Site icon Odisha.com

ଆଇଟା ଟ୍ୟାଲେଣ୍ଟ ସିରିଜରେ ଓଡ଼ିଆ ଝିଅ ଅଭୀପ୍ସା ଚମ୍ପିଆନ

ଭୁବନେଶ୍ୱର, ନଭେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ୧୪ ଓ ୧୬ ବର୍ଷରୁ କମ୍ ଅଲ୍ ଇଣ୍ଡିଆ ଟେନିସ ଆସୋସିଏସନ୍(ଆଇଟା) ଟ୍ୟାଲେଣ୍ଟ ସିରିଜରେ ଓଡ଼ିଆ ଝିଅ ଅଭୀପ୍ସା ରଥ ଚମ୍ପିଆନ ହୋଇଛନ୍ତି ।

କର୍ଣ୍ଣାଟକ ପକ୍ଷରୁ ଖେଳୁଥିବା ଅଭୀପ୍ସା ବାଳିକା ବିଭାଗର ଦୁଇଟି ଫାଇନାଲରେ ୧୪ ବର୍ଷରୁ କମ୍ ସିଙ୍ଗଲ୍ସରେ ସୂର୍ଯ୍ୟାନାରାୟଣଙ୍କୁ ୬-୨, ୬-୪ ଏବଂ ୧୬ ବର୍ଷରୁ କମ୍ ଫାଇନାଲରେ ତାମିଲନାଡ଼ୁର ଜିଏସ୍ ବାସବୀଙ୍କୁ ୭-୫,୨-୬,୬-୨ ସେଟ୍ ରେ ପରାସ୍ତ କରି ଉଭୟ ଟାଇଟଲ ଜିତିଛନ୍ତି ।

ସିରିଜ ଶେଷରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟ ପୋଲିସ ମହାନିଦେ୍ର୍ଧଶକ ମନମୋହନ ପ୍ରହରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ ।

ବେଙ୍ଗାଲୁରୁ ମାଲେଶ୍ୱରମ୍ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଅଭୀପ୍ସା ହେଉଛନ୍ତି ନାବାର୍ଡ଼ ଯାଜପୁର ଶାଖାର ଉପ ମହାପ୍ରବନ୍ଧକ ଆଦିତ୍ୟ ବିକ୍ରମ ରଥ ଓ ଅତସୀ ରଥଙ୍କ କନିଷ୍ଠା କନ୍ୟା ।

ତାଙ୍କ ବଡ଼ ଭଉଣୀ ଅନନ୍ୟା ବର୍ତ୍ତମାନ ଇଂଜିନିୟରିଂ ପଢୁଛନ୍ତି । ଅଭୀପ୍ସାଙ୍କ ଜେଜେବାପା ବାଣପୁର ନିବାସୀ ସ୍ୱର୍ଗତ ଗଣେଶ୍ୱର ରଥ ଓ ଜେଜେମା ଶାନ୍ତିଲତା ରଥ ଓ ଅଜା ନିମାପଡ଼ା ନିବାସୀ କୃଷ୍ଣଚନ୍ଦ୍ର ତ୍ରିପାଠୀ ଓ ଆଈ ସ୍ୱର୍ଗତା ଇନ୍ଦୁପ୍ରଭା ତ୍ରିପାଠୀ ।

ଆମିଷ ଖାଦ୍ୟ ଖାଇବାକୁ ଭଲ ପାଉଥିବା ଅଭୀପ୍ସା ଦୀର୍ଘ ପାଞ୍ଚ ବର୍ଷ ହେଲା ଦୈନିକ ସକାଳେ ଓ ସଂଧ୍ୟାରେ ଚାରିଘଣ୍ଟା ବେଙ୍ଗାଲୁରୁ ସ୍ଥିତ ଟେନିସ ଆଡ଼୍ଭେନ୍ଟେଜ୍ କେନ୍ଦ୍ରରେ କୋଚ୍ ପିଟର ବିଜୟ କୁମାରଙ୍କ ତତ୍ୱାବଧାନରେ ଖେଳ ଜାରି ରଖିଛନ୍ତି । ଟେନିସ୍ ଖେଳିବା ସହ ବଗିଚା କାମ କରିବା ଓ ଗୀତ ଶୁଣିବାରେ ତାଙ୍କର ଋଚି ରହିଛି ।

“ଅଭୀପ୍ସା କେବଳ ଆମ ପାଇଁ ନୁହେଁ ସମଗ୍ର ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି” ଅଜା କୃଷ୍ଣଚନ୍ଦ୍ର ତ୍ରିପାଠୀ କହିଛନ୍ତି । ଭବିଷ୍ୟତରେ ଜଣେ ଭଲ ଟେନିସ୍ ଖେଳାଳି ହେବାକୁ ଅଭୀପ୍ସା ଲକ୍ଷ୍ୟ ରଖିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version