ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ
ଭଦ୍ରକ, ମଇ ୧୫(ଓଡ଼ିଶା ଡ଼ଟ୍ କମ୍) କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଭଦ୍ରକ ଜିଲ୍ଲାର ଛଅ ଜଣ ପୋଲିସ କର୍ମଚାରୀଙ୍କୁ ମଙ୍ଗଳବାର ବିଭାଗୀୟ କର୍ତୃପକ୍ଷ ନିଲମ୍ବିତ କରିଛନ୍ତି ।
ରିଜର୍ଭ ପୋଲିସ ଜେଲରୁ ଜଣେ ମହିଳା ସମେତ ୧୨ଜଣ ବିଚାରାଧିନ ଅଭିଯୁକ୍ତଙ୍କୁ ବିଭିନ୍ନ ମାମଲାର ବିଚାର ନିମନ୍ତେ ଚାନ୍ଦବାଲି ଜେଏମ୍ଏଫସି କୋର୍ଟକୁ ନିଆଯାଇଥିବା ବେଳେ ଡ଼କାୟତି ମାମଲାରେ ଗିରଫ ଦୁଇ ଅଭିଯୁକ୍ତ ଫେରିବା ରାସ୍ତାରେ ଫେରାର ହୋଇଯାଇଥିଲେ ।
ତେଣୁ ଜଣେ ମହିଳା କନଷ୍ଟେବଳଙ୍କ ସମେତ ଛଅ ଜଣଙ୍କ ଦାୟିତ୍ୱହୀନତା ଯୋଗୁଁ ଦୁଇ ଅଭିଯୁକ୍ତ ଫେରାର ହେବାର ସକ୍ଷମ ହୋଇଥିରୁ ପୂର୍ବାଞ୍ଚଳର ଡ଼ିଆଇଜି ସଂଜୟ କୁମାର ହାବିଲଦାର ପ୍ରଶାନ୍ତ ପାତ୍ର, ଡ଼୍ରାଇଭର ଅରୁଣ ମିତ୍ର, ଏପିଆର କନଷ୍ଟେବଳ ପ୍ରତାପ କୁମାରା ତ୍ରିପାଠୀ, କୃଷ୍ଣଚନ୍ଦ୍ର ରାଉତ, ଅଶ୍ୱିନୀ କୁମାର ସେଠୀ ଓ ସୁବାଷିନୀ ଲେଙ୍କାଙ୍କୁ ନିଲମ୍ବିତ କରିଛନ୍ତି ।
ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଆଜି ସକାଳୁ ଚାନ୍ଦବାଲି ନିକଟସ୍ଥ ଧାନଖଣିଆ ଘାଟ ନିକଟରେ ପହଞ୍ଚିଥିଲେ ।
ସେଠାରେ ଉପରୋକ୍ତ ଦୁଇ ଅପରାଧି ନଦୀପାର ହୋଇ କଟକ ଯିବାକୁ ଡ଼ଙ୍ଗାକୁୁ ଅପେକ୍ଷା କରିଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା ।
ଓଡ଼ିଶା ଡ଼ଟ୍ କମ୍