Site icon Odisha.com

ପ୍ଲାଷ୍ଟିକ ପ୍ରକ୍ରିୟାକରଣ ଜ୍ଞାନକୌଶଳ ସଂସ୍ଥାର କାର୍ଯ୍ୟାରମ୍ଭ

ବାଲେଶ୍ୱର, ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ବାମପଦା ଠାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ସ୍ଥାପନ କରାଯାଇଥିବା ବିକଶିତ ପ୍ଲାଷ୍ଟିକ୍ ପ୍ରକ୍ରିୟାକରଣ ଜ୍ଞାନକୌଶଳ ସଂସ୍ଥାର କାର୍ଯ୍ୟାରମ୍ଭ ହୋଇଛି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍ ପ୍ଲାଷ୍ଟିକ ଇଂଜିନିୟରି ଆଣ୍ଡ ଟେକ୍ନୋଲୋଜି(ସିପେଟ୍) ଦ୍ୱାରା ସ୍ଥାପିତ ହୋଇଥିବା ଆଡ଼ଭାନ୍ସ ପ୍ଲାଷ୍ଟିକ ପ୍ରୋସେସିଂ ଟେକ୍ନୋଲୋଜି ସେଣ୍ଟର(ଏପିପିଟିସି)ର ରବିବାର ଏକ ଅସ୍ଥାୟୀ ଭଡ଼ା ଘରେ ଏହି କାର୍ଯ୍ୟାଳୟ ଆରମ୍ଭ ହୋଇଛି ।

ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏହି କେନ୍ଦ୍ରର ଶିଳାନ୍ୟାସ କରିଥିଲେ ।

ପ୍ରାୟ ଆଠ ଏକର ଜମିରେ ୧୫ କୋଟି ଟଙ୍କା ବ୍ୟୟରେ ଏହି କେନ୍ଦ୍ର ନିର୍ମାଣ ହେବ । ଏଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସମାନ ଭାବେ ଖର୍ଚ୍ଚ ବହନ କରିବେ ।

ଦୈନନ୍ଦିନ ଜୀବନ ତଥା ବିଭିନ୍ନ କ୍ଷେତ୍ରରେ ପ୍ଲାଷ୍ଟିକର ବ୍ୟବହାର ଓ ଚାହିଦା ବୃଦ୍ଧି ପାଉଛି । ଏହି ଦୃଷ୍ଟି କୋଣରୁ ପ୍ଲାଷ୍ଟିକ ପ୍ରକ୍ରିୟାକରଣର ଗୁରୁତ୍ୱ ରହିଛି । ଏହା କାର୍ଯ୍ୟକାରୀ ହେଲେ ପ୍ଲାଷ୍ଟିକ ଶିଳ୍ପାନୁଷ୍ଠାନ ଗୁଡ଼ିକରେ ମାନବସମ୍ବଳର ଚାହିଦା ମେଣ୍ଟାଇପାରିବ ବୋଲି ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସିଆଇଆଇ ସର୍ଭେ ଅନୁସାରେ ୨୦୧୫ ସୁଦ୍ଧା ବିଭିନ୍ନ ଶିଳ୍ପ କ୍ଷେତ୍ରରେ ଲକ୍ଷାଧିକ ତାଲିମପ୍ରାପ୍ତ ଯୁବକ ଯୁବତୀଙ୍କ ନିଯୁକ୍ତି ସମ୍ଭାବନା ରହିଛି, ସେ କହିଛନ୍ତି ।

ଭାରତରେ ହେବାକୁ ଥିବା ଦୁଇଟି ପ୍ଲାଷ୍ଟିକ ପାର୍କ ମଧ୍ୟରୁ ବାଲେଶ୍ୱରରେ ଗୋଟିଏ ହେବାର ସମସ୍ତ ସୁବିଧା ରହିଛି । ଏଠାରେ ଏକ ସଫ୍ଟୱୟାର ଟେକ୍ନୋଲୋଜି ପାର୍କ ଓ ମୃତ୍ତିକା ପରୀକ୍ଷାଗାର ଖୁବଶୀଘ୍ର ପ୍ରତିଷ୍ଠା ହେବ, ଜେନା କହିଛନ୍ତି ।

ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଶିଳ୍ପମନ୍ତ୍ରୀ ରଘୁନାଥ ମହାନ୍ତି, ସାର ଓ ରସାୟନ ମନ୍ତ୍ରାଳୟ ସଚିବ ଏମ୍ ରମଣ ଏଥିରେ ଯୋଗ ଦେଇଥିଲେ ।

ଓଡିଶା ଡଟ୍ କମ୍

Exit mobile version