• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଦ୍ରୌପଦୀ ମୁର୍ମୁ

ଓଡିଶାରେ ଆଦିବାସୀ ନେତୃତ୍ୱ ; କିଛି ପ୍ରଶ୍ନ (ରୋକ୍ ଠୋକ୍ )

June 1, 2015 by News Bureau Leave a Comment

କେଦାର ମିଶ୍ର

ହଠାତ୍‍ ଏଇ କିଛିଦିନ ହେଲା ଓଡିଶା ରାଜନୀତିରେ ଆଦିବାସୀ ନେତୃତ୍ୱର ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନ ପରଠୁ ରାଜ୍ୟର ମୂଳ ଅଧିବାସୀ ଭାବରେ ପରିଚିତ ଆଦିବାସୀଙ୍କ ଅସ୍ମିତା ଓ ରାଜନୈତିକ ଅଧିକାରକୁ ନେଇ କେବେ ବି ଖାସ୍‍ ଆଲୋଚନା ହୋଇନାହିଁ ।

କହିବାରେ ଦ୍ୱିଧା ନାହିଁ ଯେ ଓଡିଶାରେ ରାଜନୈତିକ ନେତୃତ୍ୱ ପ୍ରାୟତଃ ରାଜା, ବ୍ରାହ୍ମଣ, କରଣ ଓ ଉଚ୍ଚବର୍ଗଙ୍କ ହାତରେ ରହି ଆସିଛି । ଗଜପତି କୃଷଚନ୍ଦ୍ର ଦେବଙ୍କ ଠାରୁ ଆରମ୍ଭ କରି ନବୀନ ପଟ୍ଟନାୟକ ପର୍ଯ୍ୟନ୍ତ ଓଡିଶାର ପ୍ରାୟ ସବୁ ମୁଖ୍ୟମନ୍ତ୍ରୀ ଏହି ବର୍ଗରୁ ଆସିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ
ଧର୍ମେନ୍ଦ୍ର ପ୍ରଧାନ

କେବଳ ଦଶ ମାସ ପାଇଁ ଗିରିଧର ଗମାଙ୍ଗ ଓ ହେମାନନ୍ଦ ବିଶ୍ୱାଳ ଦୁଇ ଥରରେ ଆଠ ମାସ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଛନ୍ତି । ରାଜନୀତିରେ ଇତିହାସ ଦୃଷ୍ଟିରୁ ଉଭୟ ନିଜ ନେତୃତ୍ୱକୁ ନେଇ ସେତେବେଶି ଚର୍ଚ୍ଚାରେ ରହିନାହାନ୍ତି । ସମ୍ପ୍ରତି ଗିରିଧର ଗମାଙ୍ଗ ନିଜର ମୂଳଦଳ କଂଗ୍ରେସରୁ ଇସ୍ତଫା ଦେବା ପରେ ତାଙ୍କୁ ନେଇ କିଛିଟା ଚର୍ଚ୍ଚା ଜୋର୍‍ ଧରିଛି।

ଇତିମଧ୍ୟରେ ଗମାଙ୍ଗ କଂଗ୍ରେସ ଦଳ ତ୍ୟାଗ କରିଛନ୍ତି । ହୁଏତ ସେ ବିଜେପିରେ ଯୋଗ ଦେଇପାରନ୍ତି । ଓଡିଶାରେ ଆଦିବାସୀ ନେତୃତ୍ୱକୁ ନେଇ ବିଜେପି ଏକ ନୂଆ ସମୀକରଣ ସୃଷ୍ଟି କରିବାର ପ୍ରୟାସ ଆରମ୍ଭ କରିଛି । ଏହି ପ୍ରୟାସରେ କେନ୍ଦ୍ରରେ ଓଡିଶାର ଏକମାତ୍ର ବିଜେପି ଲୋକସଭା ସଦସ୍ୟ ଜୁଏଲ୍‍ ଓରାମ୍‍ଙ୍କୁ ପୁଣି କ୍ୟାବିନେଟ୍‍ ମନ୍ତ୍ରୀ ଭାବରେ ଦାୟିତ୍ୱ ଦିଆଯାଇଛି ।

ପୂର୍ବରୁ ବାଜପେୟୀ ସରକାରରେ ମଧ୍ୟ ସେ ମନ୍ତ୍ରୀ ଥିଲେ । ଦ୍ଵିତୀୟ ଥର ପାଇଁ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ଗ୍ରହଣ କରାଯାଇଥିଲେ ମଧ୍ୟ ତାଙ୍କର ଦାୟିତ୍ୱ ଅପରିବର୍ତ୍ତିତ ରହିଛି । ଅର୍ଥାତ ସବୁବେଳେ ଜୁଏଲ୍‍ଙ୍କୁ ଆଦିବାସୀ ବ୍ୟାପାର ବିଭାଗର ଦାୟିତ୍ୱ ଦିଆଯାଇଛି ।

ଓଡିଶାରୁ ପ୍ରଥମଥର ପାଇଁ ଜୁଏଲଙ୍କ ଭଳି ଜଣେ ଆଦିବାସୀ ନେତାଙ୍କୁ କେନ୍ଦ୍ର କ୍ୟାବିନେଟ୍ ରେ ନେଇ ଅଟଳ ବିହାରୀ ବାଜପେୟୀ ଏକ ଉଦାହରଣ ସୃଷ୍ଟି କରିଥିଲେ । ତେବେ ଜୁଏଲ୍‍ଙ୍କ ନେତୃତ୍ୱ କେବଳ ସେତିକିରେ ହିଁ ସୀମିତ ରହି ଆସିଛି । ଜୁଏଲ୍‍ କେନ୍ଦ୍ରମନ୍ତ୍ରୀ, ବିଧାୟକ ଓ ବିଜେପି ରାଜ୍ୟ ସଭାପତି ଭାବରେ ସଫଳତାର ସହ କାର୍ଯ୍ୟ ତୁଲାଇଥିଲେ ମଧ୍ୟ ଉଚ୍ଚବର୍ଗର ନେତୃତ୍ୱ ଆଗରେ ତାଙ୍କର ବ୍ୟକ୍ତିତ୍ୱକୁ ଏକପ୍ରକାର ଫିକା କରି ଦେଖାଇବାର ନିରନ୍ତର ପ୍ରୟାସ ଦଳ ଭିତରେ ଓ ଗଣମାଧ୍ୟମରେ ହୋଇଛି ।

ଗିରିଧର ଗମାଙ୍ଗ
ଗିରିଧର ଗମାଙ୍ଗ
ଜୁଏଲ ଓରାମ ଓ ଦ୍ରୌପଦୀ ମୁର୍ମୁ
ଜୁଏଲ ଓରାମ ଓ ଦ୍ରୌପଦୀ ମୁର୍ମୁ

ଓଡିଶାରୁ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ମୋଦି ମନ୍ତ୍ରୀମଣ୍ଡଳରେ ଅଛନ୍ତି । ଜୁଏଲ୍‍ ଓଡିଶା ଲୋକସଭାରୁ ନିର୍ବାଚିତ ହୋଇଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ବିହାରରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି । ପଦବୀ ଦୃଷ୍ଟିରୁ ଜୁଏଲ୍‍ କ୍ୟାବିନେଟ୍‍ ମନ୍ତ୍ରୀ ହୋଇଥିବା ବେଳେ ଧର୍ମେନ୍ଦ୍ର ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ।

ତେବେ ଧର୍ମେନ୍ଦ୍ରଙ୍କ ହାତରେ ଦୁଧିଆଳୀ ପେଟ୍ରୋଲିୟମ୍‍ ବିଭାଗ ରହିଛି । ତେଣୁ ସ୍ୱାଭାବିକ ଭାବରେ ଦଳ ଭିତରେ ଓ ବାହାରେ ତାଙ୍କ ପ୍ରଭାବ ଜୁଏଲ୍‍ଙ୍କ ତୁଳନାରେ ବହୁ ଅଧିକ । ଜୁଏଲ୍‍ ତୃଣମୂଳ ସ୍ତରରେ ବିଜେପି ସଙ୍ଗଠନକୁ ଦୃଢ଼ୀଭୂତ କରିବା ପାଇଁ ଯେତେ ଉଦ୍ୟମ କଲେ ବି ତାହା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁନାହିଁ ।

ଧର୍ମେନ୍ଦ୍ର ଏବଂ ଜୁଏଲ୍‍ଙ୍କ ନେତୃତ୍ୱର ତୁଳନା କରି ଦେଖିଲେ ଆମର ଆଦିବାସୀ ବିରୋଧୀ ମାନସିକତା ସ୍ପଷ୍ଟ ହୋଇଯିବ । ଜୁଏଲ୍‍ ଆଦିବାସୀ ନେତା, ସେ ତୃଣମୂଳ ସ୍ତରରେ କାମ କରନ୍ତି, ତାଙ୍କ କଥା କହିବାରେ ସରଳତା ଓ ଭାବପ୍ରବଣତା ରହିଛି ଓ ସର୍ବୋପରି ନିଜର ଆଦିବାସୀ ଅସ୍ମିତାକୁ ନେଇ ସେ ଗର୍ବିତ ।

ଅପରପକ୍ଷରେ ଧର୍ମେନ୍ଦ୍ର ପ୍ରଧାନ ସହରୀ ନେତୃତ୍ୱର ପ୍ରତୀକ । ତାଙ୍କ କଥା କହିବାରେ ଆଭିଜାତ୍ୟ ଅଛି । ଲୋକସମ୍ପର୍କ ରକ୍ଷାର ସବୁ ଆଧୁନିକ ସୂତ୍ର ତାଙ୍କୁ ଜଣା । ତେଣୁ ବିଜେପିର ସବୁ ଦଳୀୟ ବ୍ୟପାରରେ ଜୁଏଲ୍‍ ଗୌଣ ପରିଲକ୍ଷିତ ହୋଇଥିବା ବେଳେ ଧର୍ମେନ୍ଦ୍ର ମୁଖ୍ୟ ହୋଇ ଉଭା ହୋଇଛନ୍ତି ।

ଦଳୀୟ କାର୍ଯ୍ୟକ୍ରମରେ ଜୁଏଲ୍‍ଙ୍କୁ ଅଣଦେଖା କରିବାର ବହୁ ନମୂନା ଇତିମଧ୍ୟରେ ଦେଖିବାକୁ ମିଳିଛି । ଅନ୍ୟ ଏକ ଘଟଣା କ୍ରମରେ ପୂର୍ବତନ ବିଧାୟିକା, ମନ୍ତ୍ରୀ ଓ ମୟୁରଭଞ୍ଜର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୂର୍ମୂଙ୍କୁ ଝାଡଖଣ୍ଡର ରାଜ୍ୟପାଳ ଭାବରେ ମାନ୍ୟବର ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି ।

ଓଡିଶାରୁ ରାଜ୍ୟପାଳ ପଦ ମଣ୍ଡନ କରିବାରେ ଦ୍ରୌପଦୀ କେବଳ ପ୍ରଥମ ଆଦିବାସୀ ନୁହନ୍ତି, ସେ ପ୍ରଥମ ମହିଳା ମଧ୍ୟ । ଜଣେ ସାଧାରଣ କିରାଣୀରୁ ରାଜ୍ୟପାଳ ପଦବୀକୁ ଯାଇଥିବା ଦ୍ରୈାପଦୀଙ୍କର ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ଅସାଧାରଣ ବୋଲି କୁହାଯାଇପାରେ । ତେବେ ଦ୍ରୌପଦୀଙ୍କର ଏହି ସଫଳତା ଓଡିଶାର ଅନେକ ବଡ ମୁଣ୍ଡରେ ହଜମ ହେଉନାହିଁ ।

ଆଜି ପର୍ଯ୍ୟନ୍ତ ରାଜ୍ୟପାଳ ପଦରେ ଉଚ୍ଚବର୍ଗର ନେତୃତ୍ୱ ପ୍ରାଧାନ୍ୟ ପାଇ ଆସୁଥିଲେ । ପ୍ରଥମ ଥର ଜଣେ ଆଦିବାସୀ ମହିଳା ଏହି ପଦବୀ ପାଇଥିବାରୁ ତାକୁ ନେଇ ଅନେକ ଅସୂୟା ଭାବ ପ୍ରକାଶ କରୁଛନ୍ତି । ଜଣେ ପୂର୍ବତନ ଲୋକସଭା ସାଂସଦ ଦ୍ରୌପଦୀଙ୍କର ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସ୍ୱାଭାବିକ ଭାବରେ ଏହି ପୂର୍ବତନ ସାଂସଦ ଜଣଙ୍କ ଉଚ୍ଚ ବର୍ଗର ପ୍ରତିନିଧି ।

ଦ୍ରୌପଦୀ ପୂର୍ବରୁ ମନ୍ତ୍ରୀ ଥିଲେ ଓ ଶ୍ରେଷ୍ଠ ବିଧାୟିକା ଭାବରେ ପୁରସ୍କାର ମଧ୍ୟ ପାଇଥିଲେ । ଏହା ରାଜ୍ୟପାଳ ପଦବୀ ପାଇଁ ଯୋଗ୍ୟତା ହେବାରେ ଅସୁବିଧା କଣ ବୁଝାପଡୁନି । ଯଦି ପୂର୍ବତନ ଆଇଏଏସ୍‍, ପୋଲିସ୍‍ ଅଧିକାରୀ ଓ ବିଫଳ ରାଜନେତାମାନେ ରାଜ୍ୟପାଳ ହୋଇପାରନ୍ତି ସେଠି ଦ୍ରୌପଦୀଙ୍କର ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇବା ଆମ ଜାତିଆଣ ମାନସିକତାକୁ ସ୍ପଷ୍ଟ କରୁନାହିଁ କି ?

ଆଦିବାସୀଙ୍କର ନେତୃତ୍ୱ ପ୍ରସଙ୍ଗ ଉଠିଲେ ଆମ ଉଚ୍ଚବର୍ଗର ମାନସିକତା ଚିହିଁକି ଉଠେ । ଆମ ସମ୍ଭ୍ରାନ୍ତ ନାକ କୁଞ୍ଚିତ ହୋଇ ଉଠେ । ଆମେ ଭାବୁ ବଣ, ଡଙ୍ଗରରେ ରହୁଥିବା ଲୋକେ ଶାସନ କରିବା ପାଇଁ ଅନୁପଯୁକ୍ତ ।

ଓଡିଶାରେ ଯେତେ ଲୋକ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ତାଙ୍କ ଭିତରୁ ଗିରିଧର ଗମାଙ୍ଗ ଏକ ଭିନ୍ନ ଚରିତ୍ରର ବ୍ୟକ୍ତି । ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କ ଭିତରେ ପଦବୀର ଅହଙ୍କାର ନଥିଲା କିମ୍ବା ଲୋକଙ୍କଠୁ ଦୂରେଇ ରହିବାର ପ୍ରବଣତା ନଥିଲା ।

ଦୁର୍ଭାଗ୍ୟକ୍ରମେ ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ରହିଲେ ସେତେବେଳେ ଓଡିଶାକୁ ମହାବାତ୍ୟା ଭଳି ଏକ ବିରାଟ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଲା । ଏହି ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଯେଉଁ ପ୍ରକାର ରାଜନୈତିକ ଇଛାଶକ୍ତି ଓ ପ୍ରଶାସନିକ ଦକ୍ଷତା ରହିବା କଥା ତାହା ଗମାଙ୍ଗଙ୍କର ନଥିଲା ବୋଲି କହିହେବନି ।

ତେବେ ଏହି ବିପର୍ଯ୍ୟୟ ସମୟରେ ନିଜର ରାଜନୈତିକ ରାଗ ସୁଝାଇବାକୁ ଗମାଙ୍ଗଙ୍କୁ ତାଙ୍କ ଦଳ ଭିତରେ କମ୍‍ ହଲାପଟା କରାଯାଇନାହିଁ । ରାଜନୈତିକ ମଞ୍ଚରେ ସବୁବେଳେ ଆଦିବାସୀ ନେତୃତ୍ୱକୁ ନିଚ କରି ଦେଖେଇବାର ଏକ ପ୍ରବୃତ୍ତି ରାଜନୀତିରେ ଓ ଗଣମାଧ୍ୟମରେ ରହି ଆସିଛି ।

ଓଡିଶା ରାଜନୀତିରେ ୨୫ ଭାଗ ଆଦିବାସୀ ଭୋଟର୍‍ଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତଥାପି ରାଜନୈତିକ ପଦପଦବୀ, ପ୍ରଶାସନ, ପୋଲିସ୍‍, ଗଣମାଧ୍ୟମ ଓ ସାମାଜିକ ନେତୃତ୍ୱରେ ତାଙ୍କର କୌଣସି ପ୍ରଭାବ ନାହିଁ । ରାଜନୈତିକ ପଦପଦବୀର ଏକ ସାଙ୍କେତିକ ପ୍ରଭାବ ରହିଥାଏ । ୨୫ ଭାଗ ଆଦିବାସୀଙ୍କ ନେତୃତ୍ୱ ସବୁବେଳେ ଅଣ ଆଦିବାସୀଙ୍କ ହାତରେ ରହିଥିବାରୁ ସେମାନଙ୍କ ଭିତରେ ଏକପ୍ରକାର ଅସୁରକ୍ଷାର ବାତାବରଣ ରହି ଆସିଛି ।

ଏକ ଛୋଟିଆ ଉଦାହରଣ ଦେଇ ଏହାକୁ ସ୍ପଷ୍ଟ କରାଯାଇପାରେ । ଓଡିଶାର ଆଦିବାସୀ ବହୁଳ ଜିଲ୍ଲା କୋରାପୁଟ୍‍ର ପ୍ରଭାବଶାଳୀ ରାଜନୈତିକ ନେତୃତ୍ୱ କେଉଁମାନେ ? ଗମାଙ୍ଗ ପରିବାରକୁ ଛାଡିଦେଲେ ଏଠିକାର ନେତୃତ୍ୱ ଐତିହାସିକ ଦୃଷ୍ଟିରୁ କେଉଁମାନେ ନେଇ ଆସିଛନ୍ତି ? ହରିଶ୍‍ଚନ୍ଦ୍ର ବକ୍ସିପାତ୍ର, ରଘୁନାଥ ପଟ୍ଟନାୟକ, ରବି ନନ୍ଦ ପ୍ରମୁଖ ଆଦିବାସୀ ଜିଲ୍ଲାରୁ ଉଚ୍ଚବର୍ଗର ନେତୃତ୍ୱ ନେଇଛନ୍ତି ।

ଗିରିଧର ଗମାଙ୍ଗ ଓ ଖଗପତି ପ୍ରଧାନୀ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ସର୍ବାଧିକ ସମୟ ଲୋକସଭାରେ ରହିଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ସେମାନେ କେବେ ବି ଆଗ ଧାଡିର ନେତା ଭାବରେ ପରିଗଣିତ ହୋଇନାହାନ୍ତି ।

ବିଜେଡି ସରକାରରେ ମଧ୍ୟ ଅବସ୍ଥା ସମାନ । ରାଜ୍ୟ ମନ୍ତ୍ରୀମଣ୍ଡଳରେ ଆଦିବାସୀ ନେତୃତ୍ୱକୁ ନବୀନ ପଟ୍ଟନାୟକ କେବେ ମଧ୍ୟ ଗୁରୁତ୍ୱ ଦେଇନାହାନ୍ତି । ଲାଲ୍‍ ବିହାରୀ ହିମିରିକା ଓ ରମେଶ ମାଝୀଙ୍କ ଭଳି ଆଦିବାସୀ ପ୍ରତିନିଧିଙ୍କୁ ସବୁବେଳେ ଗୌଣ ପ୍ରଶାସନିକ ଦାୟିତ୍ୱ ଦିଆଯାଇଛି । ତେଣୁ ଗୋଟିଏ କଥା ସ୍ପଷ୍ଟ ଯେ ଆଦିବାସୀଙ୍କ ନେତୃତ୍ୱକୁ ଆମ ଉଚ୍ଚବର୍ଗ ଗ୍ରହଣ କରିବାକୁ ସହଜରେ ପ୍ରସ୍ତୁତ ନୁହଁ ।

ରାଜନୀତିର ପ୍ରଭାବ ସମାଜ ଜୀବନରେ ମଧ୍ୟ ପଡିଥାଏ । ଯେହେତୁ ରାଜନୀତିରେ ଆଦିବାସୀ ନେତୃତ୍ୱର ପ୍ରଭାବ ନାହିଁ, ସାମାଜିକ କ୍ଷେତ୍ରରେ ମଧ୍ୟ ସେମାନଙ୍କର କୌଣସି ପ୍ରତିପତ୍ତି ନାହିଁ ।

ସାନ୍ତାଳି ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ୍‍ ହୋଇ ଏକ ସ୍ୱତନ୍ତ୍ର ଭାଷାର ମର୍ଯ୍ୟାଦା ପାଇସାରିଛି । ଓଡିଆ ଭାଷାର ସାହିତ୍ୟିକଙ୍କ ପରି ବହୁ ଓଡିଶାବାସୀ ସାନ୍ତାଳି ଲେଖକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ।

ହେଲେ ସେମାନଙ୍କ ବିଷୟରେ ଆମ ଓଡିଶାର ଗଣମାଧ୍ୟମ ବା ସାମାଜିକ ସଙ୍ଗଠନଗୁଡିକ କିଛି ଜାଣନ୍ତି କି ? ଦମୟନ୍ତୀ ବେଶ୍ରା ବା ଯଦୁନାଥ ବେଶ୍ରାଙ୍କ ନାଁ କେତେଜଣ ଶୁଣିଛନ୍ତି ? କୁଇ, ସାନ୍ତାଳି, ମୁଣ୍ଡାରୀ ଭଳି ଭାଷାରେ ଅନେକ ସାହିତ୍ୟ ରଚନା ହେଲାଣି – ତାର ଚର୍ଚ୍ଚା ଆମେ କେବେ କରିଛୁ କି ?

ସମାଜ, ରାଜନୀତି ଓ ଚିନ୍ତନ କ୍ଷେତ୍ରରେ ଆଦିବାସୀଙ୍କୁ ଦଳିତ କରି ରଖିବାର ପ୍ରବଣତା ଆମ ପାଇଁ ଦିନେ ନା ଦିନେ ମହଙ୍ଗା ସାବ୍ୟସ୍ତ ହେବ ।

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

Filed Under: ରୋକ ଠୋକ Tagged With: ଆଦିବାସୀ, ଓଡିଶା, କେଦାର ମିଶ୍ର, ଗିରିଧର ଗମାଙ୍ଗ, ଜୁଏଲ ଓରାମ, ଦ୍ରୌପଦୀ ମୁର୍ମୁ, ଧର୍ମେନ୍ଦ୍ର ପ୍ରଧାନ, ନେତୃତ୍ୱ, ରୋକ ଠୋକ, ହେମାନନ୍ଦ ବିଶ୍ଵାଳ

ଓରାମଙ୍କୁ ସାକ୍ଷାତ କଲେ ଝାଡଖଣ୍ଡର ନବ ନିଯୁକ୍ତ ରାଜ୍ୟପାଳ

May 21, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ନୂଆଦିଲ୍ଲୀ, ମଇ ୨୧ (ଓଡିଶା ଡଟ କମ) ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗୁରୁବାର ସନ୍ଧ୍ୟାରେ ନୂଆ ଦିଲ୍ଲୀରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି ।

????????????????????????????????????

ଉଭୟଙ୍କ ମଧ୍ୟରେ ପ୍ରାୟ କୋଡିଏ ମିନିଟ ଧରି ବିଚାର ଆଲୋଚନା ହୋଇଥିଲା । ସାକ୍ଷାତ ପରେ ଓରାମ କହିଛନ୍ତି ଯେ ଏହା ଏକ ଅନୌପଚାରିକ ସାକ୍ଷାତ ଥିଲା ।

ଏହି ସାକ୍ଷାତ ସମୟରେ ଶ୍ରୀ ଓରାମ ଶ୍ରୀମତୀ ମୁର୍ମୁଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ ।

ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲାପରେ ଏହା ହେଉଛି ଶ୍ରୀମତୀ ମୁର୍ମୁଙ୍କ ପ୍ରଥମ ଦିଲ୍ଲୀ ଗସ୍ତ ।

ଓଡିଶା ଡଟ କମ

Filed Under: ରାଜନୀତି Tagged With: ଜୁଏଲ ଓରାମ କେନ୍ଦ୍ର ମନ୍ତ୍ରୀ, ଝାଡଖଣ୍ଡ ରାଜ୍ୟପାଳ, ଦ୍ରୌପଦୀ ମୁର୍ମୁ

ଝାଡଖଣ୍ଡ ରାଜ୍ୟପାଳ ଭାବେ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ

May 18, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ: ସୁଜାତା ପ୍ରକାଶ

ରାଞ୍ଚି, ଝାଡଖଣ୍ଡ, ମଇ ୧୮ (ଓଡିଶା ଡଟ କମ) ପୂର୍ବତନ ଓଡିଶା ମନ୍ତ୍ରୀ ତଥା ବରିଷ୍ଠ ଆଦିବାସୀ ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡର ନବମ ରାଜ୍ୟପାଳ ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି ।

????????????????????????????????????

????????????????????????????????????

ରାଜ ଭବନସ୍ଥିତ ବିରସା ମଣ୍ଡପ ଠାରେ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ବିରେନ୍ଦ୍ର ସିଂହ ସ୍ଵତନ୍ତ୍ର ଭାବେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ଏହି ଉତ୍ସବରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ତଥା ଉଭୟ ଝାଡଖଣ୍ଡ ଓ ଓଡିଶାର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ଜୁନ ୨୦, ୧୯୫୮ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀମତୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ବିଧାନସଭାରେ ୨୦୦୦ ରୁ ୨୦୦୪ ଓ ପୁନର୍ବାର ୨୦୦୪ ରୁ ୨୦୦୯ ପ୍ରତିନିଧିତ୍ଵ କରିଥିବା ସହ ଓଡିଶାର ରାଜ୍ୟର ବାଣିଜ୍ୟ ଓ ପରିବହନ ଓ ପରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ ।

ବିଏ ପାସ କରିଥିବା ଏହି ଆଦିବାସୀ ନେତ୍ରୀ ରାଜ୍ୟ ସଚିବାଳୟରେ କିରାଣୀ ଚାକିରିରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସେକସନ ଅଫିସର ଭାବେ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିବା ପରେ ରାଇରଙ୍ଗପୁର ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ କିଛିଦିନ ଶିକ୍ଷକତା ମଧ୍ୟ କରିଥିଲେ ।

ପରବର୍ତୀ ସମୟରେ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟି ରେ ଯୋଗଦାନ କରିଥିଲେ । ତାଙ୍କର ରାଜନୈତିକ ଜୀବନ ରାଇରଙ୍ଗପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସଦସ୍ୟ ଓ ଉପାଧ୍ୟକ୍ଷ ଭାବେ ଆରମ୍ଭ ହୋଇଥିଲା ।

ଓଡିଶା ଡଟ କମ

Filed Under: ପ୍ରବାସୀ ଓଡିଆ, ରାଜନୀତି Tagged With: ଝାଡଖଣ୍ଡ, ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ

ରାଜନୀତିର ଊର୍ଦ୍ଧ୍ଵରେ ରହି ଦାୟିତ୍ଵ ତୁଲାଇବି: ଦ୍ରୌପଦୀ ମୁର୍ମୁ (ସାକ୍ଷାତକାର)

May 13, 2015 by News Bureau 1 Comment

ଓଡିଶା ଡଟ କମ: ସୁମିତ୍ରା ପଢିଆରୀ

ଭୁବନେଶ୍ଵର, ମଇ ୧୩ (ଓଡିଶା ଡଟ କମ)  ରାଜ୍ୟପାଳ ପଦବୀ ଏକ ସାମ୍ବିଧାନିକ ପଦବୀ ଓ ରାଜନୀତିର ଊର୍ଦ୍ଧ୍ଵରେ ରହି ମୁ ଏହି ଗୁରୁ ଦାୟିତ୍ଵ ତୁଲାଇବି ବୋଲି ଝାଡଖଣ୍ଡର ରାଜ୍ୟପାଳ ଭାବେ ମଙ୍ଗଳବାର ନିଯୁକ୍ତି ପାଇଥିବା ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଭାରତୀୟ ଜନତା ପାର୍ଟି ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡିଶା ଡଟ କମ କୁ ଏକ ସାକ୍ଷାତକାର ରେ କହିଛନ୍ତି ।

drupadi murmuପାର୍ଟିର ବହୁ ପଦପଦବୀରେ ମୁ ଅତୀତରେ କାର୍ଯ୍ୟ କରିଛି କିନ୍ତୁ ବର୍ତ୍ତମାନ ଯେଉଁ ପଦବୀ ମୋତେ ମିଳିଛି ତାହା ହେଉଛି ଏକ ସାମ୍ବିଧାନିକ ପଦବୀ । ଏହାର ଗୌରବ ଓ ମର୍ଯ୍ୟାଦା ଅକ୍ଷୁର୍ଣ ରଖିବା ହେଉଛି ଏକ ଗୁରୁ ଦାୟିତ୍ଵ । ତେଣୁ ରାଜନୀତିରୁ ଉର୍ଦ୍ଧରେ ରହି ମତେ କାମ କରିବାକୁ ପଡିବ ଏବଂ ସମ୍ବିଧାନର ନିୟମ ମାନିବାକୁ ପଡିବ, ସେ କହିଛନ୍ତି ।

ଝାଡଖଣ୍ଡ ଏକ ଆଦିବାସୀ ବହୁଳ ରାଜ୍ୟ ଏବଂ ଆପଣ ମଧ୍ୟ ଜଣେ ଆଦିବାସୀ ନେତ୍ରୀ ହୋଇଥିବାରୁ ଏହି ପରିପ୍ରେକ୍ଷୀରେ ଆପଣଙ୍କର ମୁଖ୍ୟ ପ୍ରଥମିକତା କ’ଣ ହେବ ? ପ୍ରଶ୍ନର ଉତ୍ତରରେ ମୁର୍ମୁ କହିଲେ ଝାଡଖଣ୍ଡ ଏକ ନୂତନ ରାଜ୍ୟ ହୋଇଥିବାରୁ ସେଠାରେ ବହୁ ଅଞ୍ଚଳ ଏବେବି ଅନୁନ୍ନତ । ବର୍ତ୍ତମାନ ସେଠାରେ ବିକାଶର ଧାରା ଅବ୍ୟାହତ ରହିଛି ।

ଝାଡଖଣ୍ଡ ଏକ ଆଦିବାସୀ ବହୁଳ ରାଜ୍ୟ ହୋଇଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କିପରି ସଫଳ ରୂପାୟନ ହେବ ସେଥିପ୍ରତି ଦୃଷ୍ଟି ଦେବି ବୋଲି ସେ କହିଛନ୍ତି । ଆଦିବାସୀ ମାନଙ୍କ ସ୍ଵାର୍ଥ ରକ୍ଷା ଓ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଯାହାସବୁ ଆବଶ୍ୟକ ତାହା କରିବାପାଇଁ ମୁ ତତ୍ପର ରହିବି, ସେ କହିଛନ୍ତି।

ଜମି ଅଧିଗ୍ରହଣ ବିଲକୁ ନେଇ କେନ୍ଦ୍ରରେ ମୋଦୀ ସରକାର ବିରୋଧୀ ଦଳ ମାନଙ୍କ ଦ୍ଵାରା ସମାଲୋଚିତ ହେଉଥିବା ବେଳେ ଏ ବିଲ୍ ସମ୍ପର୍କରେ କୌଣସି ମତାମତ ଦେବାପାଇଁ ଅନିଚ୍ଛା ପ୍ରକାଶକରି ମୁର୍ମୁ କହିଛନ୍ତି ଯେ ଏହି ବିଲ ବର୍ତମାନ ସୁଦ୍ଧା ପାର୍ଲିଆମେଣ୍ଟରେ ଗୃହିତ ହୋଇନାହିଁ ।

ତେବେ ରାଜ୍ୟପାଳ ତଥା ରାଷ୍ଟ୍ରପତିଙ୍କ ଦାୟିତ୍ଵ ହେଲା ଯେଉଁ ବିଲ ସରକାରୀ ସ୍ତରରେ ପାସ ହୋଇ ଆସିବ, ତା’ଉପରେ ମତାମତ ଦେବା । ବର୍ତ୍ତମାନ ଏହି ବିଷୟରେ କିଛି କହିବା ଉଚିତ ହେବନାହିଁ ।

ଆଦିବାସୀ ଓ ମହିଳା ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କିତ ଗୋଟିଏ ପ୍ରଶ୍ନର ଉତ୍ତାରେ ସେ କହିଛନ୍ତି ଯେ ଭାରତ ବର୍ଷରେ ପ୍ରାୟ ୪୯ ପ୍ରତିଶତ ହେଉଛନ୍ତି ମହିଳା । ତେଣୁ ପୁରୁଷମାନଙ୍କୁ ଯେଉଁ ଯେଉଁ ସୁବିଧା,ସମ୍ମାନ ଦିଆଯାଉଛି ସେହି ସମାନ ସୁବିଧା ଓ ସମ୍ମାନ ମହିଳାମାନଙ୍କୁ ଦିଆଯିବାର ଆବଶ୍ୟକତା ରହିଛି । କିନ୍ତୁ ଯେପରି ଭାବରେ ସମାଜରେ ମାନସିକତାରେ ସ୍ଖଳନ ଘଟିଛି, ସେ ମାନସିକତାର ପରିବର୍ତ୍ତନ ହେବା ଦରକାର ।

ମହିଳାମାନଙ୍କ ସୁରକ୍ଷା, ବିକାଶ ଓ ଉନ୍ନତି ପାଇଁ ସରକାର ଯେଉଁ ନୀତି ନିୟମ ତିଆରି କରିଛନ୍ତି ତାକୁ ଠିକ ଭାବେ କାର୍ଯ୍ୟକାରୀ କରାଯିବା ର ଆବଶ୍ୟକତା ରହିଛି। । ମୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିବି ଯେ ମହିଳା ଓ ପୁରୁଷ ଦୁଇଜଣ ଭଗବାନଙ୍କ ସୃଷ୍ଟିରେ ସମାନ ।

କେବଳ ଶାରୀରିକ ପାର୍ଥକ୍ୟ ରହିଛି କିନ୍ତୁ ବାକି କର୍ମ କ୍ଷେତ୍ରରେ, ମାନସିକ କ୍ଷେତ୍ରରେ, ବିକାଶ କ୍ଷେତ୍ରରେ, ସେମାନେ ସବୁ ଦୃଷ୍ଟିରେ ସମାନ । ତେଣୁ ଏହି ଶାରୀରିକ ପାର୍ଥକ୍ୟ ନଦେଖି ସେମାନଙ୍କୁ ମା ଓ ଭଉଣୀ ଭାବରେ ସମ୍ମାନ କଲେ ନିଜର ଉନ୍ନତି ହେବା ସହ ଦେଶ, ରାଜ୍ୟ ଓ ଜାତିର ନିଶ୍ଚିତ ଉନ୍ନତି ହେବ ।

ଓଡିଶା ତାଙ୍କ ଗୃହ ରାଜ୍ୟ ହୋଇଥିବାରୁ ସେ ରାଜ୍ୟର ବିକାଶ ରେ କି ପ୍ରକାର ସହାୟତା କରିବେ ଏହି ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ମୁର୍ମୁ କହିଲେ ସେ ସବୁବେଳେ ରାଜ୍ୟର ସ୍ଵାର୍ଥ ପାଇଁ ବିଭିନ୍ନ ସ୍ତରରେ କାର୍ଯ୍ୟକରି ଆସିଛନ୍ତି । ଅତୀତରେ ବିଜେପିର ନେତ୍ରୀ ଭାବେ ହେଊ ଅଥବା ବିଧାନସଭାର ସଦସ୍ୟ କିମ୍ବା ରାଜ୍ୟର ମନ୍ତ୍ରୀ ଭାବେ ହେଉ, ସବୁ ବେଳେ ସେ ତାଙ୍କ ରାଜ୍ୟ ପ୍ରତି ଦାୟିତ୍ଵ ନିର୍ବାହ କରିଆସିଛନ୍ତି ।

“ଯେହେତୁ ଓଡିଶା ମୋ ଜନ୍ମ ମାଟି ତେଣୁ ତାହା ପ୍ରତି ମୋର ଦୁର୍ବଳତା ଓ ଶ୍ରଦ୍ଧା ସବୁବେଳେ ରହିବ” ସେ କହିଛନ୍ତି ।

ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଙ୍ଗଳବାର ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ରାଷ୍ଟ୍ରପତି ଭବନରୁ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ପରେ ମୁର୍ମୁ ରାଜ୍ୟର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ହେବାର ସୌଭାଗ୍ୟ ଲାଭ କରିଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ବିଧାନସଭାରେ ୨୦୦୦ ରୁ ୨୦୦୪ ଓ ପୁନର୍ବାର ୨୦୦୪ ରୁ ୨୦୦୯ ପ୍ରତିନିଧିତ୍ଵ କରିଥିବା ମୁର୍ମୁ ,୫୭ ରାଜ୍ୟର ବାଣିଜ୍ୟ ଓ ପରିବହନ ଓ ପରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇବା ସହ ବହୁ ଗୁରୁତ୍ଵ ପୂର୍ଣ କମିଟି ର ସଦସ୍ୟ ରହିଥିଲେ ।

ବିଏ ପାସ କରିଥିବା ଏହି ଆଦିବାସୀ ନେତ୍ରୀ ରାଜ୍ୟ ସଚିବାଳୟରେ କିରାଣୀ ଚାକିରିରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସେକସନ ଅଫିସର ଭାବେ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିବା ପରେ ରାଇରଙ୍ଗପୁର ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ କିଛିଦିନ ଶିକ୍ଷକତା ମଧ୍ୟ କରିଥିଲେ ।

ପରବର୍ତୀ  ସମୟରେ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟି ରେ ଯୋଗଦାନ କରିଥିଲେ । ତାଙ୍କର  ରାଜନୈତିକ ଜୀବନ ରାଇରଙ୍ଗପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସଦସ୍ୟ ଓ ଉପାଧ୍ୟକ୍ଷ ଭାବେ ଆରମ୍ଭ ହୋଇଥିଲା ।

 

ଓଡିଶା ଡଟ କମ

Filed Under: ରାଜନୀତି, ସାକ୍ଷାତକାର Tagged With: ଓଡିଶା, ଝାଡଖଣ୍ଡ, ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା