ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି
ଯାଜପୁର, ମଇ ୫(ଓଡ଼ିଶା ଡ଼ଟ୍ କମ୍) ଯାଜପୁର ସହରର ବରାହନାଥ ପୋଲ ନିକଟରୁ ଶନିବାର ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଥିବା ପୋଲିସ କହିଛି ।
ବିଷ୍ଣୁ ପ୍ରସାଦ ସାମନ୍ତ ନାମକ ଜଣେ ପୂଜକ ଉକ୍ତ ପୋଲ ଦେଇ ନିଜ ଗାଁକୁ ଯାଉଥିବା ବେଳେ ଶିଶୁର କାନ୍ଦ ଶୁଣି ତାକୁ ଉଦ୍ଧାର କରିଛନ୍ତି । ତୁରନ୍ତ ତାକୁ ଜିଲ୍ଲା ସରକାରୀ ଡ଼ାକ୍ତରଖାନାକୁ ଅଣାଯାଇଥିଲା । ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ବେଳେ ସେ ବିପଦମୁକ୍ତ ଅଛି ବୋଲି ଡ଼ାକ୍ତରଖାନା ପକ୍ଷରୁ କୁହାଯାଇଛି ।
ଶିଶୁର ପିତାମାତାଙ୍କୁ ଜାଣିବା ପାଇଁ ପୋଲିସ ବର୍ତମାନ ତଦନ୍ତ ଚଳାଇଥିବା ବେଳେ କେତେ ସମୟ ଧରି ଶିଶୁଟି ସେହି ପୋଲ ନିକଟରେ ଥିଲା ସେ ନେଇ କୌଣସି ସୂଚନା ଦେଇପାରି ନାହିଁ । ଉଦ୍ଧାର ଶିଶୁ କନ୍ୟାକୁ ଗ୍ରହଣ କରିବାକୁ ବହୁ ଲୋକ ଆଗ୍ରହ ପ୍ରକାଶ କରିଛନ୍ତି ।
ଗତ ନଭେମ୍ବର ମାସରେ କଟକ ରେଳଷ୍ଟସନ ନିକଟରୁ ଏକ କାର୍ଟୁନରେ ଭର୍ତି ଥିବା ଅବସ୍ଥାରେ ଦୁଇ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା । ଏହାର ଠିକ୍ ଦୁଇଦିନ ପରେ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ନିକଟରୁ ମଧ୍ୟ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା ।
ରାଜ୍ୟର ବିଭିନ୍ନ ସ୍ଥାନରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସାଧାରଣରେ ଉଦ୍ଦବେଗ ପ୍ରକାଶ ପାଇଛି ।
ଓଡ଼ିଶା ଡ଼ଟ୍ କମ୍