• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ରଙ୍ଗବତୀ

ରଙ୍ଗବତୀର ମହା ନାୟକ ଓ କେତେକ ବ୍ୟଥା

June 21, 2016 by ନିଉଜ ଡେସ୍କ Leave a Comment

jitendriya-haripal

ରାଜୀବ ସଗରିଆ

I never think of myself as a professional. I am an artist, not a performer. This is a pride, not a profession. It is art, not employment. It is a Dom tradition too. What the people on radio and television call Sambalpuri geet is gaana. The music of the Gaana people, of the Dom people. (ଶ୍ରୀ ଜିତେନ୍ଦ୍ରିୟ ହରିପାଲ, ଦି ହିନ୍ଦୁ- ମଇ ୨୭, ୨୦୦୧ ରବିବାର ସଂସ୍କରଣ- ‘And the singer sings his song’ P Sainath..)

ଚାଲିଶ ବର୍ଷ ତଳର କଥା… ଆକାଶବାଣୀ ସମ୍ବଲପୁର ଜିତେନ୍ଦ୍ରିୟ ହରିପାଲ ଓ କ୍ରିଷ୍ଣା ପଟେଲଙ୍କୁ ନେଇ ଗୋଟିଏ ଗୀତର ରେକର୍ଡ଼ିଂ କଲେ ‘ରଙ୍ଗବତୀ’ । ରେକର୍ଡ଼ିଂ ସରିଲା ପରେ ଗୀତଟି ବିବାଦୀୟ ହୋଇପଡ଼ିଲା ।

ଗୀତଟିରେ ଅନେକ ନିଜ ନିଜର ନାଁ ଯୋଡ଼ିବାକୁ ଚାହିଁଲେ । ଏହି ବିବାଦ ଦୁଇବର୍ଷ ଚାଲିବା ପରେ ୧୯୭୯ ମସିହାରେ ଗୀତଟି ବାଜିଲା । ସେହି ଦିନୁ ଗୀତଟି ତାର ସ୍ଥିତି କି ଲୋକପ୍ରିୟତା ହରେଇ ନାହିଁ ।

ଅନେକ ବାଦବିବାଦ ସତ୍ତ୍ୱେ ଗୀତଟିକୁ ସବୁଠୁ ଉର୍ଦ୍ଧ୍ଵରେ ରଖି ଜନସାଧାରଣ ଏହାର ମାନ ନିର୍ଦ୍ଧାରଣ କରି ସାରିଛନ୍ତି । ରଙ୍ଗବତୀ, ଜିତେନ୍ଦ୍ରିୟ ହରିପାଲ ଓ କ୍ରିଷ୍ଣା ପଟେଲ ସବୁ ବାଦବିବାଦ ଠୁଁ ଉର୍ଦ୍ଧ୍ଵରେ ଜନମାନସର ମଉଡ଼ମଣି ହୋଇ ରହିଆସିଛନ୍ତି ।

ଜିତେନ୍ଦ୍ରିୟ ହରିପାଲଙ୍କୁ କୌଣସି ବିଶେଷଣରେ ବାନ୍ଧିରଖିବା କଷ୍ଟ । ସମ୍ବଲପୁର ରେଳଷ୍ଟେସନର ଗୋଟିଏ ଶୀତରାତି । ଗୋଟିଏ ରେକର୍ଡିଂ ପାଇଁ କଳାକାରମାନେ ଟ୍ରେନକୁ ଅପେକ୍ଷା କରିଥାନ୍ତି । ଜିତେନ୍ଦ୍ରିୟ କହିଲେ ମୋର କାମ ଅଛି ଘରକୁ ଯାଇ ଆସୁଛି ।

ଟ୍ରେନ ଆସିବା ସମୟ ହୋଇନଥାଏ । ସମ୍ବଲପୁର ରେଳ ଷ୍ଟେସନର ଅନତିଦୂରରେ ଥିବା ଗୋଟିଏ ଝୁପୁଡ଼ି ଘରକୁ ଗଲେ । ଯା’ହା କି ଜିତେନ୍ଦ୍ରିୟଙ୍କ ନିଜ ଘର । ଆଜି ବି ସପରିବାର ସେଠାରେ ରହନ୍ତି ।

ସେ ଭିତରକୁ ଯାଇ ଗୋଟିଏ ସାଲ୍(କମ୍ବଳ) ନେଇଆସିଲେ । ଷ୍ଟେସନର ଗୋଟିଏ କୋଣରେ ଶୋଇ ଶୀତରେ ଥରୁଥିବା ଗୋଟିଏ ଭିକାରୀକୁ ଘୋଡ଼ିଦେଲେ । ପୁନଃ ନିଜ ସାଥି କଳାକାରଙ୍କ ନିକଟକୁ ଆସି ଠିଆହେଲେ । କହିଲେନି ଯେ କାହିଁକି ସେ ଘରକୁ ଯାଇଥିଲେ । ଝୁପୁଡ଼ି ଘରେ ରହୁଥିବା ଜିତେନ୍ଦ୍ରିୟ ସେ ସାଲ୍ ଟିକୁ କଟକରୁ କିଣିଥିଲେ ତିନିଶହ ଟଙ୍କାଦେଇ ।

ଏହି ନିର୍ଲିପ୍ତ କଳାକାରଙ୍କ ବାପା କେନ୍ଦୁପତ୍ର ବିଭାଗର କର୍ମଚାରୀ ମାନଧାତା ହରିପାଲ । ଜନ୍ମ ଗୋଟିଏ ଦଳିତ ପରିବାରରେ । ଦଳିତ, ପଶ୍ଚିମ ଓଡ଼ିଶାର ସାମାଜିକ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ମଧ୍ୟ ପୁଞ୍ଜି ଓ ସାମନ୍ତ ରାଜନୀତିର ନିକୃଷ୍ଟ ସ୍ତରରେ ରହିଥିବା ଏକ ନିଷ୍ପେଷିତ ଗୋଷ୍ଠୀ ।

କଥାଟିକୁ ଟିକିଏ ସ୍ପଷ୍ଟ କରାଯାଉ…

ଚାଣକ୍ୟ ‘ଅର୍ଥଶାସ୍ତ୍ର’ କହେ ଇନ୍ଦ୍ରବଣ(ପଶ୍ଚିମ ଓଡ଼ିଶାସୀମାଠୁ ଟିକିଏ ଅଧିକ) ଅଜେୟ କନ୍ଧଭୂମି । ଏହି ଅଜେୟ କନ୍ଧଭୂମି ନିଜର ରାଜନୈତିକ ମୂଲ୍ୟବୋଧକୁ ଗୋଟିଏ ଧାଡ଼ିରେ ବ୍ୟାଖ୍ୟା କରେ… ‘କନ୍ଧ ରଜା, ଡମ ପରଜା’ ।

ଡମ ସମ୍ପ୍ରଦାୟର ମୂଳ ହେଲା ବୟନ ଓ ବାଦନ । ଆଜି ବୟନ ତାର ସ୍ଥିତି ରଖିପାରି ନାହିଁ ଏବଂ ବାଦନ ତାର ସ୍ଥିତି ହରେଇବାକୁ ଯାଉଛି ।

ଊନବିଂଶ ଶତକର ଶେଷଭାଗରେ ଡମଗୋଷ୍ଠୀଙ୍କୁ ଅପରାଧୀ ଗୋଷ୍ଠୀଭାବରେ ସରକାର ଓ ରାଜତନ୍ତ୍ର ଆଇନତଃ ଘୋଷଣା କଲେ । କୌଣସି ଅପରାଧ କି ଚୋରୀ ହେଲେ ଡମପଡ଼ାକୁ ଯାଇ ଘର ଜାଳି ଦେଉଥିଲେ କି ଲୋକଙ୍କୁ ଧରି ମାଡ଼ ଦେଉଥିଲେ ।

ଜୟପୁର ରାଜତନ୍ତ୍ର ବେଠି ବେଗାଡ଼ି ଇତ୍ୟାଦି ନାମରେ ଅନେକ ପ୍ରକାରର କର ଆଦାୟ କରୁଥିଲେ । ଡମ ସମ୍ପ୍ରଦାୟର ଲୋକଙ୍କୁ କୁତିଆ, ବାହାବନ୍ଧା, ବେଠିଆ ଆଦି ନାମରେ ତାଙ୍କର ଶ୍ରମ ଶୋଷଣ କରୁଥିଲେ ।

ସେ ସମୟରେ ରାଜତନ୍ତ୍ରର ମୂଳ ଆୟ ଥିଲା ଚାଷଜମିରୁ । ଜମିର ଅଧିକ ଆୟ କରାଯିବା ଯୋଜନା ତିଆରି କରି ରାଜାମାନେ ବାହାରୁ କୃଷକ ଗୋଷ୍ଠୀଙ୍କୁ ଆଣିଲେ । ସେମାନଙ୍କୁ ବହୁ ମୂଲ୍ୟବାନ ଜମିଦେଇ ଥଇଥାନ କଲେ ।

ଫଳରେ ସ୍ଥାନୀୟ କନ୍ଧମାନେ ଉଦବାସ୍ତୁ ହେଲେ । କନ୍ଧମେଳି କରି ଆନେ୍ଦାଳନ କଲେ । ଏହି ସମୟର କଥା; ଚାଷଜମି ତିଆରି ପାଇଁ ଜଙ୍ଗଲ ସଫା କରାଗଲା । ଜଙ୍ଗଲରୁ ଏକ ବିଶେଷ ଗଛ କ’ଗଛ (ଅର୍ଜ୍ଜୁନ) ମଧ୍ୟ ବହୁସଂଖ୍ୟାରେ କଟାଗଲା ।

ଏହି ଗଛରେ ଏକ ପୋକ ରହୁଥିଲେ । ତା’ର କୋଷରୁ ଏହି ସଂପ୍ରଦାୟର ଲୋକେ ପାଟସୂତା ସଂଗ୍ରହ କରୁଥିଲେ ଯାହା ଆଉ ପରବର୍ତ୍ତୀ ସମୟରେ ସେମାନେ କରି ପାରିଲେ ନାହିଁ ଯଦିଓ  ଏହି ସୂତାରେ ତିଆରି ପାଟବସ୍ତ୍ର ସେ ସମୟରୁ ଆଜିପର୍ଯ୍ୟନ୍ତ ବିଶ୍ୱବଜାରରେ ନିଜର ସ୍ଥିତି କି ଖ୍ୟାତି ହରାଇ ନାହିଁ ।

ଫଳରେ ଏହି ବୃତ୍ତିସହ ଜଡ଼ିତ ସମ୍ପ୍ରଦାୟ ଉଦବାସ୍ତୁ ହୋଇ ଦେଶାନ୍ତର ଗଲେ । ସେହି ସ୍ଥାନକୁ ଗଲେ ଯେଉଁଠି ଏହି ଗଛର ପ୍ରାବଲ୍ୟ ଥିଲା । ଅନ୍ୟକ୍ଷେତ୍ରରେ ସମ୍ବଲପୁର ଜେଲରେ ବିଭିନ୍ନ ଆଳରେ ଡମମାନଙ୍କୁ ରଖାଗଲା ।

‘ଆସାମ ଟି ବୋର୍ଡ଼’ ନାମରେ ଏକ କାର୍ଯ୍ୟାଳୟ ସମ୍ବଲପୁରରେ ସ୍ଥାପନ କରାଗଲା । ଆସାମ ଟି ବୋର୍ଡ଼ କାର୍ଯ୍ୟାଳୟରୁ ଏହି ଦଳିତ ଡମ କଏଦୀମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସପରିବାର ଆସାମ ନିଆଗଲା । ଯେଉଁମାନେ ଆସାମ ଚା ବଗିଚାରେ ବେଠି ଖଟିଲେ ।…(କିଶୋର ମେହେରଙ୍କ ଗବେଷଣା ସନ୍ଦର୍ଭ)

ଏହାର ପୂର୍ବକାହାଣୀ ଏହିପରି; ଡମ ପରିବାରର ଉପସ୍ଥିତି ବିନା ଗାଁରେ କୌଣସି ଶୁଭକାର୍ଯ୍ୟ ହୋଇପାରୁନଥିଲା । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ; ଜାନିଯାତ୍ରା କି ନ୍ୟାୟନିଶାପ ବେଳେ ବିନା ଡମରେ କାମ ହେଉନଥିଲା ।

ସୁତରାଂ ସଂସ୍କୃତିର ପୁରା ଦାୟିତ୍ୱ ଡମ ସମ୍ପ୍ରଦାୟ କାନ୍ଧରେ ନ୍ୟସ୍ତ ଥିଲା । ଏମାନେ କାହିଁକି ଓ କିପରି ଦଳିତ ହେଲେ, ଏହା ଗବେଷଣାସାପେକ୍ଷ ।

ଏହିପରି ଏକ ଦଳିତ ପରିବାରରେ ଜିତେନ୍ଦ୍ରିୟଙ୍କ ଜନ୍ମ । ସେହିପରି ରଙ୍ଗବତୀ ମିତ୍ରଭାନୁ ଗୌନ୍ତିଆଙ୍କ ଦ୍ୱାରା ଲିଖିତ ତିନୋଟି ଗୀତ ମଧ୍ୟରୁ ଅନ୍ୟତମ ଯାହାକୁ ୧୯୭୭ ମସିହାରେ ସମ୍ବଲପୁର ରେଡ଼ିଓ ଷ୍ଟେସନର ‘କୁରେଫୁଲ ଝୁମ୍ଫା’ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ କରିଥିଲେ ।

ଯାହାକୁ ଫକିର ପଟ୍ଟନାୟକ ଓ କମଳକୁମାରୀ ବେହେରା ଗାଇବାର ଥିଲା । କୌଣସି ବ୍ୟକ୍ତିଗତ ସମସ୍ୟା ଯୋଗୁଁ ଏହି ଗୀତକୁ ଜିତେନ୍ଦ୍ରିୟ ଓ କ୍ରିଷ୍ଣା ପଟେଲ ଗାଇଲେ ।

କଲିକତାର INDRECO କମ୍ପାନୀ ଏହି ଗୀତର ରେକର୍ଡ଼ିଂ କଲା ।ଗୀତଟି ସୀମା ସରହଦ ଡେଇଁ ଭାଷା ସଂସ୍କୃତି ଓ ବୟସ ଊଦ୍ଧ୍ୱର୍ରେ ନିଜ ଖ୍ୟାତିର ଜୟଯାତ୍ରା ବଜାୟ ରଖିଲା । ରଙ୍ଗବତୀ, ଜିତେନ୍ଦ୍ରିୟ ଓ କ୍ରିଷ୍ଣା ପଟେଲ ଜନମାନସର ମଉଡ଼ମଣି ହୋଇଗଲେ ।

ଅଶି ଦଶକରେ ରଙ୍ଗବତୀର ରେକର୍ଡ଼ ପ୍ଲେଟ ଲକ୍ଷ ଲକ୍ଷ ସଂଖ୍ୟାରେ ବିକ୍ରି ହେଲା । ଇନେର୍କୋ କମ୍ପାନୀ ଏହାର ବଜାର ପାଇଁ ଗ୍ରାମଫୋନ କମ୍ପାନୀକୁ ଦେଇଦେଲା ଓ କମ୍ପାନୀଟି ବନ୍ଦ ହୋଇଗଲା ।

ଦଶ,ପନ୍ଦର ବର୍ଷର ଏହି କମ୍ପାନୀ ଇତିହାସ ବଦଳି ସାରିଥିଲା । ସେ ସମୟରେ ଏହି କମ୍ପାନୀ ଜିତେନ୍ଦ୍ରିୟଙ୍କ ସହ ଦଶବର୍ଷର ଚୁକ୍ତି କରିସାରିଥିଲା । ଫଳରେ ଜିତେନ୍ଦ୍ରିୟ ଚାହିଁଲେ ବି ଅନ୍ୟ କମ୍ପାନୀରେ ଗାଇ ପାରିଲେ ନାହିଁ କି ନିଜର ଅନ୍ୟ ଗୀତ କେଉଁଠି ରେକର୍ଡ଼ କରିପାରିଲେ ନାହିଁ ।

ଜଣେ ଗାୟକର ଗୀତ ସୀମା ସରହଦ ଡେଇଁ ସାରି ବିଖ୍ୟାତ ହୋଇଯାଉଥିବାବେଳେ ଗାୟକଜଣକ ବନ୍ଧା ହୋଇ ରହିଲେ । କମ୍ପାନୀମାଲିକର ବିବେକ ବି କେବେ କହିଲା ନାହିଁ ଯେ ଜିତେନ୍ଦ୍ରିୟ କୌଣସି ବ୍ରାଣ୍ଡକୁ ଅପେକ୍ଷା କରେ ନାହିଁ ।

ସେ ଜନମାନସର କଳାକାର । ଡମଜାତି ପାଇଁ ଏହା ନୂଆକଥା ନୁହେଁ । ଗଣା ବା ଡମ ସମ୍ପ୍ରଦାୟର ଲୋକଙ୍କୁ ବହାବନ୍ଧା ରଖୁଥିଲେ । କୌଣସି ମୂଲ୍ୟ ପ୍ରତିବଦଳରେ ମାଲିକ ଜଣେ ଡମ ଲୋକକୁ ବାହାବନ୍ଧା ରଖିବ କିଛିବର୍ଷ ପାଇଁ ବା ତା’ର ଶ୍ରମକୁ ବ୍ୟବହାର କରିପାରୁଥିବା ପର୍ଯ୍ୟନ୍ତ ।

ବାହା ବା ବାହୁ ଶ୍ରମଶକ୍ତିର ପ୍ରତୀକ । ସୁତରାଂ ସମସ୍ତ ଶ୍ରମ ମାଲିକପାଇଁ ଉତ୍ସର୍ଗ ହେବ କେବଳ । ଜିତେନ୍ଦ୍ରିୟ ବି ବାହାବନ୍ଧା ରହିଲେ । ଜିତେନ୍ଦ୍ରିୟଙ୍କ ପୈତୃକ ଘର ଭାଙ୍ଗିଗଲା । ବହୁ କଷ୍ଟରେ ସେ ନିଜର ଗୋଟିଏ ଝୁପୁଡ଼ିଘର ତିଆରି କଲେ ।

ସେ ରହିଗଲେ ସମ୍ବଲପୁର ରେଳ ଷ୍ଟେସନ ନିକଟ ସେହି ଝୁପୁଡ଼ି ଘରେ । ସ୍ତ୍ରୀ ମଲ୍ଲୀକା, ତିନି ଝିଅ ଓ ତିନି ପୁଅର ସଂସାର ନେଇ ଚଳିଲେ । ପାରଶ, ପ୍ରତାପ ଓ ପ୍ରଭାତ ତିନିପୁଅ; ତିନି ଝିଅଙ୍କ ମଧ୍ୟରେ ଚନ୍ଦ୍ରିକା, ପ୍ରତିଭା ଓ ପୁନମ ।

କମ୍ପାନୀ ବନ୍ଦ ହୋଇଗଲା, ପୈତୃକ ଘର ଭାଙ୍ଗିଗଲା; ବାହାବନ୍ଧାରୁ ଜିତେନ୍ଦ୍ରିୟ ମୁକୁଳିଲେ ସିନା ହେଲେ ନିଃସ୍ୱ ହେଇଯିବା ସାର ହେଲା । କାରଣ ବହୁ ବଡ଼ ବଡ଼ କମ୍ପାନୀ ତାଙ୍କୁ ଆମନ୍ତ୍ରଣ କରୁଥିଲେ । କିନ୍ତୁ INDRECO ସାଥିରେ ଅନୁବନ୍ଧିତ ଥିବା ଯୋଗୁଁ ସେ କୌଣସି ବି କମ୍ପାନୀର ଆମନ୍ତ୍ରଣକୁ ସ୍ୱୀକାର କରି ପାରୁନଥିଲେ ।

ରାଜା ନିଜର ଭବ୍ୟ ପ୍ରାସାଦ ନିର୍ମାଣ ପରେ ଶିଳ୍ପୀର ଆଙ୍ଗୁଠି କାଟିବାର ଦଣ୍ଡ ହୋଇଗଲା ଜିତେନ୍ଦ୍ରିୟଙ୍କୁ । ଦୀର୍ଘ ଦଶବର୍ଷର ଅସ୍ୱୀକାର ତାଙ୍କୁ ସଂଗୀତ ବଜାରଠୁ ଦୂରରେ ରଖିଦେଲା । INDRECO ୧୯୮୯ ମସିହାରେ ଗୋଟିଏ ଶ୍ରମିକ ଆନେ୍ଦାଳନର ସମ୍ମୁଖୀନ ହୋଇ ବନ୍ଦ ହୋଇଗଲା ।

କମ୍ପାନୀ ସହ ଦଶବର୍ଷର ଚୁକ୍ତି ସମାପ୍ତ ହୋଇଯାଇଥିଲା । ଏହି ସମୟରେ ଜିତେନ୍ଦ୍ରିୟଙ୍କ ରୟାଲଟି ଟଙ୍କା କମ୍ପାନୀ ଦେଇଦେବା କଥା । କାରଣ କମ୍ପାନୀ ବନ୍ଦ ହେଉ କି ନହେଉ; ଅନେକ ଲକ୍ଷ ରେକର୍ଡ଼ର ପ୍ଲେଟ ବିକିଥିବାର ରୟାଲଟି ଅଧିକାର ଜିତେନ୍ଦ୍ରିୟଙ୍କ ଅଛି ନିଶ୍ଚୟ ।

ଜନମାନସରେ ରଙ୍ଗବତୀ ଓ ଜିତେନ୍ଦ୍ରିୟଙ୍କ ସମ୍ପର୍କ ପ୍ରେମିକ ପ୍ରେମିକାର ହୋଇଯାଇଥିଲା ଯେପରି । ଜିତେନ୍ଦ୍ରିୟଙ୍କୁ ରଙ୍ଗବତୀ ହିଁ ଅସ୍ତିତ୍ୱ ଦେଇ ରଖିଲା ପରବର୍ତ୍ତୀ ସମୟମାନଙ୍କରେ । ଅନେକ କାର୍ଯ୍ୟକ୍ରମର ଆମନ୍ତ୍ରଣ ତାଙ୍କୁ ମିଳୁଥିଲା ବୋଲି ସେ ନିଜର ସ୍ଥିତି ବଜାୟ ରଖିପାରିଲେ, ପରିବାରକୁ ବହୁକଷ୍ଟରେ ପ୍ରତିପାଳିତ କରି ପାରିଲେ ।

ରଙ୍ଗବତୀ ଗୀତ ତାର ଖ୍ୟାତି ହରାଉନଥାଏ । ରଙ୍ଗବତୀ ହିଁ ଭାରତର ପ୍ରଥମ ଗୀତ ଯାହା ୧୯୭୯-୮୦ରେ ବିବିସି ଏବଂ ଭଏସ୍ ଅଫ୍ ଆମେରିକା ବେତାରକେନ୍ଦ୍ରରୁ ପ୍ରସାରିତ ହୋଇଥିଲା । ଯା’ ଘରେ ଗ୍ରାମଫୋନ କି ରେକର୍ଡ଼ ପ୍ଲେୟାର ଅଛି, ତା’ ନିକଟରେ ଯଦି ରଙ୍ଗବତୀ ପ୍ଲେଟ ନାହିଁ ତା’ହେଲେ ସେ ଗୀତ ଶୁଣେନି ।

ଟ୍ରକ ଡ୍ରାଇଭର କି ଚା ଦୋକାନରେ ରଙ୍ଗବତୀ ରହିବା ନିଶ୍ଚିତ । ପରେ ଆସିଲା ଅଡ଼ିଓ କ୍ୟାସେଟର ଯୁଗ । ସେ ସମୟରେ ବି କୌଣସି ଫରକ ପଡ଼ିଲା ନାହିଁ ରଙ୍ଗବତୀର ଲୋକପ୍ରିୟତା ଉପରେ । ଅନେକ ପାଇରଟେଡ଼ କ୍ୟାସେଟ ବଜାରକୁ ଆସିଲା ରଙ୍ଗବତୀର ।

ବାହାଘରେ ରଙ୍ଗବତୀ ଗୀତ ବାଜିବା ଜରୁରୀ । ଛତିଶଗଡ଼ କି ଅନ୍ୟ ରାଜ୍ୟର ବାଜା କି ବରାତ ବୁଲିଲା ବେଳେ ବି ରଙ୍ଗବତୀ ବାଜିବ ନିଶ୍ଚୟ । ଓଡ଼ିଶାକୁ ଅନ୍ୟରାଜ୍ୟର ଲୋକେ ରଙ୍ଗବତୀ ଯୋଗୁଁ ହିଁ ଚିହ୍ନିବାର ଗୋଟିଏ ମାଧ୍ୟମ କରିସାରିଥିଲେ । ନାଭାଲ ଓ ଆର୍ମି କ୍ୟାମ୍ପମାନଙ୍କରେ ପଶ୍ଚିମ ଓଡ଼ିଶାର ଯବାନମାନେ ରଙ୍ଗବତୀର ଜନ୍ମଦିନ ମନାନ୍ତି ।

ଏକଦା ଅନେକଥର ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ କଳାକାର ଶ୍ରୀ ସାଧୁ ମେହେରଙ୍କ ସହ ରହିବାର ସୁଯୋଗ ମିଳିଥିଲା । ସେତେବେଳେ ଶ୍ରୀଯୁକ୍ତ ମେହେର ଗୋଟିଏ ସାକ୍ଷାତକାର ଦେବାକୁ ଯାଇ କହିଥିଲେ ରଙ୍ଗବତୀକୁ ଦକ୍ଷିଣର ଅନେକ ଫିଲ୍ମ ଗୀତରେ ଅନୁକରଣ କରାଯାଇଛି ।

ଯାହାର ସଂଖ୍ୟା ଦୁଇହଜାରରୁ ଅଧିକ ହେବ । ରାଷ୍ଟ୍ରୀୟ କି ଅନ୍ତଃରାଷ୍ଟ୍ରୀୟ ସ୍ତରର କୌଣସି ମନୋରଞ୍ଜନଧର୍ମୀ ଗୀତ ଏତେ ଲୋକପ୍ରିୟତା ପାଇଥିବାର ଉଦାହରଣ ନଥିଲା ସେତେବେଳେ ।

ଆଜିବି ଏହି ଲୋକପ୍ରିୟତା କମି ନାହିଁ କି ବଜାର ଯୁଗରେ ରଙ୍ଗବତୀକୁ ଟପିବା ପରି କୌଣସି ଗୀତ ବଜାରକୁ ଆସିପାରି ନାହିଁ । ରଙ୍ଗବତୀ ଗୀତକୁ ବାହାଘରେ ଗାଇବେ, ରେକର୍ଡ଼ ବାଜିଲେ ନାଚିବେ, ବେଣ୍ଡପାର୍ଟି ବଜେଇବେ, ଫିଲ୍ମଗୀତମାନଙ୍କରେ କପି କରାଯିବ, ସୋନା ମହାପାତ୍ର ଗାଇବେ ଏଇଟା ସାଧାରଣ କଥା ।

ଗତବର୍ଷ କୋକ ଷ୍ଟୁଡ଼ିଓରେ ରଙ୍ଗବତୀର ରିମେକ ଏମଟିଭିରେ ପ୍ରସାରିତ ହେଲା । ବହୁ ଲୋକପ୍ରିୟତା ଓ ବିବାଦ ଦେଖାଦେଲା । ପଶ୍ଚିମଓଡ଼ିଶାରୁ ବିରୋଧର ତୀବ୍ରସ୍ୱର ଉଠିଲା । ଏହି ସ୍ୱର ଭାରତର ଅନେକ ପ୍ରାନ୍ତରୁ ଶୁଣାଗଲା ।

ଏପରିକି ଜିତେନ୍ଦ୍ରିୟ ହରିପାଲ ମଧ୍ୟ ଏହାକୁ ବିରୋଧ କଲେ । ଏହାକୁ ବିକୃତ କରି ଗାଇଛନ୍ତି ଏବଂ ଗାଇବା ପୂର୍ବରୁ କୌଣସି ଅନୁମତି ନେଇ ନାହାନ୍ତି । କିନ୍ତୁ ଉତ୍ତର ଥିଲା ବେଶ ହେୟ କଲାପରି । ଯେ ରଙ୍ଗବତୀକୁ ଗାଇ ତାର ଲୋକପ୍ରିୟତା ବଢ଼େଇଛନ୍ତି । ଏହା ସେତେ ସତ ନୁହେଁ ଯେପରି କୁହାଗଲା ।

କାରଣ ସୋନା ମହାପାତ୍ର ନିଶ୍ଚିତଭାବେ ଜଣେ ଖ୍ୟାତିପ୍ରାପ୍ତ କଳାକାର । ସେ ରଙ୍ଗବତୀ ଗାଇ ନିଜର ଖ୍ୟାତିକୁ ଆହୁରି ବଢ଼େଇ ପାରିଲେ କେବଳ । ଏହି ମାମଲା କୋର୍ଟ ପର୍ଯ୍ୟନ୍ତ ବି ଯାଇଛି । ଯାହା ବର୍ତ୍ତମାନ ବିଚାରାଧିନ ।

ଜିତେନ୍ଦ୍ରିୟ ହରିପାଲ ସମ୍ବଲପୁରର ଜଣେ ନାମଜାଦା ବକ୍ସର ଥିଲେ । ଜଗ୍ଗୁ ଦା’ ସେ ସମୟର ଏକ ପରିଚିତ ନାମ । ସେ କୌଣସି ସଂଗୀତ ଶିକ୍ଷା କରି ନାହାନ୍ତି । ଘରେ ସମ୍ପନ୍ନତା ଥିଲା । ଜିତେନ୍ଦ୍ରିୟ ବାପାଙ୍କଠୁ ଯାହା ଶିଖିଥିଲେ । ଗଣା ପିଲା; ରକ୍ତରେ ତାଙ୍କର ସଂଗୀତ ରହେ । ତାଙ୍କର ସଙ୍ଗୀତ ସାଧନା ଥିଲା ଏକାନ୍ତ ପାରମ୍ପାରିକ ।

ସେ ରଙ୍ଗବତୀ ଗାଇ ଲୋକପ୍ରିୟତା ପାଇଲେ ଏହା ନିରାଟ ସତକଥା । କିନ୍ତୁ ଏତେ ଲୋକପ୍ରିୟତା ସତ୍ତ୍ୱେ ତାଙ୍କୁ ଜଣେ ସଂଗୀତଜ୍ଞ ଭାବରେ ସ୍ୱୀକାର କରାଗଲା ନାହିଁ । ସେ କୌଣସି ସଙ୍ଗୀତ ସଭାକୁ ଗଲେ ନାହିଁ, ପ୍ରକାରାନ୍ତେ ଡକାଗଲା ନାହିଁ । ସେ ଦଳିତ ବୋଲି…?

ଏହାର ଉତ୍ତର ଦିଅନ୍ତି ଜିତେନ୍ଦ୍ରିୟ, ଗଣାର ରକ୍ତରେ ସଂଗୀତ ରହେ । ଗଣାବଜା ସମସ୍ତଙ୍କୁ ମୋହିତ କରେ । ଗଣାବଜାକୁ ସମସ୍ତେ ଭଲ ପା’ନ୍ତି, ଗଣା ଲୋକଙ୍କୁ ନୁହେଁ । ଗଣାବଜାର ଲୋକପ୍ରିୟତା ସମସ୍ତେ ବୁଝନ୍ତି । ଏହାର ବ୍ୟବସାୟିକ ଦିଗଉପରେ ଏବେ ଅନେକ ସଚେତ ହେଲେଣି ।

ଡମବଜା ବା ଗଣାବଜାକୁ ଅପହରଣ କରିବାର ଚକ୍ରାନ୍ତ ଚାଲିଛି । ଏହାକୁ ସୁନ୍ଦରଭାବରେ କହନ୍ତି ଜିତେନ୍ଦ୍ରିୟ… ‘ପଂଚବାଦ୍ୟ’ ଓ ‘ଦୁଲଦୁଲି’ ନାମ ଦିଆ ଯାଉଛି ଏବଂ ଏହାକୁ ସାର୍ବଜନୀନ କରିବାର ଚକ୍ରାନ୍ତ କରାଯାଉଛି ।

ଜଣେ ସାଧାରଣ ଜାତିର ଶିକ୍ଷିତ ଢ଼ୁଲିଆ ଆଉ ଜଣେ ଅଶିକ୍ଷିତ ଗଣା ବା ଡମ ଢୁଲିଆକୁ ଯଦି ତୁଳନା କରାଯାଏ; ଏହାର ତଫାତ୍ ଆକାଶ ପାତାଳ ରହିବ । କାରଣ ଜଣେ ଅଶିକ୍ଷିତ ଗଣା ଢୁଲିଆ ସବୁବେଳେ ଢୋଲରେ ମହର୍ଷି ହିଁ ହୋଇଥାଏ । ପ୍ରକୃତରେ ଏହା ‘ଗଣାବଜା’ ।

ଏହାଛଡ଼ା ଏହାର ଅନ୍ୟନାମ ଦିଆଯିବା ଅନୁଚିତ । ‘ବୟନ’ ଶତାବ୍ଦୀ ପୂର୍ବରୁ ଅପହରଣ ହୋଇସାରିଛି । ଏବେ ‘ବାଦନ’କୁ ଅପହରଣ କରିବାର କୌଶଳ ଚାଲୁଛି । କିନ୍ତୁ ଗଣା ସମ୍ପ୍ରଦାୟ ଏଥିପ୍ରତି ସଚେତ କି?

୨୦୧୨ ମସିହାରେ ବଲାଙ୍ଗିର ଜିଲ୍ଲା ଲାଠୋର ଗାଁର ଗଣାବସ୍ତିକୁ ସବର୍ଣ୍ଣମାନେ ଜାଳିଦେଲେ । ଏସମୟରେ ଗୋଟିଏ ଉଦାହରଣ ସାମ୍ନାକୁ ଆସିଲା । ନିଜର ଜାତି ଏବଂ ପରମ୍ପରାକୁ ପ୍ରତିଷ୍ଠା ଦେବାକୁ ଗଣାଅସ୍ମିତା ଜାଗରଣ ପାଇଁ ଅନେକ କାର୍ଯ୍ୟକ୍ରମ ନିରନ୍ତର ଚାଲିଲା ।

ଯେଉଁ କାର୍ଯ୍ୟକ୍ରମମାନ ଗୋଟିଏ ନିଷ୍ପେଷିତ ଜାତିପାଇଁ ଅତ୍ୟନ୍ତ ଆବଶ୍ୟକ । ଏହି ଆନ୍ଦୋଳନ ଗୋଟିଏ ଭୁଲ କଲା ଯେ ଗଣାବାଜାକୁ ଅସ୍ୱୀକାର କଲା । ଏହି ଭୁଲ ନିଷ୍ପତ୍ତିର ସୁଅବସରକୁ ସବର୍ଣ୍ଣମାନେ ଠିକ ଠିକ ବ୍ୟବହାର କଲେ ।

ଯାହାକୁ ସବର୍ଣ୍ଣ ଯୁବକମାନେ ଗଣାବଜା ବାହାଘରମାନଙ୍କରେ ବଜାଇଲେ, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କଲେ । ବିଗଣା ଜାତିର ଲୋକେ ଗଣାବାଜା କୌଣସି ଅନୁଷ୍ଠାନରେ ବଜାଇଲାବେଳେ ମହୁରୀ ପ୍ରତି ବଦଳରେ ଅରଗାନ ଅଥବା ଅନ୍ୟ ବୈଦୁ୍ୟତିକ ବାଦ୍ୟଯନ୍ତ୍ର ବ୍ୟବହାର କରିଥାନ୍ତି ।

ସେଥିରେ ଗଣାବଜାର ମୌଳିକତା ନଷ୍ଟ ହୋଇଥାଏ । ବର୍ତ୍ତମାନ କେତେକ ସ୍ୱେଚ୍ଛାସେବୀ ଗଣା ସମ୍ପ୍ରଦାୟର ଯୁବକ ଗାଁକୁ ଗାଁ ଯାଇ ଗଣାବଜାର ପୁନଃ ସଙ୍ଗଠନ ପାଇଁ ପ୍ରୟାସ କରୁଛନ୍ତି । ହୁଏତ ସମୟ ଓ ଅର୍ଥ ଅଭାବରୁ ଏହା ସେତେ କ୍ଷୀପ୍ର ହୋଇପାରି ନାହିଁ । କିନ୍ତୁ ପ୍ରୟାସ ଯେ ମହତ୍, ଏହା ସ୍ୱୀକାର୍ଯ୍ୟ ।

ଅନ୍ତଃରାଷ୍ଟ୍ରୀୟ ଖ୍ୟାତି ଓ ପୁରସ୍କାରପ୍ରାପ୍ତ ଚଲଚ୍ଚିତ୍ର ‘ଭୂଖା’ରେ ଏହି ସମ୍ପ୍ରଦାୟର କଥା କୁହାଯାଇଛି । ଜାତିପ୍ରଥା ନିକଟରେ ହୃଦୟର ଆବେଗ ବି ତାର ସୀମା ରଖିବାକୁ ବାଧ୍ୟ ହୋଇଥାଏ । କିନ୍ତୁ କଳାକାର ସବୁବେଳେ କଳାକାର ହିଁ ଥାଏ ।

ଜିତେନ୍ଦ୍ରିୟ ନିଜେ ଅନେକ ପ୍ରାଚୀନ ପାରମ୍ପାରିକ ଗୀତକୁ ସଂଗୀତ ଦେଇଛନ୍ତି । ଗୋଟିଏ ଉଦାହରଣ ନିଆଯାଇପାରେ । ମାଳାଶ୍ରୀ ଏକ ପାରମ୍ପାରିକ ଓ ସାଂସ୍କୃତିକ ଗୀତ । ଏହାକୁ ଲିରିକ ଦିଆଯାଇ ନ ଥିଲା । ପ୍ରାଚୀନ ପରମ୍ପରାକୁ ମାନ୍ୟତାଦେଇ ଯେଉଁ ଦେବୀଙ୍କ ପୂଜା ହୁଏ ସେଠାରେ ମାଳାଶ୍ରୀ ଗାଇବା ନିତାନ୍ତ ଆବଶ୍ୟକ ।

ମନ୍ତ୍ରସମୂହ ନୁହେଁ ପଶ୍ଚିମ ଓଡ଼ିଶାରେ ଜନସମୂହ (ଅନେକ ସମ୍ପ୍ରଦାୟର) ନିଜ ନିଜର ନୈଷ୍ଠିକ ସେବା ଦେଇ ଗୋଟିଏ ଦୈବୀ ଅନୁଷ୍ଠାନକୁ ପୂର୍ଣ୍ଣ କରିଥାନ୍ତି । ଏହି ପରମ୍ପରା ହିନ୍ଦୁଧର୍ମର କୌଣସି ପ୍ରଖ୍ୟାତ ପୀଠମାନଙ୍କରେ ଦେଖାଯାଏ ନାହିଁ ଜଗନ୍ନାଥ ଓ ପଶ୍ଚିମ ଓଡ଼ିଶାର ଦେବୀପୀଠମାନଙ୍କୁ ଛାଡ଼ିଦେଲେ । ଯେଉଁଥିରେ ଗାୟକ ଓ ବାଦକ ବି ଥାନ୍ତି ।

କିନ୍ତୁ ଜଗନ୍ନାଥ ମନ୍ଦିର ଛଡ଼ା ଅନ୍ୟସବୁ ଅବ୍ରାହ୍ମଣ ସେବାକୁ ପାରମ୍ପାରିକ ସ୍ୱୀକୃତି ମିଳିଛି । ଯାହାକୁ ଛୋଟ ଗିନିରେ ଶବ୍ଦକରି ବା କୁଲାରେ ଧାନ ଗଡ଼େଇ ଗାନ କରାଯାଇଥାଏ । ଗଣାବଜାରେ ଜିତେନ୍ଦ୍ରିୟ ଏହାକୁ ସୁନ୍ଦର ସଂଯୋଜନା କରିଛନ୍ତି ।

ଯେପରି ରଙ୍ଗବତୀକୁ ରାଗ ‘ଲତା’ରେ ଗାଇଛନ୍ତି । ନିଜର ମୌଳିକ ଗାୟନ ଶୈଳୀ ଜିତେନ୍ଦ୍ରିୟଙ୍କୁ ଆଜିବି ସ୍ୱତନ୍ତ୍ର କରି ରଖିଛି । ସେହି ଶୈଳୀକୁ କେହି ଆଜି ପର୍ଯ୍ୟନ୍ତ ଅନୁକରଣ ବି କରି ପାରିନାହାନ୍ତି । ହୁଏତ ସଂଖ୍ୟା ଦୃଷ୍ଟିରୁ କମ ହୋଇପାରେ, କିନ୍ତୁ ସମ୍ବଲପୁରୀ ଗୀତରେ ଜିତେନ୍ଦ୍ରିୟ-ଶୈଳୀକୁ ଯିଏ ବି ଦେଖିପାରିବ ।

ଏହି ଶୈଳୀର ବୈଜ୍ଞାନିକ ବିଶ୍ଲେଷଣ ନିତାନ୍ତ ଆବଶ୍ୟକ ମନେହୁଏ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଜିତେନ୍ଦ୍ରିୟ ଶୈଳୀକୁ ସମସ୍ତେ ଜାଣନ୍ତି । ତାଙ୍କର ଗାୟକୀର ମୌଳିକତାକୁ ସମସ୍ତେ ସ୍ୱୀକାର କରନ୍ତି । ଏହା ସତକଥା ଯେ ସଙ୍ଗୀତନାଟକ ଏକାଡ଼େମୀ ସମ୍ବଲପୁରୀ ଗୀତକୁ କୌଣସି ମାନ୍ୟତା ଦେଇ ନାହିଁ ।

ସମ୍ବଲପୁର ରେଡ଼ିଓ ବ୍ୟତୀତ ଅନ୍ୟ କେହି ସମ୍ବଲପୁରୀ ଗୀତକୁ ସେତେ ପ୍ରାଧାନ୍ୟ ବି ଦେଇ ନାହାନ୍ତି । କିନ୍ତୁ ସମ୍ବଲପୁରୀ ଗୀତର ଶାସ୍ତ୍ରୀୟତା, ସ୍ୱାତନ୍ତ୍ର୍ୟତା ଏବଂ ଏହାର ଉଚ୍ଚତର ଗାୟନ -ଶୈଳୀମାନଙ୍କୁ ବ୍ୟାଖ୍ୟା ହୋଇନାହିଁ । ଏହାର ସିଲାବସ ପ୍ରସ୍ତୁତ ହୋଇ ନାହିଁ । ସ୍ୱତନ୍ତ୍ର କୋଶଲି ଭାଷାପାଇଁ ଆନ୍ଦୋଳନ ଚାଲୁଅଛି ।

ସ୍ୱତନ୍ତ୍ର କୋଶଲ ରାଜ୍ୟର ଦାବୀ ମଧ୍ୟ ଉଠିଲାଣି, କିନ୍ତୁ ସାଂସ୍କୃତିକ ଆନ୍ଦୋଳନ ହୋଇନାହିଁ । ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ସମ୍ବଲପୁରୀ ଗୀତ ଓ ସଂଗୀତ ଭିତରେ ଶାସ୍ତ୍ରୀୟତାର ଅନ୍ୱେଷଣ କରିନାହିଁ । ଏହା ହିଁ ପରିତାପର ବିଷୟ ।

ଏହି ପରିସ୍ଥିତିରେ ଜିତେନ୍ଦ୍ରିୟ ଶୈଳୀଉପରେ ଗବେଷଣା କଥା ଭାବିବା ବି ଏକପ୍ରକାର ଅତିରଞ୍ଜିତ ବ୍ୟାଖ୍ୟା ବୋଲି ଧରାଯିବ । ପରିତାପର ବିଷୟ ଏହି ଯେ ଜଣେ ମହାନାୟକକୁ ଓଡ଼ିଶା ସବୁବେଳେ ଅସ୍ୱୀକାର ଓ ଅବହେଳା ହିଁ କରି ଆସିଅଛି । ଏଥିପାଇଁ ଓଡ଼ିଶା ସାଂସ୍କୃତିକ ଇତିହାସ ଭବିଷ୍ୟତରେ ନିନ୍ଦିତ ହେବ -ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ।

ସଙ୍ଗୀତ ପଶ୍ଚିମ ଓଡ଼ିଶାର ଲୋକଙ୍କ ସମଗ୍ର ସାମାଜିକ ସତ୍ତାକୁ ଛାଇଯାଇଛି । ବିନା ସଙ୍ଗୀତରେ କୌଣସି କାମ ହୁଏ ନାହିଁ । ସାମାଜିକ କାମରେ, ଜନ୍ମରେ, ବିବାହରେ, ମୃତ୍ୟୁରେ ବି ସଙ୍ଗୀତ ଓ ଗଣାବଜାର ଆବଶ୍ୟକତା ରହିଥାଏ । ଗାଁ ଦେବୀ ବିନା ଗଣାବଜାରେ ପୂଜା ପାଆନ୍ତି ନାହିଁ ।

ଚାଷ କଲେ ହଳିଆ ଗୀତ, ଆଈମା କାହାଣୀରେ ଗୀତ, ଜଙ୍ଗଲରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ବେଳେ ଗୀତ । ଏପରି ଅନେକ ପାରମ୍ପାରିକ ଗୀତର ସଂଯୋଜନା କରି ତାକୁ ଗଣାବଜାରେ ଢାଳିଛନ୍ତି ଜିତେନ୍ଦ୍ରିୟ ହରିପାଲ ।

ସେ ସମସ୍ତ ପ୍ରାଚୀନ ରାଗରେ ଗୀତ ଗାଇପାରନ୍ତି- ଏହା ହେଲା ତାଙ୍କର ନୈସର୍ଗିକ ସ୍ୱତନ୍ତ୍ରତା ।

ସୋନା ମହାପାତ୍ରଙ୍କ ରଙ୍ଗବତୀ ଗାଇବା; ଜିତେନ୍ଦ୍ରିୟଙ୍କ ବ୍ୟକ୍ତିତ୍ୱ ନିକଟରେ ନଗଣ୍ୟ ହୋଇପଡ଼େ । ଏହି ବିବାଦ ଅନେକ ପ୍ରକାଶ୍ୟ ତଥ୍ୟକୁ ସ୍ପଷ୍ଟ କରିଦେଲା । ଏମ୍ଟିଭିରେ ପ୍ରଚାରିତ ରଙ୍ଗବତୀ ସହ ସଦ୍ୟ ଗୋଟିଏ ରାଷ୍ଟ୍ରୀୟ ଘରୋଇ ଚ୍ୟାନେଲରୁ ଶୀର୍ଷ ଘୋଷିତ ଗାୟକ ଋତୁରାଜ ମହାନ୍ତି ‘ବନେ୍ଦ ଉକ୍ରଳ ଜନନୀ…’ ଗାଇଲେ ।

ଓଡ଼ିଶାର ଜାତୀୟ ସଂଗୀତକୁ ଏହିପରି ପରିବେଷଣ କରାଯିବା ବିରୋଧରେ ସେତେ ପ୍ରତିବାଦ ହେଲା ନାହିଁ ଯେତିକି ପ୍ରତିବାଦ ପଶ୍ଚିମ ଓଡ଼ିଶାର ଲୋକେ ରଙ୍ଗବତୀ ପାଇଁ କଲେ । ପି. ସାଇନାଥ ନିଜେ ଲେଖିଛନ୍ତି ପଶ୍ଚିମ ଓଡ଼ିଶାର କଳାକାର ହୋଇଥିବାରୁ ଜିତେନ୍ଦ୍ରିୟଙ୍କୁ କିପରି ହଇରାଣ ହେବାକୁ ପଡ଼ିଛି ।

ଏପରିକି ତାଙ୍କ ରେକର୍ଡ଼ିଂମାନଙ୍କୁ ନିମ୍ନମାନର କ୍ୟାସେଟରେ ବଜାରକୁ ଛଡ଼ା ଯାଇଥିଲା । ବର୍ତ୍ତମାନ ମଧ୍ୟ ଏହାର ପୁନରାବୃତ୍ତି ହେଲା । ହେଲେ ଭିନ୍ନ ଢଙ୍ଗରେ । ଗଣମାଧ୍ୟମ ଦୟାରୁ କୁହାଯିବାର ପ୍ରୟାସ କରାଗଲା ଯେ ସେମାନେ ରଙ୍ଗବତୀ ଗୀତକୁ ଆହୁରି ବ୍ୟାପ୍ତ ବଜାର ଦେବାରେ ସହାୟକ ହୋଇଛନ୍ତି ।

ନିଶ୍ଚିତ ଏହା ହାସ୍ୟାସ୍ପଦ କଥା ରଙ୍ଗବତୀ ପାଇଁ! କିନ୍ତୁ ଏହାକୁ ସ୍ୱୀକାର କରାଯିବାକୁ ପ୍ରକାରାନ୍ତେ ବାଧ୍ୟ କରାଯାଉଥିଲା ଯେପରି । ଗୋଟିଏ ସାଂସ୍କୃତିକ ବିବାଦ ମୁଣ୍ଡ ଟେକୁଥିଲା । ଏହା ରାଜନୈତିକ ରୂପ ନନେଉ, ଏହାର ଯତ୍ନ କରାଯାଉଥିଲା ।

ସେଥିଲାଗି ବନ୍ଦେ ଉତ୍କଳ ଜନନୀ…ର ଅପମାନକୁ ମଧ୍ୟ ସହିଯିବାକୁ ହେଲା ଯେପରି । ୨୦୧୫ ମସିହାରେ ଜିତେନ୍ଦ୍ରିୟ ଏବଂ କ୍ରିଷ୍ଣା ପଟେଲଙ୍କୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଡକ୍ଟରେଟ ସମ୍ମାନରେ ସମ୍ମାନିତ କଲା । ସତକଥା ହେଲା ଏହି ସମ୍ମାନ ଦେବାରେ ବହୁ ବିଳମ୍ବ ହେଲା ।

ଯେଉଁ ସମୟରେ ଡକ୍ଟରେଟ ସମ୍ମାନ ଦିଆଗଲା ସେ ସମୟ ଥିଲା ବିବାଦର ସମୟ । ପ୍ରକାରାନ୍ତେ ଲୋକେ ଅନେକ କଥାକୁ ବୁଝିଲେ । କଥାର ଅନେକ ଅର୍ଥ ବାହାର କଲେ । ଏହା ଉତ୍କୋଚ ନୁହେଁ ତ? ତୁଷ୍ଟିକରଣପାଇଁ ଏକ ଶାସକୀୟ କୂଟ ନୁହେଁ ତ?

ରଙ୍ଗବତୀ, ପ୍ରକାରାନ୍ତେ ବିଗତ ଚାରି ଦଶନ୍ଧି ଧରି ଗୋଟିଏ ସମ୍ପନ୍ନ ସଂସ୍କୃତି ପଟକୁ ଇଙ୍ଗିତ କରିଆସୁଅଛି । ତା’ର ବିଶ୍ୱବିଜୟ ଅଭିଯାନରେ ସେ ଓଡ଼ିଶାର ଏକ ମହାନ ସଂସ୍କୃତିର ବିଜୟବାନା ଧରିଛି ଯେପରି । କିନ୍ତୁ ଏହାର ଚିତ୍ରକାର ଜିତେନ୍ଦ୍ରିୟ ହରିପାଲଙ୍କୁ ତାଙ୍କ ନ୍ୟାୟ ମିଳିପାରିଛି କି?

ସେ ଏହାର ପ୍ରତିଧାବନ କରିଛନ୍ତି ଯେପରି । ସେ ଯଦି ବିଫଳ ହୋଇଥାନ୍ତେ, କିଛି କଥା ନ ଥିଲା । ସେ ସଫଳ ସେ ସ୍ୱତନ୍ତ୍ର; ସେ ସାଧକ ସେ ସନ୍ଥ; ସେ ଜଣେ ଜୀବନ୍ତ କିମ୍ବଦନ୍ତୀ । ସେ ଆମ ସହିତ ଅଛନ୍ତି -ଏହା ଆମପାଇଁ ଗର୍ବର କଥା । ଏଥି ସହିତ ତାଙ୍କୁ ତାଙ୍କର ଜୀବିତାବସ୍ଥାରେ ନ୍ୟାୟ ଦେବା ଶାସନର ଦାୟିତ୍ୱ, ସାଧାରଣଙ୍କ କର୍ତ୍ତବ୍ୟ । ସମୟକୁ ଫେରେଇ ହେବ ନାହିଁ ।

କିନ୍ତୁ ସମୟ ଥିବା ଭିତରେ ତାଙ୍କୁ ନ୍ୟାୟ ତ ଦିଆଯାଇ ପାରିବ । INDRECO ବନ୍ଦ ହୋଇଗଲା; ତାହା ବୋଲି ଜିତେନ୍ଦ୍ରିୟ ତାଙ୍କର ରୟାଲଟି ପାଇବାର ଅଧିକାର ତ’ ହରେଇ ନାହାନ୍ତି । ୧୯୫୭ କପିରାଇଟ ଆକ୍ଟ ସଂଶୋଧିତ ହୋଇ ୨୦୧୨ କପିରାଇଟ ଆକ୍ଟ ଲାଗୁ ହୋଇ ସାରିଲାଣି ।

ଏହି ଆଇନ ବଳରେ କୌଣସି ଉଚ୍ଚସ୍ତରୀୟ ତଦନ୍ତ କମିଟି ରଙ୍ଗବତୀ ଓ ଜିତେନ୍ଦ୍ରିୟଙ୍କ ଉପରେ ହୋଇଥିବା ଧାରାବାହିକ ଶୋଷଣର ତଦନ୍ତ କରି ପାରନ୍ତା । ଯଦିବା INDRECOର କୌଣସି ସତ୍ତା ନାହିଁ, ତା’ହେଲେ ଏହି କମ୍ପାନୀକୁ ସ୍ୱୀକୃତି ଦେଇଥିବା ଅନୁଷ୍ଠାନ ନିକଟରୁ ରୟାଲଟି ଟଙ୍କା ଆଦାୟ କରାଯାଇ ପାରନ୍ତା ।

ଯେଉଁମାନେ ବି ରଙ୍ଗବତୀର ଧୂନ୍ ନେଇଛନ୍ତି, ସେମାନଙ୍କ ନିକଟରୁ ତାଙ୍କର ବ୍ୟବସାୟ ଆଧାରରେ ରୟାଲଟି ସଂଗ୍ରହ କରାଯାଇ ପାରନ୍ତା । ଏହି କଥା ଚିନ୍ତା କରିବାର ସମୟ ବୋଧହୁଏ ଦ୍ୱିତୀୟଥର ଆସିବାର ନାହିଁ ।

ଅନେକ ଅଭିଯୋଗ କରନ୍ତି ଯେ ଜିତେନ୍ଦ୍ରିୟ ତାଙ୍କର ପାରିଶ୍ରମିକ ସବୁକୁ ଅକାରଣରେ ଉଡ଼େଇ ଦେଇଛନ୍ତି । କିନ୍ତୁ ଏହା ସେତେ ସତ ନୁହେଁ । ଏହି ପତ୍ରକାରର ନିଜସ୍ୱ ଅନୁଭୂତିରେ ସେ ରେଳଷ୍ଟେସନର ଭିକାରୀକୁ ସାଲ୍ ଦେଲାପରି କାମରେ ଖର୍ଚ୍ଚ କରିଛନ୍ତି ।

ଏକଦା ତାଙ୍କର ବହୁ ମୂଲ୍ୟବାନ ସଂଗୀତ ଯନ୍ତ୍ରପାତି ଚୋରି ହୋଇଗଲା । ଏହାପରେ ସେ ନିଜକୁ ବହୁ କଷ୍ଟରେ ପୁନର୍ବାର ସଂଖୋଳି ପାରିଥିଲେ । କିନ୍ତୁ ସମୟ ଓ ଶାସନର ଉଦାସୀନତା ତାଙ୍କୁ ଦାରିଦ୍ର୍ୟରୁ ମୁକ୍ତିରେ ବାଧା ହୋଇଛି ଯେପରି ।

ଜିତେନ୍ଦ୍ରିୟଙ୍କ ସ୍ୱପ୍ନ ହେଉଛି ଗୋଟିଏ ସଙ୍ଗୀତ ଏକାଡ଼େମି ସ୍ଥାପନ କରିବା । ଏଥିରେ ପଶ୍ଚିମ ଓଡ଼ିଶାର ସଙ୍ଗୀତ ଓ ସାଙ୍ଗୀତିକ ପରମ୍ପରାର ଗବେଷଣା ଓ ସାଧନ କରିବା । ଏହି ସ୍ୱପ୍ନ ପଛର ବାସ୍ତବତା ବର୍ତ୍ତମାନର ପରିସ୍ଥିତିରେ ସାଂଘାତିକ ଭାବେ କୃର ଜଣାପଡ଼ୁଥିଲେ ବି ସେତେ ହୋଇ ନପାରେ । କିନ୍ତୁ ଏହାର ଆବଶ୍ୟକତାକୁ ହୃଦୟଙ୍ଗମ କରିବା ଆବଶ୍ୟକ ।

ରଙ୍ଗବତୀ ଜନ୍ମନେବାର ଚାରି ଦଶନ୍ଧି ମଧ୍ୟରେ ଅନେକ ଘଟଣା ଘଟିଯାଇଛି । ରଙ୍ଗବତୀକୁ ନେଇ ଅନେକ କଥା କିମ୍ବଦନ୍ତୀ ଓ ଘଟଣା ଘଟି ସାରିଛି । ଏ ସମୟ ମଧ୍ୟରେ କୌଣସି ପ୍ରୟାସ ହୋଇନାହିଁ ଯେ ଜିତେନ୍ଦ୍ରିୟଙ୍କ ଉପରେ ତଥ୍ୟ ସଂଗ୍ରହ କରାଯାଇ ତାଙ୍କୁ ଅନ୍ତତଃ ‘ପଦ୍ମଶ୍ରୀ’ ପାଇଁ ସୁପାରିଶ କରାଯାଇପାରନ୍ତା ।

ଗୋଟିଏ ସାଂସ୍କୃତିକ ବିଭବର ସଂକଳନ ପାଇଁ ପ୍ରୟାସ କରାଯାଇ ପାରନ୍ତା । କିନ୍ତୁ କୌଣସିଟିରେ ‘ହଁ’ ନାହିଁ । ଜିତେନ୍ଦ୍ରିୟଙ୍କ ଭାଷାରେ ‘ଡମ ଛଡ଼ା କେହି ବି ଯଦି ବାଦନ ସଂସ୍କୃତିର ବ୍ୟାଖ୍ୟା କରିଦେବ, ତା ହେଲେ ମୁଁ ତା ନିକଟରେ ମୁଣ୍ଡ ନୁଆଁଇ ଦେବି’ ।

ଏହା ସାଧାରଣ କଥା ନୁହଁ । ଜଣେ ମହର୍ଷି ବ୍ୟତୀତ କେହିବି ଏହି କଥା କହିବାର ସାହସ କରିପାରିବ ନାହିଁ । କାହିଁକିର ପ୍ରଶ୍ନଟିଏ ତ କରାଯାଇ ପାରନ୍ତା ଜିତେନ୍ଦ୍ରିୟ ହରିପାଲଙ୍କୁ । ସେହିପରି ଜିତେନ୍ଦ୍ରିୟଙ୍କ ବ୍ୟାଖ୍ୟା ବି କଠିନ । ଯେପରି କଠିନ ତାଙ୍କର ଅତୀତ ।

ହୁଏତ ଶାସନର ସାମାନ୍ୟ ଆନ୍ତରିକତା ତାଙ୍କୁ ଏହି କଠିନତାରୁ ମୁକ୍ତି ଦେଇ ପାରନ୍ତା । ତାଙ୍କର ଉତ୍ତର ବୟସରେ ତାଙ୍କର ନ୍ୟାଯ୍ୟ ଦେଇପାରନ୍ତା । ସମୟର ମହାନାୟକକୁ ତାର ନ୍ୟାଯ୍ୟ ଦିଆଯାଇ ପାରନ୍ତା… ।

 

ଲେଖକଙ୍କୁ ଯୋଗାଯୋଗ କରିବାର ଇମେଲ ଓ ଫୋନ ନମ୍ବର ହେଲା [email protected] 94375 27290

ସୌଜନ୍ୟ: ସମଦୃଷ୍ଟି

Filed Under: ମନୋରଞ୍ଜନ Tagged With: ଆଦିବାସୀ, କନ୍ଧମାଳ, ଗଣମାଧ୍ୟମ, ଗୀତ, ଜିତେନ୍ଦ୍ରିୟ ହରିପାଲ, ପଶ୍ଚିମ ଓଡ଼ିଶା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ରଙ୍ଗବତୀ, ସମ୍ବଲପୁରୀ, ସରକାର

କଙ୍କଡ଼ା ହେବାର ଗୌରବ ଓ ଓଡ଼ିଆ ମଧ୍ୟବିତ୍ତ (ରୋକ୍ ଠୋକ୍ )

August 7, 2015 by ନିଉଜ ଡେସ୍କ Leave a Comment

କେଦାର ମିଶ୍ର

ବେଳାଭୂମିର ସୁନାରଙ୍ଗ ବାଲି ଉପରେ ନାଲି କଙ୍କଡ଼ା ଚାଲୁଥିବାର ଦୃଶ୍ୟ ଦେଖିବାକୁ ପର୍ଯ୍ୟଟକମାନେ ଓଡ଼ିଶା ଆସନ୍ତି  । ଓଡ଼ିଶାରେ ବହୁ ପ୍ରଜାତିର କଙ୍କଡ଼ା ଦେଖିବାକୁ ମିଳନ୍ତି  । ସବୁ ପ୍ରଜାତିର ପ୍ରକୃତି ଓ ଚାଲି ଭିନ୍ନ ପ୍ରକାର  । ତେଣୁ କଙ୍କଡ଼ାମାନଙ୍କ ଭିତରେ ବହୁ ପ୍ରକାରର ଜାତିଭେଦ ଓଡ଼ିଶାରେ ରହିଛି  ।

ତେବେ ଓଡ଼ିଆମାନଙ୍କୁ କଙ୍କଡ଼ା ବୋଲି କହିବାରେ ଖୋଦ୍ ଓଡ଼ିଆମାନେ କମ୍ ଗୌରବ ଅନୁଭବ କରନ୍ତି ନାହିଁ  । ଓଡ଼ିଆ ଜାତିକୁ ଗୋଡ଼ଟଣା କଙ୍କଡ଼ା ବୋଲି କିଏ କେବେ କହିଥିଲା, ତା’ର ଇତିହାସ ହୁଏତ ଖୋଜିଲେ ମିଳିବ ନାହିଁ  । ତେବେ ପ୍ରତି କଥାରେ ଓଡ଼ିଆ ମଧ୍ୟବିତ୍ତମାନେ ନିଜକୁ କଙ୍କଡ଼ା ବୋଲି କହି ଗାଳି ଦେବାରେ ବେଶ୍ ଗୌରବ ଅନୁଭବ କରନ୍ତି  ।

ଓଡ଼ିଶାର ସାଧାରଣ ଓ ଗରିବ ଲୋକେ ଗୋଡ଼ଟଣା ପ୍ରକୃତି କ’ଣ, ସେ ବିଷୟରେ କିଛି ଜାଣନ୍ତି ନାହିଁ  । ସେମାନେ ନିଜର ଶ୍ରମ, ସଂଘର୍ଷ ଓ ଝାଳନାଳ ଭିତରେ ପଡ଼ି ରହିଥା’ନ୍ତି  । ସେମାନେ ନିଜ ପେଟ ଓ ପିଠି ଲାଗି ସଂଘର୍ଷର ନୂଆ ଇତିହାସ ପ୍ରତିଦିନ ସୃଷ୍ଟି କରନ୍ତି  ।

କୌଣସି ସାଧାରଣ ଓଡ଼ିଆ ଆଉ ଜଣେ ଓଡ଼ିଆକୁ କଙ୍କଡ଼ା ବୋଲି ଗାଳି କରିବାର କେହି କେବେ ଶୁଣି ନଥିବେ  । ବିଶେଷକରି ଉଚ୍ଚବର୍ଗ ଓ ମଧ୍ୟବିତ୍ତ ଓଡ଼ିଆଙ୍କ ପାଇଁ କଙ୍କଡ଼ା ଶବ୍ଦଟି ଏକ ସହଜସାଧ୍ୟ ବିଶେଷଣ  । ଯେଉଁମାନେ ସାରା ଜୀବନ ଉପରକୁ ଉଠିବା ଓ କଳେବଳେ କୌଶଳେ ସବୁ ସୁଯୋଗ ହାତେଇବାର ଉଦ୍ୟମରେ ମାହିର୍, ସେମାନେ ହିଁ ଅନ୍ୟମାନଙ୍କ ପ୍ରତି ଅସହିଷ୍ଣୁ ହୋଇପଡ଼ନ୍ତି  ।

ସେମାନେ ଯେହେତୁ କଙ୍କଡ଼ା ଦୌଡ଼ରେ ଥାଆନ୍ତି ସେମାନଙ୍କୁ ସାରା ଜଗତ କଙ୍କଡ଼ା ମନେ ହୁଏ  । କଙ୍କଡ଼ା ପରି ଜୀବନ ବଞ୍ଚୁଥିବା ଏହି ମଧ୍ୟବିତ୍ତ ଓଡ଼ିଆମାନେ ଅନ୍ୟମାନଙ୍କୁ କଙ୍କଡ଼ା ବୋଲି କହିବାବେଳେ ନିଜ ଦେହରେ ଚଢିଥିବା କଙ୍କଡ଼ାର ଖୋଳପାଟିକୁ ଦେଖିପାରନ୍ତି ନାହିଁ  । ସେଇଟା ସବୁଠୁ ବଡ଼ ବିଡ଼ମ୍ବନା  ।

ଜଣେ ଓଡ଼ିଆ ଲୋକ ଯେତେବେଳେ ଜାତୀୟ ବା ଅନ୍ତର୍ଜାତୀୟ ସ୍ତରରେ କିଛି ସୁନାମ ପାଏ, ତା’କୁ ଗାଳିଦେବା ଆମର ସ୍ୱଭାବ ବୋଲି କୁହାଯାଇଛି  । ସମ୍ପ୍ରତି ରଙ୍ଗବତୀ ଗୀତକୁ ନେଇ ଚାଲିଥିବା ବିବାଦ ଆଢୁଆଳରେ ଏହି କଙ୍କଡ଼ା ପ୍ରବୃତ୍ତିର ଚର୍ଚ୍ଚା ବଢିଯାଇଛି  ।

ରିମିକ୍ସ ରଙ୍ଗବତୀ ଆସିଲା ପରେ ତା’କୁ ନେଇ ଯେଉଁମାନେ ଆପତ୍ତି ଉଠାଇଲେ, ସେମାନଙ୍କୁ ରକ୍ଷଣଶୀଳ, ପଛୁଆ, ଅଣଆଧୁନିକ ଓ ଗୋଡ଼ଟଣା ପ୍ରବୃତ୍ତିର କଙ୍କଡ଼ା ଜାତୀୟ ଜୀବ ବୋଲି କହିବାକୁ ଏକ ନୂଆ ଫେସନ୍ ଭାବେ ଗ୍ରହଣ କରି ନିଆଗଲା  ।

ଏପ୍ରକାର ଅଭିଯୋଗ ଯେଉଁମାନେ ଆଣିଲେ, ସେମାନେ ପ୍ରାୟତଃ ଉଚ୍ଚ ବର୍ଗ ଓ ମଧ୍ୟବିତ୍ତ ଓଡ଼ିଆ ଶ୍ରେଣୀର ପ୍ରତିନିଧି  । ସେମାନେ ନିଜ ପରିବାର, ଘର ଓ ସମାଜରେ ଓଡ଼ିଆ ଭାବକୁ ନେଇ କ୍ୱଚିତ୍ ଗର୍ବିତ ହୁଅନ୍ତି  । ସେମାନେ ଇଂରାଜୀ ପଢୁଆ ବାବୁଘରର ପିଲା  । ସେମାନଙ୍କୁ ଓଡ଼ିଆ ଲେଖି ଆସେ ନାହିଁ  । ଓଡ଼ିଆ କହିବାରେ ସେମାନଙ୍କୁ ଲାଜ ଲାଗେ  ।

ଓଡ଼ିଶାର ସଂସ୍କୃତି କହିଲେ ସେମାନେ କାଁ ଭାଁ ଶୁଣିଥିବା ଗୀତ ଓ ଦେଖିଥିବା ନାଚକୁ ବୁଝନ୍ତି  । ଓଡ଼ିଶାର ସଂସ୍କୃତି ଯେ ବହୁ ବିବିଧତାରେ ଭରା ଓ ଏହାର ବହୁ ରୂପ ରହିଛି, ସେ ବିଷୟରେ ତାଙ୍କର କୌଣସି ଜିଜ୍ଞାସା ନଥାଏ  । କେବଳ ସଂସ୍କୃତି ହେଉଛି ସେମାନଙ୍କ ପାଇଁ ବାଣିଜ୍ୟର ବିଷୟବସ୍ତୁ  । ସେଥିଲାଗି ରଙ୍ଗବତୀ ଗୀତର ତଥାକଥିତ ଜାତୀୟ ମାନ୍ୟତାକୁ ନେଇ ସେମାନେ ଉତ୍ଫୁଲ୍ଲିତ ହୋଇପଡ଼ନ୍ତି  ।

ତାଙ୍କୁ ଲାଗେ କୋକ୍ ଷ୍ଟୁଡ଼ିଓରେ ବାଜିଗଲେ ଗୋଟେ ଗୀତ ଜାତୀୟ ମାନ୍ୟତା ପାଇଗଲା  । ସେମାନେ ବୁଝିପାରନ୍ତି ନାହିଁ ଯେ ଗତ ୨ ବର୍ଷ ଭିତରେ ଶହ ଶହ ଗୀତ ଏମିତି ବାଜିଛି ଓ ଲିଭିଯାଇଛି  । ସେହି କ୍ରମରେ ରଙ୍ଗବତୀ ବି କୋକ୍ ଷ୍ଟୁଡ଼ିଓରୁ ଲିଭିଯିବ  । ଏହା କେବଳ ମାସେ କି ଦୁଇମାସ ପାଇଁ ସୋନା ମହାପାତ୍ର ଓ ଋତୁରାଜ ମହାନ୍ତିଙ୍କୁ ଚର୍ଚ୍ଚାରେ ରଖିବା ପାଇଁ ଏକ ସୁଯୋଗ ସୃଷ୍ଟି କରିଛି ଯାହା  । ତା’ଠୁ ଅଧିକ କିଛି ହେବାର ନାହିଁ  ।

ତେବେ ଏ ପ୍ରସଙ୍ଗରେ ସଂସ୍କୃତିର ଶୁଦ୍ଧତାକୁ ନେଇ ଯୁକ୍ତି କରୁଥିବା ଲୋକଙ୍କୁ କଙ୍କଡ଼ା ବୋଲି ଯେଉଁମାନେ କହନ୍ତି, ସେମାନେ ନିଜେ କେତେ ଉଦାର, ତା’ର ଉଦାହରଣ ଆମେ ଲଣ୍ଠନ ଧରି ଖୋଜିଲେ ମଧ୍ୟ ପାଇବା ନାହିଁ  । ଓଡ଼ିଆ ଜାତି ଯଦି ନିଜର ମାନ୍ୟତା ଓ ଅସ୍ମିତାକୁ ବଜାୟ ରଖିଛି, ତାହା ଏ ଜାତିର ସଂଘର୍ଷରତ କଳାକାରମାନଙ୍କ ପାଇଁ  ।

ରଘୁରାଜପୁର ଗାଁର ପାନ ବରଜରେ କାମ କରୁଥିବା ଗୋଟେ ସାଧାରଣ ପରିବାରର ପିଲା କେଳୁ ଚରଣ ମହାପାତ୍ରଙ୍କ ଉଦ୍ୟମରେ ଓଡ଼ିଶୀ ଭଳି ଏକ ନୃତ୍ୟ ପଚାଶ ବର୍ଷ ଭିତରେ ସାରା ପୃଥିବୀରେ ବ୍ୟାପି ଗଲା  । କେଳୁବାବୁଙ୍କୁ ନେଇ ଏ ଜାତି କେତେ ଗର୍ବ କରିଛି ? ଆଜି ଓଡ଼ିଶୀ ନୃତ୍ୟ ପୃଥିବୀର ଶହେଟି ଦେଶରେ ନିଜର ପ୍ରଭାବ ବିସ୍ତାରକରି ସାରିଲାଣି  ।

ଯେଉଁମାନେ ଓଡ଼ିଆ ପଢନ୍ତି ନାହିଁ କି ଜାଣନ୍ତି ନାହିଁ ସେମାନେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଓଡ଼ିଶାର ଆତ୍ମାକୁ ଚିହ୍ନିଛନ୍ତି  । ଏହା କ’ଣ କମ୍ ସଫଳତା ? ଯେଉଁ ଗୁରୁ ଓ ନୃତ୍ୟଶିଳ୍ପୀମାନେ ଏହି ନୃତ୍ୟକୁ ଏତେ ବଡ଼ ମାନ୍ୟତା ଦେଲେ, ସେମାନଙ୍କୁ ନୂଆ ପିଢିର ଓଡ଼ିଆମାନେ ଗ୍ରହଣ କରିବେ ନାହିଁ କାହିଁକି ? କେବଳ ବଲିଉଡ୍ର ମାନ୍ୟତା ଏକମାତ୍ର ସ୍ୱୀକୃତି କି ?

ଗତ ୨୦ ବର୍ଷ ଭିତରେ ଚିତ୍ରକଳା ଜଗତରେ ଓଡ଼ିଆ ଚିତ୍ରଶିଳ୍ପୀମାନେ ବେଶ୍ ଆଗୁଆ ରହିଛନ୍ତି  । ଜଗନ୍ନାଥ ପଣ୍ଡାଙ୍କ ଭଳି ଚିତ୍ରଶିଳ୍ପୀଙ୍କୁ ନୂଆ ଭାରତୀୟ ଚିତ୍ରଶିଳ୍ପୀଙ୍କ ଭିତରେ ଶ୍ରେଷ୍ଠ ଦଶଜଣଙ୍କ ଭିତରେ ଗଣାଯାଉଛି  । ତାଙ୍କୁ ନେଇ ଆମେ ଗର୍ବିତ ହେଲୁଣି କି ? ପ୍ରତୁଲ୍ ଦାସ, ସୁଧାଂଶୁ ସୁତାର୍, ଅଦ୍ୱୈତ୍ ଗଡ଼ନାୟକଙ୍କ ଭଳି ଆହୁରି ଅନେକ ଚିତ୍ରଶିଳ୍ପୀ ଓ ସ୍ଥପତି ଏବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ।

ତାଙ୍କ କଥା ଆମେ ଜାଣିଛୁ କି ? ଗୀତ କଥା ଉଠିଲେ କେତେ ଓଡ଼ିଆ ପିଲା ଜାତୀୟସ୍ତରରେ ନାଁ କଲେଣି  । ସୋନା ମହାପାତ୍ର ପ୍ରଥମ ଓଡ଼ିଆ ଶିଳ୍ପୀ ଭାବରେ ଜାତୀୟ ମାନ୍ୟତା ପାଇନାହାନ୍ତି  । ପ୍ରତି ଟେଲିଭିଜନ୍ ଶୋ’ରେ ଏବେ ନୂଆ ପିଢିର ଓଡ଼ିଆମାନେ ନିଜର ପରାକାଷ୍ଠା ପ୍ରଦର୍ଶନ କରୁଛନ୍ତି  ।

ତେବେ ରିଅଲିଟି ଶୋ’ର ବାସ୍ତବତା ହେଉଛି ଏହା ଆସେ ଓ ଯାଏ  । ରିଅଲିଟି ଶୋ’ରୁ ଖୁବ୍ କମ୍ ଶିଳ୍ପୀ ବାହାରନ୍ତି ଯେଉଁମାନେ ନିଜ ଦକ୍ଷତା ବଳରେ ଶ୍ରେୟା ଘୋଷାଲ୍ ବା ସୁନିଧି ଚୌହାନ ହୋଇପାରନ୍ତି  । ବୋଧେ ସୋନା ମହାପାତ୍ର ସେହି ସ୍ତରକୁ ଯିବାକୁ ଆହୁରି ଅନେକ ବାଟ ବାକି ଅଛି  ।

ସୋନା ମହାପାତ୍ର ଓ ଋତୁରାଜଙ୍କ ପାଇଁ ଓଡ଼ିଆମାନେ କିଛି କମ୍ ସହଯୋଗର ହାତ ବଢାଇ ନାହାନ୍ତି  । ଓଡ଼ିଆଙ୍କ ସହଯୋଗ ବଳରେ ହିଁ ସେମାନେ ପ୍ରସିଦ୍ଧି ପ୍ରତିଷ୍ଠା ଓ ଲୋକପି୍ରୟତା ପାଇଛନ୍ତି  । ଆଜି ଗୋଟିଏ ଭୁଲ୍ ପାଇଁ ତାଙ୍କୁ ଯଦି ସମାଲୋଚନା କରାଯାଏ, ତାହା କଙ୍କଡ଼ା ପ୍ରକୃତି ହୋଇଗଲା କେମିତି ?

କଙ୍କଡ଼ା ହେବାରେ ଅସୁବିଧା ବା କ’ଣ ? ନିଜର କରିତ୍କର୍ମା ଗୁଣ ଯୋଗୁଁ ଯେଉଁମାନେ ସଫଳତା ପାଆନ୍ତି, ସେମାନେ ଭାବନ୍ତି ତାଙ୍କୁ କେହି ସମାଲୋଚନା ନ କରୁ  । ସଫଳତା ପାଇଁ ଯେକୌଣସି ପ୍ରକାର ନୀଚ୍ଚ ମାଧ୍ୟମ ଅବଲମ୍ବନ କଲେ ମଧ୍ୟ ତାକୁ କେହି ଆଲୋଚନା ନ କରନ୍ତୁ  । ଏହା ଆମେ ଚାହୁଁ  ।

ଏହା କେବଳ ଓଡ଼ିଆ ଉଚ୍ଚବର୍ଗ ବା ମଧ୍ୟବିତ୍ତ ନୁହନ୍ତି, ପୃଥିବୀର ସବୁ ମଧ୍ୟବର୍ଗର ଏହା ହେଉଛି ପ୍ରବୃତ୍ତି  । ସଫଳତାକୁ ଆପଣାର କରି ଏହା ପଛରେ ରହିଥିବା କଳଙ୍କିତ ଇତିହାସକୁ ଭୁଲିଯିବା ଉଚିତ ବୋଲି ଆମକୁ ଉପଦେଶ ଦିଆଯାଏ  ।

ସଫଳତାର କାହାଣୀ ଶୁଣୁ ଶୁଣୁ ଆମେ ନିଜେ ଭ୍ରଷ୍ଟାଚାର ଓ ଦୁର୍ନୀତିର ଅଂଶ ପାଲଟିଗଲେ ମଧ୍ୟ କିଛି ଯାଏ ଆସେ ନାହିଁ ବୋଲି ଆମକୁ ପ୍ରବଚନ ଶୁଣାଯାଏ  । ଉଦାହରଣ ଦେଇ କୁହାଯାଇପାରେ- ନିକଟରେ ଜଣେ ପ୍ରଭାବଶାଳୀ ଓଡ଼ିଆ ରାଜନେତାଙ୍କ ନାଁରେ
ଦୁର୍ନୀତିର ଅଭିଯୋଗ ଆସିଲା  । ତାଙ୍କୁ ସମାଲୋଚନା କରିବା ପାଇଁ ଓଡ଼ିଆ କଙ୍କଡ଼ାମାନେ ସାହସ ନ କରନ୍ତୁ ବୋଲି କେହି କେହି ପ୍ରବଚନ ଦେଲେ  ।

ଏହି ରାଜନେତାଜଣଙ୍କ ନିଜ କରିତ୍କର୍ମା ଗୁଣ ଯୋଗୁଁ କେନ୍ଦ୍ରରେ ମନ୍ତ୍ରୀ ହୋଇପାରିଲେ ଓ ଏହା ତାଙ୍କ ଓଡ଼ିଆପଣର ସଫଳତା । ସୁତରାଂ ତାଙ୍କୁ ସମାଲୋଚନା କରିବା ଓଡ଼ିଆଙ୍କ ପକ୍ଷେ ଉଚିତ ନୁହେଁ ବୋଲି କୁହାଯାଉଛି  । ସବୁ ସାର୍ଥକ ଓ ସଫଳ ଓଡ଼ିଆ ସମାଲୋଚନାଠୁ ଉଦ୍ଧ୍ୱର୍ରେ ରହିବାକୁ ଚାହାଁନ୍ତି  ।

ସେମାନଙ୍କ ଦେହରେ ନିଆଁ ପାଣିରେ ଧାସ ବାଜିବ ନାହିଁ  । ସେମାନେ ଓଡ଼ିଆ ଜନଜୀବନ, ସଂସ୍କୃତି ଓ ସମାଜକୁ ଯେତେ ବିକୃତ କଲେ ମଧ୍ୟ ତାଙ୍କୁ ଆମେ ସମାଲୋଚନା କରିବାର ଯୋଗ୍ୟ ନୁହଁ !

ଦୁର୍ଭାଗ୍ୟ କଥା ହେଉଛି ଯେଉଁମାନେ ଓଡ଼ିଆମାନଙ୍କୁ କଙ୍କଡ଼ା ବୋଲି ଗାଳି କରନ୍ତି, ସେମାନଙ୍କ ହାତରେ ଓଡ଼ିଶାର ସବୁ ସମ୍ବଳ ଓ କ୍ଷମତା ଗଚ୍ଛିତ  । ସେମାନେ ଆମର ଖଣି, ଖାଦାନ ଓ ପ୍ରମୁଖ ବାଣିଜ୍ୟ ପ୍ରତିଷ୍ଠାନର ମାଲିକ  । ସେମାନଙ୍କ ହାତରେ ଗଣମାଧ୍ୟମର ମାଲିକାନା  ।

ସେମାନଙ୍କ ହାତରେ ରାଜନୀତିର ସବୁ କ୍ଷମତା  । ସେମାନେ ଆମର ହର୍ତ୍ତାକର୍ତ୍ତା ଓ ବିଧାତା  । ସେମାନେ ଓଡ଼ିଶାକୁ ଲୁଟ୍ କରି ନିଜର ପେଟ ବଢାନ୍ତି  ଆଉ ଆଶା କରନ୍ତି ଯେ ତାଙ୍କ ପେଟ ଉପରେ କୌଣସି ଓଡ଼ିଆର ନଜର ନ ପଡ଼ୁ  । ସେମାନେ ଓଡ଼ିଶାର ସଂସ୍କୃତିକୁ ବିକୃତ, ବଜାରୀ ଓ ଚାଲୁ କରି ନିଜର ପ୍ରତିଷ୍ଠା ବଢାନ୍ତି  । ସେହି ବିକୃତି ବିରୋଧରେ ଯିଏ କହେ, ତାକୁ ରକ୍ଷଣଶୀଳ ବୋଲି ଗାଳି କରନ୍ତି  । ଓଡ଼ିଆ ମାଟିରେ ପଡ଼ି ରହି ଯେଉଁମାନେ ଓଡ଼ିଶାର ସେବା କରନ୍ତି, ସେମାନେ ପଛୁଆ ହୋଇ ସାରାଜୀବନ ରହନ୍ତି  ।

ଅଥଚ ଓଡ଼ିଶା ବାହାରେ ଦରବୁଝା ଓଡ଼ିଆକୁ ନେଇ ଯେଉଁମାନେ ରାତାରାତି ତାରକା ପାଲଟିଯାଆନ୍ତି, ସେମାନଙ୍କୁ ଏଠି ଫୁଲମାଳ ଦେଇ ସ୍ୱାଗତ କରାଯାଏ  । ଓଡ଼ିଆ ମଧ୍ୟବିତ୍ତ ବର୍ଗର ଏହି ଛଳନା ଯୋଗୁଁ ଓଡ଼ିଶାର ମୌଳିକ ସଂସ୍କୃତି ଉଧେଇ ପାରେ ନାହିଁ  ।
ଏଇମାନେ ଓଡ଼ିଆ ସଂସ୍କୃତି ନାଁରେ ଯାବତୀୟ ବିକୃତିର ପୃଷ୍ଠପୋଷକ ସାଜନ୍ତି  ।

ଏମାନଙ୍କପାଇଁ ଓଡ଼ିଶାର ଜନଜୀବନରୁ ବହୁ ଲୋକ ପରମ୍ପରା ମରି ମରି ଆସେ  । ନିଜ ବଜାର ସୃଷ୍ଟି କରିବାକୁ ଯାବତୀୟ ବିକୃତିକୁ ଏମାନେ ସଂସ୍କୃତି ଓ ରାଜନୀତିରେ ପ୍ରୋତ୍ସାହନ ଦିଅନ୍ତି  । ସବୁଠୁ ମଜା କଥା ହେଉଛି ବେଳେବେଳେ ଏଇମାନେ ନିଜେ ଓଡ଼ିଆ ସଂସ୍କୃତିର ମଙ୍ଗୁଆଳ ସାଜି ମଞ୍ଚ ଉପରେ ଭାଷଣ ମଧ୍ୟ ଦିଅନ୍ତି  ।

ଏମାନେ ନିଜେ କଙ୍କଡା ନା କର୍କଟ ତାହା ସମୟ ବିଚାର କରିବା ଉଚିତ୍  । ଓଡ଼ିଆ ସମାଜର ନବେ ଭାଗ ଲୋକ ଜାଣନ୍ତି ନାହିଁ କଙ୍କଡ଼ା ପ୍ରବୃତ୍ତି କ’ଣ । କେବଳ ଦଶଭାଗ ଓଡ଼ିଆ ନିଜ ଭିତରର ଈର୍ଷା, ଅସୂୟା ଓ ଗୋଡ଼ ଟଣାଟଣିକୁ ନେଇ ପରସ୍ପରକୁ କଙ୍କଡ଼ା ବୋଲି ସମ୍ବୋଧନ କରନ୍ତି  । ଏହି କଙ୍କଡ଼ାଙ୍କ ସହ ଓଡ଼ିଶା ବା ଓଡ଼ିଆଙ୍କର କୌଣସି ସମ୍ପର୍କ ନାହିଁ  ।

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

Filed Under: ରୋକ ଠୋକ Tagged With: ରଙ୍ଗବତୀ, ରିମିକ୍ସ

ରଙ୍ଗବତୀ : କାହାଣୀ ଓ ବାସ୍ତବତା (ରୋକ୍ ଠୋକ୍)

July 24, 2015 by ନିଉଜ ଡେସ୍କ 1 Comment

କେଦାର ମିଶ୍ର

ଗତ ମାସେରୁ ଅଧିକ ହେଲା ରଙ୍ଗବତୀ ଗୀତକୁ ନେଇ ଚର୍ଚ୍ଚା ଜୋର୍‍ ଧରିଛି । ସତୁରୀ ଦଶକର ଏହି ଗୀତ ପୁଣି ଥରେ ଜନମାନସରେ ନିଜର ନୂଆ ଅବତାର ଗ୍ରହଣ କରିଛି । କୋକ୍‍ ଷ୍ଟୁଡ଼ିଓରେ ଏହାର ପ୍ରସାରଣ ପରଠୁ ଏହାକୁ ନେଇ ଢେର୍‍ ଚର୍ଚ୍ଚା ବଢିଯାଇଛି । ଏହାର ରିମିକ୍ସ ସପକ୍ଷରେ ଓ ବିପକ୍ଷରେ ଅନେକ ମତାମତ ଶୁଣିବାକୁ ମିଳୁଛି ।

ଯେଉଁମାନେ ପଶ୍ଚିମ ଓଡ଼ିଶାର ଲୋକଗୀତ ତଥା ଲୋକସଂସ୍କୃତି ବିଷୟରେ ବିଲ୍‍କୁଲ୍‍ କିଛି ଜାଣନ୍ତି ନାହିଁ ସେମାନେ ଏହାକୁ ଓଡ଼ିଶାର ଲୋକ ସଂସ୍କୃତି ପାଇଁ ଏକ ବିରାଟ ସଫଳତା ବୋଲି କହିଚାଲିଛନ୍ତି । ତେବେ ରଙ୍ଗବତୀ ଗୀତକୁ ନେଇ ଗଢି ଉଠୁଥିବା ଅନେକ କାହାଣୀ, ବିବାଦ, ଅପବାଦ ଓ ଗୁଜବର ସ୍ପଷ୍ଟ ତର୍ଜମା ଆଜି କରିବା ଉଚିତ୍‍ ହେବ ।

କାହାଣୀ ୧ : ରଙ୍ଗବତୀ ହେଉଛି ଏକ ଲୋକଗୀତ । ତେଣୁ ଏହା କପିରାଇଟ୍‍ ଆକ୍ଟ୍‍ର ଅଧୀନ ନୁହେଁ ।

ବାସ୍ତବତା : ରଙ୍ଗବତୀ ଆଦୌ ମୌଳିକ ଲୋକଗୀତ ନୁହେଁ । ଏହା ଲୋକସ୍ୱର ଉପରେ ଆଧାର କରିଥିବା ଏକ ମୌଳିକ ସଙ୍ଗୀତ ରଚନା । ୧୯୭୬ ମସିହାରେ ଆକାଶବାଣୀ ସମ୍ବଲପୁର ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଏହି ଗୀତଟିର ପରିକଳ୍ପନା କରାଯାଇଥିଲା ।

ଏହି ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆ ନିଜେ ଏହାର ଜୀବନ କାହାଣୀ ବର୍ଣ୍ଣନା କରିଛନ୍ତି । ‘କୁରେ ଫୁଲର ଝୁମ୍ପା’ ନାମକ ଏକ କାର୍ଯ୍ୟକ୍ରମ ପାଇଁ ଯେଉଁ ତିନୋଟି ଗୀତ ପ୍ରସ୍ତୁତ କରାଯାଇଥିଲା, ତନ୍ମଧ୍ୟରୁ ରଙ୍ଗବତୀ ଅନ୍ୟତମ । ଏହା ପ୍ରାଥମିକ ଭାବରେ ଫକୀର ପଟ୍ଟନାୟକ ଓ କମଳ କୁମାରୀ ବେହେରାଙ୍କ କଣ୍ଠରେ ରେକର୍ଡ ହେବାର ଥିଲା ।

କଳାକାରଦ୍ୱୟ ନ ଆସିବାରୁ ଏହାକୁ ଜିତେନ୍ଦ୍ର ହରିପାଲ୍‍ ଓ କ୍ରିଷ୍ଣା ପଟେଲ୍‍ଙ୍କ କଣ୍ଠରେ ରେକର୍ଡ କରାଯାଇଥିଲା । ପରବର୍ତ୍ତୀ ଘଟଣା ଇତିହାସ । ୧୯୭୬ ପରେ ଏହା ଆକାଶବାଣୀରେ ଏତେ ଲୋକପ୍ରିୟ ହେଲା ଯେ, ଏହାକୁ ନିଜ ତରଫରୁ ଇନେ୍ଦ୍ରକୋ କମ୍ପାନୀ ରେକର୍ଡ କରିବାର ନିଷ୍ପତ୍ତି ନେଇଥିଲେ । ମୌଳିକ ଭାବରେ ଆଜି ମଧ୍ୟ ଏହାର ସତ୍ତ୍ୱ ଗୀତିକାର ମିତ୍ରଭାନୁ ଗୌନ୍ତିଆ ଓ ସଙ୍ଗୀତ ନିଦେ୍ର୍ଧଶକ ପ୍ରଭୁଦତ୍ତ ପ୍ରଧାନଙ୍କ ପାଖରେ ରହିଛି ।

ସବୁ ସମ୍ବଲପୁରୀ ଗୀତକୁ ଲୋକଗୀତ ବୋଲି କେହି କେହି ଧରିନିଅନ୍ତି । ଯେମିତି ଓଡ଼ିଆରେ ବୋଲାଯାଉଥିବା ସବୁ ଗୀତ ଓଡ଼ିଶୀ ନୁହେଁ, ସେମିତି ସମ୍ବଲପୁରୀ ବା କୋଶଳୀରେ ବୋଲାଯାଉଥିବା ସବୁ ଗୀତ ଲୋକଗୀତ ନୁହେଁ । ସମ୍ବଲପୁର ଆକାଶବାଣୀ ପ୍ରତିଷ୍ଠା ହେବା ପରଠୁ ନୂଆ ପିଢିର ଅନେକ ଗାୟକ/ ଗାୟିକା ସମ୍ବଲପୁରୀ ଗୀତରେ ଆଧୁନିକତାର ପ୍ରୟୋଗ କରିଛନ୍ତି ।

ରଙ୍ଗବତୀ ପରମ୍ପରା ଓ ଆଧୁନିକତାର ଏକ ସୁନ୍ଦର ସମନ୍ୱୟ । ରଙ୍ଗବତୀରେ ଲୋକ ଧୁନ୍‍ ସହିତ ଆଧୁନିକ ଗୀତିକବିତାର ଚମକ୍ରାର ମିଶ୍ରଣ ଘଟିଛି । ରଙ୍ଗବତୀ ବୋଲି କୌଣସି ଲୋକଗୀତର ଧାରା ପଶ୍ଚିମ ଓଡ଼ିଶାରେ ନାହିଁ ।

କାହାଣୀ ୨ : ଆମେ ବଜାରରେ ଯେଉଁ ସମ୍ବଲପୁରୀ ଗୀତ ଶୁଣୁ, ସେସବୁ ପଶ୍ଚିମ ଓଡ଼ିଶାର ଲୋକଗୀତ ।

ବାସ୍ତବତା : ଅସଲ କଥା ହେଉଛି ପଶ୍ଚିମ ଓଡ଼ିଶାର ଅନେକ ଲୋକଗୀତ ଏବେ ମୃତ୍ୟୁ ମୁଖରେ । ସମ୍ବଲପୁରୀ ଗୀତର ବଜାର ସୃଷ୍ଟି ହେବା ପରେ ଏହାକୁ ଅଧିକ ଲୋକପ୍ରିୟ ତଥା ବଜାରଧର୍ମୀ କରିବାକୁ ଯାଇ ସମ୍ବଲପୁରୀ ଗୀତର ଲୋକଧର୍ମକୁ ମାରିଦିଆଗଲା । ସତୁରୀ ଦଶକରେ ଫକୀର ପଟ୍ଟନାୟକ, ବିଭୂତି ପଟ୍ଟନାୟକ, ଦିଲ୍ଳୀପ ବାଗ୍‍, ଜିତେନ୍ଦ୍ର ହରିପାଲ୍‍, କ୍ରିଷ୍ଣା ପଟେଲ୍‍, ଡଲି ମିଶ୍ର ପ୍ରମୁଖ ଲୋକଧର୍ମୀ ସମ୍ବଲପୁରୀ ଗୀତକୁ ନୂଆ ଢଙ୍ଗରେ ପରିବେଷଣ କରିବା ଆରମ୍ଭ କରିଦେଲେ ।

ଏହାକୁ ଆମେ ସମ୍ବଲପୁରୀର ଆଧୁନିକ ସୁଗମ ସଙ୍ଗୀତ ବୋଲି କହିପାରିବା । ପଶ୍ଚିମ ଓଡ଼ିଶାର ମୌଳିକ ଲୋକଗୀତର ଶୈଳୀ ସବୁ ହେଉଛି ଡାଲ୍‍ଖାଇ, ରସରକେଲି, ମାଏଲାଜଡ଼, ହୁମବଉଲି, ଜାଇଫୁଲ, ସଜନୀ ଗୀତ, ଦୁଲାବିହା, ନଚନିଆ, ବଜ୍‍ନିଆ, ମାଲେଶ୍ରୀ, ଘୁମ୍‍ରା ଇତ୍ୟାଦି । ଏହା ସହିତ ଉପକୂଳ ଓଡ଼ିଶାର ପାଲା ପରି ପଶ୍ଚିମ ଓଡ଼ିଶାର ସଂଚାର ଓ ସମ୍ପ୍ରଦା ମଧ୍ୟ ରହିଛି ।

ଶହେରୁ ଅଧିକ ଶ୍ରେଣୀର ଲୋକଗୀତ ଆଜି ମଧ୍ୟ ଜନଜୀବନରେ ପ୍ରଚଳିତ । ଏହାର ସଂରକ୍ଷଣ ତଥା ଗାୟନକୁ ନେଇ କୌଣସି ଉଦ୍ୟମ ହେଉନାହଁ । ଯେଉଁମାନେ ରଙ୍ଗବତୀ ଗୀତ ମାଧ୍ୟମରେ ସମ୍ବଲପୁରୀ ଲୋକକଳା ବିଶ୍ୱବ୍ୟାପୀ ହେଲା ବୋଲି ଡିଣ୍ଡିମ ପିଟୁଛନ୍ତି, ସେମାନେ ବୁଝିବା ଉଚିତ ଯେ ନୂଆକରି ପରିବେଷଣ ହୋଇଥିବା ରଙ୍ଗବତୀରେ ସମ୍ବଲପୁରୀ ଲୋକଗୀତ କୌଣସି ପ୍ରଭାବ ନାହିଁ । ଏହା ବଲିଉଡ୍‍ର ଏକ ଉଦ୍ଭଟ ଫୁ୍ୟଜନ୍‍ ମାତ୍ର ।

କାହାଣୀ ୩ : ନୂଆ ରଙ୍ଗବତୀ ହେଉଛି ନୂଆପିଢିକୁ ଆକୃଷ୍ଟ କରିବାର ଏକମାତ୍ର ମାର୍ଗ । ଏହା ରିମିକ୍ସ ବଜାରରେ ନୂଆ ଉତ୍ସାହ ସୃଷ୍ଟି କରିଛି ।

ବାସ୍ତବତା : ରିମିକ୍ସ ବା ଫୁ୍ୟଜନ୍‍ରେ ଦୁଇଟି ବା ଅଧିକ ସଙ୍ଗୀତଶୈଳୀର ମିଶ୍ରଣ କରାଯାଇଥାଏ । ରିମିକ୍ସରେ ମୂଳ ଗୀତର ସ୍ୱରଲିପି ଓ ସାହିତ୍ୟକୁ ଅକ୍ଷୁଣ୍ଣ ରଖାଯାଇଥାଏ । ସୋନା ମହାପାତ୍ର ଙ୍କ ରଙ୍ଗବତୀରେ ରଙ୍ଗବତୀର ମୂଳ ସ୍ୱରଲିପି ବିକୃତ ହୋଇଥିବାବେଳେ ଏହାର ସାହିତ୍ୟକୁ ମଧ୍ୟ ନଷ୍ଟ ଭ୍ରଷ୍ଟ କରାଯାଇଛି । ଏଥିରେ ସମ୍ବଲପୁରୀ ଲୋକଶୈଳୀ ସହ ଆଧୁନିକ ସ୍ୱର ଓ ବାଦ୍ୟର ସମନ୍ୱୟ ଘଟିନାହିଁ ।

ଏହା କେବଳ ଆଧୁନିକତାର ବିକଳ ଅନୁକରଣ । ଅନେକ ସମୟରେ ରିମିକ୍ସରେ ମୂଳ ଗୀତର ଗାୟକ ଗାୟିକାଙ୍କୁ ନିଆଯାଇଥାଏ । ଏ କ୍ଷେତ୍ରରେ ତାହା ମଧ୍ୟ ଘଟିନାହିଁ । ତେଣୁ ଏହାକୁ ମୌଳିକ ଭାବରେ ରିମିକ୍ସ ବୋଲି ମଧ୍ୟ କୁହାଯାଇପାରିବ ନାହିଁ ।

କାହାଣୀ ୪ : ରଙ୍ଗବତୀ ଗାଇଲାବେଳେ ସୋନା ମହାପାତ୍ର ଯେଉଁ ଉଚ୍ଚାରଣଗତ ତ୍ରୁଟି କରିଛନ୍ତି, ତାହା ସହଜରେ ଗ୍ରହଣୀୟ ।ଏପ୍ରକାର ଛୋଟ ଛୋଟ ଭୁଲ୍‍କୁ ନେଇ ସମାଲୋଚନା କରିବା ଅବାନ୍ତର ।

ବାସ୍ତବତା : ଗୋଟେ ଗୀତର ପ୍ରାଣ ହେଉଛି ତା’ର କବିତା । କବିତାରେ ଥିବା ଶବ୍ଦ ଓ ଭାବକୁ ବଦଳାଇବାର ଅଧିକାର ଗାୟକ ପାଖରେ ନାହିଁ । ଉଦାହରଣ ସ୍ୱରୂପ ‘ରଙ୍ଗ ବର୍‍ସେ ଭିଗେ ଚୁନ୍‍ରବାଲୀ’ କୁ ‘ଭାଙ୍ଗ ବର୍‍ସେ ଜାଗେ ହୁନର୍‍ବାଲୀ’ବୋଲି ଗାଇବା ସମ୍ଭବ ନୁହେଁ । ରଙ୍ଗବତୀ ଗୀତରେ ଗୋଟିଏ ଧାଡ଼ି ମୂଳ ରଚନା ସହ ସମାନ ନୁହେଁ ।

ପୁନଶ୍ଚ ଜଣେ ଜୀବିତ ଲେଖକଙ୍କ ଗୀତକୁ ଜାତୀୟ ସ୍ତରରେ ପରିବେଷଣ କରିବା ପୂର୍ବରୁ ତାଙ୍କର ଅନୁମତି ନ ନେବା କେବଳ ଅଭଦ୍ରାମି ନୁହେଁ, ଏହା ବେଆଇନ ମଧ୍ୟ ।

କାହାଣୀ ୫ : ଓଡ଼ିଆ ସଂସ୍କୃତିର ଜାତୀୟ ବଜାର ନାହିଁ ଓ ଆନ୍ତର୍ଜାତିକ ସ୍ତରରେ ଓଡ଼ିଆ ସଂସ୍କୃତିକୁ କେହି ଚିହ୍ନନ୍ତି ନାହିଁ ।

ବାସ୍ତବତା : ଓଡ଼ିଶାର ବହୁ ସାଂସ୍କୃତିକ ବିଭବ ରହିଛି ଯାହା ଏବେ ଆନ୍ତର୍ଜାତିକ ବଜାରରେ ମାନ୍ୟତା ପାଇସାରିଛି । ଓଡ଼ିଶୀ ନୃତ୍ୟ ତା’ର ଏକ ଉଦାହରଣ । ପୃଥିବୀର ଶହେରୁ ଅଧିକ ଦେଶରେ ଓଡ଼ିଶୀ ନୃତ୍ୟ ନିଜର ପ୍ରଭାବ ବିସ୍ତାର କରିଛି । ଗୋଟିପୁଅ, ଛଉ, ସମ୍ବଲପୁରୀ ଓ ଆହୁରି ଅନ୍ୟାନ୍ୟ ଅନେକ ଲୋକକଳା ଅଛି, ଯାହାର ଆଦର ଦେଶବିଦେଶରେ ରହିଛି ।

ତେବେ ଓଡ଼ିଶା ଭିତରେ ଏହି ସବୁ ଲୋକକଳାକୁ ପ୍ରେତ୍ସାହନ ଦେବା ପାଇଁ ଆମର ମଧ୍ୟବିତ୍ତମାନେ ଆଦୌ ଚିନ୍ତିତ ନୁହନ୍ତି ।ସବୁଠୁ ବଡ଼ କଥା ହେଉଛି, ଓଡ଼ିଆ ମଧ୍ୟବିତ୍ତମାନେ ନିଜ ସଂସ୍କୃତି ସମ୍ପର୍କରେ ଅନେକାଂଶରେ ନିରକ୍ଷର ଓ ଉଦାସୀନ । ସେମାନେ ଖବରକାଗଜ ଓ ଟେଲିଭିଜନକୁ ସଂସ୍କୃତିର ମାଧ୍ୟମ ବୋଲି ବିବେଚନା କରନ୍ତି । ଯାହାଫଳରେ ସଂସ୍କୃତିର କୌଣସି ଉପଯୁକ୍ତ ତଥ୍ୟ ଆମ ପାଖରେ ପହଞ୍ଚେ ନାହିଁ ।

 

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

Filed Under: ରୋକ ଠୋକ Tagged With: ବିବାଦ, ରଙ୍ଗବତୀ, ରିମିକ୍ସ

ଭୀମବକରାଳମ୍‍ ଓ ରଙ୍ଗବତୀର ପ୍ରତ୍ୟାବର୍ତ୍ତନ (ରୋକ୍ ଠୋକ୍)

July 7, 2015 by News Bureau Leave a Comment

କେଦାର ମିଶ୍ର

ଭୀମବକରାଳମ୍‍ ବୋଲି କୌଣସି ଶବ୍ଦ ନାହିଁ । ଶବ୍ଦ ଯେହେତୁ ନାହିଁ, ତା’ର ଅର୍ଥ ମଧ୍ୟ ନାହିଁ । ତେବେ ଏହି ଶବ୍ଦଟି ସହ ଗୋଟେ ସ୍ମୃତି ରହିଛି । ସାଧାରଣ ଭୁଲ୍‍ଟିଏ କେମିତି କିମ୍ଭୂତ କିମାକାର ରୂପ ନେଇପାରେ, ତା’ର ନାଁ ଭୀମବକରାଳମ୍‍ ହୋଇପାରେ । କଥାଟି ଟିକେ ସ୍ପଷ୍ଟ କରି କୁହାଯାଉ ।

୧୯୯୯ ମହାବାତ୍ୟା ପରେ ଜଣେ ପ୍ରସିଦ୍ଧ ସାହିତ୍ୟ ପତ୍ରିକାର ସମ୍ପାଦକ ମହାବାତ୍ୟାର ଅନୁଭବକୁ ନେଇ ଏକ ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶ କରିବାକୁ ଚାହିଁଲେ । ଏଥିପାଇଁ କବି ଜୟଦେବଙ୍କ ଦଶାବତାର ଭିତରୁ କଳ୍‍କୀ ଅବତାରର ବର୍ଣ୍ଣନାରୁ ଧାଡ଼ିଟିଏ ନେବାପାଇଁ ସମ୍ପାଦକଙ୍କର ଇଚ୍ଛା ହେଲା ।

ସେଥିପାଇଁ ଗୀତଗୋବିନ୍ଦ ବହି ଅପେକ୍ଷା ସମ୍ପାଦକ ଏହାର ଗୀତ ଉପରେ ନିର୍ଭର କରି ଧାଡ଼ିଟିକୁ ବାଛିବାକୁ ଚାହିଁଲେ । କଳ୍‍କୀ ଅବତାରର ବର୍ଣ୍ଣନା ସେ ଯେତେଥର ଶୁଣିଲେ, ତାଙ୍କୁ ଲାଗିଲା ‘ଧୂମକେତୁମିବ ଭୀମବକରାଳମ୍‍’ । ଆଠ ଦଶଥର ଶୁଣିସାରିଲା ପରେ ମଧ୍ୟ ତାଙ୍କୁ ଲାଗିଲା ତାହାହିଁ ଠିକ୍‍ ଅଛି । ଶେଷରେ ପତ୍ରିକାରେ ଭୀମବକରାଳମ୍‍ ବାହାରିଲା ।

ଜିତେନ୍ଦ୍ରିୟ ହରିପାଲ ଓ କୃଷ୍ଣା ପଟେଲ ଗାଇଥିବା ମୂଳ ସଙ୍ଗୀତ

 

ପତ୍ରିକାଟି ବାହାରିଲା ପରେ ପ୍ରଖ୍ୟାତ ଲେଖକ ଚନ୍ଦ୍ରଶେଖର ରଥ ତାକୁ ଦେଖି ପଚାରିଲେ- ‘ଭୀମବକରଳାମ’ର ଅର୍ଥ କ’ଣ ? ସମ୍ପାଦକ ମହାଶୟ ଗୀତ ଗୋବିନ୍ଦର ଉଦ୍ଧୃତି ବୋଲି କହିଲାରୁ ଶ୍ରୀଯୁକ୍ତ ରଥ କହିଲେ, ଶ୍ରୀଜୟଦେବ ଲେଖିଛନ୍ତି ‘ଧୂମକେତୁମିବ କିମପିକରାଳମ୍‍’ ଅର୍ଥାତ୍‍ ଧୂମକେତୁ ପରି ଅତ୍ୟନ୍ତ କରାଳ । ପଢିବା ଓ ଶୁଣିବାରେ ଏତେକ ଫରକ । ଶୁଣିବାବେଳେ ଆମେ ଜାଣିନଥିବା ଭାଷାଟିକୁ ନିଜ ମନରୁ ଫାନ୍ଦି ଗଢି ଦେଉ ।

ଯାହାଫଳରେ ‘କିମପିକରାଳମ୍‍’ ‘ଭୀମବକରାଳମ୍‍’ ହୋଇଯାଇପାରେ । ଆଜି ଯେତେବେଳେ ରଙ୍ଗବତୀ ପ୍ରତ୍ୟାବର୍ତ୍ତନ ଗୀତଟିକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଆରମ୍ଭ ହୋଇଛି ଓ ଏହାକୁ ନେଇ ବିବଦମାନ ସ୍ଥିତି ଉଭା ହୋଇଛି, ସେତେବେଳେ ଏହି ପ୍ରସଙ୍ଗଟି ନିହାତି ବିଚାରଯୋଗ୍ୟ । ସତୁରୀ ଦଶକର ରଙ୍ଗବତୀ ଗୀତ କୋଶଳୀ/ସମ୍ବଲପୁରୀ ଭାଷାରେ ଏକ ନୂଆ ଯୁଗ ସୃଷ୍ଟି କରିଥିଲା ।

ଲୋକପ୍ରିୟତା, ଶୁଦ୍ଧତା, ଭାବର ଆବେଦନ, ରସସୃଷ୍ଟି ଓ ମୌଳିକ ଲୋକପରମ୍ପରାକୁ ଅକ୍ଷୁଣ୍ଣ ରଖି ପାରିବାର ଏକ ଅଦ୍ଭୁତ ସଙ୍ଗମ ଏହି ଗୀତରେ ଘଟିଥିଲା । ଲୋକ ସ୍ୱର ଦ୍ୱାରା ଅନୁପ୍ରେରିତ ଏହି ଗୀତଟି ପ୍ରଥମେ ସମ୍ବଲପୁର ଆକାଶବାଣୀରେ ବାଜିଲା ପରେ ୧୯୭୮ରେ ଗ୍ରାମ୍‍କୋ କମ୍ପାନୀ ଦ୍ୱାରା ବଜାରକୁ ଆସିଥିଲା ।

ବଜାରକୁ ଆସିବା ପୂର୍ବରୁ ପ୍ରାୟ ତିନିବର୍ଷର ସଂଘର୍ଷ ଏହି ଗୀତ ପଛରେ ରହିଛି । ଗୀତର ଆବେଦନ ସେତେବେଳେ ଏତେ ବ୍ୟାପକ ହେବ ବୋଲି କେହି ଚିନ୍ତା କରି ନଥିଲେ । ତେବେ ସେତେବେଳେ ଗୀତଟି ଗୋଲ୍ଡେନ୍‍ ଡିସ୍କ୍‍ ପାଇବାରେ ସମର୍ଥ ହୋଇଥିଲା ଓ ଲକ୍ଷାଧିକ ଡିସ୍କ୍‍, କ୍ୟାସେଟ୍‍ ଓ ସିଡ଼ି ବିକି୍ର ହୋଇଥିଲା । ଆଜି ମଧ୍ୟ ହୋଇଚାଲିଛି ।

ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗଉନ୍ତିଆ ଜଣେ ଖ୍ୟାତନାମା କୋଶଳୀ କବି । ତାଙ୍କ କବିତାର ଭାବ ଓ ଶବ୍ଦଗୁଣ ନିଆରା । ଦେଶୀ ଶବ୍ଦରେ ମାନବୀୟ ସମ୍ବେଦନା ସୃଷ୍ଟି କରିବାର ଅପୂର୍ବ ଯାଦୁକରୀ ତାଙ୍କ କଲମରେ ରହିଛି । ରଙ୍ଗବତୀ ଗୀତରେ ସେହି ଯାଦୁକରୀ ନୂଆ ଏକ ରୂପ ପାଇଥିଲା । ଏହି ଗୀତରେ ଯେତିକି ଉନ୍ମାଦନା ରହିଛି, ସେତିକି ମାନବୀୟ ସମ୍ବେଦନା ମଧ୍ୟ ରହିଛି । ଏହା କେବଳ ସାଧାରଣ ପ୍ରେମ ଗୀତ ନୁହେଁ । ଏହାର ଶେଷରେ କବି କହିବାକୁ ଚାହିଁଛନ୍ତି ‘ଯୁଗେ ଯୁଗେ କଥା ଗାଏବା ଗୀତା ।’

ସତେଯେମିତି କବି ଜାଣିଥିଲେ ଯେ ଏହି ଗୀତ ସମୟକୁ ଅତିକ୍ରମ କରି ମଣିଷର ଭାବଗୀତ ପାଲଟିଯିବ । ସମୟକ୍ରମେ ଏହି ଗୀତ ସହ ଓଡ଼ିଶାର ସାଂସ୍କୃତିକ ଜନଜୀବନ ଯୋଡ଼ି ହୋଇଯାଇଛି । ପ୍ରତ୍ୟେକ ଓଡ଼ିଆ ଉତ୍ସବ ବ୍ୟସନରେ ରଙ୍ଗବତୀ ଆମ ଜୀବନର ଅଂଶ ପାଲଟିଯାଇଛି ।

ନାଚିବା କଥା ଉଠିଲେ ରଙ୍ଗବତୀ ଗୀତଠୁ ବିକଳ୍ପ ଉପାଦାନ ଆଉ କିଛିନାହିଁ । ଏହାର ଦୁଇ ମହାନ୍‍ କଣ୍ଠଶିଳ୍ପୀ ଜିତେନ୍ଦ୍ରୀୟ ହରିପାଲ୍‍ ଓ କୃଷ୍ଣା ପଟେଲ୍‍ ଆମ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛନ୍ତି । ଏମିତି ବି କୁହାଯାଇପାରେ ଯେ ରଙ୍ଗବତୀ ଗୀତ ଓଡ଼ିଶାର ଭୌଗୋଳିକ ସୀମା ଅତିକ୍ରମ କରି ଜାତୀୟ ଓ ଆନ୍ତର୍ଜାତିକ ପରିସରକୁ ମଧ୍ୟ ଯାଇଛି ।

ବିଭିନ୍ନ ଭାରତୀୟ ଭାଷାରେ ଏହାର ନୂଆ ସଂସ୍କରଣ ବାହାରିଛି । ହଠାତ୍‍ ଏହି ବର୍ଷ ରଙ୍ଗବତୀ ନୂଆ ରୂପରେ ପ୍ରତ୍ୟାବର୍ତ୍ତନ କରୁଛି ବୋଲି ଆମେ ଶୁଣିଲୁ ଓ ଶୁଣିଲା ପରେ ଆମେ ଯାହା ଦେଖିଲୁ ତାହା ରଙ୍ଗବତୀ ନଥିଲା, ତାହା ରଙ୍ଗବତୀର କଙ୍କାଳରେ ମଖମଲି ଝାଲର ପିନ୍ଧାଯାଇଥିବା ଏକ ଭୟଙ୍କର ଶବଯାତ୍ରା ।

ମୁମ୍ବାଇରେ ଖ୍ୟାତିଲାଭ କରିଥିବା ଓଡ଼ିଆ ଗାୟିକା ସୋନା ମହାପାତ୍ର ଓ ଉଦୀୟମାନ ତାରକା ଋତୁରାଜ ମହାନ୍ତି ‘ରଙ୍ଗବତୀ ରିଟର୍ଣ୍ଣସ୍‍’ ନାମରେ ଏହି ଗୀତର ରିମିକ୍ସ ପ୍ରସିଦ୍ଧ କୋକ୍‍ ଷ୍ଟୁଡ଼ିଓରେ ପ୍ରସ୍ତୁତ କରିଥିଲେ । କାର୍ଯ୍ୟକ୍ରମଟି ପ୍ରସାରିତ ହେବା ପୂର୍ବରୁ ୟୁ ଟୁ୍ୟବ୍‍ରେ ଏହାକୁ ନେଇ ବହୁ ଉତ୍ସାହ ଦେଖିବାକୁ ମିଳିଲା ।

ରଙ୍ଗବତୀ ପୁଣିଥରେ ଫେରି ଆସିଥିବାରୁ ଓ ଏହା ସାରା ପୃଥିବୀର ଦର୍ଶକଙ୍କୁ ନୂଆ ଆନନ୍ଦ ଦେବାର ସମ୍ଭାବନାକୁ ନେଇ ଆମର ଯୁବ ଶ୍ରୋତାମାନେ ଉତ୍‍ଫୁଲ୍ଲିତ ହୋଇ ପଡ଼ିଲେ । ତେବେ ଏହି ଆନନ୍ଦ ଦୀର୍ଘସ୍ଥାୟୀ ହେଲା ନାହିଁ । ଗୀତଟି ଶୁଣିବା ପରେ ଲାଗିଲା ଗାୟିକା ସୋନା ମହାପାତ୍ର ରଙ୍ଗବତୀ ଗୀତର ଭାବକୁ କେବଳ ନଷ୍ଟ କରିନାହାନ୍ତି, ଏହାର ସୁର, ତାଳ, ଲୟ ଓ ଛନ୍ଦକୁ ପୂରାପୂରି ନଷ୍ଟ କରିଛନ୍ତି ।

ରିମିକ୍ସ ଯୁଗରେ ଏପ୍ରକାର ସ୍ୱାଧୀନତା ହୁଏତ ଜଣେ ସଂଗୀତକାର ନେଇପାରେ ! କିନ୍ତୁ ଏହାରସବୁଠୁ ଅପରାଧିକ ଦିଗଟି ହେଉଛି ଗୀତଟିକୁ ଭୁଲ୍‍ଭାଲ୍‍ କରି ଗାଇବାର ଅପସାହସ । ଗାୟିକା ସୋନା ମହାପାତ୍ର ଓ ପ୍ରଯୋଜକ ରାମ ସମ୍ପତ୍‍ ଗୀତଟିର ମର୍ମ ବୁଝିବା ଦୂରେ ଥାଉ ଏହାର ଶବ୍ଦ ବୁଝି ପାରିନାହାନ୍ତି । ଆମେ ଯେଉଁ ‘କିମପିକରାଳମ୍‍’ ଓ ‘ଭୀମବକରାଳମ୍‍’ର ଉଦାହରଣ ଆରମ୍ଭରୁ ଦେଇଥିଲୁ ଏଥିରେ ତାହା ସ୍ପଷ୍ଟ ପ୍ରତିଫଳନ ଦେଖିବାକୁ ମିଳୁଛି ।

ସୋନା ମହାପାତ୍ର ରଙ୍ଗବତୀକୁ ଅନେକ ସମୟରେ ରଙ୍ଗ ରଙ୍ଗ ବୋଲି ସମ୍ବୋଧନ କରିଛନ୍ତି । ସେ ଜାଣନ୍ତି ନାହିଁ ଯେ କୋଶଳୀ ଭାଷାରେ ରଙ୍ଗ ଶବ୍ଦର ଅର୍ଥ ତୃତୀୟ ଲିଙ୍ଗକୁ ବୁଝାଯାଏ । ରଙ୍ଗବତୀ ସ୍ଥାନରେ ରଙ୍ଗର ଉଚ୍ଚାରଣ ଗୀତଟିକୁ ଅର୍ଦ୍ଧପାଗଳଙ୍କ ସାରେଗାମାରେ ରୂପାନ୍ତରିତ କରିଛି ।

ଗୀତରେ ମାତ୍ର ଗୋଟିଏ ମୁଖୁଡ଼ା ଓ ଗୋଟିଏ ଅନ୍ତରା ନିଆଯାଇଛି । ଆଠଧାଡ଼ି ଭିତରେ ଚାରିଧାଡ଼ି ଭୁଲ୍‍ ରହିଛି । ଉଦାହରଣ ଦେଇ କୁହାଯାଇପାରେ – ଲାଜେ ଲାଜେ ନଇଁ ଯାଉଛେ ମଥା ଗୋ ସ୍ଥାନରେ ଲାଜେ ଲାଜେ ନଇଁ ଯାଉଛି ମଥା, ରାନୀ ଟାଗେ ସୂତା ମାଲି ହେଲାନ ଗୁନ୍ଥା ସ୍ଥାନରେ ରାନୀ ଟାଗେ ସୂତା ମାଲି ହେଲା କୂରୁତା, ବନେ ମଲୀ ମହକନ ସ୍ଥାନରେ ମାନେ ମାଲି ମହକନ ଓ ଉବୁଟୁବୁ ମନେ କଲେ ସୁରୁତା ସ୍ଥାନରେ ଗୋଟେ ଅଦ୍‍ଭୁତ ଧାଡ଼ି ସୋନା ମହାପାତ୍ର ଉଚ୍ଚାରଣ କରିଛନ୍ତି ।

ସେମିତି ବିହି ଖଞ୍ଜିଦେଲା ସାଙ୍ଗ ସରିସାକୁ ମଧ୍ୟ ଅତ୍ୟନ୍ତ ବିକୃତ ଭାବରେ ଗାନ କରାଯାଇଛି । ମୋଟାମୋଟି ଦେଖିବାକୁ ଗଲେ ୧୦ ଧାଡ଼ିର ଗୀତରେ ପାଞ୍ଚ ଧାଡ଼ି ଭୁଲ୍‍ । ତଥାପି ଏହାକୁ ନେଇ ଆମେ ଗର୍ବିତ ହେବା ଉଚିତ ବୋଲି କେହି କେହି ଆମକୁ ଉପଦେଶ ଦେଉଛନ୍ତି ।

ରଙ୍ଗବତୀ ଗୀତ କୋକ ଷ୍ଟୁଡ଼ିଓ ମାଧ୍ୟମରେ ଆନ୍ତର୍ଜାତିକ ବଜାରରେ ପ୍ରବେଶ କଲା ଓ ନୂଆ ପିଢି ଏହାକୁ ଶୁଣି ତାଙ୍କ ଚେରକୁ ଫେରିଯିବାର ସମ୍ଭାବନା ଥିବାରୁ ସୋନା ମହାପାତ୍ରଙ୍କୁ ଓଡ଼ିଆମାନେ ଧନ୍ୟବାଦ ଦେବା ଉଚିତ ବୋଲି କେହି କେହି କହୁଛନ୍ତି । କହିବାରେ ମନା ନାହିଁ ।

ତେବେ ସୋନା ମହାପାତ୍ରଙ୍କ ଦୟା ଉପରେ ରଙ୍ଗବତୀ ଗୀତର ଲୋକପ୍ରିୟତା ନିର୍ଭର କରେ ନାହିଁ । ମୂଳ ରଙ୍ଗବତୀ ଗୀତ ଆଜି ମଧ୍ୟ ଭୀଷଣ ଭାବରେ ଲୋକପ୍ରିୟ ଓ ଏହାର ନବ ଆବିଷ୍କାର ଯଦି କରିବା କଥା, ସେ ଶକ୍ତି ଏହାର ମୂଳ ଗାୟକ ଜିତେନ୍ଦ୍ରୀୟ ହରିପାଲ୍‍ଙ୍କ ପାଖରେ ରହିଛି ।

ଏହି ଗୀତର ଚାରି ସେନାପତି ପ୍ରଭୁଦତ୍ତ ପ୍ରଧାନ, ମିତ୍ରଭାନୁ ଗଉନ୍ତିଆ, ଜିତେନ୍ଦ୍ରୀୟ ହରିପାଲ୍‍ ଓ କ୍ରିଷ୍ଣା ପଟେଲ୍‍ଙ୍କ ପାଖରେ ଏହାର ସୃଜନଶୀଳ ଅଧିକାର ରହିଛି । ତାଙ୍କର ବିନା ଅନୁମତିରେ ଏହି ଗୀତର ଦୂରୁପଯୋଗ ଯିଏ ବି କରୁ, ତା’କୁ ଗ୍ରହଣ କରାଯାଇପାରିବ ନାହିଁ ।

ଗାୟିକା ସୋନା ମହାପାତ୍ର ଓ ପ୍ରଯୋଜକ ରାମ ସମ୍ପତ୍‍ ନିଜ ଗୁଣରେ ପ୍ରସିଦ୍ଧ । ତାଙ୍କର ସୃଜନଶୀଳତା ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି । ତେବେ କଳାକାରଭାବରେ ନିଜ ପୂର୍ବସୁରୀଙ୍କ ପ୍ରତି ସୋନା ସାମାନ୍ୟତମ ମର୍ଯ୍ୟାଦା ପ୍ରଦର୍ଶନ କରି ନାହାନ୍ତି ।

କେବଳ ନାଁ ଦେଇଦେଲେ ସମ୍ମାନ ପୂର୍ଣ୍ଣାଙ୍ଗ ହୁଏ ନାହିଁ, ଏକ ବ୍ୟାବସାୟିକ ପ୍ରସ୍ତୁତି ଭାବରେ କୋକ୍‍ ଷ୍ଟୁଡ଼ିଓ ଏହାର ମାଲିକାନାକୁ ନେଇ ଭବିଷ୍ୟତରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବ । ତା’ର ଅଂଶ ମୂଳ ଗୀତିକାର ଓ ସଙ୍ଗୀତକାରକୁ ନ ମିଳିବା ଏକପ୍ରକାର ଅପରାଧ । ଏହି ଅପରାଧକୁ ଓଡ଼ିଶାବାସୀ ଗ୍ରହଣ କରି ନିଅନ୍ତୁ ବୋଲି ଯେଉଁମାନେ ଯୁକ୍ତି କରୁଛନ୍ତି, ସେମାନେ ନିଜେ ନିଜର ମାନସିକତା ପରୀକ୍ଷା କରାଇବା ଉଚିତ ।

ଗୀତର ଶବ୍ଦ ନ ବୁଝି, ଭାବ ନ ଜାଣି ଓ ମରମରେ ଅନୁଭବ ନ କରି ଏହାର ନୂଆ ଆବିଷ୍କାର ସମ୍ଭବ ନୁହଁ । କହିବାରେ ଦ୍ୱିଧା ନାହିଁ ଯେ, ସୋନା ଏବଂ ରାମ୍‍ ଏହାକୁ ଆବିଷ୍କାର କରିବାରେ ବିଫଳ ହୋଇଛନ୍ତି ।

ସବୁଠୁ ପ୍ରଳମ୍ବଅଶୁଦ୍ଧି ହେଉଛି ରଙ୍ଗବତୀ ଭଳି ଏକ ପ୍ରେମ ଗୀତ ସହିତ ଓଡ଼ିଶାର ଜାତୀୟ ସଂଗୀତ ବନେ୍ଦ ଉକ୍ରଳ ଜନନୀର ଅଦ୍ଭୁତ ସମାଗମ । ରଙ୍ଗବତୀ ଗୀତର ଉନ୍ମାଦନା ସହିତ ବନେ୍ଦ ଉକ୍ରଳ ଜନନୀର ସ୍ୱଦେଶ ପ୍ରେମ କେଉଁ ଦୃଷ୍ଟିରୁ ଗୋଟିଏ ସୂତ୍ରରେ ଗୁନ୍ଥା ହେବେ ତାହା ଆମେ ବୁଝିପାରୁନୁ ।

ପୁନଶ୍ଚ ଏକ ଜାତୀୟ ସଙ୍ଗୀତ ଗାନ କରିବାର ନିର୍ଦ୍ଧିଷ୍ଟ ନୀତି ନିୟମ ରହିଛି । ତାହା ନ କରି ପାଗଳଙ୍କ ପରି ନାଚି ନାଚି ବନେ୍ଦ ଉକ୍ରଳ ଜନନୀ ଗାଇବାଟା ଓଡ଼ିଶା ପ୍ରତି ସମ୍ମାନ ନା ଅପମାନ ତାହା ଓଡ଼ିଶାବାସୀ ନିର୍ଣ୍ଣୟ କରନ୍ତୁ ।

ପ୍ରତ୍ୟେକ ସୃଜନଶୀଳ ସ୍ରଷ୍ଟାର ନିଜସ୍ୱ ସ୍ୱାଧୀନତା ଓ ଅଧିକାର ରହିଛି । ଏତେ ସବୁ ଅଭିଯୋଗ ସତ୍ତ୍ୱେ ସୋନା ମହାପାତ୍ର ରାମ ସମ୍ପତ୍‍ ଓ ଋତୁରାଜ ମହାନ୍ତିଙ୍କ ପ୍ରତି ଆମର ସମ୍ମାନ ରହିଛି ଓ ତାଙ୍କର ସ୍ୱାଧୀନତା ଉପରେ ଆମ ପ୍ରଶ୍ନଚିହ୍ନ ଲଗାଉ ନାହୁଁ ।

ତେବେ ଏତିକି ନିଶ୍ଚୟ କହିବୁ ଯେ କୌଣସି ଗୀତକୁ ନୂଆ କରି ଆବିଷ୍କାର କରିବା ପାଇଁ ଯଦି ଚାହୁଁଛନ୍ତି, ସେ ଗୀତକୁ ପ୍ରଥମେ ବୁଝନ୍ତୁ, ମନ ଦେଇ ଭଲପା’ନ୍ତୁ ଓ ତା’ପରେ ଯାଇ ତାକୁ ନୂଆ ପରିବେଷଣ କରିବାରେ ସାହସ କରନ୍ତୁ ।

ନହେଲେ ସମୁଦାୟ ଗୀତଟି ଗୋଟେ ଅର୍ଥହୀନ ଭୀମବକରାଳରେ ପରିଣତ ହେବା ସାର ହେବ । ଏଥିରେ ଗୌରବ ତୁଳନାରେ ଜାତିର ଗୌରବ ମାଟିରେ ମିଶିଯିବ ।

ଫୋନ୍‍ : ୯୪୩୭୧୫୪୪୪୫

Filed Under: ମନୋରଞ୍ଜନ, ରୋକ ଠୋକ Tagged With: ଜିତେନ୍ଦ୍ରିୟ ହରିପାଳ, ରଙ୍ଗବତୀ, ସୋନା ମହାପାତ୍ର

‘ରଙ୍ଗବତୀ ରିଟର୍ନସ’କୁ ନେଇ ବିବାଦ

July 5, 2015 by News Bureau Leave a Comment

ଓଡିଶା ଡଟ କମ: ଶାନ୍ତନୁ ବିଶ୍ଵାଳ

ସମ୍ବଲପୁର, ୫ ଜୁଲାଇ (ଓଡିଶା ଡଟ କମ) ଲୋକପ୍ରିୟ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ନୂଆ ରିମେକ ‘ରଙ୍ଗବତୀ ରିଟର୍ନସ’ରେ ମୂଳ ସଙ୍ଗୀତକୁ ବିକୃତ କରାଯାଇଥିବା ଅଭିଯୋଗ କରି ଗୀତର ଗୀତିକାର ଓ ସଂଗୀତ ନିର୍ଦ୍ଦେଶକ ରିମେକ ତିଆରି କରିଥିବା କମ୍ପାନୀ ବିରୁଦ୍ଧରେ ଏକ କୋଟି ଟଙ୍କାର କ୍ଷତିପୂରଣ ମାମଲା ଦାୟର କରିବେ ବୋଲି ଧମକ ଦେଇଛନ୍ତି ।

ସତୁରି ଦଶକରେ ଓଡିଆ ଯୁବପିଢୀକୁ ମତୁଆଲା କରିଥିବା ଲୋକପ୍ରିୟ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ନୂଆ ରିମେକ ‘ରଙ୍ଗବତୀ ରିଟର୍ନସ’ ରେ କଣ୍ଠଦାନ କରିଛନ୍ତି ଗାୟିକା ସୋନା ମହାପାତ୍ର, ଓ ଋତୁରାଜ ମହାନ୍ତି ଓ ଗାୟକ ରାମ ସମ୍ପଦ ।  ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି  ରାମ ସମ୍ପଦ ।

ମୂଳ ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆ ଓ ସଂଗୀତ ନିର୍ଦେଶକ ବିଭୁଦତ ପ୍ରଧାନ ଅଭିଯୋଗ କରିଛନ୍ତି ଯେ କପି ରାଇଟ୍ସକୁ ଉଲଂଘନ କରି ବିନା ଅନୁମତିରେ ରଙ୍ଗବତୀ ଗୀତକୁ ବିକୃତ କରି ରିମେକ କରାଯାଇଛି। ସେମାନେ ରିମେକ ତିଆରି କରିଥିବା କମ୍ପାନୀ ବିରୁଦ୍ଧରେ ୧ କୋଟି ଟଙ୍କାର ମାନହାନି ମାମଲା ଦାୟର କରିବେ ବୋଲି କହିଛନ୍ତି।

ମାମଲାରେ ହିନ୍ଦୁସ୍ଥାନ ବ୍ରେଭରେଜ ପ୍ରାଇଭେଟ ଲିମିଟେଡ, ହିନ୍ଦୁସ୍ଥାନ କୋକୋକୋଲା ହୋଲଡିଂସ ପ୍ରାଇଭେଟ ଲିମିଟେଡ , ଭାଇକମ-୧୮ ମିଡିଆ ପ୍ରାଇଭେଟ ଲିମିଟେଡ , ଗାୟିକା ସୋନା ମହାପାତ୍ର, ଗାୟକ ରାମ ସମ୍ପଦ ଓ ଋତୁରାଜ ମହାନ୍ତିଙ୍କୁ ପକ୍ଷଭୁତ କରି ସେମାନଙ୍କୁ ନୋଟିସ ପଠା ଯାଇଥିବା ସେମାନେ କହିଛନ୍ତି ।

ରିମେକ ରଙ୍ଗବତୀର ପ୍ରସାରଣ ତୁରନ୍ତ ବନ୍ଦ ବନ୍ଦ କରିବାସହ ୧୫ ଦିନ ମଧ୍ୟରେ କୋଟିଏ ଟଙ୍କା ମାନହାନି ପଇଠ କରିବାକୁ ରିମେକ କମ୍ପାନିକୁ ଆଡଭୋକେଟ ନୋଟିସ ପଠାଯାଇଛି। ନୋଟିସର ଅଣଦେଖା କରାଗଲେ ସମସ୍ତ ପ୍ରତିପକ୍ଷଙ୍କ ବିରୋଧରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନଙ୍କ  ପକ୍ଷରୁ ବରିଷ୍ଠ ଆଇନଜୀବୀ ସାଗରକୁମାର ପ୍ରଧାନ ସୂଚନା ଦେଇଛନ୍ତି ।

ଏହାସହ ଉତ୍ତରାଞ୍ଚଳ ରାଜସ୍ୱ କମିଶନଙ୍କୁ ସମ୍ବଲପୁରର ବିଭିନ୍ନ ସଂସ୍ଥା ପକ୍ଷରୁ ସ୍ମାରକ ପତ୍ର ଦିଆଯାଇଛି। ରାଜ୍ୟରେ ବିଶେଷ କରି ପଶ୍ଚିମ ଓଡିଶାରେ ରଙ୍ଗବତୀ ରିଟର୍ନସକୁ ନେଇ ଏବେ ପ୍ରତିବାଦ ତୀବ୍ର ହୋଇଛି ।

୧୯୭୫ ମସିହାରେ ରଙ୍ଗବତୀ ଗୀତ ଅଲ ଇଣ୍ଡିଆ ରେଡିଓରେ ପ୍ରଥମେ ପ୍ରସାରିତ ହୋଇଥିଲା। ଗୀତଟି ଗାଇଥିଲେ ସମ୍ବଲପୁରୀ ଗାୟକ ଜିତେନ୍ଦ୍ରିୟ ହରିପାଳ। ଦୀର୍ଘ ୪୦ ବର୍ଷ ଧରି ରଙ୍ଗବତୀର ତାଳରେ ଖାଲି ସମ୍ବଲପୁର ବା ପଶ୍ଚିମ ଓଡିଶା ନୁହଁ ସାରା ଓଡିଶା ନାଚିଛି।

https://youtu.be/62drmcfgXD0?t=27

ନୂଆ କିର୍ତିମାନ ସ୍ଥାପନ କରି ଲୋକପ୍ରିୟତାର ଚରମ ଶୀର୍ଷରେ ପହଞ୍ଚିଥିବା ଏହି ଲୋକଗୀତ ଦେଶ ବିଦେଶରେ ସଂଗୀତ ପ୍ରେମୀଙ୍କୁ ଆକର୍ଷିତ କରିବା ସହ ବିବିସି, ଭଏସ ଅଫ ଆମେରିକା ରେଡିଓରେ ମଧ୍ୟ ପ୍ରସାରିତ ହୋଇଛି ।

୧୯୭୬ ମସିହାରେ କୋଲକାତାର ଇନଡ୍ରେକୋ ନାମକ ମ୍ୟୁଜିକ କମ୍ପାନୀ ରଙ୍ଗବତୀ ଗୀତକୁ ରେକର୍ଡ କରିଥିଲା । କିନ୍ତୁ ବିଭିନ୍ନ ବ୍ୟକ୍ତି ଏହି ଗୀତକୁ ନିଜ ଗୀତ କହିବ ପରେ ଗୀତର କପି ରାଇଟ୍ସ ନେଇ ବିବାଦ ସୃଷ୍ଟିହେଲା ଓ ଗୀତଟି ରିଲିଜ ହୋଇ ପାରିନଥିଲା।

୧୯୭୮ରେ ଜିତେନ୍ଦ୍ରିୟ ଏହା ତାଙ୍କ ନିଜ ଗୀତବୋଲି ପ୍ରମାଣ ଦେବାପରେ ରଙ୍ଗବତୀ ରିଲିଜ କଲା ଇନଡ୍ରେକୋ ମ୍ୟୁଜିକ କମ୍ପାନୀ। ଏହା ପରେ ରଙ୍ଗବତୀ ଯେଉଁ ଲୋକପ୍ରିୟତା ହାସଲ କଲା ତାହା ଏକ ଇତିହାସ କହିଲେ ଅତ୍ୟୁକ୍ତି ହେବନାହିଁ ।

ଓଡିଶା ଡଟ କମ

Filed Under: ମନୋରଞ୍ଜନ Tagged With: ଜିତେନ୍ଦ୍ରିୟ ହରିପାଲ, ରଙ୍ଗବତୀ

ରଙ୍ଗବତୀର ଗାୟକ ଜିତେନ୍ଦ୍ରିୟ, କ୍ରୀଷ୍ଣାଙ୍କୁ ଡକ୍ଟରେଟ ସମ୍ମାନ

April 10, 2015 by ନିଉଜ ଡେସ୍କ 1 Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଏପ୍ରିଲ ୧୦ (ଓଡିଶା ଡଟ କମ ) ସତୁରୀ ଦଶକରେ ସମ୍ବଲପୁରୀ ଗୀତ ରଙ୍ଗବତୀ ଓ ରଙ୍ଗବତୀ ରେ କଣ୍ଠଦାନ କରି ଲୋକପ୍ରିୟ ହୋଇଥିବା ଜିତେନ୍ଦ୍ରିୟ ହରିପାଲ ଓ କ୍ରୀଷ୍ଣା ପଟେଲଙ୍କୁ ଶୁକ୍ରବାର ଓଡିଶା ଇଉନିଭର୍ସିଟି ଅଫ କଲଚର ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରିଛି ।

jitendriya haripalଭୁବନେଶ୍ଵରରେ ଆୟୋଜିତ ଇଉନିଭର୍ସିଟିର ଚତୁର୍ଥ ସମାବର୍ତ୍ତନ ଉତ୍ସବରେ ଏହି ପ୍ରସିଦ୍ଧ ଯୋଡିଙ୍କୁ ଏହି ସମ୍ମାନ ପ୍ରଦାନ କରା ଯାଇଛି ।

ଜିତେନ୍ଦ୍ରିୟ ଓ କ୍ରୀଷ୍ଣା ଗାଇଥିବା ଏହି ସମ୍ବଲପୁରୀ ଲୋକଗୀତ ୧୯୭୫ ମସିହାରେ ପ୍ରଥମେ ଆକାଶବାଣୀ ରେ ପ୍ରଚାରିତ ହୋଇଥିଲା। ପରବର୍ତୀ ସମୟରେ ଦେଶ ବିଦେଶର ଅନେକ ରେଡିଓ ଷ୍ଟେସନ ଏହାକୁ ପ୍ରସାରଣ କରିଥିଲେ ଓ ଏହି ଗୀତ ସାରା ବିଶ୍ଵରେ ଲୋକପ୍ରିୟ ହୋଇଥିଲା ।

ମିତ୍ରଭାନୁ ଗୌନ୍ତିଆଙ୍କ ଦ୍ଵାରା ଲିଖିତ ଏହି ଗୀତ ଏବେ ମଧ୍ୟ ବିବାହ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଷଣ କରାଯାଇଥାଏ ।

ଓଡିଶା ଡଟ କମ

Filed Under: ମନୋରଞ୍ଜନ Tagged With: କ୍ରୀଷ୍ଣା, ଜିତେନ୍ଦ୍ରିୟ, ଡକ୍ଟରେଟ ସମ୍ମାନ, ରଙ୍ଗବତୀ

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)
  • ଆଶା କରୁଛି ଭବିଷ୍ୟତରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠତାର ଶୀର୍ଷରେ ପହଞ୍ଚିବ: ରାଷ୍ଟ୍ରପତି
  • ରଥଯାତ୍ରା ସମ୍ପର୍କରେ କେତୋଟି ଅନାଲୋଚିତ ତଥ୍ୟ
  • ରାସ୍ତାକଡ଼ରେ ଗଛ ଲଗାଇ ଉଦାହରଣ ସୃଷ୍ଟି କରିଛନ୍ତି ଅବସରପ୍ରାପ୍ତ ସାମରିକ କର୍ମଚାରୀ

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା