• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଗଞ୍ଜାମ

ଅବିଭକ୍ତ ଗଞ୍ଜାମର ଲୁପ୍ତପ୍ରାୟ ଭିତ୍ତି ଚିତ୍ର ସମ୍ପର୍କରେ କେତେକ ତଥ୍ୟ

November 16, 2017 by ଓଡିଶା ଡଟ କମ 1 Comment

ଭିତ୍ତି ଚିତ୍ର
ବିଘ୍ନେଶ୍ୱର ସାହୁ

ଗଞ୍ଜାମର ସାହିତ୍ୟ, ସଙ୍ଗୀତ, କଳା ଓ ସଂସ୍କୃତି ଭଳି ବିଭବ ପାଇଁ ଓଡ଼ିଶା ଯୁଗେ ଯୁଗେ ଗୌରବାନ୍ୱିତ । ଗଞ୍ଜାମ ଭୂମିର ଭିତ୍ତି ଚିତ୍ରରେ ପରମ୍ପରା ସମାଜ ତଥା ମନୁଷ୍ୟର ଧର୍ମ ଜୀବନ ଉପରେ ପକାଇଥିବା ପ୍ରଭାବକୁ ଆଲୋଚନାର ବଳୟ ମଧ୍ୟରୁ ବାଦ୍ ଦିଆଯାଇ ନପାରେ ।

ଭିତ୍ତି ଚିତ୍ରର ପରିଭାଷା ହେଉଛି କାନ୍ଥଚିତ୍ର । ଏହି କାନ୍ଥଚିତ୍ର ପାଇଁ ଯେଉଁ ଭୂମି ପ୍ରସ୍ତୁତ କରାଯାଏ, ତାହା ସ୍ଥଳ ବିଶେଷରେ ଭିନ୍ନ ଭିନ୍ନ!

ଅବିଭକ୍ତ ଗଞ୍ଜାମଜିଲ୍ଳାର ବିଭିନ୍ନ ଇଲାକାରେ ଭିତ୍ତି ଚିତ୍ର ବା କାନ୍ଥଚିତ୍ରର ଇତିହାସ ଓ ପରମ୍ପରାକୁ ଦେଖିବା । ରାଜାଶାସନ ସମୟରେ ରାଜାନୁଗ୍ରହରେ ବିଭିନ୍ନ ଜନବହୁଳ ଅଞ୍ଚଳରେ ବୈଷ୍ଣବ ଓ ଶାକ୍ତ ତଥା ଶୈବ ପରମ୍ପରାଭିତ୍ତି କ ମନ୍ଦିରମାନ ଗଢ଼ି ଉଠିଥିଲା ।

ଗଞ୍ଜାମର ବୁଗୁଡ଼ାସ୍ଥ ବିରଞ୍ଚିନାରାୟଣ ମନ୍ଦିର ଅଥବା ଚିକିଟିଗଡ଼ର ରାଧାକାନ୍ତ ମନ୍ଦିର, ଦିଗପହଣ୍ଡିର ରାଧାକୃଷ୍ଣ ମନ୍ଦିର, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ରାଜମହଲ ସମ୍ମୁଖ ବଡ଼ରାଧାକାନ୍ତ ମଠ, ରସିକରାଜ ମଠ (ଯାହାକି ଆପନ୍ନାପରିଚ୍ଛା ମଠ ଭାବେ ପରିଚିତ), ପାରଳା ରାଜମହଲ ଭିତର ଦରବାରରେ ଥିବା କାନ୍ଥ ଚିତ୍ର ଏବଂ ମେଳିଆପୁଟି (ଆନ୍ଧ୍ରପ୍ରଦେଶ) ସ୍ଥିତ ରାଧାକୃଷ୍ଣ ମନ୍ଦିର ବେଢ଼ାରେ ଥିବା ଭିତ୍ତି ଚିତ୍ରଗୁଡ଼ିକ ବେଶ୍ ମନୋମୁଗ୍ଧକର ତଥା ଇତିହାସର ସ୍ୱାକ୍ଷର ବହନ କରେ ।

ଏବେ ଅବଶ୍ୟ ପାରଳାର ବର୍ତମାନର ରାଜ ଉତରାଧିକାରୀଙ୍କ ମନୋନୀତ ଜଣେ ତତ୍ୱାବଧାରକଙ୍କ ଅଦୂରଦର୍ଶିତା ତଥା ସ୍ୱୈରାଚାରିତା ଯୋଗୁଁ ପ୍ୟାଲେସ (ମହଲ) ଭିତର ମୂଲ୍ୟବାନ କାନ୍ଥଚିତ୍ରରେ ଚୂନ ବୋଳି ଦିଆଯାଇଛି ।

ଭିତ୍ତି ଚିତ୍ର ଦୀର୍ଘ ଶହଶହ ବର୍ଷର କାନ୍ଥ ଚିତ୍ରଗୁଡ଼ିକ ଅନାବଶ୍ୟକ ମନେକରି ସେ ମଧ୍ୟରେ ଥିବା ଏକ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟକାରିତାରେ ବାଧା ଦେଇ ଜବରଦସ୍ତ ଭିତ୍ତି ଚିତ୍ରଗୁଡ଼ିକୁ ଲିଭାଇଦେବା ଏକ ଗର୍ହିତ କଥା ବୋଲି ପାରଳାର ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରନ୍ତି।

ସେହିପରି ପାରଳା ରାଜପ୍ରାସାଦ ସମ୍ମୁଖସ୍ଥ ବଡ଼ରାଧାକାନ୍ତ ମଠ କାନ୍ଥରେ ବର୍ତମାନର ପରିଚାରକଙ୍କ ବୁଦ୍ଧିହୀନତା ଯୋଗୁଁ ତିନିଶହ ବର୍ଷରୁ ଊଦ୍ଧ୍ୱର୍ କାନ୍ଥ ଚିତ୍ରକୁ ମନ୍ଦିର ନବୀକରଣ ନାଁରେ ଏନାମେଲ ପେଂଟ୍ସ୍ ବୋଳି ଦିଆଯାଇଛି ।ଭିତ୍ତି ଚିତ୍ର

ଫଳରେ ଶହ ଶହ ବର୍ଷର ଐତିହ୍ୟ ଓ ଗୌରବ ବହନ କରୁଥିବା ପଟ୍ଟଚିତ୍ର ବା ଭିତ୍ତି ଚିତ୍ରଗୁଡ଼ିକ ଅକାରଣରେ ସମାଧି ନେଇଯାଇଛି ।

ଦେଖିବାକୁ ଗଲେ, ମନ୍ଦିର କାନ୍ଥରେ ଭିତ୍ତି ଚିତ୍ରର ପରମ୍ପରା ଗଞ୍ଜାମରେ ହିଁ ଚଳିଆସିଛି । ଅଜନ୍ତା, ଏଲୋରା ଗୁମ୍ଫାରେ ଯେପରି ଦୀର୍ଘବର୍ଷରୁ ଭିତ୍ତି ଚିତ୍ର ସବୁ ରହି ଆସିଛି, ଗଞ୍ଜାମର ବିଭିନ୍ନ ମନ୍ଦିର, ବିଶେଷ କରି ମଠ ସହ ସଂଲଗ୍ନ ମନ୍ଦିରଗୁଡ଼ିକରେ ଏସବୁର ବହୁଳତା ଦେଖିବାକୁ ମିଳେ । ଭିତ୍ତି ଚିତ୍ର

ପ୍ରତ୍ୟେକ ଅଂଚଳରେ(ରାଜା ଅଥବା ଜମିଦାରଶାସିତ ଇଲାକା)ସେଠାକାର ଶାସକବର୍ଗ ଏସବୁର ପୃଷ୍ଠପୋଷକତା କରୁଥିବା ଏଗୁଡ଼ିକୁ ଅନୁଧ୍ୟାନ କଲେ ଜଣାଯାଏ ।

ବୁଗୁଡ଼ାସ୍ଥ ବିରଂଚିନାରାୟଣ ମନ୍ଦିରକୁ କାଠର କୋଣାର୍କ ଭାବେ ମଧ୍ୟ ଅଭିହିତ କରାଯାଏ । କାରଣ କାଠର ଖୋଦେଇ ଏତେ କାରୁକାର୍ଯ୍ୟପୂର୍ଣ୍ଣ ହୋଇଛି ଯେ କୋଣାର୍କର ପ୍ରସ୍ତର କାରୁକାର୍ଯ୍ୟ ସମ ଏହାକୁ ତୁଳନା କରାଯାଏ ।

ଏହି ମନ୍ଦିରରେ ପେଡ଼ାଚୁନର ପ୍ରସ୍ତୁତ କାନ୍ଥଉପରେ ରନ୍ଧାସିପର ପ୍ରଲେପ ନିଆଯାଇଛି । ଏହି ପ୍ରଲେପ ରସ ସହିତ ବେଲ ଅଠାର ମିଶ୍ରଣରେ ପୁନର୍ବାର ପତଳା ପ୍ରଲେପ ଦିଆଯାଇ ଘଷାପଥରରେ ଘଷି ଭୂମି ପ୍ରସ୍ତୁତ କରାଯାଇଛି ।

ଏହାକୁ ଭିତ୍ତି ଚିତ୍ର ପଦ୍ଧତିରେ ‘ଡ୍ରାଇପ୍ରସେସ୍’ କୁହାଯାଏ । ସଦ୍ୟ ପ୍ରସ୍ତୁତ ଭିଜାଚୁନ କାନ୍ଥରେ ରଙ୍ଗଦେଇ ଅଙ୍କାଯିବା ଭିତ୍ତି ଚିତ୍ରକୁ ‘ୱେଟ୍ପ୍ରସେସ୍’କୁହାଯାଏ । ଅନ୍ୟ ଏକ ଜୟପୁରୀ ଫ୍ରେସ୍କୋପ୍ରସେସ୍ ମଧ୍ୟ ଅଛି । ବିରଂଚିନାରାୟଣ ମନ୍ଦିରର ଚିତ୍ରଭୂମିଠାରୁ ଅଜନ୍ତା ଭୂମିର ପ୍ରସ୍ତୁତି ପ୍ରଣାଳୀ ଭିନ୍ନ ଅଟେ ।ଭିତ୍ତି ଚିତ୍ର

ଅଜନ୍ତାର ପଥର କାନ୍ଥଉପରେ ଉଈମାଟି, ଚଷୁ, ଶୁଖିଲା ଗୋବରଗୁଣ୍ଡ, ଝୋଟ ଓ ମେଥିପାଣିକୁ ଏକାଠି ପଚାଇ କାନ୍ଥରେ ପଲସ୍ତରା କଲାପରେ ଖଣି ରଙ୍ଗର ପ୍ରଲେପ ଦେଇ ଭୂମି ପ୍ରସ୍ତୁତ କରାଯାଏ ।

ଏହି ମନ୍ଦିରର ଚିତ୍ରଭୂମିର ପ୍ରସ୍ତୁତିକରଣ ପରେ ଅଙ୍କନ ଓ ରଙ୍ଗଲେପନ ପ୍ରଣାଳୀ ମଧ୍ୟ ଆଲୋଚ୍ୟର ବିଷୟ । ଧଳାଭୂମି ଉପରେ ପ୍ରଥମେ ହଳଦିଆ ବା ଗେରୁରଙ୍ଗର ରେଖାଚିତ୍ର ଅଙ୍କନ କରି ତାହା ଭିତରେ ଭରାଟ କରାହୋଇଛି । ବିଶେଷ କରି ଧଳା, କଳା, ଲାଲ, ନୀଳ ଓ ହଳଦିଆ ରଙ୍ଗ ପ୍ରୟୋଗ ହୋଇଥିବାର ଦେଖାଯାଏ ।

ଏହି ରଙ୍ଗଗୁଡ଼ିକ ଯଥାକ୍ରମେ ଶଙ୍ଖ, ପୀଦକଳା, ଢାଉ, ନୀଳବଡ଼ି ଓ ହରିତାଳରୁ ପ୍ରସ୍ତୁତ । ଏହି ରଙ୍ଗର ପ୍ରସ୍ତୁତିକରଣ ପ୍ରଣାଳୀ ପଟ୍ଟଚିତ୍ରର ରଙ୍ଗ-ପ୍ରସ୍ତୁତି ପ୍ରଣାଳୀ ସଦୃଶ କହିଲେ ଅତ୍ୟୁକ୍ତି ହେବନାହିଁ ।ଭିତ୍ତି ଚିତ୍ର

ଅଧିକାଂଶ ମନ୍ଦିରର ଭିତ୍ତି ଚିତ୍ର ବିଶେଷକରି ରାମାୟଣ ଉପରେ ଆଧାରିତ । ରାମରାବଣ ବା ମହାଭାରତରେ କୌଣସି ମୁଖ୍ୟ ନାୟକ ନାୟିକାଙ୍କୁ ଭିତ୍ତି ଚିତ୍ରର ମଧ୍ୟସ୍ଥଳିରେ ବୃହତ ଆକାରରେ ଅଙ୍କା ଯାଇଥାଏ । ଅନ୍ୟ ପାଶ୍ୱର୍ଚିତ୍ରରେ ଦେବାଦେବୀ, ବୃକ୍ଷଲତା ବା ଜୀବଜନ୍ତୁଙ୍କୁ ତାହା ତୁଳନାରେ ଆକାରରେ କ୍ଷୁଦ୍ର କରାଯାଇଥାଏ ।

କେତେକ ସ୍ଥାନରେ କୃଷ୍ଣଲୀଳାରେ ରାଧାକୃଷ୍ଣଙ୍କୁ ମୁଖ୍ୟସ୍ଥାନ ଦେଇ ସେଥିରେ ଥିବା ଆନୁଷଙ୍ଗିକ ବୃକ୍ଷଲତା ବା ଜୀବଜନ୍ତୁଙ୍କୁ କ୍ଷୁଦ୍ରକରି ଦେଖାଇ ଦିଆଯାଇଥାଏ । ଭିତ୍ତି ଚିତ୍ରରେ ପରସ୍ପେକ୍ଟିଭ୍ ପ୍ରତି ଧ୍ୟାନ ଦିଆଯାଇ ନଥାଏ । ନାରୀ ଚିତ୍ରରେ ନାରୀକୁ ଦଣ୍ଡି, ନୋଥ, ନାକଚଣା, ଅଂଟାସୂତା ଓ ଖଡ଼ୁ ଅତ୍ୟନ୍ତ ଶୋଭନୀୟ ।

ସ୍ଥଳବିଶେଷରେ ପୁରୁଷ ହାତରେ ଖଡ଼ୁ ଓ କାନରେ ନୋଳି ବା କୁଣ୍ଡଳ ତା’ର ପୌରୁଷର ଶୋଭାବର୍ଦ୍ଧନ କରିଥାଏ । ଏହି ମନ୍ଦିରର ପୌରାଣିକ ଚିତ୍ର ମଧ୍ୟରେ ପୁରୀ ରଥଯାତ୍ରା ବା ପୁରୀର ନକ୍ସାଙ୍କନର ଦୃଶ୍ୟ ଅତୀବ ବିଚିତ୍ର ଓ ମହତ୍ୱପୂର୍ଣ୍ଣ ।ଭିତ୍ତି ଚିତ୍ର

ସେହିପରି ଅଧିକାଂଶ ମନ୍ଦିରରେ ଖମ୍ବ, ଓରା, ଶେଣି ଓ ଛାତତଳ (ସିଲିଂ)ଗୁଡ଼ିକରେ ମଧ୍ୟ ବହୁ ଚିତ୍ର ଦେଖିବାକୁ ମିଳିଥାଏ । ଗଞ୍ଜାମର ଏହି ବିରଞ୍ôଚନାରାୟଣ ମନ୍ଦିର ବ୍ୟତୀତ ଜଉଗଡ଼ର ଗୁପ୍ତେଶ୍ୱର ମନ୍ଦିର, ଝାଡ଼େଶ୍ୱର ମନ୍ଦିର, ଧରାକୋଟ, ବେଲଗୁଣ୍ଠା, କାଇପଦର, ଚିକିଟି, ସାନଖେମୁଣ୍ଡି, ବଡ଼ଖେମୁଣ୍ଡି, ତାରାତାରିଣୀ ନିକଟସ୍ଥ ଏକ ମଠରେ ମଧ୍ୟ ଭିତ୍ତି ଚିତ୍ର ପରିଦୃଷ୍ଟ ହୁଏ ।

ମୁଖ୍ୟତଃ ତକ୍ରାଳୀନ ରାଜାମାନଙ୍କର ଗଡ଼ଗୁଡ଼ିକରେ ଜଗନ୍ନାଥ ମନ୍ଦିର ଓ ଅନ୍ୟ କେତେକ ମନ୍ଦିରରେ ଏହି ଭିତ୍ତିଚିତ୍ର ସ୍ଥାନ ପାଇଛି । ରାମାୟଣ, ମହାଭାରତର ଗଳ୍ପ, ବିଭିନ୍ନ ଦେବାଦେବୀ, ଦଶ ଅବତାର, ମାଣିକ ଗଉଡ଼ୁଣୀ ଓ ଅନନ୍ତଶୟନ ଆଦିର ଚିତ୍ରଗୁଡ଼ିକ ଏହି ମଠ ମନ୍ଦିରର କାନ୍ଥରେ ଶୋଭାବର୍ଦ୍ଧନକାରୀ ରୂପେ କେବଳ ଯେ ଦୃଶ୍ୟମାନ ତାହା ନୁହେଁ, ଗଞ୍ଜାମ ଜିଲ୍ଲାର ସଂସ୍କୃତି ଓ ତକ୍ରାଳୀନ ଶିଳ୍ପୀମାନଙ୍କର ଉଚ୍ଚମାନର ମଧ୍ୟ ପରିଚୟ ଦେଇଥାଏ ।

ଅବିଭକ୍ତ ଗଞ୍ଜାମ ଜିଲ୍ଳା (ବର୍ତମାନର ଗଜପତି ଜିଲ୍ଳା)ର ପାରଳାଖେମୁଣ୍ଡିର ଅନେକ ଶତାୟୁ ମନ୍ଦିର ମଧ୍ୟରୁ ବଡ଼ ରାଧାକାନ୍ତ ମଠ ଏବଂ ରସିକରାଜ ମଠ କାନ୍ଥରେ ଏଭଳି ଶହ ଶହ ବର୍ଷର ଚିତ୍ର ଅଙ୍କିତ ହୋଇ ରହିଛି ।

ସେଥିରୁ ଅଧିକାଂଶ ନଷ୍ଟ ହୋଇସାରିଥିବା ବେଳେ ରସିକରାଜ ମଠର ଉତରାଧିକାରୀ ମୂରଲୀଧର ପରିଚ୍ଛାଙ୍କ ଆନ୍ତରିକ ଉଦ୍ୟମରୁ ମନ୍ଦିରର ଗୋଟିଏ ପାର୍ଶ୍ଵ କାନ୍ଥରେ କିଛିଟା ଚିତ୍ରକୁ ସଂରକ୍ଷିତ କରାଯାଇପାରିଛି ।

ସେହିପରି ପାରଳା ରାଜପ୍ରାସାଦ ଭିତର କାନ୍ଥରେ ଅନେକ କାନ୍ଥ ଚିତ୍ର ବା ମୁରାଲ ରହିଥିଲା, ଯାହା ଏବେ ଚୂନ ପ୍ରଲେପ ମଧ୍ୟରେ ସମାଧି ନେଇସାରିଛି । ସେହିପରି ପାରଳାଖେମୁଣ୍ଡି ଉପକଣ୍ଠ ବର୍ତମାନର ଆନ୍ଧ୍ରପ୍ରଦେଶର ମେଳିଆପୁଟି ମଣ୍ଡଳର ମେଳିଆପୁଟି ରାଧାକାନ୍ତ ମନ୍ଦିର (ପାରଳା ଗଜପତି ରାଜାଙ୍କ ପୃଷ୍ଣପୋଷକତାରେ ଚାଲିଆସୁଥିବା)ର ଅନେକ ସୁଦୃଶ୍ୟ ଭିତ୍ତି ଚିତ୍ର ବା କାନ୍ଥଚିତ୍ର ଏବେ ବି ଦୃଶ୍ୟମାନ । ଏହା ଯେ କେହି ଦର୍ଶକଙ୍କୁ କିଛି କ୍ଷଣ ଅବାକ୍ କରିଦେବ, ଏଥିରେ ସନ୍ଦେହ ନାହିଁ ।

ରାଜା, ଜମିଦାର ତଥା ମଠମହନ୍ତମାନେ ଶିଳ୍ପୀମାନଙ୍କୁ ଉପଯୁକ୍ତ ମୂଲ୍ୟ ଓ ସମ୍ମାନ ଦେଇ ଏହିଭଳି ମନ୍ଦିର, ମଠ ଆଦିରେ ଭିତ୍ତି ଚିତ୍ର କରାଉଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ମନ୍ଦିରର ଭିତ୍ତି ଚିତ୍ରରେ ବୃକ୍ଷଲତା, ପାହାଡ଼ ଓ ଜୀବଜନ୍ତୁ ଚିତ୍ରଗୁଡ଼ିକର ଶୈଳୀକୁ ଲକ୍ଷ୍ୟ କଲେ ସେଥିରେ ରାଜସ୍ଥାନୀ ଶୈଳୀର ପ୍ରଭାବ ପଡ଼ିଥିବାର ପରିଲକ୍ଷିତ ହୁଏ ।

ଏଥିରୁ ସମ୍ପୂର୍ଣ୍ଣ ଅନୁମେୟ ଯେ ତକ୍ରାଳୀନ ଓଡ଼ିଶାର ରାଜା ଓ ଜମିଦାରମାନେ ରାଜସ୍ଥାନୀ ବା ଓଡ଼ିଶା ବାହାରର ଶିଳ୍ପୀଙ୍କୁ ସ୍ୱଦେଶକୁ ନିମନ୍ତ୍ରଣ କରି ଓଡ଼ିଶାର ଶିଳ୍ପୀମାନଙ୍କ ସହିତ ମିଶି ଭିତ୍ତି ଚିତ୍ରାଙ୍କନ କାର୍ଯ୍ୟ କରାଉଥିଲେ । ଶିଳ୍ପୀମାନେ ମଧ୍ୟ ତାଙ୍କର ଶ୍ରମ ଓ ସମୟ ବ୍ୟୟକରି ଗୋଷ୍ଠୀଗତ ଉଦ୍ୟମରେ ଚିତ୍ରାଙ୍କନ ଏକମାତ୍ର ବୃତି ଓ କର୍ତବ୍ୟ ଭାବି ସୃଷ୍ଟି କରିଚାଲିଥିଲେ । ଏବେ ସେ ସମୟ ନାହିଁ ।

ତଥାପି ଗଞ୍ଜାମର ଭିତ୍ତି ଚିତ୍ର ପରମ୍ପରାର ପ୍ରଭାବ ସର୍ବସାଧାରଣଙ୍କର କାନ୍ଥରେ ଚିତା ଓ ଚିତ୍ର ମାଧ୍ୟମରେ ପରମ୍ପରା ସୃଷ୍ଟି କରିଛି, ଯାହାକି ଗଞ୍ଜାମର ସହରଠାରୁ ପୁରପଲ୍ଲୀ ଯାଏଁ ଏବଂ ଧନୀଠାରୁ ଗରିବ ପର୍ଯ୍ୟନ୍ତ ପ୍ରତ୍ୟେକର ଧର୍ମ ଜୀବନରେ ଏକ ଅଙ୍ଗ ହୋଇ ଆସିଛି । କଥାରେ ଅଛି, ବାରମାସରେ ତେର ପର୍ବ ।

ଏହି ପର୍ବପର୍ବାଣୀ ଗଞ୍ଜାମର ସହରର ଗ୍ରାମ, ପୁରପଲ୍ଲୀ ଓ ଆଦିବାସୀ ଅଂଚଳରେ ମଧ୍ୟ ବହୁ ସମାରୋହରେ ପାଳିତ ହୋଇଥାଏ । ପିତଳ, ହିଞ୍ଜଳିକାଟୁ, ବ୍ରହ୍ମପୁର, ରମ୍ଭା, କଞ୍ଚଣା ଓ ଖଲିକୋଟର ନିକଟବର୍ତୀ କେତେକ ଅଂଚଳରେ କାର୍ତିକ ମାସରେ ଘରେ ଘରେ କୋଠିଶାଳ ବା ଊଷାକୋଠି ଚିତ୍ର ଦେଖିବାକୁ ମିଳିଥାଏ ।

ସ୍ତ୍ରୀ ଲୋକମାନେ ଠାକୁରଙ୍କ ପାଖରେ ବହୁବିଧ ମାନସିକ କରିଥାନ୍ତି । କାନ୍ଥରେ କୋଠି କାଟି ମଙ୍ଗଳା ଓ ଆନୁଷଙ୍ଗିକ ଚିତ୍ର ନିକଟରେ କଳସୀ ପୂଜା ହୋଇଥାଏ । ଏହି ପୂଜା ସମୟରେ ଗାହାଣ ଗାଇବା ପଦ୍ଧତି ଓଡ଼ିଶାରେ ଅତ୍ୟନ୍ତ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ । ଖୁଦୁରୁକୁଣି ଓଷା ଅବସରରେ ମଧ୍ୟ କାନ୍ଥଚିତ୍ରର ପରମ୍ପରା ଓ ତା’ର ପ୍ରଭାବ ପରିଲକ୍ଷିତ ହୋଇଥାଏ ।

ଖୁଦୁରୁକୁଣି ଓଷାରେ କାନ୍ଥରେ ମଙ୍ଗଳା ବା କାଳୀଙ୍କର ଚିତ୍ର ଅଙ୍କନ କରାଯାଇଥାଏ ଯାହାକି ସମ୍ପୂର୍ଣ୍ଣ ଦେଶୀୟ ମାଟି ରଙ୍ଗରେ ପ୍ରସ୍ତୁତ । ଧଳାଖଡ଼ି, ଗେରୁ, ସଢ଼େଇ( ନଡ଼ିଆର ଉପର କଠିନଭାଗ) କଳା, ପତ୍ରର ସବୁଜ ରଙ୍ଗ, ଏଭଳିକି ହଳଦୀକୁ ରଙ୍ଗ ରୂପେ

କାଠିରେ କନା ଗୁଡ଼ାଇ ବା ତୂଳୀ ସାହାଯ୍ୟରେ ବ୍ୟବହାର କରାଯାଇଥାଏ । ମାର୍ଗଶିର ମାସରେ ଗଞ୍ଜାମରେ ଘରେ ଘରେ ହେଉଥିବା ମାଣବସା ପର୍ବରେ ମାଣଠାରୁ ଚଟାଣ, କବାଟ କାନ୍ଥ ଏବଂ ଓଡ଼ିଆ ପୁଡ଼ୁଗ ପର୍ଯ୍ୟନ୍ତ ପ୍ରତ୍ୟେକଟିରେ ଚିତା ବା ଚିତ୍ରାଙ୍କନ ହୋଇଥାଏ ।

ଗଜଲକ୍ଷ୍ମୀ, ଧାନଶିଁଷା, ଲକ୍ଷ୍ମୀପାଦ ଏବଂ କାର୍ତିକ ମାସରେ ଓଲଟ ଶୁଆ, ପୂର୍ଣ୍ଣକୁମ୍ଭ, ଯୋଡ଼ିମାଛ, ନିଶୁଣି, ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଚିତା ଓ ଚିତ୍ରାଙ୍କନ କରାଯାଇଥାଏ । ଏହି ଚିତ୍ରପାଇଁ ପ୍ରସ୍ତୁତି ପ୍ରଣାଳୀ ଗୁମ୍ଫା, ମନ୍ଦିର ବା ମଠ ଭିତ୍ତି ଚିତ୍ରର କାନ୍ଥ ଭଳି ହୋଇନଥାଏ ।

ଏହି ଚିତ୍ରର ରଙ୍ଗଗୁଡ଼ିକ ସେଭଳି ଉଚ୍ଚକୋଟିର ନହୋଇପାରେ । ଘରର କାନ୍ଥ ବାରମ୍ବାର ଲିପାଯାଇ ନୂତନ ଚିତ୍ରମାନ ଅଙ୍କା ଯାଇଥିଲେ ମଧ୍ୟ ଏଥିରେ ଭିତ୍ତି ଚିତ୍ର ପରମ୍ପରାର ପ୍ରଭାବ ଯେ ପଡ଼ିଛି, ତାହା ଅସ୍ୱୀକାର କରି ହେବନାହିଁ । ଚିକିଟି ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧ ।
ଏହା ମଧ୍ୟ ଭିତ୍ତି ଚିତ୍ର ଦ୍ୱାରା ପ୍ରଭାବିତ ଏବଂ ପଟ୍ଟ ମାଧ୍ୟମରେ ଏହା ଏକ ରୂପାନ୍ତର ମାତ୍ର । ଏ ସମ୍ପର୍କରେ ଆମ୍ଭେ ଗଭୀର ଭାବେ ବିଚାର ବିଶ୍ଳେଷଣ କଲେ ଜାଣିପାରିବା ଯେ ଗଞ୍ଜାମର ଭିତ୍ତି ଚିତ୍ରର ପରମ୍ପରା ବଳିଷ୍ଠ ଓ ପ୍ରଭାବଶାଳୀ ।

ଭିତ୍ତି ଚିତ୍ରର ପରମ୍ପରା କେବଳ କାନ୍ଥ ଓ ପଟ୍ଟଉପରେ କାହିଁକି, ମନୁଷ୍ୟର ଦେହକୁ ମଧ୍ୟ ଅଙ୍କନ ମାଧ୍ୟମରେ ପ୍ରଭାବିତ କରିଛି । ଗଞ୍ଜାମବାସୀଙ୍କର ଧର୍ମବିଶ୍ୱାସ ଓ ପରମ୍ପରା ଯେ ସେହି ଭିତ୍ତି ଚିତ୍ରର ପ୍ରଭାବ ଓ ରୂପର ରୂପାନ୍ତର ମାତ୍ର ଏହା କହିଲେ ଅତ୍ୟୁକ୍ତି ହେବନାହିଁ ।

ତେଣୁ ଗଞ୍ଜାମର ଭିତ୍ତି ଚିତ୍ର ଗଞ୍ଜାମବାସୀଙ୍କ ସାମାଜିକ ତଥା ଧର୍ମ ଜୀବନ ଉପରେ କିପରି ପ୍ରଭାବ ପକାଇ ପାରିଛି ତାହା ବେଶ୍ ଅନୁମେୟ ।

ଯୋଗାଯୋଗ:୯୪୩୭୯୨୦୪୪୭ 

Filed Under: ଜଣା ଅଜଣା Tagged With: କଳା, ଗଞ୍ଜାମ, ସଙ୍ଗୀତ, ସଂସ୍କୃତି, ସାହିତ୍ୟ

ବେସରକାରୀ ସଂଗଠନମାନଙ୍କୁ ସନ୍ଦେହ କରା ନ ଯାଉ:ସ୍ଵେଚ୍ଛାସେବୀ

May 17, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ବ୍ରହ୍ମପୁର, ମଇ ୧୭ (ଓଡିଶା ଡଟ କମ) ଦେଶ ଗଠନରେ ବେସରକାରୀ ସଂଗଠନ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଆସୁଥିବା ବେଳେ ସେମାନଙ୍କୁ ସରକାର ସନ୍ଦେହ ଦୃଷ୍ଟିରେ ନ ଦେଖିବାକୁ ବିଭିନ୍ନ ସ୍ଵେଚ୍ଛାସେବୀ ବ୍ରହ୍ମପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମତ ବ୍ୟକ୍ତ କରିଛନ୍ତି ।

IMG_3973 IMG_3978 IMG_4159

 

 

 

 

ବିଶ୍ୱ ଦିବସ ୨୦୧୫ ପାଳନ ଅବସରରେ ଶନିବାର ୟୁଥ୍ ଫର ସୋସିଆଲ ଡେଭଲାପମେଣ୍ଟ , ସିଭିକସ୍ ଏବଂ ଅନ୍ୟାନ୍ୟ ନାଗରିକ ସଂଗଠନ ଦ୍ୱାରା ସ୍ଥାନୀୟ ଗଂଜାମ କଳା ପରିଷଦ ଠାରେ ଆୟୋଜିତ ଏହି କର୍ମଶାଳାରେ ବିଭିନ୍ନ ଅଞ୍ଚଳରୁ ୧୦୦ରୁ ଉର୍ଦ୍ଧ ନାଗରିକ ସଂଗଠନ ପ୍ରତିନିଧି, ସାମାଜିକ କର୍ମୀ, ବସ୍ତି ବାସିନ୍ଦା, ଯୁବକ ଓ ମହିଳା ସରକାରଙ୍କର ବିଭିନ୍ନ ପ୍ରକ୍ରିୟାରେ ନାଗରିକଙ୍କ ସହଭାଗିତାର ଆବଶ୍ୟକତା ରହିଛି ବୋଲି କହିଥିଲେ ।

ଭାରତର ବିଭିନ୍ନ ପ୍ରାନ୍ତରେ ନାଗରିକ ମାନଙ୍କୁ ଦିଆଯାଇଥିବା ସୁବିଧା ଓ ଅଧିକାର ଗୁଡିକ ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିଛି । ଏହା ଫଳରେ ନାଗରିକ ଓ ନାଗରିକ ସମାଜର ସ୍ୱର ଦବି ଯାଉଛି ଯାହାଦ୍ୱାରା ନାଗରିକର ସ୍ୱାଧିନତା ପ୍ରତି ପ୍ରତିବନ୍ଧକ ସୃଷ୍ଟି ହେଉଛି ।

ନାଗରିକ ସଂଗଠନଗୁଡିକ କାର୍ଯ୍ୟକରିବାରେ ଅସୁବିଧା ଅନୁଭବ କରୁଛନ୍ତି ଏବଂ ଏହି ସଂଗଠନଗୁଡିକୁ ଚଳାଇବା ପାଇଁ ଆବଶ୍ୟକ ଥିବା ଅର୍ଥ ମଧ୍ୟ ଯୋଗାଡ କରିବା କଷ୍ଟକର ହୋଇପଡିଛି ବୋଲି ସେମାନେ ମତ ବ୍ୟକ୍ତ କରିଥିଲେ ।

ସରକାର ସାଧାରଣ ନାଗରିକ, କର୍ମୀ ଓ ନାଗରିକ ସଂଗଠନଗୁଡିକୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି । ନାଗରିକ ସଂଗଠନଗୁଡିକ ମଧ୍ୟ ପୁଞ୍ଜିପତି, ଶିଳ୍ପପତି ଓ ଅସାମାଜିକ ଗୋଷ୍ଠୀଙ୍କ ଦ୍ୱାରା ବିପଦର ସମ୍ମୁଖୀନ ହେଉଛନ୍ତି ।

ସରକାର ଏହି ବେସରକାରୀ ସଂଗଠନ, ନାଗରିକ ସଂଗଠନ ଓ କର୍ମୀମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖନ୍ତୁ ନାହିଁ । ବୋଲି ବକ୍ତା ମାନେ କହିଛନ୍ତି । ସଂଗଠନଗୁଡିକୁ ସରକାର ଡାକି ସେମାନଙ୍କ ସହ ଆଲୋଚନା କରନ୍ତୁ । ବର୍ତ୍ତମାନର ନୀତି ଓ ନିୟମ ବିଷୟରେ ଆଲୋଚନା କରି କାର୍ଯ୍ୟ କରିବା ସମୟରେ କ’ଣ ପ୍ରକ୍ରିୟା ରହିବ ଓ କ’ଣ ସବୁ ସୁବିଧା ରହିଛି ସେଗୁଡିକରେ ସ୍ୱଚ୍ଛତା ରଖିବା ପାଇଁ କ’ଣ ସବୁ ସଂଶୋଧନର ଆବଶ୍ୟକତା ରହିଛି ତାହା ଆଲୋଚନା ହେଉ ।

ଯେଉଁସବୁ ବିଷୟ ଗୁଡିକରେ ବାଖ୍ୟାରେ ଜଟିଳତା ରହୁଛି ସେଗୁଡିକୁ ଆଲୋଚନା କରାଯାଉ । ବେସରକାରୀ ସଂଗଠନ, ଟ୍ରଷ୍ଟ, ଫାଉଣ୍ଡେସନ ଏବଂ ସାମାଜିକ ସଂଗଠନ ପାଇଁ ଏକ ପ୍ରକାର ଦରଖାସ୍ତ ବ୍ୟବସ୍ଥା କରାଯାଉ ବୋଲି ବିଭିନ୍ନ ସଂଗଠନର କର୍ମୀମାନେ ମତଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ଅଧ୍ୟାପକ ଯନ୍ତ୍ରଣା ପରିକ୍ଷିତ, ଆଇନ କର୍ମୀ ଚନ୍ଦ୍ରନାଥ ଦାନୀ, ସାମାଜିକ କର୍ମୀ ଶ୍ରୀ ଲୋକନାଥ ମିଶ୍ର ଓ ମଙ୍ଗରାଜ ପଣ୍ଡା ପ୍ରମୁଖ ଯୋଗଦେଇ ବିଭିନ୍ନ ବିଷୟ ଗୁଡିକ ଉପରେ ଆଲୋଚନା କରିଥିଲେ ।

ଓଡିଶା ଡଟ କମ

Filed Under: ମାନବାଧିକାର, ସଭା ସମିତି Tagged With: କର୍ମଶାଳା, ଗଞ୍ଜାମ, ବେସରକାରୀ ସଂଗଠନ, ମାନବାଧିକାର

ଭଲ କାମ କରିବାରୁ ୩୪୭ ଏସପିଓ ହେଲେ କନେଷ୍ଟବଳ

April 23, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ଏପ୍ରିଲ ୨୩ (ଓଡିଶା ଡଟ କମ ) ନକ୍ସଲ ଉପଦ୍ରୁତ ଅଞ୍ଚଳରେ ସନ୍ତୋଷଜନକ କାର୍ଯ୍ୟ କରିଆସିଥିବାରୁ ରାଜ୍ୟସରକାର ବୁଧବାର ୩୪୭ ଜଣ ସ୍ପେଶିଆଲ ପୁଲିସ ଅଫିସରଙ୍କୁ କନେଷ୍ଟବଲ ଭାବେ ନିଯୁକ୍ତ କରିଛନ୍ତି ।

ରାଜ୍ୟର ନଅ ଟି ଜିଲା ସୁନ୍ଦରଗଡ, ରାୟଗଡା, ଦେବଗଡ, ଗଞ୍ଜାମ, ଯାଜପୁର, କେନ୍ଦୁଝର, କୋରାପୁଟ, ନୂଆପଡା ଓ ରାଉରକେଲାରେ କାମ କରୁଥିବା ଏହି ସ୍ପେଶିଆଲ ପୁଲିସ ଅଫିସରଙ୍କ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ତିନିବର୍ଷ ଧରି ଏହି ଯୁବକମାନେ କ୍ରମାଗତ ସ୍ପେଶିଆଲ ପୁଲିସ ଅଫିସରଭାବେ କାର୍ଯ୍ୟକରି ସ୍ଥାନୀୟ ପୁଲିସ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି।

ଜିଲୱାରୀ କନେଷ୍ଟବଲ ନିଯୁକ୍ତି ପାଇଥିବା ଏହି ଏସପିଓ ମାନଙ୍କ ସଂଖ୍ୟା ହେଉଛି ସୁନ୍ଦରଗଡରୁ ୨ ଜଣ, ରାୟଗଡାରୁ ୧୯୬, ଦେବଗଡରୁ ୩୫, ଗଞ୍ଜାମରୁ ୧୨, ଯାଜପୁରରୁ ୨୦ , କେନ୍ଦୁଝରରୁ ୮ , କୋରାପୁଟରୁ ୬୭ ନୂଆପଡାରୁ ୧ ଓ ରାଉରକେଲାରୁ ଛଅ ଜଣ ।

ଓଡିଶା ଡଟ କମ

Filed Under: ରାଜନୀତି Tagged With: କନେଷ୍ଟବଳ, କେନ୍ଦୁଝର, ଗଞ୍ଜାମ, ଦେବଗଡ, ନକ୍ସଲ ଉପଦ୍ରୁତ, ଯାଜପୁର, ରାୟଗଡ଼ା, ସୁନ୍ଦରଗଡ଼

ବ୍ରହ୍ମପୁର: ସ୍ତ୍ରୀ ଓ ଦୁଇ ବର୍ଷର ଝିଅକୁ ପୋଡ଼ି ହତ୍ୟା

August 7, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ଅଗଷ୍ଟ ୭(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ଭଗବାନପୁର ଗ୍ରାମରେ ମଙ୍ଗଳବାର ଜଣେ ବ୍ୟକ୍ତି ମାନସିକ ବିକୃତି ଯୋଗୁଁ ପତ୍ନୀ ଓ ଦୁଇ ବର୍ଷର ଝିଅକୁ ପୋଡ଼ି ହତ୍ୟା କରିଥିବା ପୋଲିସ କହିଛି ।

ଅସୁରବନ୍ଧ ଭଗବାନପୁର ଗ୍ରାମର ଶୁକ ମହାକୁଡ଼ଙ୍କ ପୁଅ ସଞ୍ଜୟ ଓରଫ କନ୍ଧ ଗୌଡ଼ ଓ ସେହି ଗ୍ରାମର ବାଟା ଗୌଡ଼ଙ୍କ ଝିଅ ସୁନୀତାକୁଦୁଇବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ । ତେବେ ଏହି ବିବାହକୁ ଗ୍ରାମର ଗୌଡ଼ ସମାଜ ବିରୋଧ କରିଆସୁଥିଲା ।

ପରେ କନ୍ଧ ଜରିମାନା ଦେଇ ସମାଜରେ ମିଶିଥିଲେ । ପୁଅ କନ୍ଧର ଅତ୍ୟାଚାର ସହିନପାରି ବାପା ଶୁକ ଓ ମା’ ଧୋବଣି ଅଲଗା ରହୁଥିଲେ । କନ୍ଧଦିନ ମଜୁରିଆ ଭାବେ କାର୍ଯ୍ୟକରି ପରିବାରର ଚଳାଉଥିଲେ ।

ତେବେ ସୋମବାର ଅପରାହ୍ନ କନ୍ଧ ଘରକୁ ଖାଇବାକୁ ଆସିଥିବା ବେଳେ ସ୍ତ୍ରୀକୁ ମାଡ଼ମାରିବା ସହ ଝଗଡ଼ା କରିଥିଲା । ମଙ୍ଗଳବାର ସକାଳେ କନ୍ଧ ଗୌଡ଼ର ଘରେ ନିଆଁ ଜଳୁଥିବା ଦେଖି ଗ୍ରାମବାସୀ ଘରର କବାଟ ଭାଙ୍ଗି ଭିତରେ ପ୍ରବେଶ କରିଥିଲେ । ତେବେ କନ୍ଧର ସ୍ତ୍ରୀ ସୁନୀତା ଓ ଦୁଇବର୍ଷର ଝିଅ ଜୀଅନ୍ତା ଜଳିଯାଇଥିଲେ ।

ଏହି ଘଟଣା ପରେ କନ୍ଧ ଗ୍ରାମରୁ ପଳାଇଯାଇଥିବା ବେଳେ ଗ୍ରାମବାସୀ ତାକୁ ଗ୍ରାମକୁ ଆଣି ଅଟକ ରଖିଥିଲେ । ଖବର ପାଇ ସୋରଡ଼ା ମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଲିଭାଇଥିଲେ । ତେବେ କନ୍ଧ କିରୋସିନି ଢାଳି ଘରେ ନିଅାଁ ଲଗାଇ ଦେଇଥିବା ବେଳେ ଏଥିରେ ପତ୍ନୀ ଓ ଝିଅ ପୋଡ଼ି ମୃତ୍ୟୁବରଣ କରିଥିବା ପୋଲିସ କହିଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଗଞ୍ଜାମ, ବ୍ରହ୍ମପୁର

ବ୍ରହ୍ମପୁର: ଗୁଳିକାଣ୍ଡ ଘଟଣାରେ ଥାନା ଅଧିକାରୀ ନିଲମ୍ବିତ

April 1, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା କୋଦଳା ଅନ୍ତର୍ଗତ ଫାସିପଡ଼ାରେ ହୋଇଥିବା ପୋଲିସ ଗୁଳିକାଣ୍ଡ ଘଟଣାରେ କୋଦଳା ଥାନା ଅଧିକାରୀଙ୍କୁ ରବିବାର ନିଲମ୍ବିତ କରାଯାଇଛି ।

ପୋଲିସ ଗୁଳିରେ ଦୁଇ ଜଣଙ୍କ ମୃତ୍ୟୁ ଘଟଣାରେ ଆଇଆଇସି ସୌଭାଗ୍ୟ ସ୍ୱାଇଁଙ୍କୁ ନିଲମ୍ବନ କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ବର୍ତମାନ ପରିସ୍ଥିତି ଶାନ୍ତ ରହିଛି ଏବଂ ସଂପୃକ୍ତ ଗ୍ରାମରେ ପାଞ୍ଚ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି, ସେ କହିଛନ୍ତି ।

ଗୁଣିଗାରେଡ଼ି ସନ୍ଦେହରେ ଗୁରୁବାର ଗ୍ରାମବାସୀମାନେ ଜଣେ ମହିଳାଙ୍କ ସମେତ ଚାରି ଜଣଙ୍କୁ ଅଟକ ରଖିଥିଲେ ଏବଂ ଖବର ପାଇ ଘଟଣାର ତଦନ୍ତ ପାଇଁ ପୋଲିସ ଶନିବାର ଗାଁକୁ ଯାଇଥିବା ବେଳେ ଗ୍ରାମବାସୀମାନେ ସେମାନଙ୍କୁ ବିରୋଧ କରିଥିଲେ ।

ଫଳରେ ପୋଲିସ ଓ ଗ୍ରାମାବସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଉତ୍ୟକ୍ତ ଲୋକମାନେ ପୋଲିସ
ଉପରକୁ ଆକ୍ରମଣ କରିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଥମେ ଲୁହବୁହା ବାଷ୍ପ ଏବଂ ପରେ ଗୁଳି ମାଡ଼ କରିଥିଲା । ଗୁଳିମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

ସଂଘର୍ଷରେ କେତେକ ପୋଲିସ କର୍ମଚାରୀଙ୍କ ସମେତ ୧୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସାତ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ମାନଙ୍କୁ ବ୍ରହ୍ମପୁର ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଗଞ୍ଜାମ, ପୋଲିସ, ବ୍ରହ୍ମପୁର

ବ୍ରହ୍ମପୁର: ପୋଲିସ ଗୁଳିମାଡ଼ ଘଟଣାର ତଦନ୍ତ ନିର୍ଦ୍ଦେଶ

March 31, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୩୧(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା ଫାସିପଡ଼ାରେ ହୋଇଥିବା ପୋଲିସ ଗୁଳିମାଡ଼ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଗଞ୍ଜାମ ଜିଲ୍ଲା ଦୌରାଜଜ୍ ଏହି ଘଟଣାର ତଦନ୍ତ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମୃତ ବ୍ୟକ୍ତିଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବା ସହ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ, ସେ କହିଛନ୍ତି ।

ସଂଘର୍ଷରେ କେତେକ ପୋଲିସ କର୍ମଚାରୀ ଓ ଗ୍ରାମବାସୀଙ୍କ ସମେତ ୧୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସାତ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ବ୍ୟକ୍ତି ମାନଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ଗୁଣିଗାରେଡ଼ି ସନ୍ଦେହରେ ଗୁରୁବାର ଗ୍ରାମବାସୀମାନେ ଜଣେ ମହିଳାଙ୍କ ସମେତ ଚାରି ଜଣଙ୍କୁ ଅଟକ ରଖିଥିଲେ ଏବଂ ଖବର ପାଇ ଘଟଣାର ତଦନ୍ତ ପାଇଁ ପୋଲିସ ଶନିବାର ଗାଁକୁ ଯାଇଥିବା ବେଳେ ଗ୍ରାମବାସୀମାନେ ସେମାନଙ୍କୁ ବିରୋଧ କରିଥିଲେ ।

ଫଳରେ ପୋଲିସ ଓ ଗ୍ରାମାବସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଉତ୍ୟକ୍ତ ଲୋକମାନେ ପୋଲିସ ଉପରକୁ ଆକ୍ରମଣ କରିଥିବା ବେଳେ ପୋଲିସ ପ୍ରଥମେ ଲୁହବୁହା ବାଷ୍ପ ଏବଂ ପରେ ଗୁଳି ମାଡ଼ କରିଥିଲା ।

ଏଭଳି ଘଟଣା ବର୍ବରୋଚିତ ଏବଂ ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଘଟଣାର ଅନୁଧ୍ୟାନ ପାଇଁ ଗଞ୍ଜାମ ଜିଲ୍ଲାପାଳ, ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ଆର.କେ.ଶର୍ମା, ଗଞ୍ଜାମ ଏସ୍.ପି ରାଜେଶ ପଣ୍ଡିତ ଘଟଣା ସ୍ଥଳକୁ ଯାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଗଞ୍ଜାମ, ଗୁଳିମାଡ଼, ତଦନ୍ତ, ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ପୋଲିସ-ଗ୍ରାମବାସୀ ସଂଘର୍ଷ, ଦୁଇ ମୃତ

March 31, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ମାର୍ଚ୍ଚ ୩୧(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଫାସିପଡ଼ାରେ ଶନିବାର ଗ୍ରାମବାସୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟି ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ଆଠ ଜଣ ଆହତ ହୋଇଛନ୍ତି ।

ଗୁଣିଗାରେଡ଼ି ସନ୍ଦେହରେ ଅନ୍ଧବିଶ୍ୱାସ ଯୋଗୁଁ ଗୁରୁବାର ଗ୍ରାମବାସୀମାନେ ଜଣେ ମହିଳାଙ୍କ ସମେତ ଚାରି ଜଣଙ୍କୁ ଲଣ୍ଡା କରି ଗାଁରେ ବୁଲାଇଥିବା ଅଭିଯୋଗ ହୋଇଥିଲା ।

ଖବର ପାଇ ଏହି ଘଟଣାର ତଦନ୍ତ ପାଇଁ ପୋଲିସ ଆଜି ଗାଁକୁ ଯାଇଥିବା ବେଳେ ଗ୍ରାମବାସୀମାନେ ସେମାନଙ୍କୁ ବିରୋଧ କରିଥିଲେ ।

ଫଳରେ ପୋଲିସ ଓ ଗ୍ରାମାବସୀଙ୍କ ମଧ୍ୟରେ ବଚସା ହୋଇଥିଲା । ଉତ୍ୟକ୍ତ ଲୋକମାନେ ପୋଲିସ
ଉପରକୁ ଆକ୍ରମଣ କରିଥିବା ବେଳେ ପୋଲିସ ପ୍ରଥମେ ଲୁହବୁହା ବାଷ୍ପ ଏବଂ ପରେ ଗୁଳି ମାଡ଼
କରିଥିଲା ।

ପୋଲିସ ଗୁଳି ମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ଆଠ ଜଣ ଆହତ ହୋଇଛନ୍ତି । ଗ୍ରାମବାସୀଙ୍କ ଆକ୍ରମଣରେ କେତେକ ପୋଲିସ ମଧ୍ୟ ଆହତ ହୋଇଛନ୍ତି ।

ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଆହତ ବ୍ୟକ୍ତି ମାନଙ୍କୁ ବ୍ରହ୍ମପୁର ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ଏଭଳି ଘଟଣା ଦୁଃଖଦାୟକ ଏବଂ ବର୍ବରୋଚିତ । ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଗଞ୍ଜାମ, ପୋଲିସ, ବ୍ରହ୍ମପୁର

ଗଞ୍ଜାମ: ମାଓବାଦୀର ଆତ୍ମସମର୍ପଣ

March 1, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ମାର୍ଚ୍ଚ ୧(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା ପୋଲିସ ନିକଟରେ ଗୁରୁବାର ଜଣେ ମାଓବାଦୀ ଅତ୍ମସମର୍ପଣ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଏସ୍ପି ରାଜେଶ ପଣ୍ଡିତଙ୍କ ନିକଟରେ ବଡ଼ଗଡ଼ ଅଞ୍ଚଳର ମାଓବାଦୀ ତୋଫାନ ସାହୁ ଆତ୍ମସମର୍ପଣ କରିଥିବା ବେଳେ ସେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ଘନିଷ୍ଠ ସହଯୋଗୀ ବୋଲି ସେ କହିଛନ୍ତି ।

ଗତ କିଛିଦିନ ତଳେ ଦୁଇ ଜଣ ମହିଳାଙ୍କ ସହ ତିନି ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଗଞ୍ଜାମ, ବ୍ରହ୍ମପୁର, ମାଓବାଦୀ

ନିର୍ବାଚନ ପରବର୍ତୀ ହିଂସାକାଣ୍ଡରେ ଜଣେ ମୃତ

February 21, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ଫେବୃୟାରୀ ୨୧(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପରବର୍ତୀ ହିଂସାକାଣ୍ଡରେ ମଙ୍ଗଳବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ୟାପଲ୍ଲୀ ଗ୍ରାମରେ ଶିବରାତ୍ରୀ ଅବସରରେ ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏବଂ ଏହି ଘଟଣା ଆଜି ଉଗ୍ରରୂପ ଧାରଣ କରିଥିଲା ।

ଫଳରେ ଗୋଟିଏ ଗୋଷ୍ଠୀର ଲୋକମାନେ ଅନ୍ୟ ଗୋଷ୍ଠୀର ଲୋକଙ୍କୁ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

ତେବେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ କୌଶସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ମୁତୟନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଗଞ୍ଜାମ, ନିର୍ବାଚନ

ଆସ୍କା: ପତ୍ନୀ, ପୁଅ, ଝିଅଙ୍କୁ ବ୍ୟକ୍ତିଙ୍କ ହତ୍ୟା

February 17, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଆସ୍କା, ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା ଆସ୍କା ଅଂଚଳରେ ଜଣେ ବ୍ୟକ୍ତି ନିଜ ପତ୍ନୀ, ପୁଅ ଏବଂ ଝିଅକୁ ହତ୍ୟା କରିଥିବା ପୋଲିସ ଶୁକ୍ରବାର କହିଛି ।

ଧରାକୋଟ ବ୍ଲକ ଅନ୍ତର୍ଗତ ସାବା ପଂଚାୟତର ବେଲପଡ଼ା ଗ୍ରାମର ଏହି ବ୍ୟକ୍ତି ଜଣକ ଗୁରୁବାର ବିଳମ୍ବିତ ରାତିରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଆଜି ସକାଳୁ ସ୍ଥାନୀୟ ଲୋକମାନେ ଏବିଷୟରେ ଜାଣି ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ
ପହଂଚି ସଂପୃକ୍ତ ବ୍ୟକ୍ତିକୁ ଗିରଫ କରିଛି । ତେବେ ହତ୍ୟାର କାରଣ ଜଣାପଡ଼ି ନାହିଁ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଆସ୍କା, ଗଞ୍ଜାମ

  • Go to page 1
  • Go to page 2
  • Go to Next Page »

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା