• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ବଜାର

ଓଡିଆ ପୂଜା ପତ୍ରିକାର ଅଭିନବ ଜୟଯାତ୍ରା; ଦଶଟି ପ୍ରମୁଖ କଥା

November 4, 2016 by ନିଉଜ ଡେସ୍କ 5 Comments

odi
କେଦାର ମିଶ୍ର

ପାଖାପାଖି ୩୦ ହଜାର ପୃଷ୍ଠାର ମୁଦ୍ରିତ ସାହିତ୍ୟ, ୧୦୦ ରୁ ଅଧିକ ଉପନ୍ୟାସ, ୨୦୦୦ ରୁ ଅଧିକ ଗଳ୍ପ, ୩୫୦୦ ରୁ ଅଧିକ କବିତା ଓ ସାହିତ୍ୟର ଆହୁରି ଅନେକ ବିଭାଗ।

ଗୋଟିଏ ମାସରେ ଏତେ ପରିମାଣର ସାହିତ୍ୟିକ ସୃଷ୍ଟି ବଜାରରେ ଉପଲବ୍ଧ ହେବା ସାରା ଭାରତରେ ଏକ ବିରଳ ଘଟଣା।

ଗତ ପ୍ରାୟ ୨୦ ବର୍ଷ ହେଲା ଓଡିଶାରେ ପୂଜା ପତ୍ରିକାର ଏକ ବିରାଟ ବଜାର ସୃଷ୍ଟି ହୋଇଛି । ସାହିତ୍ୟ ପତ୍ରିକାର ବିକ୍ରୀ ବା କାଟତି ନାହିଁ ବୋଲି ଯେଉଁମାନେ ଭାବୁଥିଲେ, ସେମାନେ ପୂଜା ବଜାର ର ଏହି ସମ୍ଭାର ଦେଖି ଚକିତ ଓ ବିସ୍ମିତ।

ବର୍ଷ ସାରା ପତ୍ରିକା ବଜାରରେ କାଉ ଉଡୁଥିବା ବେଳେ ହଠାତ୍ ଅକ୍ଟୋବର ମାସ ଆରମ୍ଭରୁ ପତ୍ରିକା ଷ୍ଟଲ୍ ଗୁଡିକରେ ଓଡିଆ ପତ୍ରିକାର ଗହଳି ଆରମ୍ଭ ହୁଏ ।

ଗତ ବର୍ଷ ପୂଜା ବେଳକୁ ୧୧୭ ଟି ଓଡିଆ ପତ୍ରିକା ପ୍ରକାଶ ପାଇଥିବା ବେଳେ ଚଳିତ ବର୍ଷ ଆଜି ସୁଦ୍ଧା (ନଭେମ୍ବର ୩ ) ୯୨ ଟି ପତ୍ରିକା ବଜାରକୁ ଆସି ସାରିଛି ।

ଆସନ୍ତା ମାସ ରେ ଆଉ କିଛି ପତ୍ରିକା ବଜାରକୁ ଆସିବାର ସମ୍ଭାବନା ରହିଛି । ଭାରତର କୌଣସି ବି ଭାଷା ସାହିତ୍ୟରେ ଏତେ ସଂଖ୍ୟକ ପତ୍ରିକା ଏକା ସାଂଗରେ ପ୍ରକାଶିତ ହୁଅନ୍ତି କି ନାହିଁ ତାହା ଗବେଷଣା ସାପେକ୍ଷ । ଓଡିଶ ପତ୍ର ପତ୍ରିକା ର ଏହି ବିରଳ ଜୟଯାତ୍ରା କୁ ନେଇ ଦଶଟି କଥା-

୧. ବର୍ଷ ସାରା ଓଡିଶାରେ ସାହିତ୍ୟର ପାଠକ ନାହାନ୍ତି ଓ ଓଡିଆ ପଢୁଥିବା ଲୋକଂକ ସଂଖ୍ୟା କମିଯାଉଛି ବୋଲି ଚିତ୍କାର ଶୁଭୁଥିବା ବେଳେ ଦଶହରା ସମୟରେ ସ୍ଵର ଓ ଚିତ୍ର ବଦଳିଯାଏ ।

ମହାଳୟା ରୁ କାଳୀ ପୂଜା ଭିତରେ ଓଡିଆ ପତ୍ରପତ୍ରିକା ବଜାର ସରଗରମ ହୋଇଉଠେ। ଗତ ଦଶ ବର୍ଷର ପତ୍ରପତ୍ରିକା ପ୍ରକାଶନ ର ବିଶ୍ଲେଷଣ ରୁ ଜଣାପଡୁଛି ଯେ ପ୍ରତି ବର୍ଷ ଏହି ସମୟରେ ପ୍ରାୟ ୧୦୦ ରୁ ୧୨୦ ପତ୍ରିକା ପ୍ରକାଶିତ ହୁଅନ୍ତି ।

୨. ୨୪ ପୃଷ୍ଠା ରୁ ୧୭୦୦ ପୃଷ୍ଠା ଯାଏଁ ବିଭିନ୍ନ ଆକାର ଓ ପ୍ରକାରର ସାହିତ୍ୟ ପତ୍ରିକା ଏହି ସମୟରେ ବଜାରକୁ ଆସେ। ଚଳିତ ବର୍ଷ ସବୁଠୁ ମୋଟା ପତ୍ରିକା “ବର୍ତ୍ତିକା” ର ପୃଷ୍ଠା ସଂଖ୍ୟା ୧୭୦୦+ ହୋଇଥିବା ବେଳେ ୨୪-୭୪ ପୃଷ୍ଠାର ଅନେକ ଛୋଟ ପତ୍ରିକା ମଧ୍ୟ ପ୍ରକାଶିତ ହୋଇଛନ୍ତି।

୩. ଏତେ ପରିମାଣର ସାହିତ୍ୟ ପତ୍ରିକା ପ୍ରକାଶ ପାଉଛି ଯଦିଓ, ଏହାର ବଜାର ଅଛି କି ନା1000ହିଁ, ତାହା ଏକ ବଡ ପ୍ରଶ୍ନ ।

ତେବେ ପତ୍ରପତ୍ରିକା ର ସବୁଠୁ ବଡ ବିତରଣ କେନ୍ଦ୍ର ଭୁବନେଶ୍ଵର ପୁରୁଣା ବସଷ୍ଟାଣ୍ଡ ରେ ଏହି ସମୟରେ ପତ୍ରିକା କିଣୁଥିବା ଲୋକଂକର ବେଶ୍ ଭିଡ ଜମିଥାଏ।

ଏହି ସମୟ ମଧ୍ୟରେ କେତେ ପତ୍ରିକା ବିକ୍ରୀ ହେଉଛି ତାର ସଠିକ ଅର୍ଥନୈତିକ ଆକଳନ ସମ୍ଭବ ନଥିଲେ ମଧ୍ୟ, ଏହା ବେଶ୍ ମୋଟା ଅଂକର ବ୍ୟବସାୟ ବୋଲି ସୂଚନା ମିଳୁଛି ।

odi2୪. ପୁରୁଣା ବସ ଷ୍ତାଣ୍ଡ୍ ସ୍ଥିତ ନାରାୟଣୀ ପତ୍ରିକା ଦୋକାନର ମାଲିକ ବାବୁଲିଂକ ସୂଚନା ଅନୁସାରେ ଚଳିତ ବର୍ଷ ସବୁଠୁ ଅଧିକ ବିକ୍ରୀ ହୋଇଥିବା ପତ୍ରିକା ଗୁଡିକ ହେଲେ-

ସମ୍ବାଦ ବାର୍ଷିକ ସଂଖ୍ୟା,(ସମ୍ପାଦକ- ସୌମ୍ୟରଂଜନ ପଟ୍ଟନାୟକ ) ସାମ୍ନା, (ସଂ-ସରୋଜ ବଳ), ବର୍ତ୍ତିକା (ସଂ- ନବକୁମାର ଦାସ),କଥା (ସଂ- ଗୌରହରି ଦାସ), କାଦମ୍ବିନୀ (ସଂ- ଇତି ସାମନ୍ତ ), ପଶ୍ଚିମା (ସଂ- ଅଶୋକ ମହାନ୍ତି), ଝଂକାର (ସଂ- ସରୋଜ ରଂଜନ ମହାନ୍ତି), ନବନୀତା (ସଂ- କ୍ଷେତ୍ରବାସୀ ନାୟକ),ପୌରୁଷ( ସଂ- ଅସିତ ମହାନ୍ତି) ଓ ଶିଶିର (ସଂ- ସୁନିଲ ପୃଷ୍ଟି) ।

୫. ମୁଦ୍ରଣ ପରିପାଟୀ, ପାଠ ବିନ୍ୟାସ, ପ୍ରଛଦ ତଥା ଅନ୍ୟାନ୍ୟ ଦୃଶ୍ୟଗତ କ୍ଷେତ୍ରରେ ପତ୍ରିକା ସବୁ ସୁନ୍ଦର ଲାଗୁଥିବା ବେଳେ, ପାଠ ଦୃଷ୍ଟିରୁ ପ୍ରାୟ ସବୁ ପତ୍ରିକା ସମାନ ସମ୍ପାଦକୀୟ ସୀମା ଭିତରେ ରହିବାକୁ ଚେଷ୍ଟା କରିଛନ୍ତି ।

ନୁଆ ପାଠ ଓ ଜଣ ଜୀବନର ନୁଆ ବିଭାଗ ବିଷୟରେ ଲେଖା ସଂଯୋଜିତ କରିବାର ଆଗ୍ରହ କ୍ବଚିତ୍ ଦେଖିବାକୁ ମିଳିଛି ।

୬. ତେବେ କିଛି ପତ୍ରିକା ଅଛନ୍ତି ଯେଉଁମାନେ ନୁଆ କିଛି କରିବାର ପ୍ରୟାସ କରିବା ସହିତ ପୂଜା ସଂଖ୍ୟାରେ ସ୍ବତନ୍ତ୍ର ବିଷୟ ପ୍ରସଂଗକୁ ଆଧାର କରିଛନ୍ତି।

“ଅକ୍ଷର” ର ସମ୍ପାଦକ ଦେଶର ଅସହିଷ୍ଣୁତା ଓ ଦେଶପ୍ରେମକୁ ନେଇ ପୂରା ସଂଖ୍ୟା ପ୍ରସ୍ତୁତ କରିଥିବା ବେଳେ “ସାମ୍ନା” ଉପନ୍ୟାସ ବିଶେଷାଂକ ପ୍ରସ୍ତୁତ କରିଛି। ସେହିପରି “ନିଶାନ୍ତ” ଓଡିଆ ରଂଗମଂଚ କୁ ପ୍ରସଂଗ କରି ନିଜର ସ୍ବତନ୍ତ୍ରସଂଖ୍ୟା ବଜାରକୁ ଛାଡିଛନ୍ତି ।

୭. ଏଥର ପୂଜା ସଂଖ୍ୟାରେ ନୁଆ ଲେଖକ ଲେଖିକାମାନଙ୍କର ଉପସ୍ଥିତି ବେଶ୍ ବାରି ହୋଇ ପଡୁଛି ।

ଅନେକ ନୁଆ ଗାଳ୍ପିକ ଓ ଔପନ୍ୟାସିକଂକ ଲେଖା ସମ୍ପାଦକ ମାନେ ଛାପିଛନ୍ତି । ତରୁଣ ପିଢିର ଲେଖିକା ସ୍ଵାଗତିକା ସ୍ଵାଇଁ ଏଥର ପୂଜାରେ ଚାରୋଟି ଉପନ୍ୟାସ ଲେଖି ଏକ ରେକର୍ଡ଼ ସୃଷ୍ଟି କରିଛନ୍ତି ।

୮. ପତ୍ର ପତ୍ରିକା କେବଳ ଷ୍ଟଲରେ ନୁହଁ, ଅନ୍ ଲାଇନ୍ ରେ ମଧ୍ୟ ବିକ୍ରୀ ହେଉଛି। ଓଡିଆ ବହିର ଅନ୍ ଲାଇନ୍ ବଜାର odikart.com ପ୍ରାୟ ଷାଠିଏ ଟି ପତ୍ରିକା ଉପଲବ୍ଧ ହେଉଛି ।

୯. ବଂଗଳା ପତ୍ରିକା ର ଅନୁସରଣରେ ଓଡିଆ ପୂଜା ପତ୍ରିକା ଆରମ୍ଭ ହୋଇଥିବା ବେଳେ ପରିମାଣ ଦୃଷ୍ଟିରୁ ଏବେ ବଂଗଳା ଠାରୁ ଓଡିଆ ପତ୍ରିକା ବହୁ ଆଗରେ । ତେବେ ଗୁଣାତ୍ମକ ଦୃଷ୍ଟିରୁ ଆମ ସମ୍ପାଦକ ମାନଂକୁ ଆହୁରି ଅନେକ କଥା କରିବାକୁ ବାକି ଅଛି ।

୧୦. ତେବେ ଗୋଟେ ନିର୍ଦ୍ଦିଷ୍ଟ ସମୟରେ ସାହିତ୍ୟର ଏହି ଶାରଦୀୟ ଶୋଭାଯାତ୍ରା ଆମ ସମୟ ଓ ସାହିତ୍ୟ ପାଇଁ ଏକ ଶୁଭ ସୂଚନା । ଖୁବ୍ କମ୍ ସରକାରୀ ଓ କର୍ପୋରେଟ୍ ବିଜ୍ଞାପନ ସତ୍ତ୍ୱେ ବ୍ୟକ୍ତିଗତ ସାହିତ୍ୟ ପ୍ରେମ ଯୋଗୁଁ ଏତେ ଗୁଡାଏ ପତ୍ରିକା ପ୍ରକାଶ ପାଇବା କମ ବଡ ସଫଳତା ନୁହେଁ ।

 

Filed Under: ସାହିତ୍ୟ Tagged With: ଉପନ୍ୟାସ, ଓଡିଆ, କବିତା, ଗଳ୍ପ, ଜୟଯାତ୍ରା, ପତ୍ରିକା, ପୂଜା, ବଜାର, ସାହିତ୍ୟ

ଦେବଦାସଂକ କଲମ ଓ ବିଭୁକିଶୋରଂକ କଣ୍ଠର ଯୁଗଳବନ୍ଦୀ “ବ୍ଲୁ ମୁଡ୍”

October 1, 2016 by ନିଉଜ ଡେସ୍କ 1 Comment

2-copy

 

କେଦାର ମିଶ୍ର

ଦେବଦାସ ଛୋଟରାୟଂକ ପାଖରେ ସତେ ଅବା ଅଟକି ଯାଇଛି କୈଶୋର ଆଖିରେ ଆଖିଏ ସ୍ଵପ୍ନ ନେଇ କଟକର ଗଳିରାସ୍ତାରେ ସାଇକଲ୍ ଚଳେଇ ଗୋଟେ ତରୁଣ କବି ଆଜିବି ଗୀତ ଗାଉଛି । ବିନ୍ଦାସ୍ ସମୟର ଟିପେ ବି ଦାଗ ଲାଗିନାହିଁ କବିତାରେ । ପ୍ରଜାପତିର ରଂଗୀନ ଡେଣାରେ ଅଧଲେଖା ଫଗୁଣର କବିତା ଦେବଦାସ ଛୋଟରାୟଂକ କବିତା ।

ଏବେ ଏବେ ତାଂକ ନୁଆ କବିତାର ସିଡି ଆସିଛି ବଜାରକୁ । “ବ୍ଲୁ ମୁଡ୍” ଦେବଦାସଂକ ନୁଆ କବିତାର ଗୀତି ରୂପ । ଏସବୁ ଲିରିକ୍ ନୁହଁ, ନିରୋଳା କବିତା । ଛନ୍ଦହୀନତା ଭିତରେ ଗୋଟେ ସ୍ବଛନ୍ଦ ମାଦକତା । କବିତାକୁ ସୁରରେ ସଜେଇଛନ୍ତି ଆମ ସମୟର ଖ୍ୟାତନାମା ଗାୟକ ବିଭୁ କିଶୋର ।

‘ଆମର ମ୍ୟୁଜିକ୍’ ଦ୍ଵାରା ପ୍ରସ୍ତୁତ ଏହି ସଂଗୀତ ସିଡିର ପ୍ରଯୋଜନା କରିଛନ୍ତି ବିଶିଷ୍ଟ ପ୍ରଯୋଜକ ଅକ୍ଷୟ କୁମାର ପରିଜା । ଓଡିଆ କବିତା ଓ ସଂଗୀତ କ୍ଷେତ୍ରରେ ଗୋଟେ ନୁଆ ପ୍ରୟୋଗ ଓ ଗୋଟେ ଅଭିନବ ଆବିସ୍କାରର କାହାଣୀ କହୁଥିବା “ବ୍ଲୁ ମୁଡ୍ “ କୁ ନେଇ କିଛି କଥା ।

୧. ଗୀତ ଓ କବିତା ଭିତରେ ଗୋଟେ ମୌଳିକ ଫରକ୍ ରହିଛି । ସବୁ କବିତା ଗୀତ ହୋଇପାରେ ହେଲେ ସବୁ ଗୀତ କବିତା ହୋଇ ପାରନ୍ତି ନାହିଁ । ଗୀତରେ ହୁଏତ ଗୋଟେ ଛନ୍ଦ ଥାଏ, ସ୍ଵରର ଲାଳିତ୍ୟ ଥାଏ,ଶବ୍ଦର ସୁଷମା ଥାଏ, ହେଲେ କବିତାରେ ଏସବୁରୁ କିଛି ନଥାଇ, ସବୁ କିଛି କୁ ପାଇ ହୁଏ ।

କବିତା ତାର ମୁକ୍ତ କାୟାରେ ଛନ୍ଦକୁ ଗୋପନ ରଖିଥାଏ । ଚିହ୍ନରା ଗାୟକ ତାକୁ ଠିକ ଚିହ୍ନେ, ଠିକ ସୁରରେ ବାଂଧେ ଓ ତାର ଭାବକୁ ନୀରବତା ଭିତରୁ ପ୍ରକଟିତ କରାଏ ।

1୨. “ବ୍ଲୁ ମୁଡ୍” ଗୀତ ନୁହଁ, କବିତା । ତାର ଛନ୍ଦ ମୁକ୍ତ, ଭାବ ଅବାରିତ ଓ ଅର୍ଥ ବହୁ ପ୍ରସ୍ଥିୟ । କବିଂକ ଭାଷାରେ ଏ ସବୁ ଶ୍ୟାମଳ ସ୍ବପ୍ନ (ହୁଏତ ଅନ୍ଧକାରର ସ୍ବପ୍ନ) ଓ ବିଷାଦ ର କବିତା। କୈଶୋରର ନୁଆ ସ୍ବପ୍ନ ଓ ସ୍ମୃତିକୁ ନେଇ ଏଇ କବିତା ସବୁ ଆମକୁ ଗୋଟେ ନିଛାଟିଆ ସହରର ଶୁନଶାନ ଗଳିରେ ଠିଆ କରେଇ ଦିଅନ୍ତି । ପବନର ଗୀଟାରରେ ଏଇ କବିତା ହାଲକା ହାଲକା ଆମକୁ ରୋମାଂଚିତ କରେ ।

୩. ବିଭୁ କିଶୋର ଓ ଦେବଦାସ ଦୁଇ ଭିନ୍ନ ପ୍ରଜନ୍ମ ର ଶିଳ୍ପୀ । ଅକ୍ଷୟ ମହାନ୍ତି ଯେଉଁ ଦେବଦାସଂକ ଗୀତକୁ ସ୍ଵର କରିଥିଲେ, ସେ ଦେବଦାସ, ବିଭୁକିଶୋରଂକ କଣ୍ଠରେ ସେମିତି ନୁହନ୍ତି । ଏ ଦେବଦାସ ସମୟର ପ୍ରବାହରେ ଆଉ ଏକ ଧାର । ବିଭୁ ତାଂକ କଣ୍ଠରେ ଦେବଦାସଂକ କବିତାକୁ ନୁଆ କରି ଆବିସ୍କାର କରିଛନ୍ତି ।

2୪. ଦେବଦାସଂକ ବ୍ୟାକୁଳତା, ଅଧିର ହେବାର ସ୍ପନ୍ଦନ, ତାଂକର ବିଷାଦ, ଏକଲାପଣ ଓ ଅସରନ୍ତି ସ୍ବପ୍ନର ମହୋତ୍ସବ, ବିଭୁ କିଶୋରଂକ କଣ୍ଠରେ ନୁଆ ଯୁଗର ସୁର ହୋଇ ଝରୁଛି । ୟାକୁ ଉର୍ଦୁ ଗୀତ୍ ବା ନଜମ୍ ର ଏକ ପ୍ରତିରୂପ ବୋଲି କୁହାଯାଇପାରେ । ତେବେ ଏଥିରେ ନଜମ୍ ର ସ୍ଥିର ଓ ମାର୍ମିକ ପ୍ରବାହ ନାହିଁ । ଏ କବିତା ସବୁ ଭୀଷଣ ଭାବରେ ଅସ୍ଥିର ।

୫. ବଂଗଳା କବିତା ଓ ଗୀତର ସମ୍ପର୍କ ବହୁ ପୁରୁଣା । ନଚିକେତା, କବୀର ସୁମନ ଓ ଆହୁରି ଅନେକ ଶିଳ୍ପୀ କବିତାକୁ ମୁକ୍ତ କଣ୍ଠରେ ଓ ମୁକ୍ତ ଛନ୍ଦରେ ଗାଇଛନ୍ତି। ଓଡିଶାରେ ତାର ପ୍ରଭାବ ସେତେ ବେଶୀ ନାହିଁ । କବିତାକୁ ନେଇ ଗାୟନର ଏହି ଧାରା ଆମକୁ ଗୋଟେ ନୁଆ ଦିଗ ତିଆରି କରିବାରେ ସହାୟକ ହେବ ।

3୬. ତେବେ ବ୍ଲୁ କଥା କହିଲା ବେଳେ ଆମେ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଆମେରିକାରେ ରହୁଥିବା କୃଷ୍ଣକାୟ ଆଫ୍ରିକାନ୍ ମାନଂକ ସଂଗୀତ କଥା ନିହାତି ମାନେ ପକେଇବା । ଶ୍ରମଜୀବୀ ମଣିଷର କ୍ଷୋଭ, ନିରାଶା, ସ୍ମୃତି ଓ ନିଷ୍ଠୁର ସ୍ବପ୍ନର ସେ ଗୀତ ସବୁ ଏବେ କ୍ଲାସିକ୍ ପାଲଟି ସାରିଛି । ତେବେ ଦେବଦାସଂକ “ବ୍ଲୁ ମୁଡ୍” ରେ ଶ୍ରମ ନାହିଁ- ସ୍ମୃତି ଓ ସ୍ବପ୍ନ କିନ୍ତୁ ଭରପୁର ।

୭. କିଛି ନ ଫୁଟି ଥିବା ଗୋଲାପ
ଓ ଗୋଟେ ଧରା ପଡିନଥିବା ବାଘ
ଯେଉଁ କବିତାର ସାରାଂଶ
ତମେ ମୋତେ ସେଇଠି ଖୋଜିବ……

କବିତା ସବୁ ବେଳେ ବେଳେ ଏତେ ମୁକ୍ତ ଯେ ତାକୁ ସ୍ବରରେ ବାନ୍ଧିବାକୁ ବିଭୁକିଶୋରଂକ ପରିଶ୍ରମ ବାରୀ ହୋଇ ପଡୁଛି । ଅନେକ ସମୟରେ ବିଭୁ ନିଜ ସ୍ବର କୁ ଶୀର୍ଷ କୁ ନେବାର ଚେଷ୍ଟା କରିଛନ୍ତି ଓ କବିତାର ତରଂଗକୁ ଭାବରେ ରୂପାନ୍ତରିତ କରିବାର କୌଶଳ ତିଆରିଛନ୍ତି ।

4୮. ସବୁ କବିତା କୁ ଗୀତ ରେ ନକହି କଥାରେ ବି କହିହେବ । ଯେମିତି- ଯେତେବେଳେ ତୁମେ ନଥିଲ, କିଛି ନଥିଲା, ଜହ୍ନ ଦିଶୁଥିଲା ଗୋଟାଏ ତୁଷାର କ୍ଷତ ପରି , ସୂର୍ୟ ଥିଲା,ଯଖ୍ମା ରୋଗୀର ହୃଦୟ ପରିକା ……ଏଠି ପ୍ରବଳ ବିଷାଦ । ବିଭୁ କିଶୋର ବିଶାଦକୁ ମଧୁର ଅର୍ଥ ଦେଇ ପାରନ୍ତି ତାଂକ ଗଳାରେ ।

୯. କବିତାକୁ ନେଇ ଗୋଟେ ବ୍ୟବସାୟର ସ୍ବପ୍ନ ଦେଖାଯାଇ ପାରେ କି ? ଏ ପ୍ରଶ୍ନ ପ୍ରଯୋଜକ ଅକ୍ଷୟ ପରିଜାଂକୁ କେବେ ଥରେ ପଚାରିବି ନିଶ୍ଚୟ । ତେବେ ଏ ସାହସ (ବରଂ ଦୁଃସାହସ) ଲାଗି ତାଂକୁ ଅନେକ ଅନେକ ଅଭିନନ୍ଦନ ।

୧୦. ଶେଷରେ “ବ୍ଲୁ ମୁଡ୍” କୁ ନେଇ ଏତିକି କୁହା ଯାଇପାରେ ଯେ- ମୁଁ ଦିନେ ଇତିହାସକୁ ଧଳାବାଲିର ଅପନ୍ତରା କରିଦେବି , ତୁମେ ଦେଖିବ । ସେଦିନ ଦେଖିବାକୁ ବୋଧ ହୁଏ “ବ୍ଲୁ ମୁଡ୍” ର ଜନ୍ମ ।

Filed Under: ସାହିତ୍ୟ Tagged With: କବିତା, କଲମ, ତରୁଣ କବି, ଦେବଦାସ, ବଜାର, ବିଭୁକିଶୋର, ବ୍ଲୁ ମୁଡ୍, ଯୁଗଳବନ୍ଦୀ, ସାହିତ୍ୟ

ଲୋକଙ୍କ ଉଦ୍ୟମରେ ପରିଚାଳିତ ସଫଳ ପନିପରିବା ବଜାର

December 7, 2015 by ନିଉଜ ଡେସ୍କ Leave a Comment

ଜଗଦୀଶ ପ୍ରଧାନ

ଗତ ୨୩ ନଭେମ୍ବର ଦିନ ବନ୍ଧୁ ନଟବର ଖୁଣ୍ଟିଆ (ସ୍ତମ୍ଭକାର) ଏବଂ ସୁଧାଂଶୁ ଶେଖର ଦେଓ (ସାମାଜିକ କର୍ମୀ)ଙ୍କ ସହିତ ଯାଜପୁର ଜିଲ୍ଲାର ବାରବାଟୀ ନିକଟବର୍ତ୍ତୀ ଓଡ଼ଙ୍ଗ ବଜାରକୁ ଗସ୍ତଅବସରରେ କେତେକ ପନିପରିବା ଚାଷୀ ଓ ବ୍ୟବସାୟୀମାନଙ୍କ ସହିତ ସ୍ଥାନୀୟ ଚାଷବାସ ତଥା  ପନିପରିବା ବ୍ୟବସାୟ ସଂପର୍କରେ କେତେକ ଚର୍ଚ୍ଚା କରିବାର ସୁଯୋଗ ମିଳିଥିଲା ।

jagdish
ଜଗଦୀଶ ପ୍ରଧାନ

ପାଞ୍ଚ ନମ୍ବର ଜାତୀୟ ରାଜପଥ କଟକରୁ ପ୍ରାୟ୪୦ କି.ମି. ଯିବାପରେ ଚଣ୍ଡିଖୋଲ ଆଗକୁ ରାଜପଥର କଡ଼ରେ ଓଡ଼ଙ୍ଗ ପନିପରିବା ବଜାର । ଏହା ବାରବାଟୀ ଗ୍ରାମ ପଞ୍ଚାୟତରେ ଅବସ୍ଥିତ । ବାରବାଟୀରେ ବହୁଦିନରୁ ଏକ ସାପ୍ତାହିକ ବଜାର ରହି ଆସିଛି ଏବଂ ୧୯୮୦-୮୫ ବେଳକୁ ସେଠାରେ ପନିପରିବାର ଏକ ଦୈନିକ ବଜାର ମଧ୍ୟ ଆରମ୍ଭ ହୋଇଥିଲା ।

ବାରବାଟୀ ଅଞ୍ଚଳରେ ବର୍ଷତମାମ ପ୍ରଚୁର ପନିପରିବା ଚାଷ ହୋଇଥାଏ ତଥା ଏଠାକୁ କେନ୍ଦୁଝର ଜିଲ୍ଲାର ଚାଷୀମାନେ ମଧ୍ୟ ପନିପରିବା ବିକ୍ରି କରିବାକୁ ଆସିଥାନ୍ତି । ତେଣୁ ବାରବାଟୀ ବଜାରରେ ପନିପରିବାର କାରବାର ଦିନକୁ ଦିନ ବଢ଼ିବାକୁ ଲାଗିଲା । କିନ୍ତୁ ସେଠାରେ ପନିପରିବା ବ୍ୟବସାୟୀ ଓ ଦଲାଲମାନଙ୍କର ଶୋଷଣ ଓ ଦୌରାତ୍ମ୍ୟ ମଧ୍ୟ ଦିନକୁ ଦିନ ବଢ଼ିବାକୁ ଲାଗିଲା ।

ଏହାର ପ୍ରତିବାଦ କରି ଓଡ଼ଙ୍ଗ ଓ ଆଖପାଖ ଗାଁର କିଛି ଚାଷୀ ନେତୃତ୍ୱ ନେଇ ୧୯୯୩ ନଭେମ୍ବର ୨୯ ତାରିଖ ଦିନ ଓଡ଼ଙ୍ଗ ନିକଟରେ ଏକ ନୂତନ ପରିବା ବଜାର ଆରମ୍ଭ କଲେ ।

ଏହି ନୂତନ ବଜାର ଆରମ୍ଭ କରିବାରେ ତତ୍କାଳୀନ ବିଧାୟକ ଗୁରୁଚରଣ ଟିକାୟତ ମଧ୍ୟ ଚାଷୀମାନଙ୍କୁ ସାହାଯ୍ୟ କଲେ କିନ୍ତୁ ବାରବାଟୀ ହାଟରେ ସଂପୃକ୍ତ ଦଲାଲ, ପରିବା ବ୍ୟବସାୟୀ ଓ ତତ୍କାଳୀନ ସରପଞ୍ଚ ଏହି ନୂତନ ବଜାର ବିରୁଦ୍ଧରେvagitables ଯାଇ ଗଣ୍ଡଗୋଳ କରି ବଜାର କରାଇ ନଦେବାକୁ ଏଠାରେ ୧୪୪ ଧାରା ଘୋଷଣା କରାଇଥିଲେ ।

ଉକ୍ତ ନୂତନ ବଜାର ନିମନ୍ତେ ନେତୃତ୍ୱ ନେଉଥିବା କୃଷକନେତା ନାରାୟଣ ଚନ୍ଦ୍ର ସ୍ୱାଇଁ, କାର୍ତ୍ତିକ ଚରଣ ସ୍ୱାଇଁ, ବାବାଜୀ ମଲ୍ଲିକ, ରାମଚନ୍ଦ୍ର ମଲ୍ଲିକ, ବ୍ରଜକିଶୋର ସ୍ୱାଇଁ ଏବଂ ଅନ୍ୟ ଅନେକ ବ୍ୟକ୍ତିଙ୍କୁ ୧୪୪ ଧାରା ଭଙ୍ଗ କରିଥିବା ଅଭିଯୋଗରେ ପୋଲିସ ଗିରଫ କରି ଜେଲ ହାଜତକୁ ପଠାଇଲା ।

ଏହି ନୂତନ ବଜାର କରାଇ ନଦେବା ପଛରେ ଯୁକ୍ତିଥିଲା ଯେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ଅନୁଯାୟୀ କୁଆଡ଼େ ଗୋଟିଏ ପଞ୍ଚାୟତରେ ଗୋଟିଏ ମାତ୍ର ବଜାର ରହିବ ଏବଂ ପଞ୍ଚାୟତିରାଜ ବିଭାଗରେ ନିବନ୍ଧିତ ନହେଲେ କେହି ବଜାର ପରିଚାଳନା କରିପାରିବେ ନାହିଁ ।

ତେବେ ଚାଷୀ ନେତାମାନଙ୍କର ଏହି ଗିରଫଦାରୀ ଖବର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପାଖରେ ପହଞ୍ଚିବା କ୍ଷଣି ସେ ତୁରନ୍ତ ଚାଷୀ ନେତାମାନଙ୍କୁ ବିନା ସର୍ତ୍ତରେ ଖଲାସ କରିବା ନିର୍ଦ୍ଦେଶ ଦେଇ ଏହି ହାଟ ଯେମିତି ଚାଲୁ ରହିବ ସେଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଏବଂ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ସହ ପଢନ୍ତୁ

ଜଗଦୀଶ ପ୍ରଧାନଙ୍କ ଅନ୍ୟ ଲେଖା  

ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉତ୍ସାହ ପାଇବା ପରେ ଚାଷୀମାନେ “ଆଞ୍ଚଳିକ କୃଷକ ସେବା ସମିତି” ନାମରେ ଏକ ସଂଗଠନ ଗଢ଼ି ୧୯୯୫ ରେ ସୋସାଇଟି ରେଜିଷ୍ଟ୍ରେସନ୍ ଆକ୍ଟ – ୧୮୬୦ ଅନୁଯାୟୀ ନିବନ୍ଧିତ କରାଇ ଥିଲେ ଏବଂଚାଷୀମାନଙ୍କ ଚାନ୍ଦାରେ ବଜାର ନିମନ୍ତେ ଜାତୀୟ ରାଜପଥ କଡ଼ରେ ପ୍ରଥମେ ଏ୦.୨୫ ଏବଂ ପରେ ପରେ ପ୍ରାୟ ୨ ଏକର ଜମି କିଣିଥିଲେ । ଏହି ଜମିରେ ଏବେ ପନିପରିବା ମଣ୍ଡି ତଥା ଖୁଚୁରା ବଜାର ଚାଲୁଅଛି ।

ବଜାର ଜମିରେ କିଛି ବ୍ୟବସାୟୀ ନିଜସ୍ୱ ଅର୍ଥ ବିନିଯୋଗ କରି ନିଜ ନିଜ ଗୋଦାମଘର ନିର୍ମାଣ କରିଛନ୍ତି । ଏହି ସମିତିର ପ୍ରଥମ ସଭାପତି ଥିଲେ ଗୋବିନ୍ଦ ଚନ୍ଦ୍ର ମଲ୍ଲିକ ଏବଂ ସଂପାଦିକା ଥିଲେ ଶ୍ରୀମତୀ ଦେବକୀ ସ୍ୱାଇଁ ।

ଆଞ୍ଚଳିକ କୃଷକ ସେବା ସମିତି ବ୍ୟବସାୟୀ ତଥା ଖୁଚୁରା ଦୋକାନୀମାନଙ୍କ ଠାରୁ ବର୍ଷକୁ ପ୍ରାୟ ୨୫ ଲକ୍ଷ ଟଙ୍କାର ଚାନ୍ଦା ଓ ଘରଭଡ଼ା ସଂଗ୍ରହ କରିଥାଏ । ଏହି ଟଙ୍କାକୁ ସମିତି ବଜାରର ତଥା ଅଞ୍ଚଳର ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟରେ ବିନିଯୋଗ କରିଥାଏ ।

ପ୍ରତ୍ୟେକ ବର୍ଷ ସମିତିର ବାର୍ଷିକଉତ୍ସବ ସ୍ୱରୂପ କାର୍ତ୍ତିକ ପୂର୍ଣ୍ଣିମାରେ କାର୍ତ୍ତିକେଶ୍ୱର ପୂଜା ଧୂମଧାମରେ ପାଳନ କରାଯାଏ ଏବଂ ଅକ୍ଷୟ ତୃତୀୟା ପାଳନ ଅବସରରେ ୫୦୦ ଜଣ ଚାଷୀଙ୍କୁ ବିଭିନ୍ନ କୃଷି ଉପକରଣ ବଣ୍ଟନ କରାଯାଇଥାଏ । ଏହା ବ୍ୟତୀତ ଶ୍ରମିକ ଶ୍ରେଣୀର ଲୋକଙ୍କୁ ଲୁଗାବଣ୍ଟନ, ଦୁଃସ୍ଥରୋଗୀ ଏବଂ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ଦିଆଯାଇଥାଏ ।

ଓଡ଼ଙ୍ଗ ବଜାରର ନାମ ‘ଗଣେଶ ବଜାର’ ରଖାଯାଇଅଛି ଏବଂ ଏହା ସମିତିର ନିୟମାବଳୀ ଅନୁଯାୟୀ ସଦସ୍ୟ ଚାଷୀମାନଙ୍କ ଏକ ନିର୍ବାଚିତ ବୋର୍ଡ଼ ଦ୍ୱାରା ପରିଚାଳିତ ହୋଇଥାଏ । ବଜାରର ଗୋଟିଏ ପାଶ୍ୱର୍ରେ ସମିତିର ଏକ ନିଜସ୍ୱ ଅଫିସ ଗୃହ ତଥା ସୁସଜ୍ଜିତ ସଭାଗୃହ ରହିଅଛି । ଅଫିସକୁ ଲାଗି କାର୍ତ୍ତିକେଶ୍ୱରଙ୍କ ପୂଜାମଣ୍ଡପ ଓ ମନ୍ଦିର ରହିଅଛି ।

ଓଡ଼ଙ୍ଗ ବଜାର ପ୍ରତିଦିନ ସକାଳ ୪ଟା ପୂର୍ବରୁ ଆରମ୍ଭ ହୋଇଯାଏ । ଋତୁ ଅନୁଯାୟୀ ଏଠାକୁ କେନ୍ଦୁଝର ତଥା ଯାଜପୁର ଓ ଭଦ୍ରକର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ପ୍ରକାର ପନିପରିବା ଆସେ । ସ୍ଥାନୀୟ ପନିପରିବା ବ୍ୟତୀତ ବାଙ୍ଗାଲୋର, ରାୟପୁର, କଲିକତା, ରାଞ୍ଚି ,ବରଗଡ଼ ପ୍ରଭୃତି ଅଞ୍ଚଳରୁ ମଧ୍ୟ ନିୟମିତ ଅନେକ ରକମର ପନିପରିବା ଆସେ ଏବଂ ଏଠାରୁ ମଧ୍ୟ ସେସବୁ ଅଞ୍ଚଳକୁ ବିଭିନ୍ନ ପନିପରିବା ପଠାଯାଇଥାଏ ।

ଓଡ଼ଙ୍ଗ ବଜାରରୁ କେନ୍ଦ୍ରାପଡ଼ା, ଚଣ୍ଡିଖୋଲ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ପାରାଦ୍ୱୀପ ସମେତ କଟକ ଓ ଭୁବନେଶ୍ୱର ମୁଖ୍ୟ ହାଟମାନଙ୍କୁ ମଧ୍ୟ ପନିପରିବା ଯୋଗାଣ ହୋଇଥାଏ । ଆମେ ଥିବା ସମୟରେ ଦେଖିଲୁ ଯେ ସେହିଦିନ ଛତିଶଗଡ଼ ଓ ବାଙ୍ଗାଲୋରରୁ ବଡ଼ ବଡ଼ ଟ୍ରକ ରେ ଆସିଥିବା ଟମାଟୋ ଓ ବନ୍ଧାକେବି ଏଠାରେ ଅନ ଲୋଡ ହେଉଥାଏ ।

ବାଙ୍ଗାଲୋର ଟମାଟୋର ପାଇକାରୀ ଦର କ୍ରେଟ୍ ପ୍ରତି (୨୫ କିଲୋକୁ) ଟ.୪୦୦ ରୁ ୪୫୦ ଥିବାବେଳେ ଛତିଶଗଡ଼ରୁ ଆସିଥିବା ଟମାଟୋ କ୍ରେଟ୍ ପ୍ରତି (୩୦ କିଲୋକୁ) ଟ.୫୦୦ ରୁ ଟ.୬୦୦ଙ୍କା । ଛତିଶଗଡ଼ରୁ ଆସୁଥିବା ଟମାଟୋକୁ ଦେଶୀ (?) ଟମାଟୋ କହି କିଲୋପ୍ରତି ଦୁଇ ଚାରି ଟଙ୍କା ଅଧିକ ଦିଆଯାଇଥାଏ ।

ଓଡ଼ିଶା ବଜାରରେ ଏହି ଦେଶୀ ଟମାଟୋର ଚାହିଦା ବାଙ୍ଗାଲୋର ଟମାଟୋ ଠାରୁ ଅଧିକ । ଅନ୍ୟପକ୍ଷରେ ବାଙ୍ଗାଲୋରରୁ ଆସିଥିବା ବନ୍ଧାକୋବି ରାୟପୁର ଓ କନ୍ଧମାଳରୁ ଆସୁଥିବା ବନ୍ଧା କୋବିଠାରୁ ଅଧିକ ଦିନ ରହୁଥିବାରୁ ତାହାର ମୂଲ୍ୟ ମଧ୍ୟ ସାମାନ୍ୟ ଅଧିକ ରହିଥାଏ ଯଦିଓ ରାୟପୁର ଓ କନ୍ଧମାଳ କୋବିର ସ୍ୱାଦ ଅଧିକ ଥାଏ ।

ବାଙ୍ଗାଲୋରଠାରୁ ଏଠାକୁ ନିୟମିତ ଟମାଟୋ ଗାଜର, ବନ୍ଧାକୋବି, ବୀଟ, ସିମ୍ଲା ଲଙ୍କା ଆସୁଥିବା ସମୟରେ ରାଞ୍ଚି ଠାରୁ ବୀନ୍ସ, ମୂଳା, ଫୁଲକୋବି, କାକୁଡ଼ି, ସିମ୍ଲାଲଙ୍କା ଇତ୍ୟାଦି ଆସିଥାଏ । ବରଗଡ଼ ନିକଟବର୍ତ୍ତୀ ପାଏନ୍ ଛତର ହାଟରୁ ଏଠାକୁ ମୁଖ୍ୟତଃ ବାଇଗଣ, ପୋଟଳ, ଫୁଲକୋବି, ଲଙ୍କା, ଧନିଆପତ୍ର ଆସିଥାଏ ।

ଶୀତଦିନରେ ରାୟପୁରରରୁ ଏବଂ ଛତିଶଗଡ଼ରେ ବିଭିନ୍ନ ଅଞ୍ଚଳରୁ ମଟର ଛୁଇଁ, ବୀନ୍ସ ଓ ଟମାଟୋ ଆସିଥାଏ । ପଶ୍ଚିମ ବଙ୍ଗର ବନଗାଁ ଓ ନଦିଆ ଅଞ୍ଚଳରୁ ମଧ୍ୟ ବଜାର ଦର ଦେଖି ଟମାଟୋ ବ୍ୟତୀତ ଅନ୍ୟ ସମସ୍ତ ରକମର ପନିପରିବା ଆସିଥାଏ ।

ଆଳୁ ପାଇଁ ମୁଖ୍ୟତଃ ପଶ୍ଚିମବଙ୍ଗ ଓ ପିଆଜ ପାଇଁ ନାସିକର ବ୍ୟବସାୟୀମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ । କଳାହାଣ୍ଡି-ନୂଆପଡ଼ା ଓ ବଲାଙ୍ଗିରର ପିଆଜ ଅତିବେଶିରେ ମାସେ ଦୁଇମାସ ହିଁ ମିଳିଥାଏ କିନ୍ତୁ ତାହାବି ଖେତରୁ ସିଧା ଆସୁଥିବାରୁ ଉତ୍ତମ ଗୁଣମାନର ହୋଇନଥାଏ ବୋଲି ଶୁଣିବାକୁ ମିଳିଲା । ଦେଓଗଡ଼ ଅଞ୍ଚଳରୁ ଓଡ଼ଙ୍ଗ ଦେଇ ତରଭୁଜ ବିଭିନ୍ନ ସହରକୁ ଯାଇଥାଏ ।

ଏବେ ଓଡ଼ଙ୍ଗ ଅଞ୍ଚଳରେ ମଧ୍ୟ ତରଭୁଜ ପଚୁର ପରିମାଣର ଉତ୍ପାଦନ ହେଲାଣି ଓ ସେ ସବୁକୁ ମଧ୍ୟ ଏଠାରୁ ବିଭିନ୍ନ ବଜାରକୁ ପଠାଯାଇଥାଏ । ଏଭଳି ଭାବେ ଓଡ଼ଙ୍ଗ ବଜାର ସହିତ ଦେଶର ବିଭିନ୍ନ ବଜାର ଓ ଉତ୍ପାଦନ କେନ୍ଦ୍ରମାନଙ୍କର ଯୋଗସୂତ୍ର ସ୍ଥାପନ ହୋଇସାରିଛି ।

ଓଡ଼ଙ୍ଗର ସକାଳ ବଜାର ସରିଆସିବା ବେଳକୁ ଆମେ ଆଞ୍ଚଳିକ କୃଷକ ସେବା ସମିତିର ସଭାପତି, ସଂପାଦକ, କିଛି ମୁଖ୍ୟ ସଦସ୍ୟ ଏବଂ ଅନ୍ୟତମ ଉପଦେଷ୍ଟା ନାରାୟଣ ସ୍ୱାଇଁ ପ୍ରମୁଖଙ୍କ ସହିତ ସମିତିର ସଭାଗୃହରେ ଏକ ଅନୌପଚାରିକ ଚର୍ଚ୍ଚା କରି ଏହି ବଜାର ତଥା ସ୍ଥାନୀୟ ଚାଷୀ ଓ ଚାଷବାସ ସଂପର୍କରେ ଅନେକ ମହତ୍ତ୍ୱପୂର୍ଣ୍ଣ ସୂଚନା ଜାଣିବାକୁ ପାଇଥିଲୁ ।

ଏହି ବଜାର ଯେ ସ୍ଥାନୀୟ ଚାଷୀ ତଥା ଖାଉଟିମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରୁଛି ସେଥିରେ କାହାରିକୁ ଦ୍ୱିମତ ହେବାର ନାହିଁ । କିନ୍ତୁ ଏବେ ମଧ୍ୟ ସ୍ଥାନୀୟ ଚାଷୀମାନେ ସେମାନଙ୍କ ଉତ୍ପାଦିତ ବିଭିନ୍ନ ଫସଲର ଉପଯୁକ୍ତ ମୂଲ୍ୟ ପାଇପାରୁନାହାନ୍ତି ଏବଂ ସମୟ ସମୟରେ ନିଜର ମୂଳ ମଜୁରି ମଧ୍ୟ ଉଠାଇ ପାରୁନାହାନ୍ତି ।

ଏହି ସମସ୍ୟାର ସମାଧାନ ଦିଗରେ ସ୍ଥାନୀୟ ଚାଷୀମାନଙ୍କର ଏକ ନିଜସ୍ୱ ଉତ୍ପାଦକ ସଂଗଠନ (କମ୍ପାନୀ) ସଂଗଠିତ କରାଗଲେ ତାହା କେତେଦୂର ସହାୟକ ହୋଇପାରିବ ସେ ନେଇ ସାମାନ୍ୟ ଚର୍ଚ୍ଚା କରାଯାଇଥିଲା । ଏ ଦିଗରେ ସମିତିର ସଦସ୍ୟମାନେ ଆଗକୁ ଅଧିକ ଚର୍ଚ୍ଚା କରିବେ ବୋଳି ସ୍ଥିର ହୋଇଥିଲା ।

ଓଡ଼ଙ୍ଗ ବଜାର ଠାରୁ ଅଳ୍ପଦୂରରେ ବାରବାଟୀ ପୁରୁଣା ହାଟଠାରେ ନିକଟରେ ରାଜ୍ୟ ସରକାର କୃଷକ ବଜାର ନାମରେ ପ୍ରଚୁର ଟଙ୍କା ଖର୍ଚ୍ଚ କରି ଗୁଡ଼ାଏ ଘରଦ୍ୱାର, ବଜାର ପ୍ରାଙ୍ଗଣ ଇତ୍ୟାଦି ନିର୍ମାଣ କରିଛନ୍ତି କିନ୍ତୁ ସେ ସବୁର ବ୍ୟବହାର କେହି କରନ୍ତି ନାହିଁ ବୋଲି ଲୋକେ କହୁଥିଲେ ।

ଏଭଳିଭାବେ ସରକାରଙ୍କ ଅନେକ କାର୍ଯ୍ୟକ୍ରମ ରାଜନୈତିକ କାରଣରୁ କିମ୍ବା ଅନ୍ୟାନ୍ୟ କାରଣରୁ ଲୋକାଭିମୂଖି ହୋଇପାରେ ନାହିଁ । ଅନ୍ୟପକ୍ଷରେ ଓଡ଼ଙ୍ଗ ବଜାର ଭଳି ଲୋକଙ୍କ ଉଦ୍ୟମରେ ପ୍ରତିଷ୍ଠିତ ବଜାର ଅଧିକ ଭାବରେ ଲୋକାଭିମୂଖି ହୋଇପାରିଥାଏ ।

 

-0-

Filed Under: ଅର୍ଥ-ବ୍ୟବସାୟ Tagged With: ଓଡଙ୍ଗ, ଚଣ୍ଡୀଖୋଲ, ଜଗଦୀଶ ପ୍ରଧାନ, ବଜାର

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା