Site icon Odisha.com

ଇଚ୍ଛାମୃତ୍ୟୁ ପାଇଁ ମହିଳାଙ୍କ ରାଷ୍ଟ୍ରପତିଙ୍କୁ ପତ୍ର

ଓଡ଼ିଶା ଡ଼ଟ୍ କମ୍ : ନରେଶ ପଟ୍ଟନାୟକ

କେନ୍ଦୁଝର, ସେପ୍ଟେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ଦାରିଦ୍ର୍ୟର ତାଡ଼ନା ସହିନପାରି କେନ୍ଦୁଝର ଜିଲ୍ଲାର ଜଣେ ମହିଳା ଇଚ୍ଛା ମୃତ୍ୟୁ ପାଇଁ ଭାରତର ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ନିକଟକୁ ପତ୍ର ଲେଖିଛନ୍ତି ।

ତିନୋଟି ମାନସିକ ରୋଗଗ୍ରସ୍ତ ପିଲାଙ୍କୁ ଦୁଇ ଓଳି ଖାଇବାକୁ ଦେଇ ଚଳିବା ଭାରି କଷ୍ଟ ହୋଇପଡ଼ିଛି ଦୁଇ ବର୍ଷ ତଳେ ସ୍ୱାମୀଙ୍କୁ ହରାଇଥିବା ଅର୍ଶଳା ଗ୍ରାମର ତନଭୀର କୌଶରଙ୍କ ପକ୍ଷରେ ।

ମୋ ପାଖରେ ଟଙ୍କାଟିଏ ବି ନାହିଁ ଓ ମୁଁ ଛୁଆ ମାନଙ୍କ କଷ୍ଟ ଦେଖିପାରିବି ନାହିଁ ତେଣୁ ମରି ଯିବାକୁ ଚାହୁଁଛି, ଆତ୍ମହତ୍ୟା କରିବା ପାଇଁ ମୋତେ ଅନୁମତି ଦିଅନ୍ତୁ ବୋଲି ସେ ରାଷ୍ଟ୍ରପତିଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ।

ଗତ ବୁଧବାର ସେ ଏହି ପତ୍ର ଡ଼ାକ ମାଧ୍ୟମରେ ପଠାଇଥିବା କହିଛନ୍ତି ।ସଂପୃକ୍ତ ମହିଳା ଜଣକ ଦିନ ମଜୁରୀଆ ଭାବେ କାମ କରନ୍ତି । ତାଙ୍କର ଦୁଇ ଝିଅ ଓ ପୁଅ ଅଛନ୍ତି ।

ଏମାନଙ୍କ ମଧ୍ୟରୁ ଜଣେ ପୋଲିଓ ରୋଗରେ ଆକ୍ରାନ୍ତ । ଯେତେବେଳେ ସେ କାମ କରିବାକୁ ବାହାରକୁ ଯାଆନ୍ତି ପିଲା ମାନଙ୍କୁ ଉଡ଼ି ସାହାଯ୍ୟରେ ଖଟରେ ବାନ୍ଧି ଦିଅନ୍ତ ବୋଲି ସେ କହିଛନ୍ତି । ତନଭୀରଙ୍କ ନିଜ ଘର ନଥିବା ବେଳେ ସଂପର୍କୀୟଙ୍କ ଏକ ଅର୍ଦ୍ଧ ନିର୍ମିତ ଘରେ ପିଲା ମାନଙ୍କ ସହ ସେ ରହୁଛନ୍ତି ।

କାମ କରି ଯାହା ରୋଜଗାର କରନ୍ତି ସେସବୁ ପିଲା ମାନଙ୍କ ଚିକିତ୍ସାରେ ଖର୍ଚ୍ଚ କରିଦିଅନ୍ତି, ସେ କହିଛନ୍ତି । ସେ ଦାରିଦ୍ର୍ୟ ସୀମାରେଖା ତଳେ ଥିବାରୁ ସରକାରୀ ଭାବେ ତାଙ୍କୁ ବିପିଏଲ୍ କାର୍ଡ଼ ମିଳିଛି । ଏହି କାର୍ଡ଼ ଜରିଆରେ ତାଙ୍କୁ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ମିଳିବା କଥା କିନ୍ତୁ ଏଥିରୁ ସେ ବଞ୍ଚିତ ହୋଇଛନ୍ତି ।

ଏହାଦ୍ୱାରା ଏପର୍ଯ୍ୟନ୍ତ କୌଣସି ସୁବିଧା ପାଇନଥିବା ସେ ଅଭିଯୋଗ କରିଛନ୍ତି ।ସ୍ଥାନୀୟ ବିଡ଼ିଓ ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ଘଟଣା ସଂପର୍କରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଭାଗବତ ପ୍ରସାଦ ମାଝୀ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version