• Skip to primary navigation
  • Skip to main content
  • Skip to primary sidebar
  • Skip to footer
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

ଓଡିଶା ନ୍ୟୁଜ/ Odisha News

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ସାକ୍ଷାତକାର

ପ୍ରତିଭାସମ୍ପନ୍ନ ଯୁବକ ମାନଙ୍କ ପାଇଁ ରାଜ୍ୟରେ ସୁଯୋଗ ସୃଷ୍ଟି କରାଯାଉ

March 28, 2005 by News Bureau Leave a Comment

ଚେନ୍ନାଇଠାରେ ସେଞ୍ଚୁରୀ ଆଗ୍ରୋଟେକ ଲିମିଟେଡ଼ର ବରିଷ୍ଠ ପ୍ରବନ୍ଧକ ତଥା ଆର ଏଣ୍ଡ ଡ଼ିର ମୁଖ୍ୟ ଭାବରେ କାର୍ଯ୍ୟ କରୁଥିବା ପୁରୀର ଡ଼ାକ୍ତର ସୁଦୀପ୍ତ କୁମାର ରଥଙ୍କ ସହ ସାକ୍ଷାତକାର ।

ପୁରୀ, ମାର୍ଚ ୩ (ଓଡ଼ିଶା ଡ଼ଟ୍ କମ୍), ଡ଼ାକ୍ତର ସୁଦୀପ୍ତ କୁମାର ରଥ । ଘର ଜଗନ୍ନାଥ ଧାମ,ପୁରୀରେ । ପିତା ପ୍ରଫେସର ଶୁକଦେବ ରଥ,ଗଣିତର ଜଣେ ସେବାନିବୃତ୍ତ ପ୍ରଫେସର । ପୁରୀର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରୁ ସ୍ନାତ୍ତକରେ ଉତୀର୍ଣ୍ଣ ହେବା ପରେ ରାଜସ୍ଥାନର ଜୟପୁରଠାରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଆୟୁର୍ବେଦରୁ ସ୍ନାତକୋତ୍ତର ।

ସଫେଦ ମୁଷଲୀ ଉପରେ ସେ ଲେଖିଥିଲେ ଏକ ସନ୍ଦର୍ଭ ଯାହାପାଇଁ ତାଙ୍କୁ ବିଶ୍ୱବିଦ୍ୟାଳୟରେ ମିଳିଥିଲା ସ୍ୱର୍ଣ୍ଣ ପଦକ । ତାଙ୍କ ମାଆ ଓଡ଼ିଆରେ ସ୍ନାତକୋତ୍ତର ହୋଇ ମଧ୍ୟ ଜଣେ ସୁଗୃହିଣୀ ହେବାପାଇଁ ଚାକିରୀରୁ ତ୍ୟାଗପତ୍ର ଦେଇଦେଇଥିଲେ ।

ତାଙ୍କ ବଡ଼ଭାଇ ଓଡ଼ିଶା ସରକାରଙ୍କର ଜଣେ କୃଷି ଅଧିକାରୀ ଭାବରେ ଓ ସାନ ଭାଇ ଓରାକଲ ଇଣ୍ଡିଆରେ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଛନ୍ତି । ସୁଦୀପ୍ତ ଏବେ ସମ୍ପ୍ରତି ଚେନ୍ନାଇଠାରେ ସେଞ୍ଚୁରୀ ଆଗ୍ରୋଟେକ ଲିମିଟେଡ଼ର ବରିଷ୍ଠ ପ୍ରବନ୍ଧକ ତଥା ଆର ଏଣ୍ଡ ଡ଼ି ର ମୁଖ୍ୟ ଭାବରେ କାର୍ଯ୍ୟକରୁଛନ୍ତି ।

ଏହି କମ୍ପାନୀ ମୁଖ୍ୟତଃ ଔଷଧୀୟ ବୃକ୍ଷର କୃଷି, ମାନକ ନିର୍ଣ୍ଣୟ, ଏବଂ ମୂଲ୍ୟ ସଂଯୋଗୀକରଣ କାର୍ଯ୍ୟ କରେ । ଏହା ବ୍ୟତିତ ଜାଟ୍ରୋଫା(ବାଇଗବା) ପରି ଜୈବ-ଡ଼ିଜେଲ ପ୍ରସ୍ତୁତ କରୁଥିବା ଗଛକୁ କୃଷିକ୍ଷେତ୍ରରୁ ନେଇ କାରଖାନା ପର୍ଯ୍ୟନ୍ତ ପହୁଞ୍ଚାଇବା କାର୍ଯ୍ୟ ମଧ୍ୟ ସମ୍ପାଦିତ କରେ ।

ଓଡ଼ିଶା ଡ଼ଟ୍ କମ୍ କୁ ସେ ଦେଇଥିବା ଏକ ଦୀର୍ଘ ସାକ୍ଷାତକାରର ମୁଖ୍ୟ ଅଂଶ ।

ଆପଣ କେତେ ବର୍ଷ ହେଲା ଓଡ଼ିଶା ଛାଡ଼ିଲେଣି ଓ ବର୍ଷରେ କେତେଥର ଓଡ଼ିଶା ଆସିଥାଆନ୍ତି ? ଆପଣ ଯେତେବେଳେ ବି ଓଡ଼ିଶା ଆସନ୍ତି କ’ଣ ପାଇଁ ଆସିଥାଆନ୍ତି?

ମୁଁ ଉଚ୍ଚତର ଶିକ୍ଷା ହାସଲ କରିବା ପାଇଁ ୧୯୯୯ରେ ଓଡ଼ିଶା ଛାଡ଼ିଥିଲି କିନ୍ତୁ କୌଣସି ସୁଯୋଗ ନଥିବାରୁ ଆଉ ଓଡ଼ିଶା ଫେରି ପାରିନଥିଲି । ମୁଁ ମୁଖ୍ୟତଃ ମୋ ବାପା ମାଆଙ୍କୁ ଭେଟିବା ପାଇଁ ବର୍ଷକୁ ଦୁଇ ତିନିଥର ଓଡ଼ିଶା ଆସିଥାଏ ।

ଆପଣ ଓଡ଼ିଶାର ବିକାଶ ପାଇଁ କେତେବେଳେ କିଛି କରିବାକୁ ଚିନ୍ତା କରିଛନ୍ତି କି ? ଯଦି କରିଛନ୍ତି ତେବେ କି ଭାବରେ ଚିନ୍ତା କରିଛନ୍ତି?

ଓଡ଼ିଶାର ବିକାଶ କଥାଟି ସବୁବେଳେ ମୋ ଚିନ୍ତାରେ ରହି ଆସିଛି କାରଣ ମୁଁ ଭାବେ ଯେ ଓଡ଼ିଶାରେ ବହୁ ସୁଯୋଗ ସୁପ୍ତ ଅବସ୍ଥାରେ ରହିଛି ସେସବୁକୁ ପୁଣି ଜୀବନ୍ୟାସ ଦେଇ ନୂତନ ପିଢି ଯେପରି ଓଡ଼ିଶାରେ ରହି ଓଡ଼ିଶାର ବିକାଶରେ ଯୋଗଦାନ ଦେଇପାରିବେ ସେଥିପାଇଁ କାର୍ଯ୍ୟ କରାଯିବା ଆବଶ୍ୟକ ।

ମୋ ଦୃଷ୍ଟିରେ ଓଡ଼ିଶାର ବିକାଶ ଏହାର ବୌଦ୍ଧିକଶକ୍ତି ଭିତରେ ନିହିତ ଅଛି । ଏଠାରେ ଏଭଳି ଏକ ଗୋଷ୍ଠୀର ଲୋକ ଅଛନ୍ତି ଯେଉଁମାନେ ନିରବରେ ତାଙ୍କ କାର୍ଯ୍ୟ କରି ଚାଲିଥାଆନ୍ତି ।

କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ରାଜ୍ୟରେ ଏହିସବୁ ଲୋକମାନଙ୍କ ପାଇଁ ଉପଯୁକ୍ତ ପରିବେଶ ତଥା ମଞ୍ଚ ନାହିଁ ଯେଉଁଠାରେ କି ସେମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରାଇପାରିବେ ।

ସେଥିପାଇଁ ମୁଁ ସବୁବେଳେ ଭାବେ ଯେ ଯଦି ଏହି ପ୍ରତିଭାକୁ ଏକ ନୂଆ ଢାଞ୍ଚାରେ ପକାଯାଇ ପାରନ୍ତା ତେବେ ଓଡ଼ିଶା ବୌଦ୍ଧିକତାର ଏକ ଅଗ୍ରଣୀ ପ୍ରାଣକେନ୍ଦ୍ର ଭାବେ ଛିଡ଼ା ହୋଇପାରନ୍ତା ।

ସେହିପରି ଓଡ଼ିଶାର କୃଷିକ୍ଷେତ୍ର ମଧ୍ୟ ପ୍ରାକୃତିକ ଦୂର୍ବିପାକ, ଉତ୍ତମ ଯୋଜନାର ଅଭାବ ତଥା ସବୁ ପକ୍ଷଙ୍କର ସହଜିଆ ମାର୍ଗରେ ଚାଲିବାର ଦୂର୍ବାର ଆକାଂକ୍ଷା ଯେଗୁଁ ବହୁ ପଛରେ ପଡ଼ି ରହିଛି ।

ଡ଼େରିରେ ହେଉପଛେ ସୌଭାଗ୍ୟବଶତଃ ମୁଁ କୃଷିକ୍ଷେତ୍ରରେ କେତେକ ଅଭିନବ ଯୋଜନା କରିଛି ଓ ମୋର ଦୃଢ ବିଶ୍ୱାସ ଯେ କେବଳ ପାରମ୍ପରିକ ଉପାୟରେ ପୁରୁଣା ଚାଷ ଓଡ଼ିଶା ଭଳି ଏକ ପ୍ରାକୃତିକ ଦୂର୍ବିପାକ ପ୍ରଭାବିତ ରାଜ୍ୟରେ କୃଷିରବିକାଶ କରି ପାରିବ ନାହିଁ ।

ସେଇଥିପାଇଁ ମୁଁ ସବୁବେଳେ ଓଡ଼ିଶାର ବିକାଶ ସକାଶେ ବିଶେଷ କରି କୃଷି, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଏବଂ ବୌଦ୍ଧିକ ସେବା କ୍ଷେତ୍ରରେ କିଛି କରିବାକୁ ଚାହେଁ ।

ଓଡ଼ିଶାର ଦୁଃଖଦ ବର୍ତ୍ତମାନ ବିଷୟରେ ଆପଣ କିଛି କହିବେ କି ? ଆପଣ ରାଜ୍ୟର ଏହି ସ୍ଥିତି ପାଇଁ କାହାକୁ ଦାୟୀ କରିବେ ?

ହଁ ! ଏକଥା ସତ ଯେ ରାଜ୍ୟର ବିକାଶ ଦୃଷ୍ଟିରୁ ଆମେ ଏବେ ଏକ ଅସୁବିଧାଜନକ ସ୍ଥିତିରେ ଅଛୁ । ଆମର ଭଲ ଭଲ ଲୋକମାନେ ରାଜ୍ୟ ଛାଡ଼ି ଚାଲିଯାଉଛନ୍ତି । ଆମକୁ ଯେ କୌଣସି ମୂଲ୍ୟ ବିନିମୟରେ ଏହାକୁ ରୋକିବାକୁ ହେବ । ଏଥିପାଇଁ ଆମର ଏକ ଦୃଢ ସାମାଜିକ ଏବଂ ରାଜନୈତିକ ଇଛାଶକ୍ତି ତଥା ଦୂରଦୃଷ୍ଟିର ଆବଶ୍ୟକତା ରହିଛି ।

ମୋ ମତରେ ଏଥିପାଇଁ ପ୍ରଥମ ପଦକ୍ଷେପ ହେଉଛି ଯେ ଏକ ଖୋଲା ତଥା ଉଦାର ମାନସିକତା ସହ ସବୁ ପକ୍ଷଙ୍କୁ ସାମିଲ କରି ଏକ ବିସ୍ତୃତ ଆଲେଚନା ହେବା ଦରକାର ।

ମୁଁ କାହାରି ଉପରେ ଦୋଷ ଲଦିଦେବାରେ ବିଶ୍ୱାସ କରେ ନାହିଁ । ଅବଶ୍ୟ ଏକଥା ସତ୍ୟ ଯେ ଆମର ଆଜିର ଏହି ଦୁସ୍ଥିତି ପାଇଁ କିଛି ଲୋକଙ୍କୁ ଦାୟୀ କରାଯିବା ଉଚିତ ।

କିନ୍ତୁ ମୁଁ ଭାବୁଛି ଏଥିପାଇଁ ଆମେ ସମସ୍ତେ ଅଳ୍ପେ ବହୁତେ ଦାୟୀ । ତେବେ ଯାହା ହୋଇ ଯାଇଛି ତାକୁ ତ ଆମେ ଆଉ କିଛି କରିପାରିବା ନାହିଁ, ବରଂ ଅତୀତରୁ ଶିକ୍ଷା ଗ୍ରହଣ କରି ଆମେ ଆଗକୁ ଅଗ୍ରସର ହେବା ଉଚିତ ।

ଓଡ଼ିଶାର ବିକାଶ ପ୍ରକ୍ରିୟାରେ ଆପଣ କେବେ ସାମିଲ ହୋଇଥିଲେ? ଏହା କେତେଦୂର ଫଳପ୍ରଦ ହୋଇଥିଲା ?

ଦୁଇ ବର୍ଷ ତଳେ ମୁଁ ଔଷଧୀୟ ବୃକ୍ଷର କୃଷି କରିବା ପାଇଁ ଉଦ୍ୟମ କରିଥିଲି । କିନ୍ତୁ ଏହା ସେତେଟା ସଫଳ ହୋଇନଥିଲା ।

ଏଥିପାଇଁ ମୁଁ ଆବଶ୍ୟକ ସମୟ ଦେଇ ନପାରିବା ଯେତିକି ଦାୟୀ ଅଂଶୀଦାର ମାନଙ୍କର ବିରକ୍ତିକର ମନୋଭାବ ମଧ୍ୟ ସେତିକି ପରିମାଣରେ ଦାୟୀ । ତେବେ ମୋର ଦୁର୍ବଳତାକୁ ହିଁ ମୁଁ ମୁଖ୍ୟତଃ ଦାୟୀ କରିବି ।

ବର୍ତ୍ତମାନର ପ୍ରଶାସନିକ ବ୍ୟବସ୍ଥାରେ ଓଡ଼ିଶା ବିକଶିତ ହେଉଛି ନାଁ ଏହାର ସ୍ଥିତି ପୂର୍ବ ଅପେକ୍ଷା ଅଧିକ ଖରାପ ହେଉଛି ବୋଲି ଆପଣ ଅନୁଭବ କରୁଛନ୍ତି ? ଏଥିରେ କିଛି ପରିବର୍ତ୍ତନ ହେବା ଦରକାର ବୋଲି ଆପଣ ମନେ କରୁଛନ୍ତି କି?

ଓଡ଼ିଶା ନିଶ୍ଚିତ ଭାବରେ ବିକଶିତ ହେଉଛି କିନ୍ତୁ ମୁଁ ଭାବୁଛି ଯେ ଏହି ବିକାଶ ଦିଶାହୀନ ଭାବେ ଚାଲିଛି । କେବଳ ଏଇମିତି କେଉଁଠି କିଛି ବିକାଶ ହୋଇଯାଉଥିବା ପରି ଲାଗୁଛି । ଆମର ପ୍ରଥମେ ଏକ ଦୃଷ୍ଟିଭଙ୍ଗୀ ରହିବା ଆବଶ୍ୟକ ଏବଂ ଏହି ଦୃଷ୍ଟିଭଙ୍ଗୀରେ ବିକାଶର ସବୁ ଦିଗଗୁଡ଼ିକ ସାମ୍ରଗୀକ ଭାବରେ ସମାହିତ ହେବା ଉଚିତ ।

ଥରେ ଏହିଦୃଷ୍ଟିଭଙ୍ଗୀ ଆସିଗଲେ ତା ପରେ ଏହାକୁ କିପରି ଭାବରେ କାର୍ଯ୍ୟକାରୀ କରାଯାଇପାରିବ ଓ ସଂସ୍ଥାମାନେ କିପରି ଦକ୍ଷ ହୋଇପାରିବେ ତା ଉପରେ ବିଚାର କରାଯାଇପାରିବ ।

ଆପଣଙ୍କ ମତରେ କେଉଁ କଥାଗୁଡ଼ିକ ମୁଖ୍ୟତଃ ଓଡ଼ିଶାର ବିକାଶ ପଥରେ ଅନ୍ତରାୟ ସାଜୁଛନ୍ତି?

ମୁଁ ଭାବୁଛି ଯେ ଆମର ସବୁକଥା ସହଜରେ ପାଇଯିବାର ଦୃଷ୍ଟିଭଙ୍ଗୀ ତଥା କୌଣସି କଥାର ଯୋଜନା ନରହିବାଟା ହିଁ ଆମ ବିକାଶ ପଥରେ ସବୁଠାରୁ ବଡ଼ ପ୍ରତିବନ୍ଧକ ।

ଆପଣ ଭାବୁଛନ୍ତି କି ପ୍ରବାସୀ ଓଡ଼ିଆମାନେ ରାଜ୍ୟର ଉନ୍ନତି ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଆବଶ୍ୟକ ? ଯଦି ହଁ ତେବେ ସେମାନେ ଆଜି ପର୍ଯ୍ୟନ୍ତ ଏଥିରେ ବିଫଳ ହୋଇଛନ୍ତି କାହିଁକି ? ସେମାନେ କେଉଁ କ୍ଷେତ୍ରରେ ଓ କିପରି ରାଜ୍ୟର ବିକାଶ ପ୍ରକ୍ରିୟାରେ ସହଜରେ ସାମିଲ ହୋଇ ପାରିବେ ?

ପ୍ରବାସୀ ଓଡ଼ିଆମାନେ ଓଡ଼ିଶାର ବିକାଶରେ ସହଜରେ ସାମିଲ ହୋଇପାରିବେ କାରଣ ସେମାନଙ୍କର ବିଭିନ୍ନ ସ୍ଥାନରେ ଚାଲିଥିବା ବିକାଶ ପ୍ରକ୍ରିୟା ସମ୍ବନ୍ଧରେ ଏକ ପ୍ରତ୍ୟକ୍ଷ ଅନୁଭୂତି ରହୁଛି ।

କିନ୍ତୁ ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନେ ଓଡ଼ିଶାର ବିକାଶରେ ନିଜର ଯୋଗଦାନ ଦେବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି, ଏଥିରେ ଦ୍ୱିମତ ନାହିଁ ।

ପ୍ରବାସୀ ଓଡ଼ିଆମାେନେ ଓଡ଼ିଶାର ବିକାଶରେ ସାମିଲ ହେବାପାଇଁ ନିଷ୍ଠାପର ଭାବରେ ଏକ ମଞ୍ଚ ଗଠନ କରିବା ଆବଶ୍ୟକ ।

ଏହି ମଞ୍ଚ ଏକ ନିର୍ଦ୍ଧିଷ୍ଟ ସମୟରେ ଏକାଠି ହୋଇ, ବସି, ପରସ୍ପର ସହିତ ଆଲୋଚନା କରି ରାଜ୍ୟ ସରକାରକୁ ଆଗାମୀ କାର୍ଯ୍ୟ ଯୋଜନା ବିଷୟରେ ପରମର୍ଶ ଦେବା ଉଚିତ ଏଭଳି ଏକ ଉଦ୍ୟମରେ ସରକାର ନିଶ୍ଚିତ ସହଯୋଗ କରିବେ ବୋଲି ମୁଁ ଆଶା କରୁଛି ।

ଆମେ ପ୍ରଶାସନିକ କଳକୁ ଅଧିକ ସମସ୍ୟା କଥା ନକହି କିପରି ଏହି ସମସ୍ୟା ଗୁଡ଼ିକର ସମାଧାନ ହୋଇପାରିବ ସେଥିପାଇଁ ଅଧିକ ପରାମର୍ଶ ଦେବା ଉଚିତ ।

ଆପଣ ଯେତେବେଳେ ଓଡ଼ିଶା ଛାଡ଼ିଥିଲେ ସେତେବେଳର ଓଡ଼ିଶା ଓ ବର୍ତ୍ତମାନର ଓଡ଼ିଶା ଭିତରେ ଆପଣ କି ଫରକ ଦେଖିପାରୁଛନ୍ତି ?

ଓଡ଼ିଶାରେ ନିଶ୍ଚିତ ଭାବେ କେତେକ ଆଖିଦୃଶିଆ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ତେବେ ମୁଁ ପୂର୍ବରୁ ଯେଭଳି କହିଥିଲି ଏହି ପରିବର୍ତ୍ତନର କୌଣସି ନିର୍ଦ୍ଧିଷ୍ଟ ଦିଶା ରହୁନାହିଁ ବା ଏହା ସାମଗ୍ରୀକ ଭାବରେ ହେଉନାହିଁ ।

ଆପଣଙ୍କ ମତରେ ଓଡ଼ିଶାର ସାମାଜିକ ତଥା ଅର୍ଥନୈତିକ ବିକାଶ ପାଇଁ କେଉଁ ଦିଗଟି ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଦରକାର ?

ବୌଦ୍ଧିକ କ୍ଷେତ୍ରରେ ଆମକୁ ସମ୍ପୂର୍ଣ୍ଣ ଭାବରେ ଏକ ଆମୂଳଚୁଳ ସଂଶୋଧନ କରିବାକୁ ହେବ । ପ୍ରକୃତ ସଂସ୍କାର ଆସିବା ଦରକାର କୃଷି କ୍ଷେତ୍ରରେ ।

ଓଡିଶାକୁ ଏହାର ବର୍ତ୍ତମାନର ଦୂରବସ୍ଥାରୁ ଉଦ୍ଧାର କରିବା ପାଇଁ ଯେଉଁମାନେ ଓଡ଼ିଶା ପାଇଁ ନୀତି ନୀର୍ଦ୍ଧାରଣ କରୁଛନ୍ତି ସେମାନଙ୍କୁ ତଥା ରାଜ୍ୟର ରାଜନୈତିକ ନେତୃବୃନ୍ଦଙ୍କୁ ଆପଣ କି ଉପଦେଶ ଦେବେ ?

ଓଡ଼ିଶା ପାଇଁ ନୀତି ନୀର୍ଦ୍ଧାରଣ କରୁଥିବା ସମସ୍ତଙ୍କୁ ମୋର ବିନମ୍ର ପରାମର୍ଶ ହେଉଛି ଯେ ସେମାନେ ଦୂରଦୃଷ୍ଟି ସମ୍ପନ୍ନ ହୁଅନ୍ତୁ ।

ନୀତି ନିର୍ଦ୍ଧାରଣ କରିବା ବେଳେ ସେମାନେ ସବୁ ପକ୍ଷକୁ ବିଶ୍ୱାସକୁ ନେଇ ନିଷ୍ଠାପର ଭାବରେ ତଥା ସାମଗ୍ରୀକ ଭାବରେ ସବୁକଥାକୁ ବିଚାର କରନ୍ତୁ ଓ ଯାହା ସମ୍ଭବ ତାହା ହିଁ କହନ୍ତୁ । ଏତିକି କଲେ ମୁଁ ଭାବୁଛି ରାଜ୍ୟରେ ଅନେକ ପରିବର୍ତ୍ତନ ଆସିବା ଆରମ୍ଭ କରିବ ।

ଆପଣଙ୍କ ଦୃଷ୍ଟିରେ ଓଡ଼ିଶାର ବିକାଶ ପାଇଁ ତତକ୍ଷଣାତ କ’ଣ କରାଯିବା ଜରୁରୀ ?

ଆମେ ଆମର ପ୍ରତିଭାସମ୍ପନ୍ନ ଯୁବକ ମାନଙ୍କୁ ରାଜ୍ୟ ଭିତରେ କାମ କରିବାର ସୁଯୋଗ ସୃଷ୍ଟି କରିବା ଉଚିତ ।

ବିକାଶର ନୂତନ ପର୍ଯ୍ୟାୟ ଆଡ଼କୁ ଓଡ଼ିଶାକୁ ଆଗେଇ ନେବା ପାଇଁ ଆପଣଙ୍କର ନିର୍ଦ୍ଧିଷ୍ଟ ଦୃଷ୍ଟିଭଙ୍ଗୀଟି କ’ଣ ?

ଆମେ ଆମ ବୌଦ୍ଧିକ କର୍ମକ୍ଷେତ୍ର ତଥା କୃଷି କ୍ଷେତ୍ରକୁ ଏକ ଅଭିନବ ଦୃଷ୍ଟିଭଙ୍ଗୀ ସହିତ ସଶକ୍ତ କରିବା ଦରକାର । ଓଡ଼ିଶା ସ୍ୱାସ୍ଥ୍ୟରକ୍ଷା-ପର୍ଯ୍ୟଟନର ଏକ ପ୍ରାଣକେନ୍ଦ୍ର ହୋଇପାରିବ ।

ଆମେ ଆଗାମୀ ୨୦ ବର୍ଷ ପାଇଁ ଏକ ଯୋଜନା କରି ପ୍ରତି ୫ ବର୍ଷରେ ଥରେ ଏହାକୁ ପୁନଃସମୀକ୍ଷା କରିବା ଆବଶ୍ୟକ ।

ଓଡ଼ିଶା କାହାଦ୍ୱାରା ଅଧିକ ଶୋଷିତ ହୋଇଛି ବୋଲି ଆପଣ ବିଚାର କରୁଛନ୍ତି ?

ଓଡ଼ିଶା ମୁଖ୍ୟତଃ ଭାରତ ସରକାର ଦ୍ୱାରା ଶୋଷିତ ହୋଇଛି । ବିଶେଷ କରି ଆମକୁ ସବୁବେଳେ ଏକ ଗରିବ, ଅଶିକ୍ଷିତ ତଥା କୁଶାସନର ଶୀକାର ହୋଇଥିବା ରାଜ୍ୟ ଭାବରେ ଚିତ୍ରଣ କରାଯାଇଛି ।

ଯାହାକି ସତ୍ୟ ଠାରୁ ଅନେକ ଦୂରରେ । ଆମେ ଗରିବ ହୋଇପାରୁ କିନ୍ତୁ ଅନ୍ୟ ଦୁଇଟି କ୍ଷେତ୍ରରେ ଆମେ ଅନ୍ୟ ବହୁ ତଥାକଥିତ ଉନ୍ନତ ରାଜ୍ୟଙ୍କ ଠାରୁ ବହୁ ଆଗରେ ରହିଛୁ ।

ଓଡ଼ିଶା ଡ଼ଟ୍ କମ୍

Filed Under: ସାକ୍ଷାତକାର Tagged With: ଡ଼ାକ୍ତର ସୁଦୀପ୍ତ କୁମାର ରଥ, ସାକ୍ଷାତକାର

ନିଯୁକ୍ତି ସୃଷ୍ଟି ହେଉଛି ଓଡ଼ିଶାର ପ୍ରଧାନ ଆବଶ୍ୟକତା: ସାକ୍ଷାତକାର

March 8, 2005 by ନିଉଜ ଡେସ୍କ Leave a Comment

 

ଉତ୍ତର ଆମେରିକାରେ ଥିବା ଆଲାସ୍କା ଫେୟାରବ୍ୟାଙ୍କ୍ସ ବିଶ୍ୱବିଦ୍ୟାଳୟରେ ଜିଓଲୋଜିକାଲ ଇଞ୍ଜିନିୟରିଂ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଓଡ଼ିଶାର ଦେବସ୍ମିତ ମିଶ୍ରଙ୍କ ସହ ଓଡ଼ିଶା ଡ଼ଟ କମର ବିଶେଷ ସାକ୍ଷାତକାର

ଆଲାସ୍କା ଫେୟାରବ୍ୟାଙ୍କ୍ସ ବିଶ୍ୱବିଦ୍ୟାଳୟରେ ଜିଓଲୋଜିକାଲ ଇଞ୍ଜିନିୟରିଂ ବିଭାଗରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି ଦେବସ୍ମିତ । ଯୁକ୍ତରାଷ୍ଟ୍ର ଆମେରିକାର ଅନ୍ୟ ସ୍ଥାନମାନଙ୍କ ତୁଳନାରେ ଆଲାସ୍ମା ରାଜ୍ୟ ହେଉଛି ଅତ୍ୟନ୍ତ ଅନୁନ୍ନତ ।

ତାଙ୍କର ସହଧର୍ମିଣୀ ନୀଳିମା ନର୍ସିଂ(ସେବିକା କାର୍ଯ୍ୟ) ଶିକ୍ଷା ଚାଲୁରଖିବାକୁ ନିଷ୍ପତ୍ତି କରିଛନ୍ତି । ବର୍ତ୍ତମାନ ସେ ବିଶ୍ୱବିଦ୍ୟାଳୟର ଜଣେ ସାମୟିକ (ପାର୍ଟ-ଟାଇମ) ଛାତ୍ରୀ ।

ସଂବୀତ ନାମକ ଜଣେ ୧୪ବର୍ଷୀୟ ପୁଅ ଓ ମନୀଷା ନାମ୍ନି ୭ ବର୍ଷୀୟା ଝିଅ । ଉଭୟ ସେମାନଙ୍କ ପାଠ ଓ ପାଠ୍ୟକ୍ରମ ବର୍ହିଭୂତ କାର୍ଯ୍ୟକଳାପ ଉତ୍ତମ ଭାବେ ସଂପାଦାନ କରଛନ୍ତି ।

ପ୍ରକୃତିର ଛବି ଉତ୍ତୋଳନ,ସଂଗୀତ ଶ୍ରବଣ, ସଂଗୀତ ପରିବେଷଣ,ବାଦ୍ୟଯନ୍ତ୍ର ପରିଚାଳନା ,ଉପନ୍ୟାସ , ଅନ୍ୟାନ ପୁସ୍ତକ ଅଧ୍ୟୟନ ଓ ଆବଶ୍ୟକତା ଅନୁପାତରେ ପରାମର୍ଶ ପ୍ରଦାନ ପ୍ରତିଦେବସ୍ମିତଙ୍କର ବିଶେଷ ଆଗ୍ରହ ରହିଛି ।

“ଆଲାସ୍କାର ଲୋକମାନଙ୍କୁ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମୁଁ ବହୁତ ଭଲ ପାଏଁ କାରଣ ଆଲାସ୍କାର ଜନସାଧାରଣଙ୍କର ଭାରତବାସୀଙ୍କ ସହିତ ଅନେକ ଦୃଷ୍ଟିରୁ ସାମଞ୍ଜସ୍ୟ ରହିଛି ”ସେ କହନ୍ତି ।

ଆପଣ କେତେ ବର୍ଷ ଧରି ଓଡ଼ିଶା ଛାଡ଼ିଲେଣି ? ବର୍ଷକୁ ଆପଣ କେତେ ଥର ଓଡ଼ିଶା ପରିଦର୍ଶନ କରୁଛନ୍ତି ?ଆପଣ ଯଦି ଓଡ଼ିଶା ଆଗମନ କରୁଛନ୍ତିି ,ତାର ଉଦେ୍ଧଶ୍ୟ କଣ?

ଥାଇଲାଣ୍ଡରେ ଉଚ୍ଚଶିକ୍ଷା ଲାଭ ନିମନ୍ତେ ମୁଁ ୧୯୮୫ ମସିହାରେ ଓଡ଼ିଶା ଛାଡ଼ିଥିଲି । ମୁଖ୍ୟତଃ ମୋର ପରିବାରବର୍ଗଙ୍କୁ ଦେଖିବା ପାଇଁ କାଁ ଭାଁ ଓଡ଼ିଶା ଗସ୍ତରେ ଯାଇଥାଏ ।

ଓଡ଼ିଶାର ବିକାଶ ପ୍ରକିୟାରେ କୌଣସି ଉପାୟରେ ଭାଗିଦାରୀ ହେବା ପାଇଁ ଆପଣ ଚିନ୍ତା କରିଛନ୍ତି କି?ଯଦି ହଁ ,ତେବେ କିଭଳି ଭାବରେ ?

ପ୍ରକୃତରେ ଏଭଳି ପ୍ରଶ୍ନର କିଭଳି ଉତ୍ତର ଦେବି ମୁଁ ଜାଣିପାରୁନାହିଁ । ଓଡ଼ିଶାର ବିକାଶ ପ୍ରସଙ୍ଗ ସବୁବେଳେ ମୋ ଚିନ୍ତା ରାଜ୍ୟରେ ରହିଛି । ବାସ୍ତବବାଦୀ ଦୃଷ୍ଟିକୋଣରୁ ଓଡ଼ିଶାର ଉନ୍ନୟନ ପାଇଁ ମୋର କିଛି ଅବଦାନ ଅଛି କି ବୋଲି ଯଦି ପ୍ରଶ୍ନ ଥାଏ,ତେବେ ତାର ଉତ୍ତର “”ନାଁ”

ସେଭଳି ଅବଦାନ ଥିଲେ ମୁଁ ଅତ୍ୟନ୍ତ ଆନନ୍ଦ ଅନୁଭବ କରିଥାନ୍ତି । ଓଡ଼ିଶାର ସମୃଦ୍ଧି ବା ଉନ୍ନୟନରେ ସହଭାଗୀ ହେବାର ଯଥେଷ୍ଟ ସୁଯୋଗ ରହିଛି ,ମୁଁ ଜାଣେନା ମୋର ସେଥିରେ କୌଣସି ଉଲ୍ଲେଖନୀୟ ଭୂମିକା ରହିବିକି ନାହିଁ ।

ଓଡ଼ିଶାର ବର୍ତ୍ତମାନର ଦୁଃସ୍ଥିତି ସଂପର୍କରେ ଆପଣଙ୍କର କୌଣସି ମନ୍ତବ୍ୟ ଅଛିକି ଏବଂ ସେଥିନିମନ୍ତେ ଆପଣ କାହାକୁ ଦାୟୀ କରିବେ?

ମୁଁ ବିଚାର କରୁନାହିଁ ଓଡ଼ିଶାର ସ୍ଥିତି ବର୍ତ୍ତମାନ ଖରାପ ରହିଛି । ଅବଶ୍ୟ ସେଠାରେ ସମସ୍ୟା ରହିଛି ଏବଂ ଆମେମାନେ ତାକୁ ସ୍ୱୀକାର କରି ତାର ଉପଶମ ପାଇଁ କାର୍ଯ୍ୟ କରିବାକୁ ପଡ଼ିବ । ମାତ୍ର ସେହି ସମସ୍ୟାଗୁଡ଼ିକ ରାଜ୍ୟର ଦୁଃସ୍ଥିତି ସୃଷ୍ଟି କରିବା ଭଳି ପରିସ୍ଥିତି ଉପୁଯାଇଛି ବୋଲି ମୁଁ ଗ୍ରହଣ କରିପାରୁନାହିଁ ।

ମୁଁ ଭାବୁଛି ଯେକୌଣସି ଅର୍ନ୍ତନିହିତ ବା ସହମତ ସମସ୍ୟାଗୁଡ଼ିକ ପାଇଁ କୌଣସି ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଅଙ୍ଗୁଳି ନିଦେ୍ର୍ଧଶ କରିବାକୁ ମୁଁ ଅସମର୍ଥ । ମୁଁ ଚିନ୍ତା କରୁଛି ଯେ, ଓଡ଼ିଶାବାସୀ ଐକ୍ୟବଦ୍ଧ ହେବା ଆବଶ୍ୟକ ଏବଂ ଏକ ନୂତନ ସ୍ଥିତାବସ୍ଥା ଗଢିତୋଳିବା ଦରକାର ।

ଓଡ଼ିଶାର ବିକାଶ ପ୍ରକିୟାରେ କୌଣସି ସ୍ତରରେ ଆପଣ କେତେଦୂର ସଂପୃକ୍ତ ହୋଇଛନ୍ତି ? ତାହା ଫଳବତୀ ହୋଇଛିକି?

ମୁଁ ସେହି ପ୍ରକିୟାରେ ଆଦୌ ସଂଶ୍ଳିଷ୍ଟ ହୋଇନାହିଁ । ମୁଁ ବିଚାର କରୁଛି ଯେ, ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ସଚ୍ଚୋଟବାନ ଓ ଦୃଢ ସଂକଳ୍ପ ଲୋକମାନେ ଐକ୍ୟବଦ୍ଧଭାବେ କାର୍ଯ୍ୟ କରିବା ଦରକାର ।

ବର୍ତ୍ତମାନର ପ୍ରଶାସନିକ ବ୍ୟବସ୍ଥାରେ ଓଡ଼ିଶାର ଉନ୍ନତି ନା ଅବନତି ଘଟୁଛି ବୋଲି ଆପଣ ଭାବୁଛନ୍ତି?କୌଣସି ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି ଆପଣ ବିଚାର କରୁଛନ୍ତି କି?

ସବୁଆଡ଼େ ପ୍ରଗତି ଘଟୁଛି । ଓଡ଼ିଶା କାହିଁକି ପଛରେ ପଡ଼ିବ? ଯଦି କୌଣସି କ୍ଷେତ୍ରରେ କିଛି ତ୍ରୁଟିବିଚ୍ୟୁତି ଘଟୁଛି ,ସେଥିନିମନ୍ତେ ମୁଁ ପ୍ରଶାସନ ଉପରେ ଦୋଷାରୋପ କରିପାରିବି ନାହିଁ ।

କାରଣ ଆମେମାନେ ହିଁ ସରକାର ଗଢିବା ଲାଗି ଲୋକପ୍ରତିନିଧିମାନଙ୍କୁ ନିର୍ବାଚିତ କରୁଛୁ,ଯେଉଁମାନେ କି ଆମକୁ ଶାସନ କରୁଛନ୍ତି । ତେଣୁ କୌଣସି ବିଷୟରେ ତ୍ରୁଟି ବିଚ୍ୟୁତି ଦେଖାଗଲେ ,ସେଥିପାଇଁ ଆମମାନେ ହିଁ ଦାୟୀ ।

ଅବଶ୍ୟ ଭଲ ପାଇଁ ପରିବର୍ତ୍ତନର ଆବଶ୍ୟକତା ରହିଛି । ବର୍ତ୍ତମାନ ଓଡ଼ିଶାରେ କୌଣସି ଦୁଃସ୍ଥିତି ନାହିଁ । ମାତ୍ର ଓଡ଼ିଶାର ବର୍ତ୍ତମାନର ସ୍ଥିତାବସ୍ଥା ଠାରୁ ଯେକୌଣସି ଉନ୍ନତି ନିଶ୍ଚିତ ଭାବରେ ବୋନସ ବୋଲି ମନେ କରାଯିବ ।

ଆପଣଙ୍କ ମତରେ ଓଡ଼ିଶାର ବିକାଶ ପଥରେ ମୁଖ୍ୟ ପ୍ରତିବନ୍ଧକଗୁଡ଼ିକ କଣ?

ବିକାଶ ସପକ୍ଷରେ ବା ବିପକ୍ଷରେ ଓକିଲାତି କରିବା ପାଇଁ ମୁଁ ଚାହୁଁନାହିଁ । ତେବେ ମୁଁ ଅନୁଭବ କରୁଛିଯେ,ଓଡ଼ିଶାର ଶିକ୍ଷା ଓ ଅର୍ଥନୀତି କ୍ଷେତ୍ରରେ ଉନ୍ନତି ହେବା ଆବଶ୍ୟକ ।

ଏହା କେବଳ ଶତକଡ଼ା ୯୫ଭାଗ ସମସ୍ୟାର ସମାଧାନ କରିପାରିବ । ଗୋଟିଏ ଶିକ୍ଷିତ ସମାଜ ଏକ ଉନ୍ନୟନମୂଳକ ସମାଜ ପାଇଁ ସଂକଳ୍ପବଦ୍ଧ ହୋଇପାରିବ ।

ମୁଁ ମଧ୍ୟ ବିଶ୍ୱାସ କରୁଛିଯେ, ଦୁର୍ନିତିକୁ ଆମେ ସବୁନିମନ୍ତେ ନିୟନ୍ତ୍ରଣ କରିବା ଦରକାର । ତାହା ମଧ୍ୟ ଉପଯୁକ୍ତ ଶିକ୍ଷା ଓ ସୁଦୃଢ ଅର୍ଥନୀତି ଦ୍ୱାରା ହାସଲ କରିପାରିବ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସୁଦୃଢ ଓ ଶକ୍ତିଶାଳୀ କରାଯିବା ଆବଶ୍ୟକ ।

ଲୋକମାନେ ସେମାନଙ୍କ ଅଧିକାର ଓ ଦାୟିତ୍ୱଗୁଡ଼ିକ ବୁଝିବା ଦରକାର ଏବଂ ଉପଯୁକ୍ତଭାବେ ସେଗୁଡ଼ିକ କାର୍ଯ୍ୟକାରୀ କରିବା ଆବଶ୍ୟକ । ଏ ସମସ୍ତ ବିଷୟ ଶିକ୍ଷା ଓ ଅର୍ଥନୀତି ଭଳି ଦୁଇଟି ବିଷୟ ଉପରେ ନିର୍ଭରଶୀଳ ।

ରାଜ୍ୟର ଉନ୍ନୟନ କ୍ଷେତ୍ରରେ ପ୍ରବାସୀ ଓଡ଼ିଆମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବେ ବୋଲି ଆପଣ ବିଚାର କରୁଛନ୍ତି କି? ଯଦି ହଁ ,ତେବେ ସେମାନେ ଏ ଦିଗରେ କାହିଁକି ବିଫଳ ହୋଇଛନ୍ତି ?

ଅନ୍ୟପକ୍ଷରେ ପ୍ରବାସୀ ଓଡ଼ିଆମାନେ ରାଜ୍ୟର ବିକାଶ କ୍ଷେତ୍ରରେ ସହଜରେ ଅଗ୍ରଣୀ ଭୂମିକା ନେବାର ସୁଯୋଗ ଓ ପ୍ରଣାଳୀଗୁଡ଼ିକ କଣ?

ମୁଁ ଭାବୁଛି ଓଡ଼ିଶାର ସ୍ଥିତିରେ ଉନ୍ନତି ଆଣିବା ଲାଗି ସମସ୍ତ ଓଡ଼ିଆଙ୍କର ଭୂମିକା ନିର୍ବାହର ଆବଶ୍ୟକତା ରହିଛି । ପ୍ରବାସୀ ଓଡ଼ିଆମାନେ ବାହାରୁ ମୂଲ୍ୟବୋଧ ଆଣିପାରିବେ ଏବଂ ନିବାସୀ ଓଡ଼ିଆମାନେ ନିଜ ଭିତରେ ମୂଲ୍ୟବୋଧ ସୃଷ୍ଟିକରିପାରିବେ ।

ତେବେ ନେତୃତ୍ୱ ନେବ କିଏ?ମୋର ବିନମ୍ର ମତରେ ଯିଏ ସମର୍ଥ ଓ ଇଚ୍ଛୁକ,ସିଏ ନେତୃତ୍ୱ ନେବା ଦରକାର । କିଏ ବିଫଳ ହୋଇଛନ୍ତି ? ମୋ ମତରେ ଯେକୌଣସି ଓଡ଼ିଆର ପ୍ରଚେଷ୍ଟାକୁ ଚିତ୍ରଣ କରିବାର ଏହା ଉପଯୁକ୍ତ ପଥ ନୁହଁ ।

ଆମେମାନେ ବର୍ତ୍ତମାନ ସୁଦ୍ଧା କଣ ସବୁ ହାସଲ କରିପାରିନାହାନ୍ତି ,ସେ ବିଷୟରେ ମୂଲ୍ୟାୟନ କରିବା ଆବଶ୍ୟକ । ଆମେମାନେ ଆମ ଭିତରେ ଏକାଠି ହେବାର ପରିବେଶ କିମ୍ବା ରାଜ୍ୟ ସାଥୀ ନାଗରିକଙ୍କ ପ୍ରତି ମଧ୍ୟ ଦାୟିତ୍ୱବୋଧ ସୃଷ୍ଟି କରିନାହାନ୍ତି ।

ଶେଷ କଥା ହେଉଛି,ଆମେ ସେ ଦିଗରେ ଚେଷ୍ଟା କରିନାହାନ୍ତି । ଯଦି କିଛି ଉଦ୍ୟମ କରିଛନ୍ତି ତେବେ ତାହା କେବଳ ବ୍ୟକ୍ତିଗତ ସ୍ତରରେ ସୀମିତ ହୋଇରହିଛି ।

ଓଡ଼ିଆମାନଙ୍କର ଆର୍ନ୍ତଜାତିକ ସଂଗଠନ ଓଡ଼ିଆ ସମାଜ ସେଭଳି ଏକ ସଦ୍ଭାବ ଓ ଅଧିସଦସ୍ୟତାପୂର୍ଣ୍ଣ ପରିବେଶ ଗଢିତୋଳିବାକୁ ଉଦ୍ୟମ ଚଳାଇଛି । ତଥାପି ଆମେ ସେହି କ୍ଷେତ୍ରରେ ଅତି ପ୍ରାଥମିକ ସ୍ତରରେ ରହିଛୁ ।

ଭବିଷ୍ୟତରେ ଓଡ଼ିଆମାନଙ୍କ ପାଇଁ ମୁଁ ଏକ ଉଜ୍ଜଳମୟ ଭବିଷ୍ୟତ ଦେଖୁଛି ମାତ୍ର ଆମେ ଐକ୍ୟବଦ୍ଧଭାବେ କାର୍ଯ୍ୟ ଏବଂ ଚିନ୍ତା କଲେ ତାର କେବଳ ବାସ୍ତବ ରୂପାୟନ ଘଟିପାରିବ ।

ସମସ୍ତେ ଯଦି ଚିନ୍ତା କରିବା ରାଜ୍ୟ ପାଇଁ ଆମେ କଣ ଦେଇପାରିବା ଓ କିଭଳି ଭାବରେ ଦାନ କରିବା ,ତେବେ ହିଁ ଆମେ ପ୍ରଗତି ପରିଦୃଶ୍ୟ କରିପାରିବା ।

ଆପଣ ଓଡ଼ିଶା ଛାଡ଼ିବା ଏବଂ ଦୀର୍ଘ ବ୍ୟବଧାନ ପରେ ବର୍ତ୍ତମାନ ପରିଭ୍ରମଣ କରିବା ଭିତରେ ରାଜ୍ୟର କିଭଳି ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି ?

ଗତ ଦଶ ବର୍ଷ ଭିତରେ ଓଡ଼ିଶାର ସହରି ଜୀବନରେ ସୁସ୍ପଷ୍ଟ ପରିବର୍ତ୍ତନ ଘଟିଥିବାର ଲକ୍ଷ୍ୟ କରୁଛିା ମାତ୍ର ଗ୍ରାମାଞ୍ଚଳର ବିଶେଷ ପରିବର୍ତ୍ତନ ଘଟିପାରିନାହିଁ । ସହରର ଅଧିବାସୀମାନେ ବୈଷୟିକ ଦୃଷ୍ଟିକୋଣରୁ ସମର୍ଥ ହୋଇପାରିଛିନ୍ତି ଓ ଦଶ ବର୍ଷ ମଧ୍ୟରେ ଅତି ଉନ୍ନତ ଧଣଣର ଜୀବନ ଯାପନ କରୁଛନ୍ତି ।

ଜୀବନ ଧାରଣ ପ୍ରଣାଳୀରେ ଉନ୍ନତି ସହିତ ସେମାନେ ଓଡ଼ିଆ ଭାଷା,ସଂସ୍କୃତି ଓ ଐତିହ୍ୟକୁ କିଛି ପରିମାଣରେ ପାଶୋରି ଯିବା ବିଷୟ ମୁଁ ଲକ୍ଷ୍ୟ କରିଛି ।

ଅନ୍ୟପକ୍ଷରେ ହିନ୍ଦୀ ସହରି ଲୋକମାନଙ୍କ ମଧ୍ୟରେ ଏକ ସୌଖୀନ ଭାଷାରେ ପରିଣତ ହୋଇଛି । ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ଇଂରାଜୀ ଶିକ୍ଷା ଦେବା ପାଇଁ ଲାଳସା ପ୍ରଦର୍ଶନ କରୁଛନ୍ତି ।

ଏହି ପ୍ରକିୟାରେ ଆମେ ନିଜର ପରିଚୟ ହରାଇବାକ ୁ ବସିଛୁ । ଆମେ ସମସ୍ତେ ମିଶି ଏକ ଭିନ୍ନ ସମାଜ ଗଢିତୋଳି ପାରିବା ଯଦିଓ ସେଥିନିମନ୍ତେ ବର୍ତ୍ତମାନ ପର୍ଯ୍ୟନ୍ତ ସମୟ ଉପଗତ ହୋଇନାହିଁ ।

ଓଡ଼ିଶାର ସାମାଜିକ -ଅର୍ଥନୈତିକ ସମୃଦ୍ଧି ନିମନ୍ତେ ଆପଣଙ୍କ ଦୃଷ୍ଟିରେ କେଉଁ ପ୍ରସଂଗ ଅଧିକ ଗୁରୁତ୍ୱପୂର୍ଣ୍ଣ ?

ଶିକ୍ଷା ଓ ଗବେଷଣା । ଏହି ଦୁଇଟି ବିଷୟ ପାଇଁ ଆଗ୍ରହ ।

ବର୍ତ୍ତମାନର ଦୁଃସ୍ଥିତିରୁ ମୁକ୍ତି ପାଇବା ପାଇଁ ବିକାଶ ପ୍ରକିୟାରେ ସଂପୃକ୍ତ ନୀତି -ନିର୍ଦ୍ଧାରକ,ରାଜନୈତିଜ୍ଞ ଓ ଅନ୍ୟମାନଙ୍କ ଲାଗି ଆପଣଙ୍କ ବାତ୍ତର୍୍ା କଣ?

ଆପଣ କେଉଁ ପ୍ରକାର ଦୁଃସ୍ଥିତି ସଂପର୍କରେ ଅବତାରଣା କରୁଛନ୍ତି ,ତାହା ମୁଁ ଜାଣିନାହିଁ । ସମ୍ଭବତଃ ମୁଁ ତାକୁ ସ୍ୱୀକାର କରୁନାହିଁ । କିନ୍ତୁ ମୁଁ ନିଶ୍ଚିତଭାବେ କୌଣସି ଦୁଃସ୍ଥିତି ପରିଦୃଶ୍ୟ କରୁନାହିଁ ।

ଆପଣ ଯଦି ଦୁର୍ନିୀତି ପ୍ରସଂଗକୁ ଦୁଃସ୍ଥିତି ଭାବେ ବର୍ଣ୍ଣନା କରୁଛନ୍ତି ,ତେବେ ମୁଁ ତାକୁ କଳାବାଦଲ ହିସାବରେ ବିଚାର କରୁନାହିଁ । କାରଣ ପୃଥିବୀର କୌଣସି ଦେଶ ଦୁର୍ନିତିରୁ ମୁକ୍ତ ନୁହେଁ ।

କିନ୍ତୁ ଅନେକ ବିକାଶଶୀଳ ଦେଶ ଅର୍ଥନୀତିର ଉନ୍ନତିକରଣ ଓ ଶିକ୍ଷାର ସୃଦୃଢିକରଣ ମାଧ୍ୟମରେ ଦୁର୍ନୀତିର ସ୍ତର ନିୟନ୍ତ୍ରଣ କରୁଛନ୍ତି ।

ମୁଁ ପୃଥିବୀର କୌଣସି ଅପରପାଶ୍ୱର୍ରେ ଅର୍ଥାତ ଯୁକ୍ତରାଷ୍ଟ୍ର ଆମେରିକାରରେ ବସି ଏସମସ୍ତ ବିଷୟ କହିବା ଅତି ସହଜ । ପ୍ରକୃତରେ ଏସମସ୍ତ ବିଷୟ ରାତାରାତି ହୋଇପାରିବ ନାହିଁ ।

ଏହା ଏକ ପ୍ରକିୟା ଯାହା ପରିବର୍ତ୍ତନ ହେବା ପାଇଁ ଦଶନ୍ଧି ଦଶନ୍ଧି ସମୟ ଲାଗେ । ଯେଭଳି ତାହା ସମାଜର ସମସ୍ତ କ୍ୟାଡ଼ରକୁ ଅନୁପ୍ରବେଶ କରିବା ପାଇଁ ଦଶନ୍ଧି ଦଶନ୍ଧି ସମୟ ନିଏ ।

ଆମେ ଆମର ନୀତି ନିର୍ଦ୍ଧାରକମାନଙ୍କୁ ଏଭଳି ବାଛିବା ଦରକାର ଯେଉଁମାନେ କି ଏହି ପ୍ରକିୟାକୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ସଂକଳ୍ପବଦ୍ଧ ହୋଇପାରିବେ ।

ଆପଣଙ୍କ ଉପଲବ୍ଧôରେ ଓଡ଼ିଶାର ଜରୁରୀ ଆବଶ୍ୟକତା କଣ?

ନିଯୁକ୍ତି ସୃଷ୍ଟି ହେଉଛି ପ୍ରଧାନ ଆବଶ୍ୟକତା ଏବଂ ତାପଛକୁ ଜନସଂଖ୍ୟା ନିୟନ୍ତ୍ରଣ । ପରିବର୍ତ୍ତୀ ପଦକ୍ଷେପ ହେଉଛି ଯୁଦ୍ଧକାଳୀନ ଭିତ୍ତିରେ ଏକ ଯୋଜନା ବିକଶିତ କରିଯିବା ଦରକାର ।

ଓଡ଼ିଶାକୁ ବିକାଶର ନୂତନ ପର୍ଯ୍ୟାୟକୁ ନେବା ପାଇଁ ଆପଣଙ୍କ ଦୃଷ୍ଟିଭଙ୍ଗୀ ସଂପକର୍କରେ କିଛି କହିବେକି?

ମୁଁ ନିଜକୁ ଜଣେ ଦିବ୍ୟଦ୍ରଷ୍ଟା ବୋଲି ବିବେଚନା କରେନାହିଁ । ମାତ୍ର ଓଡ଼ିଶା ବଳିଦାନ ବା ତ୍ୟାଗ କରିପାରିବା ଭଳି ଏକ ପିଢୀ ଦରକାର କରୁଛି ।

ଓଡ଼ିଶାର ପ୍ରଗତି ନିମନ୍ତେ କାର୍ଯ୍ୟ କରିବା ଲାଗି କିଛି ମୁଷ୍ଟିମେୟ ସଂକଳ୍ପବଦ୍ଧ,ସଚ୍ଚୋଟ ଓ ଆଗ୍ରହୀ ଲୋକଙ୍କର ଆବଶ୍ୟକତା ରହିଛି । ସୌଭାଗ୍ୟବଶତଃ ଏହି ଧରଣର ଲୋକ ଓଡ଼ିଶାରେ ଅଛନ୍ତି । ସେମାନେ ସଜାଗ ବା ଜାଗ୍ରତ ବେବା ଦରକାର ।

ଓଡ଼ିଶା କୌଣସି ପ୍ରକାରରେ ଅବହେଳିତ ହେଉଛି ବୋଲି ଆପଣ ଭାବୁଛନ୍ତି କି?ଯଦି ହଁ ସେଗୁଡ଼ିକ କଣ?

ଓଡ଼ିଶା ଓଡ଼ିଆ ମାନଙ୍କ ଦ୍ୱାରା ଅବହେଳିତ ହେଊଛି ବୋଲି ମୁଁ ଭାବୁଛି । ଆମେ ଆମର ଆଖି ବନ୍ଦ କରିଛୁ । ଅନ୍ୟ କୌଣସି ଜିନିଷ ଦେଖିବା ପୂର୍ବରୁ କେବଳ ନିଜକୁ ଚାହୁଁଛୁ । ଆମେ ନିଜ ସ୍ତର ଠାରୁ ଉଦ୍ଧ୍ୱର୍କୁ ଉଠିବା ଦରକାର ।

ଅନ୍ୟ କୌଣସି ବିଷୟରେ ଆପଣ କିଛି କହିବାକୁ ଚାହାନ୍ତି କି,ଯେଉଁ ପ୍ରସଂଗକି ଏଠାରେ ଆଲୋଚନା ହୋଇନାହିଁ ?

ନିଜର ସଂସ୍କୃତି ,ଭାଷା ଓ ଐତିହ୍ୟକୁ ଉପେକ୍ଷା ନକରିବା ଲାଗି ମୁଁ ସମସ୍ତ ଓଡ଼ିଆଙ୍କୁ ନିବେଦନ କରିବାକୁ ଚାହେଁ । ଭଲ ପାଇଁ ଐକ୍ୟବଦ୍ଧ ହୋଇ ମଧ୍ୟ କାମ କରିବା ଉଚିତ ।

ରାଜ୍ୟ ସମସ୍ୟା ଓ ନୀତି ନିର୍ଦ୍ଧାରଣ ନିଷ୍ପତ୍ତିରେ ଅଧିକ ସଂପୃକ୍ତ ହେବା ଦରକାର । ଅନ୍ୟମାନଙ୍କ ସହିତ ଜ୍ଞାନ ପରିବଣ୍ଟନ କର ଏବଂ ଯୁବସମାଜକୁ ଉପଯୁକ୍ତ ମାର୍ଗରେ ତାଲିମ ପ୍ରଦାନ କର ।

ଓଡ଼ିଶା ପାଇଁ ଉପଯୁକ୍ତ ଏକ ସମସ୍ୟାର ସମାଧାନ ଲାଗି ପସନ୍ଦ କର,ତାହା ଲୋକପ୍ରିୟ ହୋଇପାରେ କିମ୍ବା ନହୋଇପାରେ ମଧ୍ୟ, ସ୍ୱପ୍ନ ଦେଖିବା ଅପେକ୍ଷା ପରମ୍ପରାକୁ ସମର୍ଥନ ଓ ରାଜ୍ୟର ପ୍ରଗତି ପାଇଁ କାର୍ଯ୍ୟ କରିବାରେ ମନୋନିବେଶ କରିବା ଦରକାର ।

ରାଜ୍ୟର ସ୍ଥିତି ସଂପର୍କରେ ଆଲୋଚନା କାଳରେ ଆମେ ପରସ୍ପର ମଧ୍ୟରେ ଭାଷାରେ ଦୁରୁପଯୋଗ ବା ଅପବ୍ୟବହାର କରିବା ଅନୁଚିତ ।

ଓଡ଼ିଶା ଭାରତର ସବୁଠାରୁ କମ ଉନ୍ନତ ରାଜ୍ୟ ବୋଲି ଅସ୍ୱାସ୍ଥ୍ୟକର ବିବୃତ୍ତି ଦେବା ଅପେକ୍ଷା ଆମର ପରିସ୍ଥିତିକୁ ସ୍ୱୀକାର କରି ସମସ୍ୟାଗୁଡ଼ିକର ସମାଧାନ କରିବା ପାଇଁ ଆମ୍ଭେମାନେ ବ୍ରତୀ ହେବା ଆବଶ୍ୟକ ।

ଓଡ଼ିଶା ଡ଼ଟ୍ କମ

Filed Under: ସାକ୍ଷାତକାର Tagged With: ଓଡିଶା, ନିଯୁକ୍ତି ସୃଷ୍ଟି, ବିଶ୍ୱବିଦ୍ୟାଳୟ, ସାକ୍ଷାତକାର

ପ୍ରଶାସନରେ ସ୍ୱଚ୍ଛତା ଏବଂ ଉତ୍ତରଦାୟୀ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଜରୁରୀ

February 24, 2005 by News Bureau Leave a Comment

ପ୍ରଶାସନରେ ସ୍ୱଚ୍ଛତା ଏବଂ ଉତ୍ତରଦାୟୀ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଜରୁରୀ ବୋଲି କହନ୍ତି ଟୋରଣ୍ଟର ୟୁଏସ୍-କାନାଡିଆନ୍ ଫାଇନାନ୍ସିଆଲ୍ ସର୍ଭିସ୍ କମ୍ପାନୀର କଷ୍ଟମର ସର୍ଭିସ ଏକ୍ଜିକ୍ୟୁଟିଭ୍ ଭାବେ କାର୍ଯ୍ୟ କରୁଥିବା ଓଡିଶାର ପୁରୀ ଜିଲ୍ଲାର ଜୀବନଜିତ୍ ତ୍ରିପାଠୀଙ୍କ ସହ ଓଡ଼ିଶା ଡ଼ଟ୍ କମ୍ ର ବିଶେଷ ସାକ୍ଷାତକାର

ପୁରୀ, ଫ୍ରେବୁଆରୀ ୨୪ (ଓଡ଼ିଶା ଡ଼ଟ୍ କମ୍) ଓଡିଶାର ପୁରୀ ଜିଲ୍ଲାରେ ଜୀବନଜିତ୍ ତ୍ରିପାଠୀଙ୍କ ନିଜ ଘର । ପରିବାରର ୪ ଜଣ ଭାଇ ଭଉଣୀଙ୍କ ମଧ୍ୟରେ ତାଙ୍କ ସ୍ଥାନ ତୃତୀୟରେ । ବିବାହର ସ୍ମାରକୀ ସ୍ୱରୁପ ତାଙ୍କ ଘର ଅଗଣାକୁ ମୁଖରିତ କରୁଛି ତିନି ବର୍ଷର ପୁତ୍ର ସନ୍ତାନ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ (ଭୁବନେଶ୍ୱର) ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବାପରେ ବିକ୍ରୟ ଏବଂ ବ୍ୟବସାୟରେ ଜୀବିକା ଅର୍ଜନର ପନ୍ଥା ରୂପେ ବାଛି ନେଇଥିଲେ । ଭାରତରେ ରହି ଫିଲପସ୍ ସମେତ ବିଭିନ୍ନ ବହୁ ରାଷ୍ଟ୍ରୀୟ କମ୍ପାନୀରେ ଦୀର୍ଘ ୧୨ ବର୍ଷ ଧରି ସଫଳତାର ସହ ନିଜର କାର୍ଯ୍ୟ ସମ୍ପାଦନା କରିବାପରେ ଅଧିକ କ୍ୟାରିୟର ଗଠନ ଲାଗି ୨୦୦୪ ମସିହା ସେପ୍ଟେମ୍ବର ମାସରେ କାନଡା ଯାତ୍ରା କରିଥିଲେ ।

ମହାପାତ୍ର ବର୍ତ୍ତମାନ ଟୋରଣ୍ଟର ୟୁଏସ୍-କାନାଡିଆନ୍ ଫାଇନାନ୍ସିଆଲ୍ ସର୍ଭିସ୍ କମ୍ପାନୀର କଷ୍ଟମର ସର୍ଭିସ ଏକ୍ଜିକୁ୍ୟଟିଭ୍ ଭାବେ କାର୍ଯ୍ୟରତ । ବିଭିନ୍ନ ଖେଳକୁଦ, ଭ୍ରମଣ, ନୂଆ ଲୋକଙ୍କ ସହ ବନ୍ଧୁତା ସ୍ଥାପନ, ବେପାର, ବଣିଜ, ପତ୍ରପତ୍ରିକା ପଠନ ଏବଂ ସାମ୍ପ୍ରତିକ ଘଟଣାବଳୀକୁ ଅନୁଧ୍ୟାନ କରିବାରେ ରହିଛି ତାଙ୍କର ପ୍ରବଳ ଝୁଙ୍କ ।

୨- କ୍ୟାରିୟରର ଆଦ୍ୟରେ ଏକ ଫର୍ମାସିଉଟିକାଲ୍ କମ୍ପାନୀରେ କାମ କରିବା ଆରମ୍ଭ କରିଥିଲି । କାର୍ଯ୍ୟତଃ ୧୯୯୨ ମସିହାରେ ଓଡିଶା ଛାଡିବାକୁ ପଡିଥିଲା । ଦୁଇ ବର୍ଷପରେ ପୁଣି ନିଜ ଭିଟାମାଟିକୁ ଫେରି ଆସିଥିଲି । ଏହାର ପରଠାରୁ ଆଜି ପର୍ଯ୍ୟନ୍ତ ବାହାରେ ହିଁ ରହି ଆସିଛି ।

ବିଗତ ୧୨ ବର୍ଷ ମଧ୍ୟରେ ଭାରତରେ ଯେତେବେଳେ ଥାଏ, ବର୍ଷକରେ ଅତିକମରେ ଦୁଇ/ତିନି ଥର ଓଡିଶା ଯାଇଥାଏ । ତେବେ ଗତ ୫ ମାସରୁ କିଛି ଅଧିକ ସମୟ ହେଲା କାନଡାରେ ରହୁଛି । ଭାବୁଛି ଆଗାମୀ ବର୍ଷକ ମଧ୍ୟରେ ଓଡିଶାକୁ ଯିବାର ସମ୍ଭାବନା କ୍ଷୀଣ । ସତ କହିବାକୁ ଗଲେ, ଓଡିଶା ଯିବାର ମୋ’ର ମୁଖ୍ୟ ଉଦ୍ଦେଶ୍ୟ ହେଲା ପରିବାରର ସଦସ୍ୟମାନଙ୍କ ଗହଣରେ ୫ ରୁ ୭ ଦିନ ବିତାଇବି ।

୩- ନିଶ୍ଚିତ ଭାବେ କହିବି ଯେ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ ଅର୍ଥନୈତିକ ଅଧିକାର ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ଲାଗି ଯଦି ସମୟ ଭିତ୍ତିକ ଧ୍ୟାନ ଦିଆଯାଏ, ତେବେ ମୋ’ର ଦୃଢ ବିଶ୍ୱାସ ଯେ, ଓଡିଶା ନିଶ୍ଚିତରେ ଅର୍ଥନୈତିକ ଶକ୍ତିର କେନ୍ଦ୍ର ରୂପେ ଉଭା ହେବ ।

ଅବଶ୍ୟ ବିଦେଶ ମାଟିରେ ରହିବାପରେ ଶିଶୁ ଶିକ୍ଷା, ଗଣ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଭଳି ଫଳପ୍ରଦ ସାମାଜିକ ଆନ୍ଦୋଳନ ଗୁଡିକ ଜରିଆରେ ମୋ’ ନିଜ ରାଜ୍ୟର ସେବାରେ ଲାଗି ପାରିବି ବୋଲି ହୃଦବୋଧ କଲି । ଏହି ପରିପ୍ରେକ୍ଷୀରେ ଉତ୍ତର ଆମେରିକା ଓଡିଆ ସମାଜ ଚଳାଇଥିବା ଉଦ୍ୟମରୁ ମୁଁ ନିଜକୁ ସାମିଲ କରାଇଛି ।

୪- ମୁଁ’ ଗୋଟିଏ ମାତ୍ର କଥା କହିବି, ଯାହା ଘଟିବାର ଥିଲା ତାହା ଘଟି ଯାଇଛି । ଆମେ ସହଜରେ ରାଜନେତା ମାନଙ୍କୁ ଦାୟୀ କରିପାରିବା । ତେବେ ଗୋଟିଏ କଥା ଭୂଲି ଯିବା ଅନୁଚିତ, ଆମେ ରାଜନେତାମାନଙ୍କୁ ମନୋନୀତ କରୁଛୁ । ୧୬୦ ନିୟୁତ ଡଲାର ବ୍ୟୟରେ ଭୁବନେଶ୍ୱରରେ ନୋକିଆ ଡେଭଲପମେଣ୍ଟ ସେଣ୍ଟର ସ୍ଥାପନ କରିବ ଏବଂ ପାରାଦୀପରେ ଚତୁର୍ଥ ବୃହତ ଇସ୍ପାତ କାରଖାନା ଲାଗି ପୋସ୍କୋର ଘୋଷଣାନାମା ସମ୍ବାଦ ପଢିବାପରେ ବାସ୍ତବରେ ଉତ୍ସାହିତ ହୋଇ ପଡିଲି ।

ରାଜ୍ୟର ଆର୍ଥିକ ବିକାଶ ଲାଗି ଏହା ପ୍ରତ୍ୟେକ୍ଷ ଭାବେ ଇନ୍ଧନ ଯୋଗାଇବ ଏବଂ ରାଜ୍ୟବାସୀ ତଥା ସେମାନଙ୍କର ଆଗାମୀ ପୀଢି ସ୍ୱଚ୍ଛନ୍ଦରେ ଜୀବନ ଯାପନ କରିବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସେବାସୁବିଧା ପାଇ ପାରିବେ ।

୫-ସତରେ କେବେ ହେଲେ ଉଦ୍ୟମ କରିନାହିଁ…….ତେବେ ବର୍ତ୍ତମାନ ଗୁରୁତର ସହ ଚିନ୍ତା କରୁଛି ଭାଗ ନେବା ଲାଗି ।

୬-ମୋ’ର ଦୃଢ ବିଶ୍ୱାସ ଯେ, ପ୍ରଶାସନ ବ୍ୟବସ୍ଥାରେ ଉତ୍ତରଦାୟୀ ବ୍ୟବସ୍ଥାର ଅଭାବ ରହିଛି । ପରିବର୍ତ୍ତନ …..ସବୁବେଳେ ଭଲ, ତେବେ ରାଜସ୍ୱ ବୋଝ ସବୁବେଳେ ରାଜ୍ୟବାସୀଙ୍କୁ ହିଁ ବହନ କରିବାକୁ ହୋଇଥାଏ । ଅଧିକ ସ୍ୱଚ୍ଛତା ଓ ଉତ୍ତରଦାୟୀ ଏହି ଦୁଇଟି ଜିନିଷକୁ ମୁଁ ପସନ୍ଦ କରେ ।

ମୋ’ ମତରେ ବୋଧହୁଏ ଦୀର୍ଘ ସମୟପରେ ରାଜ୍ୟରେ ଏକ ପ୍ରତିକୂଳ ପରିବେଶ ସୃଷ୍ଟି ହୋଇଛି ଏବଂ ଆହୁରି ଭଲ କଥା ହେଲା ସମଗ୍ର ଦେଶର ଅର୍ଥନୈତିକ ବ୍ୟବସ୍ଥା ଭଲରେ ଚାଲିଛି । ବର୍ତ୍ତମାନର ଆବଶ୍ୟକତା ହେଉଛି, ଏହି ପ୍ରକ୍ରିୟାକୁ ଅବ୍ୟାହତ ରଖିବାକୁ ହେବ ।

୭-ପରିବର୍ତ୍ତନକୁ ସ୍ୱାଗତ ଜଣାଇବାରେ ବୋଧହୁଏ ଆମ ମାନଙ୍କ ମଧ୍ୟରେ ଅଭାବ ରହିଛି । ପ୍ରତ୍ୟେକ ପର୍ଯ୍ୟାୟରେ ସ୍ୱଚ୍ଛ ପ୍ରଶାସନ ଓ ଉତ୍ତରଦାୟୀ ବ୍ୟବସ୍ଥାର ମଧ୍ୟ ଘୋର ଅଭାବ ରହିଛି । କୌଣସି କାର୍ଯ୍ୟକୁ କରିବା ଅପେକ୍ଷା କହିବା ଭାରି ସହଜ । ଶୃଙ୍ଖଳାରୁ ବିକାଶର ଧାରା ସୃଷ୍ଟି ହୋଇଥାଏ । ଅନ୍ୟମାନଙ୍କଠାରୁ ଆମେ ଅଲଗା ନୋହୁ । ଆମମାନଙ୍କଠାରୁ ଅନ୍ୟମାନେ ମଧ୍ୟ ସ୍ୱତନ୍ତ୍ର ନୁହନ୍ତି ।

୮- ମୋର ଦୃଢ ବିଶ୍ୱାସ ଯେ, ପ୍ରବାସୀ ଓଡିଆମାନେ ଏହି କାର୍ଯ୍ୟ କରିପାରିବେ ଏବଂ ରାଜ୍ୟର ବିକାଶ ପ୍ରକ୍ରିୟାରେ ସେମାନେ ବିନାଦ୍ୱିଧାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଉଚିତ । ସେମାନଙ୍କର ପ୍ରତିଭା ଏବଂ ଦକ୍ଷତା ବଳରେ ବିଶ୍ୱର ସବୁଠାରୁ ଅଧିକ ଉନ୍ନତ ଦେଶ ଗୁଡିକ ପାଇଁ ନିଜର ସେବା ଯୋଗାଇ ଦେବାକୁ ସକ୍ଷମ ହୋଇ ପାରୁଛନ୍ତି । ସ୍ୱପ୍ନର ରାଜ୍ୟ ଗଢିବା ଲାଗି ରାଜ୍ୟ ପ୍ରଶାସନ ସହ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ପାରିବେ ।

ବର୍ତ୍ତମାନ, ବିଫଳତା ସମ୍ପର୍କରେ ମୋର ଦୃଷ୍ଟିକୋଣ ହେଲା, “ପ୍ରଥମେ କୁକୁଡା ନା’ ପ୍ରଥମେ ଅଣ୍ଡା” । ବୋଧହୁଏ ଲୋକମାନେ ଚାହାନ୍ତି, ସେମାନଙ୍କୁ କିଏ ଆମନ୍ତ୍ରଣ ଜଣାଉ । ଅନ୍ୟପକ୍ଷରେ ପ୍ରଶାସନ ଚାହୁଁଛି, ସେମାନେ ସ୍ୱତଃ ପ୍ରବୃତ ଭାବେ ଏ ଦିଗରେ ପାଦ କାଢନ୍ତୁ । ସବୁଠାରୁ ଭଲ ହେବ ଯଦି ସରକାର ଏମିତି ଏକ ପ୍ଲାଟଫର୍ମ ସୃଷ୍ଟି କରନ୍ତେ ଏବଂ ଯେଉଁ ସ୍ଥାନରେ ପ୍ରବାସୀ ଭାରତ କିମ୍ବା ପ୍ରବାସୀ ଓଡିଆମାନେ ଏକତ୍ରିତ ହୋଇପାରନ୍ତେ ।

ଯେଉଁ ସବୁ ଯୋଜନା ଅଦ୍ୟାବଧି ବାସ୍ତବତାର ରୂପ ନେଇ ପାରିନାହିଁ ଏଭଳି ଉଦ୍ୟମ ଫଳରେ ତାହା ଫଳବତୀ ହୋଇପାରନ୍ତା । ପ୍ରବାସୀଙ୍କ ନିମନ୍ତେ ଟଙ୍କା ଏକ ସମସ୍ୟା ନୁହେଁ । ଅବଶ୍ୟ ପ୍ରଶାସନ ନିମନ୍ତେ ଏହା ମୁଣ୍ଡବ୍ୟଥାର କାରଣ ହୋଇପାରେ । ବିକାଶ ପ୍ରକ୍ରିୟାକୁ ତ୍ୱରାନିତ କରିବା ନିମିତ୍ତ ପ୍ରଥମେ ଉଭୟପକ୍ଷ ମଧ୍ୟରେ ସ୍ପଷ୍ଟ ଚିତ୍ରର ନମୂନା ରହିବା ଆବଶ୍ୟକ ।

୯- ମାତ୍ର ପାଞ୍ଚ ମାସ ତଳେ ଓଡିଶା ଛାଡିଛି ଏବଂ ଏଭିତରେ ଆଉ ସେଠାକୁ ଯାଇ ନାହିଁ । ତେବେ ଅନ୍ତତଃ ରାଜ୍ୟର ଶିଳ୍ପାୟନ ସମ୍ପର୍କରେ ଖବର ରଖିଛି । ରାଜ୍ୟରେ ବର୍ତ୍ତମାନ ଶିଳ୍ପ କ୍ଷେତ୍ରରେ ଏକ ପ୍ରତିକୂଳ ପରିବେଶ ସୃଷ୍ଟି ହୋଇଛି । ରାଜ୍ୟର ଅର୍ଥନୈତିକ ଉନ୍ନତି ସାଧନ ଦିଗରେ ଏଭଳି ପରିବେଶ ଅବ୍ୟାହତ ରଖାଗଲେ ଆଗାମୀ ବଂଶଧରଙ୍କ ନିମନ୍ତେ ମଙ୍ଗଳମୟ ହେବ ।

୧୦- ଶିଶୁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ଅଭିବୃଦ୍ଧି ।

୧୧- ମୋର ଗୋଟିଏ ବାର୍ତ୍ତା ହେଲା, “ସବୁ ନ’ହରାଇବା ଯାଏଁ କିଛି ହେଲେ ନଷ୍ଟ ହୋଇନାହିଁ । ପ୍ରଶାସନରେ ସ୍ୱଚ୍ଛତା ଏବଂ ଉତ୍ତରଦାୟୀ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଜରୁରୀ । ଯେ କୌଣସି କ୍ଷେତ୍ରରେ ସାମୂହିକ ଉଦ୍ୟମ ହେଲେ ତାହାର ଫଳ ଆଶ୍ଚର୍ଯ୍ୟଜନକ ହୋଇଥାଏ ।

୧୨- ସମୃଦ୍ଧିର ମୂଳମନ୍ତ୍ର ହେଉଛି ଏକତା ।

୧୩-ମୋ’ ଦୃଷ୍ଟିରେ ଅତିରିକ୍ତ ରାଜସ୍ୱ ସମ୍ବଳ ବୃଦ୍ଧି ପାଇଁ ସରକାର ପାରୁ ପର୍ଯ୍ୟନ୍ତ ପୁଞ୍ଜି ବିନିଯୋଗ କିଭଳି ବୃଦ୍ଧି ହେବ ସେଥିପ୍ରତି ଦୃଷ୍ଟି ଦେବା ବିଧେୟ । ରାଜ୍ୟର ବିକାଶ ନିମନ୍ତେ ଏକ ସାଧୁ, କାର୍ଯ୍ୟଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଉଚିତ । ତାହାହେଲେ ଆଧୁନିକ, ଉନ୍ନତ ସର୍ବୋପରି ଅଗାମୀ ବଂଶଧରଙ୍କ ପାଇଁ ସ୍ୱଚ୍ଛଳ ଜୀବନ ପ୍ରଣାଳୀର ମାର୍ଗ ସୃଷ୍ଟି ହୋଇପାରିବ ।

୧୪- ବିରୋଧିପକ୍ଷର ପ୍ରତିଶୋଧ ନେବା ମନୋବୃତି । ଏହାଦ୍ୱାରା ସଂପୂର୍ଣ୍ଣ ନହେଲେ ବି କେତେକାଂଶରେ ପ୍ରତିକୂଳ ପ୍ରଭାବ ସୃଷ୍ଟି ହୋଇଥାଏ । ଆମେ ସମସ୍ତେ ଜାଣୁ ଯେ, ” ପ୍ରଶାସନ ନିଜର ଉନ୍ନତି କଥା ହିଁ ଚିନ୍ତା କରିଥାଏ ଏବଂ ଭଗବାନ ମଧ୍ୟ ସେମାନଙ୍କ ସାହାଯ୍ୟ ନିମନ୍ତେ ଆଗେଇ ଆସିଥାନ୍ତି ।”

ଓଡିଶା ଡ଼ଟ୍ କମ୍

Filed Under: ସାକ୍ଷାତକାର Tagged With: ଜୀବନଜିତ୍ ତ୍ରିପାଠୀ, ସାକ୍ଷାତକାର

ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବ : ବିଜୁ ପଟ୍ଟନାୟକ

February 22, 2005 by News Bureau 1 Comment

ବିଜୁ ପଟ୍ଟନାୟକ – ଆବିର୍ଭାବ : ୫ ମାର୍ଚ୍ଚ, ୧୯୧୬ , ତିରୋଧାନ : ୧୭ ଅପ୍ରେଲ ୧୯୯୭

ଭୁବନେଶ୍ଵର,ଫ୍ରେବୁଆରୀ ୨୨(ଓଡ଼ିଶା ଡ଼ଟ୍ କମ୍) ସ୍ୱର୍ଗତ ବିଜୁ ପଟ୍ଟନାୟକ ନିଜ ଜୀବିତାବସ୍ଥାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବାବେଳେ, ଭାରତର ପ୍ରସିଦ୍ଧ ସାପ୍ତାହିକ ପତ୍ରିକା ବ୍ଲିଜ ର ଓଡ଼ିଶା ସମ୍ବାଦଦାତା ଥିବା ଯତୀନ୍ଦ୍ର ଦାଶ(ଏବେ ଓଡ଼ିଶା ଡ଼ଟ୍ କମ୍ ର ସଂପାଦକ)ଙ୍କୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇଥିଲେ । ସେ ଆଜି ନାହାନ୍ତି ସତ, ମାତ୍ର ତାଙ୍କର କହିଥିବା କଥା ଗୁଡ଼ିକ ଆଜି ବି ସମୟୋପଯୋଗୀ । ତାଙ୍କର ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଓଡ଼ିଶା ଡ଼ଟ୍ କମ୍ ପାଠକ ପାଠିକା ମାନଙ୍କ ପାଇଁ ପ୍ରସ୍ତୁତ କରୁଛୁ ୪ ମାର୍ଚ୍ଚ ୧୯୯୫ରେ ଉକ୍ତ ପତ୍ରିକାରେ ପ୍ରକାଶିତ ଏହି ସାକ୍ଷାତକାରର ଓଡ଼ିଆ ଅନୁବାଦ ।18-april-shivaji-1

ପ୍ରଶ୍ନ : ଦେଶର ସାଂପ୍ରତିକ ରାଜନୈତିକ ପରିସ୍ଥିତିର ଆପଣ କିଭଳି ଆକଳନ କରୁଛନ୍ତି ?

ବିଜୁ ପଟ୍ଟନାୟକ : ସଂପୂର୍ଣ୍ଣ ଦେଶର ରାଜନୈତିକ ପରିସ୍ଥିତି ଖରାପ ଅଛି । ରାଜନୈତିକ ପାର୍ଟିମାନେ ଏହି ସମସ୍ୟା ଗୁଡ଼ିକ ପ୍ରତି ଧ୍ୟାନ ଦେବା ବଦଳରେ ଗୋଷ୍ଠୀ କନ୍ଦଳରେ ବ୍ୟସ୍ତ ଅଛନ୍ତି । ଏହାର କାରଣ ହେଲା ରାଜନୀତି ଉପରେ ନିହିତ ସ୍ୱାର୍ଥ ପ୍ରାଧାନ୍ୟ ବିସ୍ତାର କରିଛି ।

ଲୋକତନ୍ତ୍ରରେ ଶାସକପକ୍ଷ ଏବଂ ବିପକ୍ଷ ଉଭୟଙ୍କର ସ୍ଥିତି ମଜବୁତ ହେବା ଜରୁରୀ ଅଟେ । ମତଭେଦ ଲୋକତନ୍ତ୍ରର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଆବଶ୍ୟକ ମାତ୍ର ରାଜନୈତିକ ପ୍ରତିଶୋଧ ଏବଂ ବିରୋଧୀ ପକ୍ଷକୁ ଲୋକ ଲୋଚନରେ ନିନ୍ଦିତ ଦେଖାଇବା ଲୋକତନ୍ତ୍ର ପାଇଁ ଘାତକ ଅଟେ । ସେଥିପାଇଁ ଦଳ ବଦଳ କରୁଥିବା ଲୋକମାନଙ୍କୁ କୌଣସି ପରିସ୍ଥିତିରେ ପ୍ରୋତ୍ସାହନ ମିଳିବା ଉଚିତ୍ ନୁହେଁ ।

କେନ୍ଦ୍ରରେ କଂଗ୍ରେସର କ’ଣ ହେଲା ? ଆକଣ୍ଠ ଭ୍ରଷ୍ଟାଚାରରେ ଡ଼ୁବି ରହି ଶୋଇଛି । ବିଶ୍ୱନାଥ ପ୍ରତାପ ସିଂହଙ୍କର ଭୁଲ କ’ଣ ଥିଲା ? ଏହା ନୁହେଁ କି ସେ ଭ୍ରଷ୍ଟାଚାରର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ।

କଂଗ୍ରେସରେ ତାଙ୍କର ସ୍ୱର ଶୁଣା ଗଲାନାହିଁ । ଫଳ ଏଇୟା ହେଲା ଯେ ଲୋକମାନେ କଂଗ୍ରେସକୁ ମୂଳରୁ ଉପାଡ଼ି ଫୋପାଡ଼ି ଦେଲେ । ଏହାପରେ ମଧ୍ୟ କଂଗ୍ରେସର ନେତାମାନେ ନିଜକୁ ସୁଧାରିବା ପାଇଁ ପ୍ରସ୍ତୁତ ନୁହଁନ୍ତି । ଆପଣ ଦେଖୁଛନ୍ତି କଂଗ୍ରେସର କ’ଣ ହେଉଛି ।

ଅର୍ଜ୍ଜୁନ ସିଂହଙ୍କୁ କେବଳ ସେଥିପାଇଁ ବାହାର କରି ଦିଆଗଲା କାରଣ ସେ ମଧ୍ୟ ଭ୍ରଷ୍ଟାଚାରର ବିରୋଧରେ ସ୍ୱର ଉତ୍ତୋଳନ କଲେ । ମାତ୍ର ଏଭଳି ବହିଷ୍କାର କୌଣସି ପ୍ରତିକାର ନୁହେଁ । ଭ୍ରଷ୍ଟାଚାରର ବିଷୟକୁ କଂଗ୍ରେସ ଦବାଇ ପାରିବ ନାହିଁ ।

କାରଣ ଫଇସଲା ତାର ହାତରେ ନୁହେଁ ଜନତାଙ୍କ ହାତରେ ରହିଛି ଏବଂ ଦେଶର ଜନତା ମନ ବଦଳାଇ ସାରିଲେଣି । ଏଥର କଂଗ୍ରେସକୁ ଉପଯୁକ୍ତ ଶାସ୍ତି ବିଧାନ କରି ହିଁ ରହିବେ ।

ଆପଣ ଦେଖିବେ ସମଗ୍ର ଦେଶରେ କଂଗ୍ରେସର ସତ୍ତା ଲୋପ ପାଇଯିବ । ଏହା ନିଶ୍ଚିତ । ଦକ୍ଷିଣରେ କଂଗ୍ରେସର ମୂଳପୋଛ ହୋଇସାରିଛି । ବାକି ଯେଉଁ ସ୍ଥାନମାନଙ୍କରେ ନିର୍ବାଚନ ହେବାର ଅଛି ସେଠାରେ କଂଗ୍ରେସର ଦୁର୍ଗତି ନିଶ୍ଚିତ ।

ପ୍ରଶ୍ନ : କ’ଣ ପୁଣି ଆପଣ ଓଡ଼ିଶାରେ ଶାସନ କ୍ଷମତାକୁ ଆସିପାରିବେ ?

ବିଜୁ ପଟ୍ଟନାୟକ : ଏଥିରେ କ’ଣ କିଛି ସନ୍ଦେହ ଅଛି ? ଆମେ ଏଥର ମଧ୍ୟ ସରକାର ଗଢିବୁ ଏବଂ ୧୯୯୦ ମସିହା ଠାରୁ ବେଶୀ ଜନମତ ହାସଲ କରିବୁ ।

ପ୍ରଶ୍ନ : ଆପଣଙ୍କର ଏହି ଆତ୍ମବିଶ୍ୱାସର ଆଧାର କଣ ?

ବିଜୁ ପଟ୍ଟନାୟକ : କାରଣ ଓଡ଼ିଶାର ସରକାର ସାଧାରଣ ଜନତାଙ୍କ ସରକାର । ୧୯୮୦ ରୁ ୧୯୯୦ ପର୍ଯ୍ୟନ୍ତ କଂଗ୍ରେସ ଏଠାରେ ଶାସନ କ୍ଷମତାରେ ଥିଲା ମାତ୍ର ସେ ସମୟରେ ସେ କ’ଣ କଲା ? ପଞ୍ଚାୟତ ନିର୍ବାଚନ ସୁଦ୍ଧା କରିପାରିଲା ନାହିଁ । ଏହାର କାରଣ କ’ଣ ଥିଲା ?

କାରଣ ଥିଲା ସେ ସାଧାରଣ ଲୋକଙ୍କ ପାଖକୁ ଶାସନ ପହଞ୍ଚୁ ତାହା ଚାହୁଁନଥିଲା ଏବଂ ଏହା ଉଦ୍ଦେଶ୍ୟ ଚରିତାର୍ଥ କରିବାର ଏକମାତ୍ର ରାସ୍ତା ଥିଲା, ତାହା ହେଲା ପଞ୍ଚାୟତ ସ୍ଥାନରେ ନଗର ନିର୍ବାଚନ ନକରିବା ।

ମାତ୍ର ଆମେ ଶାସନ କ୍ଷମତାକୁ ଆସିବା ପରେ ପଞ୍ଚାୟତ ଏବଂ ନଗରପାଳିକା ମାନଙ୍କର ନିର୍ବାଚନ କରାଇ ଲୋକଙ୍କୁ କ୍ଷମତା ଦେଲୁ । ଏଥିରେ ଲୋକ ଖୁସି ଅଛନ୍ତି , କାରଣ ରାଜ୍ୟର ବିକାଶରେ ସିଧାସଳଖ ଭାଗିଦାରୀ ପାଇପାରୁଛନ୍ତି ।

ଏହାବ୍ୟତୀତ ପ୍ରଶାସନକୁ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ଆମେ ନୂଆ ଜିଲ୍ଲାମାନ କଲୁ । ଲୋକେ ନିଜର ଛୋଟ ମୋଟ କାମ ପାଇଁ ବହୁତ ପଇସା ଏବଂ ସମୟ ଖର୍ଚ୍ଚ କରି ଜିଲ୍ଲା ମୁଖ୍ୟାଳୟକୁ ଯାଉଥିଲେ । ଏବେ ତାହା ତାଙ୍କ ନିଜ ସ୍ଥାନରେ ହୋଇଗଲା । ଜିଲ୍ଲା ହେବା ଦ୍ୱାରା ତାଙ୍କର ଏହି ସୁବିଧା ହେଲା ।

ଏହାବ୍ୟତୀତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ପ୍ରଥମେ ବଡ଼ ବଡ଼ ଜିଲ୍ଲାମାନଙ୍କୁ ସମ୍ଭାଳିବାକୁ ପଡ଼ୁଥିଲା, ମାତ୍ର ଛୋଟଛୋଟ ଜିଲ୍ଲା ହେବା ଦ୍ୱାରା ସେମାନଙ୍କର କାମ ଆହୁରି ସହଜ ହୋଇଗଲା । ଲୋକଙ୍କ ସାଙ୍ଗରେ ସଂପର୍କ ସ୍ଥାପନ କରିବା ପାଇଁ ସେମାନଙ୍କୁ ଏବେ ସୁବିଧା ହେଉଛି ।

ଆପଣ ଆଶ୍ଚର୍ଯ୍ୟ ହେବେ କେତେକ ଗ୍ରାମର ଲୋକେ ତାଙ୍କ ଜିଲ୍ଲାପାଳଙ୍କୁ କେବେ ବି ଦେଖିବାକୁ ସୁଯୋଗ ପାଉନଥିଲେ । ଆଜି ସେହି ଜିଲ୍ଲାପାଳ ସେମାନଙ୍କ ପାଖରେ ଆସି ପହଞ୍ଚୁଛନ୍ତି ।

ଅନ୍ୟ ଏକ ମହତ୍ୱପୂର୍ଣ୍ଣ କଥା ହେଲା ମହିଳାଙ୍କୁ ସମ୍ମାନ ଦେଇଛୁ । ଯେପର୍ଯ୍ୟନ୍ତ ସମଗ୍ର ଦେଶରେ ମହିଳା ମାନଙ୍କର ବିକାଶ ହେବ ନାହିଁ ସେପର୍ଯ୍ୟନ୍ତ ଦେଶର ଠିକ୍ ବିକାଶ ହେବ ନାହିଁ ।

ଆପଣ ଜାଣିଛନ୍ତି ବିଶ୍ୱର ସବୁଠାରୁ ଧନୀ ବିକଶିତ ଦେଶ ନରୱେ । ଏହି ଦେଶ ଧନୀ ଓ ବିକଶିତ ହେବାର କାରଣ ସେଠାରେ ମହିଳାଙ୍କୁ ପୁରୁଷଙ୍କ ଭଳି ସମାଜରେ ସମାନ ଅଧିକାର ମିଳିଛି ।

ସେଠାକାର ପ୍ରଧାନମନ୍ତ୍ରୀ ବି ଜଣେ ମହିଳା । ତାଙ୍କ ମନ୍ତ୍ରୀମଣ୍ଡଳରେ ଅଧିକାଂଶ ସଦସ୍ୟ ମଧ୍ୟ ମହିଳା । ଆମେ ମଧ୍ୟ ଏଠାରେ ନାରୀ ଜାତିର ଉତ୍ଥାନ ପାଇଁ କାର୍ଯ୍ୟାରମ୍ଭ କରିଛୁ ।

ଏହି ପରିପ୍ରେକ୍ଷୀରେ ଚାକିରିରେ ତାଙ୍କ ପାଇଁ ସ୍ଥାନ ସଂରକ୍ଷଣ ଠାରୁ ଆରମ୍ଭ କରି ଚାକିରି କରୁଥିବା ମହିଳାର ନିର୍ବାଚନ ଲଢିବାର ଅଧିକାର ଏବଂ ଯଦି ସେ ନିର୍ବାଚନରେ ହାରିଯାଏ ତେବେ ପୁନଃ ଚାକିରିରେ ଅବସ୍ଥାପିତ ହେବାର ଆମେ ସୁବିଧା କରିଛୁ ।

ଯଦି ମୋର ହାତରେ ଥାଆନ୍ତା ତେବେ ଓଡ଼ିଶାର ସମସ୍ତ ୧୪୭ ବିଧାନସଭା ଆସନକୁ ମହିଳାଙ୍କ ପାଇଁ ସଂରକ୍ଷିତ କରିଦିଅନ୍ତି ।

ଏହା ବ୍ୟତୀତ ଆମେ ଦେଶୀମଦ ଉପରେ ପ୍ରତିବନ୍ଧକ ଲଗାଇ ଲକ୍ଷଲକ୍ଷ ପରିବାରକୁ ଉଜୁଡ଼ିବାରୁ ବଞ୍ଚାଉଛୁ । ଆପଣ ଜାଣିଛନ୍ତି ଏହି ପ୍ରତିବନ୍ଧକ କେମିତି ହେଲା ? ଏହାକୁ ମା ଓ ଭଉଣୀ ମାନେ ଲାଗୁ କରାଇଛନ୍ତି ।

ରାଜ୍ୟର ମହିଳାମାନେ ଜାଗ୍ରତ ହୋଇଛନ୍ତି ଏବଂ ସପୂର୍ଣ୍ଣ ମଦ ବିକ୍ରି ବନ୍ଦ ଦାବି କରୁଛନ୍ତି । ମୁଁ ଆପଣଙ୍କୁ କହିରଖେ ଯଦି ଆମେ ଏଥର ସରକାରରେ ଆସୁ ତେବେ ସମଗ୍ର ରାଜ୍ୟରେ ସବୁ ପ୍ରକାର ମଦ ବିକ୍ରି ସଂପୂର୍ଣ୍ଣ ବନ୍ଦ କରିଦେବୁ ।

ପ୍ରଶ୍ନ : ମାତ୍ର ୧୯୯୦ରେ ଆପଣ ଯେଉଁସବୁ ବିଷୟ କହି ନିର୍ବାଚନ ଜିତି କ୍ଷମତାକୁ ଆସିଥିଲେ ଯଥା ଦୁଇ ଟଙ୍କାରେ ଚାଉଳ ଓ ଇସ୍ପାତ କାରଖାନା ଆଦ ପ୍ରତିଶୃତି ସେ ସବୁତ ଆପଣ ପୁରଣ କରିପାରିଲେ ନାହିଁ ?

ବିଜୁ ପଟ୍ଟନାୟକ : ୧୯୯୦ରୁ ୧୯୯୨ ପର୍ଯ୍ୟନ୍ତ ଆମେ ଦେଇଥିବା ପ୍ରତିଶୃତି ମୁତାବକ ଲୋକଙ୍କୁ ଦୁଇ ଟଙ୍କାରେ କିଲେ ଚାଉଳ ଉପଲବ୍ଧ କରିଥିଲୁ । ମାତ୍ର ଏହାପରେ କେନ୍ଦ୍ର ସରକାର ଚାଉଳ ଉପରେ ରିହାତି ଦେବା ବନ୍ଦ କରିଦେଲେ ଏବଂ ତା’ର ଦର ବୃଦ୍ଧି କଲେ ।

ସେହି କାରଣରୁ ଆମେ କିଛି ଦିନ ପାଇଁ ସମସ୍ତଙ୍କୁ ଦୁଇ ଟଙ୍କାରେ ଚାଉଳ ଉପଲବ୍ଧ କରାଇପାରିଲୁ ନାହିଁ । ତେବେ ଏହା ସତ୍ୱେ ଆମେ ଗରିବ, ବୃଦ୍ଧ ଏବଂ ବିକଳାଙ୍ଗ ଆଦି ଲୋକଙ୍କୁ ଦୁଇ ଟଙ୍କାରେ ଚାଉଳ ଦେଇଆସୁଛୁ ।

ରହିଲା କଥା ଉସ୍ପାତ କାରଖାନାର ଆପଣ ଯାଇ ଦେଖନ୍ତୁ ଇସ୍ପାତ କାରଖାନା ସ୍ଥାପନ ହୋଇଛି କି ନାହିଁ । ଯଦ୍ୟପି କେନ୍ଦ୍ରର କଂଗ୍ରେସ ସରକାର ଏହିଭଳି ପ୍ରକଳ୍ପର ସ୍ଥାପନ ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି କରୁଛି ।

ଆପଣ ଓଡ଼ିଶାର ଅଧିବାସୀ । ଆପଣ ନିଜେ ଜାଣନ୍ତି ପରିବେଶ ସୁରକ୍ଷା ନାଁରେ କେମିତି ଏଭଳି ପ୍ରକଳ୍ପ ସ୍ଥାପନାରେ ପ୍ରତିବନ୍ଧକ ସୃଷ୍ଟି କରାଯାଉଛି ।

ପ୍ରଶ୍ନ : ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ଆପଣ କାହାକୁ ପ୍ରାଥମିକତା ଦେବେ ?

ବିଜୁ ପଟ୍ଟନାୟକ : ଓଡ଼ିଶାର ନିଜର ସମ୍ୟକ ବିକାଶ ପାଇଁ ଯେଉଁ ମୂଳଭୂତ ଆବଶ୍ୟକତା ଦରକାର ସେଥିରେ ସେ ଆତ୍ମନିର୍ଭରଶୀଳ ନୁହେଁ । ମୁଁ ମୂଳରୁ ଏବିଷୟରେ ଚିନ୍ତା କରିଆସୁଅଛି ।

ଜାନକୀ ଦଶ ବର୍ଷ ମୁଖ୍ୟମନ୍ତ୍ରୀ ରହିଲା ମାତ୍ର ଏଦିଗପ୍ରତି ସେ ଧ୍ୟାନ ଦେଲା ନାହିଁ । ଔଦ୍ୟଗୀକ ବିକାଶ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ବିଦ୍ୟୁତ୍ ଶକ୍ତି । ଆମର ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ଦୁଇଶହ ମେଗାୱାଟ ବିଦ୍ୟୁତ୍ ଶକ୍ତିର ଉତ୍ପାଦନ ହେଉଛି । ଜୁନ ମାସରୁ ଆମକୁ ଅଧିକ ଦୁଇଶହ ମେଗାୱାଟ୍ ବିଜୁଳି ମିଳିବା ଆରମ୍ଭ ହେବ ।

ଇନ୍ଦ୍ରାବତୀ ଠାରେ ବିଦ୍ୟୁତ୍ ଉତ୍ପାଦନ କରିବାପାଇଁ ଆମେରିକାର ଏକ କମ୍ପାନୀ ସାଙ୍ଗରେ ବୁଝାମଣା ହୋଇଛି । ଏହା ବ୍ୟତୀତ ଆମେ ହୀରାକୁଦ ଠାରେ ଆଉ ଦୁଇଟି ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପ କରିବାକୁ ଯୋଜନା କରିଛୁ । ସେଥିରୁ ଆମକୁ ଶହେ ମେଗାୱାଟ୍ ବିଜୁଳି ମିଳିବ ।

ଠିକ୍ ସେହିପରି ତାଳଚେରର ରାଷ୍ଟୀୟ ତାପଜ ନିଗମ,କଣିହାର ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟରୁ ଏକ ହଜାର ମେଗାୱାଟ୍ ବିଜୁଳି ଉତ୍ପାଦନ ହେବ ।

ଆମେ ଦଇତାରୀ ଠାରେ ଦୁଇଟି ଇସ୍ପାତ କାରଖାନାର ସ୍ଥାପନା କରାଇଛୁ । ଏହାର କାର୍ଯ୍ୟ ସଂପୂର୍ଣ୍ଣ ହେଲେ ପ୍ରତି ବର୍ଷ ତିରିଶ ଲକ୍ଷ ମେଟ୍ରିକଟନ ଇସ୍ପାତର ଉତ୍ପାଦନ ହେବ । ଏହା ଟାଟାର ଇସ୍ପାତ କାରଖାନା ଠାରୁ ମଧ୍ୟ ବଡ଼ ହେବ ।ଏହି କାରଖାନା ମାନଙ୍କ ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାରର ରାସ୍ତା ମିଳିବ ।

ପ୍ରଶ୍ନ : ଆପଣ ଜନତାକୁ ଭ୍ରଷ୍ଟାଚାରମୁକ୍ତ ସରକାର ଦେବାପାଇଁ ପ୍ରତିଶୃତି ଦେଇଥିଲେ ମାତ୍ର ଆପଣଙ୍କର ଅନେକ ବିଧାୟକଙ୍କ ବିରୋଧରେ ଏହିଭଳି ଗୁରୁତର ଅଭିଯୋଗମାନ ଅଛି ।

ଆପଣ ଲୋକପାଳ ଆଇନକୁ ମଧ୍ୟ ଉଠାଇ ଦେଲେ । ଏହାର ସିଧା ଅର୍ଥ ହେଲାନାହିଁ କି ଯେ ଆପଣ ଯେଉଁ ସବୁ ଅଭିଯୋଗ କଂଗ୍ରେସ ଉପରେ ଲଗାଇଛନ୍ତି ସେଥିରେ ନିଜେ ମଧ୍ୟ ଆକଣ୍ଠ ଡ଼ୁବି ରହିଛନ୍ତି ?

ବିଜୁ ପଟ୍ଟନାୟକ : ଲୋକପାଳ ପଦ ଉଠାଇବା ସଂପର୍କରେ ମୁଁ ଏତିକି କହିବି ଯେ,ତାଙ୍କ ପାଇଁ ସରକାରୀ ରାଜକୋଷରୁ ଟଙ୍କା ଖର୍ଚ୍ଚ ହେଉଥିଲା । ଯେଉଁ ସବୁ କାମ ପାଇଁ ଲୋକପାଳ ପଦ ତିଆରି କରାଯାଇଥିଲା ସେଭଳି କୌଣସି କାମ ସେଠାରେ ହେଉନଥିଲା ।

ସେମିତି ଦେଖିବାକୁଗଲେ ଆମ ପାଖରେ ନିୟମ କାନୁନର କମି ନାହିଁ । କୌଣସି ବ୍ୟକ୍ତି କାହାର ବି ବିରୁଦ୍ଧରେ ଅଦାଲତରେ ମାମଲା ଦାୟର କରିବାର ଅଧିକାର ଅଛି । କିଏ ମନା କରିଛି ! ମାତ୍ର ସତକଥା ହେଲା ଯେ ଅଭିଯୋଗ କରୁଥିବା ଲୋକମାନେ କେବଳ ମୁହଁରେ ଅଭିଯୋଗ କରନ୍ତି ।

ଏଭଳି ଅଭିଯୋଗରେ କୌଣସି ସତ୍ୟତା ନାହିଁ । କିଏ କାହାକୁ ଭ୍ରଷ୍ଟ କହିଦେଲେ ଲୋକ ଭ୍ରଷ୍ଟ ହୋଇଯାଏ ନାହିଁ । ଯଦି କିଏ ଭ୍ରଷ୍ଟ,ତେବେ ଜନତା ତାଙ୍କର ଫୈସଲା ନିଶ୍ଚୟ କରିବେ । ତେବେ ମୁଁ ଦାବି କରୁନାହିଁ ଯେ ମୋର ମନ୍ତ୍ରୀ ମଣ୍ଡଳରେ ସବୁ ସାଧୁ ଅଛନ୍ତି ।

ପ୍ରଶ୍ନ : ୧୯୯୦ ନିର୍ବାଚନରେ ଆପଣ ବାମପନ୍ଥୀ ଦଳ ସହ ବୁଝାମଣା କରି ନିର୍ବାଚନ ଲଢିଥିଲେ ମାତ୍ର ଏଥର ଆପଣ ଏକାକୀ ନିର୍ବାଚନ ଲଢୁଛନ୍ତି । ଏହା ବ୍ୟତୀତ କଂଗ୍ରେସ ବିରୋଧୀ ପାର୍ଟି ମାନଙ୍କ ମଧ୍ୟରେ ବି ବ୍ୟାପକ ମତଭେଦ ରହିଛି । ଆପଣଙ୍କୁ କଣ ଲାଗୁନାହିଁ କି ଏଥରର ନିର୍ବାଚନ ଜିତିବା ଆପଣଙ୍କ ପାଇଁ କଠିନ ହେବ ?

ବିଜୁ ପଟ୍ଟନାୟକ : ବାମପନ୍ଥୀ ଦଳ କିଏ ? ମୁଁ ନିଜେ ଜଣେ ବାମପନ୍ଥୀ । ମୋ ଠାରୁ ବଳି ବାମପନ୍ଥୀ ନକ୍ସଲ ଆଉ କିଏ ହୋଇପାରେ !

କେତେକ ଲୋକ ନିଜର ସ୍ୱାର୍ଥ ପାଇଁ ନୂଆନୂଆ ପାର୍ଟି ଗଠନ କରିଛନ୍ତି , ମାତ୍ର ସେମାନେ ସଫଳ ହେବେ ନାହିଁ । ତାଙ୍କ ପାଖରେ ଅଛି କଣ ? ସାମାଜିକ ନ୍ୟାୟ ଦେଉଥିବା ଜନତା ଦଳ ଅଛି ଏବଂ ରହିବ ମଧ୍ୟ ।

ଆମକୁ ଏମାନଙ୍କ ଠାରୁ କୌଣସି ବିପଦ ନାହିଁ । ଜନତା ଆମ ସାଙ୍ଗରେ ଅଛନ୍ତି ଓ ଆମେ ସରକାର ବନାଇବୁ ଏଥିରେ କୌଣସି ଦ୍ୱିମତ ନାହିଁ ।

ପ୍ରଶ୍ନ : ଆପଣ ଦେଶର ପୁରୁଣା ନେତା ମାନଙ୍କ ମଧ୍ୟରୁ ଜଣେ । ଗୋଟିଏ ସମୟ ଥିଲା ଯେତେବେଳେ ଆପଣଙ୍କୁ ଜବାହରଲାଲ ନେହେରୁଙ୍କର ଉତ୍ତରାଧିକାରୀ ରୂପେ ଦେଖାଯାଉଥିଲା ।

ମାତ୍ର ଆପଣ ନିଜକୁ ନିଜ ରାଜ୍ୟ ରାଜନୀତି ଭିତରେ ହିଁ ସିମୀତ ରଖିଲେ । କେନ୍ଦ୍ରରେ ରାଷ୍ଟ୍ରୀୟ ମୋର୍ଚ୍ଚା ଗଠନ କରାଇବା ଠାରୁ ଭି.ପି.ସିଂହଙ୍କୁ ପ୍ରଧାନମନ୍ତ୍ରୀ ବନାଇବାରେ ଆପଣଙ୍କର ପ୍ରମୁଖ ଭୂମିକା ଥିଲା ।

ଦେଶର ସାଂପ୍ରତିକ ପରିସ୍ଥିତିରେ ଆପଣଙ୍କୁ ଲାଗୁନାହିଁ କି ଆଜିର ଏହି ଜାତିବାଦୀ ରାଜନୀତିରେ ଆପଣଙ୍କ ପରି ବ୍ୟକ୍ତିଙ୍କର ରାଷ୍ଟ୍ରୀୟ ସ୍ତରରେ ଆବଶ୍ୟକତା ରହିଛି? କ’ଣ ଆପଣ ପୁଣିଥରେ ସଦ୍ଭାବ ସୃଷ୍ଟି କରିବା ପାଇଁ କାମ କରିବେ ନାହିଁ ?

ବିଜୁ ପଟ୍ଟନାୟକ : ପ୍ରଧାନମନ୍ତ୍ରୀ ହେବାପାଇଁ ମୋର ଇଚ୍ଛା କେବେ ହୋଇନାହିଁ । ମୋର ରାଜ୍ୟ ପଛୁଆ । ଏହାର ବିକାଶ ମୋର ପ୍ରଥମ ପ୍ରାଥମିକତା ‘ ଏହି କାରଣରୁ ମୁଁ ନିଜକୁ ସବୁବେଳେ ରାଜ୍ୟ ଭିତରେ ସୀମିତ ରଖି ଆସିଛି ।

ମୁଁ ସନ୍ତୁଷ୍ଟ ଯେ ,ମୋ ରାଜ୍ୟ ଦ୍ରୁତ ଗତିରେ ବିକାଶ ଦିଗରେ ଅଗ୍ରସର ହେଉଛି । ଦେଶର ବର୍ତ୍ତମାନ ପରିସ୍ଥିତି ସଂପର୍କରେ ଏତିକି କହିବି ଯେ ମୋତେ ସ୍ପଷ୍ଟ ଦେଖାଯାଉଛି କଂଗ୍ରେସର ପତନ ସୁନିଶ୍ଚିତ ।

ଏହି ରାଜନୈତିକ ଘଟଣାକ୍ରମ ଯାହା ସଂକେତ ଦେଉଛି ତାହା ହେଲା କେନ୍ଦ୍ରରେ ଆଗାମୀ ସରକାର ରାଷ୍ଟ୍ରୀୟ ମୋର୍ଚ୍ଚାର ହେବ । ନିଜ ତରଫରୁ ଏହି ମୋର୍ଚ୍ଚାକୁ ପୁନର୍ବାର ବଞ୍ଚାଇ ରଖିବାକୁ ମୁଁ ଚେଷ୍ଟା କରିବି ।

ଓଡ଼ିଶା ଡ଼ଟ୍ କମ୍

Filed Under: ସାକ୍ଷାତକାର Tagged With: ବିଜୁ ପଟ୍ଟନାୟକ, ସାକ୍ଷାତକାର

କେବଳ ସରକାର ବଦଳରେ ଓଡ଼ିଶାର କୌଣସି ପରିବର୍ତ୍ତନ ଘଟିବ ନାହିଁ

February 4, 2005 by News Bureau Leave a Comment

 

ନୂଆଦିଲ୍ଲୀ ଫ୍ରେବୁଆରୀ ୪ (ଓଡ଼ିଶା ଡ଼ଟ୍ କମ୍), ଓଡ଼ିଶାର ବିକ୍ରମ କେଶରୀ ମିଶ୍ର, ନୂଆଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ସୋସିଆଲ ସାଇନସେସ(ସମାଜ ବିଜ୍ଞାନ ବିଦ୍ୟାଳୟ)ଅନ୍ତର୍ଗତ ସେଣ୍ଟର ଫର ଦ ଷ୍ଟଡ଼ି ଅଫ୍ ସୋସିଆଲ ସିଷ୍ଟମ୍ସ (ସମାଜ ବ୍ୟବସ୍ଥା ସଂପର୍କିତ ଅଧ୍ୟୟନ କେନ୍ଦ୍ର) ରେ “ଲିଙ୍ଗ ଏବଂ କାର୍ଯ୍ୟ” ଉପରେ ପି.ଏଚ.ଡ଼ି ନିବନ୍ଧ ଲେଖୁଛନ୍ତି ।

ତାଙ୍କର ଏମ.ଫିଲ୍ ସ୍ପେଶିଆଲାଇଜେସନ ମଧ୍ୟ ଥିଲା ଲିଙ୍ଗ ସଂପର୍କିତ ବିଷୟବସ୍ତୁ । ଜବାହାରଲାଲ ବିଶ୍ୱବିଦ୍ୟାଳୟରେ ସ୍ନାତ୍ତକତୋର (ପି.ଜି)କରି ଏହି ପରୀକ୍ଷାରେ ଦ୍ୱିତୀୟ ସ୍ଥାନର ଅଧିକାରୀ ହୋଇଥିବା ମିଶ୍ର ଏମ.ଏ ପରୀକ୍ଷାରେ ତାଙ୍କର ଫଳାଫଳ ପାଇଁ ଭାରତର ରାଷ୍ଟ୍ରପତିଙ୍କ ସ୍ୱର୍ଣ୍ଣପଦକ ପାଇବା ଲାଗି ମନୋନୀତ ହୋଇଛନ୍ତି ।

୨୪ଟି ପ୍ରକାଶନ (୧୭ଟି ପୁସ୍ତକ ସମୀକ୍ଷା ଓ ୭ଟି ଲେଖା)ର ଅଧିକାରୀ ହୋଇପାରିଥିବା ତାଙ୍କର ଲେଖାମାନ ବିଭିନ୍ନ ପତ୍ର ପତ୍ରୀକାରେ ପ୍ରକାଶ ପାଇଛି । ସ୍କୁଲ ଓ କଲେଜ ଜୀବନରେ ଶ୍ରେଷ୍ଠ ଅଭିନେତା ରୂପେ ପୁରସ୍କୃତ ହୋଇଥିବା ମିଶ୍ର ଓଡ଼ିଆ କବିତା ରଚନା ଲାଗି ରାଜ୍ୟସ୍ତରୀୟ ପୁରସ୍କାର ମଧ୍ୟ ଲାଭ କରିଛନ୍ତି ।

ଆପଣ କେତେ ବର୍ଷ ହେଲା ଓଡ଼ିଶା ଛାଡ଼ିଲେଣି ?

ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଏମ.ଏ ପଢିିବା ପାଇଁ ମୁଁ ୧୯୯୬ ମସିହାରେ ନୂଆଦିଲ୍ଲୀ ଆସିଛି ।

ବର୍ଷରେ ଆପଣ କେତେ ଥର ଓଡ଼ିଶା ଆସନ୍ତି ?

ଏହି ବିଶ୍ୱବିଦ୍ୟାଳୟରେ ମୁଁ ନଅ ବର୍ଷ ଅତିବାହିତ କରିସାରିଲିଣି ଏବଂ ପ୍ରାୟ ପ୍ରତି ଛଅ ମାସରେ ଥରେ ଓଡ଼ିଶା ଗସ୍ତ କରୁଛି ।

ଓଡ଼ିଶାର ବିକାଶ ପାଇଁ କିଛି ଅବଦାନ ଦେବା ପାଇଁ ଆପଣ କେବେ ଚିନ୍ତା କରିଛନ୍ତି କି ? ଯଦି କରିଛନ୍ତି ତେବେ କେଉଁ ବିଷୟରେ ?

ଓଡ଼ିଶାର ସମୃଦ୍ଧି ଲାଗି ମୁଁ ଅହରହ ସ୍ୱପ୍ନ ଦେଖୁଛି । ମାତ୍ର ତାତ୍ତ୍ୱିକ ବା ବିଦ୍ୟାଗତ ଦୃଷ୍ଟିକୋଣରୁ ନିଜକୁ ପରିପ୍ରକାଶ କରିବା ପାଇଁ କଦାପି କୌଣସି ସୁଯୋଗ ପାଇନାହିଁ ।

ଓଡ଼ିଶା ଉତ୍ତମ ମାନର ଗୋଟିଏ ସୁଦ୍ଧା ପତ୍ରିକା ପ୍ରକାଶ ପାଉନାହିଁ ,ଯେଉଁ ଥିରେ କି ମୁଁ ମୋର ମତାମତ ଭାଗ କରିପାରିବି । ଅନ୍ୟପକ୍ଷରେ ଓଡ଼ିଶାରେ ମଧ୍ୟ ଗୋଟିଏ ଗବେଷଣା ପ୍ରତିଷ୍ଠାନ ନାହିଁ ,ଯେଉଁଠିକି ଆମେ ଗବେଷକ ଭାବେ ଆମର ଗବେଷଣା କାର୍ଯ୍ୟକଳାପର ସହଭାଗୀତା କରିପାରିବୁ ।

ଓଡ଼ିଶାର ବର୍ତ୍ତମାନର ସ୍ଥିତି ସଂପର୍କରେ ଆପଣ କିଛି କହିବାକୁ ଚାହାନ୍ତି କି ଏବଂ ଆପଣ ସେଥିପାଇଁ କାହାକୁ ଦୋଷ ଦେବାକୁ ଚାହାନ୍ତି ?

ଓଡ଼ିଶା ପ୍ରତି ଦୃଷ୍ଟିପାତ କଲେ ମୁଁ ନିଜକୁ ଅକାମୀ ଓ ଅକ୍ଷମ ବୋଲି ବିଚାର କରୁଛି ଗୁଣାତ୍ମକ ମାନ ,ପ୍ରାସଂଗିକତା ,କଠୋରତା ବା ଉଗ୍ରତା ପ୍ରତିବଦ୍ଧତା, ନିଯୁକ୍ତି ଆଦି ଦୃଷ୍ଟିରୁ ଓଡ଼ିଶାରେ ଗବେଷଣା ଓ ଉଚ୍ଚ ଶିକ୍ଷାର ସଂସ୍କୃତି ଅତ୍ୟନ୍ତ ବିପର୍ଯ୍ୟସ୍ତ, ଅନିଶ୍ଚିତ ତଥା ପଙ୍ଗୁ ଅବସ୍ଥାରେ ରହିଛି ।

ରାଜନୈତିକ ଦୃଷ୍ଟି କୋଣରୁ ଗବେଷକମାନେ ଆମର ରାଜନେତାମାନଙ୍କ ଦ୍ୱାରା ଏପରକି ପରିଗଣିତ ମଧ୍ୟ ହୁଅନ୍ତି ନାହିଁ ।

ଯେତେବେଳେ ଆଞ୍ଚଳିକ ସମସ୍ୟା ସଂପର୍କରେ ଆଲୋଚନା ପାଇଁ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟକୁ ଓଡ଼ିଶାର ନେତାମାନଙ୍କ ନିମନ୍ତ୍ରଣ କରାଯାଏ, ସେମାନେ ସେହି ଚର୍ଚ୍ଚା ପ୍ରତି ସର୍ବଦା ଉଦାସୀନ ମନୋଭାବ ପ୍ରଦର୍ଶନ କରିଥାନ୍ତି ।

ଆପଣଙ୍କ ମତରେ ଓଡ଼ିଶାର ବିକାଶ ପଥରେ ମୁଖ୍ୟ ବାଧକ କଣ ?

ଓଡ଼ିଶା ସମ୍ମୁଖୀନ ହେଉଥିବା ସଂକଟ ଲାଗି ଯଦି କାହାକୁ ଦାୟୀ କରାଯିବ, ତେବେ ରାଜନୈତିକ ନେତୃତ୍ୱ ବ୍ୟତୀତ ଅନ୍ୟ କେହି ନୁହେଁ ।

ଓଡ଼ିଶାର ବିକାଶ ପ୍ରକ୍ରିୟାରେ ଆପଣ କେତେ ଦୂର ସଂପୃକ୍ତ ? ଏହା ଫଳପ୍ରଦ ହୋଇଛି କି ?

ଜଣେ ଗବେଷକ ହିସାବରେ ମୋ ସ୍ତରରେ ଯାହା ସମ୍ଭବ ତାହା କରିବା ଲାଗି ଯଥାସାଧ୍ୟ ଉଦ୍ୟମ କରିଛି । ମୋର ନିବନ୍ଧ ବା ଗବେଷଣା ପ୍ରବନ୍ଧ ମହିଳା ଶିକ୍ଷାବିତ ,ମହିଳା ପୋଲିସ ,ମହିଳା ଡ଼ାକ୍ତର,ମହିଳା ପ୍ରଶାସକଙ୍କ ଯୋଗୁ ଗବେଷଣା ପ୍ରବନ୍ଧ ରଚନା ସମ୍ଭବ ହୋଇପାରିଛିା

ଅନ୍ୟ ପକ୍ଷରେ କୁହାଯାଇପାରେ ଯେ,ଉପରୋକ୍ତ ବର୍ଗର ମହିଳାମାନଙ୍କ ନିକଟରେ ମୋର ଗବେଷଣା ପ୍ରବନ୍ଧ ଅନେକ ପରିମାଣରେ ଋଣୀ ।

ଓଡ଼ିଶାର ବର୍ତ୍ତମାନର ସ୍ଥିତି ସଂପର୍କରେ ଆପଣ କିଛି କହିବାକୁ ଚାହାନ୍ତି କି ଏବଂ ଆପଣ ସେଥିପାଇଁ କାହାକୁ ଦୋଷ ଦେବାକୁ ଚାହାନ୍ତି ?

ଓଡ଼ିଶା ସମୃଦ୍ଧି ସାଧନ କରୁଛି ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ ବା ଉଦ୍ଭଟ କଥା ବରଂ ସମୟକ୍ରମେ ଓଡ଼ିଶାର ଅବସ୍ଥାରେ ଅଧୋଗତି ଘଟୁଛି ।

ତେବେ ସେଥିନିମନ୍ତେ କୌଣସି ଗୋଟିଏ ଦଳକୁ ଦାୟୀ କରାଯାଇପାରିବ ନାହିଁ । ବଂର ଓଡ଼ିଶାର ଏହି ଦୁଃସ୍ଥିିତି ପାଇଁ ସାମଗ୍ରୀକ ଭାବେ କଂଗ୍ରେସ ,ବିଜେଡ଼ି,ଜନତା ଦଳ ,ବିଜେପି ର ନେତୃବୃନ୍ଦ ଦାୟୀ ।

ସେମାନେ ଗୁଣ୍ଡାମାନଙ୍କ(ଯାହାଙ୍କ ମୁଣ୍ଡ ପିଚ୍ଛା ଦର ହେଉଛି ୩୫ଟଙ୍କା,ଯାହାକି ଗୋଟିଏ ମଦ ବୋତଲର ମୂଲ୍ୟ ସହ ସମାନ) ଦ୍ୱାରା ଶାସନ କରୁଛନ୍ତି । କିନ୍ତୁ ଥରେ ସେହି ନେତାମାନେ ରାଜ୍ୟର ସୀମା ଅତିକ୍ରମ କରିବାପରେ ସେମାନେ ମାଇଚିଆ ବା ନପୁଂସକର ଅବତାର ସାଜିଥାଆନ୍ତି ।

ରାଜ୍ୟ ସଂଗ୍ରାହଳୟର ମୃତ ପ୍ରାୟ ନମୁନା ଭଳି ପାର୍ଲିଆମେଣ୍ଟରେ ସେମାନଙ୍କ କାପୁରୁଷୋଚିତ ଆଚରଣ ହିଁ ସେମାନଙ୍କ ନପୁଂସକପଣିଆର ଉତ୍ତମ ନିଦର୍ଶନ ।

ବର୍ତ୍ତମାନର ପ୍ରଶାସନ ଜରିଆରେ ଓଡ଼ିଶା ବିକାଶଶୀଳ ନା ପରିସ୍ଥିତି ଅଧିକ ଖରାପ ହେଉଛି – ଆପଣ କଣ ଭାବୁଛନ୍ତି ? ଏଥିରେ କିଛି ପରିବର୍ତ୍ତନ ଦରକାର କି ?

ଆମ୍ଭେମାନେ ସମ୍ମୁଖୀନ ହେଉଥିବା ମୁଖ୍ୟ ସମସ୍ୟାଗୁଡ଼ିକ ହେଉଛି କାପୁରୁଷ ପଣିଆ,ଆରମ୍ଭ କରିବା ଶକ୍ତି ଓ ସାହସିକତାର ଅଭାବ,ଲାଜକୁଳା ପ୍ରକୃତି,ଓଡ଼ିଶାର ବୃହତର ସ୍ୱାର୍ଥ ସମ୍ବଳିତ ପ୍ରସଂଗରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସହମତିର ଅଭାବ,ଦଳମାନଙ୍କର କକଂଡ଼ା ପ୍ରକୃତି ଭଳି କାର୍ଯ୍ୟକଳାପ,ଅମଲାତାନ୍ତି୍ରକ ବା ପ୍ରଶାସନିକ ଉଦାସୀନତା ।

ଆପଣ ଭାବୁଛନ୍ତି କି ପ୍ରବାସୀ ଓଡ଼ିଆମାନେ ରାଜ୍ୟର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ? ଯଦି ହଁ, ତେବେ କାହିଁକି ସେମାନେ ଆଜିଯାଏ ବିଫଳ ହୋଇଛନ୍ତି ଏବଂ ସେ ଦିଗରେ ସୁଯୋଗ ଓ ସୁବିଧା ରହିଛି କି ?

ପ୍ରବାସୀ ଓଡ଼ିଆମାନଙ୍କୁ ଓଡ଼ିଶାର ସ୍ୱାର୍ଥ ପାଇଁ ସମନ୍ୱିତ କରାଯିବାର ଆବଶ୍ୟକତା ରହିଛି । ତଦ୍ୱାରା ପ୍ରତ୍ୟେକ ପ୍ରବାସୀ ଓଡ଼ିଆ ସେମାନଙ୍କ ନିଜ ନିଜ କ୍ଷେତ୍ରରେ ଓଡ଼ିଶାକୁ ସମୃଦ୍ଧ କରିବା ପାଇଁ ସହଯୋଗ କରିପାରିବେ । ଦୃଷ୍ଠାନ୍ତ ଛଳରେ ଗବେଷକମାନଙ୍କୁ ସୂଚନା ବା ତଥ୍ୟ ଭିତ୍ତି ହିସାବରେ ଉପଯୋଗ କରାଯାଇପାରିବ

ଗୋଟିଏ ନିର୍ଦ୍ଧିଷ୍ଟ ବିଷୟ ସଂପର୍କରେ ସବିଶେଷ ତଥ୍ୟ ଭିତ୍ତି ହିସାବରେ ଉପଯୋଗ କରାଯାଇପାରିବ । ଗୋଟିଏ ନିର୍ଦ୍ଧିଷ୍ଟ ବିଷୟ ସଂପର୍କରେ ସବିଶେଷ ତଥ୍ୟ ସଂଗ୍ରହ ନିମନ୍ତେ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇପାରେ ।

କିନ୍ତୁ ସେଥିପାଇଁ ଉପଯୁକ୍ତ ପ୍ରୋତ୍ସାହନମୂଳକ ବ୍ୟବସ୍ଥା କରାଯିବାର ଦରକାର । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ଏହି ପ୍ରୋତ୍ସାହନମୂଳକ ପ୍ୟାକେଜର ଅଭାବ ରହିଛି । ଉପଯୁକ୍ତ ସ୍ୱୀକୃତି ଓ ପୁରସ୍କାର ମିଳିଲେ ହିଁ ଜଣେ ଏ କ୍ଷେତ୍ରରେ ସଠିକ ଭାବରେ ସହଯୋଗ କରିପାରିବ ।

ଓଡ଼ିଶାର ଆର୍ଥୀକ-ସାମାଜିକ ସମୃଦ୍ଧି ପାଇଁ କେଉଁ କ୍ଷେତ୍ର ଉପରେ ଆପଣ ଗୁରୁତ୍ୱ ଦେବେ ?

ଆମର ମାନସିକତା ବା ଚିନ୍ତା ରାଜ୍ୟରେ ସୁଦୂର ପ୍ରଭାବୀ ବିପ୍ଲବ ନ ଆସିଲେ ଆମେ କୌଣସି ପରିବର୍ତ୍ତନ ଆଶା କରିବା ଉଚିତ ନୁହେଁ । ତେଣୁ ଆମର ଚିନ୍ତା, ଆଭିମୁଖ୍ୟ ଦୃଷ୍ଟିଭଙ୍ଗିରେ ପରିବର୍ତ୍ତନ ଆସିବା ଦରକାର ।

କେବଳ ସରକାର ବଦଳରେ ଓଡ଼ିଶାର କୌଣସି ପରିବର୍ତ୍ତନ ଘଟିବ ନାହିଁ ।ଏହା କେବଳ ନବୀନ ବା ଜାନକୀଙ୍କ ପ୍ରଶ୍ନ ନୁହେଁ,ବଂର ଏହା ଏକ ମୌଳିକ ପ୍ରଶ୍ନ ।ଆମର ମାଇଚିଆ ପ୍ରବୃତ୍ତି ପରିହାର କରିବା ଏବଂ କେନ୍ଦ୍ର ନିକଟରୁ ନ୍ୟାର୍ଯ୍ୟ ଦାବି ହାସଲ କରିବାର ଦକ୍ଷତାର ଅଧିକାରୀ ହେବା ଉଚିତ ।

ଏହି କୃଷ୍ଣଗର୍ତ୍ତରୁ ଉଦ୍ଧାର ପାଇଁ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସଂପୃକ୍ତ ଥିବା ରାଜନେତାମାନଙ୍କୁ ଆପଣ କି ସନ୍ଦେଶ ଦେବେ ?

ପ୍ରଧାନମନ୍ତ୍ରୀ ଆମର ନେତାମାନଙ୍କୁ କହୁଛନ୍ତି,ପଇସା କଣ ଗଛରେ ଫଳୁଚି କି । ପ୍ରଧାନମନ୍ତ୍ରୀ ସେଭଳି ଭାବରେ ଲାଲୁ ,ଜୟଲଳିତା କିମ୍ବା ମମତାଙ୍କୁ କହିପାରିବେକି ? କଦାପି ନୁହେଁ ।ସେ କେବଳ ଓଡ଼ିଶାର ନେତାମାନଙ୍କୁ ଏଭଳି କହିପାରିବେ ।

କାରଣ ପ୍ରଧାନମନ୍ତ୍ରୀ ଭଲ ଭାବରେ ଜାଣନ୍ତି ଓଡ଼ିଆ ନେତାମାନେ ଭୀରୁ ବା କାପୁରୁଷ । ସେମାନଙ୍କୁ ନିର୍ବୋଧ ବନାଇ ହେବ ।

କେବଳ ସେତିକି ନୁହେଁ ,ଅନ୍ୟ ଏକ ଦିନ ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବାଞ୍ଜଳ ରାଜ୍ୟମାନଙ୍କ ପାଇଁ ୨୪ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କଲେ । କିନ୍ତୁ ଓଡ଼ିଶା ପାଇଁ କହିଲେ ,ପଇସା କଣ ଗଛରେ ଫଳୁଛି ।

ଆପଣଙ୍କ ଦୃଷ୍ଟିରେ ଜରୁରୀକାଳୀନ ଭିତ୍ତିରେ ଓଡ଼ିଶା କଣ ଦରକାର କରୁଛି ?

ଜଣେ ବ୍ୟକ୍ତିର କୌଣସି ଗୋଟିଏ ପ୍ରସଂଗ ଆମ ସମସ୍ୟାର ସମାଧାନ କରିପାରିବ ନାହିଁ । ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ,ଆମ ନେତାମାନଙ୍କର ଓଡ଼ିଶା ସଂପର୍କରେ ଗୋଟିଏ ଦୃଷ୍ଟିଭଙ୍ଗୀ ରହିବା ଦରକାର ।

ସେମାନେ ଓଡ଼ିଆ ହିସାବରେ ଗର୍ବ ଅନୁଭବ କରିବା ଉଚିତ ଏବଂ ସେମାନଙ୍କ ଆଭିମୁଖ୍ୟରେ ଦୃଢ ଓ କଠୋର ହେବା ବାଞ୍ଚନୀୟ । ଆମ୍ଭେମାନେ ଏଠାରେ ନିଶ୍ଚିତ ଭାବେ ଆମର ନିଜ ନିଜ ସ୍ତରରେ ସେମାନଙ୍କୁ ସାହଯ୍ୟ କରିବୁ ।

ବିକାଶର ନୂତନ ପର୍ଯ୍ୟାୟକୁ ଓଡ଼ିଶାକୁ ନେଇଯିବା ପାଇଁ ଆପଣଙ୍କର ଚିନ୍ତାଧାରା କଣ ?

ମୋର ବାର୍ତ୍ତା ହେଉଛି, ଲାଜକୁଳା ହୁଅ ନାହିଁ ,ନିଜର ଦୃଷ୍ଠିଭଙ୍ଗୀ ପ୍ରସ୍ତୁତ କର, ଦୃଢ ଓ କଠୋର ହୁଅ , ଲୋକଙ୍କ ନିକଟକୁ ଯାଅ, ନୂତନ ଲକ୍ଷ୍ୟ ଧାର୍ଯ୍ୟ କର, କାର୍ଯ୍ୟକ୍ରମଗୁଡ଼ିକ ଫଳପ୍ରଦ ଭାବେ ରୂପାୟନ କର, ଦ୍ରୁତ ଶିଳ୍ପାୟନ ସହିତ ବେକାରୀ ସମସ୍ୟାର ସମାଧାନ କର।

ଓଡ଼ିଶା ବର୍ତ୍ତମାନ ଏକ ଯଥାର୍ଥ ରାଜନୈତିକ ଇଚ୍ଛାଶକ୍ତି ଏବଂ ଗୋଟିଏ ପ୍ରକୃତ ଓଡ଼ିଆ ନେତାମାନଙ୍କ ଦଳ ଆବଶ୍ୟକ କରୁଛି । ମାତୃଭୂମି ମାତୃଭାଷାର ମମତା ଯା ହୃଦେ ଜନମି ନାହିଁ ,ତାକୁ ଯଦି ଜ୍ଞାନୀ କଣରେ ଗଣିବା ଅଜ୍ଞାନୀ ରହିବେ କାହିଁ ?

ଓଡ଼ିଶାରେ ଉଚ୍ଚ ଶିକ୍ଷାକୁ ପୁର୍ନକାର୍ଯ୍ୟକ୍ଷମ ଓ ନବୀକରଣ କରାଯିବାର ଆବଶ୍ୟକତା ରହିଛି । ଗବେଷଣାର ସଂସ୍କୃତି ମଧ୍ୟ ସେଠାରେ ବିକାଶ କରାଯିବା ଦରକାର । ସରକାର ଅନେକ କଲେଜକୁ ସ୍ୱୟଂଚାଳିତ କରିଛନ୍ତି ।

ମାତ୍ର ତାହା ଶିକ୍ଷକମାନଙ୍କ ସ୍ୱେଚ୍ଛାଚାରିତା ବୃଦ୍ଧି କରିଛି ।ଶିକ୍ଷକମାନେ ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ଅପେକ୍ଷା ନିଜର ଅଧିକାର ସଂପର୍କରେ ଅଧିକ ଉଦ୍ବିଘ୍ନ ।

ଓଡ଼ିଶା ଅବହେଳିତ ବୋଲି ଆପଣ ବିଶ୍ୱାସ କରନ୍ତି କି ? ଯଦି ହଁ ତାହା କଣ ?

ଓଡ଼ିଶା ଅବଚ୍ଛିନ୍ନ ଭାବେ କେନ୍ଦ୍ର ଦ୍ୱାରା ଅବହେଳିତ ହୋଇଆସୁଛି ।ଯଦି ଜାମ୍ମୁ ଓ କାଶ୍ମୀର,ବିହାର , ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସମୂହ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ବିପୁଳ ପରିମାଣର ଅନୁଦାନ ଲାଭ କରିପାରିବେ ,ତେବେ ଓଡ଼ିଶା କାହିଁକି ସେଥିରୁ ବଞ୍ଚିତ ହେବ?

ତେଣୁ ଶେଷରେ ମନ୍ତବ୍ୟ ହେଉଛି , କ୍ଷମତା କାହାକୁ ଦିଆଯାଏ ନାହିଁ ,ବଂର ତାହା ଛଡ଼ାଇ ଅକ୍ତିଆର କରାଯାଏ । ସେହି ଦୃଷ୍ଟିରୁ ଆମେ ଆମର ସ୍ୱର ଦୃଢ ଭାବେ ଉତ୍ତୋଳନ କରିବା ଏବଂ ଆମର ମାତୃଭୂମି ଓଡ଼ିଶା ପାଇଁ ଐକ୍ୟବଦ୍ଧ ସଂଗ୍ରାମ ଜାରୀ ରଖିବା ।

ବିଶେଷ ଦ୍ରଷ୍ଟବ୍ୟ : (ଉପରୋକ୍ତ ଲେଖାରେ ଦିଆଯାଇଥିବା ମନ୍ତବ୍ୟ ସାକ୍ଷାତକାର ଦେଇଥିବା ବ୍ୟକ୍ତିଙ୍କ ନିଜସ୍ୱ । ଏହି ମତାମତ ଦ୍ୱାରା ଯଦି କେହି କୌଣସି ଉପାୟରେ କ୍ଷତିଗ୍ରସ୍ତ ହୁଅନ୍ତି ତେବେ ସେଥିପାଇଁ ଓଡ଼ିଶା ଡ଼ଟ୍ କମ୍ ଦାୟୀ ନୁହେଁ)

ଓଡ଼ିଶା ଡ଼ଟ୍ କମ୍

Filed Under: ସାକ୍ଷାତକାର Tagged With: ବିକ୍ରମ କେଶରୀ ମିଶ୍ର, ସାକ୍ଷାତକାର

ଉନ୍ନୟନ ମୂଳକ କାର୍ଯ୍ୟ, ଭିତ୍ତିଭୂମି ଗଠନ ଓ ପର୍ଯ୍ୟଟନ ଓଡ଼ିଶା ବିକାଶର ଚାବି କାଠି

January 29, 2005 by News Bureau Leave a Comment

ନୂଆଦିଲ୍ଲୀ,ଜାନୁୟାରୀ ୨୯ (ଓଡିଶା ଡ଼ଟ୍ କମ୍), ଓଡ଼ିଶା ର ବ୍ରହ୍ମପୁର ଅଞ୍ଚଳର ୩୮ବର୍ଷ ବୟସ୍କ ଧନଞୟ ମହାପାତ୍ର ଜଣେ ଆଇନ ସ୍ନାତକ । ୧୯୮୮-୯୦ମସିହାରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଟରନ୍ୟାସନାଲ୍ ଲ’ରେ ଆନ୍ତର୍ଜାତିକ ଆଇନ ବିଷୟରେ ଦୁଇ ବର୍ଷିୟା ସ୍ପେସିଆଲାଇଜେସନ୍ କୋର୍ସ କଲାପରେ ସାମ୍ବାଦିକତା ପାଠ୍ୟକ୍ରମରେ ପିଜି ଡ଼ିପ୍ଲୋମା ।

ତା’ପରେ ସେ ନିଜର କ୍ୟାରିୟର ଆରମ୍ଭ କରନ୍ତି ୧୯୯୧ ମସିହାରେ ଦକ୍ଷିଣ ଏସିଆର ଅତ୍ୟନ୍ତ ସମ୍ମାନଜନକ ଓ ବୃହତ୍ତମ ନ୍ୟୁଜ୍ ଏଜେନ୍ସୀ ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ(ପିଟିଆଇ)ରେ ।

ରିପୋର୍ଟିଂ ପାଇଁ ଅଫିସ ବାହାରକୁ ଯିବା ପୂର୍ବରୁ ଚାରି ବର୍ଷ ଡ଼େସ୍କ୍ ରେ କାର୍ଯ୍ୟ କରିଛନ୍ତି । ଏହି ଅବସରରେ ସେ ପ୍ରସ୍ତୁତ କରିଥିବା ବହୁ ଗୁରୁତ୍ୱପୂର୍ଣ୍ଣ ଖବର ମଧ୍ୟରେ ରହିଛି ପ୍ରସିଦ୍ଧ ହାୱାଲା ସ୍କାମ, ଜେଏମ୍ଏମ୍ ଲାଞ୍ଚ ମାମଲା, ବିରାପ୍ପାନ୍ ମାମଲା, କାବେରୀ ଜଳବଣ୍ଟନ ବିବାଦ ତଥା , ଶଙ୍କରାଚାର୍ଯ୍ୟ ଗିରଫ ମାମଲା ।

ଏହା ବ୍ୟତୀତ ସେ ପ୍ରସ୍ତୁତ କରିଛନ୍ତି ଆଫଗାନିସ୍ତାନରେ ତାଲିବାନ୍ ସରକାର ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ କାଳରେ ହୋଇଥିବା ଆତଙ୍କବାଦୀ ବିରୋଧୀ ସଂଗ୍ରାମ, ଗୁଜୁରାଟର ଭୁଜ୍ ଭୂମିକମ୍ପ, କାରଗିଲ ଯୁଦ୍ଧ,ତିବତରୁ ଉଗ୍ୟେନ୍ ତ୍ରିନଲୀ ଦୋର୍ଜୀଙ୍କ ଭାରତ ଆଗମନ ସଂପର୍କିିିତ ଖବର ସହ କିଛି ବର୍ଷ ପୂର୍ବେ ଭାରତୀୟ କ୍ରିକେଟରେ ଚହଳ ସୃଷ୍ଟି କରିଥିବା ମ୍ୟାଚ ଫିକ୍ସିଂ ଖବର ।

ଏହାବ୍ୟତିତ ଜର୍ମାନୀରେ ୧୯୯୬ ମସିହାରେ ସ୍କୋଡା ଅକ୍ଟାଭିଆ ମହାକାଶଯାନର ଉତ୍କର୍ଷେପଣ ସଂପର୍କୀତ ବିବରଣୀ , ୧୯୯୯ରେ ଉପରାଷ୍ଟ୍ରପତିଙ୍କ ସାତଟି ଦେଶ ଗସ୍ତ ଏବଂ ଟୋକିଓରେ ୨୦୦୩ ମସିହାରେ ଡ଼ବ୍ଲ୍ୟୁଟିଓ’ର ଅନୁଷ୍ଠିତ କ୍ଷୁଦ୍ର ମନ୍ତ୍ରୀ ସ୍ତରୀୟ ବୈଠକର ବୀବରଣୀ ମଧ୍ୟ ତାଙ୍କର ସାମ୍ବାଦିକତା ଜୀବନର ଶ୍ରେଷ୍ଠତା ପ୍ରତିପାଦିତ କରିଥାଏ ।

୧୩ ବର୍ଷ ତଳେ ମଣିପୁରରେ ବିବାହ କରିଥିବା ଧନଞୟଙ୍କର ଦଶ ଓ ଛଅ ବର୍ଷର ଦୁଇ ପୁଅ ଅଛନ୍ତି । ତାଙ୍କ ପତ୍ନୀ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ପ୍ରଡ଼କ୍ସନ ମ୍ୟାନେଜର ।
ନିଜର ବ୍ୟକ୍ତିଗତ ଜୀବନ ସମ୍ପର୍କରେ ସେ କହନ୍ତି “୧୯୮୮ ମସିହାରୁ ମୁଁ ଓଡ଼ିଶା ଛାଡ଼ିଛି ।ମୋର ପିତାମାତାଙ୍କୁ ଭେଟିବା ଲାଗି ମୁଖ୍ୟତଃ ମୁଁ ବର୍ଷରେ ଥରଟିଏ ଓଡ଼ିଶା ଯାଇଥାଏ ”।

ଓଡ଼ିଶା ମୋର ମାତୃଭୂମି ଏବଂ ଏହାର ପଛୁଆପଣ ସର୍ବଦା ଗଭୀର ଆଘାତ ଦେଇଥାଏ । ମାତ୍ର ଓଡ଼ିଶାରେ ଯୁବ ସଂପ୍ରଦାୟ ମଧ୍ୟରେ ଉତ୍ସାହର ଅଭାବ ଅଧିକ ଆଘାତ ଦେଇଥାଏ ।

କେବଳ ଅଳ୍ପ କେତେକ ଯୁବ ପ୍ରତିଭା ଉଚ୍ଚ ସୋପାନକୁ ଉଠିପାରିଛନ୍ତି କିମ୍ବା ଏହା ହାସଲ କରିବା ସ୍ଥିତିରେ ଅଛନ୍ତି ।

ଏହିଠାରେ ରହି ଓଡ଼ିଶାର ବିକାଶ ପାଇଁ ଯୋଗଦାନ ଦେବାର ମାର୍ଗ ହେଲା ଯୁବ ସଂପ୍ରଦାୟକୁ ପଥ ପ୍ରଦର୍ଶନ ଯେଉଁମାନେ କ୍ୟାରିୟର ଗଠନ ଲକ୍ଷ୍ୟ ରଖି ଆସୁଛନ୍ତି । ଏମାନେ ସଚ୍ଚୋଟ ଏବଂ ଯାହା କରିବେ ସେଥିରେ ଶତପ୍ରତିଶତ ଏକାଗ୍ରତା ରଖିବେ ।

ଓଡ଼ିଶାର ବର୍ତ୍ତମାନର ସ୍ଥିତି ସଂପର୍କରେ ଆପଣଙ୍କର ମତ କଣ ଏବଂ ଆପଣ ସେଥିପାଇଁ କାହାକୁ ଦୋଷ ଦେବାକୁ ଚାହାନ୍ତି ?

“ଓଡ଼ିଶାକୁ ଗସ୍ତ କରି ଲୋକଙ୍କ ସହ କଥାବାର୍ତ୍ତା ହେଲାବେଳେ ସେମାନଙ୍କର ଗଭୀର ମାନସିକ ଅଶାନ୍ତି ବାବଦରେ ମୁ ଜାଣିବାକୁ ପାଇଥାଏ । ତେବେ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏଭଳି ଜନଅଶାନ୍ତି ରହିଛି । ମାତ୍ର ଏହା ସହିତ ମୁ ସକାରାତ୍ମକ ବିଶ୍ୱାସର ସ୍ୱର ମଧ୍ୟ ଶୁଣିଥାଏ ।”

ନିର୍ଦ୍ଧିଷ୍ଟ ଜନମତ ସୃଷ୍ଟି କରିବା ପାଇଁ ହେଲେ ଲୋକଙ୍କ ଆକାଂକ୍ଷାକୁ ସତ୍ ପ୍ରଶଂସା କରିବାର ଆବଶ୍ୟକତା ରହିଛି । ଏ ସଂପର୍କରେ ଶାସକ ଓ ବିରୋଧୀ ଦଳଗୁଡ଼ିକର ନେତାମାନେ ଯେଉଁ ମତ ଦିଅନ୍ତି ତାହା ଠିକ୍ ନୁହେଁ ।

ଓଡ଼ିଶାର ବିକାଶ ପାଇଁ କିଛି ଅବଦାନ ଦେବା ପାଇଁ ଆପଣ କେବେ ଚିନ୍ତା କରିଛନ୍ତି କି ? ଯଦି କରିଛନ୍ତି ତେବେ କେଉଁ ବିଷୟରେ ?

ଓଡ଼ିଶାର କୋଣସି ନିର୍ଦ୍ଧିଷ୍ଟ କ୍ଷେତ୍ରର ବିକାଶ ସହିତ ମୁଁ ପ୍ରତ୍ୟକ୍ଷ ଜଡ଼ିତ ନୁହେଁ । ମାତ୍ର ବିଭିନ୍ନ ପେଶାରେ ଲିପ୍ତ ଥିବା ମୋର ବନ୍ଧୁମାନଙ୍କୁ ଓଡ଼ିଶାର ବିବିଧତା ତଥା ପ୍ରାକୃତିକ ଶୋଭାରାଶି, ସ୍ଥାପତ୍ୟ କଳା କିମ୍ବା ସମୁଦ୍ର ଉପକୂଳ ହେଉ ସେସବୁ ଦେଖିବା ଲାଗି ମୁଁ ପ୍ରବର୍ତ୍ତାଇଥାଏ ।

ବିକାଶର ନୂତନ ପର୍ଯ୍ୟାୟକୁ ଓଡ଼ିଶାକୁ ନେଇଯିବା ପାଇଁ ଆପଣଙ୍କର ଚିନ୍ତାଧାରା କଣ ?

“ଯଦି ଲୋକମାନେ ସେମାନଙ୍କ କର୍ତ୍ତବ୍ୟ ପ୍ରତି ସଜାଗ ରହିବେ ତେବେ କେହି ହେଲେ ଓଡ଼ିଶାର ଦୂର୍ଗତି କରି ପାରିବେ ନାହିଁ । ମୁ ବିଶ୍ୱାସ କରେ ଯେ ଓଡ଼ିଆ ଲୋକମାନଙ୍କୁ କୌଣସି ପ୍ରଶାସନ ହାଲୁକା ଭାବେ ଗ୍ରହଣ କରିପାରିବ ନାହିଁ । ”

ହୋଇପାରେ ସାଂପ୍ରତିକ ପ୍ରଶାସନର ବିକାଶ ଲକ୍ଷ୍ୟ କମ୍ ଥିବ- ଏହା ପ୍ରାୟତଃ ଭାରତର ସବୁ ସରକାରରେ ସାଧାରଣ କଥା । ତେବେ ସେମାନେ ଯାହା ଆବଶ୍ୟକ କରନ୍ତି ତାହା ହେଲା ଉନ୍ନୟନ ମୂଳକ କାର୍ଯ୍ୟ ଓ ଭିତ୍ତିଭୂମି ଗଠନକୁ ଅଗ୍ରାଧିକାର ଦେବା । ସମୟାନୁଯାୟୀ ବୃକ୍ଷରୋପଣ ବା ଶିଳ୍ପ କାରଖାନା କଥା ପରେ ।

ଅନ୍ୟ ଏକ କ୍ଷେତ୍ର ଉନ୍ନୟନ ମୂଳକ କାର୍ଯ୍ୟ ଓ ଭିତ୍ତିଭୂମି ଗଠନ ପରେ ପରେ ବିଚାରକୁ ନିଆଯାଇ ପାରେ ତାହା ହେଲା ପର୍ଯ୍ୟଟନ ।ଏଥିପାଇଁ ବିପୁଳ ପାଣ୍ଠି ବିନିଯୋଗର ଆବଶ୍ୟକତା ନଥିଲେ ମଧ୍ୟ ପ୍ରଶିକ୍ଷିତ ଲୋକମାନଙ୍କୁ ଆହୁରି ଦକ୍ଷ କରିବା ଲାଗି ନିଶ୍ଚିତ ପାଣ୍ଠି ବିନିଯୋଗ ଜରୁରୀ ଅଟେ ।

ଆପଣଙ୍କ ମତରେ ଓଡ଼ିଶାର ବିକାଶ ପଥରେ ମୁଖ୍ୟ ବାଧକ କଣ ?

“ଓଡ଼ିଶାର ବିକାଶରେ ପ୍ରତିବନ୍ଧକ ମୁଁ ଏବଂ ତୁମେ । ରାଜ୍ୟର ଉନ୍ନତି ପାଇଁ କିଛି ଆଖିଦୃଶିଆ କାର୍ଯ୍ୟ କରିବା ଲାଗି ଆମେ କେବେ ଚିନ୍ତା କରିଛୁ କି! ବ୍ୟକ୍ତିଗତ ସ୍ତରରେ ଏହାକୁ ନିଅନ୍ତୁନାହିଁ ।”

ଯେଉଁ ରାଜ୍ୟରେ ମୁଁ ଶିକ୍ଷାଲାଭ କରିଛି ଏବଂ ବଢ଼ିଛି ତାହା ପ୍ରତି ଥିବା ମୋର କର୍ତ୍ତବ୍ୟରେ ମୁଁ ଯଥେଷ୍ଟ ବିଫଳ ହୋଇଥିବା ମନେ କରୁଛି ।

ମୁଁ ପଢ଼ିଥିବା ସ୍କୁଲକୁ କଦବା କ୍ୱଚିତ ବୁଲିଯିବା ବା ଏହାର ଉନ୍ନତି ପାଇଁ କେତେବେଳେ କେମିତି କିଛି ଆର୍ଥିକ ସାହାଯ୍ୟ ଦେବା ଛଡ଼ା ଓଡ଼ିଶାର ବିକାଶ ଦିଗରେ କିଛି କରିପାରିନାହିଁ ।

ଯୁବକମାନଙ୍କୁ ମୁଁ ଯେଉଁ ପରାମର୍ଶ ଦେଉଛି ତାହା କେବଳ ଏକ ମାନବୀୟ କର୍ତ୍ତବ୍ୟ ।

ଆପଣ ଭାବୁଛନ୍ତି କି ପ୍ରବାସୀ ଓଡ଼ିଆମାନେ ରାଜ୍ୟର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ? ଯଦି ହଁ, ତେବେ କାହିଁକି ସେମାନେ ଆଜିଯାଏ ବିଫଳ ହୋଇଛନ୍ତି ଏବଂ ସେ ଦିଗରେ ସୁଯୋଗ ଓ ସୁବିଧା ରହିଛି କି ?

ପ୍ରବାସୀ ଓଡ଼ିଆମାନେ ପ୍ରାଥମିକ ଶିକ୍ଷା ଲାଭ କରିଥିବା ସେମାନଙ୍କର ବିଦ୍ୟାଳୟକୁ ଯାଇ ସେଗୁଡ଼ିକୁ ଆର୍ଥିକ ସହାୟତା ଦେଇ ଓଡ଼ିଶାର ବିକାଶ ଦିଗରେ କିଛି ନିର୍ଦ୍ଧିଷ୍ଟ ଅବଦାନ ଦେଇପାରିବେ ।

ହୁଏତ ସେମାନେ ସଂପୃକ୍ତ ବିଦ୍ୟାଳୟର ଲାଇବ୍ରେରୀ, କ୍ରୀଡ଼ା କିମ୍ବା ଖେଳ ପଡ଼ିଆ ଅଥବା ଏପରିକି ଏକ ଛୋଟ କମ୍ପୁଟର୍ ପାଇଁ ଅର୍ଥ ଯୋଗାଇ ଦେଇ ପାରନ୍ତି ।

ଦୃଶ୍ୟକୁ ଆସୁନଥିବା ସରକାରୀ ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ପିଲାମାନେ କିଛି ଅଧିକ ସୁବିଧା ସୁଯୋଗ ପାଇବା ଦରକାର । ଏଭଳି ବିଦ୍ୟାଳୟଗୁଡ଼ିକରେ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଶିକ୍ଷା ଲାଭ କରିଛନ୍ତି ।

ମୋର ବ୍ୟକ୍ତିଗତ ଅଭିଜ୍ଞତାରୁ ଜାଣିଛି ଯେ କଲେଜ ଅଧ୍ୟୟନ କାଳରେ ବିଶ୍ୱର ଅନ୍ୟ ଭାଗରେ ଘଟୁଥିବା ପରିବର୍ତ୍ତନ ସଂପର୍କରେ ଆମ ଭିତରେ ଜାଣିବା ପାଇଁ ଅଧିକ ଉତ୍ସାହ ନଥିଲା । ମାତ୍ର ଏବେ ମୁଁ ଦେଖୁଛି କଲେଜ ଛାତ୍ରମାନେ ବିବିଧ ବିଷୟରେ ଯଥେଷ୍ଟ ଅଧିକ ଅବଗତ ଅଛନ୍ତି ।

ବର୍ତ୍ତମାନର ପ୍ରଶାସନ ଦ୍ୱାରା ଓଡ଼ିଶା ବିକାଶଶୀଳ ନା ପରିସ୍ଥିତି ଅଧିକ ଖରାପ ହେଉଛି – ଆପଣ କଣ ଭାବୁଛନ୍ତି ? ଏଥିରେ କିଛି ପରିବର୍ତ୍ତନ ଦରକାର କି ? ଓଡ଼ିଶା ଅବହେଳିତ କି! ହଁ କିମ୍ବା ନାଁ ।

ଓଡ଼ିଶା ଅବହେଳିତ ! ହଁଏବଂ ନୁହେଁ । ହଁ ଏଇ ହିସାବରେ ଯେ,ଆମର ରାଜନେତାମାନେ ଯେତେବେଳେ କ୍ଷମତାରେ ଥାଆନ୍ତି ସେତେବେଳେ ସେମାନେ କେନ୍ଦ୍ର ଆଡ଼କୁ ଅଧିକ ଦୃଷ୍ଟି ଦେଇଥାନ୍ତି । ମାତ୍ର କେନ୍ଦ୍ର ଅନ୍ୟ ରାଜ୍ୟର ନେତାମାନଙ୍କ ପ୍ରତି ବେଶୀ ଧ୍ୟାନ ଦେଇଥାଏ ।

ଏଭଳିକି ଦେଶର ଉତ୍ତର-ପୂର୍ବରେ ଥିବା ରାଜ୍ୟଗୁଡ଼ିକ କେନ୍ଦ୍ରଠାରୁ ବିଭିନ୍ନ ପ୍ରମୁଖ ପ୍ରକଳ୍ପଗୁଡ଼ିକ ପାଇଁ ବେଶ୍ ଭଲ ସହାୟତା ପାଉଛନ୍ତି ।

ନା ଏଇ ହିସାବରେ ଯେ ଆମେ ଓଡ଼ିଆ ମାନେ ବାହାରେ ଏକ ଭିନ୍ନ କର୍ମ ସଂସ୍କୃତିରେ ସଫଳ କାମ କରୁ । ଜଣେ ଅବହେଳିତ ବ୍ୟକ୍ତି ତାହା କେବେବି କରିପାରିବନାହିଁ ।

ଓଡିଶା ଡ଼ଟ୍ କମ୍

Filed Under: ସାକ୍ଷାତକାର Tagged With: ଧନଞୟ ମହାପାତ୍ର, ବରିଷ୍ଠ ସାମ୍ବାଦିକ, ସାକ୍ଷାତକାର

  • « Go to Previous Page
  • Go to page 1
  • Interim pages omitted …
  • Go to page 3
  • Go to page 4
  • Go to page 5

Primary Sidebar

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Recent

  • ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପକ୍ଷରୁ ଚାରିଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି
  • ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
  • ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
  • ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
  • ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

Search

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Footer

ଆମ ବିଜ୍ଞାପନଦାତା