ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମଇ ୪(ଓଡ଼ିଶା ଡ଼ଟ୍ କମ୍) ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାଙ୍କନରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ଉଦ୍ଦବେଗ ପ୍ରକାଶ ପାଇଛି ।
ମ୍ୟାଟ୍ରିକ ଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଖାତା ମୂଲ୍ୟାଙ୍କନରେ ବାରମ୍ବାର ଅବ୍ୟବସ୍ଥା ହେଉଥିବାରୁ ଛାତ୍ରଛାତ୍ରୀମାନେ ଉଚିତ୍ ନମ୍ବର ପାଇବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପରୀକ୍ଷା ଓ ପରୀକ୍ଷା ପରବର୍ତୀ ମୂଲ୍ୟାଙ୍କନରେ ସ୍ୱଚ୍ଛତା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଥିବା ବେଳେ ଏଭଳି ଅବ୍ୟବସ୍ଥା ପାଇଁ କିଏ ଦାୟୀ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି ।
ମହମବତୀ ଆଲୁଅ ଏବଂ ମୋବାଇଲ ଆଲୁଅରେ ଖାତା ମୂଲ୍ୟାଙ୍କନ କରାଯାଉଥିବା ଲୋକ ଲୋଚନକୁ ଆସିଥିବା ବେଳେ ଗୁରୁବାର ଓଦା ପରୀକ୍ଷା ଖାତା ଦେଖାଯାଉଥିବା ନଜରକୁ ଆସିଛି ।
ଗତ ମଙ୍ଗଳବାର ବଲାଙ୍ଗୀର ସହରରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ମହମବତୀ ଓ ମୋବାଇଲ୍ ଲାଇଟ୍ ରେ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିଥିବା ବେଳେ ଗୁରୁବାର ପୁଣି ସେହି କେନ୍ଦ୍ରରେ ବର୍ଷା ଭିଜା ଖାତା ମୂଲ୍ୟାଙ୍କନ କରାଯାଉଥିବା ଦେଖିବାକୁ ମିଳିଛି ।
ପରୀକ୍ଷା ଖାତା ଗୁଡ଼ିକରେ ଥିବା ଲେଖା ଗୁଡ଼ିକ ପଢି ହେଉନଥିବା ସତ୍ୱେ ଏହି ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ଓଦା ଖାତା ଦେଖୁଛନ୍ତି ।
ତେବେ ପରୀକ୍ଷା ଖାତା କେବେ କେଉଁଠି ଓଦା ହୋଇଛି ତାହା ଜଣାପଡ଼ୁନଥିବା ବେଳେ ଏସଂପର୍କରେ ସେ କିଛି ଜାଣି ନାହାନ୍ତି ବୋଲି ଜିଲ୍ଲା ଶିକ୍ଷାମଣ୍ଡଳାଧୀଶ କହିଛନ୍ତି ।
ବଲାଙ୍ଗୀରରେ ପରୀକ୍ଷା ଖାତା ଓଦା ହୋଇ ନାହିଁ ଓ ଏହା ପରୀକ୍ଷା କେନ୍ଦ୍ରରୁ ଓଦା ହୋଇ ଏଠାକୁ ଆସିଛି । ଖାତା ଗୁଡ଼ିକ ସାମାନ୍ୟ ଓଦା ହୋଇଥିଲେ ମଧ୍ୟ ପଢି ହେଉଛି ବୋଲି ସେ କହିଛନ୍ତି ।
ସରକାର ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ତଥା ଜନସାଧାରଣ ଦାବି କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍