• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

କେନ୍ଦୁଝର

କାନ୍ଥପଡ଼ି ଦୁଇ ଜଣଙ୍କ ମୃତ୍ୟୁ, ତିନି ଆହତ

April 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅପ୍ରେଲ ୧୨(ଓଡ଼ିଶା ଡ଼ଟ୍ କମ୍) କଟକ ସହରରେ ଗୁରୁବାର ଏକ ଘରକାମ ଚାଲିଥିବା ବେଳେ କାନ୍ଥପଡ଼ି ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ତିନିଜଣ ଆହତ ହୋଇଥିବା ପୋଲିସ କହିଛି ।

କେତେକ ଶ୍ରମିକ ସିଡ଼ିଏ ସ୍ଥିତ ଏକ କୋଠାର ଅଣ୍ଡର ଗ୍ରାଉଣ୍ଡ ରୁମ୍ ପାଇଁ କାମ କରୁଥିବା ବେଳେ ହଠାତ୍ କାନ୍ଥ ପଡ଼ିଯାଇଥିଲା । ଫଳରେ ସନ୍ତୋଷ ମୁଣ୍ଡା ଓ ମଧୁସୂନ ମୁଣ୍ଡା ନାମକ ଦୁଇ ଜଣ ଶ୍ରମିକ କାନ୍ଥ ତଳେ ଚାପି ହୋଇଯାଇଥିଲେ ।

ଘଟଣାସ୍ଥଳରେ ସେମାନେ ପ୍ରାଣ ହରାଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ଘଟଣା ସଂପର୍କରେ ସୂଚନା ପାଇ ପୋଲିସ ଓ ଅଗ୍ନିଶମ ବାହୀନୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ମୃତ ଶ୍ରମିକଙ୍କ ଘର କେନ୍ଦୁଝର ଜିଲ୍ଲାରେ ବୋଲି ପୋଲିସ କହିଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: କଟକ, କେନ୍ଦୁଝର

ଖଣି ମାଲିକମାନେ ଅଂଚଳକୁ ଗୁରୁତ୍ୱ ଦିଅନ୍ତୁ: ଶାହା କମିଶନ

December 11, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ଡ଼ିସେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍) ଖଣି ମାଲିକମାନେ ସଂପୃକ୍ତ ଅଂଚଳର ବିକାଶ ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି କେନ୍ଦୁଝରରେ ରବିବାର ଶାହା କମିଶନ ମୁଖ୍ୟ ଏମ୍ବି ଶାହା କହିଛନ୍ତି ।
ଗତ ଦୁଇଦିନ ଧରି କମିଶନଙ୍କ ଆଠ ଜଣିଆ ପ୍ରତିନିଧି ଦଳ ବିଭିନ୍ନ ଅଂଚଳ ପରିଦର୍ଶନ କରି ଖଣି ଦୁର୍ନୀତିର ତଦନ୍ତ କରିବା ପରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜନଶୁଣାଣି କରିଛନ୍ତି ।

ଖଣି ମାଲିକମାନେ ବିପୁଳ ପରିମାଣର ଲାଭ ପାଉଥିବା ବେଳେ ସଂପୃକ୍ତ ଅଂଚଳ ତଥା ରାଜ୍ୟର ବିକାଶ
ପ୍ରତି ଗୁରୁତ୍ୱ ଦେଉନାହାନ୍ତି ବୋଲି ସେ କହିଛନ୍ତି । ଅଂଚଳରେ ପ୍ରଦୂଷଣ ନେଇ କମିଶନ ଉଦେଗ ପ୍ରକାଶ କରିଛନ୍ତି ।

ଆଇନ ଅନୁଯାୟୀ ଖଣିଜ ଦ୍ରବ୍ୟ ଉତ୍ତୋଳନ କରୁଥିବା ଖଣି ଗୁଡିକୁ ଚାଲୁ କରାଯିବ ଏବଂ ଖଣି ମାଲିକ ମାନଙ୍କୁ ସ୍ଥାନୀୟ ଅଂଚଳରେ ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ରଦାନ କରିବା ପାଇଁ କହିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ ବୋଲି କମିଶନ ସାମ୍ବାଦିକଙ୍କୁ କହିଛନ୍ତି ।

ଜିଲ୍ଳା ପାଇଁ ଖଣି କର୍ତୃପକ୍ଷ ଏକ ନିର୍ଦ୍ଦିଷ୍ଟ ଅଂଶଧନ ପ୍ରଦାନ କରିବେ ଓ ସେଥିରେ ଜିଲ୍ଳାର ଉନ୍ନୟନ କାର୍ଯ୍ୟ ହୋଇପାରିବ ବୋଲି ସେ କହିଛନ୍ତି । ସମସ୍ତ ତଥ୍ୟ ଭାରତୀୟ ଖଣି ବ୍ୟୁରୋକୁ ଜଣାଇ ଦିଆଯିବ ବୋଲି କମିଶନ କହିଛନ୍ତି ।

ଏହାପରେ ସାଧାରଣ ଲୋକେ ନିଜର ଅଭିଯୋଗ ଜିଲ୍ଳାପାଳଙ୍କୁ ଦେଇପାରିବେ ଓ ଜିଲ୍ଳାପାଳ ସେଗୁଡିକୁ ୱେବସାଇଟରେ ପ୍ରଦର୍ଶନ କରିପାରିବେ ବୋଲି ସେ କହିଛନ୍ତି । ସମସ୍ତ ଖଣି ଓ ଖଣି ମାଲିକଙ୍କ ନାଁ ଠିକଣା ମଧ୍ୟ ୱେବସାଇଟ୍ରେ ସ୍ଥାନିତ କରିବାକୁ କମିଶନ ପରାମର୍ଶ ଦେଇଛନ୍ତି ।

ବିଭିନ୍ନ ବର୍ଗର ଲୋକଙ୍କ ସହିତ କମିଶନ ଆଲୋଚନା କରିଥିବା ବେଳେ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଜିଲ୍ଲାର ବହୁ ବୁଦ୍ଧୀଜୀବୀ, ମାନବାଧିକାର କର୍ମୀ ଏବଂ ବିଭିନ୍ନ ସଂଗଠନର କର୍ମକର୍ତାମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କେନ୍ଦୁଝର, ଖଣି ମାଲିକ

କେନ୍ଦୁଝର: ୫୭ଟି ଖଣିକୁ କାରଣ ଦର୍ଶାଅ ନୋଟିସ

November 21, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାରେ ବେଆଇନ ତଥା ନିୟମ
ଉଲଂଘନ କରି ଖଣିଜ ପଥର ରପ୍ତାନି କରୁଥିବା ୫୭ଟି କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି
କରାଯାଇଛି ।

ଯୋଡ଼ା ଖଣି ଉପନିର୍ଦ୍ଦେଶକ ସୋମବାର ଏହି ନୋଟିସ ଜାରି କରିଥିବା ବେଳେ ଗତ ୨୦୦୪ରୁ ୨୦୦୯ ମଧ୍ୟରେ ଖଣି ଚୋରା କାରବାର ହୋଇଥିବା ଅଭିଯୋଗ ହୋଇଛି । ଏକ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କମ୍ପାନୀ ଗୁଡ଼ିକୁ କୁହାଯାଇଛି ।

କମ୍ପାନୀ ଗୁଡ଼ିକୁ ଦିଆଯାଇଥିବା ପରିବେଶ ମଂଜୁରୀ ଉଲଂଘନ ତଥା ଲିଜ୍ ଠାରୁ ଅଧିକ ଖଣି ଖନନ କରିଥିବା ଅଭିଯୋଗରେ ନୋଟିସ ଜାରି କରାଯାଇଛି ।

ଏହି କମ୍ପାନୀ ଗୁଡ଼ିକ ମଧ୍ୟରେ ଏସ୍ସିଏମ୍, ପିଏମ୍ପିଏଲ୍, ଟିସ୍କୋ, ଓଏମ୍ସି, ବିଡ଼ି ପଟ୍ଟାୟନକ ଓ ଓଏମ୍ଡ଼ିସି ଅନ୍ତର୍ଭୁକ୍ତ ।

ଯୋଡା ଅଂଳରୁ ଖଣିଜଦ୍ରବ୍ୟ ପରିବହନ କରୁଥିବା ୫୦ଟି କମ୍ପାନୀର ଲାଇସେନ୍ସକୁ ପୂର୍ବରୁ ଖଣି ଓ ଇସ୍ପାତ ବିଭାଗ ସସ୍ପେଣ୍ଡ କରିଥିବା ବେଳେ ଅନ୍ୟ ତିନୋଟି ଖଣିର ଖନନ କାର୍ଯ୍ୟକୁ ମଧ୍ୟ ବନ୍ଦ
କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: କେନ୍ଦୁଝର, ଯୋଡ଼ା ଖଣି

କେନ୍ଦୁଝରରେ ବନ୍ଦ, ଜନଜୀବନ ଅସ୍ତବ୍ୟସ୍ତ

October 31, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ଅକ୍ଟୋବର ୩୧(ଓଡ଼ିଶା ଡ଼ଟ୍ କମ୍) ଜାତୀୟ ରାଜପଥରେ ଟ୍ରକ୍ ଯୋଗେ ଖଣିଜ ପଦାର୍ଥ ପରିବହନ ବନ୍ଦ ନିଷ୍ପତିକୁ ବିରୋଧ କରି ସୋମବାର ବିଜେପି ପକ୍ଷରୁ କରାଯାଇଥିବା ବନ୍ଦ ପାଳନ ଯୋଗୁଁ ଯାନବାହାନ ଚଳାଚଳ ବନ୍ଦ ରହିଛି ।

ଏହି ୧୨ ଘଣ୍ଟିଆ ବନ୍ଦକୁ ସବୁ ବର୍ଗର ଲୋକମାନେ ସମର୍ଥନ ଜଣାଇବା ସହ ଏଥିରେ ସାମିଲ ହୋଇଛନ୍ତି ।
ଫଳରେ ଯାନବାହାନ ଚଳାଚଳ, ଦୋକାନବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଆଦି ବନ୍ଦ ରହିବା ସହ
ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ବନ୍ଦ ଯୋଗୁଁ ରାସ୍ତାର ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଶତାଧିକ ଗାଡ଼ି ଛିଡ଼ାହୋଇ ରହିଛି । ଜାତୀୟ ରାଜପଥରେ ଟ୍ରକ୍ ଦ୍ୱାରାଖଣିଜ ପଦାର୍ଥ ପରିବହନ ବନ୍ଦ କରିବାକୁ ସରକାର ନେଇଥିବା ନିଷ୍ପତ୍ତି ବେଆଇନ ଓ ଅଗଣତାନ୍ତ୍ରିକ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: କେନ୍ଦୁଝର, ଖଣିଜ ପଦାର୍ଥ, ଜାତୀୟ ରାଜପଥ, ଯାନବାହାନ, ରାଜନୀତି

ପରିବାର ସଦସ୍ୟ ବିଷ ଦେଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ

April 20, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

କେନ୍ଦୁଝର, ଅପ୍ରେଲ ୧୫(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାରେ ଶୁକ୍ରବାର ଜଣେ ବ୍ୟକ୍ତି ପତ୍ନୀ ଓ ଛଅ ଜଣ ସନ୍ତାନଙ୍କୁ ବିଷ ଦେବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ କହିଛି ।

ପରିବାର ସମସ୍ତ ସଦସ୍ୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସଂପୃକ୍ତ ବ୍ୟକ୍ତି ବଂଚିଯାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି । ୨୧୫ ନମ୍ବର ଜାତୀୟ ରାଜପଥ ନିକଟସ୍ଥ କତ୍ରାବେଡ଼ା ଗ୍ରାମରୁ ଏମାନଙ୍କ ଶବ ଉଦ୍ଧାର କରାଯାଇଛି ।

ମୃତକଙ୍କ ମଧ୍ୟରେ ତିନି ଜଣ ବାଳକ ଏବଂ ତିନି ଜଣ ଝିଅ ଥିବା ବେଳେ ସେମାନଙ୍କ ବୟସ ତିନି ବର୍ଷରୁ ୧୭ ବର୍ଷ ମଧ୍ୟରେ ହେବ ବୋଲି ସେ କହିଛନ୍ତି ।

ତେବେ ବ୍ୟକ୍ତି ଜଣକ ସମସ୍ତଙ୍କୁ ବିଷ ଦେଇଥିବା ସ୍ୱୀକାର କରିଥିବା ବେଳେ ଏହାର କାରଣ ସଂପର୍କରେ କିଛି କହିନାହାନ୍ତି । ତାଙ୍କର ଅବସ୍ଥା ଗୁରୁତର ରହିଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଆତ୍ମହତ୍ୟା, କେନ୍ଦୁଝର, ମୁଖ୍ୟ ଖବର

ଗୁଳି ବିନିମୟରେ ଦୁଇ ମାଓବାଦୀ ନିହତ

January 12, 2011 by ଓଡିଶା ଡଟ କମ Leave a Comment

ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ଜାନୁୟାରୀ ୧୨(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାରେ ବୁଧବାର ପୋଲିସ ସହ ଗୁଳି ବିନିମୟରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ପୋଲିସ କହିଛି ।

ରେବଣାପାଳ ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ଖବର ପାଇ ଜିଲ୍ଲା ପୋଲିସ, ଏସ୍ଓଜି ଓ ସିଆର୍ପିଏଫ୍ ଯବାନ ସେଠାରେ ଚଢାଉ କରିବାକୁ ଯାଇଥିବା ବେଳେ ଗୁଳିବିନିମୟ ହୋଇଥିଲା ।

ଘଟଣାସ୍ଥଳରୁ ପୋଲିସ ବନ୍ଧୁକ, ରାଇଫଲ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି ।

ସେହିପରି କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ପଟାଙ୍ଗୀ ଠାରେ ମଙ୍ଗଳବାର ରାତିରେ ମାଓବାଦୀମାନେ ଗୋଟିଏ ମୋବାଇଲ ଟାୱାରକୁ ପୋଡ଼ି ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: କେନ୍ଦୁଝର, ମାଓବାଦୀ, ମୁଖ୍ୟ ଖବର

ପୋଲିସ ଗୁଳି ବିନିମୟରେ ମହିଳା ମାଓବାଦୀ ମୃତ

December 30, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ଡ଼ିସେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାରେ ବୁଧବାର ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମହିଳା ମାଓବାଦୀ ମୃତ୍ୟୁବରଣ କରିଥିବା ପୋଲିସ କହିଛି ।

ତେଲକୋଇ ଅନ୍ତର୍ଗତ ତାଳପା ଜଙ୍ଗଲକୁ ସଂଧ୍ୟାରେ ପୋଲିସ କୁମ୍ବିଂ ଅପରେଶନରେ ଯାଇଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା ।

ମୃତ୍ୟୁବରଣ କରିଥିବା ମାଓବାଦୀର ପରିଚୟ ମିଳିନଥିବା ବେଳେ ବେଳେ ତା ନିକଟରୁ ଦୁଇଟି ବନ୍ଧୁକ ଓ କିଟ୍ ବ୍ୟାଗ ଉଦ୍ଧାର କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: କେନ୍ଦୁଝର, ମାଓବାଦୀ, ମୁଖ୍ୟ ଖବର

ଅସ୍ତ୍ରଶସ୍ତ୍ର ସହ ପାଞ୍ଚ ନକଲି ମାଓବାଦୀ ଗିରଫ

December 28, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ଡ଼ିସେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାରେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ପାଞ୍ଚ ଜଣ ନକଲି ମାଓବାଦୀଙ୍କୁ ସୋମବାର ଗିରଫ କରିବା ସହ ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଜବତ କରିଥିବା ପୋଲିସ କହିଛି ।

କୌଣସି ସୂତ୍ରରୁ ଖବର ପାଇ ପୋଲିସର ସ୍ୱତନ୍ତ୍ର ଦଳ ଝାଡ଼ଖଣ୍ଡ-ଓଡ଼ିଶା ସୀମା ଅନ୍ତର୍ଗତ ଠାକୁରାଣୀ ଜଙ୍ଗଲ ଅଞ୍ଚଳରୁ ସେମାନଙ୍କୁ ଗିରଫ କରିଥିବା ଜିଲ୍ଲା ପୋଲିସ ମୁଖ୍ୟ ଆଶିଷ ସିଂହ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ସେମାନଙ୍କ ଠାରୁ ଦୁଇ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା, ସୁନା ଓ ପ୍ରାୟ ଦଶ ଲକ୍ଷ ଟଙ୍କାର ଅନ୍ୟାନ୍ୟ ଅଳଙ୍କାର, ଗୋଟିଏ ଦେଶୀ ପିସ୍ତଲ, ଦେଶୀ ବନ୍ଧୁକ ଜବତ କରିଥିବା ସେ କହିଛନ୍ତି ।

ଦଶରୁ ବାର ଜଣ ସଦସ୍ୟ ବିଶିଷ୍ଟ ଏହି ଦଳ ଧମକପୂର୍ଣ୍ଣ ଚିଠି ଲେଖି ଗତ କିଛି ମାସ ମଧ୍ୟରେ ସ୍ଥାନୀୟ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରିଛନ୍ତି । ଉକ୍ତ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: କେନ୍ଦୁଝର, ମାଓବାଦୀ, ମୁଖ୍ୟ ଖବର

କେନ୍ଦୁଝର: ବିଭିନ୍ନ ଅପରାଧରେ ସଂପୃକ୍ତ ମାଓବାଦୀ ଗିରଫ

December 24, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାରୁ ବହୁତ ଅପରାଧରେ ସଂପୃକ୍ତ ଜଣେ ଦୁର୍ଦ୍ଧାନ୍ତ ମାଓବାଦୀକୁ ଗୁରୁବାର ଗିରଫ କରିଥିବା ପୋଲିସ କହିଛି ।

କୁମ୍ବିଂ ଅପରେଶନ ସମୟରେ ସିଆର୍ପିଏଫ୍ ଓ ଜିଲ୍ଲା ପୋଲିସ ତେଲକୋଇ ଅନ୍ତର୍ଗତ ମେଣ୍ଡିହୁଣ୍ଡି ଜଙ୍ଗଲ ନିକଟରୁ ତାକୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ସଂପୃକ୍ତ ମାଓବାଦୀର ନାଁ ରବି ମାଝୀ ଓ ସେ ଦୈତାରୀ ଥାନା ଆକ୍ରମଣରେ ସଂପୃକ୍ତ । ତା’ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ମାଓବାଦୀ ପୋଷ୍ଟର, ଡ଼ିଟୋନେଟର ଏବଂ ବିଦ୍ୟୁତ ତା’ର ଜବତ କରାଯାଇଛି ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: କେନ୍ଦୁଝର, ପୋଷ୍ଟର, ମାଓବାଦୀ, ମୁଖ୍ୟ ଖବର

ରିସ୍କ ନନେଲେ ପ୍ରଗତି ହୋଇପାରିବ ନାହିଁ

June 3, 2005 by ନିଉଜ ଡେସ୍କ Leave a Comment

ଆମେରିକା, ଜୁନ୍ ୩ (ଓଡିଶା ଡଟ୍ କମ୍), ଆମେରିକାର ମିଚିଗାନ୍ ସହରତଳି ଫାର୍ମିଙ୍ଗଟନ୍ ହିଲ୍ସ ରେ ରହୁଥିବା ଓଡିଶାର କେନ୍ଦୁଝର ଜିଲ୍ଲାର ବୈଲୋଚନ ବେହେରା

ବୈଲୋଚନ ବେହେରା । ଓଡିଶାର କେନ୍ଦୁଝର ଜିଲ୍ଲାରେ ଜନ୍ମ । ପତ୍ନୀ ଓ ଦୁଇ ସନ୍ତାନଙ୍କ ସହ ବର୍ତ୍ତମାନ ଆମେରିକାର ମିଚିଗାନ୍ ସହରତଳି ଫାର୍ମିଙ୍ଗଟନ୍ ହିଲ୍ସ ଇଲାକାରେ ରହୁଛନ୍ତି । ଫାର୍ମିଙ୍ଗଟନ୍ ହିଲ୍ସ ଅଞ୍ଚଳରେ ସମୁଦାୟ ୫ ନିୟୁତ ଜନସାଧାରଣ ବସବାସ କରନ୍ତି । ଏଥିମଧ୍ୟରୁ ଓଡିଆ ପରିବାରଙ୍କ ସଂଖ୍ୟା ଅନ୍ୟୁନ ଏକ ଶହ ।

ରାଉରକେଲାର ଆର୍ଇସିରୁ (ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନ) ଇଲେକ୍ଟ୍ରିକାଲ୍ ଇଂଜିନିୟରିଂରେ ସ୍ନାତକ ଡିଗ୍ରୀ ଏବଂ ଆମେରିକାର ୱାନେ ଷ୍ଟେଟ୍ ୟୁନିଭରସିଟିରୁ କମ୍ପ୍ୟୁଟର ଇଂଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।

୨୫ ବର୍ଷ ତଳେ, ଅର୍ଥାତ ୧୯୮୦ ମସିହା ଡିସେମ୍ବର ମାସରେ ଉଚ୍ଚ ଶିକ୍ଷା ପାଇଁ ଓଡିଶା ଛାଡିଥିବା ବେହେରା ଆମେରିକାରେ ୧୯୯୬ ଏପ୍ରିଲ ରେ ଆରମ୍ଭ କରିଛନ୍ତି ସିଷ୍ଟମ୍ ଟେକନୋଲଜି ଇଣ୍ଟରନ୍ୟାସ୍ନାଲ୍ (ଏସ୍ଟିଆଇ) ନାମକ ଏକ ସୂଚନା ଓ ପ୍ରଯୁକ୍ତି କମ୍ପାନୀ ।

ବାର୍ଷିକ ହାରାହାରି ୩୦ କୋଟି ଟଙ୍କା ବ୍ୟବସାୟ କରୁଥିବା ଏହି କମ୍ପାନୀରେ ଏବେ ପ୍ରାୟ ଏକ ଶହରୁ ଅଧିକ ପ୍ରଫେସନାଲ କାମ କରୁଛନ୍ତି । ନିକଟରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏହି କମ୍ପାନୀର ଏକ ଡ଼େଭଲେପମେଣ୍ଟ ସେଣ୍ଟର ଖୋଲିଛନ୍ତି । ଏହି କେନ୍ଦ୍ର ହେଉଛି ଭାରତରେ ତାଙ୍କ କମ୍ପାନୀର ଏକମାତ୍ର କେନ୍ଦ୍ର । ଓଡ଼ିଶା ଡ଼ଟ୍ କମ୍ ମୁଖ୍ୟ ସଂପାଦକ ଯତୀନ୍ଦ୍ର ଦାଶଙ୍କ ସହ ତାଙ୍କର ଏକ ଦୀର୍ଘ ସାକ୍ଷାତକାର ।
ଓଡ଼ିଆ ଅନୁବାଦ : ପ୍ରଶାନ୍ତ ପଣ୍ଡା ।

ଓଡିଶାରେ କେନ୍ଦ୍ର ସ୍ଥାପନ ଲାଗି କାହିଁକି ସ୍ଥିର କଲେ? ଏହାପଛରେ ଭାବପ୍ରବଣ ସମ୍ପର୍କ ନା ଆଉ କିଛି କାରଣ ରହିଛି?

ନିଜ ରାଜ୍ୟ ଓଡିଶା ପ୍ରତି ମୋର ସବୁବେଳେ ଭାବଗତ ସମ୍ପର୍କ ରହି ଆସିଛି । ଆମ ସଭିଙ୍କ ନିମନ୍ତେ ରାଜ୍ୟର ଅବଦାନ ଯାହା ତାହାକୁ କେବେ ହେଲେ ଭୁଲି ହେବ ନାହିଁ । ଉଦାହରଣତଃ “ମାଗଣା ଶିକ୍ଷା ବ୍ୟବସ୍ଥା” ସେଥିମଧ୍ୟରୁ ଗୋଟିଏ, ଯାହା ଆମକୁ ଓଡିଶା ଯୋଗାଇ ଦେଇଛି ।

ଓଡିଶାର ପ୍ରଗତି ଓ ବିକାଶ ଲାଗି ମୋର ଅବଦାନ ନେଇ ସର୍ବଦା ହୃଦୟରେ ଅଭିଳାଷ ରହିଛି । ବ୍ୟବସାୟିକ ଦୃଷ୍ଟିକୋଣରୁ କମ୍ପାନୀ ଆରମ୍ଭ କରିବା ଲାଗି ଓଡିଶାକୁ ହିଁ ଉପଯୁକ୍ତ ବୋଲି ମଣିଲି । ଦେଶର ବାଙ୍ଗାଲୋର, ଚେନ୍ନାଇ, ମୁମ୍ବାଇ ଏବଂ ଦିଲ୍ଲୀ ଆଦି ନଗରୀ ତୁଳନାରେ ରାଜଧାନୀ ଭୁବନେଶ୍ୱରରେ ଖର୍ଚ୍ଚ ଅପେକ୍ଷାକୃତ କମ୍ ।

ମୋଟାମୋଟି କହିବାକୁ ଗଲେ ଓଡିଶାରେ ଏଥିପାଇଁ ଆଜି ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାର ବାତାବରଣ ସୃଷ୍ଟି ହୋଇଛି ।

ଏସ୍ଟିଆଇର ମୁଖ୍ୟ କାର୍ଯ୍ୟ ଗୁଡ଼ିକ କଣ ?

ଏଠାରେ ବୈଷୟିକ ପ୍ରଯୁକ୍ତି ବିଦ୍ୟା ଏବଂ ଇଂଜିନିୟରିଂ ପେଶାଗତ ସେବା, ସଫ୍ଟୱେୟାର୍ ଡେଭଲପମେଣ୍ଟରେ ଆଉଟ୍ ସୋର୍ସିଂ ସେବା, ବିଜ୍ନେସ୍ ପ୍ରୋସେସ୍, ମାର୍କେଟିଂ ଓ କ୍ରିଏଟିଭ୍ ଡିଜାଇନ୍ ଉପରେ ସେବା ପ୍ରଦାନ କରାଯାଉଛି ।

ପେଶାଗତ ଦୃଷ୍ଟିରୁ ବିଚାର କଲେ ବ୍ୟବସାୟ ପରିଚାଳନା, ଇଂଜିନିୟରିଂ ଏବଂ ବୈଷୟିକ ପରିଚାଳନା ଆଦି କ୍ଷେତ୍ରରେ ରହିଛି ଦୀର୍ଘ ୨୦ ବର୍ଷର ଅଭିଜ୍ଞତା ଏହା ମତେ ଏହି ଅନୁଷ୍ଠାନକୁ ଗଢି ତୋଳିବାରେ ବିଶେଷ ସହାୟକ ହୋଇଛି ।

ଆମେରିକା କିମ୍ବା ଭାରତରେ ଆପଣ ଅନ୍ୟାନ୍ୟ କଣ ସବୁ କାମ କରୁଛନ୍ତି?

ବ୍ୟବସାୟିକ କାର୍ଯ୍ୟକଳାପ ଜରିଆରେ ବିଶ୍ୱର ଯେ କୌଣସି ସ୍ଥାନରେ କର୍ମ ନିଯୁକ୍ତି ସୃଷ୍ଟି କରିବା ଏବଂ ଲୋକମାନଙ୍କୁ ସେବା ଏବଂ ସାହାଯ୍ୟ ଯୋଗାଇ ଦେବାସହ ଆର୍ଥିକ ଦୃଷ୍ଟିକୋଣରୁ ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ମୋର ମୁଖ୍ୟ ଉଦ୍ଦେଶ୍ୟ ।

ଆପଣ ଓଡିଶାର ବିକାଶ ନିମିତ୍ତ ଚିନ୍ତା କରିଥିଲେ କି? ଯଦି ହଁ ତେବେ ତାହା କେଉଁ ରୂପରେ?

ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ପାରିଲେ କିଛି ସମୟ ଭିତରେ ତାହା ସମଗ୍ର ଜାତିର ଉନ୍ନତି କ୍ଷେତ୍ରରେ ଇନ୍ଧନ ସଦୃଶ କାମ କରିଥାଏ । କାରଣ କର୍ମଚାରୀମାନେ ନିଜର ଆବଶ୍ୟକତା ପୂରଣ କରିବା ଲାଗି ସ୍ଥାନୀୟ ବ୍ୟବସାୟୀମାନଙ୍କ ସେବା ନେବାସହ ଅର୍ଥ ବିନିମୟରେ ସେମାନଙ୍କଠାରୁ ବିଭିନ୍ନ ଦ୍ରବ୍ୟ କ୍ରୟ କରୁଥିବାରୁ ସ୍ଥାନୀୟ ଅର୍ଥନୀତି ଅଧିକ ସୁଦୃଢ ହୋଇଥାଏ ।

କାର୍ଯ୍ୟତଃ ସ୍ଥାନୀୟ ବ୍ୟବସାୟୀମାନେ ସମୃଦ୍ଧିର ମାର୍ଗରେ ଆଗେଇ ଚାଲନ୍ତି । ଏହାଛଡା ନୂତନ କର୍ମ ନିଯୁକ୍ତି ବ୍ୟବସ୍ଥାର ବହୁମୁଖି ଉପାଦେୟତା ରହିଛି । ଲୋକମାନଙ୍କୁ ସାହାଯ୍ୟ ଆକାରରେ ଟଙ୍କା ଦେବା ଏକ ସାମୟିକ ପ୍ରକ୍ରିୟା ବୋଲି ମୁଁ ବିଚାର କରେ ।

ଟଙ୍କା ସରିଗଲେ ସେମାନେ ପୁଣି ନିଜର ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ପୁନଶ୍ଚ ସେହି ବ୍ୟକ୍ତି ଉପରେ ନିର୍ଭର କରିବାକୁ ଦ୍ୱିଧା ପ୍ରକାଶ କରିନଥାନ୍ତି । ତେବେ କର୍ମ ନିଯୁକ୍ତି ମାଧ୍ୟମରେ ଆର୍ଥିକ ସ୍ୱାଧିନତା ଦିଆଯାଇପାରିଲେ ଏହି ସମସ୍ୟା ରହିନଥାଏ ।

ଅନ୍ୟପକ୍ଷରେ ବୃତ୍ତିଗତ କର୍ମ ନିଯୁକ୍ତି ଦ୍ୱାରା ଆର୍ଥିକ ବ୍ୟବସ୍ଥା ଅଧିକ ସୁଦୃଢ ହେବାସହ ରାଜ୍ୟର ବିକାଶ ପ୍ରକ୍ରିୟାରେ ମଧ୍ୟ ଉଲ୍ଲେଖନୀୟ ଭୂମିକା ନେଇଥାଏ ।

ଓଡିଶାର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆପଣଙ୍କ ମତ କଣ? ଏଥିନିମତ୍ତି କାହାକୁ ଦାୟୀ କରିବେ?

ବହୁ ଦିନ ହେଲା ରାଜ୍ୟରୁ ଦୂରରେ ରହିଥିବାରୁ ଏଭଳି ଏକ ସମ୍ବେଦନଶୀଳ ପ୍ରଶ୍ନର ଉତ୍ତର ଦେବା ବୋଧହୁଏ ଠିକ୍ ହେବ ନାହିଁ । ଦ୍ୱିତୀୟତଃ ବର୍ତ୍ତମାନ ଓଡିଶାରେ ମୋର କାର୍ଯ୍ୟ ପରିସର ସୀମିତ । ସଂକ୍ଷିପ୍ତରେ କହିବାକୁ ଗଲେ ମୋଟାମୋଟି ବ୍ୟବସାୟିକ ଜଗତ ସହ ହିଁ ମୁଁ ସଂଶ୍ଲିଷ୍ଟ ।

ଓଡିଶାର ବିକାଶ ପ୍ରକ୍ରିୟାରେ ଆପଣ କେତେଦୂର ଜଡିତ ଏବଂ ଏହା ଫଳପ୍ରସୂ ହୋଇଛି କି?

ଓଡିଶାରେ ବ୍ୟବସାୟ ଆରମ୍ଭ କରିବା ଏବଂ ଏହାକୁ ବିସ୍ତାର କରିବା ଅର୍ଥ ହିଁ ରାଜ୍ୟର ବିକାଶ ପ୍ରକ୍ରିୟାରେ ସଂଶ୍ଲିଷ୍ଟ ହୋଇପଡିବା । ସ୍ୱଳ୍ପ ସମୟ ଭିତରେ ଏଠାରେ ହାସଲ କରିଥିବା ପ୍ରଗତିରେ ଆମେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇଛୁ ।

ବର୍ତ୍ତମାନର ପ୍ରଶାସନିକ ବ୍ୟବସ୍ଥାରେ ଓଡିଶା ପ୍ରଗତି ନାଁ ଦୁର୍ଗତିର ମାର୍ଗରେ ପରିଚାଳିତ ହେଉଛି? ଏହି ପରିପ୍ରେକ୍ଷୀରେ ଆପଣ କୌଣସି ପରିବର୍ତ୍ତନର ଆବଶ୍ୟକତା ଲୋଡୁଛନ୍ତି କି?

ଓଡିଶାର ସାମ୍ପ୍ରତିକ ପରିସ୍ଥିତି ବିଷୟରେ ମୋର ପର୍ଯ୍ୟାପ୍ତ ଜ୍ଞାନ ନାହିଁ । ସତ କହିବାକୁ ଗଲେ ପ୍ରଶାସନିକ ବ୍ୟବସ୍ଥା ବିଷୟରେ ମଧ୍ୟ ମୋ’ ନିକଟରେ କୌଣସି ତଥ୍ୟ ନାହିଁ ।

ତେବେ ସେ ଯାହା ହେଉନା କାହିଁକି ଭୁବନେଶ୍ୱରର ଏସ୍ଟିପିଆଇ ଏବଂ ବିଭିନ୍ନ ସରକାରୀ ପଦାଧିକାରୀଙ୍କଠାରୁ ପାଇଥିବା ସାହାଯ୍ୟ, ସହଯୋଗ ଆଗାମୀ ଦିନରେ ଅବିସ୍ମରଣୀୟ ହୋଇ ରହିବ ।

ଆପଣଙ୍କ ମତରେ ଓଡିଶାର ବିକାଶ ପ୍ରକ୍ରିୟାରେ ମୁଖ୍ୟ ପ୍ରତିବନ୍ଧକ କଣ?

ଜାତୀୟ ଏବଂ ଅନ୍ତର୍ଜାତିକ ବଜାରରେ ସଂଖ୍ୟାଧିକ ଗ୍ରାହକଙ୍କୁ ଆକୃଷ୍ଟ କରାଯିବା ଜରୁରୀ । ଏହାଛଡା ଓଡିଶା ନିଜର ସମ୍ବଳକୁ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରିବା ଆବଶ୍ୟକ । ଓଡିଶା ସମ୍ପର୍କରେ ବାହାର ରାଜ୍ୟର ଲୋକମାନେ ବିଶେଷଭାବେ ଜାଣନ୍ତି ନାହିଁ ।

ଏଭଳି ପରିସ୍ଥିତିରେ ସେମାନେ ଏଠାରେ ପୁଞ୍ଜି ବିନିଯୋଗ କରିବାକୁ ସାହାସ କରିବେ ନାହିଁ । ପ୍ରଥମେ ଓଡିଶାର ଶିଳ୍ପ ଓ ଅନ୍ୟାନ୍ୟ କ୍ଷେତ୍ରରେ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯିବା ଦରକାର ।

ରାଜ୍ୟକୁ କିଭଳି ଉପାୟରେ ଅଧିକରୁ ଅଧିକ ବିଦେଶୀ ପୁଞ୍ଜି ଆସି ପାରିବ ସେଥିପ୍ରତି ଯୋଜନା ପ୍ରଣୟନକାରୀମାନେ ଦୃଷ୍ଟି ଦେବା ବିଧେୟ ।
ଆପଣଙ୍କ ଦୃଷ୍ଟିରେ ପ୍ରବାସୀ ଓଡିଆମାନେ ରାଜ୍ୟର ବିକାଶ ପ୍ରକ୍ରିୟାରେ ମୁଖ୍ୟ ଭୂମିକା ତୁଲାଇ ପାରିବେ କି? ଯଦି ହଁ ତେବେ ଏ ପର୍ଯ୍ୟନ୍ତ ସେମାନେ କାହିଁକି ସଫଳ ହୋଇନାହାନ୍ତି?

ପ୍ରବାସୀ ଓଡିଆଙ୍କ ନିକଟରେ ସମ୍ବଳର ଅଭାବ ନାହିଁ । ସେମାନଙ୍କ ସମ୍ବଳ ବଳରେ ରାଜ୍ୟର ବିକାଶ ନିଶ୍ଚିତଭାବେ ସମ୍ଭବପର । ଏଥିରେ କୌଣସି ଦ୍ୱିଧା ନାହିଁ ଯେ ପ୍ରବାସୀମାନେ ଓଡିଶାର ବିକାଶରେ ଅଗ୍ରଣୀ ଭୂମିକା ନେଇପାରିବେ ।

ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବର୍ତ୍ତମାନର ଓଡିଶା ସମ୍ପର୍କରେ ବିଶେଷ କିଛି ଜାଣନ୍ତି ନାହିଁ । ତେଣୁ ସେମାନେ ରିସ୍କ ନେବାକୁ ଆଗଭର ହେଉନାହାନ୍ତି ।

ଦୀର୍ଘଦିନ ପରେ ଓଡିଶା ଆସିଛନ୍ତି । ଅତୀତ ଏବଂ ବର୍ତ୍ତମାନ ମଧ୍ୟରେ ଆପଣ କି ପ୍ରକାର ପାର୍ଥକ୍ୟ ଅନୁଭବ କରୁଛନ୍ତି?

ପ୍ରଥମତଃ ବର୍ତ୍ତମାନ ରାଜ୍ୟରୁ ବାହାରକୁ ଯିବା ଲାଗି ଚମତ୍କାର ବିମାନ ସେବା ଉପଲବ୍ଧ ହେଇଛି । ଦ୍ୱିତୀୟତଃ ଭୁବନେଶ୍ୱରରେ ବ୍ୟବସାୟ ଏବଂ ସମୟ କଟାଇବା ଲାଗି ପୂର୍ବାପେକ୍ଷା ଅନେକ ସାଧନ ରହିଛି ।

ଓଡିଶାର ସାମାଜିକ-ଆର୍ଥିକ ସମୃଦ୍ଧି ନିମିତ୍ତ ଆପଣଙ୍କ ଦୃଷ୍ଟିରେ କେଉଁ ବିଷୟଟି ଗୁରୁତ୍ୱପୂର୍ଣ୍ଣ?

ରାଜ୍ୟରେ ନୂତନ ବ୍ୟବସାୟ ପାଇଁ କ୍ଷେତ୍ର ଓ କର୍ମ ନିଯୁକ୍ତି ବ୍ୟବସ୍ଥାର ଅଭିବୃଦ୍ଧି ସକାଶେ ସରକାରୀ ନୀତି ବ୍ୟବସାୟୀମାନଙ୍କୁ ସୁହାଇଲା ଭଳି ହେବା ଉଚିତ ।

ବ୍ୟବସାୟ ଲାଗି ଉନ୍ନତ ମାନର ସେବା ମଧ୍ୟ ଅପରିହାର୍ଯ୍ୟ । ଏହା ହୋଇପାରିଲେ ରାଜ୍ୟର ସାମାଜିକ-ଆର୍ଥିକ ସମୃଦ୍ଧି ଅକ୍ଲେଶରେ ସମ୍ଭବ ହୋଇପାରିବ ।

ରାଜ୍ୟର ବିକାଶ କାର୍ଯ୍ୟରେ ନିୟୋଜିତ ଯୋଜନା ପ୍ରସ୍ତୁତକାରୀ, ରାଜନେତା ଏବଂ ଅନ୍ୟମାନଙ୍କ ନିମନ୍ତେ ଆପଣଙ୍କ ନିକଟରେ କି ବାର୍ତ୍ତା ରହିଛି?

(ଏ) ସବୁ ଶିଳ୍ପ ସଂସ୍ଥାର ବ୍ୟବସାୟିକ ଅଭିବୃଦ୍ଧି ଲାଗି ସରକାରଙ୍କୁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ହେବ । ଏଥିଲାଗି ସମସ୍ତ ନୂତନ ଶିଳ୍ପଦ୍ୟୋଗୀମାନଙ୍କ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ପରିସ୍ଥିତି ଆଣିବା ଲାଗି ସବୁମନ୍ତେ ଉଦ୍ୟମ କରାଯିବ ।

ଏହାଛଡା ସେମାନେ କିଭଳି ଓଡିଶାରେ ରହିବେ ତାହା ମଧ୍ୟ ଦେଖିବାକୁ ହେବ ।

(ବି) ଭାରତ ବାହାରର ନୂଆ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ କାହିଁକି ଓଡିଶା ନଆସି ବାଙ୍ଗାଲୋର, ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ, ପୁନେ ଏବଂ ଦେଶର ଅନ୍ୟାନ୍ୟ ନଗରୀ ଆଡକୁ ମୁହାଁଉଛନ୍ତି ତାହା ମଧ୍ୟ ବୁଝିବାକୁ ପଡିବ । ତଦନୁସାରେ ଓଡିଶାର ପରିବେଶକୁ ମଧ୍ୟ ଗଢି ତୋଳିବାକୁ ହେବ ।

(ସି) କେଉଁ ପ୍ରମୁଖ ସରକାରୀ ନୀତି ଯୋଗୁଁ ସେହି ରାଜ୍ୟରେ ଏଭଳି ସମ୍ଭବ ହୋଇପାରୁଛି ତାହାକୁ ଅନୁଧ୍ୟାନ କରାଯିବା ଏକାନ୍ତ ଆବଶ୍ୟକ ।

(ଡି) ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଆମକୁ ମଧ୍ୟ ଅନୁକୂଳ ସରକାରୀ ନୀତି ପ୍ରସ୍ତୁତ କରିବାକୁ ହେବ ଏବଂ ଓଡିଶାରେ ନୂତନ ଉଦ୍ୟୋଗ ସ୍ଥାପନ ଲାଗି ଓଡିଶା ଯୋଗାଇ ଦେଉଥିବା ସମସ୍ତ ସୁବିଧା ସୁଯୋଗ ଆଦି ସମ୍ପର୍କରେ ବିଶ୍ୱ ଦରବାରରେ ପ୍ରଚାର କରାଯିବା ଅପରିହାର୍ଯ୍ୟ ।

(ଇ) ବ୍ୟବସାୟକୁ ସରକାର ସବୁବେଳେ ପ୍ରାଥମିକତା ଦେବା ଉଚିତ । ଏହା କେବଳ ଯେ ନୂତନ କର୍ମ ନିଯୁକ୍ତି ବ୍ୟବସ୍ଥା ସୃଷ୍ଟି କରେ ତାହା ନୁହେଁ ବରଂ ରାଜ୍ୟ ରାଜକୋଷକୁ ସମ୍ବଳ ଯୋଗାଣର ଅନ୍ୟତମ ପ୍ରମୁଖ ମାର୍ଗଭାବେ ପରିଚିତ ।

ଆପଣଙ୍କ ଦୃଷ୍ଟିରେ ବର୍ତ୍ତମାନ ଓଡିଶାର ପ୍ରଥମ ଆବଶ୍ୟକତା କଣ?

ଜାତୀୟ ଏବଂ ଅନ୍ତର୍ଜାତିକ ବଜାରକୁ ନୂତନ ବ୍ୟବସାୟୀମାନଙ୍କୁ ଆକୃଷ୍ଟ କରିବା, ନୂତନ ବ୍ୟବସାୟ ପ୍ରତିଷ୍ଠାନ ସ୍ଥାପନ ଲାଗି ଅନୁକୂଳ ବାତାବରଣ ସୃଷ୍ଟି ସାଙ୍ଗକୁ ଉପଯୁକ୍ତ ବ୍ୟବସାୟ ନୀତି ପ୍ରଣୟନ କରାଯିବାର ଆବଶ୍ୟକତା ରହିଛି ।

ଓଡିଶାକୁ ବିକାଶର ନୂତନ ସୋପାନକୁ ନେବା ଲାଗି ଆପଣଙ୍କ ଦୃଷ୍ଟିକୋଣରୁ କିଛି କହିବେ କି?

ମୋର ଦୃଢ ବିଶ୍ୱାସ, ଆର୍ଥିକ ବିକାଶ ଏବଂ ସଫଳତା ଦୃଷ୍ଟିରୁ ନହେଲେ ମଧ୍ୟ ଭୁବନେଶ୍ୱରକୁ ଆଉ ଏକ ବାଙ୍ଗାଲୋର ନଗରୀରେ ପରିଣତ କରାଯାଇପାରିବ । ଆଇଟି ଭିତ୍ତିଭୂମୀ, ସର୍ବନିମ୍ନ ମୂଲ୍ୟରେ ଜୀବନଧାରଣ ଏବଂ ଅନ୍ୟାନ୍ୟ ସୁଖସମ୍ପଦର ପ୍ରାଚୁର୍ଯ୍ୟ ଏଠାରେ ରହିଛି ।

ଏହାଛଡା ଦେଶର ଅନ୍ୟତମ ବୃହତ୍ ଆଇଟି ନଗରୀର ମାନ୍ୟତା ପାଇବା ଲାଗି ଭୁବନେଶ୍ୱରରେ ସମସ୍ତ ସୁବିଧାସୁଯୋଗ ମଧ୍ୟ ରହିଛି । ସ୍ୱପ୍ନକୁ କାର୍ଯ୍ୟକାରୀ କରିବା ନିମନ୍ତେ ସ୍ଥାନୀୟ ଏବଂ ବିଦେଶୀ ବ୍ୟବସାୟୀ ଗୋଷ୍ଠୀର କିଞ୍ଚିତ ସହଯୋଗ ତଥା ସରକାର ଏବଂ ବିଭିନ୍ନ ଶିକ୍ଷା ପ୍ରତିଷ୍ଠାନ ସମୂହର ସାହାଯ୍ୟ ଜରୁରୀ ।

କେଉଁ କ୍ଷେତ୍ରରେ ଓଡିଶାକୁ ଅବହେଳା କରାଯାଇଛି ଏବଂ ସେହି କାରଣ ଗୁଡିକ କଣ?

ଏହି ଉତ୍ତର ଲାଗି ମୋ’ପାଖରେ ସମୂଚିତ ଜ୍ଞାନର ଅଭାବ ରହିଛି । ତେବେ ମୋର ହୃଦବୋଧ ହେଉଛି ଅନ୍ୟ ରାଜ୍ୟ ଭଳି ଆମେ ଅଧିକ ରିସ୍କ ନେଉ ନାହୁଁ । ରିସ୍କ ନନେଲେ କେବେହେଲେ କୌଣସି ରାଜ୍ୟ, ଜାତି, ଦେଶ କିମ୍ବା ସେଠାକାର ଅଧିବାସୀମାନେ ପ୍ରଗତିମାର୍ଗରେ ବଢି ପାରନ୍ତି ନାହିଁ ।

ବର୍ତ୍ତମାନ ବିଶ୍ୱ ଅର୍ଥନୀତିର ଚାବିକାଠି ରୂପେ ପରିଚିତ “ଆଉଟ୍ ସୋର୍ସିଂ’ ବ୍ୟବସ୍ଥା ଓଡିଶାରେ କାର୍ଯ୍ୟକାରୀ କରିବାର ସୁବର୍ଣ୍ଣ ସୁଯୋଗ ସମୟ ଉପନୀତ ।

ଏହାଦ୍ୱାରା ରାଜ୍ୟବାସୀ ଓଡିଶାର ଉନ୍ନତିରେ ସହାୟକ ହେବାସହ ନିଜ ଜୀବନର ମାନଦଣ୍ଡରେ ମଧ୍ୟ ପରିବର୍ତ୍ତନ ଆଣିପାରିବେ ।

ଓଡିଶା ସମ୍ମୁଖିନ ହେଉଥିବା ବିଭିନ୍ନ ସ୍ୱଳ୍ପ ମିଆଦୀ ଓ ଦୀର୍ଘ ମିଆଦୀ ସମସ୍ୟା ଗୁଡିକୁ ଦୂର କରିବାକୁ ଏହା ଏକ ଅଦ୍ୱିତୀୟ ସୁଯୋଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହାଦ୍ୱାରା ଅଧିକ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ ।

ସ୍ଥାନୀୟ ଅର୍ଥନୈତିକ ବ୍ୟବସ୍ଥାର ବିକାଶ ସାଧିତ ହେବ । ତାଛଡା ବ୍ୟବସାୟୀମାନଙ୍କୁ ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ମିଳିବ ।

ରାଜ୍ୟପାଇଁ ଅତିରିକ୍ତ ରାଜସ୍ୱ ପାଣ୍ଠି ସୃଷ୍ଟି କରାଯାଇପାରିବ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଜନସାଧାରଣଙ୍କ ଜୀବନଯାପନ ପ୍ରଣାଳୀରେ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଆସିପାରିବ ।

ଇସ୍ପାତ କାରଖାନା, ଭିତ୍ତିଭୂମୀ ଏବଂ କାରିଗରୀ କୌଶଳ ମଧ୍ୟରୁ ଓଡିଶା ନିମନ୍ତେ କେଉଁଟି ଗୁରୁତ୍ୱପୂର୍ଣ୍ଣ?

(ଏ) ଓଡିଶାରେ ପ୍ରଚୁର ଖଣିଜ ସମ୍ପଦ ରହିଛି । ରାଜ୍ୟ ଏବଂ ଜନସାଧାରଣଙ୍କ ସମୃଦ୍ଧି ଲାଗି ଆମେ ଏହାର ସୁଯୋଗ ନେବା ଜରୁରୀ । ବର୍ତ୍ତମାନର ବିଶ୍ୱ ଅର୍ଥନୀତିକୁ ବିଚାରକୁ ନେଲେ ନିଶ୍ଚିତଭାବେ ଗୋଟିଏ ଇସ୍ପାତ ପ୍ରକଳ୍ପ ସ୍ୱାଗତଯୋଗ୍ୟ । ଏହାଦ୍ୱାରା ଅଧିକ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବ ।

(ବି) ତେବେ ମୋ’ ଦୃଷ୍ଟିରେ ଖଣିଜ ସମ୍ପଦଠାରୁ କାରିଗରୀ କୌଶଳର ସ୍ଥାନ ଉଦ୍ଧ୍ୱର୍ରେ । କାରଣ ମଣିଷ ଏହାକୁ ବିକାଶ ଏବଂ ନିୟନ୍ତ୍ରଣ ମଧ୍ୟ କରିଥାଏ । ଏହାର କୌଣସି ନିର୍ଦ୍ଧିଷ୍ଟ ସୀମା ନାହିଁ । କୌଣସି ଭୌଗଳିକ କିମ୍ବା ପରିବେଶର ପ୍ରଭାବ ଏହା ଉପରେ ପଡେ ନାହିଁ ।

ଓଡିଶାରେ ଲୋକବଳ ଏବଂ ଦକ୍ଷତାର ପର୍ଯ୍ୟାପ୍ତ ଶକ୍ତି ରହିଛି । ଭିତ୍ତିଭୂମୀ ଏବଂ କାରିଗରୀ କୌଶଳ ବିଦ୍ୟାର ବିକାଶ ସାଧନ ହୋଇପାରିଲେ ରାଜ୍ୟବାସୀ ଅଧିକ ଉପକୃତ ହୋଇପାରିବେ ବୋଲି ମୁଁ ଭାବୁଛି ।

(ଓଡିଶା ଡଟ୍ କମ୍)

Filed Under: ସାକ୍ଷାତକାର Tagged With: କେନ୍ଦୁଝର, ପ୍ରଗତି, ବୈଲୋଚନ ବେହେରା, ସାକ୍ଷାତକାର

  • « Go to Previous Page
  • Go to page 1
  • Go to page 2

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା