ୍ରୀ ଜଗନ୍ନାଥ ନୀଳମାଧାବ ରୁପେ ଶବର ମାନଂକ ଦ୍ଵାରା ପୂଜିତ ହେଉଥିଲେ ବୋଲି କୁହାଯାଏ। ମହାନଦୀ ସହିତ ଜଗନ୍ନାଥ ସଂସ୍କୃତିର ନିବିଡ ସମ୍ପର୍କ ରହିଛି।

ମହାନଦୀ ଓଡିଶାର କଳା, ସ୍ଥାପତ୍ୟ, ସାହିତ୍ୟ, ସଂଗୀତ ଓ ଜନ ଜୀବନରେ ଜୀବନରେଖା ପରି ପ୍ରବାହିତ ହେଉଛି।

ଓଡିଶା ଡଟକମ

Filed Under: ଜଣା ଅଜଣା Tagged With: ଅନାଲୋଚିତ, ଓଡିଶା, କଳା, ତଥ୍ୟ, ମହାନଦୀ, ସଂଗୀତ, ସତ୍ୟ, ସାହିତ୍ୟ, ସ୍ଥାପତ୍ୟ

ମାର୍ଚ୍ଚ ୨ରୁ ଯୁକ୍ତଦୁଇ ପରୀକ୍ଷା

December 15, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଆସନ୍ତା ମାର୍ଚ୍ଚ ୨ରୁ ଆରମ୍ଭ ହେବ ।

ଏନେଇ ଗୁରୁବାର ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମାର୍ଚ୍ଚ ୨ରୁ ୨୪ ମଧ୍ୟରେ ଥିଓରୀ
ପରୀକ୍ଷା ଏବଂ ୨୪ରୁ ଅପ୍ରେଲ ୨ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ହେବ ବୋଲି କୁହାଯାଇଛି ।

ସେହିପରି ମାର୍ଚ୍ଚ ୧୬ରୁ ୨୭ ତାରିଖ ମଧ୍ୟରେ ଧନ୍ଦାମୂଳକ ପରୀକ୍ଷା ଏବଂ ମାର୍ଚ୍ଚ ୨୮ରୁ ଅପ୍ରେଲ ୨
ମଧ୍ୟରେ ଏହାର ପ୍ରାକ୍ଟିକାଲ ପରୀକ୍ଷା ହେବ ।

ସମସ୍ତ ପରୀକ୍ଷାଦୁଇଟି ସିଟିଂରେ ହେବାକୁ ଥିବା ବେଳେ ପ୍ରଥମ ସିଟିଂ ୧୦ଟାରୁ ୧ଟା ଏବଂଦ୍ୱିତୀୟ
ସିଟିଂ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ହେବ ।

ପ୍ରଥମ ସିଟିଂରେ ବିଜ୍ଞାନ ଏବଂଦ୍ୱିତୀୟ ସିଟିଂରେ କଳା ଓ ବାଣିଜ୍ୟ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପରିଷ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଉଚ୍ଚ ମାଧ୍ୟମିକ ଶିକ୍ଷା, କଳା

ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ

March 11, 2011 by ଓଡିଶା ଡଟ କମ Leave a Comment

 

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୧(ଓଡ଼ିଶା ଡ଼ଟ୍ କମ୍) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତୁ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ।

୧୦୬୦ଟି କେନ୍ଦ୍ରରେ ମୋଟ୍ ୨ ଲକ୍ଷ ୫୦ ହଜାର ୭୭୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । କଳାରେ ୧୬୩୦୪୭ ଜଣ, ବିଜ୍ଞାନରେ ୨୩୧୩୪ ଜଣ ଓ ବାଣିଜ୍ୟରେ ୫୭୧୧୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସେହିପରି ଧନ୍ଦାମୂଳକ ପରୀକ୍ଷାରେ ୭୪୭୭ ଜଣ ପରୀକ୍ଷା ଦେଉଛନ୍ତି ।

ପୂର୍ବ ବର୍ଷ ଗୁଡ଼ିକ ପରି ପରୀକ୍ଷା ଆରମ୍ଭର ୧୫ ମିନିଟ ପୂର୍ବରୁ ପ୍ରଶ୍ନ ପତ୍ର ଦିଆଯାଇ ନାହିଁ । ଠିକ୍ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଦିଆଯାଇଛି । ଦୁଇଟି ସିଟିଂରେ ପରୀକ୍ଷା ହେଉଥିବା ବେଳେ ପ୍ରଥମ ସିଟିଂ ୧୦ଟାରୁ ୧ଟା ଓ ଦ୍ୱିତୀୟ ସିଟିଂ ୨ଟାରୁ ୫ଟା ପର୍ଯ୍ୟନ୍ତ ହେବ ।

ପରୀକ୍ଷା ପରିଚାଳନା ପାଇଁ ତିନି ଶହ ଅଧ୍ୟାପକଙ୍କୁ ସ୍କ୍ୱାର୍ଡ଼ ଭାବେ ନିୟୋଜିତ କରାଯାଇଥିବା ବେଳେ ଜିଲ୍ଲା ଗୁଡ଼ିକରେ ତ୍ରିସ୍ତରୀୟ ସ୍କ୍ୱାର୍ଡ଼ ଗଠନ କରାଯାଇଛି । ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଏହାର ତଦାରଖ କରିବେ ।

ଆସନ୍ତା ଅପ୍ରେଲ ୧୧ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ ।

ଓଡିଶା ଡଟ୍ କମ୍

Filed Under: ମୁଖ୍ୟ ଖବର Tagged With: କଳା, ବାଣିଜ୍ୟ, ବିଜ୍ଞାନ, ମାଧ୍ୟମିକ ଶିକ୍ଷା ପରିଷଦ, ମୁଖ୍ୟ ଖବର, ଯୁକ୍ତ ଦୁଇ ପରୀକ୍ଷା

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା