• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଭୁବନେଶ୍ୱର

ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ

December 22, 2019 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ଡିସେମ୍ବର ୨୨(ଲୋକାଲ ୱାୟାର): ଭୁବନେଶ୍ୱରର ଜନତା ମୈଦାନରେ ଚାଲିଥିବା ତୋଷାଳି ମେଳାରେ ରବିବାର ହସ୍ତତନ୍ତ ପୋଷାକ ପ୍ରତି ଲୋକଙ୍କ ଜାଗରିକତା ସୃଷ୍ଟି ନିମନ୍ତେ ବୟନିକା ପକ୍ଷରୁ ଅନୁଷ୍ଠିତ ଫେସନ ସୋ ଲୋକଙ୍କ ମନ ମୋହିଥିଲା ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଏନଆଇଏଫଟି, ସିଡାକ୍ ଦ୍ୱାରା ପ୍ରାୟୋଜିତ ତଥା ବୟନିକା ପକ୍ଷରୁ ଆୟୋଜିତ ଫେସନ ସୋ’ରେ ୧୩ ଜଣ ମଡେଲ ବୟନିକା ପ୍ରସ୍ତୁତ ଇକତ୍, ବୋମକାଇ, ଖଣ୍ଡୁଆ, କୋଟପାଡ଼ ଓ ଡଙ୍ଗରିଆ, ଟସର ଶାଢ଼ି ପରିଧାନପୂର୍ବର୍କ ର‌୍ୟାମ୍ପରେ ଅଂଶ ଗ୍ରହଣ କରିଥିଲେ ।

ବୟନିକା ଓ ଏନଆଇଏଫଟି ଆଲମୁନିଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନର ପୋଷାକ ପରିଧାନ କରି ଏହି ମଡେଲ ମାନେ ଓଡ଼ିଶା ହସ୍ତତନ୍ତର ଡିଜାଇନ ପୋଷାକ ଦର୍ଶକମାନଙ୍କ ନିକଟରେ ପ୍ରଦର୍ଶନ କରିଥିଲେ ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା ଓ ତାଙ୍କ ଟିମ୍ ଏହି ଫେସନ୍ ସୋ’ର ପରିକଳ୍ପନା କରିଥିଲେ ।


ପାରମ୍ପରିକ ଓ ଆଧୁନିକ ତଥା ଭାରତୀୟ ଏବଂ ପାଶ୍ଚାତ୍ୟ ଶୈଳୀରେ ପ୍ରସ୍ତୁତ ଏହି ପୋଷାକ ଗୁଡ଼ିକୁ ବିଶ୍ୱବ୍ୟାପୀ ପରିଚିତି ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଫେସନ ସୋ’ କୁ ଶୁଭମ ଓ ଜାଗୃତି ଉପସ୍ଥାପନ କରିଥିବା ବେଳେ ପ୍ରଶାନ୍ତ ଏହାର କୋରିଓଗ୍ରାଫି କରିଥିଲେ ।

ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବୟନ ଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।

ଫେସନ ସୋ’ର କଳାକାର, କୋରିଓଗ୍ରାଫର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର କଣ୍ଠଶିଳ୍ପୀଙ୍କୁ ଉତ୍ତରୀୟ ଏବଂ ବୃକ୍ଷ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

ଲୋକାଲ ୱାୟାର

Filed Under: ଓଡିଶା ଖବର, କଳା ଓ ସଂସ୍କୃତି, ମନୋରଞ୍ଜନ Tagged With: ଭୁବନେଶ୍ୱର, ମନୋରଞ୍ଜନ

ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ

December 9, 2019 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ଡିସେମ୍ବର ୯(ଓଡ଼ିଶା ଡ଼ଟ୍ କମ୍): ସହରୀକରଣ ପ୍ରଭାବରେ ଓଡ଼ିଶାର ଅଧିକାଂଶ ସବୁଜ ବଳୟ ନଷ୍ଟ ହୋଇ ସାରିଥିବା ବେଳେ କ୍ୱଚିତ ଲୋକ ଏହାର ରକ୍ଷା ପାଇଁ ଆଗେଇ ଆସୁଛନ୍ତି ।

ଜଗତସିଂହପୁର ଜିଲ୍ଲାର ନୂଆଗାଁ, ଗଡକୁଜଙ୍ଗ ଓ ଢିଙ୍କିଆ ଅଞ୍ଚଳର ଜଙ୍ଗଲ ଜମି ଯେଉଁଠି ଶହ ଶହ ବର୍ଷ ଧରି ଲୋକେ ପାନ ଚାଷ ଓ ମାଛ ଧରି ଲୋକେ ଜୀବିକା ନିର୍ବାହ କରୁଥିଲେ ସେସବୁ ଅଞ୍ଚଳକୁ ସରକାର ପୋସ୍କୋ ପ୍ରକଳ୍ପ ପାଇଁ ଅଧିଗ୍ରହଣ କରି ପରେ ଗ୍ରାମବାସୀଙ୍କୁ ହସ୍ତାନ୍ତର କଲେ ।

ସେହିପରି କୋରାପୁଟ ଜିଲ୍ଲାର କୋଟପାଡର ଜଙ୍ଗଲ ଜମିରେ ଇଲେକ୍ଟ୍ରି ପ୍ଲାଣ୍ଟ ସ୍ଥାପନ ପାଇଁ ସବୁଜ ବଳୟ ନଷ୍ଟ କରାଯାଉଛି ।

ପିଲାବେଳୁ ନିଜ ଗାଁର ପ୍ରାକୃତିକ ଶୋଭାରାଜିରେ ବିମୋହିତ ଯୁବ ଚିତ୍ରଶିଳ୍ପୀ ଓ ଅଙ୍ଗାର ଶିଳ୍ପୀ ଶୁଭମୟ ବିଶ୍ୱାଳଙ୍କ ‘ଟଙ୍କା ପାଇଁ ପ୍ରକୃତିର ବିନାଶ’ ଶୀର୍ଷକରେ ଚିତ୍ରକଳା ପ୍ରଦର୍ଶନୀ ନୂଆଦିଲ୍ଲୀର ଏଆଇଏଫଏସିଏସ ଗ୍ୟାଲେରିରେ ଚଳିତ ବର୍ଷ ଡିସେମ୍ବରରେ ଆୟୋଜିତ ହେବ ।

ଦିଲ୍ଲୀରେ ପ୍ରଦୂଷଣ ସ୍ତର ବଢ଼ି ଚାଲିଥିବା ପରିପ୍ରେକ୍ଷୀରେ ୱାଟରକଲର, ଆକ୍ରିଲିକ ଓ ଅଏଲ କଲରକୁ ନେଇ ଆୟୋଜିତ ଏହି ପ୍ରଦର୍ଶନୀ ଲୋକଙ୍କୁ ଦୈନନ୍ଦିନ କର୍ମଜଞ୍ଜାଳରୁ ବହୁ ପ୍ରତୀକ୍ଷିତ ବିରତି ଦେବ ।

ଅଙ୍ଗାରରେ ତାଙ୍କ ପ୍ରତିବେଦନରୁ ପ୍ରାଚୀନ ଭାରତୀୟ କଳାର ପ୍ରଭାବ ବାରି ହୋଇପଡ଼େ । ତାଙ୍କ ପ୍ରମୁଖ କଳାକୃତିଗୁଡ଼ିକରେ ନ୍ୟୁନତମ ଶୈଳୀ ଓ ପ୍ରକୃତି ପ୍ରତି ଆକର୍ଷଣ ପ୍ରମୁଖତା ପାଏ ।

ପ୍ରତ୍ୟେକ ଚିତ୍ରକଳାରେ ପ୍ରତିଭାର ଝଲକ ସାଙ୍ଗକୁ ଏହାର ବାର୍ତ୍ତା ବିଶ୍ୱାଳଙ୍କ ପାଇଁ ନୂଆ ପ୍ରଶଂସକ ସୃଷ୍ଟି କରିଥାଏ । ନୀରବ ବିପ୍ଳବୀ ଶୁଭମୟ ସହସ୍ରାବ୍ଦୀର ସ୍ପନ୍ଦନକୁ ବୁଝି ପାରନ୍ତି ଓ ନିଜ ଗାଁର ସବୁଜ ପରିବର୍ତ୍ତନ ବିପ୍ଲବରେ ବେଶ ଲୋକପ୍ରିୟ ।

ଲୋକାଲ ୱାୟାର ସହ ବାର୍ତ୍ତାଳାପ ବେଳେ ଶୁଭମୟ କହିଥିଲେ ସବୁଜ ବଳୟ ବଞ୍ଚାଇ ରଖିବାକୁ ମୋ ଅଭିଯାନକୁ ବିରୋଧ କରୁଥିବା ବ୍ୟକ୍ତିମାନେ ମୋତେ ଅନେକ ସମୟରେ ଧମକଚମକ ଦିଅନ୍ତି । ତେବେ ଏଥର ମୁଁ ମୋ ଚିତ୍ରକଳା ମାଧ୍ୟମରେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନୂଆଦିଲ୍ଲୀର ଏଆଇଏଫଏସିଏସ ଗ୍ୟାଲେରିରେ ପ୍ରଦର୍ଶନ କରିବି ।

ପୂର୍ବରୁ ମଧ୍ୟ ଅନେକ ଓଡ଼ିଆ ଚିତ୍ରଶିଳ୍ପୀ ସେଠାରେ ଏକକ ପ୍ରଦର୍ଶନୀ କରିଛନ୍ତି । ତେବେ ମୁଁ ୱାଟର କଲର, ଆକ୍ରିଲିକ ଓ ତୈଳ ଚିତ୍ର ମାଧ୍ୟମରେ ମୋ କଳା ପ୍ରଦର୍ଶନ କରିବି ।

ଶୁୁୁଭମୟଙ୍କ ଗୁରୁ ଓ ପ୍ରସିଦ୍ଧ ଭାରତୀୟ ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ କହିଛନ୍ତି, ଏତେ କମ ବୟସରେ ଏକକ ଚିତ୍ରକଳା ପ୍ରଦର୍ଶନୀ କରିବା ପ୍ରତ୍ୟେକ ଚିତ୍ରଶିଳ୍ପୀ ପାଇଁ ଏକ ଗର୍ବର ମୁହୂର୍ତ୍ତ ଓ ଓଡିଶାର କଳା ଓ ସଂସ୍କୃତି ତାଙ୍କ ପ୍ରୟୋଗାତ୍ମକ ଶୈଳୀର ଭିତ୍ତି । ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆଧାରିତ ଏହି ପ୍ରଦର୍ଶନୀ ମାଧ୍ୟମରେ ଲୋକେ ତାଙ୍କ ନିଆରା ସୃଜନଶୀଳତାକୁ ନିଶ୍ଚିତ ଭାବରେ ପରଖି ପାରିବେ ।

ଧଉଳି କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟସର ଡିନ ପଞ୍ଚାନନ ସାମଲ କହିଛନ୍ତି ଓଡ଼ିଶା ଚିତ୍ରଶିଳ୍ପୀମାନେ ଖୁବ ଅର୍ଥପୂର୍ଣ୍ଣ, ତେବେ ଦୁଃଖର କଥା ଖୁବ କମ୍ ଚିତ୍ରଶିଳ୍ପୀ ଅନେକ ପ୍ରଖ୍ୟାତ ଶିଳ୍ପୀଙ୍କ କଳାକୃତି ସ୍ଥାନ ପାଇଥିବା ଦିଲ୍ଲୀର ଏଆଇଏଫଏସିଏସ ଗ୍ୟାଲେରିରେ ଏକକ ପ୍ରଦର୍ଶନୀ କରିଛନ୍ତି ।

ୱାଟର କଲର, ଆକ୍ରିଲିକ ଓ ଅଏଲ କଲର ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଶୁଭମୟଙ୍କ ସଦ୍ୟତମ ଚିତ୍ରକଳାଗୁଡ଼ିକ ମତେ ଓ ଓଡ଼ିଶାର ଅନେକ ବରିଷ୍ଠ ଶିଳ୍ପୀଙ୍କୁ ଅଭିଭୂତ କରିଛି । ନିଜ ଗାଁ ଜଗନ୍ନାଥପୁରର ସବୁଜିମା ରକ୍ଷା କରିବା ପାଇଁ ସେ ଉଲ୍ଲେଖନୀୟ କାମ କରି ସାରିଛନ୍ତି ।
ଆଗାମୀ ଦିନରେ ଶୁଭମୟ ବିଶ୍ୱାଳ ୨୦ରୁ ଅଧିକ ଚିତ୍ରକଳା ପ୍ରଦର୍ଶନ କରିବେ । ନିକଟରେ ସେ ଡେରାସରେ କରିଥିବା ୱାଟରକଲର କ୍ୟାମ୍ପ୍ ପାଇଁ ବେଶ ପ୍ରଶଂସିତ ହେବା ସହ କଳାକାର ଭାବେ ବିଶ୍ୱସନୀୟତା ହାସଲ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ପରିବେଶ, ସୌନ୍ଦର୍ଯ୍ୟ ଚର୍ଚା Tagged With: କୋରାପୁଟ, ଭୁବନେଶ୍ୱର

ସୃଜନ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଶୀ ନୃତ୍ୟରେ ଦର୍ଶକ ବିଭୋର

June 28, 2018 by Jharana Jena Leave a Comment

ଭୁବନେଶ୍ୱର, ଜୁନ ୨୮ (ଓଡିଶା ଡଟ କମ ) ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଓ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ଆୟୋଜିତ ହରାଇଜନ ସିରିଜ ଅନ୍ତର୍ଗତ ସଂଧ୍ୟା ଅଧିବେଶନରେ ସୃଜନର ଶିଳ୍ପୀ ଓ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।


ନୃତ୍ୟର ଆଦ୍ୟ ଚରଣରେ ସୃଜନର ଶିଳ୍ପୀ ମଞ୍ଚସ୍ଥ କରିଥିଲେ ବିନାୟକ ସ୍ମରଣେ । ବିଘ୍ନ ବିନାଶକବିନାୟକଙ୍କ ଅର୍ଚ୍ଚନାରେ ଏହା ପ୍ରସ୍ତୁତ ହୋଇଥିଲା । ପରେ ପରେ ନୃତ୍ୟ ସର୍ଜନାର ଶାସ୍ତ୍ରୀୟତାକୁ ନେଇଆସିଥିଲେ ନୃତ୍ୟ ରଚନା ସିନ୍ଥେସିସ ।

ଏହା ପରେ ତୁଳସୀଦାସକୃତ ରାମରଚିତ ମାନସଗ୍ରନ୍ଥ ଆଧାରିତ ଶବରୀ ଚରିତ୍ରର ନିଖୁଣ ଅଭିନୟକୁ ବାଢି ଦେଇ ସମର୍ପଣର ଚିତ୍ର ଆଙ୍କିଥିଲେ ଗୁରୁ ରତିକାନ୍ତ  ମହାପାତ୍ର । ଶିବ ତତ୍ତ୍ୱ ଓ ଶକ୍ତି ତତ୍ତ୍ୱର ମିଳିତ ପ୍ରକାଶକୁ ନେଇ ମଞ୍ଚସ୍ଥ ହୋଇଥିଲା ଅର୍ଦ୍ଧନାରୀଶ୍ୱର । ଅନ୍ତିମ ପ୍ରସ୍ତୁତିରେ ରହିଥିଲା ବନ୍ଦେ ମାତରମର ନୃତ୍ୟାଭିନୟ ।

ସନ୍ଧ୍ୟାର ଅତିଥିମାନେ ଥିଲେ ଓପାଲୀ ଅପରାଜିତା; ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ଆଞ୍ଚଳିକ ନିର୍ଦ୍ଦେଶକ ବଳିଆର ସିଂହ ନେଗୀ; ଭୁବନେଶ୍ୱର ମ୍ୟୁଜିକ ସର୍କଲର ଖୀରୋଦ ପଟ୍ଟନାୟକ  । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ମୃତ୍ୟୁଞ୍ଜୟ ରଥ ।

ଓଡିଶା ଡଟ କମ

Filed Under: କଳା ଓ ସଂସ୍କୃତି Tagged With: ଓଡ଼ିଶୀ ନୃତ୍ୟ, ଭୁବନେଶ୍ୱର, ସାଂସ୍କୃତିକ

ଅଭିଶପ୍ତ ଗନ୍ଧର୍ବର କଥାଶିଳ୍ପୀ ମହାପାତ୍ର ନିଳମଣି ସାହୁ; କେତୋଟି କଥା

June 26, 2016 by ନିଉଜ ଡେସ୍କ 1 Comment

DCF 1.0
DCF 1.0


କେଦାର ମିଶ୍ର

“ରେ ମୂର୍ଖ କଳା କାଉ, ବେଶୀ ଗୁଡାଏ ରାଊ ରାଊ ହୁଅନାହିଁ “

ମନେ ପଡୁଛି କି କେଉଁଠି ଏ ଧାଡି ଟି ପଢିଛନ୍ତି? ପିଲାଦିନର ସାହିତ୍ୟ ବହିରେ ଗୋଟେ ଚମତ୍କାର ଗପଥିଲା, “ବିହଂଗ ବିପ୍ଲବ” ।

ଗୋଟେ କୋଇଲି ଓ ମାଂକଡ ଭିତରେ ବିବାଦର କାହାଣୀ। ଗୋଟେ ଲାଂଚୁଆ ଭାଲୁ ରାଜା ଓ ତାର ଲୋଭୀ ପାରିଷଦମାନନ୍କର କାହାଣୀ ।

ସେ ଗପରେ କୁନି କୁନି ଚଢେଇ ମାନେ ଗୋଟେ ବଡ ବିପ୍ଳବର ସୂତ୍ରଧର। ଆଉ ଏଇ ବିପ୍ଲବୀ ଗପର ଲେଖକ ଜଣକ ଜୀବନ ସାରା ନିଜକୁ କେବେ ବିପ୍ଲବୀ ବୋଲି କହିନାହାନ୍ତି, ହେଲେ ତାଂକ ଜୀବନ ଗୋଟେ ରସସିକ୍ତ କବିତାର ବିପ୍ଲବ। ସେ ରସିକ ଓ ବିପ୍ଲବୀ ଲେଖକ ଜଣକ ଆଜି ଚିରଦିନ ଲାଗି ଆମଠୁ ବିଦାୟ ନେଇ ଯାଇଛନ୍ତି ।

୯୦ ବର୍ଷ ବୟସରେ ଆଜି (୨୫, ଜୁନ୍,୨୦୧୬) ଓଡିଶାର ପ୍ରଖ୍ୟାତ କଥାକାର, ବ୍ୟଂଗଶିଳ୍ପୀ, ସମ୍ପାଦକ, ସଂଗଠକ ଓ ଚିନ୍ତାନାୟକ ମହାପାତ୍ର ନିଳମଣି ସାହୁ ପରଲୋକ ଗମନ କରିଛନ୍ତି। ମହାପାତ୍ର ନୀଳମଣି ସାହୁ, ଓଡିଆ ସାହିତ୍ୟରେ ଗୋଟେ ଯୁଗର ନାୟକ।

ଲେଖକ ଭାବରେ ସେ ଯେତିକି ବିଖ୍ୟାତ, ମଣିଷ ଭାବରେ ସେତିକି ପ୍ରେମାପ୍ଲୁତ।ତାଂକ ଜୀବନ ରସ ଓ ରାସ ର ଏକ ଅପୂର୍ବ ସମନ୍ବୟ ।

DCF 1.0
DCF 1.0

ପ୍ରେମ, ବନ୍ଧୁତା,ଭକ୍ତି ଓ ସହୃଦୟତାର ସେ ଥିଲେ ମୂର୍ତିମନ୍ତ ପ୍ରତୀକ। ପଚାଶରୁ ଅଧିକ ବହି ଲେଖିଥିବା ଓ ଓଡିଶାର ଜନଜୀବନକୁ ବହୁ ଭାବରେ ପ୍ରଭାବିତ କରିଥିବା ଏହି ମହାନ ଲେଖକଂକ ସମ୍ପର୍କରେ କେତୋଟି ବିଶେଷ କଥା-

୧. କଟକ ଜିଲ୍ଲାର ନିଆଳି ଗାଁ ରେ ୨୨, ଡିସେମ୍ବର ୧୯୨୬ ରେ ମହାପାତ୍ର ନିଳମଣି ସାହୁ ଜନ୍ମଗ୍ରହଣ କରିଥିଲେ। ବାପା ମହେଶ୍ବର ମହାପାତ୍ର ଓ ମାଁ ରଂଗଲତା ଦେବୀ ।

ଗାଁ, ପିଲାଦିନ ଓ ପରିବାରକୁ ନେଇ ମହାପାତ୍ର ନିଳମଣି ସାହୁ ଅନେକ କଥା କହିଛନ୍ତି ଓ ଲେଖିଛନ୍ତି। ସମୟ ଓ ସ୍ମୃତି ସହ ତାଂକ ସୃଜନଶୀଳତା ର ସମ୍ପର୍କ ବେଶ୍ ଗହନ ।

୨. ରେଭେନଶା କଲେଜରୁ ଓଡିଆ ଭାଷା ସାହିତ୍ୟରେ ଏମଏ କଲାପରେ ସେ ଭାଷା ସାହିତ୍ୟର ଅଧ୍ୟାପକ ଭାବରେ ଜୀବନ ସାରା କାମ କରିଛନ୍ତି।

ସେ ଥିଲେ ଅଧ୍ୟାପକ ଭାବରେ ସବୁ ଛାତ୍ରଂକର ବନ୍ଧୁ ଓ ଦିଗଦର୍ଶକ ।

କୁହାଯାଏ, ନିଳମଣି ସାର୍ ସବୁ ଛାତ୍ର ଓ ପ୍ରେମିକଂକର ବିଶ୍ବାସଯୋଗ୍ୟ ବାନ୍ଧବ। ରାଜ୍ୟର ବହୁ କଲେଜରେ ସେ ପାଠ ପଢେଇଛନ୍ତି, ଆଉ ସବୁଠି ତାଂକର ଅନୁଗାମୀ ଛାତ୍ର ଛାତ୍ରୀ ତାଂକୁ ଘେରି ରହିଥାନ୍ତି ।

ଲେଖକ ଭାବରେ ତାଂକର ସାର୍ଥକତା ହେଉଛି ତାଂକର ମଣିଷପଣିଆଁ । ସେ ଯେତେ ବଡ ଲେଖକ ଥିଲେ, ତାଠୁ ଢେର୍ ବିଶାଳ ହୃଦୟର ମଣିଷ ମଧ୍ୟ ଥିଲେ ।

DCF 1.0
DCF 1.0

୩. ଓଡିଆ କଥା ସାହିତ୍ୟରେ ଫକୀରମୋହନ ଓ ଗୋପୀନାଥ ମହାନ୍ତି ପରବର୍ତୀ ପିଢିର ସେ ଥିଲେ ନାୟକ ।

ସେ ତାଂକ ପ୍ରଜନ୍ମର ବଡଭାଇ। ଶାନ୍ତନୁ ଆଚାର୍ୟ, ମନୋଜ ଦାସ,ଚନ୍ଦ୍ରଶେଖର ରଥ, ଅଖିଳ ମୋହନ ପ୍ରମୁଖଂକ ପାଇଁ ସେ ଥିଲେ ଅଗ୍ରଣୀ ।

ସେ କେବଳ ନିଜେ ଲେଖି ନାହାନ୍ତି, ତାଂକ ସମସାମୟିକ ଅନେକଂକୁ ଲେଖା ର ପାଠ ପଢେଇଛନ୍ତି।

୪. ତାଂକର ଦୁଇଟି ଉପନ୍ୟାସ- “ଧରା ଓ ଧାରା” (୧୯୬୧)ତଥା “ତାମସୀ ରାଧା”(୧୯୬୪) । ଓଡିଆ ଉପନ୍ୟାସ କ୍ଷେତ୍ରରେ ତାମସୀ ରାଧା ଏକ କ୍ଲାସିକ୍ ।

ଗୋଟେ ଅସୁନ୍ଦରୀ ଗାଉଁଲି ବୋହୁର ଜୀବନ କାହାଣୀ ତାମସୀ ରାଧା।ନାରୀ ମନର ଗହନ ଓ ଗୋପନ ଭାବାବେଗକୁ ଅତି ଚମତ୍କାର ଭାବରେ ସେ ଫୁଟେଇ ପାରିଛନ୍ତି ।


୫. ଗାଳ୍ପିକ ଭାବରେ ତାଂକର ଅବଦାନ ଅତୁଳନୀୟ ।ତାଂକର “ଅଭିଶପ୍ତ ଗନ୍ଧର୍ବ” ଓଡିଆ ଗପର ଅନ୍ୟତମ ଶ୍ରେଷ୍ଠ ସୃଷ୍ଟି। ୧୯୫୨ ରେ ପ୍ରକାଶିତ ହୁଏ ତାଂକର ପ୍ରଥମ ଗଳ୍ପ ସଂକଳନ “ପ୍ରେମ ଓ ତ୍ରିଭୁଜ” ।

ତାପରେ ମିଛବାଘ, ଶ୍ରୁନ୍ବନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ, ଗଂଜେଇ ଓ ଗବେଷଣା,ସୁମିତ୍ରାର ହସ, ବିଷ୍ଣୁମାୟା, କପୋତ ପକ୍ଷୀ ଗୁରୁ ମୋର,ଅନ୍ଧ ରାତିର ସୂର୍ୟ,ଆକାଶ ପାତାଳ, ଅଭିଶପ୍ତ ଗନ୍ଧର୍ବ, ରାନୁ ଅପା ଠାରୁ ପୁଷି ପର୍ଯନ୍ତ ଓ ଆହୁରି ଅନେକ।

ରସିକତା ଓ ବ୍ୟଂଗ ତାଂକ ଗପର ମର୍ମ ହୋଇଥିବାବେଳେ କରୁଣ ରସ ତାଂକ କଥାଶିଳ୍ପ ର ଆତ୍ମା ।

ସବୁଠୁ କରୁଣ କାହାଣୀକୁ ସବୁଠୁ ସରସ କରି କହିବାର କଳା ରେ ସେ ଥିଲେ ଧୁରନ୍ଧର ।


୬. ସୃଜନଶୀଳ ପ୍ରବନ୍ଧ,ରମ୍ୟ ରଚନା ଓ ଲଳିତ କଥନ କ୍ଷେତ୍ରରେ ତାଂକର ଭୂମିକା ଏକପ୍ରକାର ସାରଥି ର।

ଧ୍ବନି ପ୍ରତିଧ୍ବନୀ,ସ୍ବପ୍ନ ସ୍ବପ୍ନ ଅନେକ ସ୍ବପ୍ନ, ଦେବଦାସର୍ ଦୃଷ୍ଟିପାତ, ପ୍ରେମ ଭକ୍ତିର ମର୍ମ କଥା, ଉଦ୍ଧବ କେତେ ତୁ ପଚାରୁ,ଡହରାନନ୍ଦଂକ ପ୍ରବଚନମାଳା ଓ ଆହୁରି ଅନେକ ଲଘୁ ରଚନା ତଥା ମନନଶୀଳ ପ୍ରବନ୍ଧ ପୁସ୍ତକର ସେ ସ୍ରଷ୍ଟା ।

ଡହରାନନ୍ଦ ନାଁ ଟି ସହ ଏକ ଶକ୍ତିଶାଳୀ ରସ ରଚନା ର ପରମ୍ପରା ସେ ଆରମ୍ଭ କରିଥିଲେ।


୭. ଏହା ଛଡା ଅନୁବାଦ, ଶିଶୁ ସାହିତ୍ୟ ଓ କବିତା କ୍ଷେତ୍ରରେ ମଧ୍ୟ ତାଂକର ବହୁ ମୂଲ୍ୟ ଅବଦାନ ରହିଛି। ଶ୍ରୀ ଅରବିନ୍ଦ, ଶ୍ରୀ ମା ଓ ସ୍ବାମୀ ବିବେକାନନ୍ଦଂକ ଅନେକ ପୁସ୍ତକକୁ ସେ ଓଡିଆ ରେ ଅନୁବାଦ କରିଛନ୍ତି।

ଶ୍ରୀ ଅରବିନ୍ଦଂକ ମହାକାବ୍ୟ “ସାବିତ୍ରୀ” ର ଗଦ୍ୟାନୁବାଦ ସେ ଓଡିଆରେ କରିଥିଲେ।


୮. ସ୍ରଷ୍ଟା ଭାବରେ ତାଂକର ସୃଷ୍ଟି ର ପ୍ରାଚୁର୍ୟ ପ୍ରବଳ।ହେଲେ ତା’ ଛଡା ସମ୍ପାଦକ ଭାବରେ ସେ ଓଡିଶାର ପତ୍ରିକା ଜଗତରେ ଭୀଷ୍ମ ପିତାମହ ।

“ଝଂକାର” ପତ୍ରିକାର ସମ୍ପାଦକ ଭାବରେ ସେ ୧୯୬୫ ୧୯୬୯ ଯାଏଁ ଦାୟିତ୍ବ ନିର୍ବାହ କରିଥିଲେ ।କୁହାଯାଏ, ବହୁ ପ୍ରତିଷ୍ଠିତ ଲେଖକ ତାଂକରି ହାତ ଧରି ଉପରକୁ ଉଠିଛନ୍ତି।

ଏହା ଛଡା “ଉତ୍କଳ ପ୍ରସଂଗ” ଓ “Odisha Review” ର ସମ୍ପାଦକ ଭାବେ ତାଂକର ପ୍ରତିଷ୍ଠା ରହିଥିଲା। ଏକ ସରକାରୀ ପତ୍ରିକାକୁ ପୂର୍ନାଂଗ ସାଂସ୍କୃତିକ ପତ୍ରିକା କରିବାର ସାହସ ତାଂକ ପାଖରେ ଥିଲା ।


୯ . ୧୯୮୧ ରେ ମହାପାତ୍ର ନିଳମଣି ସାହୁନ୍କୁ ଓଡିଶା ସାହିତ୍ୟ ଏକାଡେମୀ , ୧୯୮୪ ରେ କେନ୍ଦ୍ର ସାହିତ୍ୟ ଏକାଡେମୀ, ୧୯୮୩ ରେ ଶାରଳା ପୁରଷ୍କାର, ୨୦୦୦ ରେ କୋଣାର୍କ ସମ୍ମାନ, ୨୦୦୬ ରେ ସାହିତ୍ୟ ଭାରତୀ ସମ୍ମାନ ତାଂକୁ ମିଳିଥିଲା।ତାଂକ ହାତରେ ଗଢା ହେଇଥିବା ବହୁ ଲେଖକ ଲେଖିକା ଜାତୀୟ ସ୍ବୀକୃତି ପାଇଛନ୍ତି, ହେଲେତାଂକ କଥା ସେମିତି ରାଜ୍ୟରେ ସୀମିତ ହୋଇ ରହିଗଲା ।


୧୦ ବହୁ ଅନୁଷ୍ଠାନ ଓ ପତ୍ରିକା କୁ ସେ ନିଜ ହାତରେ ତିଆରି କରିଛନ୍ତି। ସବୁଠି ଥାଇ କେଉଁଠି ନଥିବା ତାଂକର ପ୍ରବୃତ୍ତି । ଓଡିଶା ସାହିତ୍ୟ ଏକାଡେମୀର ସେ ଥିଲେ ସଭାପତି ।

ଗୋଏ ସମୟରେ ସେ ଇସ୍ତଫା ଦେଇ ଏକାଡେମୀରୁ ଚାଲି ଆସିଥିଲେ ।ସହଜ ଓ ବୌଦ୍ଧିକ ଜୀବନ ଗୋଟିଏ ବିନ୍ଦୁରେ ସମାହିତ ଯେଉଁଠି ହୁଏ ସେ ବିନ୍ଦୁର ନାମ ମହାପାତ୍ର ନିଳମଣି ସାହୁ । ସେ ବିନ୍ଦୁ ଆଜି ମହାସିଂଧୁରେ ତିରୋହିତ । କଥା ସାହିତ୍ୟର ଏଇ ରସିକ ପୁରୁଷ ଆମର ଚିର ନମସ୍ୟ ।

 

Filed Under: ସାହିତ୍ୟ Tagged With: ଓଡିଶା, ଗଣମାଧ୍ୟମ, ଭୁବନେଶ୍ୱର, ରାଜ୍ୟ ସରକାର, ଶିକ୍ଷା

ଓଏନଜିସିର ଓଡ଼ିଶା କାର୍ଯ୍ୟାଳୟର ଉଦଘାଟନ

May 10, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୧୦ (ଓଡିଶା ଡଟ କମ ) ଜାତୀୟ ତୈଳ କମ୍ପାନୀ ଓଏନଜିସିର ଓଡ଼ିଶା କାର୍ଯ୍ୟାଳୟ ରବିବାର ଭୁବନେଶ୍ଵର ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି ।

ONGC Odisha Office Inauguration - Photograph 1ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ଓଏନଜିସି ଓଡ଼ିଶା ଭଳି ଏକ ବିକାଶଶୀଳ ରାଜ୍ୟରେ ଶକ୍ତି ଉତ୍ସ ମାନଙ୍କର ଅନ୍ୱେଷଣ ପ୍ରକ୍ରିୟା ନୂତନ ଭାବରେ ଆରମ୍ଭ କରୁଛି । ପ୍ରାଥମିକ ଆକଳନ ଅନୁଯାୟୀ, ଓଡିଶାରେ ବ୍ୟାପକ ପରିମାଣରେ ହାଇଡ୍ରୋକାର୍ବନ ଗଚ୍ଛିତ ରହିଛି ।

ବିଶେଷକରି ଉପକୁଳରୁ ଦୂରବର୍ତ୍ତୀ ଅଂଚଳରେ ଗ୍ୟାସ୍ ରିଜର୍ଭମାନ ରହିଅଛି । ଓଏନଜିସି ଖୁବଶୀଘ୍ର ଓଡିଶାରେ ଦୁଇ ଡାଇମେନସନ ସେସମିକ ସର୍ଭେ କରିବାକୁ ଯାଉଅଛି ଯାହାକି ରାଜ୍ୟର ମୂଳ ଭୂଖଣ୍ଡରେ ଗଚ୍ଛିତ ସମ୍ପଦ ସମ୍ପର୍କରେ ସବିଶେଷ ବିବରଣୀ ଦେବ ।

ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ତଥା ଏକ ସମୃଦ୍ଧ ସଂସ୍କୃତି ସମ୍ପନ୍ନ ରାଜ୍ୟ ଭାବେ ସୁପରିଚିତ ଓଡ଼ିଶାରେ ଓଏନଜିସିର ଉପସ୍ଥିତି, ଏହି ମହାରତ୍ନ କମ୍ପାନୀର ଗୌରବମୟ ଯାତ୍ରାରେ ଆଉ ଏକ ନୂତନ ଅଧ୍ୟାୟ ଯୋଡିହୋଇଥିବା ସେ କହିଥିଲେ ।

୧୯୯୯ ମସିହାରେ ପ୍ରବର୍ତ୍ତନ କରାଯାଇଥିବା ନୂତନ ଉତ୍ତୋଳନ ଲାଇସେନସିଂ ନୀତି ପରଠାରୁ ଓଏନଜିସି, ଓଡିଶା ଉପକୂଳରେ ମହାନଦୀ ଅବବାହିକାର ଉଭୟ ଗଭୀର ଏବଂ ଅଗଭୀର ଜଳ କ୍ଷେତ୍ରରେ ନୂତନ ଶକ୍ତି ଉତ୍ସର ଅନ୍ୱେଷଣରେ ଲାଗିଥିବା ସେ କହିଥିଲେ ।

ଓଏନଜିସିର ଭୁବନେଶ୍ୱରଠାରେ ଉଦଘାଟିତ ହୋଇଥିବା ନୂତନ ରାଜ୍ୟ କାର୍ଯ୍ୟାଳୟ ମହାନଦୀ ଅବବାହିକାରେ ଅନ୍ୱେଷଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ବିଶେଷ ସହାୟକ ହେବ ବୋଲି ସେ କହିଥିଲେ ।

ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ଅଧ୍ୟକ୍ଷ ଦୀନେଶ ସରାଫ, ଓ ବରିଷ୍ଠ ଅଧିକାରୀ ଏ କେ ଦ୍ୱିବେଦି, ଡି ଡି ମିଶ୍ର ଏବଂ ଏ ଭି ସାଥେ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ବିଶିଷ୍ଟ ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କୁ କମ୍ପାନୀ ତରଫରୁ ଏକ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରି ସମ୍ବର୍ନ୍ଧିତ କରିଥିଲେ ।

ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ସଭା ସମିତି Tagged With: ଓଏନଜିସି, ଜାତୀୟ ତୈଳ କମ୍ପାନୀ, ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର

ସ୍ଥାୟୀତ୍ଵ ଦାବିକରି ପର୍ଯ୍ୟଟନ ନିଗମ କର୍ମଚାରୀଙ୍କ ଆନ୍ଦୋଳନ ଧମକ

May 3, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର,ମଇ ୩ (ଓଡିଶା ଡଟ କମ) ୨୫ ବର୍ଷ ଧରି ନିୟମିତ ଭାବେ କାର୍ଯ୍ୟ କରି ଆସୁଥିଲେବି ୨୭ ଜଣ ବିଭାଗୀୟ କର୍ମଚାରୀଙ୍କୁ ସରକାର ସ୍ଥାୟୀ କରୁନଥିବାରୁ ଏହା ବିରୁଦ୍ଧରେ ଆନ୍ଦୋଳନ କରିବା ପାଇଁ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଶ୍ରମିକ ସଂଘ ଧମକ ଦେଇଛି ।

୧୯୮୦ ମସିହାରେ ରାଜ୍ୟସରକାର ଦର୍ଶନୀୟସ୍ଥାନ ମାନଙ୍କରେ ପର୍ଯ୍ୟଟକମାନଙ୍କ ଭ୍ରମଣ, ରହିବା ଓ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସଂସ୍ଥା ଗଠନ କରିଥିଲେ । ଏଥିପାଇଁ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୨୬ ଟି ଶାଖା ଖୋଲଯାଇଥିଲା ଓ ସେଥିରେ ପ୍ରାୟ ୫୦୦ରୁ ଉର୍ଦ୍ଧ ଶ୍ରମିକ କର୍ମଚାରୀ କାମ କରୁଥିବା ସଂଘ କହିଛି ।

ତେବେ ୨୭ଜଣ କର୍ମଚାରୀ ଲଗାତର ଭାବରେ୨୫ ବର୍ଷଧରି କାର୍ଯ୍ୟକରୁ ଥିଲେ ମଧ୍ୟ ନା ସେମାନଙ୍କୁ ନା ସ୍ଥାୟୀ କରାଯାଇଛି ନା ସେମାନଙ୍କୁ ସ୍ଥାୟୀ କର୍ମଚାରୀଙ୍କର ସୁବିଧା ସୁଯୋଗ ଦିଆଯାଇଛି । ସେମାନଙ୍କର ମହଙ୍ଗାଭତ୍ତା୨୦୧୨ ମସିହାରୁ ବାକି ରହିଛି। କାର୍ଯ୍ୟ ସମୟରେ ୧୮ଜଣ ଶ୍ରମିକ ମୃତ୍ୟୁବରଣ କରିଥିଲେ ମଧ୍ୟ ତାଙ୍କ ପରିବାରର କାହାକୁ ହେଲେ ନିଯୁକ୍ତି ମିଳିନାହିଁ ।

ରାଜ୍ୟ ସରକାରଙ୍କ ଅନ୍ୟ ସଂସ୍ଥାମାନଙ୍କରେ କର୍ମଚାରୀମାନଙ୍କ ପାଇଁ ପେନସନ ବ୍ୟବସ୍ଥା ଥିଲାବେଳେ ପର୍ଯ୍ୟଟନ ନିଗମ କର୍ମଚାରୀମାନେ ସେଥିରୁ ବଞ୍ଚିତ । ଗୁପ୍ତ ଭୋଟ ଜରିଆରେ ସଂଗଠନ ସ୍ଵୀକୃତିପାଇଁ ଶ୍ରମ କମିଶନର ନୋଟିସ କରିଥିଲେ ମଧ୍ୟ ନିଗମ କର୍ତ୍ତୁପକ୍ଷ ବେଖାତିର କରି ଚାଲିଥିବା ସଂଘ ଅଭିଯୋଗ କରିଛି ।

ଦୁର୍ନୀତି ରୋକିବାପାଇଁ କର୍ତ୍ତୁପକ୍ଷ ଓ କର୍ମଚାରୀ ସଂଗଠନ ପ୍ରତିନିଧୀଙ୍କୁ ନେଇ ଏକ କମିଟି ଗଠନ ହୋଇଥିଲେ ମଧ୍ୟ ତାହା ଆଉ କାର୍ଯ୍ୟ କରୁନାହିଁ । ନିଗମରେ ଦୁର୍ନୀତି ଦିନକୁ ଦିନ ବଢୁଥିବା ବେଳେ ଷଡଯନ୍ତ୍ର କରି ଶ୍ରମିକମାନଙ୍କୁ ଶୋଷଣ କରାଯାଉଛି ।

ଏପରି ପରିସ୍ଥିତିରେ ଶ୍ରମିକ ଓ  କର୍ମଚାରୀଙ୍କ ସ୍ଵାର୍ଥରକ୍ଷା ପାଇଁ ସଂଗଠନ ତରଫରୁ ୧୨ ଦଫା ସମ୍ବଳିତ ଦାବିପତ୍ର କର୍ତ୍ତୁପକ୍ଷଙ୍କ ସମେତ ଶ୍ରମ ବିଭାଗକୁ ପ୍ରଦାନ କରାଯାଇ ତୁରନ୍ତ ଚୁକ୍ତିନାମା କରିବାକୁ ନିବେଦନ କରଯାଇଥିଲେ ସୁଦ୍ଧା କର୍ତ୍ତୁପକ୍ଷଙ୍କର ଏହାଉପରେ ନୀରବତା ଶ୍ରମିକମାନଙ୍କ ମନରୁ ବିଶ୍ଵାସ ହରାଇ ସାରିଛି ।

ନିକଟ ଭବିଷ୍ୟତରେ ଯଦି ଶ୍ରମିକ ଓ କର୍ମଚାରୀମାନଙ୍କର ସୁବିଧା ସୁଯୋଗପ୍ରତି ଦ୍ରୁଷ୍ଟି ଦିଅ ନ ଯାଏ ତେବେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ସଂଗଠନ ସାଧାରଣ ସଂମ୍ପାଦକ ଲକ୍ଷ୍ମୀଧର ବାରିକ ଓ ସଭାପତି ନବକିଶୋର ମହାନ୍ତି ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।

ଓଡିଶା ଡଟ କମ

Filed Under: ପର୍ଯଟନ, ସଭା ସମିତି Tagged With: ପର୍ଯ୍ୟଟକ, ଭୁବନେଶ୍ୱର

ରାଜନାଥଙ୍କ ଟିମ୍ ରେ ଓଡ଼ିଶାରୁ ଜୁଏଲ,ଧର୍ମେନ୍ଦ୍ର

April 1, 2013 by ଓଡିଶା ଡଟ କମ 2 Comments

ପ୍ରଫୁଲ ଦାଶ

ଭୁବନେଶ୍ୱର,ଅପ୍ରେଲ ୧(ଓଡ଼ିଶା ଡ଼ଟ୍ କମ୍)-ବିଜେପି ସଭାପତି ରାଜନାଥ ସିଂହ ୨୦୧୪ ନିର୍ବାଚନକୁ ଆଖି ଆଗରେ ରଖି ତାଙ୍କ ନୂଆ ଟିମ୍ ଗଠନ କରିଛନ୍ତି । ଏଥିରେ ଜୁଏଲଙ୍କୁ ରାଷ୍ଟ୍ରୀୟ ଉପସଭାପତି ଓ ଧର୍ମେନ୍ଦ୍ରଙ୍କୁ ସାଧାରଣ ସଂପାଦକ ଭାବେ ଦାୟିତ୍ୱ ଦିଆଯାଇଛି ।

ଏହା ବ୍ୟତୀତ ଜୁଏଲଙ୍କୁ କେନ୍ଦ୍ରୀୟ ନିର୍ବାଚନ କମିଟି ସଦସ୍ୟ କରାଯାଇଛି । ଏହି ଟିମ୍ ଆଗାମୀ ନିର୍ବାଚନ ଲାଗି ବିଭିନ୍ନ ରଣନୀତି ପ୍ରସ୍ତୁତ କରିବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: ନିର୍ବାଚନ, ବିଜେପି ସଭାପତି ରାଜନାଥ ସିଂହ, ଭୁବନେଶ୍ୱର

ଶାହା କମିଶନ ନିକଟରେ ପକ୍ଷ ରଖିଲେ ଖଣିଧାରୀ

February 28, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃଆରୀ ୨୮(ଓଡ଼ିଶା ଡ଼ଟ୍ କମ୍), ବୁଧବାର ଏଠାରେ ଆରମ୍ଭ ହୋଇଥିବା ଶାହା କମିଶନଙ୍କ ଶୁଣାଣିର ପ୍ରଥମ ଦିନରେ ବିଭିନ୍ନ ଖଣିଧାରୀ ସେମାନଙ୍କର ପକ୍ଷ ରଖିଛନ୍ତି ।

ଖଣି ଦୁର୍ନୀତିର ତଦନ୍ତ କରୁଥିବା ଏହି କମିଶନ ପାଖରେ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ନିଜର ସଫାଇ ଦେବା ପାଇଁ ସୁଯୋଗ ଦେବାକୁ ଅନୁରୋଧ କରି ବହୁ ଖଣିଧାରୀ ପୂର୍ବରୁ ଆବେଦନ କରିଥିଲେ ।

କମିଶନ ଏହି ଶୁଣାଣି କରିବା ପାଇଁ ଓଡ଼ିଶା ଆସିଛନ୍ତି । ବିବାଦୀୟ ଖଣି ଅଞ୍ଚଳର ଚିହ୍ନଟ ଉପଗ୍ରହ ଚିତ୍ର ସାହାଯ୍ୟରେ କରାଯାଇଥିବାରୁ ଏହାର ସଠିକତା ଉପରେ ଖଣିଧାରୀମାନେ ନିଜ ଓକିଲଙ୍କ ଜରିଆରେ ପ୍ରଶ୍ନ ଉଠାଇଥିଲେ ।

ସେମାନେ ଆଉଥରେ ଖଣି ଅଞ୍ଚଳ ପରିଦର୍ଶନ କରି ଏହାର ସାନି ଯାଞ୍ଚ ଦାବି କରିଥିଲେ । କମିଶନ ସେମାନଙ୍କ ପ୍ରସ୍ତାବରେ ରାଜି ହୋଇଥିବା କୁହାଯାଇଛି । ଠିକ୍ ସେହିପରି ବିଭିନ୍ନ ସମୟରେ ସେମାନେ ସରକାରଙ୍କ ନିର୍ଦେଶାନାମା ସବୁ ପାଳନ କରି ଆସିଥିବା ବେଳେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନ କରାଯାଉଛି ବୋଲି ଦର୍ଶାଇଛନ୍ତି ।

ଶୁଣାଣିର ପ୍ରଥମ ଦିନରେ କମିଶନ ପ୍ରାୟ ୧୪ଟି ଖଣିମାଲିକଙ୍କୁ ସେମାନଙ୍କର ପକ୍ଷ ରଖିବା ପାଇଁ ନୋଟିସ ଜାରି କରିଥିବା ବେଳେ ଆଗାମୀ ତିନି ଚାରି ଦିନ ଅନ୍ୟ ଶତାଧିକ କଂପାନୀକୁ ସେମାନଙ୍କର ପକ୍ଷ ରଖିବା ପାଇଁ ନୋଟିସ ଦେଇଛନ୍ତି ।

ଖଣିଧାରୀମାନଙ୍କ ପକ୍ଷରୁ ଯେଉଁ ବରିଷ୍ଠ ଓକିଲ ପକ୍ଷ ରଖୁଛନ୍ତି ସେମାନଙ୍କ ମଧ୍ୟରେ ପ୍ରମୁଖ ହେଲେ ରାମ ଜେଠ୍ ମଲାନି,ଏ.ବି.ଦିୱାନ,ଗୋପାଳ ଶୁଭ୍ରମନ୍ୟମ୍ ଓ ପିନାକୀ ମିଶ୍ର ।

ଏଠାରେ ଉଲେଖଯୋଗ୍ୟ ଯେ, ବିଭିନ୍ନ ରାଜ୍ୟରେ ଖଣିଦୁର୍ନୀତି ତଦନ୍ତ ପାଇଁ କେନ୍ଦ୍ର ସରକାର ନଭେମ୍ବର ୨୦୧୦ରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏମ୍.ବି.ଶାହା ଙ୍କ ନେତୃତ୍ୱରେ ଏହି କମିଶନ ଗଠନ କରିଛନ୍ତି ।

ଏହି କମିଶନ ଗୋଆ ଏବଂ କର୍ଣ୍ଣାଟକ ଭଳି ଖଣିଜସମ୍ପଦ ଭରପୂର ରାଜ୍ୟ ମାନଙ୍କରେ ତଦନ୍ତ କଲାପରେ ଓଡ଼ିଶାରେ ୨୦୧୧ରୁ ତଦନ୍ତ ଆରମ୍ଭ କରିଛନ୍ତି । ଜ.ଶାହା ନିଜେ କମିଶନ ବିଶେଷଜ୍ଞ ଦଳ ସହ ଡ଼ିସେମ୍ବର୨୦୧୧ରେ ରାଜ୍ୟର ବିଭିନ୍ନ ଖଣି ଅଞ୍ଚଳ ଗସ୍ତ କରିଥିଲେ ।

ଚଳିତ ଗସ୍ତ ଶାହାଙ୍କ ଦ୍ୱିତୀୟଗସ୍ତ ହୋଇଥିବା ବେଳେ କମିଶନ ବିଶେଷଜ୍ଞମାନେ ରାଜ୍ୟକୁ ଗତବର୍ଷ ଅକ୍ଟୋବର ଏବଂ ନଭେମ୍ବରରେ ତଦନ୍ତ ପାଇଁ ଆସିଥିଲେ । କମିଶନଙ୍କର କାର୍ଯ୍ୟକାଳ ୧୬ ଜୁଲାଇ ୨୦୧୨ରେ ଶେଷ ହେଉଥିବାରୁ କେନ୍ଦ୍ର ସରକାର ଆଉ ଏକ ବର୍ଷ ପାଇଁ ଏହା କାର୍ଯ୍ୟକାଳ ବୃଦ୍ଧି କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: କେନ୍ଦ୍ର ସରକାର, ଖଣିଦୁର୍ନୀତି, ଭୁବନେଶ୍ୱର, ଶାହା କମିଶନ

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ସେଲସିୟସ

January 13, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୧୩(ଓଡିଶା ଡଟ୍ କମ୍)-ଶନିବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ସବୁଠୁ କମ ଅର୍ଥାତ ୩ ଡିଗ୍ରୀ ସେଲସିୟସ ରହିଥିବାବେଳେ ବାରିପଦାରେ ୬.୫, ସୁନ୍ଦରଗଡ଼ରେ ୬.୯. କେନ୍ଦୁଝରଗଡ଼ରେ ୭.୭, ବଲାଙ୍ଗୀରରେ ୮.୧, ହୀରାକୁଦରେ ୮.୩, ଝାରସୁଗୁଡ଼ା ଓ ସମ୍ବଲପୁରରେ ୮.୮, କୋରାପୁଟରେ ୯. ଭବାନୀପାଟଣାରେ ୯.୫, ଅନୁଗୋଳରେ ୯.୬ ଡିଗ୍ରୀ ସେଲସିୟସ ରହିଛି ।

phulbani

ଅଧିକାଂଶ ଆଞ୍ଚରେ ପାଗ ଶୁଖିଲା ରହିବା ସହିତ ଉତରା ପବନ ପ୍ରବାହ ଯୋଗୁଁ ଅଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୧୦ଡିଗ୍ରୀ ତଳେ ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର Tagged With: ତାପମାତ୍ରା, ପାଣିପାଗ, ଫୁଲବାଣୀ, ଭୁବନେଶ୍ୱର

ଭୁବନେଶ୍ୱରରେ ସ୍ୱାମୀ ବିବେକାନନ୍ଦ ଜନ୍ମଜୟନ୍ତୀ ଉତ୍ସବ

January 12, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧୨(ଓଡିଶା ଡଟ୍ କମ୍)- ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଭାଷଣ ଦ୍ୱାରା ଏ ଜାତିର ଧର୍ମ ସଂସ୍କୃତି କ’ଣ ତାହା ସାରା ବିଶ୍ୱ ଜାଣିପାରି ଥିଲା,ଏହା କହିଛନ୍ତି ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ତଥା ଶ୍ରୀଜଗନ୍ନାଥ ତତ୍ତ୍ୱ ଗବେଷକ ଡକ୍ଟର କବିପ୍ରସାଦ ମିଶ୍ର ।

ସେଥିପାଇଁ ଆନିବେଶାନ୍ତ କହିଥିଲେ ସ୍ୱାମୀଜୀଙ୍କ ଜରିଆରେ ହିନ୍ଦୁ ଧର୍ମ ପୁନର୍ଜନ୍ମ ଲାଭ କଲା । ବିଶ୍ୱବାସୀଙ୍କୁ ସମସ୍ତଙ୍କ ଇଶ୍ୱର ଏକ ବୋଲି ପ୍ରମାଣ ଦେଇଥିଲେ ସ୍ୱାମୀଜୀ । ସେହିପରି ସେବା କାର୍ଯ୍ୟ ଦ୍ୱାରା ଭାରତର ପୁନରୁତଥାନ ପାଇଁ ସ୍ୱାମୀଜୀ ବେଶ୍ ଉଦ୍ୟମ କରିଥିଲେ ।

ପରୋପକାର ପାଇଁ ଜୀଅଁ, ନଚେତ୍ ତୁମ ଜୀଇଁବା ମୃତ୍ୟୁ ଠାରୁ ମଧ୍ୟ ହୀନ ବୋଲି କହିଥିଲେ ସେ । ଏଣୁ ସେ ଥିଲେ ପ୍ରକୃତରେ ଭାରତ ଓ ଭାରତୀୟତାର ପ୍ରତୀକ ।

ତେବେ ଆମେ ତାଙ୍କ ଆଦର୍ଶକୁ ଭୁଲି ଯାଇଥିବାରୁ ଆଜି ଆମର ଅଧୋଃପତନ ଘଟିଛି” । ସ୍ୱାମୀ ବିବେକାନନ୍ଦ ସାର୍ଦ୍ଧଶତୀ ସମାରୋହ ସମିତି ଦ୍ୱାରାକ୍ୟାପିଟାଲ୍ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ସ୍ୱାମୀଜୀଙ୍କ ୧୫୦ତମ ଜନ୍ମଜୟନ୍ତୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସେ ଏହା କହିଛନ୍ତି ।

ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଚିନ୍ମୟ ମିଶନର ଆଞ୍ଚଳିକ ସଂଯୋଜକ ଶ୍ରୀ ସଦାନନ୍ଦଜୀ ମହାରାଜ ସ୍ୱାମୀଜୀଙ୍କ ବାଣୀ ଉତିଷ୍ଠତ ଜାଗ୍ରତକୁ ସମସ୍ତଙ୍କ ସମ୍ମୁଖରେ ଉଚ୍ଚାରଣ କରି କହିଥିଲେ ଯେ, “ଆମେ ଆଜି ଉଠିଛେ, କିନ୍ତୁ ଜାଗ୍ରତ ହୋଇଛେ କି ନାହିଁ ତାହା ନିଜେ ଚିନ୍ତା କରିବା ଉଚିତ୍ ।

କୂଅ ଭିତରେ ବେଙ୍ଗ ହୋଇ ରହିଲେ ଆମେ କେବେ ସମୁଦ୍ର ଦେଖିପାରିବାନି । ଲକ୍ଷ୍ୟ ସବୁବେଳେ ମାଧ୍ୟମ ଠାରୁ ଉଚ୍ଚା ହେବା ଦରକାର । ଏଣୁ ପରୋପକାର ଜରିଆରେ ଆମ ଜୀବନ ସାର୍ଥକ ହୋଇପାରିବ” । ସଭାରେ ବିଶିଷ୍ଟ ସ୍ତମ୍ଭକାର ତଥା ସମାରୋହ ସମିତିର ପ୍ରାନ୍ତ ଅଧ୍ୟକ୍ଷ କର୍ଣ୍ଣେଲ୍ ଶରତ ମହାପାତ୍ର ସଭାପତିତ୍ୱ କରିଥିଲେ ।

ସ୍ୱାମୀଜୀଙ୍କ ୧୫୦ତମ ଜନ୍ମଜୟନ୍ତୀ ପାଳନ ଅବସରରେ ସ୍ୱାମୀ ବିବେକାନନ୍ଦ ସାର୍ଦ୍ଧଶତୀ ସମାରୋହ ସମିତି ଆନୁକୂଲ୍ୟରେ ଏକ ଶୋଭାଯାତ୍ରା କ୍ୟାପିଟାଲ୍ ହାଇସ୍କୁଲ ପଡିଆରୁ ବାହାରି ଲୋୟର ପିଏମଜି, ମାଷ୍ଟରକ୍ୟାଣ୍ଟିନ୍ ପରିକ୍ରମା କରିଥିଲା ।

ଏଥିରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ସ୍ୱାମୀଜୀଙ୍କ ବେଶରେ ସଜ୍ଜିତ ହୋଇ ସାମିଲ୍ ହୋଇଥିଲେ । ସଭା ଶେଷରେ ସୁନ୍ଦର ବେଶ ପ୍ରତିଯୋଗିତାର କୃତି ବିଦ୍ୟାଳୟଗୁଡିକୁ ପୁରସ୍କୃତ କରାଯାଇ ଥିଲା । ଏଥିସହ ସମାରୋହ ସମିତି ଦ୍ୱାରାବର୍ଷବ୍ୟାପୀ ସ୍ୱାମୀଜୀଙ୍କ ସ୍ମୃତିରେ ହେବାକୁ ଥିବା ବିଭିନ୍ନ ସେବା, ଜନଜାଗରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର Tagged With: ଗବେଷକ, ଜନ୍ମଜୟନ୍ତୀ, ଭୁବନେଶ୍ୱର, ସ୍ୱାମୀ ବିବେକାନନ୍ଦ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 9
  • Go to Next Page »

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା