Site icon Odisha.com

ଭାରତୀୟ ଅର୍ଥସେବା ପରୀକ୍ଷା ଷଷ୍ଟ ସ୍ଥାନରେ ପ୍ରଜ୍ଞାସ୍ମିତା

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ସେପ୍ଟେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ଆତ୍ମ ବିଶ୍ୱାସ ଓ କଠିନ ପରିଶ୍ରମ ଯୋଗୁଁ ଭାରତୀୟ ଅର୍ଥ ସେବା ପରୀକ୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଜ୍ଞାସ୍ମିତା ସାହୁ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି ।ଜିଲ୍ଲା ସବ୍ ରେଜିଷ୍ଟ୍ରି କାର୍ଯ୍ୟାଳରେ କିରାଣୀ ଭାବେ କାର୍ଯ୍ୟ କରୁଥିବା କପଳେଶ୍ୱରପୁରର ନାରାୟଣ ସାହୁଙ୍କ ଝିଅ ପ୍ରଜ୍ଞାସ୍ମିତା ।

ସେ ପ୍ରଥମେ କେନ୍ଦ୍ରାପଡ଼ା ସହରରେ ଥିବା ଫ୍ରେଜର ବାଳିକା ବିଦ୍ୟାଳୟ ଓ ପରେ ସେଠାରେ ଥିବା କଲେଜରେ ପାଠ ପଢିଥିଲେ । ଉକ୍ତ କଲେଜରୁ ବିଏ ପାସ୍ କରିବା ପରେ ସେ ୨୦୦୪ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ଏମ୍ଏ ପାସ୍ କରି ପ୍ରଥମ ସ୍ଥାନ ହାସଲ କରିଥିଲେ । ୨୦୦୯ରେ ସେ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଚାକିରୀ ପାଇଥିଲେ ।

“ମୁଁ ଜଣେ କିରାଣୀ ଭାବେ କାର୍ଯ୍ୟ କରେ କିନ୍ତୁ ପ୍ରଜ୍ଞାସ୍ମିତା ସମେତ ଚାରି ଜଣ ପିଲାଙ୍କ ପାଠ ପଢାରେ କେବେ ମଧ୍ୟ ଅବହେଳା କରିନାହିଁ” ।

ମାତ୍ର ୨୬ ବର୍ଷ ବୟସରେ ସେ ଏହି ସଫଳତା ପାଇଛି । ବୁଦ୍ଧି ବଳରେ ସେ ଏହି ସଫଳତା ହାସଲ କରିଥିବା ବେଳେ ଇଂରାଜି ମାଧ୍ୟମ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ଦେଇଛି, ଫ୍ରେଜର ସ୍କୁଲ ଶିକ୍ଷୟତ୍ରୀ ସବିତା ପତି କହିଛନ୍ତି ।

ସେ ତା’ର କଠିନ ପରିଶ୍ରମର ଫଳ ପାଇଛି । ଆଜିକାଲି ସଫଳତା ପାଇବା ପାଇଁ ଛାତ୍ରଛାତ୍ରୀମାନେ ବିଭିନ୍ନ କୋଚିଙ୍ଗ କ୍ଲାସର ସହାୟତା ନେଉଥିବା ବେଳେ ସେ କୌଣସି କୋଚିଙ୍ଗ କ୍ଲାସରେ ଯୋଗ ଦେଇନାହିଁ, ନାରାୟଣ କହିଛନ୍ତି ।

ସେ ପ୍ରତ୍ୟେକ ଦିନ ଛଅରୁ ସାତ ଘଣ୍ଟା ପରିଶ୍ରମ କରୁଥିଲା । ଗତକାଲି ରାତିରେ ଫୋନ କରି ଏବିଷୟରେ ମୋତେ ଜଣାଇଥିଲା, ପ୍ରଜ୍ଞାସ୍ମିତାଙ୍କ ମା ଶାନ୍ତିଲତା କହିଛନ୍ତି । ପ୍ରଜ୍ଞାସ୍ମିତାଙ୍କ ସଫଳତା ଖବର ପହଞ୍ଚିବା ପରେ ସମଗ୍ର ଗାଁ ତଥା ଆଖପାଖ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି ।

ତାଙ୍କ ସଫଳତାରେ ଶୁକ୍ରବାର ଗ୍ରାମବାସୀମାନେ ଖୁସି ମନାଇଛନ୍ତି । କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ମୁଖ୍ୟ ପରୀକ୍ଷା ପାଇଁ ବର୍ତ୍ତମାନ ମୁଁ ବ୍ୟସ୍ତ ଅଛି । ପରବର୍ତ୍ତୀ ସମୟରେ ଆଇଏଏସ୍ ପାଇଁ ଲକ୍ଷ୍ୟ ରଖିଛି ବୋଲି ଭୁବନେଶ୍ୱରରେ ପିଏଚଡ଼ି କରୁଥିବା ପ୍ରଜ୍ଞାସ୍ମିତା କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version