ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁଲାଇ ୨୬(ଓଡ଼ିଶା ଡ଼ଟ୍ କମ୍) ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ସ୍ଥିତ ସାଣରାକସ ୟୁନିଭର୍ସିଟିରେ ଏକ ତାଲିମ କର୍ମଶାଳାରେ ଯୋଗଦେବାକୁ ଯାଇଥିବା ଜଣେ ଓଡ଼ିଶା ଆଇଏଫ୍ଏସ୍ ଅଧକାରୀଙ୍କୁ ପୋଲିସ ଗିରଫ କରିଛି ।
ସମ୍ବଲପୁର ଡିଭିଜନରେ କାର୍ଯ୍ୟରତ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ସୁରେନ୍ଦ୍ର ପ୍ରସାଦ ମହାପାତ୍ର ସେଠାରେ ଜଣେ ହୋଟେଲ ପରିଚାରିକାଙ୍କୁ ଯୌନ ଅସାଚରଣ କରିଥିବା ଅଭିଯୋଗ ପରେ ତାଙ୍କୁ ପେନ୍ସିଲଭେନିଆରେ ଗିରଫ କରାଯାଇଛି ।
ମହାପାତ୍ର ରହୁଥିବା ହୋଟେଲ ରୁମ୍ ରେ ଇଣ୍ଟରନେଟ ସମସ୍ୟା ଥିବାରୁ ତାହା ସୁଧାରିବା ପାଇଁ ଜଣେ ମହିଳା ଉକ୍ତ ରୁମ୍କୁ ଆସିଥିଲେ ଏବଂ କିଛି ସମୟ ପରେ ବାହାରକୁ ଚାଲିଯାଇଥିଲେ । ପୁଣି କିଛି ସମୟ ପରେ ପୋଲିସ ମହାପାତ୍ର ରହୁଥିବା ରୁମ୍ ଭିତରକୁ ପ୍ରବେଶ କରି ତାଙ୍କୁ ଗିରଫ କରିଥିଲା ।
ତେବେ ସଂପୃକ୍ତ ମହିଳା ଜଣକ ତାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ କରିବା ପରେ ପୋଲିସ ମହାପାତ୍ରଙ୍କୁ ଗିରଫ କରିଥିବା କୁହାଯାଇଛି ।
ଓଡ଼ିଶା କ୍ୟାଡରର ଜଣେ ଆଇଏଫ୍ଏସ୍ ଅଫିସରଙ୍କୁ ଆମେରିକାରେ ଗିରଫ କରାଯିବା ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ଭାରତୀୟ ଦୂତାବାସ ତଥା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ସହ ଯୋଗାଯୋଗ କରାଯାଉଛି ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।
ଗଣମାଧ୍ୟମରେ ପ୍ରଚାରିତ ଖବର ଅନୁସାରେ ମହାପାତ୍ର ଅନ୍ୟ ୩୦ଜଣ ବରିଷ୍ଠ ବନ ଅଧିକାରୀଙ୍କ ସହ ସେଠାକୁ ଯାଇଥିଲେ, ସେ କହିଛନ୍ତି । ତେବେ ମହାପାତ୍ରଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ତାଙ୍କ ପରିବାର ପକ୍ଷରୁ ଖଣ୍ଡନ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍