Site icon Odisha.com

ଡ଼େରାପଥରବାସୀଙ୍କ ପାଇଁ ମୋର ଚିନ୍ତା:ମାଓବାଦୀଙ୍କ କବଳରୁ ଫେରିଥିବା ଶିକ୍ଷକ

ଓଡ଼ିଶା ଡଟ୍ କମ:ଶାନ୍ତନୁ ବିଶ୍ୱାଳ

ବରଗଡ଼,ଫେବୃୟାରୀ ୫ (ଓଡ଼ିଶା ଡ଼ଟ କମ)””ମାଓବାଦୀଙ୍କ ପାଇଁ ନୁହେଁ ଏବେ ମୋର ଚିନ୍ତା ଡ଼େରାପଥର ଗ୍ରାମବାସୀଙ୍କ ପାଇଁ ” କୁହନ୍ତି ବୁଧବାର ଦିନ ମାଓବାଦୀଙ୍କ ଦ୍ୱାରା ଅପହୃତ ହୋଇ ଆଠ ଘଣ୍ଟା ପରେ ଫେରି ଆସିଥିବା ଓଡ଼ିଶାର ଏକ ଶିକ୍ଷକ ଜୟ ଚନ୍ଦ୍ର ଧଳ ।

ଅପହରଣ ପରେ ମୋର ପରିବାରର ଲୋକମାନେ ମାଓବାଦୀଙ୍କ ଭୟରେ ମୁଁ ଶିକ୍ଷକତା କରୁଥିବା ସମ୍ବଲପୁର ଜିଲ୍ଲାର ଡ଼େରାପଥର ଇଜିଏସ ସ୍କୁଲକୁ ଆଉ ନଯାଇ ଚାକିରି ଛାଡ଼ି ଦେବାକୁ କହୁଛନ୍ତି । ମାତ୍ର ଉକ୍ତ ସ୍କୁଲ ଓ ଗ୍ରାମ ପାଇଁ ମୋର ପ୍ରଚେଷ୍ଟା ଅଧାପନ୍ତରିଆ ଥିବାରୁ ମୁଁ ଚିନ୍ତିତ ବୋଲି ଧଳ ଓଡ଼ିଶା ଡ଼ଟ କମକୁ ଶୁକ୍ରବାର ଦିନ କହିଛନ୍ତି ।

ବାପ,ମା,ସ୍ତ୍ରୀ ଓ ଗୋଟିଏ ଝିଅକୁ ନେଇ ଧଳଙ୍କ ପରିବାର ।

ମୁଁ ଯେଉଁଠି ରୁହେଁ ସେ ଗାଁର ନାଁ ହେଲା କେରଦା ପାଲି । ସେଠାରୁ ସ୍କୁଲର ଦୂରତା ହେଲା ୧୨କିଲୋମିଟର, ଧଳ କହନ୍ତି । ପ୍ରତିଦିନ ସାଇକେଲ ଯୋଗେ ଆବଡ଼ା ଖାବଡ଼ା ରାସ୍ତା ଦେଇ ମୁଁ ସ୍କୁଲକୁ ଯାଇଥାଏ । ଉକ୍ତ ସ୍କୁଲରେ ଡ଼େରାପଥର ସହ ଆଖପାଖ ତିନୋଟି ଗ୍ରାମର ପ୍ରାୟ ଚାଳିଶ ଜଣ ପିଲା ପଢନ୍ତି ।

“”ଏହି ସ୍କୁଲ ଖୋଲିବା ଠାରୁ ଆରମ୍ଭ କରି ତାହାର ଉନ୍ନତି ଦିଗରେ ମୋର ଉଦ୍ୟମ ରହି ଆସିଛି । ତାହାକୁ ଏକ ଆଦର୍ଶ ସ୍କୁଲରେ ପରିଣତ କରିବା ମୋର ଲକ୍ଷ୍ୟ ରହିଛି”  ବୋଲି ଧଳ କହନ୍ତି ।

“”ଡ଼େରାପଥର ଗ୍ରାମରେ ମୁଁ କେବଳ ଶିକ୍ଷକତା କରେ ନାହିଁ ୧୬ଟି ପରିବାର ବିଶିଷ୍ଟ ଉକ୍ତ ଗ୍ରାମର ଲୋକଙ୍କ ଅଭାବ,ଅସୁବିଧା ସହ ସରକାରୀ ସ୍ତରରେ ମିଳୁଥିବା ସୁବିଧା ସୁଯୋଗ କରାଇ ଦେଇଥାଏ । ଯାହା ଫଳରେ କି ମୋତେ ଅନେକ ସମୟରେ ଜିଲ୍ଲା ପ୍ରଶାସନର ବିରୋଧି ହେବାକୁ ପଡ଼ିଥାଏ ।”ଧଳ କହିଛନ୍ତି ।

ଯାହାକି ମୋତେ ମାଓବାଦୀଙ୍କ କବଳରୁ ମୁକ୍ତ କରାଇବାରେ କିଛିଟା ସହାୟତା କରିଛି ।

“”ମାଓବାଦୀମାନେ ମୋତେ ଛାଡ଼ିବା ପୂର୍ବରୁ ମୋ ସଂପର୍କରେ ଖୋଳତାଡ଼ କରି କହୁଥିଲେ ଯେ,ବନ୍ଧୁକରେ ଆମେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ବେଳେ ଏହି ଶିକ୍ଷକ କାଗଜ କଲମରେ ଓ ଲୋକମାନଙ୍କୁ ନେଇ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରୁଛି । ଏ ପୋଲିସର ସୂଚନା ଦାତା ନୁହେଁ ” ।

ମାଓବାଦୀମାନେ ମୋ ଆଖିରେ ପଟି ବାନ୍ଧି ଡ଼େରାପଥର ସ୍କୁଲ ନିକଟରୁ ପ୍ରାୟ ୨୨କିଲୋମିଟର ବାଟ ଚଲାଇ ଚଲାଇ ନେଇ ତାର ଆଠ ଘଣ୍ଟା ପରେ ପୁଣି ସେହି ଠାରେ ଆଣି ଛାଡ଼ି ଦେଇଥିଲେ ।

“”ଅପହରଣ କରି ନେବା ବାଟରେ ମୋ ସହିତ ସେମାନେ ସାଙ୍ଗ ଭଳି ବ୍ୟବହାର କରିଥିଲେ । ମୋ ଗୋଡ଼ରୁ ଜୋତା ବାହାରି ଯାଉଥିଲେ ମଧ୍ୟ ପିନ୍ଧାଇ ଦେଉଥିଲେ ଏବଂ ଫେରିବା ବାଟରେ ଶୀତ ପଡ଼ିଥିବାରୁ ମୋ ଦେହରେ ଶାଲ ଘୋଡ଼ାଇ ଦେଇଥିଲେ,”” ଧଳ କହନ୍ତି ।

ତାଙ୍କ ଆଡ୍ଡାରେ ସେମାନେ ମୋତେ ଜେରା ବେଳେ ମୋର ଆଖି ପତା ଓ ଛାତିରେ ବନ୍ଧୁକ ବଟରେ ସାମାନ୍ୟ ଆଘାତ କରିଥିଲେ ।”ବୋଲି ଧଳ କହନ୍ତି ।

“”ଅପହରଣ କରି ନେଇଥିବା ପ୍ରାୟ ୧୨ ରୁ ୧୫ଜଣ ମାଓବାଦୀଙ୍କ ମଧ୍ୟରେ ଜଣେ ବସ୍ ଥିଲା । ସେ ହିନ୍ଦି ଭାଷା ବ୍ୟବହାର କରୁଥିବାବେଳେ ଅନ୍ୟମାନେ ସ୍ଥାନୀୟ କନ୍ଧ ଭାଷା ବ୍ୟବହାର କରୁଥିଲେ ।”” ଧଳ କହିଛନ୍ତି ।

ଦିନ ପ୍ରାୟ ୧୧ଟା ସମୟରେ ମୋତେ ସେମାନେ ନେବା ବାଟରେ ସମ୍ନାସାମ୍ନୀ ହୋଇଥିବା କେତେକ ମହିଳାଙ୍କୁ କିଛି କାହାକୁ ନକହିବା ଓ ତାଙ୍କୁ ଆମେ ଭଲରେ ଛାଡ଼ି ଦେବୁ ମାଓବାଦୀମାନେ କହିଥିବାର ଶୁଣିବାକୁ ପାଇଥିଲି , ବୋଲି ଧଳ କହନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version