ଭୁବନେଶ୍ଵର,୯ ଜୁନ(ଓଡିଶା ଡଟ୍ କମ୍) ପାଣିପାଗ ବିଭାଗ ଚଳିତ ବର୍ଷ ଦେଶରେ ସ୍ୱଳ୍ପ ବୃଷ୍ଟି ଆକଳନ କରିଥିବାରୁ ସମ୍ଭାବ୍ୟ ମରୁଡ଼ି ଆଶଙ୍କାରେ ରାଜ୍ୟ ସରକାର ଜରୁରୀ କାଳୀନ ଯୋଜନା ପ୍ରସ୍ତୁତ କରିବା ସହ କୃଷି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ରଜ ଛୁଟି ବାତିଲ କରିଛନ୍ତି ।
ସେମାନଙ୍କ ଅଞ୍ଚଳର ଅବସ୍ଥିତି ଓ ସମ୍ବଳକୁ ଆଖି ଆଗରେ ରଖି ପ୍ରତି ଜିଲ୍ଲାର କୃଷି ଉପନିର୍ଦ୍ଦେଶମାନଙ୍କୁ ସରକାର ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରି ବିଭାଗକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଠିକ ସେହି ପରି କୃଷି ନିର୍ଦ୍ଦେଶାଳୟକୁ ପ୍ରତିଦିନ ସ୍ଥିତି ସମ୍ପର୍କରେ ବିବରଣୀ ପ୍ରସ୍ତୁତ କରି ବିଭାଗୀୟ ମନ୍ତ୍ରୀଙ୍କୁ ପଠାଇବା ପାଇଁ କୁହାଯାଇଛି ।
ପ୍ରତି ଜିଲ୍ଲା କୃଷି କାର୍ଯ୍ୟଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବା ସହ ମରୁଡି ଓ ବୃଷ୍ଟିପାତ ଦ୍ଵାରା କେଉଁ ଚାଷଜମି କେତେ ପ୍ରଭାବିତ ହେଉଛି ତାର ଏକ ବିବରଣୀ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାର ଏକ ଟିମ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଟିମ ଚାଷ ଜମି ଓ ପାଣିପାଗ ଉପରେ ନିୟମିତ ଭାବରେ ନଜର ରଖିବେ।
ସେମାନେ ଚାଷୀମାନଙ୍କୁ ମରୁଡି ସମୟରେ କିପରି ଚାଷ କରାଯିବ ସେ ବିଷୟରେ ମଧ୍ୟ ପରାମର୍ଶ ଦେବା ସହ ଆବଶ୍ୟକତାନୁସାରେ ପଦକ୍ଷେପ ନେବା ପାଇଁ ସୂଚନା ଦେବେ ।
ଓଡିଶା ଡଟ୍ କମ୍