• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଜଙ୍ଗଲ

ଆମ ଗାଁରେ ଆମେ ସରକାର

May 30, 2018 by ଘାସିରାମ ପଣ୍ଡା Leave a Comment

ସୁନ୍ଦରଗଡ ଜିଲ୍ଲାର ଛୋଟିଆ ଜଙ୍ଗଲ ଗ୍ରାମ ବାଞୀକଚ୍ଚାରରୁ ଏକ ବଡ ସାମ୍ବୀଧାନିକ ବିବାଦ ମୁଣ୍ଡଟେକିଛି । ପ୍ରାୟ ୩୨ ଘର ବିଶିଷ୍ଟ ଏହି ଗାଁର ଲୋକେ ଗତ କିଛି ଦିନ ହେବ ନିଜ ପାରମ୍ପାରିକ ସୀମା ଭିତରେ ଥିବା ଜମି ଓ ଜଙ୍ଗଲକୁ ସୁରକ୍ଷିତ ରିଖିବାକୁ ସଂଘର୍ଷ କରୁଛନ୍ତି ।

ମେ ୧୬ରେ ଏହା ଭିନ୍ନ ରୂପନେଲା ଯେତେବେଳେ ଏହି ଗ୍ରାମର ତିନିଜଣ ଯୁବକଙ୍କୁ ପୋଲିସ ଗିରଫ କଲା । ଲୋକେ ବୁଝିଥିଲେ ଯେ, ଲୁଟେରାଙ୍କ କବଳରୁ ଜୀବନଜୀବିକା, ଓ ପରମ୍ପରା ପାଇଁ ନିର୍ଭର କରିଆସୁଥିବା ଜଙ୍ଗଲକୁ ସୁରକ୍ଷିତ କରି ରଖିବାର ଅଧିକାର ସମ୍ବୀଧାନିକ ।

ହେଲେ ଏକଥା ବୁଝିପାରୁନଥିଲେ ଯେ, ଆଇନ ଓ ସମ୍ବୀଧାନ ପାଳନକୁ ତଦାରଖ ପାଇଁ ନିୟୋଜିତ ପୋଲିସ ନିଜେ ଅଭିଯୋଗକାରି ହେବ । ଏବେ ଆହୁରି ଅନେକକଙ୍କ ନାଁରେ ଅଭିଯୋଗ । ଗାଁ ସାରା ଭୟର ବାତାବାରଣ ।

ଅଭିଯୋଗକାରୀ ପୋଲିସ ଅଧିକାରୀଙ୍କ ବୟାନ ଅନୁଯାୟୀ ଜମକାନୀ ସଂରକ୍ଷିତ ଜଙ୍ଗଲରେ ଏକ ନିର୍ଦ୍ଦିଷ୍ଟ କମ୍ପାନୀର ଟାୱାର ନିର୍ମାଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ସେମାନେ ଯାଇଥିଲେ । ବାଞୀକଚ୍ଚାର ଓ ଆଖପାଖ ଗ୍ରାମର କିଛି ଲୋକ ‘ପେସା’ ଗ୍ରାମସଭା ସଦସ୍ୟ ପରିଚୟ ଦେଇ ସେମାନଙ୍କୁ ରୋକିଥିଲେ । ଏମାନେ ଜଙ୍ଗଲ ଭିତରେ ଟାୱାର ନିର୍ମାଣକୁ ବିରୋଧ କରୁଥିଲେ ।

ଆଇନ ଶୃଙ୍ଖଳା ନାଁରେ ପୋଲିସ କମ୍ପାନୀକୁ ସମର୍ଥନ ଓ ଲୋକଙ୍କ ଆନ୍ଦୋଳନକୁ ଦମନ କରିବା ପାଇଁ ଆସିଥିବା ଜାଣିବା ପରେ ଉଚ୍ଚବାଚ ହେଲା । ପୋଲିସ ଟାୱାର ନିର୍ମାଣ ସ୍ଥଳୀକୁ ପହଞ୍ôଚ ନପାରି ଫେରିଯାଇଥିବା କାରଣରୁ ଆଇନଗତ କାର୍ଯରେ ବାଧା ଅଭିଯୋଗ ଆଣିଛନ୍ତି ।

ପ୍ରଶ୍ନ ଉଠୁଛି ଗ୍ରାମସଭା ସଦସ୍ୟ ନାଁ ପୋଲିସ, କିଏ ଆଇନଗତ କାର୍ଯରେ ବାଧା ଦେଉଥିଲେ? ୭୩ ତମ ସମ୍ବୀଧାନ ସଂଶୋଧନ ହେଲାପରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟକାରିହେଲା । ଏହା ଗ୍ରାମସଭା ମାଧ୍ୟମରେ ଶାସନ ପ୍ରକ୍ରିୟାରେ ଲୋକଙ୍କ ସହଭାଗିତାକୁ ସୁନିଶ୍ଚିତ କଲା । ଆଦିବାସୀ ବହୁଳ ଅଞ୍ଚଳରେ ଥିବା ପାରମ୍ପାରିକ ବ୍ୟବସ୍ଥା ଭିନ୍ନ ଥିବା ହେତୁ ଅନୁସୂଚୀତ ଅଞ୍ଚଳରେ ପଞ୍ଚାୟତ ସମ୍ପସାରଣ ପାଇଁ ପୁଣିଥରେ ୧୯୯୬ରେ ନୂତନ ଆଇନ ପ୍ରଣିତ ହେଲା ।

ଏହାକୁ (ଚବଦ୍ଭମଷଚ୍ଚବଗ୍ଧ ଋଙ୍ଘଗ୍ଧରଦ୍ଭଗ୍ଦସକ୍ଟଦ୍ଭ ଗ୍ଧକ୍ଟ ଝମଷରୟଙ୍କକ୍ଷର ଇକ୍ସରବ ଇମଗ୍ଧ) ପେସା ଆଇନ କୁହାଯାଏ । ଏହି ଆଇନ ଅନୁସାରେ ଅନୁସୁଚୀତ ଅଞ୍ଚଳର ପ୍ରତ୍ୟେକ ପଡାଗ୍ରମର ସଭାକୁ ଗ୍ରାମସଭା କୁହାଯାଏ । ଗ୍ରାମର ସମସ୍ତ ସାବାଳକ/ଳିକା ଏହାର ସଦସ୍ୟ/ସ୍ୟା ଅଟନ୍ତି । ନିଜ ଗାଁର ପାରମ୍ପାରିକ ସୀମାରେ ଗ୍ରାମସଭାର କତ୍ତୃତ୍ୱ ରହିଛି ।

ଜମୀ, ଜଙ୍ଗଲ, ଜଳ ଓ ସର୍ବସାଧାରଣ ସମ୍ପତ୍ତି ଉପରେ ମାଲିକାନା, ଜମୀ ବିକ୍ରିବଟା ବା ବନ୍ଧକ ଉପରେ ନିୟନ୍ତ୍ରଣ, ଗାଁ ବିବାଦର ସମାଧାନ, ମହାଜନୀ କାରବାର, ହାଟ, ଲଘୁ ବନଜାତ ଦ୍ରବ୍ୟ କ୍ରୟ ବିକ୍ରୟ ଉପରେ ଗ୍ରାମସଭାର ନିଷ୍ପତ୍ତି ଚୁଡାନ୍ତ । ପରବର୍ତ୍ତି ସମୟରେ ୨୦୦୬ ମସିହାରେ ଜଙ୍ଗଲ ଅଧିକାର ଆଇନ ପାରିତ ହେଲାପରେ ଗ୍ରାମସଭାର କ୍ଷମତା ପୁନଃ ସ୍ୱୀକୃତ ଓ ଦୃଢ ହେଲା ।

ଏହା ପାରମ୍ପାରିକ ସୀମା ଭିତରେ ଥିବା ଜଙ୍ଗଲ ଅଞ୍ଚଳ ଉପରେ ସମସ୍ତ ପ୍ରକାରର ନିଷ୍ପତ୍ତି ନିର୍ଣ୍ଣୟର ଅଧିକାର ଗ୍ରାମସଭାକୁ ଦେଇଛି । ଏହି ପାରମ୍ପରିକ ସୀମା ଭିତରେ ସରକାର ସମେତ ଅନ୍ୟ କେହି ପ୍ରବେଶ କିମ୍ବା କୌଣସି କାର୍ଯ୍ୟ ହାତକୁ ନେବା ପୂର୍ବରୁ ଗ୍ରାମସଭାର ଅନୁମତି ନେବା ଅନିବାର୍ଯ୍ୟ ।

ସୁନ୍ଦରଗଡ ଏକ ଅନୁସୁଚୀତ ଅଞ୍ଚଳ ହେତୁ ଏଠି ପେସା ଆଇନ ପ୍ରଯୁଜ୍ୟ । ବାଞୀକଚ୍ଚାର ସମେତ ଅନ୍ୟାନ୍ୟ ଗ୍ରାମସମୁହ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଦାବୀ ଦାଖଲ କରିଛନ୍ତି । ଏହିପରି ଆଇନଗତ ସ୍ଥିତିରେ ପେସା କର୍ମିମାନେ ନିଜ ପାରମ୍ପାରିକ ସୀମାରେ ଥିବା ଜମୀ ଓ ଜଙ୍ଗଲର ସୁରକ୍ଷା ପାଇଁ ପଦକ୍ଷେପ ନେବା ଆଇନ ବିରୋଧି ନୁହେଁ ।

ଓଜିଟିପିସିଏଲ ଉଚ୍ଚ କ୍ଷମତା ସମ୍ପନ୍ନ ତାର ଟାଣିବା ପାଇଁ ସଂରକ୍ଷିତ ଜଙ୍ଗଲ ଭିତରେ ଏହି ଟାୱାର ନିର୍ମାଣ କରୁଛି । ଏଥି ପାଇଁ ଏପର୍ଯ୍ୟନ୍ତ ଜଙ୍ଗଲକୁ ଅଣଜଙ୍ଗଲ କାର୍ଯ୍ୟପାଇଁ ବ୍ୟବହୃତ କରିବା ନେଇ ଅନୁମତି ଦିଆଯାଇ ନାହିଁ । ଜଙ୍ଗଲ ଅଞ୍ଚଳରେ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଅଧିକାର ସ୍ୱୀକୃତିର ପ୍ରକ୍ରୟା ନସରିବା ପର୍ଯ୍ୟନ୍ତ ଦାବୀ ଆବେଦନକାରୀଙ୍କୁ ବିସ୍ଥାପିତ କରାଯାଇ ପାରିବ ନାହିଁ ।

ବାଞୀକଚ୍ଛାର ଓ ପାଖାପାଖି ଗ୍ରାମ ଜଙ୍ଗଲ ଗ୍ରାମ ଅଟନ୍ତି । ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଏହି ଗ୍ରାମସବୁ ରାଜସ୍ୱ ଗ୍ରାମରେ ପରିଣତ ହେବା କଥା, ଯାହା ଏପର୍ଯନ୍ତ ହୋଇପାରି ନାହିଁ । ଗ୍ରାମବାସୀ ଆବେଦନ କରିଥିବା ବ୍ୟକ୍ତିଗତ ଓ ସାମୁହିକ ଦାବୀ ଆବେଦନ ମଧ୍ୟ ଏପର୍ଯ୍ୟନ୍ତ ସ୍ୱୀକୃତ ହୋଇ ନାହିଁ ।

ସବୁଠାରୁ ଚକିତ ହେବା ଭଳି କଥା, ଏହି ଅନୁଷ୍ଠାନ ସୁନ୍ଦରଗଡ ଅନୁସୂଚିତ ଅଞ୍ଚଳ ନୁହେଁ (!) ବୋଲି ଜଙ୍ଗଲ ଅଞ୍ଚଲରେ କାର୍ଯ୍ୟ ହେତୁ ଆବଶ୍ୟକ ହେଉଥିବା ଅନୁମତି ପାଇଁ ଆବେଦନ ପତ୍ରରେ ଉଲ୍ଲେଖ କରିଛି । ଗୋଟିଏ ପଟେ ଦେଶର ସମ୍ବୀଧାନ, ଆଇନ ସବୁ ଲୋକଙ୍କ ସପକ୍ଷରେ ଥିବା ବେଳେ ଆଇନକୁ ଫାଙ୍କି କମ୍ପାନି ତିଆରି କରୁଥିବା ଟାୱାରକୁ ପ୍ରଶାସନର ସକ୍ରୀୟ ସହଯୋଗ ସମ୍ବୀଧାନର ଅବମାନନା ନୁହେଁକି?

୧୯୯୬ରେ ପେସା ଆଇନ ଆସିବା ପରେ ଅନୁସୂଚିତ ଅଞ୍ଚଳ ସ୍ୱାୟତ୍ତ ଶାସିତ ହେବ ବୋଲି ଆଶା କରାଯାଉ ଥିଲା । ଏହା ହୋଇଥିଲେ ଆଦିବାସୀ ପରମ୍ପରା, ଭାଷା ଇତ୍ୟାଦି ସୁରକ୍ଷିତ ଓ ସମୃଦ୍ଧ ହେବା ସହ ସେମାନେ ନିଜର ପରିଚିତିକୁ ଦୃଢ କରିପାରି ଥାନ୍ତେ । ପେସା ଆଇନ ବଳରେ ଆଦିବାସୀମାନେ ନିଜ ପାଇଁ ନିଜେ ବିକାଶର ସଜ୍ଞା ନିରୂପଣ କରିପାରିବେ । ହେଲେ ଶାସନ, ପ୍ରଶାସନର ଅଭିସନ୍ଧି ଏବଂ ଅନିଚ୍ଚା ଭାବ ଏହାକୁ କାର୍ଯ୍ୟକାରୀ ହେବାକୁ ଦେଉ ନାହିଁ ।

ପ୍ରତିବାଦ ସ୍ୱରୂପ ଝାରଖଣ୍ଡ, ଛତିଶଗଡ, ଓଡିଶାର ବିଭିନ୍ନ ଆଦିବାସୀ ବହୁଳ ଗାଁମାନେ ସମ୍ବୀଧାନକୁ ନିଜ ହାତକୁ ନେଇଛନ୍ତି । ଅନେକ ଗାଁରେ ପ୍ରବେଶ ପଥ, ଗାଁ ଓ ଜଙ୍ଗଲ ସୀମାରେ ପଥର ଖୁଣ୍ଟ ପୋତି ସମ୍ବୀଧାନ ଓ ଆଇନରେ ଥିବା ନୀୟମକୁ ଉଲ୍ଲେଖ କରି ନିଜ ଅଧିକାରକୁ ଜାହିର କରିଛନ୍ତି । ଏହା ‘ଆମ ଗାଁରେ ଆମେ ସରକାର’ ଭାବେ ବେଶ ଲୋକପ୍ରିୟ ହେଉଛି ।

ଅନୁସୂଚିତ ଅଞ୍ଚଳମାନଙ୍କରେ ଥିବା ପ୍ରକୃତିକ ସମ୍ପଦ ମୂଳ ନିବାସିଙ୍କ ପାଇଁ ବଞ୍ଚିବାର ରାହା ହୋଇଥିବା ବେଳେ, ପୁଞୀପତିଙ୍କ ପାଇଁ ଲାଭର ଉତ୍ସ, ଏଣୁ ଲୋଳୁପ ଦୃଷ୍ଟିର ଶିକାର ହେଉଛି । ମୂଳ ନିବାସୀଙ୍କ ଅଧିକାରକୁ ସମ୍ବୀଧାନ ସୁରକ୍ଷିତ କରୁଥରଲେ ହେଁ, ଶାସନରେ ଥିବା ସରକାର ପୁଞିପତିଙ୍କ ସପକ୍ଷରେ । ଏଣୁ ‘ଆମ ଗାଁରେ ଅମେ ସରକାର’ ଶାସକ ବର୍ଗଙ୍କ ଦ୍ୱାରା ଗ୍ରହଣିୟ ହୋଇପାରୁ ନାହିଁ ।

ଏଣୁ ଏହାକୁ ଦମନ କରିବା ପାଇଁ ପେସା କର୍ମିଙ୍କୁ ଆଇନ ବିରୋଧି କହି ଗିରଫ କରାଯାଇଛି । ଲୋକମତରେ ନିର୍ବାଚିତ ସରକାର ପୁଞିପତିଙ୍କ ନିର୍ଦ୍ଦେଶରେ ପରିଚାଳିତ ହେଲେ ଗଣତନ୍ତ୍ର ବିପଦମୁଖି ହେବ । ଆମ ଗାଁରେ ଆମେ ସରକାର ଭଲି ଚିନ୍ତନ ଓ ପ୍ରୟାସ ହିଁ ଏହକୁ ଠିକ ବାଟକୁ ଆଣିପାରିବ ।

Filed Under: ରୋକ ଠୋକ Tagged With: ଜଙ୍ଗଲ, ଜମୀ

ଜଙ୍ଗଲ ଅଧିକାରର ଯୁଗ ଶେଷ !

May 14, 2018 by ଘାସିରାମ ପଣ୍ଡା Leave a Comment


ଜଙ୍ଗଲ ଅଧିକାର ଆଇନ ପ୍ରଣୀତ ହେବା ଦିନ ଠାରୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହାର ବିରୋଧ କରି ଆସୁଛନ୍ତି । ଏହି ଆଇନ କାର୍ଯ୍ୟକାରି ନକରିବାକୁ ଆବେଦନ ଏବେ ବି ନ୍ୟାୟାଳୟର ବିଚାରାଧିନ ଅଛି । ଆଇନ କାର୍ଯକାରୀ ହେଲେ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକେଇବ, ବାଘ ସମେତ ଅନ୍ୟାନ୍ୟ ବନ୍ୟ ଜନ୍ତୁଙ୍କ ଜୀବନ ବିପନ୍ନ ହେବ ଏମିତି କିଛି ଯୁକ୍ତି ଜଙ୍ଗଲ ଅଧିକାର ଆଇନ ବିରୁଦ୍ଧରେ ରଖାଯାଇଛି ।

୨୦୦୮ରେ ଏହି ଆଇନକୁ କାର୍ଯ୍ୟକାରି କରିବା ପାଇଁ ନୀୟମାବଳୀ ପ୍ରଣୀତ ହେଲା । ଏହା ସତ୍ୱେ ନ୍ୟାୟାଳୟରେ ବିଚାରାଧିନ ଥିବା କାରଣରୁ ଆଇନର କାର୍ଯ୍ୟକାରିତାରେ ବର୍ଷେ ବିଳମ୍ବ ହେଲା । ପରେ ନ୍ୟାୟାଳୟଙ୍କ ନିର୍ଦ୍ଦେଷ ମୂତାବକ ୨୦୦୯ ପର ଠାରୁ ଆମ ରାଜ୍ୟରେ ଏହା କାର୍ଯ୍ୟକାରି ହୋଇ ଆସୁଛି । ଏହାରି ଭିତରେ ଆଠ ବର୍ଷ ବିତିଗଲାଣି ।

ଜଙ୍ଗଲ ଅଧିକାର ଆଇନ ପ୍ରକୃତରେ ପରିବେଶ ପ୍ରତିକୂଳ ହୋଇଥିଲେ ଏପର୍ଯନ୍ତ ଏହା ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ମିଳି ସାରିଥାନ୍ତା ! ଏଣୁ ପରିବେଶ ଓ ବନ୍ୟ ଜନ୍ତୁଙ୍କ ଅସୁରକ୍ଷା ଏହାକୁ ବିରୋଧ କରିବାର ପ୍ରକୃତ କାରଣ ନୁହେଁ । ଅସଲ କଥାଟି ହେଉଛି ଏହି ଆଇନର ସଫଳ କାର୍ଯକାରିତାରେ ଦୀର୍ଘ ଦିନ ଧରି ନିଜ କତ୍ତୃତ୍ୱ ଓ କ୍ଷମତା ଦେଖାଇ ଆସୁଥିବା ଜଙ୍ଗଲ ବିଭାଗ ଅଧିନରୁ କିଛି ଜଙ୍ଗଲ ଅଂଚଳ ଲୋକଙ୍କ ନିୟନ୍ତ୍ରଣାଧିନ ହେବ ।

ଜଙ୍ଗଲ ଅଧିକାର ଆଇନର ପ୍ରାରମ୍ଭରେ ଏକଥା ଉଲ୍ଲେଖ ଅଛି ଯେ, ବନବାସୀମାନେ ପୁରୁଷାନୁକ୍ରମେ ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରି ଆସୁଛନ୍ତି । ଜଙ୍ଗଲକୁ ନେଇ ସେମାନଙ୍କର ଜୀବିକା ଓ ପରିଚିତି । ଏହା ସତ୍ୱେ ସ୍ୱାଧିନୋତ୍ତର ଭାରତ ବର୍ଷରେ ଜଙ୍ଗଲ ଉପରେ ନିର୍ଭରଶୀଳତାକୁ ଅନୁପ୍ରବେଶ ଓ ଅପରାଧ ଭାବରେ ଜଙ୍ଗଲ ବିଭାଗ ବିବେଚନା କରୁଥିଲେ । ଏଥି ଯୋଗୁଁ ବନବାସୀମାନେ ଅତ୍ୟାଚାର ଓ ଶୋଷଣର ଶିକାର ହେଉଥିଲେ ।

ଏହା ବିରୁଦ୍ଧରେ ସମଗ୍ର ଭାରତ ବର୍ଷରେ ହୋଇଥିବା ପ୍ରବଳ ଜନ ଆନ୍ଦୋଳନର ଚାପରେ ତକ୍ରାଳିନ ସରକାର ଜଙ୍ଗଲ ଅଧିକାର ଆଇନ ପ୍ରଣୟନ କଲେ । ବନବାସୀଙ୍କ ପାରମ୍ପରିକ ଅଧିକାରର ପୁନଃ ସ୍ୱୀକୃତି ସହ ସେମାନଙ୍କ ପ୍ରତି ହୋଇଥିବା ଏ÷÷ତିହାସିକ ଅନ୍ୟାୟ ଦୂର କରିବାକୁ ଏହି ଆଇନ ପ୍ରତିଶୃତିବଦ୍ଧ । ଏହି ଆଇନର ଆଉ ଏକ ବିଶେଷତ୍ୱ ହେଲା ଅଧିକାରର ସ୍ୱୀକୃତି ପ୍ରକ୍ରିୟା ଗ୍ରାମସଭା ମାଧ୍ୟମରେ ହେବ ।

ଅର୍ଥାତ କେତେ ଜଙ୍ଗଲାଂଚଳ ଲୋକଙ୍କ ଅଧିକାର ପରିସରକୁ ଆସିବ ତାହା ଲୋକେ ସ୍ଥିର କରିବେ । ଅନ୍ୟ ଜମୀଜମା ଆଇନ ଭଳି ଏଥିରେ ସରକାରୀ ଅଧିକାରୀଙ୍କୁ ଗୁରୁତ୍ୱ ଦିଆଯାଇ ନାହିଁ ଓ ନିଷ୍ପତ୍ତି ନିର୍ଣ୍ଣୟ କରିବା ପ୍ରକ୍ରୟାରେ ଲୋକଙ୍କ କ୍ଷମତାକୁ ଦୃଢ କରାଯାଇଛି । ଏହା ପ୍ରକୃତ ପକ୍ଷେ କ୍ଷମତାର ପଟ୍ଟ ପରିବର୍ତ୍ତନ କରିପାରିଛି । ଗଣତାନ୍ତ୍ରିକ ପ୍ରକ୍ରୟାରେ ଏହା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ହେଲେ ବି କ୍ଷମତା ଲୋଭି ଅଧିକାରୀମାନେ ସର୍ବଦା ଜଙ୍ଗଲ ଅଧିକାରର ଅସଫଳତା କାମନା କରି ଆସିଛନ୍ତି ।

ନୀୟମଗିରୀରେ ଖଣି ଖନନ ଓ ଢିଙ୍କିଆରେ କାରଖାନା ସ୍ଥାପନ ପରିପ୍ରେକ୍ଷିରେ ସ୍ଥାନୀୟ ଅଧିବାସୀ ଜଙ୍ଗଲ ଅଧିକାର ଆଇନକୁ ବ୍ୟବହାର କରି ନିଜର ଅଧିକାର ଜାହିର କରିସାରିଛନ୍ତି । ଏପରି କିଛି ହାତ ଗଣତି ସଫଳତାକୁ ଛାଡିଦେଲେ ଜଙ୍ଗଲ ଅଧିକାର ଆଇନ ଲୋକଙ୍କ ପାଖକୁ ପହଂଚି ପାରିନାହିଁ । ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସ୍ୱୀକୃତି ପ୍ରଦାନରେ ଆମ ରାଜ୍ୟ ସରକାର ଦେଶରେ ସର୍ବାଧିକ ପରିବାରକୁ ସ୍ୱୀକୃତି ପତ୍ର ଦେଇଛନ୍ତି ଓ ଏଥିପାଇଁ ବାହାବା ନିଅନ୍ତି ।

ଆଇନ ଅନୁଯାୟୀ ବନବାସୀମାନେ ଯେତେ ଜମୀରେ ପାରମ୍ପାରିକ ଭାବରେ ଜୀବନଜୀବିକା ପାଇଁ ନିର୍ଭର କରୁଛନ୍ତି ତାରି ଉପରେ ସ୍ୱୀକୃତି ନାମା ପାଇ ପାରିବେ । ଏହା ଅତି ବେଶିରେ ୧୦ ଏକର ପର୍ଯ୍ୟନ୍ତ ହୋଇ ପାରିବ । ହେଲେ ହାରାହାରି ଭାବରେ ଆମ ରାଜ୍ୟରେ ବନବାସୀମାନେ ପରିବାର ପିଛା ଦେଢ ଏକରରୁ ଅଧିକ ଉପରେ ସ୍ୱୀକୃତି ପାଇ ନାହନ୍ତି । ଏବେବି ସୁରକ୍ଷିତ ଓ ସଂରକ୍ଷିତ ଜଙ୍ଗଲରେ ଥିବା ସେମାନଙ୍କ ଅଧିକାର ସ୍ୱୀକୃତ ହୋଇନାହିଁ ।

ଯଦି ଜଣେ ପାଂଚ ଏକର ଜମୀ ପାରମ୍ପରିକ ଭାବେ ଦଖଲ କରି ଆସୁଥିଲେ, ସେଥିପାଇଁ ଦାବୀ ଆବେଦନ କରିଥିଲେ ହେଲେ ଦେଢ ଏକର ଉପରେ ସ୍ୱୀକୃତି ପାଇଲେ ଏହା ତାଙ୍କର ଲାଭ ହେଲା ନା କ୍ଷତି ? ଦେଢ ଏକର ବାହାରେ ଆଉ ଯାହା ରହିଲା ନିୟମାନୁଯାୟୀ ଏହା ତାଙ୍କ ହାତରୁ ଚାଲିଗଲା । ଏପରି ଅନେକ ଅଭିଯୋଗ ଥିଲେ ବି ଆଇନଗତ ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ ।

ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କ ଦାବୀପତ୍ରକୁ ଏପର୍ଯ୍ୟନ୍ତ ଗ୍ରହଣକୁ ନିଆଯାଉ ନାହିଁ । ସମୁହିକ ଅଧିକାର କ୍ଷେତ୍ରରେ ତ ସ୍ଥତି ଆହୁରି ସଂଘାତିକ । କଳାହାଣ୍ଡି ଜିଲ୍ଲାର ଜାମଗୁଡା ବାହାଲି ପରେ ଆଉ ଗୋଟିଏ ବି ଗାଁକୁ ବାଉଁଶ ଉପରେ ଅଧିକାର ଦିଆଯାଇ ପାରିନାହିଁ । କେନ୍ଦୁ ପତ୍ରର ମାଲିକାନା ସତ୍ୱ ଏବେ ବି ଜଙ୍ଗଲ ବିଭାଗ ହାତରେ । ଓଡିଶାରେ ହଜାର ହଜାର ଗାଁ ସ୍ୱତଃ ଜଙ୍ଗଲ ସଂରକ୍ଷଣ ଓ ପରିଚାଳନା କରିବାର ଉଦାହରଣ ତିଆରି କରିଛନ୍ତି ।

ଏହି ଆଇନ ଅନୁସାରେ ଏସବୁ ଅଂଚଳ ଏବେ ଲୋକଙ୍କ ମାଲିକାନରେ ରହିବା କଥା । ହେଲେ ଏବେବି ବନ ସଂରକ୍ଷଣ ସମିତି ନାରେ ଜଙ୍ଗଲ ବିଭାଗ ନିଜ ନିୟନ୍ତ୍ରଣରେ ରଖିଛନ୍ତି । ଜୁଆଙ୍ଗ, ବଣ୍ଡା ଭଳି ନିର୍ଦ୍ଦିଷ୍ଟ ଭାବେ ବିପଦ ସଙ୍କୁଳ ଜନଜାତିଙ୍କ ବାସ ଓ ବସତିର ଅଧିକାର, ଜଙ୍ଗଲ ବସତି ମାନଙ୍କୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଭୃତି ଅବହେଳିତ । ଜଙ୍ଗଲ ବିଭାଗର ସମ୍ପତ୍ତ ଉପରେ ମାଲିକାନାର ଲୋଭ ଓ କ୍ଷମତା ମୋହ ରାଜ୍ୟ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତିକୁ ପ୍ରଭାବିତ କରୁଛି ।

ଜଙ୍ଗଲ ଅଧିକାର ଆଇନ ପ୍ରଣୟନ କରି ଜନ ଆନ୍ଦୋଳନ ଜିତାପଟ ହାସଲ କରିଥିଲେ ବି ପରବର୍ତ୍ତି ସମୟ ମାନଙ୍କରେ ଜଙ୍ଗଲ ବିଭାଗର ପ୍ରଶାସନିକ ଅସହଯୋଗ ଓ ପ୍ରଭାବ ବଳରେ ଜଙ୍ଗଲ ଅଧିକାର ଆଇନକୁ ଅକାମି କରି ନିଜର ପୁର୍ବ ପ୍ରଭାବ ବଜାୟ ରଖିଛନ୍ତି । ୨୦୧୧ ମସିହରେ ଯୁଗ୍ମ ଜଙ୍ଗଲ ପରିଚାଳନା ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇ ଫରେଷ୍ଟର ବଦଳରେ ଗାଁ ଲୋକଙ୍କୁ ବନ ସଂରକ୍ଷଣ ସମିତିର ସଂପାଦକ କରାଯାଇଥିଲା ।

ହେଲେ ପରବର୍ତ୍ତି ସମୟରେ ପୁଣି ଏହାକୁ ପରିବର୍ତ୍ତନ କରାଯାଇ ଫରେଷ୍ଟରଙ୍କୁ ସମ୍ପାଦକ କରାଯିବା ପାଇଁ ବିଜ୍ଞପ୍ତି ଜରି କରାଗଲା । ସେହିପରି ଜଙ୍ଗଲ ଅଧିକାର ଆଇନର ଅନୁପାଳନ ପୂର୍ବକ ଲୋକଙ୍କୁ ସାମୁହିକ ବନ ଅଧିକାର ପ୍ରଦାନ ବଦଳରେ ରାଜ୍ୟ କ୍ୟାବିନେଟ ଅନୁମୋଦନରେ ‘ଆମ ଜଙ୍ଗଲ ଯୋଜନା’ ପ୍ରଣୟନ କରି ବିଭାଗ ବନ ଅଂଚଳକୁ ନିଜ ନିୟନ୍ତ୍ରଣରେ ରଖିବାକୁ ସଫଳ ହେଲେ । ଆଉ ଏବେ କାମ୍ପା ଆଇନ ପ୍ରଣିତ ହେଲାପରେ ଜଙ୍ଗଲ ବିଭାଗର ବଡ ଜିତାପଟ ହୋଇଛି ।

ଏହି ନୂତନ ଆଇନ ଜଙ୍ଗଲ ଅଧିକାର ଆଇନରେ ପ୍ରଦତ୍ତ ଗ୍ରାମସଭାର କ୍ଷମତାକୁ ପ୍ରଭାବିତ କରିବ ଓ ପ୍ରଶାସନିକ ଅଧିକାରୀଙ୍କ କ୍ଷମତା ପୁନଃ ପ୍ରତିଷ୍ଠିତ ହେବ । ଅନେକଙ୍କ ବଳିଦାନ ଓ ଦୃଢ ଆନ୍ଦୋଳନ ଫଳରେ ପ୍ରଣିତ ଜଙ୍ଗଲ ଅଧିକାର ଆଇନ, ସୁଫଳ ମିଳିବା ପୂର୍ବରୁ କ୍ଷମତାଲୋଭି ପ୍ରଶାସନର ଚକ୍ରବ୍ୟୁହରେ ଆବଦ୍ଧ । ଆଇନ ପ୍ରଣୟନ ହେଲା ପରେ ଢିଲା ପଡି ଯାଇଥିବା ଜନ ଆନ୍ଦୋଳନ ପୁଣି ସକ୍ରିୟ ନହେଲେ ଜଙ୍ଗଲ ଅଧିକାର ଯୁଗର ଅବଶାନ ହିଁ ହେବ ।

Filed Under: ପରିବେଶ Tagged With: ଜଙ୍ଗଲ, ପରିବେଶ

ଜଙ୍ଗଲ ଅଧିକାରକୁ ସରକାରଙ୍କ ଉଲଂଘନ

May 12, 2018 by ଘାସିରାମ ପଣ୍ଡା Leave a Comment

 


ଉଜୁଡା ଜଙ୍ଗଲର ପୁନରୁଦ୍ଧାର ପାଇଁ ଆମ ରାଜ୍ୟ ସରକାର ଏକ ନୂତନ କାର୍ଯ୍ୟକ୍ରମ ‘ଆମ ଜଙ୍ଗଲ ଯୋଜନା’ ପ୍ରଣୟନ କରିବା ପାଇଁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ଅନୁମୋଦନ କରିଛନ୍ତି । ଏହି ଯୋଜନାରେ ୩୦ଟି ବନଖଣ୍ଡରେ ୧୧୭୦.୨ କୋଟି ବ୍ୟୟରେ ୨ ଲକ୍ଷ ୬୦ ହଜାର ହେକ୍ଟର ଜଙ୍ଗଲର ପୁନରୁଦ୍ଧାର କାରାଯିବ । ଏଥିପାଇଁ ୭ ହଜାର ବନ ସଂରକ୍ଷଣ ସମିତିଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବ ।

ରାଜ୍ୟରେ ଜଙ୍ଗଲ ବୃଦ୍ଧି ଓ ତଦ୍ ଜନିତ ଜୀବନ ଜୀବିକାର ସୁଯୋଗ ସୃଷ୍ଟି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ଯୋଜନା ଆରମ୍ଭରୁ ବନ ବିଭାଗର ଆଚରଣ ଚିନ୍ତାର କାରଣ ହୋଇଛି । ଯୋଜନା ଆରମ୍ଭ କରିବାକୁ ଯାଇ ବନ ବିଭାଗ ନଂ ୨୫୨୫/ଉୠଚଗଚ – ୦୪/ ୨୦୧୪ ତା୨୬.୮.୨୦୧୪ ମାଧ୍ୟମରେ ବେସରକାରୀ ସଂଗଠନର ଭାଗିଦାରୀତା ହେତୁ ଆଗ୍ରହ ପ୍ରକାଶ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ ।

କହିବାକୁ ଗଲେ ଏହି ଦିନଠାରୁ ବିଭାଗ ଆମ ଜଙ୍ଗଲ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି । ହେଲେ ଏବେ ପ୍ରାୟ ଦେଢ ବର୍ଷ ପରେ ଏଥିପାଇଁ କ୍ୟାବିନେଟର ଅନୁମୋଦନ ଆବଶ୍ୟକ ହେଲା କାହିଁକି ? ଅନ୍ୟ ଅର୍ଥରେ ବିନା କ୍ୟାବିନେଟ ଅନୁମୋଦନରେ ବିଭାଗ ସର୍ବସାଧାରଣରେ ବିଜ୍ଞପ୍ତି ପ୍ରକାଶ କରିଥିଲେ କେମିତି?
ଆମ ଜଙ୍ଗଲ ଯୋଜନାର ବିଜ୍ଞପ୍ତି ପ୍ରକାଶିତ ହେଲାପରେ ଏହାକୁ ନେଇ ଜଙ୍ଗଲ ଅଧିକାର ପାଇଁ କାର୍ଯ୍ୟକରୁଥିବା କର୍ମକର୍ତ୍ତାଙ୍କ ଠାରୁ ପ୍ରତିବାଦର ସ୍ୱର ଶୁଣିବାକୁ ମିଳିଥିଲା । ବିଶେଷ କରି ବନ ସଂରକ୍ଷଣ ସମିତି ମାଧ୍ୟମରେ ଜଙ୍ଗଲର ପୁନରୁଦ୍ଧାର ବାହାନାରେ ଜଙ୍ଗଲ ଉପରେ ବନବାସୀଙ୍କ ଅଧିକାର ବଦଳରେ ବନ ବିଭାଗର କତୃତ୍ୱକୁ ପୁନଃ-ଅବସ୍ଥାପିତ କରିବାରେ ସହାୟକ ହେବାର ଆଶଙ୍କା ବ୍ୟକ୍ତ କରାଯାଇଥିଲା ।

ଏକଥା ଉଲ୍ଲେଖ ଯୋଗ୍ୟ ଯେ, ତଫସିଲ ଭୂକ୍ତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପାରିକ ବନବାସୀଙ୍କ ପ୍ରତି ହୋଇଥିବା ଐତିହାସିକ ଅନ୍ୟାୟକୁ ଦୂର କରିବା ଓ ଜଙ୍ଗଲ ଉପରେ ଥିବା ସେମାନଙ୍କର ପାରମ୍ପାରିକ ଅଧିକାରକୁ ସ୍ୱୀକୃତୀ ଦେବାପାଇଁ ଜଙ୍ଗଲ ଅଧିକାର ଆଇନ ୨୦୦୬ ପ୍ରଣୟନ କରାଯାଇଛି । ଏହି ଆଇନର ଧାରା ୩-୧ (ଠ) ବନବାସୀଙ୍କୁ ନିଜର ପାରମ୍ପାରିକ ଜଙ୍ଗଲ ସମ୍ବଳର ଚିରସ୍ଥାୟୀ ବ୍ୟବହାର ହେତୁ ସଂରକ୍ଷଣ , ପୁନଃଜନନ ଓ ପରିଚାଳନାର ଅଧିକାର ପ୍ରଦାନ କରିଛି ।

ଧାରା ୫ ଗାମସଭାକୁ ବନ୍ୟଜୀବ, ଜଙ୍ଗଲ ଓ ଜୈବବିବିଧତାର ସୁରକ୍ଷା ପାଇଁ ନିଷ୍ପତ୍ତି ନେବାକୁ କ୍ଷମତାଶାଳୀ କରିଛି । ଧାରା ୪ (୧) ଅନୁଯାୟୀ ଗ୍ରାମସଭା ଏ ସବୁର ପରିଚାଳନା ପାଇଁ ଗ୍ରାମବାସୀଙ୍କୁ ନେଇ କମିଟି ତିଆରି କରିପାରିବ । ଜଙ୍ଗଲ ଅଧିକାର ନୀୟମାବଳୀ (ସଂଶୋଧିତ) ୨୦୧୨ର ଧାରା ୫ (ଞ) ଅନୁଯାୟୀ ଗ୍ରାମସଭା ଦ୍ୱାରା ଗଠିତ ହୋଇଥିବା ଏହି କମିଟି ଗ୍ରାମସଭା ଅଧିନରେ ଥିବା ଜଙ୍ଗଲ ସମ୍ବଳର ପରିଚାଳନା ଯୋଜନା ପ୍ରସ୍ତୁତ କରିବ ଯାହାକି ପୂର୍ବରୁ ଜଙ୍ଗଲ ବିଭାଗ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟ ଯୋଜନାରେ ସମନ୍ୱୀତ ହେବ ।

ଜଙ୍ଗଲ ବିଭାଗ ଦ୍ୱାରା ପ୍ରସ୍ତାବିତ ‘ଆମ ଜଙ୍ଗଲ ଯୋଜନା’ ଯୁଗ୍ମ ଜଙ୍ଗଲ ପରିଚାଳନା ଅନୁଯାୟୀ ଗଠିତ ବନ ସଂରକ୍ଷଣ ସମିତି ମାଧ୍ୟମରେ ପରିଚାଳିତ ହେବ । ଏହି ସମିତି ଗ୍ରାମସଭା ଦ୍ୱାରା ଗଠିତ ହେଉଥିଲେ ହେଁ ଏଥିରେ ବନପାଳ ସଂପାଦକ ଭାବରେ କାର୍ଯ୍ୟକରନ୍ତି ଓ ତାଙ୍କ ଇଙ୍ଗିତରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୁଏ । ଏହି ବ୍ୟବସ୍ଥା ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଗ୍ରାମସଭାକୁ ମିଳିଥିବା ଅଧିକାରର ସଂପୂର୍ଣ୍ଣ ଉଲଂଘନ କରୁଛି ।

୧୪ ଜୁଲାଇ ୨୦୧୫ରେ ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟ ସରକାରଙ୍କ ପ୍ରମୁଖ ସଚୀବଙ୍କ ମଧ୍ୟରେ ଏକ ଭିଡିଓ ବାର୍ତ୍ତାଳାପ କରିଥିଲେ । ଏଥିରେ ଓଡିଶା ସରକାରଙ୍କ ତଫସିଲଭୂକ୍ତ ଜାତି, ଜନଜାତି ବିଭାଗ ସଚିବଙ୍କ ଯୁଗ୍ମ ଜଙ୍ଗଲ ପରିଚାଳନା ଅନୁଯାୟୀ ପରିଚାଳିତ ବନ ସଂରକ୍ଷଣ ସମିତିର ଭୂମୀକାକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ନିର୍ଦ୍ଧାରିତ ହୋଇଥିବା ପାରମ୍ପାରିକ ଜଙ୍ଗଲ ସୀମାର ପରିଚାଳନାରେ ଗ୍ରାମସଭାର କ୍ଷମତାକୁ ସ୍ପଷ୍ଟତା ପ୍ରଦାନ କରିଛନ୍ତି । ଏହାସତ୍ତେ୍ୱ ଆମ ଜଙ୍ଗଲ ଯୋଜନାର ପ୍ରଣୟନ ଜାଣିଶୁଣି ବନବାସିଙ୍କ ପାରମ୍ପାରିକ ଅଧିକାର ଉପରେ ଏକ ଅନଧିକାର ପ୍ରବେଶ, ଯାହା ସରକାରଙ୍କ ଇଚ୍ଛାକୃତ ।

ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କଲାପରେ ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ, ଓଡିଶା ସରକାରଙ୍କ ତଫସିଲ ଭୂକ୍ତ ଜାତି ଓ ଜନଜାତି ଉନ୍ନୟନ ବିଭାଗକୁ ପତ୍ର ସଂଖ୍ୟା ୨୩୦୧୧/୯/୨୦୧୩ ତା ୨୮.୧୦.୨୦୧୪ ଅନ୍ୟୁାୟୀ ଜବାବ ତଲବ କରିଥିଲେ । ଏଥିରେ ସେ ଏହି ଅଭିଯୋଗ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜାଣିବାକୁ ଚାହିଁଥିଲେ ହେଁ, ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ କିଛି ଜଣାଯାଇ ନଥିଲା ।

ପରେ ସୂଚନା ଅଧିକାର ଆଇନ ବ୍ୟବହାର କରି ଏ ସଂକ୍ରାନ୍ତରେ ବିଭାଗର ସ୍ଥତି ଜାଣିବାକୁ ଚେଷ୍ଠା କଲାପରେ, ଏହାର ପ୍ରଭାବରେ ୩୧ ଡିସେମ୍ବର, ୨୦୧୫ ଦିନ ପତ୍ର ସଂଖ୍ୟା ୨୫୧୩୯/ଝଝଊ/ଝଞଝଉଊ – ୠଜଇ –ଜଞଓ – ୦୦୦୬ – ୨୦୧୫ ଯୋଗେ ପ୍ରତ୍ୟୁତ୍ତର ରଖିଛନ୍ତି । ହେଲେ ଏଥରେ ମଧ୍ୟ ତଫସିଲ ଭୂକ୍ତ ଜାତି, ଜନଜାତି ଉନ୍ନୟନ ବିଭାଗ ନିଜେ ନେଇଥିବା କାର୍ଯ୍ୟାନୁଷ୍ଠାନର କୌଣସି ବିବରଣୀ ନଦେଇ ‘ଆମ ଜଙ୍ଗଲ ଯୋଜନା’ କାର୍ଯ୍ୟକାରୀ କରୁଥିବା ବିଭାଗ ଦ୍ୱାରା ପ୍ରସ୍ତୁତ ଏକ ବିବରଣୀକୁ କେବଳ ଉପସ୍ଥାପିତ କରିଛନ୍ତି ।

ଜଙ୍ଗଲ ଅଧରକାରକୁ କାର୍ଯ୍ୟକାରୀ କରିବା ସମୟରେ ଯେଉଁ ବିଭାଗମାନଙ୍କ ଭିତରେ ସମନ୍ୱୟ ଏକ ସମସ୍ୟା ହୁଏ, ଏହାକୁ କାର୍ଯ୍ୟକାରୀ କରେଇ ନଦେବାରେ ସେମାନେ ବେଶି ସମନ୍ୱିତ ହୁଅନ୍ତି ଏହା ତାହାର ଏକ ବଳିଷ୍ଠ ଉଦାହରଣ ।ଜଙ୍ଗଲ ପୁନରୁଦ୍ଧାର ର ଆବଶ୍ୟକତା ରହିଛି । ଓଡିଶାରେ ଗୋଷ୍ଠୀ ଜଙ୍ଗଲ ପରିଚାଳନା ମାଧ୍ୟମରେ ଗ୍ରାମବାସୀଙ୍କ ଦ୍ୱାରା ଜଙ୍ଗଲ ଓ ଜୈବବିବିଧତାର ସଂରକ୍ଷଣ ଏବଂ ପରିଚାଳନାର ଯଥେଷ୍ଟ ବଳିଷ୍ଠ ଉଦାହରଣ ରହିଛି ।

ସରକାରୀ ବିଭାଗ ଓ ନିର୍ଦ୍ଦିଷ୍ଟ କିଛି କର୍ମଚାରୀଙ୍କ ଅପେକ୍ଷା ଗ୍ରାମସଭା ମଧ୍ୟମରେ ସିଧାସଳଖ ଲୋକଙ୍କ ଉପରେ ଆସ୍ଥାରଖି କାର୍ଯ୍ୟକଲେ ସରକାରଙ୍କୁ ଅଧିକ ସଫଳତା ମିଳିବ । ଅନ୍ୟଥା ଜଙ୍ଗଲ ଅଧିକାର ଆଇନ ଉଲଂଘନ କରି ଆଉ ଏକ ଐତିହାସିକ ଅନ୍ୟାୟର କାରଣ ସାଜିବେ ।

Filed Under: ପରିବେଶ Tagged With: ଗ୍ରାମବାସୀ, ଜଙ୍ଗଲ

କାମ୍ପା ଓ ଜଙ୍ଗଲ ଅଧିକାର ଆଇନ

May 12, 2018 by ଘାସିରାମ ପଣ୍ଡା Leave a Comment


ସରକାର ଗୋଟିଏ ହାତରେ ଯାହା ଦେଲେ ଆର ହାତରେ ତାହା ଛଡେଇ ନେଲେ । କନ୍ଧମାଳ ଜିଲ୍ଲାର କୁଟିଆ କନ୍ଧ ଆଦିବାସୀଙ୍କର ଏହି ଅଭିମାନ ଭରା ଅଭିଯୋଗ ରାଜ୍ୟରେ ଜଙ୍ଗଲ ଅଧିକାର ଆଇନର ଦୟନୀୟ ସ୍ଥିତିକୁ ଜାହିର କରୁଛି । ବନବାସୀଙ୍କ ପ୍ରତି ହୋଇଥିବା ଐତିହାସିକ ଅନ୍ୟାୟକୁ ଦୂର କରିବା ପାଇଁ ଆଜକୁ ନଅ ବର୍ଷ ତଳେ ଏହି ଆଇନ ଆସିଥିଲା ।

ଦେଶ ସ୍ୱାଧିନ ହେଲା ପରେ ବି ବନବାସୀଙ୍କ ପାଇଁ ବିଦେଶି ଶାସନ ନୀତି ବଦଳି ନଥିଲା । ପୁରୁଷାନୁକ୍ରମେ ରହି ଆସୁଥିବା ବନବାସୀଙ୍କର ଜଙ୍ଗଲ ପ୍ରବେଶ ଉପରେ କଟକଣା ଥିଲା । ଏଣୁ ଜୀବନଜିବୀକାରୁ ବଂଚିତ ଏହି ବନବାସୀମାନେ ଜମୀ, ଜଙ୍ଗଲ ଉପରେ ନିଜର ପାରମ୍ପାରିକ ଅଧିକାରର ସ୍ୱିକୃତୀ ପାଇଁ ଆନ୍ଦୋଳନ ଜାରି ରଖିଥିଲେ ।

ଜନମତକୁ ସମ୍ମାନ ଦେଇ ୨୦୦୬ ମସିହାରେ ଭାରତ ସରକାର ଏହାକୁ ଏକ ଐତିହାସିକ ଅନ୍ୟାୟ ବୋଲି ସ୍ୱିକାର କରିବା ସହ ଜଙ୍ଗଲ ଉପରେ ପାରମ୍ପାରିକ ଅଧିକାରର ସ୍ୱୀକୃତି ପାଇଁ ଜଙ୍ଗଲ ଅଧିକାର ଆଇନ ପ୍ରଣୟନ କରିଥିଲେ । ପ୍ରାକୃତିକ ସମ୍ବଳର ଚିରସ୍ଥାୟୀ ବ୍ୟବହାର ହେତୁ ଜନ ସହଭାଗିତାରେ ଜ÷÷ବ ବିବିଧତାର ସୁରକ୍ଷା ଓ ପରିସଂସ୍ଥାନ ପରିଚାଳନାର ସମୃଦ୍ଧ ପରମ୍ପରାକୁ ଏଥିରେ ଗୁରୁତ୍ୱ ଦିଆଯାଇଛି ।

ଜଙ୍ଗଲ ଅଧିକାର ଆଇନ ଅନୁସାରେ ବନବାସୀମାନେ ନିଜର ଦୈନନ୍ଦିନ ଗୁଜୁରାଣ ପାଇଁ ପରମ୍ପରା କ୍ରମେ ବ୍ୟବହାର କରି ଆସୁଥିବା ଘରଡିହ, ଚାଷଜମୀ ଓ ସାମୁହିକ ଜଙ୍ଗଲ ଉପରେ ଅଧିକାର ସାବ୍ୟସ୍ତ କରିପାରିବେ । କିଷମ ନିର୍ବିଶେଷରେ ସମସ୍ତ ପ୍ରକାରର ଜଙ୍ଗଲରୁ ମହୁଲ, ଚାର, ବାଉଁଶ, କେନ୍ଦୁପତ୍ର ପରି ସମସ୍ତ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରିବଟା କରି ପାରିବେ ।

ଅଧିକାରର ପରସୀମା ଭିତରେ ଥିବା ଜଙ୍ଗଲର ପରିଚାଳନା ଦାୟୀତ୍ୱ ମଧ୍ୟ ଗ୍ରାମସଭା ମାଧ୍ୟମରେ ଲୋକଙ୍କୁ ଦିଆଯାଇଛି । ଲୋକେ ନିଜର ପାରମ୍ପାରିକ ଜ୍ଞାନ ଆଧାରରେ ଜଙ୍ଗଲର ପରିଚାଳନା କରିବେ । ଆବଶ୍ୟକ ହେଲେ ସେମାନେ ଜଙ୍ଗଲ ବିଭାଗର ସାହାଯ୍ୟ ନେଇ ପାରନ୍ତି । ଏହା ଜଙ୍ଗଲ ସମ୍ପଦ ଉପରେ ବିଭାଗର ଏକ ଚାଟିଆ ଅଧିକାରକୁ ପ୍ରତିହତ କରୁଛି ।

ଜଙ୍ଗଲ ଅଧିକାର ଆଇନର ପ୍ରଣୟନ ଦୁଇଟି ବିଶେଷ ପରିବର୍ତ୍ତନ ପାଇଁ ରାସ୍ତା ତିଆରି କରିଛି । ପ୍ରଥମଟି ହେଲା ଲୋକଙ୍କୁ ଗ୍ରାମସଭା ମାଧ୍ୟମରେ ନିଷ୍ପତ୍ତି ଗ୍ରହଣର କ୍ଷମତା । ପ୍ରଥମ ଥର ପାଇଁ ସମ୍ବଳର ବଂଟନରେ ଅମଲା ତନ୍ତ୍ରର ଭୂମୀକାକୁ ଗୌଣ କରାଯାଇ ଲୋକଙ୍କୁ ନିଜ ନିଷ୍ପତ୍ତି ନିଜେ ନେବା ପାଇଁ ବିଧି ବ୍ୟବସ୍ଥା କରାଯାଇଛି । ଦ୍ୱିତୀୟଟି ହେଲା ସ୍ୱାଧିନୋତ୍ତର ଭାରତ ବର୍ଷରେ ଜମୀ ଓ ଜଙ୍ଗଲର ମାଲିକାନା ସତ୍ୱ ହାସ୍ତାନ୍ତରର ଏହା ସର୍ବ ବୃହତ କାର୍ଯ୍ୟକ୍ରମ ।

ଆଇନର ସଠିକ କାର୍ଯାନ୍ୱୟନ ହେଲେ ଆମ ରାଜ୍ୟର ପ୍ରାୟ ତିରିଶ ହଜାର ଗ୍ରାମବାସୀଙ୍କ ମାଲିକାନାକୁ ଜଙ୍ଗଲ ବିଭାଗ ନିୟନ୍ତ୍ରଣରେ ଥିବା ଚାଲିଶ ଭାଗ ଜଙ୍ଗଲର ଅଧିକାର ସତ୍ୱ ହସ୍ତାନ୍ତର ହେବାର ଆକଳନ କରାଯାଉଛି । ହେଲେ ସରକାରଙ୍କ ଅନିଚ୍ଛା ଭାବ ଓ ଜଙ୍ଗଲ ବିଭାଗର ଏହି କ୍ଷମତା ବିକେନ୍ଦ୍ରି କରଣରେ ଅସହଯୋଗ ଯୋଗୁଁ ଆଇନ ପ୍ରଣୟନର ଏକ ଦଶନ୍ଧି ପରେ ବି ଏହା ସମ୍ଭବ ହୋଇପାରୁ ନାହିଁ ।

ସରକାର ନିଜେ ଜାରି କରିଥିବା ତଥ୍ୟକୁ ବିଚାରକୁ ନେଲେ ଜୁଲାଇ, ୨୦୧୬ ଶେଷ ସୁଦ୍ଧା ମାତ୍ର ତିନି ହଜାର ଗ୍ରାମକୁ ସାମୁହିକ ଅଧିକାର ପ୍ରଦାନ କରାଯାଇ ପାରିଛି । ଅପର ପକ୍ଷରେ କାମ୍ପା ପାଣ୍ଠିର ବ୍ୟବହାର କରି ବ୍ୟାପକ ବୃକ୍ଷ ରୋପଣ ପାଇଁ ଲୋକଙ୍କ ଅଧିକାର ପରିସରକୁ ଅସିଥିବା ଜମୀ ଓ ଜଙ୍ଗଲ ଉପରେ ଜଙ୍ଗଲ ବିଭାଗର ପୁନଃ ଜବର ଦଖଲ ଏବେ ଐତିହାସିକ ଅନ୍ୟାୟର ପୁନରାବୃତ୍ତି କରୁଛି ।

ଖଣି ଖାଦାନ ନିମନ୍ତେ ଜଙ୍ଗଲ ଜମୀ ବ୍ୟବହାର ଜନିତ କ୍ଷତିର ଭରଣା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ପ୍ରାୟ ବୟାଳିଶ ହଜାର କୋଟି ଟଙ୍କା ଗଚ୍ଛିତ ହୋଇଥିଲା । ଏହି ପାଣ୍ଠିର ପରିଚାଳନା ପାଇଁ ନିକଟରେ ଭାରତ ସରକାରଙ୍କ ଦ୍ୱାରା କାମ୍ପା ପାଣ୍ଠି ଅଧିନିୟମ, ୨୦୧୬ ଗୃହିତ ହୋଇଛି । ନୂତନ ଅଧିନିୟମ ଆଧାରରେ ଚଳିତ ବର୍ଷ ଆମ ରାଜ୍ୟ ଏହି ପାଣ୍ଠିର ଅଂଶ ସ୍ୱରୂପ ପ୍ରାୟ ଛଅ ହଜାର କୋଟି ଆର୍ଥିକ ଅନୁଦାନ ପାଇଛନ୍ତି ।

ଅବକ୍ଷୟୀଷ୍ନୁ ଜଙ୍ଗଲର ପୁନରୁଦ୍ଧାର ପାଇଁ ଏହା ହୁଏତ ସୁଯୋଗ ସୃଷ୍ଟି କରିବ, ଏଣୁ ସ୍ୱାଗତ କରିବା କଥା । ହେଲେ ସବୁକଥାରେ ଜନ ସହଭାଗିତାର ନାରା ଦେଉଥିବା ସରକାର ପ୍ରକୃତ ପକ୍ଷେ ଏକ ଚାଟିଆ ଭାବେ ଦେଶର ନୀତି ନିୟମକୁ ହେୟଗ୍ୟାନ କରି ଲୋକଙ୍କ ବ୍ୟବହାରରେ ଥିବା ଜଙ୍ଗଲ ଜମୀରେ ବୃକ୍ଷ ରୋପଣ କରୁଥିବାରୁ ଫଳ ଓଲଟା ହେଉଛି ।

ଜଙ୍ଗଲ ଅଧିକାର ଆଇନର ଧାରା ୩-୧ (ଠ) ବନବାସୀଙ୍କୁ ନିଜର ପାରମ୍ପାରିକ ଜଙ୍ଗଲ ସମ୍ବଳର ଚିରସ୍ଥାୟୀ ବ୍ୟବହାର ହେତୁ ସଂରକ୍ଷଣ , ପୁନଃଜନନ ଓ ପରିଚାଳନାର ଅଧିକାର ପ୍ରଦାନ କରିଛି । ଧାରା ୫ ଗାମସଭାକୁ ବନ୍ୟଜୀବ, ଜଙ୍ଗଲ ଓ ଜୈବବିବିଧତାର ସୁରକ୍ଷା ପାଇଁ ନିଷ୍ପତ୍ତି ନେବାକୁ କ୍ଷମତାଶାଳୀ କରିଛି । ଧାରା ୪ (୧) ଅନୁଯାୟୀ ଗ୍ରାମସଭା ଏ ସବୁର ପରିଚାଳନା ପାଇଁ ଗ୍ରାମବାସୀଙ୍କୁ ନେଇ କମିଟି ତିଆରି କରିପାରିବ ।

ଜଙ୍ଗଲ ଅଧିକାର ନୀୟମାବଳୀ (ସଂଶୋଧିତ) ୨୦୧୨ର ଧାରା ୫ (ଞ) ଅନୁଯାୟୀ ଗ୍ରାମସଭା ଦ୍ୱାରା ଗଠିତ ହୋଇଥିବା ଏହି କମିଟି ଗ୍ରାମସଭା ଅଧିନରେ ଥିବା ଜଙ୍ଗଲ ସମ୍ବଳର ପରିଚାଳନା ଯୋଜନା ପ୍ରସ୍ତୁତ କରିବ ଯାହାକି ପୂର୍ବରୁ ଜଙ୍ଗଲ ବିଭାଗ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟ ଯୋଜନାରେ ସମନ୍ୱୀତ ହେବ ।

ବୃକ୍ଷ ରୋପଣ ଓ ଜଙ୍ଗଲ ପରିଚାଳନା ପାଇଁ କାମ୍ପା ପାଣ୍ଠିର ବିନିଯୋଗ ଏହି ନୀୟମାନୁଯାୟୀ ହେବା ବଦଳରେ ବଳପୂର୍ବକ ଲୋକଙ୍କ ଅଧିକାରରେ ଥିବା ଜଙ୍ଗଲ ଜମୀରେ ଗଛ ଲଗାଇବା ପାଇଁ ଅନଧିକାର ଅନୁପ୍ରବେଶ କରାଯାଉଛି । ଶାଳ, ମହୁଲ, ପିଆଶାଳ ଭଳି ଗଛକୁ ସଫାକରି ଶାଗୁଆନ, ୟୁକାଲିପ୍ଟସ, ଆକାଶିଆ ଭଳି ଅଣ ଲଘୁ ବନଜାତ ଉଭ୍ୱିଦର ଅନୁପ୍ରବେଶ ପ୍ରାକୃତିକ ଜୈବ ବିବିଧତାକୁ ନଷ୍ଟ କରିବା ସହିତ ବନ୍ୟ ପ୍ରାଣୀ, ପକ୍ଷୀ ଓ ବନବାସୀଙ୍କ ଖାଦ୍ୟ ସୁରକ୍ଷା ଉପରେ ଆଂଚ ଆଣୁଛି।

ଅଣ ଜଙ୍ଗଲ କାମରେ ନଷ୍ଟ ହୋଇଥିବା ଜଙ୍ଗଲର ପୁନରୁଦ୍ଧାର ଉଦ୍ଦେଶ୍ୟରେ ବିନିଯୋଗ ହେଉଥିବା କାମ୍ପା ପାଣ୍ଠି ଏହା ଦ୍ୱାରା ଲକ୍ଷ୍ୟଚ୍ୟୁତ ହେଉଛି । ବନ ବିଭାଗ ନିଜର ଜମିଦାରିଆ ମନୋଭାବରେ ପରିବର୍ତ୍ତନ ଅଣି ଗ୍ରାମସଭାର କ୍ଷମତା ପ୍ରତି ସମ୍ମାନ ପ୍ରଦର୍ଶନ କଲେ ଜନସହଭାଗିତରେ ଜଙ୍ଗଲ ସମ୍ପଦର ପ୍ରକୃତ ଅଭିବୃଦ୍ଧି ଘଟିବ । ସେହିପରି ଲୋକଙ୍କୁ ମାଗଣାରେ ଛତା, କମ୍ବଳ ଯୋଗାଇବକୁ ତତ୍ପର ସରକାର ଜମୀ, ଜଙ୍ଗଲ ଉପରେ ଲୋକଙ୍କୁ ଅଧିକାର ଦେବାପାଇଁ ଚେଷ୍ଟିତ ହେଲେ ଚିରସ୍ଥାୟୀ ବିକାଶ ସମ୍ଭବ ହୋଇପାରିବ ।

Filed Under: ପରିବେଶ Tagged With: କଳ କାରଖାନ, ଜଙ୍ଗଲ

ଆମ ଜଙ୍ଗଲ ଆମର

May 11, 2018 by ଘାସିରାମ ପଣ୍ଡା Leave a Comment

 

 

ଆମ ଜଙ୍ଗଲ ଆମର
ଦେଓମାଳି ପାହାଡର ଉପରକୁ ଉଠିଲା ବେଳେ ଆଖିରେ ପଡିଲା ସିମେଣ୍ଟ ତିଆରି ଏକ ବୋର୍ଡ ଉପରେ ହାତ ଲେଖା ଏକ ସୂଚନା ଫଳକ । ଲେଖା ଥିଲା ମାତାଲ ଆମ୍ବା, ତଳ କାଟି, କାଟ୍ରାଗାଡା,ସୁଲିଆ ମାରି ଗ୍ରାମସଭା ଏହି ସୀମା ଭିତରେ ଥିବା ଜଙ୍ଗଲ ଅଂଚଳ ଉପରେ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ସାମୁହିକ ଅଧିକାର ଦାବୀ ଦାଖଲ କରିଛନ୍ତି ।

ଏହି ଆଇନର ଧାରା ୪ (୫) ଅନୁଯାୟୀ ଜଙ୍ଗଲ ଅଧିକାର ସ୍ୱୀକୃତି ଓ ଯାଂଚ ପ୍ରକ୍ରିୟା ଶେଷ ନହେବା ଯାଏ ଆଦିବାସୀ ବା ଅନ୍ୟାନ ପାରମ୍ପାରିକ ବନବାସୀ ସେମାନେ ଭୋଗଦଖଲ କରୁଥିବା ଜଙ୍ଗଲ ଜମୀରୁ ଉଚ୍ଛେଦ କିମ୍ବା ବିତାଡିତ ହେବେ ନାହିଁ ।

ଏଣୁ ଏହି ପାରମ୍ପାରିକ ସୀମା ଭିତରକୁ ପ୍ରବେଶ ଓ ବ୍ୟବହାର ପୂର୍ବରୁ ମାତାଲ ଆମ୍ବା, ତଳ କାଟି, କାଟ୍ରାଗାଡା, ସୁଲିଆ ମାରି ଗ୍ରାମସଭାର ଅନୁମତି ନିଅନ୍ତୁ । ନିବେଦକ ଭାବେ ଏହି ସବୁ ଗ୍ରାମସଭାର ନାମ ଉଲ୍ଲେଖ ଥିଲା । ଏମିତି ଏକ ଘୋଷଣା ନାମା ଲୋକଙ୍କୁ ଅଧିକାର ପ୍ରଦାନରେ ସରକାରୀ ଅବହେଳା ଓ ଏହା ବିରୁଦ୍ଧରେ ପ୍ରତିବାଦର ସ୍ୱରକୁ ଉପସ୍ଥାପିତ କରୁଛି ।

ଜଙ୍ଗଲ ଅଧିକାର ଆଇନରେ ଆଦିବାସୀ ଓ ପାରମ୍ପାରିକ ବନବାସୀଙ୍କୁ ବଂଶାନୁକ୍ରମରେ ନିର୍ଭର କରି ଆସୁଥିବା ଜଙ୍ଗଲ ସୀମା ଉପରେ ସାମୁହିକ ଅଧିକାରକୁ ସ୍ୱିକୃତି ଦିଆଯାଇଛି । ଏହାରି ଆଧାରରେ ସେମାନେ ବ୍ୟବହାର କରିଆସୁଥିବା ଓ ଜଗାରଖା କରୁଥିବା ଜଙ୍ଗଲର ସୀମା ନିର୍ଦ୍ଧାରଣ କରିବେ । ଜଙ୍ଗଲ ଭିତରେ ଥିବା ରାସ୍ତା, ଜଳ ଉତ୍ସ, ଦେବାଦେବୀ ପିଠ ସମେତ ଲଘୁ ବନଜାତ ଦ୍ରବ୍ୟ ଉପରେ ମାଲିକାନାର ହକ ଦାବୀ କରିପାରିବେ ।

ଏଥିପାଇଁ ଏହି ଆଇନ ଅନୁଯାୟୀ ପ୍ରତ୍ୟେକ ଗ୍ରାମରେ ଜଙ୍ଗଲ ଅଧିକାର କମିଟି ଗଠନ କରାଯାଇଛି । ଏହି କମିଟି ଗ୍ରାମସଭାର ସହାୟତାରେ ଦାବୀ ଆକଳନ କରିବା ପୂର୍ବ ଦାବୀ ପତ୍ର ପ୍ରସ୍ତୁତ କରିବେ ଓ ଉପଖଣ୍ଡ ସ୍ତରୀୟ କମିଟି ପାଖରେ ଦାଖଲ କରିବେ । ପ୍ରତ୍ୟେକ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଉପଯୁକ୍ତ ଯାଂଚ ପରେ ଜିଲ୍ଲା ସ୍ତରୀୟ କମିଟିକୁ ଦାବୀ ସ୍ୱିକୃତି ହେବାକୁ ନେଇ ସୁପାରିଶ କରିବେ ଓ ସେହି ଅନୁଯାୟୀ ଜିଲ୍ଲା ସ୍ତରୀୟ କମିଟି ଅନୁମୋଦନ କରିବେ ।

ହେଲେ ପ୍ରକୃତ ପକ୍ଷେ ହଜାର ହଜାର ଗ୍ରାମ ନିଜର ଦାବୀ ଆକଳନ ପୂର୍ବକ ସ୍ୱିକୃତି ପାଇଁ ଆବେଦନ କରିଥିଲେ ହେଁ ଉପଖଣ୍ଡ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ କମିଟି ଏହାକୁ ଅଣଦେଖା କରିଛନ୍ତି । ସରକାରଙ୍କ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୫୯୬୪ ଟି ଗାଁକୁ ଜଙ୍ଗଲ ସୀମା ଉପରେ ସାମୁହିକ ଅଧିକାର ପ୍ରଦାନ କରାଯାଇଛି ଓ ୭୫୪୯ ଟି ଦାବୀ ଜିଲ୍ଲା ସ୍ତରିୟ କମିଟି ଦ୍ୱାରା ଅନୁମୋଦିତ ହୋଇ ରହିଛି ହେଲେ ଗ୍ରାମବାସୀଙ୍କ ପାଖକୁ ପହଂଚି ନାହିଁ ।

ଅନୁଧ୍ୟାନର ବିଷୟ ଯେ, ରାଜ୍ୟରେ ଜଙ୍ଗଲ ଅଧିକାର ଆଇନର ସଠିକ କାର୍ଯ୍ୟକାରିତା ପାଇଁ ୪୮୪୫୯ ଟି ଜଙ୍ଗଲ ଅଧିକାର କମିଟି ଗଠନ କରାଯାଇଛି । ଏହା ଭିତରୁ ୧୩୪୯୫ ଟି କମିଟି ଦାବୀ ଆବେଦନ ପ୍ରର୍କିୟା ଆରମ୍ଭ କରିଥିଲେ ହେଁ ଏଯାଏଁ ଗ୍ରାମସଭା ଅତିକ୍ରମ କରିପାରି ନାହିିଁ । ୮୩୦୫ ଗୋଟି ଦାବୀ ଗ୍ରାମସଭା ଦ୍ୱାରା ଅନୁମୋଦିତ ହୋଇ ଉପଖଣ୍ଡ ସ୍ତରୀୟ କମିଟ ପାଖରେ ପଡି ରହିଛି ।

୬୭୧୦ଦାବୀ ଉପରେ ଉପଖଣ୍ଡ ସ୍ତରୀୟ କମିଟ ବିଚାର କରି ମତ ଦେଇ ସାରିଥରଲେ ବି ଜିଲ୍ଲା ସ୍ତରୀୟ କମିଟିର ଅନୁମୋଦନ ଅପେକ୍ଷାରେ ଅଛି । ଏହି ସ୍ଥତି ଏବର ନୁହେଁ । ଡିସେମ୍ବର ୨୦୧୬ରେ କେବଳ ୫୮୯୧ ସାମୁହିକ ଅଧିକାର ସ୍ୱିକୃତୀ ଦିଆଯାଇଥିବା ବେଳେ, ଡିସେମ୍ବର ୨୦୧୫ ରେ ୫୦୦୪ଟି ଦାବୀ ଆବେଦନକୁ ସ୍ୱିକୃତୀ ପ୍ରଦାନ କାରାଯାଇଥିଲା । ଏହା ଦର୍ଶାଉଛି ଯେ, ଗତ ତିନି ବର୍ଷ ଭିତରେ ଆମେ ଏଦିଗରେ କୌଣସି ଆଖିଦୃଶିଆ ପ୍ରଗତି କରିନାହୁ ।

କେବଳ ଏତିକି ନୁହେଁ, ଆଇନ କାର୍ଯ୍ୟକାରୀ ହେବାର ଏହା ଭିତରେ ଦଶ ବର୍ଷ ବିତିଯାଇଥିଲେ ବି ଗୋଟିଏ ଜଙ୍ଗଲ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯାଇ ପରିଲା ନାହିଁ କି ଅତ୍ୟନ୍ତ ବିପଦସଂକୁଳ ଜନଜାତୀଙ୍କ ବାସ ଓ ବସତୀର ଅଧିକାର ସୁନିଶ୍ଚିତ କରାଯାଇ ପାରିଲା ନାହିଁ । ବାଉଁଶ ଓ କେନ୍ଦୁପତ୍ର ଉପରେ ମାଲିକାନାସତ୍ୱ ଦେବା ଉଦାହରଣରେ ହିଁ ସୀମିତ ହୋଇ ରହିଛି । ଏହାକୁ ଅନିଚ୍ଛାକୃତ ବୋଲି କୁହାଯାଇ ପାରିବ ନାହିଁ ।

ଜନମତର ଚାପରେ ରଜନୈତିକ ଇଚ୍ଛାଶକ୍ତି ବଳରେ ସଂସଦରେ ଗୃହିତ ହୋଇଥିବା ଏକ ଜନହିତକାରୀ ଆଇନକୁ ପ୍ରଶାସନ ଜାଣିଶୁଣି ଅକାମୀ କରିଦେବାର ଏହା ଏକ ବଳିଷ୍ଠ ଉଦାହରଣ । ଗଣତାନ୍ତ୍ରୀକ ଦେଶରେ ଏହାଠାରୁ ଲଜ୍ଜା ଆଉ କଣ ହୋଇପାରେ ! ଜଙ୍ଗଲ, ଜଙ୍ଗଲ ଜମୀ ଓ ଜମୀ ତଳେ ଥିବା ଖଣି ହାତରୁ ଖସିଯିବାର ଭୟରେ ଜଙ୍ଗଲ ବିଭାଗ ଏହି ପ୍ରକ୍ରୟାରେ ବିଲକୁଲ ସହଯୋଗ କରୁନାହାନ୍ତି ।

ଆଇନକୁ କାର୍ଯ୍ୟକାରୀ କରିବାକୁ ଦାୟୀତ୍ୱରେ ଥିବା ଆଦିବାସୀ ଉନ୍ନୟନ ବିଭାଗର ନିଜସ୍ୱ ଶକ୍ତି କିଛି ନାହିଁ । ବିଭାଗ ତରଫରୁ ବାରମ୍ବାର ଦିଶା ନିର୍ଦ୍ଦେଶ ଜାରି କଲେବି ପାଳନ ନହେଲେ କାର୍ଯ୍ୟାନୁଷ୍ଠାନ ହୋଇପାରୁ ନାହିଁ । ଆଇନର ସଫଳ ରୂପାୟନ ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମୀକା ରହିଛି । ଯେଉଁ ଜିଲ୍ଲାରେ ଜିଲ୍ଲାପାଳମାନେ ଆଗ୍ରହ ଦେଖାଇଛନ୍ତି ସେଠି ଗ୍ରାମବସୀଙ୍କୁ ଯତକିଂଚିତ ଅଧିକାରର ସ୍ୱିକୃତି ମିଳିଛି ।

ହେଲେ ଅଧିକାଂଶ ଜିଲ୍ଲାରେ ଏମାନେ ଲୋକଙ୍କ ସପକ୍ଷରେ ଛିଡା ହେବା ବଦଳରେ ଜଙ୍ଗଲ ବିଭାଗର ହଁ ରେ ହଁ ମିଶାଇ ଜନଅଧିକାରକୁ ଅବହେଳା କରୁଛନ୍ତି । କ୍ରମାଗତ ଭାବରେ ଚାଲିଥିବା ଅବହେଳା ଓ ନିର୍ଯ୍ୟାତନ କ୍ରମଶଃ ଜନ ଆକ୍ରୋଶରେ ପରିଣତ ହେଉଛି ।

ଦେଓମାଳି ପର୍ବତ ଶିଖରରେ ଲେଖାଯାଇଥିବା ସୂଚନା ଫଳକ କେବଳ ଏକ ପ୍ରାରମ୍ଭିକ ସଂକେତ ମାତ୍ର । ସ୍ୱଘୋଷଣାର ଏହି ଧାରା କ୍ରମଶଃ ବରଗଡ, ସୁନ୍ଦରଗଡ, ରାୟଗଡା, ବଲାଙ୍ଗିର ପ୍ରଭୃତି ଜିଲ୍ଲାକୁ ପରିବ୍ୟାପ୍ତ ହେଲାଣି । ସଙ୍କେତକୁ ବୁଝିପାରି ଜାଣିଶୁଣି କରୁଥିବା ଅବହେଳାରୁ ପ୍ରଶାସନ କ୍ଷାନ୍ତ ନହେଲେ ଆମ ଜଙ୍ଗଲ ଆମର ଦାବୀରେ ଚାଲିଥିବା ଏ ଅଧିକାରର ଲଢେଇ ବ୍ୟାପକ ହୋଇପାରେ ।
ଘାସିରାମ ପଣ୍ଡା
ସୁବର୍ଣ୍ଣପୁର
୯୪୩୮୩୪୧୭୯୪
[email protected]

Filed Under: ପରିବେଶ Tagged With: ଜଙ୍ଗଲ

ଫରେଷ୍ଟ ଗାର୍ଡ଼ ହତ୍ୟା ମାମଲାରେ କାଠ ମାଫିଆ ଗିରଫ

November 24, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ନଭେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାରେ ଫରେଷ୍ଟ ଗାର୍ଡ଼ଙ୍କ ହତ୍ୟା
ମାମଲାରେ ପୋଲିସ ଗୁରୁବାର ଜଣେ କାଠ ମାଫିଆକୁ କିରଫ କରିବା ସହ କୋର୍ଟ ଚାଲାଣ କରିଛି ।

ବୋଡ଼େନ୍ ପୋଲିସ ବୁଧବାର ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେମାନଙ୍କ
ମଧ୍ୟରୁ କେଶବ ବାରିକ ନାମକ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରିଛି ।

ଗତ ସେପ୍ଟେମ୍ବର ୧୭ରେ ପଦ୍ମପୁର ଉପଖଣ୍ଡ ଜୟପୁର ଗ୍ରାମରେ ଫରେଷ୍ଟ ଗାର୍ଡ଼ ନାରାୟଣ ଦୁଆନଙ୍କୁ ହତ୍ୟା କରାଯାଇଥିଲା । ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିବା ସେ ସମୟରେ ପ୍ରଚାର ହେବା ପରେ ପୋଲିସ ପକ୍ଷରୁ ବ୍ୟାପକ ତଦନ୍ତ କରାଯାଇଥିଲା ।

ମାଓବାଦୀମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ଖବରକୁ ତାଙ୍କ ପରିବାର ପକ୍ଷରୁ ମଧ୍ୟ ଅସ୍ୱୀକାର କରାଯିବା ସହ କାଠ ମାଫିଆମାନେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଜଙ୍ଗଲ, ଫରେଷ୍ଟ ଗାର୍ଡ଼, ବରଗଡ଼

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା