ଓଡିଶା ଡଟ କମ ସଂବାଦ ଦାତା
ନୂଆଦିଲ୍ଲୀ, ମଇ ୧୨ (ଓଡିଶା ଡଟ କମ) ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଙ୍ଗଳବାର ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ରାଷ୍ଟ୍ରପତି ଭବନରୁ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏହି ନିଯୁକ୍ତି ପରେ ମୁର୍ମୁ ଦେଶର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ହେବାର ସୌଭାଗ୍ୟ ଲାଭ କରିଛନ୍ତି ।
ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ବିଧାନସଭାରେ ୨୦୦୦ ରୁ ୨୦୦୪ ଓ ପୁନର୍ବାର ୨୦୦୪ ରୁ ୨୦୦୯ ପ୍ରତିନିଧିତ୍ଵ କରିଥିବା ମୁର୍ମୁ ,୫୭ ରାଜ୍ୟର ବାଣିଜ୍ୟ ଓ ପରିବହନ ଓ ପରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇବା ସହ ବହୁ ଗୁରୁତ୍ଵ ପୂର୍ଣ କମିଟି ର ସଦସ୍ୟ ରହିଥିଲେ ।
ବିଏ ପାସ କରିଥିବା ଏହି ଆଦିବାସୀ ନେତ୍ରୀ ତାଙ୍କର ରାଜନୈତିକ ଜୀବନ ରାଇରଙ୍ଗପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ଭାବେ ଆରମ୍ଭ କରିଥିଲେ ।
କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଓଡିଶା ଡଟ କମ