• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ବିଜେଡ଼ି

କଂଗ୍ରେସ ଓ ବିଜେପି ସହ ବିଜେଡିର ଭିତିରିଆ ବୁଝାମଣା ରହିଛି-ପ୍ୟାରୀ

January 20, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ,୨୦(ଓଡିଶା ଡଟ୍ କମ୍)-କଂଗ୍ରେସ ଓ ବିଜେପି ସହ ବିଜେଡିର ଭିତିରିଆ ବୁଝାମଣା ରହିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶା ଜନମୋର୍ଚ୍ଚାର ଅଧ୍ୟକ୍ଷ ପ୍ୟାରୀମୋହନ ମହାପାତ୍ର ଅଭିଯୋଗ କରିଛନ୍ତି ।

pyari

ଜୟପୁର ସମାବେଶରୁ ଫେରିବାପରେ ଭୁବନେଶ୍ୱରର ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ପ୍ୟାରି କହିଛନ୍ତି ଯେ, ଖଣି ଦୁର୍ନୀତିରେ ନବୀନ ସରକାରର ସଂପୃକ୍ତି ରହିଛି । ଏଥିରୁ ରକ୍ଷାପାଇବା ପାଇଁ ସେ କଂଗ୍ରେସ ସହ କେନ୍ଦ୍ରରେ ଭିତିରିଆ ବୁଝାମଣା କରିଛି । ତେଣୁ ସୁପ୍ରୀମକୋର୍ଟ ନିର୍ଦ୍ଦେଶ ସତ୍ୱେ କୋଇଲାବ୍ଲକ ଆବଣ୍ଟନ ଦୁର୍ନୀତିର ତଦନ୍ତ ମନ୍ଥର ଗତିରେ ଚାଲିଛି ।

ସେହିପରି ବିଜେପିକୁ ନିୟନ୍ତ୍ରଣ କରିବାକୁ ନବୀନ ଉଦ୍ୟମ କରୁଛନ୍ତି । ଯେଉଁଥିପାଇଁ କି ଦଳର ସଭାପତି ଚୟନ ବିଳମ୍ବ ହେଉଛି । ବ୍ଲକ ଗ୍ରାଣ୍ଟ ଅନୁଦାନ ଠାରୁ ବେବାର ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ନବୀନଙ୍କ ନିର୍ବାଚନୀ ଧୁଆଁବାଣ ବୋଲି ସେ ଅଭିଯୋଗ ଆଣିଛନ୍ତି ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର, ରାଜନୀତି Tagged With: କଂଗ୍ରେସ, ପ୍ୟାରୀମୋହନ ମହାପାତ୍ର, ବିଜେଡ଼ି, ବିଜେପି, ସାମ୍ବାଦିକ ସମ୍ମିଳନୀ

ବାଚସ୍ପତି ନିଷ୍ପତି ନଶୁଣାଇଲେ ଆଇନର ଆଶ୍ରୟ ନେବୁ: ଉତ୍କଳକେଶରୀ

January 20, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୦(ଓଡିଶା ଡଟ୍ କମ୍)- ଏନସିପିର ଚାରିଜଣ ବିଧାୟକ ବିଜେଡ଼ିରେ ମିଶିବା ମାମଲାରେ ସୁପ୍ରିମ କୋର୍ଟ ରାୟର ନକଲ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ହସ୍ତଗତ ହୋଇଛି । ସେ ଏହାର ତର୍ଜମା କରୁଛନ୍ତି ଏବଂ ଶୀର୍ଘ ଆଇନାନୁଯାୟୀ ପଦକ୍ଷେପ ନେବେ ବୋଲି କହିଛନ୍ତି ।

amat

ତେବେ ଏନ ସିପି ସଭାପତି ଉତ୍କଳକେଶରୀ ପରିଡ଼ା ଗଣମାଧ୍ୟମ ଆଗରେ ତାଙ୍କର ପୂର୍ବଦିନର ଦାବି ଦୋହରାଇଛନ୍ତି । ବାଚସ୍ପତି ଶୀଘ୍ର ନିଷ୍ପତି ନଶୁଣାଇଲେ ସେ ପୁନର୍ବାର ଆଇନର ଆଶ୍ରୟ ନେବେ ଓ ଅଦାଲତ ଅବମାନନା ମାମଲାରୁଜୁ କରିବେ ବୋଲି କହିଛନ୍ତି ।

ଏନ ସିପି ସଭାପତି ଶ୍ରୀ ପରିଡ଼ାଙ୍କ ସହ କିଛି ନେତା ବାଚସ୍ପତିଙ୍କୁ ସାକ୍ଷାତକରି ସୁପି୍ରମ କୋର୍ଟ ନିର୍ଦ୍ଦେଶମତେ ଶୀଘ୍ର ନିଷ୍ପତି ଶୁଣାଇବାକୁ ଦାବି କରିଥିଲେ । ବାଚସ୍ପତି କହିଥିଲେ ଯେ ସେ ରାୟର ତର୍ଜମା କରୁଛନ୍ତି, ଆଇନାନୁସାରେ ପଦକ୍ଷେପ ଗ୍ରହଣ କରିବେ ଓ ଯେତେଶୀଘ୍ର ସମ୍ଭବ ନିଷ୍ପତି ଶୁଣାଇବେ ।

ଏହି ମାମଲାରେ ଏବେ ବାଚସ୍ପତିଙ୍କ ସମ୍ମୁଖରେ ତିନିଟି ରାସ୍ତା ରହିଥିବା ସମ୍ବିଧାନ ବିଶେଷଜ୍ଞମାନେ ମତ ଦେଇଛନ୍ତି । ପ୍ରଥମତଃ ସେ ସମ୍ପୃକ୍ତ ଚାରିଜଣ ବିଧାୟକଙ୍କ ବିଜେଡ଼ିରେ ଯୋଗଦାନକୁ ସ୍ୱୀକୃତି ଦେବେ, ଦ୍ୱିତୀୟରେ ସେମାନଙ୍କୁ ସ୍ୱାଧୀନ ସଦସ୍ୟ ଭାବେ ଗ୍ରହଣ କରିବେ; ନଚେତ ସେମାନଙ୍କର ସଭ୍ୟପଦ ରଦ୍ଧହେବ ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର, ରାଜନୀତି Tagged With: ବାଚସ୍ପତି ପ୍ରଦୀପ କୁମାର ଅମାତ, ବିଜେଡ଼ି, ସୁପ୍ରିମ କୋର୍ଟ

ଓଡିଶା ଜନମୋର୍ଚ୍ଚା ବିଜେଡିର ବିକଳ୍ପ-ପ୍ୟାରୀ

December 28, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ବାରିପଦା,ଡିସେମ୍ବର ୨୮(ଓଡିଶା ଡଟ୍ କମ୍ )-ବାରିପଦା ଠାରେ ଓଡିଶା ଜନମୋର୍ଚ୍ଚାର ତୃତୀୟ ଓଡିଶା କ୍ରାନ୍ତି ସମାବେଶ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ଏହି ସମାବେଶରେ ୧୫ ହଜାରରୁ ଉର୍ଦ୍ଧ ସମର୍ଥକ ଯୋଗଦେଇ ଥିବା ଜଣାପଡିଛି ।

ଏହି ସମାବେଶରେ ଓଡିଶା ଜନମୋର୍ଚ୍ଚାର ଅଧ୍ୟକ୍ଷ ତଥା ସାଂସଦ ପ୍ୟାରୀମୋହନ ମହାପାତ୍ର ବିଜୁବାବୁ ଅମର ରହେ ଏବଂ ବିଜୁ କର୍ମୀ ଅମର ରହେ ଧ୍ୱନି ସମେତ ନବୀନ ପଟ୍ଟନାୟକ ମୁର୍ଦ୍ଧାବାଦ ଧ୍ୱନି ଦେଇ ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ ।

ସେ କହିଲେ ଓଡିଶା ଜନମୋର୍ଚ୍ଚା ବିଜେଡିର ବିକଳ୍ପ । ଜନସାଧାରଣ ଚାହିଁଲେ ଓଡିଶା ଜନମୋର୍ଚ୍ଚା କ୍ଷମତାକୁ ଆସିବ । ରାଜ୍ୟରେ ଚାଲିଥିବା ଅଗଣତାନ୍ତ୍ରୀକ ଶାସନ,ବେକାରୀ ସମସ୍ୟା,ନାରୀ ନିର୍ଯ୍ୟାତନା ଓ ଦରଦାମ ବୃଦ୍ଧି ଉପରେ ଲଗାମ ଲଗାଯିବ । ରାଜ୍ୟବାସୀ ଚାହିଁଲେ ଶାସନ ଭାର ହାତକୁ ନେବୁ ।

ମୋର୍ଚ୍ଚା ଗଠନ ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆତଙ୍କିତ ହୋଇପଡିଛନ୍ତି । ତାଙ୍କର ଏକଛତ୍ରବାଦ ଓ ଅହଂଭାବ ବିରୋଧରେ ଓଡିଶା ଜନମୋର୍ଚ୍ଚା ତାର ସଂଗ୍ରାମ ଅବ୍ୟାହତ ରଖିବ । ଆଗାମୀ ଦିନରେ ଓଡିଶା ଜନମୋର୍ଚ୍ଚା ନବୀନବାବୁଙ୍କୁ ଉଚିତ୍ ଜବାବ ଦେବ ବୋଲି ସାଂସଦ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ।

ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ମହାସଚିବ ଯଜେ୍ଞଶ୍ୱର ବାବୁ,ରାଜେନ୍ଦ୍ର ସିଂ,ବାବି ମିଶ୍ର, ସୁମନ ବିଶ୍ୱାଳ,ବାରିପଦା ସଂଗଠକ ବିଜୟ ମହାପାତ୍ର, ଭୁବନେଶ୍ୱରର ପୂର୍ବତନ ମେୟର ମିହିର ମହାନ୍ତି ପ୍ରମୁଖ ଉଦ୍ବୋଧନ ଦେଇ ନବୀନ ପଟ୍ଟନାୟକଙ୍କୁ ତୀବ୍ର ଭତ୍ସନା କରିବା ସହିତ ପ୍ୟାରୀମୋହନ ମହାପାତ୍ରଙ୍କୁ ଓଡିଶାର ଲଢୁଆ ସନ୍ତାନ ବୋଲି ଅଭିହିତ କରିଥିଲେ ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର Tagged With: ଓଡିଶା ଜନମୋର୍ଚ୍ଚା, ବିଜେଡ଼ି

ରେଳବାଇ ଅବହେଳା ପ୍ରତିବାଦରେ ବିଜେଡ଼ିର ଅର୍ଥନୈତିକ ଅବରୋଧ

December 18, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୮(ଓଡିଶା ଡଟ୍ କମ୍)-ବିଜୁ ଯୁବ ଜନତା ଦଳ ଆହ୍ୱାନରେ ଆଜି କେନ୍ଦ୍ର କଂଗ୍ରେସ ସରକାର ଓଡ଼ିଶାର ରେଳ ବିକାଶ ପ୍ରତି ପୋଷଣ କରୁଥିବା ଚରମ ଅବହେଳା ପ୍ରତିବାଦରେ ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନାକୁ ଅର୍ଥନୈତିକ ଅବରୋଧ କରିବା ସହ ବିଜୁ ଯୁବ ଜନତା ଦଳ ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

bjd youth dharana

ଓଡ଼ିଶାରେ ଦ୍ରୁତ ଶିଳ୍ପାୟନ, ବନ୍ଦର ସଂଯୋଗୀକରଣ ଓ ମାଓ ପ୍ରବଣ ଅଞ୍ଚଳରେ ରେଳ ସଂଯୋଗୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ପାଖରେ ୨୦୧୨-୧୨ ଆର୍ଥିକ ବର୍ଷ ପାଇଁ ୨୩୪୫କୋଟି ଟଙ୍କାର ବ୍ୟୟ ବରାଦ ପାଇଁ ପ୍ରସ୍ତାବ ରଖିଥଲେ ।

ତେବେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ମାତ୍ର ୭୨୩କୋଟି ଟଙ୍କା ବ୍ୟବସ୍ଥା କରିଥିଲେ । ଓଡ଼ିଶାର ନିର୍ମାଣଧୀନ ରେଳ ପ୍ରକଳ୍ପ ଗୁଡ଼ିକ ବାଧାପ୍ରାପ୍ତ ହୋଇଥିବା ବେଳେ ବ୍ୟୟବରାଦ ଅର୍ଥରୁ ଗତ ଜୁନ୍ ମାସରେ ୧୮୬କୋଟି ଓ ସେପ୍ଟେମ୍ବର ମାସରେ ୩୪କୋଟି ଘୋଷିତ ବଜେଟରୁ କାଟି ଦିଆଯାଇଥିଲା ।

ବର୍ତ୍ତମାନ ପୁଣି ଏଭଳି ନଗଣ୍ୟ ବ୍ୟୟ ବରାଦରୁ ୬୦କୋଟି କାଟିବା, କେନ୍ଦ୍ର ରେଳବାଇ ବିଭାଗର ଓଡ଼ିଶାପ୍ରତି ଏହା କେବଳ କ୍ରମାଗତ ଅବିଚାର ନୁହେଁ, ବରଂ ଚରମ ଉପହାସ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ସରକାରୀ ଉପମୁଖ୍ୟ ସଚେତକ ସଂଜୟ ଦାସବର୍ମା କହିଥିଲେ ।

ଦାସବର୍ମାଙ୍କ ନେତୃତ୍ୱରେ ୨୦୦୦ରୁ ଉର୍ଦ୍ଧ୍ଵ କର୍ମୀ ସାମିଲ୍ ହୋଇ ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନାକୁ ଅଚଳ କରି ଦେଇଥିଲେ । ମୁଖ୍ୟ ଫାଟକକୁ ଅବରୋଧ କରିବା ଫଳରେ କର୍ମ·ରୀମାନେ କାର୍ଯ୍ୟରେ ଯୋଗଦେଇ ପାରିନଥିଲେ ମଧ୍ୟ ଦଳର ଏଭଳି ଓଡ଼ିଶା ସ୍ୱାର୍ଥ ସମ୍ବଳିତ ଦାବିକୁ ପରୋକ୍ଷରେ ସମର୍ଥନ ଜଣାଇଥିଲେ ।

କେନ୍ଦ୍ର ସରକାରଙ୍କର ଏଭଳି ଓଡ଼ିଶା ବିରୋଧି ବୈମାତୃକ ମନୋଭାବ ବିରୁଦ୍ଧରେ ବିଜୁ ଜନତା ଦଳ ରାଜ୍ୟବ୍ୟାପି ଆନ୍ଦୋଳନ ଡ଼ାକରା ଦେଇ ଆଜି ଭୁବନେଶ୍ୱରରୁ ଶୁଭାରମ୍ଭ କରୁଛି । ଏହି ଆନ୍ଦୋଳନ ଆଗାମୀ ଦନରେ ପଲ୍ଳୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପକ କରାଯିବ ।

କେନ୍ଦ୍ର ରେଳବାଇ ସର୍ବାଧିକ ରାଜସ୍ୱ ପାଉଥିବା ବେଳେ ଓଡ଼ିଶାରେ ରେଳ ବିକାଶକୁ ଗତିରୋଧ କରିବା ପାଇଁ ଯେଉଁ ଷଡ଼ଯନ୍ତ୍ର କରୁଛନ୍ତି ଏହାକୁ ରାଜ୍ୟବାସୀ କଦାପି ଗ୍ରହଣ କରୁନାହାଁନ୍ତି ଏବଂ ଆଗାମୀ ଦିନରେ ଏଭଳି ଏକ ରାଜ୍ୟବିକାଶ ବିରୋଧି କେନ୍ଦ୍ର ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦୃଢ ଜବାବ ଦେବେ ବୋଲି ଦାସବର୍ମା ଚରମ ଚେତାବନୀ ଜଣାଇଛନ୍ତି ।

ପୁଲିସ୍ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ସମସ୍ତ ବିଧାୟକ, ମେୟର ଓ ୭୦୦ରୁ ଉଦ୍ଧ୍ୱର୍ କର୍ମୀମାନଙ୍କୁ ଗିରଫ କରି ଭୁବନେଶ୍ୱର ପୋଲିସ୍ ରିଜର୍ଭ ଲାଇନ୍ ମୁକ୍ତ ଆକାଶ ଜେଲ୍ରେ ବନ୍ଦୀକରି ରଖିଥିଲେ ।

ଓଡିଶା ଡଟ୍ କମ୍

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର Tagged With: କେନ୍ଦ୍ର ସରକାର, ବିଜେଡ଼ି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ରେଳ

ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ

December 18, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୮(ଓଡିଶା ଡଟ୍ କମ୍)- ବିଜେଡିର ରେଳ ଅବହେଳା ଓ କଂଗ୍ରେସର ଚାଷୀଙ୍କୁ ଅବହେଳା ପ୍ରସଙ୍ଗ ନେଇ ମଙ୍ଗଳବାର ଦିନ ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ । ପରିସ୍ଥିତି ଉତେଜନା ପୂର୍ଣ୍ଣହେବାରୁ ବାଚସ୍ପତି ଦିନକ ପାଇଁ ଗୃହକୁ ମୁତତବୀ ରଖିଥିଲେ ।

ଶୂନ୍ୟକାଳରେ କେନ୍ଦ୍ର ସରକାର ଓଡିଶାର ରେଳ ବଜେଟରୁ ୬୦ କୋଟି ଟଙ୍କା କାଟି ଦେଇଥିବା ପ୍ରସଙ୍ଗ ନେଇ ବିଜେଡି ବିଧାୟକମାନେ ପ୍ରତିବାଦ ଆରମ୍ଭ କରିବାମାତ୍ରେ ଚାଷୀଙ୍କୁ ନବୀନ ନିବାସଠାରେ ପୋଲିସ ମାଡଦେବା ଘଟଣାକୁ ନେଇ ବିରୋଧୀ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ ।

ବିଜେଡି ବିଧାୟକ ପ୍ରଦୀପ ମହାରଥୀ କେନ୍ଦ୍ରୟ ଅବହେଳା ନେଇ କଂଗ୍ରେସକୁ ସମାଲୋଚନା କରିବାକ୍ଷଣି କଂଗ୍ରେସର ସମସ୍ତ ବିଧାୟକ ଗୃହର ମଧ୍ୟଭାଗକୁ ଚାଲିଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ।

ନବୀନ ପଟ୍ଟନାୟକ ହାଏ ହାଏ,ଚାଷୀ ହତ୍ୟାକାରୀ ହାଏ ହାଏ,ଚାଷୀଙ୍କୁ ମାଡ ଚଳିବ ନାହିଁ ଆଦି ସ୍ଲୋଗାନ ଦେଇଥିଲେ ଏବଂ ବାଚସ୍ପତିଙ୍କ ଟେବୁଲ ବାଡେଇବା ସହିତ ହଟଗୋଳ କରିଥିଲେ ।

ସେହିପରି ଶାସକ ବିଜେଡି ବିଧାୟକମାନେ ରେଳବାଇରେ ଓଡିଶାକୁ କେନ୍ଦ୍ର ସରକାରଙ୍କ କ୍ରମାଗତ ଅବହେଳାକୁ ନେଇ ସ୍ଲୋଗାନ ଦେଇ ଠିଆ ହୋଇ ପ୍ରତିବାଦ କରିଥିଲେ । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିରୋଧରେ ସ୍ଲୋଗାନ ସହିତ ଶାସକ ସଭ୍ୟ ହୋ-ହାଲ୍ଲା କରିବାରୁ ଗୃହରେ ଉତେଜନାପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥିଲା ।

ବିଜେଡି ବିଧାୟକ ପ୍ରଦୀପ ମହାରଥୀ ହାତରେ ଧରିଥିବା କାଗଜପତ୍ର ଗୃହ ମଧ୍ୟକୁ ଫୋପାଡି ଦେଇଥିଲେ । ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ପରବର୍ତୀ ସମୟରେ ବିଜେଡିର ଅନ୍ୟ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ । ଫଳରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ ।

ଗୃହର ପରିସ୍ଥିତି ଅଧିକ ଉତେଜନା ପୂର୍ଣ୍ଣ ହେଉଥିବାରୁ ବାଚସ୍ପତି ପ୍ରଦୀପ କୁମାର ଅମାତ ୧୧.୩୪ରୁ ୧୨.୩୦ ଓ ୧୨.୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶେଷରେ ପୁରା ଦିନକ ପାଇଁ ଗୃହକୁ ମଲତବୀ ଘୋଷଣା କରିଥିଲେ ।

ଗୃହମୁଲତବୀ ହେବାପରେ ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ତଳକୁ ଯାଇ କେନ୍ଦ୍ରୀୟ ଅବହେଳା ବିରୋଧରେ ଧାରଣାରେ ବସିଥିଲେ ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର, ରାଜନୀତି Tagged With: କଂଗ୍ରେସ, ନବୀନ ନିବାସ, ବାଚସ୍ପତି, ବିଜେଡ଼ି, ବିଧାନସଭା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ରାଜ୍ୟ ସରକାର

ବିଜେଡି ଓ ମାଓବାଦୀଙ୍କର ରହିଛି ଭିତିରି ସଂପର୍କ-ପ୍ୟାରୀ

December 14, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୪(ଓଡିଶା ଡଟ୍ କମ୍)-ଆସନ୍ତା ନିର୍ବାଚନରେ ବିଜେପି ସହ ବିଜେଡି ମେଣ୍ଟ କରିପାରେ । ସେହି ଆଶାନେଇ ବିଜେଡି ଏଫ୍ଡିଆ ବିରୋଧରେ ଭୋଟ ଦେଇଛି ବୋଲି ଓଡିଶା ଜନମୋର୍ଚ୍ଚାର ମୁଖ୍ୟ ପ୍ୟାରୀମୋହନ ମହାପାତ୍ର କହିଛନ୍ତି ।

ସେ କହିଛନ୍ତି ରାଜ୍ୟ ସଭାରେ ସ୍ୱାଧୀନ ସଭ୍ୟଭାବେ ରହିପାରିବେ ବୋଲି ସୁପ୍ରୀମକୋର୍ଟ ଯେଉଁ ରାୟ ଦେଇଛନ୍ତି ରାଜ୍ୟରେ ଗଣତନ୍ତ୍ର ପ୍ରତିଷ୍ଠାରେ ତାହା ପ୍ରଥମ ସୋପାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଘର ପ୍ରଥମ ପତନ ।

ଏହାପରେ ଯଦି ନବୀନଙ୍କର ସାମାନ୍ୟ ଆତ୍ମସମ୍ନାନ ଥାଏ ତାହାହେଲେ ସେ ଇସ୍ତପା ଦେଇ ଦିଅନ୍ତୁ ବୋଲି ପ୍ୟାରୀ କହିଛନ୍ତି । ପ୍ୟାରୀ କହିଛନ୍ତି ମାଓବାଦୀଙ୍କ ସହ ସରକାରଙ୍କ ଭିତିରି ସଂପର୍କ ରହିଛି । ଆଇଏଏସ୍ ଭିନିଲ କ୍ରୀଷ୍ଣା ଓ ବିଧାୟକ ଝିନ୍ନ ହିକାକାଙ୍କ ମୁକ୍ତିପାଇଁ ସରକାର ମାଓବାଦୀଙ୍କୁ କୋଟି କୋଟି ଟଙ୍କା ଦେଇଛନ୍ତି ।

ସେ କହିଛନ୍ତି ବର୍ତମାନର ଡିଜିପି ମୁଖ୍ୟମନ୍ତ୍ରୀଙ୍କ ହାତବାରିସି ସାଜିଛନ୍ତି । ଦଣ୍ଡପାଣି ମହାନ୍ତିଙ୍କ ପୁଅ ସଂଗ୍ରାମକୁ ଗିରଫ କରାଯିବା ପଛରେ ଜନମୋର୍ଚ୍ଚାରେ ଯୋଗଦେବାଏକମାତ୍ର କାରଣ । ଯଦି ସରକାର ଭାବୁଛନ୍ତି ତାଙ୍କର ନକସଲଙ୍କ ସହିତ ସଂପର୍କ ଅଛି ତାହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ।

ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଭାତ ତ୍ରିପାଠୀ କହିଛନ୍ତି ପ୍ୟାରୀ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଏସବୁ କହୁଛନ୍ତି । ଡିଜିପି କାହାର ହାତବାରିସ ହୋଇ କାମ କରୁନାହାଁନ୍ତି । ପ୍ୟାରୀଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ । ଏହା ଏକ ଜଙ୍ଗଲି ଅଭିଯୋଗ ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର, ରାଜନୀତି Tagged With: ଝିନ୍ନ ହିକାକା, ନବୀନ, ବିଜେଡ଼ି, ଭିନିଲ କ୍ରୀଷ୍ଣା, ମାଓବାଦୀ

ଶନିବାର ଦିନ ମିଳିବ କମ୍ବଳ ଭତା

December 14, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୪(ଓଡିଶା ଡଟ୍ କମ୍)-ଆସନ୍ତା କାଲି ସାରା ରାଜ୍ୟରେ କମ୍ବଳ ଭତା ବଣ୍ଟନ କରାଯିବ । ମଧୁବାବୁ ପେନସନ ଯୋଜନାରେ ମାସିକ ଭତା ପାଉଥିବା ବୃଦ୍ଧ-ବୃଦ୍ଧା,ବିଧବା,ଭିନ୍ନକ୍ଷମ ଏବଂ ଏଚଆଇଭି ସଂକ୍ରମିତ ଏହି କମ୍ବଳ ଭତା ପାଇବେ ବୋଲି ବିଧାନସଭାରେ ଶୁକ୍ରବାର ଦିନ ଶୂନ୍ୟକାଳରେ ସରକାରୀ ଉପମୁଖ୍ୟ ସଚେତକ ସଂଜୟ ଦାସବର୍ମା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଆସନ୍ତାକାଲି ଜନସେବା ଦିବସରେ ଏହି କାର୍ଯ୍ୟ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫି ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ । ସ୍ୱତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଂଜୁର କରିଥିବା ୨୦୦ ଟଙ୍କାଏଁ ଭତା କମ୍ବଳ କିଣିବାକୁ ୩୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦିଆଯିବ । ଏଥିପାଇଁ ରାଜ୍ୟ ସରକାର ୭୪କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।

ପ୍ରଥମଥର ପାଇଁ ଶୀତଦିନେ କମ୍ବଳ କିଣିବାକୁ ସରକାର ଏପରି ଭତା ବ୍ୟବସ୍ଥା କରିଛନ୍ତି । ଏଥିଲାଗି ବିଧାନସଭାରେ ବିଜେଡିର ସମସ୍ତ ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ଏକ ଐତିହାସିକ ନିଷ୍ପତି ବୋଲି ବିଜେଡି ବିଧାୟକମାନେ କହିଛନ୍ତି ।

ବିଜେଡିର ପ୍ରଫୁଲ ସାମଲ,ଅନନ୍ତ ଦାସ,ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ଏହି ପ୍ରସ୍ତାବକୁ ସମର୍ଥନ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିବାବେଳେ କଂଗ୍ରେସର ରାମଚନ୍ଦ୍ର କାଡମ କହିଥିଲେ ଯେ,ସରକାର ଟଙ୍କା ନଦେଇ କମ୍ବଳ କିଣିକରି ଦିଅନ୍ତୁ । କମ୍ବଳ କିଣିଦେଲେ ଲୋକେ ବ୍ୟବହାର କରିପାରିବେ ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର Tagged With: କମ୍ବଳ ଭତା, ବିଜେଡ଼ି, ବିଧାନସଭା, ବିଧାୟକ, ମଧୁବାବୁ ପେନସନ ଯୋଜନା, ମୁଖ୍ୟମନ୍ତ୍ରୀ

ବିଜେଡି ସଭାପତିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

December 13, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୩ (ଓଡିଶା ଡଟ୍ କମ୍)-ବିଜେଡ଼ିରୁ ବହିଷ୍କାର କରାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ପ୍ୟାରୀଙ୍କୁ ବହିଷ୍କାର ସମ୍ପର୍କରେ ଲିଖିତ ଆଦେଶ ମିଳିନଥିବାରୁ ସେ ଦାଖଲ କରିଥିବା ଆବେଦନକୁ ମାନ୍ୟବର ସୁପ୍ରିମକୋର୍ଟ ବୁଧବାର ଦିନ ଗ୍ରହଣ କରିଛନ୍ତି ।

ଏହାଛଡା ତାଙ୍କୁ ଦଳରୁ ବହିଷ୍କାର କରାଯିବା ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ମଧ୍ୟ ବିଜେଡି ସଭାପତିଙ୍କୁ ସୁପ୍ରିମକୋଟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

ପ୍ୟାରୀଙ୍କ କହିବା କଥାହେଲା ସୁପ୍ରୀମକୋର୍ଟ ତାଙ୍କର ଗୁହାରି ଶୁଣି ନ୍ୟାୟ ପ୍ରଦାନ କରିଛନ୍ତି । ରାଜ୍ୟ ସଭାରେ ଏଫଡ଼ିଆଇ ପ୍ରସଙ୍ଗରେ ଭୋଟ ଦାନ ଉପରେ ତାଙ୍କୁ ବିଜେଡ଼ି ପକ୍ଷରୁ ହ୍ୱିପ ଜାରି କରାଯାଇ ନଥିଲା । ତାଙ୍କୁ ବହିଷ୍କାର କରାଯାଇଥିବା ସଂକ୍ରାନ୍ତରେ ବାଚସ୍ପତିଙ୍କୁ ମଧ୍ୟ ଅବଗତ କରାଯାଇ ନାହିଁ ।

ରାଜ୍ୟସଭାରେ ତାଙ୍କର ସ୍ଥିତି ଅସ୍ପଷ୍ଟ ରଖିବା ପାଇଁ ଏଭଳି ଯୋଜନା ଚାଲିଥିବାରୁ ସେ ସୁପ୍ରିମକୋର୍ଟ ଯାଇଛନ୍ତି । ବିଜେଡ଼ିରୁ ନିଲମ୍ବନ ହେବା ପରେ ଚିଠି ମିଳି ନଥିଲା । ଦଳରୁ ବହିଷ୍କାର କରାଯିବା ପରେ ବି ଚିଠି ମିଳିଲା ନାହିଁ ।

ତାଙ୍କ ପକ୍ଷରୁ ଓକିଲ ସୁରେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି । ନିଲମ୍ବନର ୬ମାସ ବିତିଯାଇଥିଲେ ହେଁ ତାଙ୍କ ନିକଟକୁ ଏ ପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ ଆଦେଶନାମା ପଠାଯାଇ ନାହିଁ । ସେ ତ୍ରିଶଙ୍କୁ ଅବସ୍ଥାରେ ଥିଲେ ।

ପ୍ରଧାନ ବିଚାରପତି ଅଲତମସ କବିର,ବିଚାରପତି ସୁରେନ୍ଦ୍ର ସିଂହ ନିଜାର ଓ ବିଚାରପତି ଜେ ଚେଲମେଶ୍ୱରଙ୍କ ଖଣ୍ଡପୀଠରେ ଏହି ଶୁଣାଳୀ ହୋଇଥିଲା । ଶୁଣାଣି ବେଳେ କୋର୍ଟ କହିଥିଲେ ସ୍ୱାଧୀନ ସଦସ୍ୟ ଭାବେ ପ୍ୟାରୀ ଗୃହରେ ଆଲୋଚନା ଓ ବିତର୍କରେ ଭାଗ ନେଇ ପାରିବେ ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର Tagged With: ବାଚସ୍ପତି, ବିଜେଡ଼ି, ସୁପ୍ରିମକୋର୍ଟ

ବିଧାନସଭାରୁ ସାତଦିନ ପାଇଁ ସାଲୁଜା ନିଲମ୍ବିତ

December 13, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୩(ଓଡିଶା ଡଟ୍ କମ୍)-ବାଚସ୍ପତିଙ୍କ ପ୍ରତି ଆପତିଜନକ ମନ୍ତବ୍ୟ ଦେଇଥିବାରୁ କଣ୍ଟାବାଞ୍ଜିର କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ବିଧାନସଭାରୁ ସାତଦିନ ପାଇଁ ନିଲମ୍ବିତ କରାଯାଇଛି । ଏହାର ପ୍ରତିବାଦରେ ବିରୋଧି କଂଗ୍ରେସ କକ୍ଷତ୍ୟାଗ କରିଛି ।

ବୁଧବାର ଦିନ ଶୂନ୍ୟକାଳରେ ଆକ୍ଷେପଜନିତ ବିବାଦ ଆପାତତଃ ତୁଟିଯାଇଥିଲେ ମଧ୍ୟ ଅପରାହ୍ଣ ଅଧିବେଶନରେ ମୁଲତବି ପ୍ରସ୍ତାବ ଉପରେ ଦୁଇଘଣ୍ଟିଆ ଆଲୋଚନା ହୋଇଥିଲା । ଏହି ସମୟରେ ଶାସକ ଦଳର ମୁଖ୍ୟସଚେତକ ପୁନର୍ବାର ସାଲୁଜାଙ୍କ ପ୍ରସଙ୍ଗ ଉଠାଇଥିଲେ ।

ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ପ୍ରତି ସମ୍ମାନ ରଖି ଦୁଃଖ ପ୍ରକାଶ ନକରିବାରୁ ତାଙ୍କୁ ନିଲମ୍ବନ କରିବା ଦାବିରେ ପ୍ରଭାତ ତ୍ରିପାଠୀ ଏକ ପ୍ରସ୍ତାବ ଆଣିଥିଲେ । ପ୍ରସ୍ତାବକୁ ଗହଣକରି ସନ୍ଧ୍ୟା ୬ଟା ୧୫ରେ ବାଚସ୍ପତି ସାଲୁଜାଙ୍କୁ ନିଲମ୍ବିତ ଆଦେଶ ଶୁଣାଇଥିଲେ ଓ ଗୃହ ଛାଡ଼ିବାକୁ ନିଦେ୍ର୍ଧଶ ଦେଇଥିଲେ ।

ଶୂନ୍ୟକାଳରେ କିଏ ପ୍ରଥମେ କହିବେ ସେ ନେଇ ବାଦାନୁବାଦ ସୃଷ୍ଟି ହୋଇଥିବାବେଳେ ଏହାକୁ ନେଇ ବିରୋଧୀ ଦଳ ସଦସ୍ୟ ସନ୍ତୋଷ ସିଂହ ସାଲୁଜା ବାଚସ୍ପତିଙ୍କ ପ୍ରତି ଅନୁଚିତ ଶବ୍ଦ ପ୍ରୟୋଗ କରିଥିଲେ ।

ଗୃହର ଓ ବାଚସ୍ପତିଙ୍କର ପଦମର୍ଯ୍ୟାଦା ଦୃଷ୍ଟିରୁ ଦଳମତ ନିର୍ବିଶେଷରେ ସମସ୍ତେ ଏହାର ପ୍ରତିବାଦ କରିବା ସହିତ ସାଲୁଜା କ୍ଷମା ମାଗିବାକୁ ଦାବି କରିଥିଲେ । ବିରୋଧୀ ଦଳ ନେତା ଓ ମୁଖ୍ୟ ସଚେତକ ଏ ନେଇ ଦୁଃଖ ପ୍ରକାଶ କରିବାରେ ଦୀର୍ଘ ସମୟଧରି ଚାଲିଥିବା ବିବାଦର ଅବସାନ ଘଟିଥିଲା ।

ବିରୋଧୀ ଦଳ ନେତା ସାଧାରଣତଃ ଶୂନ୍ୟକାଳରେ ଆଲୋଚନା ଆରମ୍ଭ କରିବାର ପରମ୍ପରା ଚଳିଆସିଥିବାବେଳେ ତାଙ୍କ ଅନୁପସ୍ଥିତିରେ ବାଚସ୍ପତି ଶାସକ ଦଳର ଉପମୁଖ୍ୟ ସଚେତକ ସଞ୍ଜୟ ଦାସବର୍ମାଙ୍କୁ ତାଙ୍କର ବକ୍ତବ୍ୟ ରଖିବାକୁ ଡାକିଥିଲେ ।

ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ କାହିଁକି ପରାମ୍ପରା ଭଙ୍ଗହେଲା ବୋଲି ପଚାରିବା ସହ ଜଣେ ସରକାରୀ ସଦସ୍ୟଙ୍କୁ ଡାକିବା ନେଇ ବୈଧାନିକ ପ୍ରଶ୍ନ ଉଠାଇଥିଲେ ।

ଏହି ସମୟରେ ସନ୍ତୋଷ ସିଂହ ସାଲୁଜା ବାଚସ୍ପତିଙ୍କ ଦୃଷ୍ଟି ଅକର୍ଷଣକରି ତାଙ୍କୁ ଆଲୋଚନାର ସୁଯୋଗରୁ ବଞ୍ଚିତ କରାଯାଉଛି ବୋଲି ଅଭିଯୋଗ କରିଥିଲେ । ବାଚସ୍ପତି ପାତରଅନ୍ତର କରୁଛନ୍ତି ଓ ବିଜେଡ଼ି ସଦସ୍ୟ ଭଳି କାମ କରୁଛନ୍ତି । ସେ ବିଜେଡିର ‘ବୋକଚାବୁହା’ ବୋଲି ସାଲୁଜା ଆକ୍ଷେପ କରିଥିଲେ । ଶାସକ ଦଳର ସଦସ୍ୟମାନେ ତତକ୍ଷଣାତ ଏଥିରେ ହସ୍ତକ୍ଷେପ କରିଥିଲେ ।

ପ୍ରଦୀପ ମହାରଥୀ ସାଲୁଜା ଗୃହକୁ ଜୋତା ମାରିଛନ୍ତି, ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ମତଦେଇ ପ୍ରୟୋଗ କରିଥିବା ଅପଶବ୍ଦ ପ୍ରତ୍ୟାହରର ସହ କ୍ଷମା ମାଗିବାକୁ ପରାମର୍ଶ ଦେଇଥିଲେ ।

ରାଜସ୍ୱମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏଥିରେ ହସ୍ତକ୍ଷେପକରି ସରକାରୀ ଦଳର ସଦସ୍ୟଙ୍କୁ ପ୍ରଥମେ ଡାକିବାରେ କିଛି ଅସୁବିଧା ନାହିଁ ବୋଲି ମନ୍ତବ୍ୟ ଦେଇଥିଲେ ।

ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ଅନେକ ସମୟରେ ବିରୋଧୀ ଦଳର ସଦସ୍ୟଙ୍କୁ ମତ ରଖିବାର ସୁଯୋଗ ମିଳୁନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ତେବେ ସାଲୁଜାଙ୍କ ମନ୍ତବ୍ୟ ନେଇ ଦଳ ପକ୍ଷରୁ ସେ ଦୁଃଖ ପ୍ରକାଶ କରିଥିଲେ । ତାଙ୍କ ସହିତ ପ୍ରସାଦ ହରିଚନ୍ଦନ ମଧ୍ୟ ଏ ନେଇ ଦୁଃଖ ପ୍ରକାଶ କରିଥିଲେ ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର Tagged With: କଂଗ୍ରେସ ବିଧାୟକ, ବାଚସ୍ପତି, ବିଜେଡ଼ି, ବିଧାନସଭା, ସାଲୁଜା ନିଲମ୍ବିତ

ଗଣଶିକ୍ଷକଙ୍କ ପାଇଁ ଶାସକ ଓ ବିରୋଧୀ ଏକ

December 11, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୧(ଓଡିଶା ଡଟ୍ କମ୍)-ଗଣଶିକ୍ଷକଙ୍କ ସମସ୍ୟା ଓ ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ନେଇ ମଙ୍ଗଳବାର ଦିନ ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି ।

ଗଣଶିକ୍ଷକଙ୍କ ସମସ୍ୟା ସମାଧାନ ପାଇଁ ଉଭୟ ଶାସକ ଓ ବିରୋଧୀ ସଭ୍ୟମାନେ ଦାବି କରିଥିବା ବେଳେ ଶାସକ ବିଜେଡି ଦଳର ସଭ୍ୟମାନେ ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତି ବିରୋଧରେ ସର୍ବସମ୍ମତ ପ୍ରସ୍ତାବ ଆଣିବା ପାଇଁ ମତ ରଖିଥିଲେ ।

ମଙ୍ଗଳବାର ଦିନ ଶୂନ୍ୟକାଳରେ ବିରୋଧିଦଳ ନେତା ଭୂପିନ୍ଦର ସିଂ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଲେ ଯେ,ସରକାର ଶିକ୍ଷକଙ୍କ ପ୍ରତି ପାତର ଅନ୍ତର କରିଛନ୍ତି । ସେମାନଙ୍କ ପେଟପାଟଣାକୁ ନେଇ ରାଜନୀତି କରୁଛନ୍ତି ।

ଆଜି ଗଣଶିକ୍ଷକମାନେ ବିଧାୟକମାନଙ୍କ ବାସଭବନକୁ ଘେରାଉ କରିଛନ୍ତି । ବିଧାୟକମାନେ ବିଧାନସଭା ଆସିବାକୁ ଅସୁବଧାର ସମ୍ମୁଖୀନ ହୋଇଛନ୍ତି । ସରକାର ସେମାନଙ୍କ ସମ୍ପର୍କରେ ତୁରନ୍ତ ନିଷ୍ପତି ନେବା ଦରକାର ବୋଲି ଶ୍ରୀ ସିଂ କହିଥିଲେ ।

ସରକାରୀ ଦଳର ଉପମୁଖ୍ୟ ସଚେତକ ସଂଜୟ ଦାସବର୍ମା କହିଲେ ଯେ,ଗଣ ଶିକ୍ଷକଙ୍କ ପ୍ରତି କେବଳ ବିରୋଧୀ ଦଳର ଦରଦ ଅଛି ବୋଲି ଦେଖାଇ ହୁଅନ୍ତୁ ନାହିଁ । ସେମାନଙ୍କ ପ୍ରତି ସରକରା ମଧ୍ୟ ସଚେତନ ଅଛନ୍ତି ।

ବିଜେଡି ସରକାର ସେମାନଙ୍କୁ ଗଣଶିକ୍ଷକ କରୁଛନ୍ତି । ଶିକ୍ଷକମାନଙ୍କ ସମସ୍ୟାର ସମାଧାନକେବଳ ନବୀନ ପଟ୍ଟନାୟକଙ୍କ ସରକାର ହିଁ କରିଛନ୍ତି ବୋଲି ସେ କହିଛନ୍ତି । ଶ୍ରୀ ଦାସବର୍ମା କହିଲେ ଯେ,ଗତ ସେପ୍ଟେମ୍ବର ୧୪ ତାରିଖରେ କେନ୍ଦ୍ର ସରକାର ରାଷ୍ଟ୍ରାୟତ ଉଦ୍ୟୋଗ ନାଲକୋରୁ ୧୨.୧୫ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତି କରିଛନ୍ତି । ଏହି ନିସ୍ପତି ରାଜ୍ୟ ସ୍ୱାର୍ଥ ପରିପନ୍ଥୀ ।

ତେଣୁ କେନ୍ଦ୍ର ସରକାର ଏହି ନିସ୍ପତି ପ୍ରତ୍ୟାହାର କରିବା ପାଇଁ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇ କେନ୍ଦ୍ରକୁ ପଠାଯାଉ ବୋଲି ସେ କହିଥିଲେ ।

ବିଜେପିର କନକବର୍ଦ୍ଧନ ସିଂଦେଓ କହିଲେ ଯେ ଗଣଶିକ୍ଷକଙ୍କ ସମସ୍ୟା ସମାଧାନ ହେବା ଉଚିତ୍ । ବିଧାନସଭା ଅଧିବେଶନ ସମୟରେ ଯେଉଁମାନେ ଆନ୍ଦୋଳନ କରିବେ ଯଦି ସେମାନଙ୍କ ସମସ୍ୟା ସମାଧାନ କରାଯିବ ତାହା ଏକ ଖରାପ ପରମ୍ପରା ସୃଷ୍ଟି କରିବ ।

ତେଣୁ ଆନ୍ଦୋଳନ ହେବାପୂର୍ବରୁ ସମସ୍ୟାର ସମାଧାନ କରାଯାଉ । ଏହାଛଡା ନାଲକୋ ପୁଞ୍ଜି ପ୍ରତ୍ୟାହାର ନିଷ୍ପତିକୁ ସେ ବିରୋଧ କରୁଛନ୍ତି । ନାଲକୋ ଏକ ଲାଭଜନକ ସଂସ୍ଥା । ଏହାର ପୁଞ୍ଜି ପ୍ରତ୍ୟାହାର ରାଜ୍ୟ ସ୍ୱାର୍ଥର ପରିପନ୍ଥୀ ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଦୀପ ମହାରଥୀ,ଅମର ପ୍ରସାଦ ଶତପଥୀ,ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ପ୍ରଫୁଲ ମାଝି,ଚକ୍ରଧର ପାଇକ,ଅନଙ୍ଗ ଉଦୟ ସିଂହଦେଓ ପ୍ରମୁଖ ଏହି ଦଦୁଇ ପ୍ରସଙ୍ଗରେ ନିଜ ନିଜର ମତ ରଖିଥିଲେ ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର Tagged With: ଗଣଶିକ୍ଷକ, ନବୀନ ପଟ୍ଟନାୟକ, ନାଲକୋ, ପୁଞ୍ଜି ପ୍ରତ୍ୟାହାର, ବିଜେଡ଼ି, ବିଧାନସଭା

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Interim pages omitted …
  • Go to page 8
  • Go to Next Page »

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା