ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମଇ ୨(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ କମ୍ପାନୀ ପ୍ରସ୍ତାବିତ ପ୍ରକଳ୍ପ ପାଇଁ କମ୍ ପରିମାଣର ଜମି ନେବା ସହ ଉପ୍ତାଦନ କ୍ଷମତା କମାଇବାକୁ ପ୍ରସ୍ତୁତ ବୋଲି ଭାରତରେ ଅବସ୍ଥାପିତ ଦକ୍ଷିଣକୋରିଆ ରାଷ୍ଟ୍ରଦୂତ କିମ୍ ଜଙ୍ଗ କୁନ୍ କହିଛନ୍ତି ।
ଖଣି ନମିଳିଲେ କମ୍ପାନୀ କାରଖାନା ପାଇଁ ଅନ୍ୟ ଦେଶରୁ କଞ୍ଚାମାଲ ସଂଗ୍ରହ କରିବ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି
ପ୍ରକଳ୍ପ ପ୍ରତିଷ୍ଠା ନେଇ ସେ ସଂପୂର୍ଣ୍ଣ ଆଶାବାଦୀ ଅଛନ୍ତି । ବର୍ତମାନ ସୁଦ୍ଧା ରାଜ୍ୟ ସରକାର ୨ ହଜାର ଏକର ଜମି ଅଧିଗ୍ରହଣ କରିଛନ୍ତି । ଆଉ ୭୦୦ ଏକ ଜମି ମିଳିବା ପରେ ପ୍ରକଳ୍ପ କାମ ଚଳିତ ବର୍ଷ ଶେଷ ଭାଗରେ ଆରମ୍ଭ ହେବ, ସେ କହିଛନ୍ତି ।
ଯେତିକି ଜମି ଉକ୍ତ ଅଞ୍ଚଳର ଲୋକଙ୍କର ନିଆଯାଇଛି ତାହାକୁ ଫେରାଇ ଦେବୁ ଏବଂ ପ୍ରକଳ୍ପ ପାଇଁ ନିକଟସ୍ଥ ଅଞ୍ଚଳର ଜମି ନିଆଯିବ । ଓଡ଼ିଶାରେ ନିଶ୍ଚୟ ପୋସ୍କୋ ପ୍ରକଳ୍ପ ପ୍ରତିଷ୍ଠା ହେବ । ଦରକାର ପଡ଼ିଲେ କାରଖାନାର ଉପ୍ତାଦାନ କ୍ଷମତା ହ୍ରାସ ପାଇପାରେ ବୋଲି ସେ କହିଛନ୍ତି ।
ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ନିକଟରେ ୧୨ ନିୟୁତ ଟନ୍ ଉପ୍ତାଦାନ କ୍ଷମତା ବିଶିଷ୍ଟ କାରାଖାନା ପ୍ରତିଷ୍ଠା ପାଇଁ ପୋସ୍କୋ ଗତ ୨୦୦୫ରେ ସରକାରଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲା । ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ବର୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ ।
ଓଡ଼ିଶା ଡ଼ଟ୍ କମ୍