• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ରାଜ୍ୟପାଳ

ଝାଡଖଣ୍ଡ ରାଜ୍ୟପାଳ ଭାବେ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ

May 18, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ: ସୁଜାତା ପ୍ରକାଶ

ରାଞ୍ଚି, ଝାଡଖଣ୍ଡ, ମଇ ୧୮ (ଓଡିଶା ଡଟ କମ) ପୂର୍ବତନ ଓଡିଶା ମନ୍ତ୍ରୀ ତଥା ବରିଷ୍ଠ ଆଦିବାସୀ ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡର ନବମ ରାଜ୍ୟପାଳ ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି ।

????????????????????????????????????

????????????????????????????????????

ରାଜ ଭବନସ୍ଥିତ ବିରସା ମଣ୍ଡପ ଠାରେ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ବିରେନ୍ଦ୍ର ସିଂହ ସ୍ଵତନ୍ତ୍ର ଭାବେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ଏହି ଉତ୍ସବରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ତଥା ଉଭୟ ଝାଡଖଣ୍ଡ ଓ ଓଡିଶାର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ଜୁନ ୨୦, ୧୯୫୮ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀମତୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ବିଧାନସଭାରେ ୨୦୦୦ ରୁ ୨୦୦୪ ଓ ପୁନର୍ବାର ୨୦୦୪ ରୁ ୨୦୦୯ ପ୍ରତିନିଧିତ୍ଵ କରିଥିବା ସହ ଓଡିଶାର ରାଜ୍ୟର ବାଣିଜ୍ୟ ଓ ପରିବହନ ଓ ପରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ ।

ବିଏ ପାସ କରିଥିବା ଏହି ଆଦିବାସୀ ନେତ୍ରୀ ରାଜ୍ୟ ସଚିବାଳୟରେ କିରାଣୀ ଚାକିରିରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସେକସନ ଅଫିସର ଭାବେ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିବା ପରେ ରାଇରଙ୍ଗପୁର ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ କିଛିଦିନ ଶିକ୍ଷକତା ମଧ୍ୟ କରିଥିଲେ ।

ପରବର୍ତୀ ସମୟରେ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟି ରେ ଯୋଗଦାନ କରିଥିଲେ । ତାଙ୍କର ରାଜନୈତିକ ଜୀବନ ରାଇରଙ୍ଗପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସଦସ୍ୟ ଓ ଉପାଧ୍ୟକ୍ଷ ଭାବେ ଆରମ୍ଭ ହୋଇଥିଲା ।

ଓଡିଶା ଡଟ କମ

Filed Under: ପ୍ରବାସୀ ଓଡିଆ, ରାଜନୀତି Tagged With: ଝାଡଖଣ୍ଡ, ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ

ରାଜନୀତିର ଊର୍ଦ୍ଧ୍ଵରେ ରହି ଦାୟିତ୍ଵ ତୁଲାଇବି: ଦ୍ରୌପଦୀ ମୁର୍ମୁ (ସାକ୍ଷାତକାର)

May 13, 2015 by News Bureau 1 Comment

ଓଡିଶା ଡଟ କମ: ସୁମିତ୍ରା ପଢିଆରୀ

ଭୁବନେଶ୍ଵର, ମଇ ୧୩ (ଓଡିଶା ଡଟ କମ)  ରାଜ୍ୟପାଳ ପଦବୀ ଏକ ସାମ୍ବିଧାନିକ ପଦବୀ ଓ ରାଜନୀତିର ଊର୍ଦ୍ଧ୍ଵରେ ରହି ମୁ ଏହି ଗୁରୁ ଦାୟିତ୍ଵ ତୁଲାଇବି ବୋଲି ଝାଡଖଣ୍ଡର ରାଜ୍ୟପାଳ ଭାବେ ମଙ୍ଗଳବାର ନିଯୁକ୍ତି ପାଇଥିବା ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଭାରତୀୟ ଜନତା ପାର୍ଟି ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡିଶା ଡଟ କମ କୁ ଏକ ସାକ୍ଷାତକାର ରେ କହିଛନ୍ତି ।

drupadi murmuପାର୍ଟିର ବହୁ ପଦପଦବୀରେ ମୁ ଅତୀତରେ କାର୍ଯ୍ୟ କରିଛି କିନ୍ତୁ ବର୍ତ୍ତମାନ ଯେଉଁ ପଦବୀ ମୋତେ ମିଳିଛି ତାହା ହେଉଛି ଏକ ସାମ୍ବିଧାନିକ ପଦବୀ । ଏହାର ଗୌରବ ଓ ମର୍ଯ୍ୟାଦା ଅକ୍ଷୁର୍ଣ ରଖିବା ହେଉଛି ଏକ ଗୁରୁ ଦାୟିତ୍ଵ । ତେଣୁ ରାଜନୀତିରୁ ଉର୍ଦ୍ଧରେ ରହି ମତେ କାମ କରିବାକୁ ପଡିବ ଏବଂ ସମ୍ବିଧାନର ନିୟମ ମାନିବାକୁ ପଡିବ, ସେ କହିଛନ୍ତି ।

ଝାଡଖଣ୍ଡ ଏକ ଆଦିବାସୀ ବହୁଳ ରାଜ୍ୟ ଏବଂ ଆପଣ ମଧ୍ୟ ଜଣେ ଆଦିବାସୀ ନେତ୍ରୀ ହୋଇଥିବାରୁ ଏହି ପରିପ୍ରେକ୍ଷୀରେ ଆପଣଙ୍କର ମୁଖ୍ୟ ପ୍ରଥମିକତା କ’ଣ ହେବ ? ପ୍ରଶ୍ନର ଉତ୍ତରରେ ମୁର୍ମୁ କହିଲେ ଝାଡଖଣ୍ଡ ଏକ ନୂତନ ରାଜ୍ୟ ହୋଇଥିବାରୁ ସେଠାରେ ବହୁ ଅଞ୍ଚଳ ଏବେବି ଅନୁନ୍ନତ । ବର୍ତ୍ତମାନ ସେଠାରେ ବିକାଶର ଧାରା ଅବ୍ୟାହତ ରହିଛି ।

ଝାଡଖଣ୍ଡ ଏକ ଆଦିବାସୀ ବହୁଳ ରାଜ୍ୟ ହୋଇଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କିପରି ସଫଳ ରୂପାୟନ ହେବ ସେଥିପ୍ରତି ଦୃଷ୍ଟି ଦେବି ବୋଲି ସେ କହିଛନ୍ତି । ଆଦିବାସୀ ମାନଙ୍କ ସ୍ଵାର୍ଥ ରକ୍ଷା ଓ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଯାହାସବୁ ଆବଶ୍ୟକ ତାହା କରିବାପାଇଁ ମୁ ତତ୍ପର ରହିବି, ସେ କହିଛନ୍ତି।

ଜମି ଅଧିଗ୍ରହଣ ବିଲକୁ ନେଇ କେନ୍ଦ୍ରରେ ମୋଦୀ ସରକାର ବିରୋଧୀ ଦଳ ମାନଙ୍କ ଦ୍ଵାରା ସମାଲୋଚିତ ହେଉଥିବା ବେଳେ ଏ ବିଲ୍ ସମ୍ପର୍କରେ କୌଣସି ମତାମତ ଦେବାପାଇଁ ଅନିଚ୍ଛା ପ୍ରକାଶକରି ମୁର୍ମୁ କହିଛନ୍ତି ଯେ ଏହି ବିଲ ବର୍ତମାନ ସୁଦ୍ଧା ପାର୍ଲିଆମେଣ୍ଟରେ ଗୃହିତ ହୋଇନାହିଁ ।

ତେବେ ରାଜ୍ୟପାଳ ତଥା ରାଷ୍ଟ୍ରପତିଙ୍କ ଦାୟିତ୍ଵ ହେଲା ଯେଉଁ ବିଲ ସରକାରୀ ସ୍ତରରେ ପାସ ହୋଇ ଆସିବ, ତା’ଉପରେ ମତାମତ ଦେବା । ବର୍ତ୍ତମାନ ଏହି ବିଷୟରେ କିଛି କହିବା ଉଚିତ ହେବନାହିଁ ।

ଆଦିବାସୀ ଓ ମହିଳା ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କିତ ଗୋଟିଏ ପ୍ରଶ୍ନର ଉତ୍ତାରେ ସେ କହିଛନ୍ତି ଯେ ଭାରତ ବର୍ଷରେ ପ୍ରାୟ ୪୯ ପ୍ରତିଶତ ହେଉଛନ୍ତି ମହିଳା । ତେଣୁ ପୁରୁଷମାନଙ୍କୁ ଯେଉଁ ଯେଉଁ ସୁବିଧା,ସମ୍ମାନ ଦିଆଯାଉଛି ସେହି ସମାନ ସୁବିଧା ଓ ସମ୍ମାନ ମହିଳାମାନଙ୍କୁ ଦିଆଯିବାର ଆବଶ୍ୟକତା ରହିଛି । କିନ୍ତୁ ଯେପରି ଭାବରେ ସମାଜରେ ମାନସିକତାରେ ସ୍ଖଳନ ଘଟିଛି, ସେ ମାନସିକତାର ପରିବର୍ତ୍ତନ ହେବା ଦରକାର ।

ମହିଳାମାନଙ୍କ ସୁରକ୍ଷା, ବିକାଶ ଓ ଉନ୍ନତି ପାଇଁ ସରକାର ଯେଉଁ ନୀତି ନିୟମ ତିଆରି କରିଛନ୍ତି ତାକୁ ଠିକ ଭାବେ କାର୍ଯ୍ୟକାରୀ କରାଯିବା ର ଆବଶ୍ୟକତା ରହିଛି। । ମୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିବି ଯେ ମହିଳା ଓ ପୁରୁଷ ଦୁଇଜଣ ଭଗବାନଙ୍କ ସୃଷ୍ଟିରେ ସମାନ ।

କେବଳ ଶାରୀରିକ ପାର୍ଥକ୍ୟ ରହିଛି କିନ୍ତୁ ବାକି କର୍ମ କ୍ଷେତ୍ରରେ, ମାନସିକ କ୍ଷେତ୍ରରେ, ବିକାଶ କ୍ଷେତ୍ରରେ, ସେମାନେ ସବୁ ଦୃଷ୍ଟିରେ ସମାନ । ତେଣୁ ଏହି ଶାରୀରିକ ପାର୍ଥକ୍ୟ ନଦେଖି ସେମାନଙ୍କୁ ମା ଓ ଭଉଣୀ ଭାବରେ ସମ୍ମାନ କଲେ ନିଜର ଉନ୍ନତି ହେବା ସହ ଦେଶ, ରାଜ୍ୟ ଓ ଜାତିର ନିଶ୍ଚିତ ଉନ୍ନତି ହେବ ।

ଓଡିଶା ତାଙ୍କ ଗୃହ ରାଜ୍ୟ ହୋଇଥିବାରୁ ସେ ରାଜ୍ୟର ବିକାଶ ରେ କି ପ୍ରକାର ସହାୟତା କରିବେ ଏହି ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ମୁର୍ମୁ କହିଲେ ସେ ସବୁବେଳେ ରାଜ୍ୟର ସ୍ଵାର୍ଥ ପାଇଁ ବିଭିନ୍ନ ସ୍ତରରେ କାର୍ଯ୍ୟକରି ଆସିଛନ୍ତି । ଅତୀତରେ ବିଜେପିର ନେତ୍ରୀ ଭାବେ ହେଊ ଅଥବା ବିଧାନସଭାର ସଦସ୍ୟ କିମ୍ବା ରାଜ୍ୟର ମନ୍ତ୍ରୀ ଭାବେ ହେଉ, ସବୁ ବେଳେ ସେ ତାଙ୍କ ରାଜ୍ୟ ପ୍ରତି ଦାୟିତ୍ଵ ନିର୍ବାହ କରିଆସିଛନ୍ତି ।

“ଯେହେତୁ ଓଡିଶା ମୋ ଜନ୍ମ ମାଟି ତେଣୁ ତାହା ପ୍ରତି ମୋର ଦୁର୍ବଳତା ଓ ଶ୍ରଦ୍ଧା ସବୁବେଳେ ରହିବ” ସେ କହିଛନ୍ତି ।

ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଙ୍ଗଳବାର ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ରାଷ୍ଟ୍ରପତି ଭବନରୁ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ପରେ ମୁର୍ମୁ ରାଜ୍ୟର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ହେବାର ସୌଭାଗ୍ୟ ଲାଭ କରିଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ବିଧାନସଭାରେ ୨୦୦୦ ରୁ ୨୦୦୪ ଓ ପୁନର୍ବାର ୨୦୦୪ ରୁ ୨୦୦୯ ପ୍ରତିନିଧିତ୍ଵ କରିଥିବା ମୁର୍ମୁ ,୫୭ ରାଜ୍ୟର ବାଣିଜ୍ୟ ଓ ପରିବହନ ଓ ପରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇବା ସହ ବହୁ ଗୁରୁତ୍ଵ ପୂର୍ଣ କମିଟି ର ସଦସ୍ୟ ରହିଥିଲେ ।

ବିଏ ପାସ କରିଥିବା ଏହି ଆଦିବାସୀ ନେତ୍ରୀ ରାଜ୍ୟ ସଚିବାଳୟରେ କିରାଣୀ ଚାକିରିରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସେକସନ ଅଫିସର ଭାବେ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିବା ପରେ ରାଇରଙ୍ଗପୁର ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ କିଛିଦିନ ଶିକ୍ଷକତା ମଧ୍ୟ କରିଥିଲେ ।

ପରବର୍ତୀ  ସମୟରେ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟି ରେ ଯୋଗଦାନ କରିଥିଲେ । ତାଙ୍କର  ରାଜନୈତିକ ଜୀବନ ରାଇରଙ୍ଗପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସଦସ୍ୟ ଓ ଉପାଧ୍ୟକ୍ଷ ଭାବେ ଆରମ୍ଭ ହୋଇଥିଲା ।

 

ଓଡିଶା ଡଟ କମ

Filed Under: ରାଜନୀତି, ସାକ୍ଷାତକାର Tagged With: ଓଡିଶା, ଝାଡଖଣ୍ଡ, ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ

ବିଶାଳ ହୃଦୟ ଜାନକୀ ବଲ୍ଲଭ (ବିଶେଷ)

April 22, 2015 by ନିଉଜ ଡେସ୍କ Leave a Comment

ଯତୀନ୍ଦ୍ର ଦାଶ

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ହୃଦୟ ଥିଲା ବିଶାଳ । ତାଙ୍କ ଭିତରେ ଥିଲା ଅମାପ ଧୈର୍ଯ୍ୟ । ଜନମାନସ ଓ ଗଣ ମାଧ୍ୟମରେ ସେ ସମୟରେ ନିର୍ମିତ ହୋଇଥିବା ତାଙ୍କ ନକରାତ୍ମକ ଛବିର ଠିକ ଓଲଟା ଥିଲା  ତାଙ୍କ ସ୍ଵଭାବ । ଯିଏ ତାଙ୍କ ସହ ମିଶିଛି ସେ ଏହା ଉପଲବଧି କରିଛି । ଦୁଇ ଦଶନ୍ଧି ର ସାମ୍ବାଦିକତା ଭିତରେ ତାଙ୍କସହ ଯେତେଥର ସମ୍ପର୍କରେ ଆସିଛି ମୁ ତାହା ଅନୁଭବ କରିଛି ।

???????????????????????????????ତାଙ୍କ ମୁଖ୍ୟମନ୍ତ୍ରୀତ୍ଵ ସମୟର କଥା । ଗଣ ମାଧ୍ୟମରେ ସେତେବେଳେ ରାଜ୍ୟରେ ଘଟିଥିବା କେତେକ ଘଟଣା ଯୋଗୁଁ ସେ ବିବାଦୀୟ ବ୍ୟକ୍ତି ଭାବେ ଚର୍ଚାରେ ଥାନ୍ତି । ଇଂରାଜୀ ସାପ୍ତାହିକ ବ୍ଲିଜରେ ସେତେବେଳେ ‘ମିଷ୍ଟର’ ନାମରେ ଏକ ସ୍ତମ୍ଭ ପ୍ରକାଶିତ ହେଉଥାଏ ।

ଚର୍ଚାରେ ଥିବା ଜଣେ ଜଣାଶୁଣା ବ୍ୟକ୍ତିତ୍ଵଙ୍କୁ ବ୍ଲିଜ ଏହି ସ୍ତମ୍ଭରେ ଅସୁବିଧାଜନକ ପ୍ରଶ୍ନ ସବୁ ପଚାରିଥାଏ । ତେବେ ପ୍ରକାଶନ ପୂର୍ବରୁ ଉକ୍ତ ବ୍ୟକ୍ତିଙ୍କୁ ପତ୍ରିକା ପ୍ରଶ୍ନର ଉତ୍ତରଦେବାକୁ ସୁଯୋଗ ଦେଇଥାଏ । ସେ ଯଦି ଉତ୍ତର ଦିଅନ୍ତି ତେବେ ପ୍ରଶ୍ନ ଓ ଉତ୍ତରସହ ତାହା ପ୍ରକାଶିତ ହୋଇଥାଏ ।

ଏହି କ୍ରମରେ ପଟ୍ଟନାୟକଙ୍କୁ ପଚାରିବାପାଇଁ କେତେକ ଅସୁବିଧାଜନକ ପ୍ରଶ୍ନ ବ୍ଲିଜ ସମ୍ପାଦକ ମୋତେ ପଠାଇଲେ । ଏହି ପତ୍ରିକାର ରାଜ୍ୟ ପ୍ରତିନିଧି ହିସାବରେ ମୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଅଫିସ ସହ ଯୋଗାଯୋଗ କଲି । ସେଦିନ ସେ ବହୁତ ବ୍ୟସ୍ତ ଥାନ୍ତି ।

ତାଙ୍କ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ ଥାଏ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ।ଳୟ ଅଧିକାରୀ ମାନେ ତାଙ୍କସହ ସାକ୍ଷାତକାର ସମ୍ଭବନୁହେଁ ବୋଲି ମୋତେ ନାସ୍ତିବାଣୀ ଶୁଣାଇଥାନ୍ତି । ଏହାସତ୍ୱେ ମୁ ମୁଖ୍ୟମନ୍ତ୍ରୀଙ୍କ ସହ ନିଜେ କଥାହେବାପାଇଁ ଜିଦ ଧରିବାରୁ ଶେଷରେ ତାଙ୍କର ବ୍ୟକ୍ତିଗତ ସଚିବ ତାଙ୍କ ସହ ମୋର ଟେଲିଫୋନରେ କଥାବାର୍ତା କରାଇଲେ।

ମୁଖ୍ୟମନ୍ତ୍ରୀ ମଧ୍ୟାନ୍ନ ଭୋଜନ ବିରତି ପରେ ଅପରାହ୍ନ ଦୁଇଟା ସମୟରେ ତାଙ୍କ ବାସଭବନରେ ସାକ୍ଷାତକାର ପାଇଁ ଅନୁମତି ଦେଲେ । ତେବେ ଯିବାସମୟରେ ରାସ୍ତାରେ ମୋର ଗାଡି ଖରାପ ହୋଇଗଲା ଓ ମରାମତି କରି  ମୁଖ୍ୟମନ୍ତ୍ରୀ ନିବାସରେ ଏକ ଘଣ୍ଟା ବିଳମ୍ବରେ ମୁ ପହଞ୍ଚିଲି ।

ସେ ଚାହିଁଥିଲେ ସାକ୍ଷାତକାର ପାଇଁ ମନାକରି ପାରିଥାନ୍ତେ କିନ୍ତୁ ସେ ଉଦାରତାର ପରିଚୟଦେଇ ମୋତେ ଅପେକ୍ଷା କରିଥିଲେ ଓ ପାଖାପାଖି ପଇଁଚାଳିଶ ମିନିଟ
ଧରି ସବୁ ପ୍ରଶ୍ନର ଉତ୍ତର ଦେବା ପରେ ଦିଲ୍ଲୀ ଯାତ୍ରା କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେ ସମୟରେ ହେଉଥିବା ଭ୍ରଷ୍ଟାଚାର ଓ ଦୁର୍ନୀତି ସମ୍ପର୍କରେ ବାରମ୍ବାର ଲେଖୁଥିବା ସତ୍ଵେ ମୋ ପ୍ରତି ଜାନକୀବାବୁ କେବେବି ଅସୁୟାଭାବ ପୋଷଣ କରିନଥିଲେ। ଯେତେବେଳେ ମୁ ତାଙ୍କ ସାକ୍ଷାତକାର ପାଇଁ ସମୟ ମାଗୁଥିଲି ସେ ଦେଉଥିଲେ ଓ ସ୍ମିତହାସ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ଦେଉଥିଲେ । ନିଜେ ବହୁବର୍ଷ ସାମ୍ବାଦିକତା କରିଥିବାରୁ ଗଣ ମାଧ୍ୟମର ଭୂମିକା ସମ୍ପର୍କରେ ସେ ଖୁବ ସଚେତନ ଥିଲେ ।

ତାଙ୍କ ବ୍ୟକ୍ତିତ୍ଵର ଅନ୍ୟ ଏକ ଦିଗ ହେଲା ସେ ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ ବନ୍ଧୁ, ଆତ୍ମୀୟ ସହୋଦର ଭଳି ବ୍ୟକ୍ତିଗତ ହାନି ଲାଭର ମଧ୍ୟ ଖବର ନେଉଥିଲେ । ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରୁଥିଲେ ଓ ତାଙ୍କ ମତ ଜଣାଇବା ସହ ଅନ୍ୟର ମତ ମଧ୍ୟ ପଚାରି ବୁଝୁଥିଲେ ।

ପରବର୍ତୀ ସମୟରେ ତାଙ୍କ ସହ ବହୁବର୍ଷ ଧରି ମୋର କୌଣସି ଯୋଗାଯୋଗ ନ ଥିଲା । ତିନି ବର୍ଷ ତଳେ ଆମେ କେତେକ ପରିବାର ଉତ୍ତର ପୂର୍ବାଞ୍ଚଳ ବୁଲିବା ପାଇଁ ସ୍ଥିର କଲୁ । ସେହି ସମୟରେ ଆମ ପରିବାରର  ପିଲାମାନେ ଆସାମର ରାଜ୍ୟପାଳ ଜଣେ ଓଡିଆ ଥିବା ଖବର ପାଇ ଗୌହାଟିରେ ଥିବା ରାଜଭବନ ଦେଖିବା ପାଇଁ ଆଗ୍ରହ ପ୍ରକାଶ କଲେ ।

ମୋର ଅନିଚ୍ଛା ସତ୍ଵେ ରାଜଭବନକୁ ଏକ ଫୋନ କରା ଯାଇଥିଲା । କିଛି ସମୟ ପରେ ରାଜ ଭବନରୁ ଆମ ଘରକୁ ଫୋନ ଆସିଲା ଓ ରାଜ୍ୟପାଳ ନିଜଆଡୁ ବୁଲି ଆସିବାକୁ ନିମନ୍ତ୍ରଣ କଲେ । ରାଜଭବନରେ ଆମକୁ ଯେଉଁ ଆଦର ସତ୍କାର ମିଳିଲା ତାହା କେବେ ଭୁଲି ହେବନାହିଁ ।

ଜାନକୀ ବାବୁ ପ୍ରାୟ ଦୁଇଘଣ୍ଟା ଆମ ସହ କଟାଇଲେ । କହିଲେ ଏହା ତୁମର ଘରୋଇ ଗସ୍ତ ହୋଇଥିବାରୁ ସାମ୍ବାଦିକତା କି ରାଜନୀତି ବିଷୟରେ ଅନ୍ୟ କେତେବେଳେ କଥା ହେବା । ସେ ଆମ ପୁଅ ଝିଅଙ୍କ ସହ ବହୁସମୟ କଥାବାର୍ତ୍ତା ହେଲେ ଓ ଟୋ ଫଟୋ ଉଠାଇଲେ ।

ସେ ପରାମର୍ଶ ଦେଲେ ଛାତ୍ର ଛାତ୍ରୀ ନିଜର ରୁଚି ଅନୁସାରେ କ୍ୟାରିଅର ବାଛିବା ଉଚିତ । ଯଦି ଜଣେ ଚିତ୍ର କରିବାକୁ ଭଲ ପାଉଛି, କିମ୍ବା ସଂଗୀତ ରୁଚି ରଖିଛି ତେବେ ସେ ସେହି କ୍ଷେତ୍ରକୁ ତାର କ୍ୟାରିଅର କରିବା ଉଚିତ । ସେ ପିଲାମାନଙ୍କୁ ସନ୍ତରଣ ଶିଖିବାର ଆବଶ୍ୟକତା ସମ୍ପର୍କରେ ମଧ୍ୟ ବୁଝାଇଥିଲେ ।

ଯଦିଓ ଆମେ ସିଲଂ ବୁଲିବାପାଇଁ ସ୍ଥିର କରିଥିଲୁ ପ୍ରବଳ ଭିଡ ଯୋଗୁଁ ସେଠାରେ ଆମେ ବୁକ କରିଥିବା ହୋଟେଲରେ ରୁମ ପାଇବାରେ ଅସୁବିଧା ସୃଷ୍ଟି ହୋଇଥିଲା । ଆମେ ଗୌହାଟିରୁ ଫେରି ଆସିବା ପାଇଁ ଚିନ୍ତା କରିଥିଲୁ  ତେବେ ଜାନକୀ ବାବୁ ନିଜଆଡୁ ସିଲଂରେ ଥିବା ଆସାମ ଭବନ ବୁକ କରି ଆମର ବୁଲିବା ବ୍ୟବସ୍ଥା କରିଥିଲେ ।

ଆଜି ସେ ନାହାନ୍ତି ମାତ୍ର ତାଙ୍କ ହୃଦୟର ବିଶାଳତା ଆମକୁ ସବୁବେଳେ ତାଙ୍କର ସ୍ମରଣ କରାଇବ । ତାଙ୍କର ବିୟୋଗରେ ଆମର ଶ୍ରଦ୍ଧାଞ୍ଜଳି ।

(ଯତୀନ୍ଦ୍ର ଦାଶ ଓଡିଶା ଡଟକମର ମୁଖ୍ୟ ସମ୍ପାଦକ ଓ ପ୍ରତିଷ୍ଠାତା )

Filed Under: ରାଜନୀତି Tagged With: ଜାନକୀ, ଧୈର୍ଯ୍ୟ, ରାଜନୀତି, ରାଜ୍ୟପାଳ

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରଲୋକ

April 21, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୂବନେଶ୍ଵର, ଏପ୍ରିଲ ୨୧ (ଓଡିଶା ଡଟ କମ) ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମଙ୍ଗଳବାର ତିରୁପତି ଠାରେ ୮୯ ବୟସରେ ପରଲୋକ ହୋଇଯାଇଛି । ତାଙ୍କର ବିଯୋଗରେ ରାଜ୍ୟରେ ତଥା ରାଜ୍ୟ ବାହାରେ ଶୋକର ଛାୟା ଖେଳି ଯାଇଛି ।

???????????????????????????????ତିରୁପତି ସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାପୀଠର ମଙ୍ଗଳବାର ହେବାକୁ ଥିବା ୧୮ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାପାଇଁ ପଟ୍ଟନାୟକ ସୋମବାର ତିରୁପତି ଯାଇ ସେଠାରେ ଅବସ୍ଥାନ କରୁଥିଲେ।

ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଡ।କ୍ଟରଖାନ।ରେ ଭର୍ତ୍ତି କରଯାଇଥିଲା । ସେଠାରେ ମଙ୍ଗଳବାର ପ୍ରାତଃ ତିନିଟା ବେଳେ ସେ ତାଙ୍କ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ, ତାଙ୍କ ଜ୍ଵାଇଁ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓଡିଶା ଡଟ କମ କୁ କହିଛନ୍ତି ।

ତାଙ୍କ ବିୟୋଗରେ ରାଜ୍ୟସରକାର ମଙ୍ଗଳବାର ଛୁଟି ଦିନ ଭାବେ ଘୋଷଣା କରିଛନ୍ତି ଓ ରାଜ୍ୟରେ ସାତଦିନ ଧରି ଶୋକ ପାଳନ କରିବାକୁ ନିଷ୍ପତ୍ତି କରିଛନ୍ତି । ପଟ୍ଟନାୟକଙ୍କ ମରଶରୀର ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ଵର ପହଞ୍ଚିବ । ତାଙ୍କ ଶେଷକୃତ୍ୟ ପୁରୀଠାରେ ବୁଧବାର ଅନୁଷ୍ଠିତ ହେବ ।

୩ ଜାନୁଆରୀ ୧୯୨୭ରେ ପୁରୀ ଜିଲ୍ଲାର ରାମେଶ୍ଵରଠାରେ ଜନ୍ମଗହଣ କରିଥିବା ପଟ୍ଟନାୟକ ପାଞ୍ଚଥର ବିଧାନସଭାକୁ ଓ ଦୁଇଥର ଲୋକସଭାକୁ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିର ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବାସହ ଆସାମର ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ଭାବେ କାର୍ଯ୍ୟ କରିଥିଲେ।

ସେ ଜଣେ ସଫଳ ରାଜନୈତିକ ନେତାଭାବେ ନିଜକୁ ପ୍ରତିପାଦିତ କରିବା ସହ ଜଣେ ବାଗ୍ମୀ, ସାମ୍ୱାଦିକ ଓ ସାରସ୍ୱତ ସ୍ରଷ୍ଟା ସାହିତ୍ୟିକ ଭାବେ ଉଚ୍ଛ ପ୍ରଶଂସା ଲାଭ କରିଥିଲେ ।

୧୯୪୭ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଉପାଧି ହାସଲ କରିବା ପରେ ୧୯୪୯ ମସିହାରେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରୁ
ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ସେ ହାସଲ କରିଥିଲେ । ଏହାପରେ ସେ ‘ଇଷ୍ଟର୍ଣ୍ଣ ଟାଇମ୍‍ସ’ ଖବରକାଗଜରୁ ସାମ୍ୱାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ୧୯୫୦ରେ ଏହାର ଯୁଗ୍ମ ସମ୍ପାଦକ ଓ ଦୁଇବର୍ଷ ପରେ ଏହାର ସମ୍ପାଦକ ହୋଇଥିଲେ ।

ଏହା ସହ ସେ ଓଡ଼ିଆ ଦୈନିକ ‘ପ୍ରଜାତନ୍ତ୍ର’ର ମଧ୍ୟ ସମ୍ପାଦକ ହୋଇଥିଲେ । ୧୯୬୭ ପର୍ଯ୍ୟନ୍ତ ସେ ଉଭୟ ଖବରକାଗଜର ସମ୍ପାଦକ ରହି ଅ।ସିଥିଲେ
। ୧୯୬୭ ଜୁଲାଇରେ ସେ “ପୌରୁଷ’ ପତ୍ରିକା ପ୍ରତିଷ୍ଠା ଓ ସଂପାଦନା କରିଥିଲେ । ସେ ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ ରହିବା ସହ ୧୯୫୦ ମସିହାରେ ସେ ରାଜ୍ୟ ଯୁବକଂଗ୍ରେସ ସଭାପତି ଥିଲେ । ୧୯୫୪ରୁ ୧୯୬୦ ମସିହା ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ ରହି ଆସିଥିଲେ ।

୧୯୭୧ ମସିହାରେ ସେ ପ୍ରଥମ ଥର ଲାଗି ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟ୍‍ରେ ୧୯୭୩ରୁ ୧୯୭୫ ପର୍ଯ୍ୟନ୍ତ ସେ ପ୍ରତିରକ୍ଷା ଉପମନ୍ତ୍ରୀ ଓ ପରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ ।

୧୯୮୦ ଜାନୁଅ।ରୀ ସାଧାରଣ ନିର୍ବାଚନରେ ପୁଣିଥରେ ଲୋକ ସଭାକୁ ନିର୍ବାଚିତ ହୋଇ ସେ ପର୍ଯ୍ୟଟନ, ବେସାମରିକ ବିମାନ ଚଳାଚଳ ଓ ଶ୍ରମ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ । ୧୯୮୦ ଜୁନ ମାସରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଅଳଂକୃତ କରିଥିଲେ ଓ ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନରେ ବିଜୟୀ ହୋଇଥିଲେ ।

ଦ୍ୱିତୀୟ ଥର ପାଇଁ ୧୯୮୫ ନିର୍ବାଚନରେ ସେ ଉଭୟ ଖୋର୍ଦ୍ଧା ଓ ଆଠଗଡ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ଜାନକୀବଲ୍ଲଭଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶାରେ ବ୍ୟାପକ ଔଦ୍ୟୋଗିକ ବିକାଶ ଘଟିଥିଲା । ହଜାରେ ଦିନରେ ହଜାରେ ଶିଳ୍ପ ତାଙ୍କର ସ୍ଲୋଗାନ ଥିଲା ଓ ସେ କ୍ଷୁଦ୍ର ଓ ମଧ୍ୟମଶିଳ୍ପ ପ୍ରତିଷ୍ଠା ଦିଗରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ତାଙ୍କ ସମୟରେ ହୋଟେଲ ବ୍ୟବସାୟକୁ ରାଜ୍ୟରେ ଶିଳ୍ପର ମାନ୍ୟତା ମିଳିଥିଲା । ୧୯୯୫ ମସିହାରେ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୯ ମସିହାରେ ତତ୍କାଳୀନ କଂଗ୍ରେସ ନେତୃତ୍ୱାଧୀନ କେନ୍ଦ୍ର ସରକାର ଜାନକୀବଲ୍ଲଭଙ୍କୁ ଆସାମର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ । ସେହିବର୍ଷ ଡିସେମ୍ୱର ୧୧ତାରିଖରେ ସେ ଏହି ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଗତ ବର୍ଷ ଅବସର ଗ୍ରହଣ କରିଥିଲେ ।

ଜାନକୀବଲ୍ଲଭଙ୍କ ଅନୁବାଦିତ ପୁସ୍ତକ, ସାହିତ୍ୟ ସର୍ଜନା ଓ କଳାକୃତିର କେତେକ ନିଦର୍ଶନ ହେଲା ସିନ୍ଧୁ ଉପତ୍ୟକା (କାବ୍ୟ), ଗୌତମ ବୁଦ୍ଧ (ଚରିତଗାଥା) , ମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ (ଗଳ୍ପ ସଙ୍କଳନ) , ସ୍ଵପ୍ନ ସନ୍ତକ (ପ୍ରବନ୍ଧ ସଙ୍କଳନ), ନିର୍ବାଚିତ ପ୍ରବନ୍ଧ (ପ୍ରବନ୍ଧ ସଙ୍କଳନ), ବିବିଧ ସ୍ତମ୍ଭ (ପ୍ରବନ୍ଧ ସଙ୍କଳନ), ପ୍ରବନ୍ଧ ସଙ୍କଳନ, ମହାଭାରତ, ରାମାୟଣ ଓ ସ୍ଵାଧୀନତା ସଂଗ୍ରାମର ସ୍ମୃତି ।

ତାଙ୍କ ଲିଖିତ ଅନ୍ୟ କେତେକ ପୁସ୍ତକ ହେଲା ବାଚସ୍ପତି ମହୋଦୟ (୨୦୧୨): ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ବିରୋଧୀ ଦଳର ନେତାଭାବେ ଓଡ଼ିଶା ବିଧାନସଭାରେ ଦେଇଥିବା ବକ୍ତବ୍ୟ ଗୁଡ଼ିକର ସଙ୍କଳନ ଅନୁବାଦ (ସମ୍ପାଦନା) ରାଜା ଭର୍ତ୍ତୃହରି ପ୍ରଣୀତ ନୀତି ଶତକ, ଶୃଙ୍ଗାର ଶତକ ଓ ବୈରାଗ୍ୟ ଶତକର ଓଡିଆ କାବ୍ୟାନୁବାଦ ବଙ୍କିମ ଉପନ୍ୟାସ ମାଳା (ଛଅ ଖଣ୍ଡ) ଶ୍ରୀମଦ ଭାଗବତର ଗଦ୍ୟାନୁବାଦ ଓ ଗୋକୁଳାନନ୍ଦ ଗ୍ରନ୍ଥାବଳି ସମ୍ପାଦନା (ସମ୍ପାଦନା)।

ଓଡିଶା ଡଟ କମ

Filed Under: ରାଜନୀତି Tagged With: କଂଗ୍ରେସ, କେନ୍ଦ୍ରମନ୍ତ୍ରୀ, ଜାନକୀ, ବିରୋଧିଦଳ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ରାଜ୍ୟସରକାର, ସାମ୍ୱାଦିକ

ଫେବୃୟାରୀ ୧୪ରୁ ବିଧାନସଭା ଅଧିବେଶନ, ୧୯ରେ ବଜେଟ

January 30, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୩୦(ଓଡିଶା ଡ଼ଟ୍ କମ୍)- ଆସନ୍ତା ଫେବୃୟାରୀ ୧୪ରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ଏପ୍ରିଲ ୬ରେ ବିଧାନସଭା ଶେଷ ହେବ । ଦୁଇଟି ପର୍ଯ୍ୟାୟରେ ମୋଟ ୩୦ଟି କାର୍ଯ୍ୟଦିବସ ଥିବା ଜଣାପଡ଼ିଛି । ରାଜ୍ୟପାଳଙ୍କ ଅନୁମୋଦନ ପରେ ମଙ୍ଗଳବାର ଦିନ ବିଧାନସଭା ପକ୍ଷରୁ ଏଥିନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅର୍ଥମନ୍ତ୍ରୀ ଫେବୃୟାରୀ ୧୯ରେ ୨୦୧୩-୧୪ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିବେ । ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୨୫ ପର୍ଯ୍ୟନ୍ତ ଚାଲିବ ।

ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୭ରେ ଆରମ୍ଭ ହେବ । ମାର୍ଚ୍ଚ ୨୬ରେ ବ୍ୟୟମଞ୍ଜୁରୀ ବିଲ ଆଗତ ହେବାର କାର୍ଯ୍ୟକ୍ରମ ରହିଛି ।

ଓଡିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: ଅର୍ଥମନ୍ତ୍ରୀ, ବଜେଟ, ବିଧାନସଭା, ରାଜ୍ୟପାଳ

ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ବିଧାୟକ

December 16, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୫(ଓଡିଶା ଡଟ୍ କମ୍)-ବିରୋଧୀଦଳ ସଦସ୍ୟଙ୍କ ଅନୁପସ୍ଥିତିରେ ଗୋଟିଏ ପରେ ଗୋଟିଏ ବିଲ ପାସ୍ ହେଉଛି । ବିରୋଧୀ ଦଳଙ୍କ ପକ୍ଷରୁ ଦିଆଯାଉଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରୁନାହାଁନ୍ତି । ଶନିବାର ଦିନ ଏଭଳି ଅଭିଯୋଗର ଏକ ଲମ୍ବାତାଲିକା ନେଇ ବିଧାନସଭାରୁ ସିଧାସଳଖ ରାଜଭବନ ଯାଇଥିଲେ ବିରୋଧୀ କଂଗ୍ରେସ ଦଳର ବିଧାୟକମାନେ । ରାଜ୍ୟପାଳଙ୍କୁ ଭେଟି ଗୃହରେ ଯାହା ଚାଲିଛି ସେ ସଂପର୍କରେ ଅବଗତ କରାଇଥିଲେ ।

ସେମାନେ କହିଥିଲେ ଗତ ୧୨ ତାରିଖ ଅପରାହ୍ନରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନିଲମ୍ବନ ଘୋଷଣାପରେ କଂଗ୍ରେସ ବିଧାୟକ କକ୍ଷ ତ୍ୟାଗ କରିଥିଲେ ।

ଠିକ୍ ସେହି ସମୟରେ ସରକାର ବିନା ଆଲୋଚନାରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବିଲ ପାସ କରାଇ ନେଇଥିଲେ । ଗୃହର ବିବରଣୀ ମଗାଇ ଅନୁଧ୍ୟାନ କରିବାସହ ସେହି ବିଲ୍ ର ସାନି ଆଲୋଚନା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଛି କଂଗ୍ରେସ ।

ବିରୋଧୀଦଳ ନେତା ଭୂପିନ୍ଦର ସିଂହ କହିଛନ୍ତି ଏହା ଗୃହରବିଧି । ଆଇନରେ ଅଛି । ପରମ୍ପରା ଭାବରେ ମଧ୍ୟ ଆମେ ସବୁକିଛି ଆଲୋଚନା କରୁଛୁ ସେଇଟାରୁ ଆଜି ଆମକୁ କିପରି ବଞ୍ଚିତ କରାଯାଇଛି । ଆମେ ଆସିଛୁ ଆଲୋଚନା କରିବା ପାଇଁ,ଆଲୋଚନା ନକରି ସରକାର କିଭଳି ଏସବୁ କାର୍ଯ୍ୟକରୁଛନ୍ତି । ଏହା ଅଗଣତାନ୍ତ୍ରୀକ କାର୍ଯ୍ୟ । ଏହା ଉପରେ ମାନ୍ୟବର ରାଜ୍ୟପାଳଙ୍କୁ ଆମେ ଜଣାଇଛୁ ।

ବିରୋଧଦଳ ମୁଖ୍ୟସଚେତକ ପ୍ରସାଦ ହରିଚନ୍ଦନ କହିଛନ୍ତି ସରକାର ଜବରଦସ୍ତ କରି ଘରୋଇ କଂପାନୀଙ୍କ ସ୍ୱାର୍ଥରେ ଏସବୁ କରୁଛନ୍ତି । ତାଙ୍କର ସଂଖ୍ୟା ଗରିଷ୍ଠତା ଅଛିବୋଲି ଆଲୋଚନା କରିବେ ନାହିଁ କି ତାଙ୍କ ଦଳର ସଦସ୍ୟମାନଙ୍କୁ ମଧ୍ୟ ଆଲୋଚନା କରିବାକୁ ଦେଉ ନାହାଁନ୍ତି ।

ଅଧଘଣ୍ଟାରେ ବିଲ୍ ପାସ କରାଇ ନେଉଛନ୍ତି । କଂଗ୍ରେସର ଦାବୀକୁ ଯୁକ୍ତିଯୁକ୍ତ ଦର୍ଶାଇଛନ୍ତି ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ । ସେ କହିଛନ୍ତି ଏଭଳି କଲେ ସରକାର ନ୍ୟାୟାଳୟକୁ ଟଣାହେବାର ଆଶଙ୍କା ରହିଛି ।

ସଂସଦୀୟ ବ୍ୟାପାରମନ୍ତ୍ରୀ କଳ୍ପତରୁ ଦାସ କହିଛନ୍ତି ଗୃହରେ ବିରୋଧୀଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଛି । ହେଲେ ବିଲ୍ ଉପରେ ଚର୍ଚ୍ଚାହେବାବେଳେ କଂଗ୍ରେସ ସଦସ୍ୟ ଯଦି ଅନୁପସ୍ଥିତ ରହିବେ ତେବେ ସେଥିପାଇଁ ଶାସକ ଦଳ କଣ କରିପାରିବେ ।

କଂଗ୍ରେସ ସଦସ୍ୟ ଯେତେକି ସମୟ ମାଗିଛନ୍ତି ଯେଉଁ ବିଲ ପାଇଁ ସେତିକି ସମୟ ଦିଆଯାଇଛି ଆଲୋଚନା ପାଇଁ । ତାଙ୍କ କଥା ଅନୁସାରେ ସମୟ ସ୍ଥିର ହୋଇଛି । ମଲତବୀ ଆଲୋଚନା ପ୍ରତ୍ୟେକ ଦିନ ହେବା ବାଧ୍ୟତାମୂଳକ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର Tagged With: କଂଗ୍ରେସ ବିଧାୟକ, ନ୍ୟାୟାଳୟ, ବିଧାନସଭା, ରାଜ୍ୟପାଳ

ଏଫ୍ଡିଆଇ ବିରୋଧରେ ପ୍ରତିବାଦ ସଭାକରିବ ବିଜେପି

November 19, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସଂବାଦଦାତା

ଭୁବନେଶ୍ୱର,ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍)-ଏଫ୍ଡିଆଇ ବିରୋଧରେ ଦେଶର ୬ଶହ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି । ଏହି କ୍ରମରେ ଆସନ୍ତା ୨୧ ତାରିଖରେ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ଜିଲ୍ଲାରେ ୪୦ଟି ସ୍ଥାନରେ ପ୍ରତିବାଦ ସଭା କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ଜୁଏଲ ଓରାମ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ରାଜ ଭବନ ସମ୍ମୁଖରେ ଧାରଣା ଦିଆଯିବା ସହ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦିଆଯିବ । ଅନ୍ୟସ୍ଥାନମାନଙ୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସବ୍ଡିଭିଜନ ହେଡକ୍ୱାଟର ସମ୍ମୁଖରେ ପ୍ରତିବାଦ ସଭା କରାଯିବ ବୋଲି ଶ୍ରୀ ଓରାମ ପ୍ରକାଶ କରିଛନ୍ତି ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର Tagged With: ଜୁଏଲ ଓରାମ, ବିଜେପି, ରାଜ ଭବନ, ରାଜ୍ୟପାଳ

ଦ୍ୱିତୀୟ ଦିନରେ ଓକିଲ ଧର୍ମଘଟ

November 9, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୯(ଓଡ଼ିଶା ଡ଼ଟ୍ କମ୍)- ଓଡ଼ିଶା ଆଇନଜୀବୀ କଲ୍ୟାଣପାଣ୍ଠିକୁ ମ୍ୟାଚିଙ୍ଗ ଗ୍ରାଣ୍ଟଦେବା ଲାଗି ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ନିଖିଳ ଓଡ଼ିଶା ଓକିଲ ସଂଘ ପକ୍ଷରୁ ରାଜ୍ୟବ୍ୟାପି ଚାଲିଥିବା ଧର୍ମଘଟର ଆଜି ହେଉଛି ଦ୍ୱିତୀୟ ଦିନ ।

ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଏବଂ ନିଖିଳ ଓଡ଼ିଶା ଓକିଲ ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଦୁଇ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ହାଇକୋର୍ଟ ସମେତ ରାଜ୍ୟର ସମସ୍ତ କୋର୍ଟରେ ବାଧାପ୍ରାପ୍ତ ହୋଇଛି ।

ଧର୍ମଘଟ ଯୋଗୁଁ ଉଭୟ ବିଚାରବିଭାଗୀୟ ଓ ତତସମ୍ବନ୍ଧୀୟ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।ଏହି ଆନ୍ଦୋଳନରେ ରାଜ୍ୟର ସମସ୍ତ କୋର୍ଟର ଓକିଲ ସଂଘ ସାମିଲ ହୋଇଛନ୍ତି । ସ୍ଥାନୀୟ ଭୁବନେଶ୍ୱର ଜିଲ୍ଲା ଜଜଙ୍କ କୋର୍ଟ ସାମନାରେ ଆଇନଜୀବୀମାନେ ଶାନ୍ତି ଶୃଙ୍ଖଳାରେ ଧାରଣା ଦେଇଥିଲେ ।

ଗୁରୁବାର ଦିନ ମଧ୍ୟାହ୍ନରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘ, ଓଡ଼ିଶା ରାଜ୍ୟ ଓକିଲ ପରିଷଦ, ହାଇକୋର୍ଟ ଓକିଲ ସଂଘ, ଭୁବନେଶ୍ୱର ଓକିଲ ସଂଘର ସଦସ୍ୟମାନଙ୍କୁ ନେଇ ଏକ ପ୍ରତିନିଧି ଦଳ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରଙ୍କୁ ସାକ୍ଷାତ କରି ୫ ପୃଷ୍ଠା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି, ଆଇନଜୀବୀମାନଙ୍କର କୌଣସି ସାମାଜିକ ନିରାପତା ନାହିଁ । ବୃଦ୍ଧା ଅବସ୍ଥା, ରୋଗାଗ୍ରସ୍ତ ଓ ଅକାଳ ବିୟୋଗ ସମୟରେ ସେମାନଙ୍କ ପରିବାର ବେସାହାରା ହୋଇପଡୁଛି ।

ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୦୧ ଆଇନଜୀବୀ କଲ୍ୟାଣ ପାଣ୍ଠି,୨୦୦୧କୁ କାର୍ଯ୍ୟକାରୀ କରିବା ଲାଗି ଏହାକୁ ଆଇନରେ ପରିଣତ କରିଥିଲେ ମଧ୍ୟ ଏହି କେନ୍ଦ୍ରୀୟ ଆଇନକୁ ଓଡ଼ିଶା ସରକାର କାର୍ଯ୍ୟକାରୀ କରୁ ନାହାନ୍ତି ।

ଏଥିରୁ ରାଜ୍ୟ ସରକାରଙ୍କର ଓକିଲମାନଙ୍କ ପ୍ରତି ରହିଖିବା ବୈମାତୃକ ମନୋଭାବ ସ୍ପଷ୍ଟ ହୋଇଛି । ଅନ୍ୟ ୧୬ଟି ରାଜ୍ୟରେ ଏହି କଲ୍ୟାଣ ପାଣ୍ଠି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇ ସାରିଲାଣି । ବିଗତ ୩୦ ବର୍ଷ ଧିର ରାଜ୍ୟ ସରକାର ଏହାକୁ ଟାଳି ଆସୁଛନ୍ତି । ଏନେଇ ସଂଘ ପକ୍ଷରୁ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: ଓକିଲ ଧର୍ମଘଟ, କେନ୍ଦ୍ର ସରକାର, କୋର୍ଟ, ରାଜ୍ୟ ସରକାର, ରାଜ୍ୟପାଳ

ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜି ପ୍ରତ୍ୟାହାର ଦାବିରେ ଧାରଣା, ସଭା

November 3, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୩ (ଓଡ଼ିଶା ଡ଼ଟ୍ କମ୍)– ସ୍ୱଦେଶୀ ଜାଗରଣ ମଞ୍ଚ, ଓଡିଶା ତରଫରୁ ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜି ନିବେଶକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।

ମଞ୍ଚର ପ୍ରାନ୍ତ ବିଚାର ପ୍ରମୁଖ ଶିକ୍ଷାବିତ୍ ଡକ୍ଟର ଧିରେନ୍ଦ୍ର ନନ୍ଦଙ୍କ ସଂଯୋଜନାରେ୍ ଅନୁଷ୍ଠିତ ହୋଇଥିବା ଗଣ ଧାରଣା ଓ ପ୍ରତିବାଦ ସଭାରେ ୬ଟି ଦାବି ସମ୍ବଳିତ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ପାଖକୁ ରାଜ୍ୟପାଳଙ୍କ ଜରିଆରେ ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମଞ୍ଚର ରଷ୍ଟ୍ରୀୟ ସହସଂଯୋଜକ ସରୋଜ ମିତ୍ର, ଅଖିଳ ଭାରତୀୟ ସଂଘର୍ଷ ବାହିନୀ ସହପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ, ପ୍ରାନ୍ତ ସହସଂଯୋଜକ ଶତୃଘ୍ନ ତରାଇ, ପ୍ରାନ୍ତ ପ୍ରଚାର ପ୍ରସାର ପ୍ରମୁଖ ପ୍ରସନ୍ନ କୁମାର ଛୋଟ୍ଟରାୟ, ପ୍ରାନ୍ତ ସମ୍ପର୍କ ପ୍ରମୁଖ ନିର୍ମଳ ଚନ୍ଦ୍ର ଷଡଙ୍ଗୀ, ପ୍ରମୁଖ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: ବିଦେଶୀ ପୁଞ୍ଜି, ରାଜ୍ୟପାଳ

ଚାରିିଦିନିଆ ଓଡିଶା ଗସ୍ତରେ ଭୁଟାନ୍ ପ୍ରଧାନମନ୍ତ୍ରୀ

September 6, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୫ (ଓଡ଼ିଶା ଡ଼ଟ୍ କମ୍)-ଗୁରୁବାର ଏକ ଚାରିିଦିନିଆ ଓଡିଶା ଗ୍ରସ୍ତରେ ଭୁଟାନ୍ର ପ୍ରଧାନମନ୍ତ୍ରୀ ଲିଓନଚେନ ଜଗମୀ ୱାଇ ଥିନଲେ ଓଡିଶା ଆସୁଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଂକ ସହ ସାକ୍ଷାତ କରିବାର ଯୋଜନା ରହିଛି ।

ଏଥି ସହିତ କିଟ୍ରେ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସମାବତର୍ନ ଉତ୍ସବରେ ଯୋଗବୋ ସଗେଂ ସଗେଂ କିସ ବିଶ୍ୱବିଦ୍ୟାଳୟ ଏବଂ କିସ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଚାରିିଦିନିଆ ଗସ୍ତ ଭିତରେ ସେ ଓଡିଶାର ଦର୍ଶନୀୟ ସ୍ଥାନ କୋଣାର୍କ, ଧଉଳି, ପୁରୀ ପ୍ରଭୃତି ପରିଦର୍ଶନ କରିବେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଭୁଟାନ୍ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ

  • Go to page 1
  • Go to page 2
  • Go to Next Page »

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା