• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଗାଁ

ବନସ୍ତ ଭିତରେ ଗାଁଟିଏ

May 12, 2018 by ଘାସିରାମ ପଣ୍ଡା Leave a Comment


ନୂଆପଡା ଠାରୁ ଖଡିଆଳ ଆସିଲା ବାଟରେ ତିଖାଲି ନିଦୀବନ୍ଧରୁ ଡାହାଣକୁ ପିଚୁ ଓ ମୋରମ ମିଶାମିଶି ରାସ୍ତାରେ ପ୍ରାୟ ୨୦ କିଲୋମିଟର ଗଲେ ପଡିବ ‘ଉବକା ଗଙ୍ଗା’ । ମାଟି ଭିତରୁ ପାଣି ଉବୁକି ଆସୁଛି ବୋଲି ବୋଧହୁଏ ଏପରି ନାମକରଣ ହୋଇଛି । ଏହାକୁ ଲାଗି ବୋହି ଯାଉଛି ଇନ୍ଦ୍ର ନଦୀ । ଏଇ ପଟୁ ଏହା ସୁନାବେଡା ଅଭୟାରଣ୍ୟକୁ ପ୍ରବେଶ ପଥ ।

ଏଇଠୁ ମୋଟର ସାଇକଲ, ସାଇକଲ କିମ୍ବା ଚାଲି ଚାଲି ପ୍ରାୟ ଗୋଟେ କିଲୋମିଟର ଗଲେ ପାଟି ଡଙ୍ଗର ଓ ପାଟ ଧରା ପାହାଡ ମଝିରେ ପଡିବ ‘ଖୁଲି ଭିତର’ ଗାଁ । ରାସ୍ତାଟି ଇନ୍ଦ୍ର ନଦୀର କୂଳେ କୂଳେ ଓ କିଛି ସ୍ଥାନରେ ନଦୀ ଶଯ୍ୟା ଭିତର ଦେଇ ଯାଇଛି । ଲୋକେ ନିଜ ପରିଶ୍ରମରେ ପଥର ଫଟେଇି ମୋଟର ସାଇକଲ, ସାଇକଲ ଯିବା ଭଳି ରାସ୍ତାଟିଏ କରିଛନ୍ତି । ତେବେ ବର୍ଷା ଦିନେ ଏସବୁ ଧୋଇ ହୋଇଯାଏ ।

ସେତେବେଳେ ମୋଟର ସାଇକଲ, ସାଇକଲ ତ ଦୂରର କଥା ଚାଲି ଯିବାକୁ ବାଟ ନଥାଏ । ହେଲେ ଗାଁକୁ ଥରେ ପହଂଚି ଗଲେ ଚିତ୍ର ପୁରାପୁରି ଅଲଗା । ଓସାରିଆ ଗାଁ ଦାଣ୍ଡ ସାଙ୍ଗକୁ ପରିଷ୍କାର ଲିପାପୋଛା କାନ୍ଥ । ମଝିରେ ଗୋଟିଏ ଦୁଇଟି ସିମେଣ୍ଟ ଘର ବି ଅଛି । ଗାଁ ଦାଣ୍ଡ ମଝିରେ ଲିମ୍ବ ଗଛ ମୂଳେ ପ୍ରତିଷ୍ଠିତ ହୋଇଛନ୍ତି ଗାଁ ଠାକୁରାଣି । ଏଇଠି ଗାଁର ନ୍ୟାୟ ନିଷାପ ହୁଏ, ସଭା ବସେ । ଆମେ ବି ସେମାନଙ୍କ ସହ ବସିଲୁ ।

କେହି ଜଣେ ପାଳୁଅ ସର୍ବତ ଆଣି ଦେଲେ । ସୁଃଖ ଦୁଃଖ ହେଉ ହେଉ ଅନେକ କଥା ଶିଖିଲୁ, ଜାଣିଲୁ । ଗାଁରେ ମୋଟ ୮୭ ଘର ପରିବାର । ସମସ୍ତେ ଆଦିବାସୀ (ଭୁଞୀଆ) ସମ୍ପ୍ରଦାୟର । ଗାଁର ମୁଖିଆ ଜୟସିଂ ଚିନ୍ଦା ଭୁଞୀଆମାନଙ୍କ ଉପ୍ତତ୍ତି ଓ ପରମ୍ପରା ଉପରେ ଆମକୁ କହିଲେ । ତାଙ୍କ ସୃଷ୍ଟି କର୍ତ୍ତାଙ୍କ ଆଗରେ ସେମାନଙ୍କ ଆଗରୁ ଗଣ୍ଡମାନେ ଘୁସୁରି ଓ ହଂସ ବଳି ଦେଇଦେଲେ ବୋଲି ଭୁଞୀଆ ମାନେ ସେବେଠୁ ହଂସ ଓ ଘୁସୁରି ମାଂସ ଖାଆନ୍ତି ନାହିଁ ।

ଭୁଞୀଆ ସ୍ତ୍ରୀଲୋକ ମାନେ ନାକ କଣା କରନ୍ତ ନାହିଁ କି ନାକରେ କୌଣସି ଅଳଙ୍କାର ପିନ୍ଧନ୍ତି ନାହିଁ । ଏହା ସେମାନଙ୍କ ସ୍ୱତନ୍ତ୍ର ପରିଚିତି । ଗାଁରେ ପ୍ରାୟ ସମସ୍ତେ ଜୀବନ ଜୀବିକା ପାଇଁ ଜଙ୍ଗଲ ଜମୀ ଅଧିକାର କରିଛନ୍ତି । ଆଗରୁ ଏହି ଜମୀର ଫସଲ ନଷ୍ଟ ହେଲେବି କିଛି କ୍ଷତି ପୂରଣ ମିଳୁ ନଥିଲା । ହେଲେ ଏବେ ଏହି ସବୁ ଜମୀ ଉପରେ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ସ୍ୱିକୃତୀ ପ୍ରମାଣ ପତ୍ର ମିଳିଥିବାରୁ ଏଥର ଫସଲ କ୍ଷତି ଜନିତ ବୀମା ଅର୍ଥ ସମସ୍ତଙ୍କୁ ମିଳିପାରିଛି ବୋଲି ଆନନ୍ଦ ପ୍ରକାଶ କରି କହନ୍ତି ଆଉ ଜଣେ ବୟୋଜ୍ୟେଷ୍ଠ ଚତୁର ଚିନ୍ଦା ।

କିଛି ଚାଷ ଓ ଆଉ କିଛି ଜଙ୍ଗଲ ଉପରେ ନିର୍ଭରଶୀଳତା ସେମାନଙ୍କ ଜୀବିକା ଅର୍ଜନର ମୂଳ ଉତ୍ସ । ଏବେ ହରିଡା ସଂଗ୍ରହ ସରିଛି, ମହୁଲ ଆରମ୍ଭ ହେଉଛି ଓ ପରେ ପରେ କେନ୍ଦୁ ପତ୍ର ତୋଳାରେ ସମସ୍ତେ ବ୍ୟସ୍ତ ରହିବେ । ବେଳେ ବେଳେ ଅଭାବ ବି ହୁଏ । ଏଥିପାଇଁ ଏ ବର୍ଷ ଗ୍ରାମର ୧୬ଟି ପରିବାରରୁ ୪୫ ଜଣ ଦାଦନ ଯାଇଛନ୍ତି ସୁଦୁର ହାଇଦ୍ରାବାଦକୁ ।

ମନରେଗାରେ ଠିକ ସମୟରେ ମଜୁରୀ ମିଳୁ ନଥିବାରୁ ସେମାନଙ୍କର ଭରସା ତୁଟି ଯାଇଛି । ଇନ୍ଦ୍ର ନଦୀ ଗାଁ ପାଇଁ ଦୁଃଖ ପଳଟିଛି । ଗାଁ ଟି ଅଭୟାରଣ୍ୟ ଭିତରେ ଥିବାରୁ ପକ୍କା ସଡକ ଓ ନଦୀ ଉପରେ ପୋଲ ତିଆରିରେ ବାଧା ଉପୁଜୁଛି । ଅନ୍ୟପଟେ ବର୍ଷରେ ପ୍ରାୟ ଛଅ ମାସ ନଦୀରେ ଭରା ପାଣି ରହୁଥିବାରୁ ସବୁ ପ୍ରକାରର ଅସୁବିଧାର ସମ୍ମୁଖିନ ହେବାକୁ ପଡେ ।

ରୋଗୀ, ପ୍ରସୂତୀ ମହିଳାଙ୍କୁ ଖଟରେ ଦୋଳା କରି ବୋହିକି ନେବାକୁ ପଡେ ପ୍ରାୟ ଚାରି କିଲୋମିଟର ବାଟ । ତାପରେ ଭାଗ୍ୟରେ ଥିଲେ ଆମ୍ବୁଲାନ୍ସ ମିଳେ । ପ୍ରସୂତିଙ୍କୁ ବୋହି ନେବା ବାଟରେ ଶିଶୁ ପ୍ରସବ ହେବାର ଅନେକ ଉଦାହରଣ ରହିଛି ଗାଁରେ । ଗାଁରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଛି । ଏହା ଉପରକୁ ପଢିବାକୁ ହେଲେ ନଦୀପାର ନାଗପଡା ଆଶ୍ରମ ସ୍କୁଲରେ ରହି ପଢିବାକୁ ପଡିଥାଏ । ଏହା ସମସ୍ତ ପରିବାର ଓ ପିଲାଙ୍କୁ ସୁହାଉ ନାହିଁ ।

ଏବେ ପ୍ରାୟ ଆଠ ଜଣ ଝିଅ, ପୁଅ ସପ୍ତମ ପରେ ଆଉ ବିଦ୍ୟାଳୟକୁ ନଯାଇ ଘରେ ବସିଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା ଚାଉଳ ସମସ୍ତଙ୍କ ପାଇଁ ବଡ ଅଶ୍ୱାସନା । ପାଂଚ କିଲୋମିଟର ଦୂର ପଂଚାୟତ କାର୍ଯ୍ୟାଳୟକୁ ଯାଇ ଆଣିବା କାଠିକର ପାଠ । ବିଶେଷକରି ନଦୀରେ ପାଣି ଥିଲାବେଳେ ମୁଣ୍ଡେଇ ଆଣିବା ଅସାଧ୍ୟ ହୋଇ ପଡେ ।

ବଢି ନଇରେ ଚାଉଳ ମୁଣ୍ଡେଇ ଆଣୁଥିବା ବେଳେ ଜୀବନ ବଂଚେଇବାକୁ ଯାଇ ଚାଉଳ ବୋଝକୁ ଭସେଇ ଦେବାକୁ ବାଧ୍ୟ ହୋଇଛନ୍ତି କେତେକ ଅନେକଥର । ସଂଧ୍ୟା ନଇ ଆସୁଥିବାରୁ ଆମେ ଯିବାକୁ ବାହରୁ ଥିଲୁ । ଠିକ ଏତିକି ବେଳେ ଆମ ମୁଣ୍ଡ ଉପରେ ବତୀଖୁଣ୍ଟର ଆଲୁଅ ଜିଳି ଉଠିଲା । ପଚାରିଲି ଗାଁରେ ତାହେଲେ ବିଦ୍ୟୁତ ଅଛି? ଗାଁ ବିଦ୍ୟାଳୟ କ୍ୟାବିନେଟରେ ମୂଖ୍ୟମନ୍ତ୍ରୀ ଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀ ବିବିକା ଚିନ୍ଦା କହି ପକେଇଲା ନାଇଁ ସାର ଏଇ ମାସେ ହେବ ଆମ ଗାଁରେ ସୌର ଚାଳିତ ଏ ଲାଇଟ ଜଳୁଛି ।

ଦୀନ ଦୟାଳ ଉପାଧ୍ୟାୟ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ଗାଁରେ ଦଶଟି ବିଦ୍ୟୁତ ଖୁଣ୍ଟରେ ସାର୍ବଜନୀନ ବିଦ୍ୟୁତ ସଂଯୋଗ ହୋଇଥିବା ବେଳେ ପ୍ରତ୍ୟେକ ଘରକୁ ତିନୋଟି ବଲ୍ୱ ସଂଯୋଗ ଦିଆଯାଛି । ପିଲାଏ ଖୁସିଥିଲେ । ଗାଁ ଲୋକେ ବି କହୁଥିଲେ ଅନ୍ଧାରରେ ଚିତା ବାଘ ଦାମୁରି, ଛେଳି ଖାଇ ଯାଉଥିଲା । ଏଥର ଆଉ ସେମିତି ହେବନି । ଗାଁ ଲୋକଙ୍କର ବଡ ଅଭିମାନ ଯେ, ବଡ ଅଫିସର କି ନେତା ଏଯାଏଁ ତାଙ୍କ ଗାଁ କୁ କେହି ଯାଇ ନାହାନ୍ତି !

ଗାଁର ଅପର ପାଶ୍ୱର୍ରେ ଥିବା ପାଟ ଧରା ପାହାଡରୁ ଅଳ୍ପ ବାଟ ଗଲେ ଓଡିଶାର ସୀମା ସରି ଛତିଶଗଡ ଆରମ୍ଭ ହୁଏ । ହେଲେ ନେତା ବା ପ୍ରଶାସକ କାହାରି ବି ନଜର ପଡି ନଥିବା ଏ ଗ୍ରାମବାସୀଙ୍କ ପାଇଁ ରାଜ୍ୟ ସୀମାରେଖାର ବା କ’ଣ ଗୁରୁତ୍ୱ ରହିଛି ।

ବଜାର ବାଦ ଠାରୁ ଦୂରରେ ଥିବା ଏଇ ମଣିଷ ମାନେ ଜୀବନର ସର୍ବନିମ୍ନ ଆବଶ୍ୟକତା ପାଇଁ ଯୁଝୁଥିଲେ ବି ସମସ୍ତଙ୍କ ମୁହଁରେ କିନ୍ତୁ ଥିଲା ସରଳ ଓ ନିଷ୍କପଟତାର ଭାବ । ପ୍ରକୃତିର ସହିତ ସହାବସ୍ଥାନରେ ସେମାନଙ୍କୁ ମିଳୁଥିଲା ପୂର୍ଣ୍ଣତା । ଧିରେ ଧିରେ ଅନ୍ଧାର ବଢୁଥିଲା । ପାଟି ଡଙ୍ଗର ଉପରେ ଜହ୍ନ ଅନେକ ମନୋରମ ଦେଖା ଯାଉଥିଲା । ମନ ଚାହୁଁ ନଥିଲେବି ଆମେ ଫେରିବାକୁ ବାହାରୁଥିଲୁ ।

Filed Under: ପରିବେଶ Tagged With: ଗାଁ, ବନସ୍ତ

ଓଡିଶାର ବିକାଶ ମାନଚିତ୍ରରେ ଏକ ଅମାନବୀୟ କଳା ଦାଗ ; ନଗଡା

July 22, 2016 by ଓଡିଶା ଡଟ କମ Leave a Comment

କେଦାର ମିଶ୍ର

ହଠାତ୍ ଓଡିଶାର ଗଣମାଧ୍ୟମ ଓ ସାମାଜିକ ଜୀବନରେ ଚର୍ଚା ର କେନ୍ଦ୍ରକୁ ଆସିଚି ଏକ ଗାଁ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ର ନଗଡା ଗାଁ। ଏହା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ କନ୍ଧମାଳ କି କୋରାପୁଟ୍ ନୁହଁ, ଯଦିଓ ଏହି ଗାଁ ରେ ଜୁଆଂଗ ଆଦିବାସୀ ବସବାସ କରନ୍ତି ।

ଖଣି ଓ ଶିଳ୍ପ କ୍ଷେତ୍ରରେ ଢେର୍ ଆଗୁଆ ସୁକିନ୍ଦା ଅଂଚଳର ଏହି ଗାଁ ରେ ଗତ ୬ ମାସ ଭିତରେ ୨୨ ଜଣ ଶିଶୁ ଅପପୁଷ୍ଟି, ଅଖାଦ୍ୟ ଓ ଚିକିତ୍ସା ଅଭାବରୁ ପ୍ରାଣ ହରାଇଲେଣି।

ଶିଳ୍ପ ନଗରୀ କଳିଙ୍ଗ ନଗରଠାରୁ ମାତ୍ର ପଚାଶ କିଲୋମିଟର ଦୂର ଏହି ଗାଁକୁ  ରାସ୍ତା ନାହିଁ। ପାହାଡ ଚଢି ଏହି ଗାଁ ରେ ପହଂଚିବାକୁ ପଡେ।  ସୁକିନ୍ଦା ବ୍ଲକ୍ ର କୁହିକା ଠାରୁ ନଗଡା ଯିବାକୁ ପାଦ ଚଲା ବାଟରେ ଦୁଇ ଘଣ୍ଟା ସମୟ ଲାଗେ ।

ଏହି ଦୁର୍ଗମ ପଥ ଦେଇ ଗାଁ ରେ ପହଂଚିବା ଆଦୌ ସମ୍ଭବ ନୁହଁ । ଏକଥା ଆମେ କହୁନୁ,  ଓଡିଶା ସରକାରଂକ ସ୍ବାସ୍ଥ୍ୟ ସଚିବ ଆରତି ଆହୁଜା ଗତ ୧୩ ଜୁଲାଇ ରେ ଯେଉଁ ରିପୋର୍ଟ୍ ପ୍ରସ୍ତୁତ କରିଛନ୍ତି ସେଥିରୁ ଏହି ତଥ୍ୟ ମିଳୁଛି।

malnutrition

ନଗଡା ଗାଁ ର ଏହି ଦାରୁଣ ସମସ୍ୟାକୁ ନେଇ ଏକ ରିପୋର୍ଟ୍ –

୧. ଉପର, ତଳ ଓ ମଝି ନଗଡା ଗାଁ ରେ ମୋଟ୍ ୩୮ ଟି ପରିବାରର ୨୯୫ ଜଣ ଲୋକ ରୁହନ୍ତି । ଏହା ସହିତ ଗୁହିଆଶାଳ ଗାଁ ରେ ୨୬ ଟି ପରିବାରର ୨୪୮ ଜଣ ବାସିନ୍ଦା ଅଛନ୍ତି।ଏମାନଂକ ଗାଁ କୁ ରାସ୍ତା, ପାଣି, ବିଜୁଳି, ରାସନ ଇତ୍ୟାଦିର କୌଣସି ବ୍ୟବସ୍ଥା ନାହିଁ ।

ପ୍ରାୟ ୮-୧୦ କିଲୋମିଟର ଚାଲି ଚାଲି ଆସିଲେ ଯାଇ ଏମାନେ ଖାଦ୍ୟ କିଣି ପାରିବେ  । ତେଣୁ ପିଲାଂକୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସମ୍ଭବ ହେଉନାହିଁ ।ଗତ ଜୁନ୍ ମାସରେ ମୃତ୍ୟୁବରଣ କରିଥିବା ୬ ଜଣ ଶିଶୁ ଅପପୁଷ୍ଟି କାରଣରୁ ହିଁ ମୃତ୍ୟୁ ବରଣ କରିଛନ୍ତି ବୋଲି ଡାକ୍ତରୀ ରିପୋର୍ଟ୍ କହୁଛି ।

୨. ନଗଡା ଗାଁ ରେ ୧୨୨ ଜଣ ଶିଶୁ ଅଛନ୍ତି ଯେଉଁମାନେ କି କେବଳ ଖାଇବାକୁ ଭାତ ଓ ଲୁଣ ଖାଇବାକୁ ପଆନ୍ତି ବୋଲି ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଉଷା ଦେବୀ ଖୋଲାଖୋଲି ସ୍ଵୀକାର କରିଛନ୍ତି ।

୩. ଜାନୁଆରୀ ରୁ ଜୁନ୍ ମାସ ମଧ୍ୟରେ ୨୨  ଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି ବୋଲି ସ୍ଥାନୀୟ ଲୋକ କହୁଥିବା ବେଳେ ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ର ଓ ଟାଟା ସ୍ଵାସ୍ଥ୍ୟ କେନ୍ଦ୍ରର ରିପୋର୍ଟ୍ ଆଧାରରେ ଏଠିକାର ଅପପୁଷ୍ଟି ଜନିତ ଶିଶୁ ମୃତ୍ୟୁ ସଂଖ୍ୟା ୧୨ ବୋଲି ସ୍ଵାସ୍ଥ୍ୟ ସଚିବ କହିଛନ୍ତି।

୪. ନଗଡା କୁ ମିଶେଇ ଆଉ ଚାରି ପାଂଚଟି ଗାଁ ପାଇଁ ଜଣେ ଆଶା କର୍ମୀ ଯିଏ କି ନଗଡାଠୁ ପ୍ରାୟ ୧୨ କିଲୋମିଟର୍ ଦୂର ଦେଓ ଗାଁ ରେ ରୁହନ୍ତି।ଜଣେ ଅଙ୍ଗନବାଡି  ଓ ସ୍ଵାସ୍ଥ୍ୟ ସହାୟିକା ନିଯୁକ୍ତି ପାଇଥିଲେ ହେଁ ସେମାନେ ପ୍ରାୟ ୧୦-୧୨ କିଲୋମିଟର୍ ଦୂରରେ ରୁହନ୍ତି।

୫. ଗାଁ ରେ ଲୋକଂକ ଜୀବିକା ହେଉଛି ପୋଡୁ ଚାଷ  ଓ ଛେଳି ଚାଷ । ପିଇବା  ପାଣିର କୌଣସି ସୁବିଧା ନାହିଁ।ପାହାଡ ଉପରକୁ ରାସ୍ତା ତିଆରି କରିବାକୁ ସରକାରୀ ଅଧିକାରୀ ମାନେ ଆଗ୍ରହୀ ନୁହନ୍ତି ।

୬. ପାହାଡ ଛାଡ଼ି ଆଦିବାସୀ ମାନେ ତଳକୁ ଆସନ୍ତୁ ବୋଲି ମନ୍ତ୍ରୀ ଉଷା ଦେବୀ ଓ ସ୍ଥାନୀୟ ବିଧାୟକ ପ୍ରୀତିଶ ଚନ୍ଦ୍ର ଘଡାଇ ଅଦ୍ଭୁତ ଯୁକ୍ତି ଦର୍ଶାଇଛନ୍ତି ।ବିକାଶ ଲାଗି ଉଦବାସ୍ତୁ ହେବାପରି ଅମାନବୀୟ ଓ ମୁର୍ଖତାପୂର୍ଣ ଯୁକ୍ତି ଆଦୌ ଗ୍ରହଣଯୋଗ୍ୟ ନୁହଁ ବୋଲି ମାନବ ଅଧିକାର ସଂଗଠନ ଓ ବିରୋଧୀ ଦଳ ଗୁଡିକ କହିଛନ୍ତି  ।

୭. ନଗଡା ଗାଁ ର ଏହି ଦୁର୍ଦ୍ଦିନ ସହିତ ଓଡିଶାର ବିକାଶ ତଥା ଅଭିବୃଦ୍ଧି କୁ କେମିତି ବିଶ୍ଲେଷଣ କରାଯିବ?ରାଜନୀତିରେ ସୁକିନ୍ଦା ର ପ୍ରଭାବଶାଳୀ ନେତୃତ୍ଵ ରହିଆସିଛି ।

ସୁକିନ୍ଦା ର ବିଧାୟକ ଓଡିଶାର ଅନ୍ୟତମ ଶକ୍ତିଶାଳୀ ନେତା।ପୂର୍ବତନ ବିଧାୟକ ତଥା ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଏହି ଅଂଚଳକୁ ଦୀର୍ଘ ବର୍ଷ ଧରି ପ୍ରତିନିଧିତ୍ଵ  କରି ଆସୁଥିଲେ। ଏଠାରେ ଟାଟା କମ୍ପାନୀ ବର୍ଷ ବର୍ଷ ଧରି ଖଣି ପକେଇ ବସିଛି। ତଥାପି ନଗଡା ର ଏହି ଅବସ୍ଥା କାହିଁକି ? ଏହାର  ଉତ୍ତର କିଏ ଦେବ ?

୮. ସ୍ଵାସ୍ଥ୍ୟ ସଚିବ ଆରତି ଆହୁଜାଂକ ଚାରି ପୃଷ୍ଠା ର  ଛୋଟିଆ ରିପୋର୍ଟ୍ ଟି ଗୋଟେ ବଡ ସମସ୍ୟା ବିଷୟରେ ଆମକୁ ଚିନ୍ତିତ କରାଇ ଦେଉଛି । ଯେଉଁ ମାନଂକ ସମ୍ପତ୍ତି କୁ ଖଣିରୁ ଖୋଳି ଆମେ ବିକାଶର ଇମାରତ ଗଢିଲୁ, ସେମାନଂକୁ ଆମେ ଦେଇଛୁ କଣ?

୯. ଓଡିଶା ସରକାର ଜଣ ମଂଗଳ ଯୋଜନା ମାଧ୍ୟମରେ ବାରମ୍ବାର ଲୋକଂକ ଆସ୍ଥା ଭାଜନ ହେଉଛନ୍ତି ବୋଲି କୁହା ଯାଉଛି।ଜନନୀ ସୁରକ୍ଷା ଯୋଜନା ଠୁଁ ହରିଶ୍ଚନ୍ଦ୍ର ଯୋଜନା ଅର୍ଥାତ୍ ପିଲା ଜନ୍ମ ଠୁ ମୃତ୍ୟୁ ପର୍ଯନ୍ତ ସବୁ କ୍ଷେତ୍ରରେ ଲୋକଂକୁ ସରକାରୀ ସହାୟତା ଯୋଗାଇ ଦିଆ ଯାଉଛି ବୋଲି ରାଜ୍ୟ ବିଜେଡି ସରକାର ବାହାବା ନେଉଛନ୍ତି ।ନଗଡା ଅପପୃଷ୍ଟି ଜନିତ ଶିଶୁ ମୃତ୍ୟୁ ଘଟଣା ରାଜ୍ୟ ସରକାରଂକ କଲ୍ୟାଣକାରୀ ଯୋଜନା ଗୁଡିକର ବିଫଳତା କୁ ପଦାରେ ପକାଇଦେଇଛି ।

୧୦. ରାଜ୍ୟ ସରକାରଂକ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ ମହିଳା ଓ ଶିଶୁଂକୁ ପୁଷ୍ଟିକର ଖାଦ୍ୟ ଯୋଗାଣ ତଥା ପୁଷ୍ଟି ଜନିତ ସଚେତନତା ସୃଷ୍ଟି ପାଇଁ ମମତା ଯୋଜନା, ପୁଷ୍ଟି ସହାୟତା ଓ ସଚେତନତା ଯୋଜନା, ଟୀକା କରଣ, ସ୍ବାସ୍ଥ୍ୟ ପରୀକ୍ଷା ସମେତ କନ୍ୟା ସନ୍ତାନ ପାଇଁ ଆହୁରି ଅନେକ ଯୋଜନା ର ଘୋଷଣା କରାଯାଇଛି ।ତେବେ ଘୋଷଣା ସହିତ କାର୍ଯ୍ୟକାରିତାର କୌଣସି ସମ୍ପର୍କ ଯେ ନାହିଁ, ଏହା ନଗଡା ରୁ ପ୍ରମାଣିତ ହେଉଛି ।

୧୧. ପ୍ରତି ମାସର ୧୫ ତାରିଖକୁ ରାଜ୍ୟ ସରକାର ପୁଷ୍ଟିକର ଦିବସ ଭାବରେ ପାଳନ କରି ଆସୁଛନ୍ତି।ଏହ ଦିନ ପ୍ରତି ଜିଲ୍ଲା, ବ୍ଲକ୍, ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ର ମାନକ ଅନୁଯାୟୀ ପ୍ରତି  ଶିଶୁର ପୁଷ୍ଟି ପରୀକ୍ଷା ହେବା କଥା।ନଗଡା ସମେତ ରାଜ୍ୟର ଆଦିବାସୀ ବହୁଳ ଗାଁ ଗୁଡିକରେ ଏହା ବିଲକୁଲ୍ କାର୍ଯ୍ୟ କରୁନାହିଁ।

ଓଡିଶା ଡଟ କମ

 

 

Filed Under: ମାନବାଧିକାର, ସ୍ୱାସ୍ଥ୍ୟ Tagged With: ଆଦିବାସୀ, ଓଡିଶା, କୋରାପୁଟ, ଗଣମାଧ୍ୟମ, ଗାଁ, ଚର୍ଚା, ଜୁଆଂଗ, ଯାଜପୁର, ର ନଗଡା ଗାଁ। ଏହା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ କନ୍ଧମାଳ, ସାମାଜିକ ଜୀବନ, ସୁକିନ୍ଦା

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା