ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୧୩(ଓଡ଼ିଶା ଡ଼ଟ୍ କମ୍) କଳା ଟଙ୍କା ଓ ଭ୍ରଷ୍ଟାଚାର ବିରୋଧରେ ଯୋଗଗୁରୁ ବାବା ରାମଦେବ ଚଳାଇଥିବା ଅଭିଯାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଜଣାଇଛନ୍ତି ।
ବାବା ରାମଦେବ ବୁଧବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି କଳାଟଙ୍କା ଓ ଭ୍ରଷ୍ଟାଚାର ବିରୋଧୀ ଅଭିଯାନ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଆପଣଙ୍କ କଳାଧନ ଓ ଭ୍ରଷ୍ଟାଚାର ବିରୋଧୀ ଅଭିଯାନକୁ ଆମେ ସମର୍ଥନ କରିବୁ । କିନ୍ତୁ ଏହି ଅଭିଯାନ ଶାନ୍ତିପୂର୍ଣ୍ଣ ଏବଂ ଗାନ୍ଧୀବାଦୀ ଉପାୟରେ ହେବା ଦରକାର ବୋଲି ନବୀନ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୁଦ୍ଧରେ ନେଇଥିବା ବିଭିନ୍ନ ପଦକ୍ଷେପକୁ ରାମ ଦେବ ପ୍ରଶଂସା କରିବା ସହ ସେ ଆରମ୍ଭ କରିଥିବା ଅଭିଯାନକୁ ସମର୍ଥନ ପାଇଁ ପ୍ରତିଶ୍ରୁତି ଚାହିଁଥିଲେ ।
ଦେଶରେ ଓଡ଼ିଶା ଏକ ମାତ୍ର ରାଜ୍ୟ ଯେଉଁଠି ଦୁର୍ନୀତି ମାମଲା ଗୁଡ଼ିକର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ଗଠନ କରାଯାଇଛି । ଏବଂ ଅନ୍ୟ ରାଜ୍ୟମାନେ ଏବେ ଯେଉଁ ପଦକ୍ଷେପ ନେଉଛନ୍ତି, ତାହାକୁ ବହୁ ଆଗରୁ ଓଡ଼ିଶା ସରକାର ନେଇସାରିଛନ୍ତି ବୋଲି ରାମଦେବ ଗଣମାଧ୍ୟମକୁ କହିଛନ୍ତି ।
ଅଗଷ୍ଟ ୯ରେ ଦିଲ୍ଲୀରେ କଳାଧନ ଓ ଭ୍ରଷ୍ଟାଚାର ବିରୋଧୀ ର୍ୟାଲି କରାଯିବ । କେନ୍ଦ୍ର ସରକାର କଳାଧନ
ବିଦେଶରୁ ନଫେରାଇବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି ା
କଳା ଟଙ୍କା ଏବଂ ଭ୍ରଷ୍ଟାଚାର ବିରୋଧୀ ଅଭିଯାନକୁ ସମର୍ଥନ ଦେବା ପାଇଁ ବାବା ରାମଦେବ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତାଙ୍କୁ ସାକ୍ଷାତ କରି ଆଲୋଚନା କରୁଛନ୍ତି । ଗତକାଲି ସେ ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବଙ୍କୁ ଭେଟି ତାଙ୍କର ସମର୍ଥନ ଲୋଡ଼ିଥିଲେ ।
ଓଡ଼ିଶା ଡ଼ଟ୍ କମ୍