Site icon Odisha.com

ପୋଲାଭରମ: ରହିତାଦେଶ ପାଇଁ ସରକାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ସେପ୍ଟେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ପୋଲାଭରମ ପ୍ରକଳ୍ପକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦେଇଥିବା ଚୁଡ଼ାନ୍ତ ଜଙ୍ଗଲ ଜମି ମଞ୍ଜୁରୀ ଉପରେ ରହିତାଦେଶ ପାଇଁ ଶନିବାର ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଅପିଲ କରିଛନ୍ତି ।

ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମତାମତ ନନେଇ କେନ୍ଦ୍ରୀୟ ଜଳ ଆୟୋଗ କେମିତି ପରିବର୍ଦ୍ଧିତ ଡ଼ିଜାଇନ ଦେଲେ ବୋଲି ଦାଖଲ କରାଯାଇଥିବା ପିଟିସନରେ ଉଲ୍ଲେଖ କରାଯାଇଛି ।

ସୁପ୍ରିମକୋର୍ଟରେ ମାମଲାର ଶୁଣାଣୀ ଚାଲିଥିବା ବେଳେ କିଭଳି ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଚୁଡ଼ାନ୍ତ ମଞ୍ଜୁରୀ ପ୍ରଦାନ କଲେ ବୋଲି କୁହାଯାଇଛି । ଗତ ଜୁଲାଇ ୨୮ରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଏହି ପ୍ରକଳ୍ପ ପାଇଁ ଚୁଡ଼ାନ୍ତ ଜଙ୍ଗଲ ଜମି ଅନୁମତି ଦେଇଥିଲେ ।

ଅଗଷ୍ଟ ୨୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହ ଏସଂପର୍କରେ ଆଲୋଚନା କରି ଆନ୍ଧ୍ର ସରକାରଙ୍କ ପ୍ରସ୍ତାବିତ ପ୍ରକଳ୍ପ ଦ୍ୱାରା ଓଡ଼ିଶା କିଭଳି କ୍ଷତିଗ୍ରସ୍ତ ହେବ ତାହା ଅବଗତ କରାଇଥିଲେ ।

ଆନ୍ଧ୍ର ସରକାରଙ୍କୁ ପ୍ରକଳ୍ପ ପାଇଁ ଯେଉଁ ଚୂଡ଼ାନ୍ତ ପରିବେଶ ମଞ୍ଜୁରୀ ଦିଆଯାଇଛି ତାହା ଉପରେ ବିଚାର କରାଯିବ ବୋଲି ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରତିଶୃତି ଦେଇଥିଲେ ।

ତେବେ ଗତ ୨୭ରେ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରତିଶୃତି ଦେବାପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

୨୦୦୮ରେ ମନ୍ତ୍ରାଳୟ ପ୍ରକଳ୍ପକୁ ମଧ୍ୟବର୍ତ୍ତୀକାଳିନ ମଞ୍ଜୁରୀ ପ୍ରାନ କରିବା ପରେ ସରକାର ପ୍ରଥମେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ।

ଗୋଦାବରୀ ନଦୀରେ ହେଉଥିବା ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମାଲକାନଗିରି ଜିଲ୍ଲାର ବହୁ ଜମି ଜଳମଗ୍ନ ହେବା ସହ ପ୍ରାୟ ୬୦୦୦ ଆଦିବାସୀ ବାସଚ୍ୟୁତ ହେବାର ଆଶଂକା ରହଛି ।

ଓଡିଶା ଡଟ୍ କମ୍

Exit mobile version