Site icon Odisha.com

କୃଷି ସମସ୍ୟା ର ସମାଧାନ କରିପାରିବ ଓଡ଼ିଶାର ବିକାଶ

ନୂଆଦିଲ୍ଲୀ,୧୩ ଫେବୁଆରୀ (ଓଡ଼ିଶା ଡ଼ଟ୍ କମ୍) ନୂଆଦିଲ୍ଲୀ ଠାରେ ସମ୍ମାନଜନକ ରାଷ୍ଟ୍ରୀୟ ଇଂରାଜୀ କୃଷି ପତ୍ରିକା ଏଗ୍ରିୱାଚ ର ସହକାରୀ ସଂପାଦକ ଭାବେ କାର୍ଯ୍ୟ କରୁଥିବା ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ପ୍ରକାଶ ଚନ୍ଦ୍ର ବେହେରା

କୃଷିକୁ ସାମ୍ବାଦିକତାର ଏକ ବିଷୟ ବସ୍ତୁ ଭାବେ ଗ୍ରହଣ କରି ଭାରତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବ୍ୟକ୍ତିତ୍ୱ ର ଅଧିକାରୀ ହେଉଛନ୍ତି ପ୍ରକାଶ ଚନ୍ଦ୍ର ବେହେରା ।

ଗ୍ରାମ ଖୋର୍ଦ୍ଧା ଜିଲ୍ଲାର ବାଣପୁର ନିକଟସ୍ଥ ଚମ୍ପାଦେଇପୁର । ସ୍କୁଲ ଶିକ୍ଷା ବ୍ରହ୍ମପୁରରେ । ଉତ୍ତରପ୍ରଦେଶର ଆହ୍ଲାବାଦ ଏଗ୍ରିକଲଚରାଲ ଇନଷ୍ଟିଚ୍ୟୁଟରୁ ଇଣ୍ଟରମିଡ଼ିଏଟ ଓ ତାପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ କୃଷିରେ ସ୍ନାତକ ।

ହାଇଦ୍ରାବାଦର ନେସନାଲ ଇନଷ୍ଟିଚ୍ୟୁଟ ଫର ଏଗ୍ରିକଲଚରାଲ ଏକ୍ସଟେନସନ ମ୍ୟାନେଜମେଣ୍ଟ(ମେନେଜ) ରୁ କୃଷି ସାମ୍ବାଦିକତା ଓ ମାସ କମ୍ୟୁନିକେଶନ ରେ ଉଚ୍ଚତର ଶିକ୍ଷା ।

ଦେଶର ବିଶ୍ୱବିଦ୍ୟାଳୟ ର ଛାତ୍ର ଥିବା ବେଳେ ତାଙ୍କର କେତେକ ଲେଖା ଜାତୀୟ ଓ ଆନ୍ତର୍ଜାତିକ ସମ୍ମିଳନୀ ପାଇଁ ଗ୍ରହଣ ହୋଇଥିବା ବେହେରା କହନ୍ତି “କୃଷି ସମସ୍ୟା ର ସମାଧାନ ହିଁ କରିପାରିବ ଓଡ଼ିଶାର ବିକାଶ ’’ ।

“ଗଣ ମାଧ୍ୟମରେ ସବୁବେଳେ ଖଣି ହେଉ ବା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ହେଉ ସେ ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା ହେଉଥିବା ଯେତେବେଳେ ମୁ ଦେଖେ ବହୁତ ଦୁଃଖ ଅନୁଭବ କରେ । କଣ ଓଡ଼ିଶାର ବିକାଶ କେବଳ ଏହା ଦ୍ୱାରା ହୋଇପାରିବ’’ ?

ଯଦି ରାଜ୍ୟର ବିକାଶ ଆବଶ୍ୟକ ସବୁ କ୍ଷେତ୍ରକୁ ଦେଖିବାକୁ ହେବ । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିଲେ ମଧ୍ୟ ତାହା କାହିଁକି ବୁଦ୍ଧିଜୀବୀ ମହଲରେ ଆଲୋଚିତ ହେଉନାହିଁ ? ସେ ପଚାରନ୍ତି ।

ଛାତ୍ର ଥିବାବେଳେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ମଞ୍ଚରେ ନିଜର ମତ ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇଥିବା ବେହେରା ବାରଟି କୃଷି ସଂକ୍ରାନ୍ତିୟ ଡ଼କୁମେଣ୍ଟାରୀ ଫିଲ୍ମ ଏବଂ ବିଭିନ୍ନ ଭାଷାରେ ପ୍ରାୟ ପଚାଶ ଟି ରେଡ଼ିଓ କାର୍ଯ୍ୟକ୍ରମ କରିଛନ୍ତି ।

ଦେଶର ପ୍ରତିଷ୍ଠିତ ଜି-ନ୍ୟୁଜ ଚ୍ୟାନେଲ ତଥା ବିଜିନେସ ଷ୍ଟାର ରେ ତାଙ୍କୁ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲେ ସୁଦ୍ଧା ତାହା ବେଶି ସମୟ ଆକୃଷ୍ଟ କରି ରଖି ପାରିନାହିଁ ।

“ମୁଁ ଏକ କୃଷକ ପରିବାର ରୁ ଆସିଛି । ମୋର ପରିବାରର ଲୋକ ମାନଙ୍କର କୃଷି ପ୍ରତି ସମର୍ପଣ ମତେ ଏକ ବହୁତ ବଡ଼ କୃଷକ ଭାବେ ନିଜକୁ ଗଢି ତୋଳିବାର ସ୍ୱପ୍ନ ପ୍ରଦାନ କରିଛି’’ ବେହେରା ଓଡ଼ିଶା ଡ଼ଟ୍ କମ୍ କୁ ଏକ ସାକ୍ଷାତକାର ରେ କହିଛନ୍ତି ।

ଜଣେ ଛାତ୍ର ଓଡ଼ିଶାରେ କିମ୍ବା ଓଡ଼ିଶା ବାହାରେ ସେ ଯେଉଁଠି ଶିକ୍ଷାଲାଭ କରୁ ବା ରହୁ ତାହା ବହୁତ ବଡ଼ ମହତ୍ୱ ରଖେନାହିଁ ।

ଯାହାର ଆବଶ୍ୟକ ହେଉଛି ତାହା ହେଲା ରାଜ୍ୟର ବିକାଶ ପାଇଁ କିଛି କରିବାର ମନୋବୃତ୍ତି ।

ଏହା ବ୍ୟତୀତ ଦରକାର ରାଜ୍ୟରେ ଅଥବା ରାଜ୍ୟ ବାହାରେ ରହୁଥିବା ସବୁ ଓଡ଼ିଆ ଲୋକଙ୍କର ରାଜ୍ୟର ବିକାଶରେ ଭାଗିଦାରୀ ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା ବିକାଶରେ ମୁଖ୍ୟ ପ୍ରତିବନ୍ଧକ ତାହା ହେଲା ରାଜ୍ୟର ଛବିକୁ ବାହାରେ ନାସ୍ତି ସୂଚକ ଭାବେ ଉପସ୍ଥାପନ କରିବା ।

ଆମେ ସବୁବେଳେ ରାଜ୍ୟ ବାହାରେ ଓଡ଼ିଶାର ପରିଚୟ କହିଲେ କଳାହାଣ୍ଡିର ଦାରିଦ୍ର୍ୟତା କୁ ନେଇ ଆଲୋଚନା ହେବା ଦେଖିଥାଉ ।

ସୂଚନା ହେଉଛି ଏକମାତ୍ର ଅସ୍ତ୍ର ଯାହା ଏକ ରାଜ୍ୟର ବିକାଶ କରିଥାଏ ଅଥବା ଧ୍ୱଂସ କରିଥାଏ । ସମ୍ବାଦପତ୍ର ମାନଙ୍କର ଭୂମିକା ଏ ଦିଗରେ ମହତ୍ୱପୂର୍ଣ୍ଣ, ସେ କହିଛନ୍ତି ।

ଆମ ଗଣ ମାଧ୍ୟମ ଆହୁରି ଅଧିକ ସକାରାତ୍ମକ ଭୂମିକା ଗ୍ରହଣ କରିବାର ଆବଶ୍ୟକତା ଅଛି । ଓଡ଼ିଶାର ସମସ୍ତ କ୍ଷେତ୍ରର ନିରପେକ୍ଷ ସୂଚନା ଲୋକଲୋଚନକୁ ଆସିବା ଦରକାର ।

କୃଷି ସୂଚନା ଉପରେ କାର୍ଯ୍ୟ କରୁଥିବା ହେତୁ ମୁ ଯାହା ଅନୁଭବ କରିଛି ମୁ ଦେଖିଛି ଯେ ରାଜ୍ୟର କୃଷି ସୂଚନା କ୍ଷେତ୍ର ଖୁବ୍ ଦୁର୍ବଳ । କୃଷକ ମାନେ ଯେଉଁ ସବୁ ସୂଚନା ପାଇବା ଦରକାର ତାହା ପାଉ ନାହାନ୍ତି , ସେ କହିଛନ୍ତି ।

ଆପଣ ଭାରତର ଅଳ୍ପ କେତେଜଣ କୃଷି ସାମ୍ବାଦିକ ମାନଙ୍କ ମଧ୍ୟରୁ ଜଣେ । ଆପଣ ନିଜ ତରଫରୁ ଆପଣଙ୍କର ଅଭିଜ୍ଞତାର ଉପଯୋଗ କରି ରାଜ୍ୟର ବିକାଶ ପାଇଁ କଣ ଯୋଗଦାନ ଦେଇଛନ୍ତି ?

“ଆଗାମୀ ତିନି ଚାରି ମାସ ମଧ୍ୟରେ ରାଜ୍ୟରେ ସରକାର ଓ ବେସରକାରୀ କ୍ଷେତ୍ର ସହଯୋଗରେ ହେବାକୁଥିବା ଏକ ପ୍ରକଳ୍ପ ପାଇଁ ମୁ କାମ କରୁଛି ।

ଏହା ହେଲେ କୃଷିଜୀବୀ, ଏହି କ୍ଷେତ୍ରରେ କାମ କରୁଥିବା ବ୍ୟବସାୟୀ ତଥା ସରକାରୀ ଅଧିକାରୀ ମାନେ ଅନେକ ଗୁଡ଼ିଏ କୃଷି ସମ୍ବନ୍ଧିୟ ସୂଚନା ପାଇବାରେ ସକ୍ଷମ ହେବେ ’’ ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version