Site icon Odisha.com

ବିକାଶଠୁ ବହୁ ଦୂରରେ ଅନୁଗୁଳର ପୱାଲା ଗ୍ରାମ

ଅନୁଗୁଳ, ଜୁନ୍ ୨୯(ଓଡ଼ିଶା ଡ଼ଟ୍ କମ୍) ଗ୍ରାମାଞ୍ଚଳର ବିକାଶରେ ଦେଶର ବିକାଶ ବୋଲି ସବୁବେଳେ ଉଲ୍ଲେଖ କରାଯାଉଥିବା ବେଳେ ସ୍ୱାଧିନତାର ବହୁ ବର୍ଷ ପରେ ମଧ୍ୟ ଅନୁଗୁଳ ଜିଲ୍ଲାର ଏକ ଗ୍ରାମ ବିକାଶ ଠାରୁ ବହୁ ଦୂରରେ ରହିଛି ।

ଜିଲ୍ଲା ସଦରମହକୁମା ଠାରୁ ୪୦ କିମି ଦୂରରେ ଅବସ୍ଥିତ ଦୂଇ ଶହରୁ ଉର୍ଦ୍ଧ୍ଵ ଜନସଂଖ୍ୟା ବିଶିଷ୍ଟ ପୱାଲା ଗ୍ରାମ । ଏଠାକାର ଲୋକଙ୍କ ଜୀବନ ଶୈଳୀରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ ।

ନିକଟରେ ବିଧାନସଭାରେ ଉପସ୍ଥାପିତ ୨୦୧୦ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ଅନୁଗୁଳ ଜିଲ୍ଲା ଦାରିଦ୍ର୍ୟ ସୀମାରେଖା ଉପରେ ରହିଛି ।

ଜିଲ୍ଲାରେ ଦୃତ ଶିଳ୍ପାୟନ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।

ଚତୁଃପାର୍ଶ୍ଵରେ ବିଭିନ୍ନ କଳକାରଖାନା ଗଢି ଉଠିଥିଲେ ମଧ୍ୟ ଏହି ଗ୍ରାମରେ ବିକାଶର ଧାରା ପହଞ୍ଚି ପାରିନାହିଁ । ଉକ୍ତ ଗ୍ରାମବାସୀମାନେ ସାଧାରଣ ଅବଶ୍ୟକତା ଠାରୁ ବଞ୍ଚିତ ହେଉଛନ୍ତି ।

ପଛୁଆ ଅଞ୍ଚଳ ହୋଇଥିବାରୁ ଗ୍ରାମକୁ ଯୋଗାଯୋଗର ବ୍ୟବସ୍ଥା ନଥିବା ବେଳେ ସରକାରଙ୍କ ସ୍ୱାସ୍ଥ୍ୟ ସେବା ମଧ୍ୟ ପହଞ୍ଚି ପାରୁନାହିଁ । ଗମନାଗମନ ପାଇଁ ସବୁ ଦିନିଆ ରାସ୍ତା ମଧ୍ୟ ନାହିଁ । ଶିକ୍ଷା କ୍ଷେତ୍ରରେ ଗ୍ରାମଟି ବହୁ ପଛରେ । ଗାଁରେ ସ୍କୁଲ ଥିଲେ ମଧ୍ୟ ଶିକ୍ଷକ ନାହାନ୍ତି ତେଣୁ ଅଧିକାଶଂ ପିଲା ସ୍କୁଲ ଛାଡ଼ୁଛନ୍ତି ।

ଗାଁର ଅଧିକାଂଶ ଲୋକ କନ୍ଧ ସଂପ୍ରଦାୟର । ସଚେତନତାର ଅଭାବରୁ ସେମାନେ ସବୁବେଳେ ଖଜୁରୀ ତାଡ଼ି ପିଇଥାନ୍ତି ଓ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ।

ଏଥିଯୋଗୁଁ ଏଠାରେ ପ୍ରାୟ ୧୫ରୁ ଉର୍ଦ୍ଧ୍ଵ ବିଧବା ମହିଳା ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି । ଜୀବନ ଜୀବିକା ନିର୍ବାହ କରିବା ପାଇଁ କୌଣସି ମାଧ୍ୟମ ନଥିବାରୁ ସେମାନେ ନିକଟସ୍ଥ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି ।

ଗାଁରେ ପ୍ରାୟ ସବୁବେଳେ ହାତୀଙ୍କ ପ୍ରବେଶ ଯୋଗୁଁ ସେମାନେ ଚାଷ କରିବାରୁ ବଞ୍ଚିତ ହେଉଛନ୍ତି ।

ସ୍ୱାସ୍ଥ୍ୟସେବା ପାଇଁ ସେମାନେ ଚେରମୂଳି ଔଷଧ ବ୍ୟବହାର କରନ୍ତି । ଡ଼ାକ୍ତରୀ ଔଷଧ ଉପରେ ସେମାନଙ୍କର ବିଶ୍ୱାସ ନଥିବା ବେଳେ ପ୍ରାଥମିକ ସ୍ୱାସ୍ଥ୍ୟସେବା ତାଙ୍କ ପାଇଁ ଉପଲବଧ ହୋଇପାରୁ ନାହିଁ ।

କୌଣସି ରାଜନୈତିକ ବ୍ୟକ୍ତି ବା ସରକାରୀ ଅଧିକାରୀ ଏହି ଅସୁବିଧା ସଂପର୍କରେ ଶୁଶୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଥିବା ବେଳେ କେବେ ପ୍ରଶାସନ ଏହି ଅଞ୍ଚଳରେ ପହଞ୍ଚିବ ତାହା ସେମାନେ ଅପେକ୍ଷା କରି ରହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version