• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

କେନ୍ଦ୍ରାପଡ଼ା ଜିଲ୍ଲା

ମହାନ ଜନନାୟକଙ୍କ ହୃଦୟରେ ଓଡିଶା

August 20, 2018 by ଗୋଲଖ ଦାସ Leave a Comment

କେନ୍ଦ୍ରାପଡା ଜିଲ୍ଲାର କେଉଁ ଏକ ଅଜଣା ପଲ୍ଲୀ ଘିଗିଡିଆ । ଅଗଷ୍ଟ ୧୬ ତାରିଖ ସଂଧ୍ୟା ୫ ଘଟିକା ୩୫ ମିନିଟ ସମୟରେ ଆମେ ସେହି ଗାଁରେ ପହଁଚି ଥାଉ, ସେଠାରେ ଦେଖିଲୁ ଅଜବ ଦୃଶ୍ୟ । ଗାଁ ରୁ ସହରକୁ ସଂଯୋଗ କରୁଥିବା ସଡକ ଉପରେ ବସି ରହିଛନ୍ତି ପ୍ରାୟ କୋଡିଏରୁ ଉଦ୍ଧ୍ୱର୍ ବ୍ୟକ୍ତି । ସମସ୍ତଙ୍କ ମନ ଝାଉଁଳି ପଡିଛି ।

କାହାର ଆଖିରୁ ଲୋତକ ଝରି ପଡୁଛି,କିଏ ନିରବରେ ବସି ରହିଛନ୍ତି । ସମସ୍ତେ ମନମାରି ବସି ରହିଛନ୍ତି । ଆମର ବାଇକ ତାଙ୍କରି ନିକଟରେ ଅଟକି ଗଲା । ରାସ୍ତା ଉପରେ ଏମିତି ବସିବାର କାରଣ ପଚାରିବାରୁ ତାଙ୍କର ଉତ୍ତର ଶୁଣି ଆମେ ଅବାକ ଓ ଚକିତ ହୋଇଗଲୁ ।

ତାଙ୍କ ମଧ୍ୟରୁ ଜଣେ ବୟସ୍କ ବ୍ୟକ୍ତି ଠିଆ ହୋଇ କହିଲେ ଆମ ଗାଁରୁ ସହର ମଧ୍ୟକୁ ଯିବା ପାଇଁ ଏ ଯେଉଁ ପକ୍କା ସଡକ ତିଆରି ହୋଇଛି, ତାହାରି ସ୍ରଷ୍ଠା, ସୃଷ୍ଟିକର୍ତ୍ତା ଆଜି ଆମ ମଧ୍ୟରେ ନହାଁନ୍ତି । ଦିନ ଥିଲା ଆମ ଗାଁକୁ କେହି ଆସିବାକୁ ଭୟ କରୁଥିଲା । ନା ବାଟ ଥିଲା ନା ହାଟ ଥିଲା । ଯାହାଙ୍କ ପରିକଳ୍ପନାରେ କେବଳ ଆମ ଗାଁ ନୁହେଁ ଭାରତ ବର୍ଷର ସବୁ ଗାଁର ଦୃଶ୍ୟ ବଦଳି ଯାଇଛି ।

ରାସ୍ତାଘାଟ ପକ୍କା ହୋଇ ଯାଇଛି ସେହି ମହାନ ଜନନାୟକଙ୍କର ବିୟୋଗରେ ନୀରବ ପ୍ରାର୍ଥନା କରିବା ସହିତ ସେହି ମହାନ ଆତ୍ମାର ସଦ୍ଗତି କାମନା କରିବା ପାଇଁ ଆମେ ଆମ ଗାଁର ପ୍ରଖ୍ୟାତ ଦେବତା ଜନେକେଶ୍ୱର ମହାଦେବଙ୍କ ନିକଟରେ ପ୍ରାର୍ଥନା କରିବା ।

ସେହି ମହାନ ଜନନାୟକ ହେଉଛନ୍ତି ଆମର ଅତିଆଦରର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଯାହାଙ୍କ ବିୟୋଗ ଓଡିଶାର ସାଧାରଣ ଜନତାଙ୍କ ହୃଦୟରେ ଶୂନ୍ୟସ୍ଥାନ ସୃଷ୍ଟି କରି ପାରିଛି । ଓଡିଶାର ଅଖ୍ୟାତ ପଲ୍ଲୀର ଲୋକମାନେ ମଧ୍ୟ ତାଙ୍କୁ ଝୁରି ହେଉଛନ୍ତି କ’ଣ ପାଇଁ ? କ’ଣ କରିଛନ୍ତି ସେ ଓଡିଶା ପାଇଁ, ଯାହାକୁ ଘିଗିଡିଆ ଗ୍ରାମବାସୀ କାହିଁକି, ସାରା ଓଡିଶାବାସୀ ଭୁଲି ପାରୁନାହାଁନ୍ତି?

ଓଡିଶାବାସୀଙ୍କ ପାଇଁ ତାଙ୍କ ଅବଦାନ କଣ ଥିଲା? ଅଗଷ୍ଟ ୧୫ତାରିଖ ଦିନ ଅପରାହ୍ଣରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଦେଖାଦେବାରୁ ତାଙ୍କୁ ଜୀବନ ରକ୍ଷାକାରୀ ବ୍ୟବସ୍ଥା ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟ ଲାଭ ପାଇଁ ସମଗ୍ର ଦେଶର କୋଟି କୋଟି ଜନତାଙ୍କ ବ୍ୟାକୁଳ ପ୍ରାର୍ଥନା ତଥା ଡାକ୍ତରମାନଙ୍କ ଆପ୍ରାଣ ଉଦ୍ୟମ ସତ୍ୱେ ଶ୍ରୀ ବାଜପେୟୀ ଏପାରିର ବନ୍ଧନ କାଟି ପରଲୋକ ଗମନ କରିଛନ୍ତି ।

ଯାହାଙ୍କର ଟିକିନିଖ୍ ଖବରକୁ ଗାଁ ଗହଳୀର ଲୋକମାନେ ମଧ୍ୟ ଅନାଇ ବସିଥିଲେ । ଯେତେବେଳେ ଦୁଃଖଦ ଖବର ମିଳିଲା ଶେଷରେ ସେମାନେ ଦୁଃଖରେ ଭାଙ୍ଗି ପଡିଥିଲେ । ଅର୍ଥର ଅଭାବ ରହିବ ନାହିଁ । ଏହି ଖଣ୍ଡବାକ୍ୟଟି ସର୍ବ ପ୍ରଥମେ ଓଡ଼ିଶା ମହାବାତ୍ୟା ପାଇଁ ଉଦ୍ଦିଷ୍ଟ ଥିଲା , ୧୯୯୯ ମହାବାତ୍ୟା ସମୟରେ ରାଜ୍ୟର ପୁନନିର୍ମାଣ ସନ୍ଦର୍ଭରେ ।

୧୯୯୯ ମହାବାତ୍ୟା ପରେ ଓଡ଼ିଶାବାସୀଙ୍କ ଦୁର୍ଦ୍ଦୀନରେ ବାଜପେୟୀଙ୍କ ସାହାଯ୍ୟ ଓ ସମର୍ଥନ ଅବିସ୍ମରଣୀୟ । ମହାବାତ୍ୟାରେ ପ୍ରଭାବିତ ଲୋକଙ୍କୁ ସ୍ୱତନ୍ତ୍ର ରିଲିଫ ସାମଗ୍ରୀ ପହଂଚାଇବା ଏବଂ ବାସହରା ମାନଙ୍କୁ ଯୁଦ୍ଧକାଳୀନ ଭିତିରେ ଘର ଯୋଗାଇବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମଙ୍ଗା ମହାବାତ୍ୟା ସମୟରେ ବାଜପେୟୀଙ୍କୁ ଫୋନ କରିଥିଲେ । ଆଉ ବାଜପେୟୀ କହିଥିଲେ ଆପଣ ଯାହା ଆବଶ୍ୟକ ସେ ବାବଦରେ ଟଙ୍କା ଖର୍ଚ୍ଚ କରନ୍ତୁ, ମୁଁ ସମସ୍ତ ବ୍ୟୟ ବହନ କରିବି ।

କେବଳ ସେତିକି ନୁହେଁ ଲକ୍ଷ୍ମଣନାଥ ନିକଟସ୍ଥ ଗୋବରଘାଟ ଘୂର୍ଣ୍ଣିଝଡ ବିପର୍ଯ୍ୟୟର ମୁକାବିଲା ଲାଗି ଯେଉଁଭଳି ଆଗ୍ରହ ଓ ଆନ୍ତରିକତା ଦେଖାଇଥିଲେ ତାହା ରାଜ୍ୟବାସୀଙ୍କ ଉପରେ ବ୍ୟାପକ ପ୍ରଭାବ ପକାଇଥିଲା । ଜଣେ ବିଶାଳ ହୃଦୟର ବ୍ୟକ୍ତି ଭାବେ ଓଡିଶାବାସୀଙ୍କ ଶ୍ରଦ୍ଧାଭାଜନ ହୋଇପାରିଥିଲେ ବାଜପେୟୀ ।

‘ରାଜ୍ୟର ବିକାଶ ପାଇଁ ଧନର ଅଭାବ ରହିବ ନାହିଁ ; ଏହା ଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ବାଜପେୟୀଙ୍କ ଓଡିଶା ପାଇଁ ଅକାଟ୍ୟ ବଚନ । ଓଡିଶାର ବିକାଶ କ୍ଷେତ୍ରରେ ସ୍ୱର୍ଗତଃ ବାଜପେୟୀ ଅବଦାନ ଅତୁଳନୀୟ । ରାଜ୍ୟର ଭୁବନେଶ୍ୱରରେ ଦେଶର ପ୍ରଥମ ଏମସ ଶାଖାର ଶୁଭାରମ୍ଭ ସ୍ୱର୍ଗତଃ ବାଜପେୟୀଙ୍କ କାର୍ଯ୍ୟକାଳ ସମୟରେ ହୋଇଥିଲା ।

ସେ ପାରାଦୀପକୁ ଓଡ଼ିଶା ଯୁବପିଢିଙ୍କ ପ୍ରଗତିର ଦୀପ କରିବା ଓ ଇଣ୍ଡିଆନ ଅଏଲ ତୈଳ ବିଶୋଧନାଗାର ପରିକଳ୍ପନା କରିଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ଆଜି ଗ୍ରାମାଂଚଳ ଗୁଡିକର ରାସ୍ତା ସହରର ମୁଖ୍ୟ ରାସ୍ତା ସହ ସଂଯୋଗ ହୋଇପାରିଛି । ସ୍ୱର୍ଗତଃ ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ବିକାଶ (ସ୍ୱର୍ଣ୍ଣ ଚତୁର୍ଭୁଜ) ଯୋଜନାରେ ଦେଶରେ ସବୁଠୁ ଅଧିକ ପ୍ରାଧାନ୍ୟ ଓଡ଼ିଶାକୁ ଦେଇଥିଲେ ।

ଓଡିଶାକୁ ଅଧିକ ଗୁରୁତ୍ୱ ଦେଇ ୧୬ ଶହକିମି ବିଶିଷ୍ଟ ରାଜମାର୍ଗକୁ ଦୁଇ ଗୁଣ କରି ୩୨ ଶହ କିମିରେ ପହଂଚାଇଥିଲେ । ଅନ୍ତୋଦୟ ଏବଂ ଅନ୍ନପୂର୍ଣ୍ଣା ଯୋଜନାରେ ଗରୀବଙ୍କ ପାଖରେ ଅନ୍ନ ପହଂଚାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ଯୋଗଦାନ ଅତୁଳନୀୟ । ଏହି ସମସ୍ତ ଅବଦାନକୁ ମନେ ପକାଉଛନ୍ତି ଓଡିଶାବାସୀ ।

ବାଜପେୟୀ ନିଜ ସମୟର ରାଜନେତାଙ୍କ ଠାରୁ ଅନେକ ଗୁଣରେ ଭିନ୍ନ ଥିଲେ । ରାଜନୀତିରେ ମୂଲ୍ୟବୋଧକୁ ଗୁରୁତ୍ୱ ଦେଉଥିଲେ ମଧ୍ୟ ତାଙ୍କର ନୀତି ଓ ଆଦର୍ଶ ଭିନ୍ନ ଥିଲା । ନିଜର ମଧୁର ଓ ଶାଳୀନତାପୂର୍ଣ୍ଣ ବ୍ୟବହାର ଦ୍ୱାରା ସେ ଯେଉଁ ସ୍ଥାନକୁ ପ୍ରବାସରେ ଯାଉଥିଲେ ସେଠାରେ ବନ୍ଧୁତ୍ୱର ଭାବ ସୃଷ୍ଟି କରୁଥିଲେ ।

ଏହିପରି ଜନଦରଦୀ ଓ ବନ୍ଧୁବତ୍ସଳ ବ୍ୟକ୍ତିର ସାନ୍ନିଧ୍ୟ ଲାଭ କରିଛନ୍ତି ଓଡିଶାବାସୀ । ବାଜପେୟୀ ଯେତେବେଳେ ୧୯୭୦-୭୧ରେ ଓଡିଶା ଆସି କଟକ ସର୍କିଟ ହାଉସରେ ମିଟିଙ୍ଗ କରିଥିଲେ ଏବଂ ଦୁଇଦିନ ସେ କଟକର ତଳତେଲେଙ୍ଗା ବଜାର ସ୍ଥିତ କ୍ଷେତ୍ରମୋହନ ସ୍ୱାଇଁ ଏବଂ କାଳୀଗଳିସ୍ଥିତ ଦୟାସାଗର ନନ୍ଦଙ୍କ ଘରେ ରାତ୍ରି ଯାପନ କରିବା ସହିତ ସେମାନଙ୍କ ଘରେ ଖାଦ୍ୟ ମଧ୍ୟ ଖାଇଥିଲେ ।

ତାଙ୍କ ସହିତ ବନ୍ଧୁତ୍ୱର ବନ୍ଧନରେ ଆବଦ୍ଧ ହୋଇ ଯାଇଥିଲେ ବୋଲି କ୍ଷେତ୍ରମୋହନଙ୍କ ପୁଅ ପ୍ରଦୀପ ଏ ବିଷୟରେ ଗଣମାଧ୍ୟମ ଆଗେରେ ପ୍ରକାଶ କରିଛନ୍ତି । କୌଣସି ସ୍ଥାନକୁ ଗଲାବେଳେ ଯଦି ଭୋକ ହେଉଥିଲା ବାଟରେ ପଡୁଥିବା କାର୍ଯ୍ୟକର୍ତ୍ତାଙ୍କ ଘରେ ଭୋଜନ କରିନେଉଥିଲେ ।

୧୯୮୪ ମସିହା ଡିସେମ୍ବର ୩ ତାରିଖରେ ଗଞ୍ଜାମ ଗସ୍ତରେ ଆସି ବ୍ରହ୍ମପୁର ସାଧାରଣ ସଭାରେ ଯୋଗଦେଇ ସଂଧ୍ୟାରେ ଭଂଜନଗର ଅଭିମୁଖେ ଯାତ୍ରା କରିଥିଲେ । ବାଟରେ ତାଙ୍କୁ ଭୋକ ହେବାରୁ ସେ ସାଥିରେ ଥିବା କାର୍ଯ୍ୟକର୍ତ୍ତା ନନ୍ଦ କିଶୋର ସାହୁଙ୍କୁ ଜଣାଇଥିଲେ ।

ଶ୍ରୀ ସାହୁ ବାଜପେୟୀଙ୍କ କଥାକୁ ନଟାଳି ହିଞ୍ଜିଳିରେ ଥିବା କାର୍ଯ୍ୟକର୍ତ୍ତା ଉଦୟ ପାଳଙ୍କ ଘରେ ଭୋଜନ ବ୍ୟବସ୍ଥା କରାଇଥିଲେ । ସେଠାରେ ସେ ଖୁବ୍ ଆନନ୍ଦର ସହିତ ଭୋଜନ କରିଥିଲେ । ସେ ମଧ୍ୟ ପୁରୀ ଆସି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ବେଳେ ଅବଢା ଖାଇବାକୁ ବହୁତ ଭଲ ପାଉଥିଲେ |

ସେ ଓଡିଶାକୁ ନିଜ ଅଞ୍ଚଳ ବୋଲି ଭାବୁଥିଲେ । ସେ ଅଞ୍ଚଳର ସଂସ୍କୃତି ଓ ପରମ୍ପରା ସହିତ ନିଜକୁ ସାମିଲ କରାଇ ନେଉଥିଲେ । ଫୁଲବାଣୀ ଗସ୍ତ ସମୟରେ ବାଲିଗୁଡା ଡାକବଙ୍ଗଳାରେ ବିଶ୍ରାମ ନେଉଥିବା ବେଳେ କାନରେ ପଡିଥିଲା ବନବାସୀ ସଂଗୀତ ଓ ବାଦ୍ୟର ସ୍ୱର । ସେ ବିଶ୍ରାମ ନେବେ କଣ, ସଙ୍ଗେ ସଙ୍ଗେ ଚାଲିଲେ ନାଚ ଓ ଗୀତ ହେଉଥିବା ସ୍ଥାନକୁ ।

ବାଜା ଓ ନାଚରେ ଆକର୍ଷିତ ହୋଇ ଧୀରେ ଧୀରେ ପାଦ ମିଶାଇ ନାଚିଥିଲେ ବନବାସୀ ଯୁବକ ଯୁତୀଙ୍କ ସହ । ସେ ସେମୟରେ ଏହା ବନବାସୀ ଅଞ୍ଚଳରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ସେ ଓଡିଶା ମାଟିରୁ ଆରମ୍ଭ କରିଥିଲେ ସମରସତାର ଆନ୍ଦୋଳନ । ଛୁଆଁ ଅଛୁଆଁର ଭେଦଭାବ ଦୁର କରିବା ପାଇଁ ଭଞ୍ଜନଗରର ମୁଡାଗଡ ଠାରେ ସୃଷ୍ଟି କରିଥିଲେ ଏକ ଅନନ୍ୟ ଉଦାହରଣ ।

ତାଙ୍କ ସଂଗଠନର କାର୍ଯ୍ୟକର୍ତ୍ତା ଶିବାନନ୍ଦ ତ୍ରିପାଠୀଙ୍କ ମତରେ ଭଞ୍ଜନଗର ରସଲକୁଣ୍ଡା ଠାରୁ କନ୍ଧମାଳ ଆସିବା ସମୟରେ ମୁଡାଗଡ ଠାରେ ବାଜପେୟୀଙ୍କ ଗାଡି ପମ୍ପଚର ହୋଇଥିଲା । ଏ ସମୟରେ ବାଜପେୟୀ ନକଟରେ ଥିବା ମନ୍ଦିରକୁ ଯାଇଥିଲେ ।

ମନ୍ଦିରକୁ ହରିଜନଙ୍କ ପ୍ରବେଶ ପାଇଁ ଅନୁମତି ଅଛି କି ନାହିଁ ବୋଲି ବାହାରେ ଥିବା ପୂଜକଙ୍କୁ ପଚାରିଥିଲେ ା ପୂଜକ ମନା କରିବା ପରେ ମନ୍ଦିର ଗେଟ ପାଖରୁ ବାଜପେୟୀ ଫେରି ଆସିଥିଲେ । ସେ ଯେଉଁ ଅଞ୍ଚଳକୁ ଯାଉଥିଲେ ସେ ସବୁ ସ୍ଥାନର ହାନି ଲାଭ ବୁଝୁଥିଲେ । ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝୁଥିଲେ ା

ନିର୍ବାଚନ ସମୟରେ ଓଡିଶାର ଯେଉଁ ସ୍ଥାନରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ସରକାରରେ ଆସିଲା ପରେ ପୁରଣ କରିଛନ୍ତି । ଯେପରି ୧୯୯୯ ମସିହା ନିର୍ବାଚନୀ ପ୍ରଚାର ବେଳେ ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର କୃଷିର ବିକାଶ ପାଇଁ ସେ କାନପୁର ବୃହତ୍ତ ଜଳସେଚନ ପ୍ରକଳ୍ପ
ନିର୍ମାଣ,ଗମନା ଗମନର ବିକାଶ, ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ ।

ସରକାରକୁ ଆସିଲା ପରେ କାନପୁର ଜଳପ୍ରକଳ୍ପ ପାଇଁ ମଞ୍ଜୁର ହୋଇଥିବା ୩୨୮ କୋଟି ଟଙ୍କାରୁ ୬୨୫ କୋଟି ଟଙ୍କାକୁ ବୃଦ୍ଧି କରିଥିଲେ । କେନ୍ଦୁଝର ଜିଲ୍ଲାର ଲାଇଫ ଲାଇନ ରୂପେ ପରିଚିତ ୨୧୫ ନମ୍ବର ଜାତୀୟ ରାଜପଥ ଓ କେନ୍ଦୁଝରକୁ ରେଳ ସଂଯୋଗୀକରଣ ତାଙ୍କ ଶାସନ କାଳରେ ହୋଇଛି । ଏହିପରି ଅନେକ ଛାପ ଛାଡିଦେଇ ଯାଇଛନ୍ତି ବାଜପେୟୀ ଓଡିଶାରେ ତାର ହିସାବ ନାହିଁ ।

୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରଙ୍କର ପତନ ମଧ୍ୟ ଓଡିଶା ଦାୟୀ ବୋଲି ସେ ସମୟରେ ଚର୍ଚ୍ଚା ହୋଇଥିଲା । ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ଗିରିଧାରୀ ଗମାଙ୍ଗ ଲୋକସଭା ସଦସ୍ୟ ରୂପେ କଂଗ୍ରେସ ଦଳର ନିର୍ଦ୍ଦେଶରେ ଦଳୀୟ ଶୃଙ୍ଖଳାମାନି ଆସ୍ଥା ଭୋଟ ବିପକ୍ଷରେ ଭୋଟ ଦେଇଥିଲେ ।

ସାମ୍ପ୍ରତିକ ଭାରତର ରାଜନୀତି ଭ୍ରଷ୍ଟାଚାର, ଦୁର୍ନୀତି, ଲୋଭ ଓ ଲାଳସାମୁକ୍ତ କରିବା ପାଇଁ ଯେଉଁ ମହାନାୟକ ଅଟଳ ପ୍ରତିଜ୍ଞା କରିଥିଲେ ସେହି ମହାନାୟକ ବିଭିନ୍ନ ସମୟରେ ଓଡିଶାର ସାଧୁସନ୍ଥଙ୍କର ମତାମତ ମଧ୍ୟ ଲୋଡୁଥିଲେ । ଅଯୋଧ୍ୟାରେ ଶ୍ରୀରାମ ଜନ୍ମ ଭୂମି ପ୍ରସଙ୍ଗରେ
ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ମତାମତ ମଧ୍ୟ ନେଇଥିଲେ ।

ଓଡିଶାରେ ବାଜପେୟୀଙ୍କ ବିଭିନ୍ନ ଘଟଣାକୁ ଆଲୋଚନା ଓ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ,ଓଡିଶା ପାଇଁ ତାଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଥିଲା | ରାଜନୈତିକ ତୋଫାନ ମଧ୍ୟରେ ଯେଉଁ ଦୀପ ସମସ୍ତଙ୍କୁ ଆଲୋକ ପ୍ରଦାନ କରୁଥିଲା ସେହି ପ୍ରଦୀପ ଲିଭିଗଲା । ସମଗ୍ର ଭାରତ ବର୍ଷ ତଥା ପୃଥିବୀକୁ ଆଲୋକିତ କରି ଚୌରାନବେ ବର୍ଷଧରି ଜଳୁଥିବା ଏହି ପ୍ରଦୀପ ଲିଭିଗଲା ।

କିନ୍ତୁ ଏହି ଦୀପ ଶିଖା ଲିଭିବାର ଦୃଶ୍ୟ ଅପୂର୍ବ ଓ ଅବର୍ଣ୍ଣନୀୟ । ସୀମିତ ସଳିତା ସଲଗ୍ନ ଆଲୋକର ଶିଖା ଲିଭିବା ସହିତ ପ୍ରସରି ଯାଉଛି ଦିଗବିଦିଗକୁ । ଦୀପର ଉଜ୍ଜ୍ୱଳ ଆଲୋକ ଲେଲିହାନଶିଖା ଟେକି ଆଚ୍ଛାଦିତ କରୁଛି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ! ଦୀପ ସିନା ଲିଭିଗଲା କିନ୍ତୁ ଏହି ଅନିର୍ବାଣ ଆଲୋକ ଶିଖାର ମୃତ୍ୟୁ ନାହିଁ ।

ସେ ଅଜୟ, ଅପରାଜିତ ଓ ମୃତ୍ୟୁଞ୍ଜୟ । ସେ କୋଟିଏ ଦୀପରୁ ଏବେ ସମସ୍ତ ବଶ୍ୱ ବ୍ରହ୍ମାଣ୍ଡକୁ ପରିବ୍ୟପ୍ତ । ପାର୍ଥବ ଶରୀରରେ ସେ ଅନୁପସ୍ଥିତ । ପଂଚଭୂତର ଶରୀର ପୁନଶ୍ଚ ପଂଚଭୂତରେ ବିଲୀନ କିନ୍ତୁ ଆମ ପ୍ରତ୍ୟେକଙ୍କ ଭିତରେ ସେ ଚିରଦେଦୀପ୍ୟମାନ ଓ ଅନୁଭବ୍ୟ ।

ଏକରୁ ସେ ଏବେ ସହସ୍ର କୋଟିରେ ବିଭକ୍ତ । ସୁକ୍ଷ୍ମ ଶରୀରରେ ସେ ଆମ ସମସ୍ତଙ୍କ ଭିତରେ ବିରାଜମାନ ସେହି ମହାନ୍ ଆତ୍ମାକୁ ଆମର କୋଟି କୋଟି ପ୍ରଣାମ ।

୩୫,ଏନ୍.ଏ.ସି ଫ୍ଲାଟ,ୟୁନିଟ-୩, ଖାରବେଳ ନଗର, ଭୁବନେଶ୍ୱର

ଫୋନ-୯୮୬୧୦୨୮୫୫୩

Filed Under: ମତାମତ Tagged With: ଓଡିଶାବାସୀ, କେନ୍ଦ୍ରାପଡ଼ା ଜିଲ୍ଲା, ବାଜପେୟୀ, ମହାନ ଜନନାୟକ

କାନ୍ଥ ଭୁଶୁଡ଼ି ମା’ ଓ ଝିଅ ମୃତ

July 8, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଜନଗର, ଜୁଲାଇ ୮(ଓଡ଼ିଶା ଡ଼ଟ୍ କମ୍) ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ପଡ଼ିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ସଦର ପାଞ୍ଚୟତ ଅନ୍ତର୍ଗତ ସାନଓର ଗ୍ରାମରେ ମା’ଓଝିଅଙ୍କର ମୃତ୍ୟୁ ହୋଇଛି ।

ସାନଓର ଗ୍ରାମର ଅକ୍ଷୟ ଦାସଙ୍କ ପରିବାର ଶୋଇଥିବାବେଳେ କାନ୍ଥ ପଡ଼ିଯିବାରୁ ତାଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଦିପ୍ତିମୟୀ ଗୁରୁତର ଆହତ ହୋଇଥିଲେ । ରାଜନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଦିପ୍ତିମୟୀଙ୍କ ମୃତ୍ୟୁ ହୋଇଛି ।

ଜିଲ୍ଳା ରେଡକ୍ରସ ପାଣ୍ଠିରୁ ଉକ୍ତ ପରିବାରକୁ ପାଞ୍ଚ ହଜାର ଟଙ୍କା ସହାୟତା ପ୍ରାଦନ କରାଯାଇଛି । ଅକ୍ଷୟ ଗରିବ ଚାଷୀ ହୋଇଥିବାରୁ ତାଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା ଜିଲ୍ଲା, ରାଜନଗର

ବ୍ରିଟିଶ ନାଗରିକଙ୍କ ସ୍ମୃତିରେ ସ୍କୁଲ ନିର୍ମାଣ କଲେ ଓଡ଼ିଆ

February 25, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଫେବୃୟାରୀ ୨୫(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୩୦ କିମି ଦୂରରେ ଜଣେ ବ୍ରିଟିଶ ନାକରିକଙ୍କ ସ୍ମୃତିରେ ତାଙ୍କର ଘନିଷ୍ଟ ବନ୍ଧୁ ଏକ ସ୍କୁଲ ନିର୍ମାଣ କରିଛନ୍ତି ।

ଇଂଲଣ୍ଡର ଡ଼େରିକ୍ ମୋର୍ଙ୍କ ସ୍ମୃତିରେ ନାନପୁରରେ ତିଆରି ହୋଇଥିବା ଏହି ସ୍କୁଲକୁ ଗତ ବୁଧବାର ବିଶିଷ୍ଟ ଲେଖକ ତଥା କଳାକାର ପ୍ରଫୁଲ୍ଲ ମହାନ୍ତି ଉ୍ଘାଟନ କରିଛନ୍ତି ।

ମାଇ ଭିଲେଜ, ମାଇ ଲାଇଫ, ଇଣ୍ଡିଆନ ଭିଲେଜ ଟେଲସ୍ ଆଦି ପୁସ୍ତକର ଲେଖକ ମହାନ୍ତି ଲଣ୍ଡନର ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ଆଇନଜୀବୀ ବନ୍ଧୁ ଡ଼େରିକ୍ଙ୍କ ସହ ସବୁବେଳେ ନିଜ ଗ୍ରାମ ନାନପୁରକୁ ଆସୁଥିଲେ ।

ବମ୍ବେରେ ସ୍ଥାପତ୍ୟ କଳାରେ ଡ଼ିଗ୍ରୀ ହାସଲ କରିବା ପରେ ସେ ୧୯୬୦ରେ ଇଂଲଣ୍ଡ ଯାଇଥିଲେ ଏବଂ ୧୯୬୪ରେ ଟାଉନ ପ୍ଲାନିଂରେ ଡ଼ିପ୍ଲୋମା ହାସଲ କରିଥିଲେ । ଏହି ସମୟରେ ସେ ସେଠାରେ ଏକ କଳା ଓ ପେଟିଂ ପ୍ରଦର୍ଶନୀ କରିଥିଲେ ଏବଂ ମୋର୍ଙ୍କ ସହ ତାଙ୍କର ସାକ୍ଷାତ ହୋଇଥଲା ।

ସେହିିନ ଠାରୁ ପ୍ରାୟ ସୁବୁବେଳେ ଉଭୟେ ଏକାଠି ନାନପୁରକୁ ଯିବା ଆସିବା କରନ୍ତି ।

“”ଗତ ବର୍ଷ ଡ଼େରିକ୍ ଇଂଲଣ୍ଡରେ ଅସୁସ୍ଥ ଥିବାରୁ ମୁଁ ଏକାକୀ ଗାଁକୁ ଆସିଥିଲା । କିନ୍ତୁ ଅସୁସ୍ଥ ଡ଼େରିକ୍ ଓଡ଼ିଶାରେ ମୃତ୍ୟୁବରଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଓ ଡ଼ିସେମ୍ବର ୧୮ରେ ନାନପୁର ଆସିଥିଲେ । ପରେ ଗତ ଫେବୃୟାରୀ ୧୫ରେ ଭୁବନେଶ୍ୱରରେ ଏକ ଘରୋଇ ଡ଼ାକ୍ତରଖାନାରେ ୮୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା” ମହାନ୍ତି କହିଛନ୍ତି ।

“”ଗାଁରେ ଘର ପାଖରେ ତାଙ୍କ ସମାଧି କରାଯାଇଛି । ସେ ସବୁବେଳେ ଓଡ଼ିଶା ତଥା ଗ୍ରାମାଂଚଳର ଲୋକ ମାନଙ୍କ ବିକାଶ ପାଇଁ ଭାବୁଥିଲେ, ତେଣୁ ତାଙ୍କର ସ୍ମୃତିରେ ଏହି ସ୍କୁଲ ତିଆରି କରିବାକୁ ଚିନ୍ତା କରିଥିଲି । ମୋ ଗାଁ ତାଙ୍କରଦ୍ୱିତୀୟ ଘର ଥିଲା” ସେ କହିଛନ୍ତି

ଉକ୍ତ ସ୍କୁଲ ଖୋଲିବା ପାଇଁ ପ୍ରଫୁଲ୍ଲ ନିକଟରେ ଇଂଲଣ୍ଡରୁ ଗାଁକୁ ଆସିଥିଲେ । ପିଲାମାନେ ଏହି ସ୍କୁଲରେ କଳା, ସଂସ୍କୃତି, ଚିକ୍ରକଳା ଆଦି ବିଷୟରେ ଶିକ୍ଷାଲାଭ କରିପାରିବେ । ଏହାବ୍ୟତୀତ ସେମାନଙ୍କ ଶିଖିବା ପାଇଁ ଚାରୋଟି କମ୍ପ୍ୟୁଟର ମଧ୍ୟ ସ୍କୁଲକୁ ଦେଇଛି ବୋଲି କହନ୍ତି ପ୍ରଫୁଲ୍ଲ ।

ଆମ ରାଜ୍ୟର କଳା ଓ ସଂସ୍କୃତିର ବିକାଶ ପାଇଁ ସେ ସବୁବେଳେ ଭାବୁଥିଲେ ତେଣୁ ଏହି ସ୍କୁଲ ନିର୍ମାଣ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି ଗ୍ରାମବାସୀ ସନ୍ତୋଷ ମହାନ୍ତି କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା ଜିଲ୍ଲା, ବ୍ରିଟିଶ ନାକରିକ

ଅଗ୍ନିକାଣ୍ଡରେ ମହିଳା ଜୀବନ୍ତ ଦଗ୍ଧ

February 22, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଫେବୃୟାରୀ ୨୨(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ଜିଲ୍ଲା ସର ଥାନା ଅନ୍ତର୍ଗତ ଗରାପୁର ଗ୍ରାମରେ ଅଗ୍ନିକାଣ୍ଡରେ ଜଣେ ବିବାହିତା ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଥିବା ପୋଲିସ କହିଛି ।

ସୋମବାର ରାତିରେ ହୋଇଥିବା ଏହି ଅଗ୍ନିକାଣ୍ଡରେ ତିନି ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ମୃତ ସୁପ୍ରଭା ତ୍ରିପାଠୀ ଉକ୍ତ ଗ୍ରାମର ମନ ପତ୍ରିଙ୍କ ଦ୍ୱିତୀୟ ପତ୍ନୀ ।

ସୁପ୍ରଭାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିବା ପରେ ଘରେ ନିଅାଁ ଲଗାଇ ଦେଇଥିବା ସୁପ୍ରଭାଙ୍କ ପିତା ଗୌରାଙ୍ଗ ତ୍ରିପାଠୀ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଅଗ୍ନିକାଣ୍ଡ, କେନ୍ଦ୍ରାପଡ଼ା ଜିଲ୍ଲା

ଗହୀରମଥାରୁ ସାତ ଫୁଟ୍ ଲମ୍ବ ମୃତ ଡ଼ଲ୍ଫିନ୍ ଉଦ୍ଧାର

February 5, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଫେବୃୟାରୀ ୫(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥାରୁ ରବିବାର ଏକ ସାତ ଫୁଟ୍ ଲମ୍ବ ବିଶିଷ୍ଟ ମୃତ ଡ଼ଲ୍ଫିନ୍ ଉଦ୍ଧାର କରାଯାଇଛି ।

ଗଭୀର ସମୁଦ୍ରରେ ଡ଼ଲ୍ଫିନ୍ଟି କୌଣସି ଜାହାଜ ସହ ପିଟି ହୋଇ ମୃତ୍ୟୁବରଣ କରିବା ପରେ ଭାସିଆସି କୂଳରେ ଲାଗିଛି, ଏହା ସାଧାରଣ ଭାବରେ ବଙ୍ଗୋପ ସାଗରରେ ଦେଖାଯାଆନ୍ତି ବୋଲି ରାଜନଗର ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ।

ସମ୍ରୁରେ ଇଣ୍ଡୋ-ପେସିଫିକ୍ ହମ୍ପବେକ୍ ଡ଼ଲ୍ଫିନ୍, ସାଧାରଣ ଡ଼ଲ୍ଫିନ୍, ସ୍ପିନର ଡ଼ଲ୍ଫିନ୍ ଏବଂ ବୋତଲ ନୋଜ ଡ଼ଲ୍ଫିନ୍ ଖୋଯାଉଥିବା ବେଳେ ଇରାୱାଡ଼ି ଡ଼ଲ୍ଫିନ୍ କେବଳ ଚିଲିକାରେ ଖୋଯାଆନ୍ତି ।

ହମ୍ପବେକ୍ ଏବଂ ବୋତଲ ଡ଼ଲ୍ଫିନ୍ ବର୍ତମାନ ମହାନୀ, ଗହୀରମଥା ଏବଂ ଜଟାଧାରୀ ମୁହାଣରେ ଦେଖିବାକୁ ମିଳୁଛି ।

ଟ୍ରଲରରେ ପିଟିହୋଇ ଏବଂ ଅନ୍ୟାନ୍ୟ ଜାଲରେ ଭୁଲବଶତଃ ଧରାପଡ଼ି ପ୍ରତିବର୍ଷ କେତେକ ଡ଼ଲ୍ଫିନ୍ ମୃତ୍ୟୁ ମୁଖରେ ପଡ଼ୁଛନ୍ତି, ଚିଲିକାରେ ଡ଼ଲ୍ଫିନ୍ଙ୍କ ବିଷୟରେ ଅଧ୍ୟୟନ କରୁଥିବା ମୁନ୍ତାଜ ଖାନ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା ଜିଲ୍ଲା, ଗହୀରମଥା, ଡ଼ଲ୍ଫିନ୍

ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

January 27, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଜାନୁୟାରୀ ୨୭(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତଆମ୍ବେରୀ ଗାଁ ରାସ୍ତା କଡ଼ରୁ ଶୁକ୍ରବାର ସ୍ଥାନୀୟ ଲୋକମାନେ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାରକରିଥିବା ପୋଲିସ କହିଛି ।

ଉଦ୍ଧାର ହୋଇଥିବା ଶିଶୁକୁ ଜିଲ୍ଲା ସରକାରୀ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ଏବଂ ତା’ର ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଛି ବୋଲି ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ କହିଛନ୍ତି । ତା’ର ପିତା ମାତାଙ୍କୁ ଠାବ କରିବା ପାଇଁ ପୋଲିସ ଚେଷ୍ଟା ଜାରିରଖିଛି, ସେ କହିଛନ୍ତି ।

ସକାଳେ ଏକ ବୁଦାମୂଳରେ ଶିଶୁଟି କାନ୍ଦୁଥିବା ବେଳେ କେତେକ ଗ୍ରାମବାସୀ ଏହା ଶୁଣି ତାପାଖକୁ ଯାଇଥିଲେ, ଖାିଆନ୍ତ ପଂଚାୟତ ସରପଂଚ କଳାକାର ପ୍ରଧାନ କହିଛନ୍ତି ।

ଶିଶୁଟି କେତେ ସମୟ ଧରି ରାସ୍ତାରେ ପଡ଼ିରହିଥିଲା ସେସଂପର୍କରେ କିଛି ଜଣାପଡ଼ିନାହିଁ । ତେବେ ତା’ ଦେହରେ ନାଭିନାଡ଼ ଲାଗିରହିଛି ।

ତା’କୁ କେତେକ ଗ୍ରାମବାସୀ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଆଇନ ଅନୁଯାୟୀ ବର୍ତମାନ ଜିଲ୍ଲା ଶିଶୁ ବିକାଶ କମିଟି ତାର ଦାୟିତ୍ୱ ନେଇଥିବା ବେଳେ କୋରୁଆ ଗ୍ରାମର ଏକ ଅନାଥାଶ୍ରମକୁ ଯତ୍ନ ନେବାକୁ କୁହାଯାଇଛି ।

ପୂର୍ବରୁ ଗତ ନଭେମ୍ବରରେ କଟକ ରେଳ ଷ୍ଟେସନ ନିକଟରୁ ଏକ କାର୍ଟୁନ ମଧ୍ୟରୁଦୁଇଟି ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଥିବା ବେଳେ ଏହାର ଦୁଇଦିନ ପରେ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ନିକଟରୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା ଜିଲ୍ଲା, ପଟ୍ଟାମୁଣ୍ଡାଇ

ଯଜ୍ଞ ସ୍ଥଳରେ ଳାଚକଟା, ୬୦ରୁ ଉଦ୍ଧ୍ୱର୍ ଆହତ

January 24, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଜାନୁୟାରୀ ୨୪(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ଜିଲ୍ଲା ବାଲିପାଟଣା ଗ୍ରାମରେ ଥିବା ମାଁ ମୋହିନୀ ଦେବୀ ମନ୍ଦିରରେ ଯଜ୍ଞ ଚାଲିଥିବା ବେଳେ ଳାଚକଟା ହୋଇ ପ୍ରାୟ ୬୦ ଜଣ ଲୋକ ଆହତ ହୋଇଥିବା ପୋଲିସ ମଙ୍ଗଳବାର କହିଛି ।

ସୋମବାର ରାତିରେ ଭକ୍ତମାନେ ଯଜ୍ଞକୁଣ୍ଡରେ ଘିଅ ଢାଳୁଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଭୟରେ ଭକ୍ତମାନେ ଦୌଡ଼ଦୌଡ଼ି ହୋଇଥିଲେ ଏବଂ ଏଥିରେ ଅନେକ ଆହତ ହୋଇଥିଲେ, ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ମୃତୁଞ୍ଜୟ ସ୍ୱାଇଁ ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ଗତ ତିନିଦିନ ଧରି ଚାଲିଥିବା ଏହି ବାର୍ଷିକ ଯଜ୍ଞ ସୋମବାର ରାତି ଶେଷ ହୋଇଥିବାରୁ ପ୍ରାୟ ପାଂଚ ହଜାରରୁ ଉଦ୍ଧ୍ୱର୍ ଭକ୍ତ ମନ୍ଦିରରେ ଥିଲେ ।

ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଥିବା ବେଳେ ୨୫ ଜଣଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ଗୁରୁତର ଆହତ ଜଣେ ଶିଶୁଙ୍କ ସମେତ ଛଅ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଗତ ବର୍ଷ ଆୟୋଜକଙ୍କ ପକ୍ଷରୁ ୧୧ ମିଟର ଉଚ୍ଚତାର ଯଜ୍ଞ ମଣ୍ଡପ କରାଯାଇଥିବା ବେଳେ ଚଳିତ ବର୍ଷ ମାତ୍ର ଛଅ ମିଟର ଉଚ୍ଚତାରେ ଏହା କରାଯାଇଥିଲା, ତେଣୁ ସେଥିରେ ନିଅାଁ ଲାଗିଯାଇ ଏଭଳି ପରିସ୍ଥିତି ହୋଇଥିବା ଗ୍ରାମବାସୀମାନେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା ଜିଲ୍ଲା, ଯଜ୍ଞ

ଘୂର୍ଣ୍ଣିଝଡ଼ରେ ବ୍ୟାପକ ଫସଲ ନଷ୍ଟ, ୧ ମୃତ

January 7, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଜାନୁୟାରୀ ୭(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ଜିଲ୍ଲାରେ ଶନବିାର ଘୂର୍ଣ୍ଣିଝଡ଼ ହୋଇ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି ।

ରାଜନଗର ବ୍ଲକ ଅର୍ନ୍ତଗତ ଏଣ୍ଡୁଳାପୁର, ଧାନିଆ, ତରପା, ଡ଼େରା ଆଦି ଗ୍ରାମରେ ଅପରାହ୍ନରେ ହଠାତ୍ ଘୂର୍ଣ୍ଣିଝଡ଼ ସହ ବର୍ଷା ଓ ପବନ ହୋଇଥିଲା ।

ଏଣ୍ଡୁଳାପୁରରେ ଦଶରୁ ଉଦ୍ଧ୍ୱର୍ ଘର ଭାଙ୍ଗି ଯାଇଥିବା ବେଳେ ଧାନ ଗଦା ଗୁଡ଼ିକ ନଷ୍ଟ ହୋଇଯାଇଛି । ଏହି ସମୟରେ ବଜ୍ରପାତ ଯୋଗୁଁ ତରପା ଗ୍ରାମର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।

ଘୂର୍ଣ୍ଣିଝଡ଼ ଯୋଗୁଁ ଧାନିଆ ଗାଁର ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ସେହିପରି ଡ଼େରା ଗ୍ରାମରେ ବଜ୍ରପାତରେ ଧାନ ଗଡ଼ା ପୋଡ଼ି ନଷ୍ଟ ହୋଇଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା ଜିଲ୍ଲା, ଫସଲ

ଭିତରକନିକାରୁ କୁମ୍ଭୀର ମୃତଦେହ ଉଦ୍ଧାର

December 21, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା,ଡ଼ିସେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଅଭୟାରଣ୍ୟରୁ ଏକ ଦଶଫୁଟ ଲମ୍ବ ବିଶିଷ୍ଟ ଲୁଣିପାଣି ମାଇ କୁମ୍ଭୀରର ମୃତଦେହ ବୁଧବାର ଉଦ୍ଧାର କରାଯାଇଛି ।

ଜରିମୁଳା ଗ୍ରାମ ନିକଟସ୍ଥ ହଂସୁଆ ନଦୀରୁ କୁମ୍ଭୀରକୁ ଉଦ୍ଧାର କରାଯାଇଛି । ଗତଦୁଇବର୍ଷ ମଧ୍ୟରେ ଏଭଳି ଅସ୍ୱାଭାବିକ ଭାବେ କୁମ୍ଭୀରଙ୍କ ମୃତଦେହ ଉଦ୍ଧାର କରାଯିବା ଘଟଣା ବନ ବିଭାଗ ଅଧିକାରୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

“”କୁମ୍ଭୀରଟି ମାଛ ଧରିବା ଜାଲରେ ଛନ୍ଦି ହୋଇଯାଇ ପରେ ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିଥିବ”ଭିତରକନିକା ଜାତୀୟ ଉଦ୍ୟାନର ଜଙ୍ଗଲ ଅଧିକାରୀ ବିନୋଦ ଆଚାର୍ଯ୍ୟ ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

“”ଏକ କୁମ୍ଭୀରକୁ ଆକ୍ରମଣ କରିବା ଗ୍ରାମବାସୀଙ୍କ ପଦକ୍ଷେପ ଦଣ୍ଡନୀୟ କାର୍ଯ୍ୟ ଅଟେ । କାରଣ ବନ୍ୟଜନ୍ତୁସଂରକ୍ଷଣ ଆଇନ-୧୯୭୨ ଅନୁଯାୟୀ କୁମ୍ଭୀର ଏକ ସଂରକ୍ଷିତ ପ୍ରାଣୀ । ଏହି ସରିସୃପର ମୃତ୍ୟୁର କାରଣଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛୁ ”ସେ କହିଛନ୍ତି ।

“”ବନ ବିଭାଗ କର୍ମଚାରୀମାନେ ନଦୀରେ ଭାସୁଥିବା କୁମ୍ଭୀରର ମୃତଦେହକୁ ଉଦ୍ଧାର କରି ରାଜନଗର ଠାରେ ଥିବା ପଶୁ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି”ଆଚାର୍ଯ୍ୟ କହିଛନ୍ତି ।

ଏହାକୁ ମିଶାଇ ଗତଦୁଇବର୍ଷ ମଧ୍ୟରେ ୧୧ଟି ମୃତଦେହ ଉଦ୍ଧାର କରାଯାଇଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: କୁମ୍ଭୀର, କେନ୍ଦ୍ରାପଡ଼ା ଜିଲ୍ଲା

ଦୂଷିତ ପାଣି ଯୋଗୁଁ ୪୦ ଛାତ୍ରଛାତ୍ରୀ ଅସୁସ୍ଥ

December 18, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଡ଼ିସେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍)ଦୂଷିତ ପାଣି ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଏକ ଆଦିବାସୀ ଅବାସିକ ସ୍କୁଲର ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି ।

ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସ୍ଥିତ ସ୍କୁଲର ଏହି ଛାତ୍ରଛାତ୍ରୀ ମାନେ ଶନିବାର ସଂଧ୍ୟାରେ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ସରକାରୀ ଡ଼ାକ୍ତରଖରାନାରେ ଭର୍ତି କରାଯାଇଛି ।

ତେବେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକ ଦଳ ସ୍କୁଲକୁ ଯାଇ କେତେକ ଛାତ୍ରଛାତ୍ରୀଙ୍କ ରକ୍ତ ନମୂନା ସଂଗ୍ରହ
କରିଥିବା ବେଳେ ଦୂଷିତ ପାଣି ଯୋଗୁଁ ଏଭଳି ପରିସ୍ଥିତି ହୋଇଥିବା ସେମାନେ କହିଛନ୍ତି ।

ଅସୁସ୍ଥ ଛାତ୍ରଛାତ୍ରୀ ମାନଙ୍କୁ ଡ଼ାକ୍ତରଖାନାରେ ଚିକିତ୍ସା କରାଯାଉଛି ଏବଂ ସେମାନଙ୍କ ଅବସ୍ଥା ଠିକ୍ ଅଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବି.କେ.ସାହୁ କହିଛନ୍ତି । ଅସୁସ୍ଥଙ୍କ ମଧ୍ୟରୁ କେତେକଙ୍କ ବାନ୍ତି ହେଉଥିବାରୁ ସେମାନଙ୍କୁ ଚିକିତ୍ସା କରାଯାଉଥିବା କହିଛନ୍ତି ।

ଏହି ସ୍କୁଲର ଛାତ୍ରଛାତ୍ରୀମାନେ ଋତୁ ଜନିକ ଅସୁସ୍ଥତାର ଶିକାର ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ
ଅଧିକାଂଶଙ୍କର ତରଳ ଝାଡ଼ା ଜନିତ ସମସ୍ୟା ରହିଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା ଜିଲ୍ଲା, ଦୂଷିତ ପାଣି

  • Go to page 1
  • Go to page 2
  • Go to Next Page »

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା