କେନ୍ଦ୍ରାପଡ଼ା, ଅକ୍ଟୋବର ୨୪(ଓଡ଼ିଶା ଡ଼ଟ୍ କମ୍) ହିନ୍ଦୀ ଚଳଚ୍ଚିତ୍ର ପାଇଁ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ସୁବାସ ସାହୁଙ୍କୁ ୫୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ରାଷ୍ଟ୍ରପତି ପ୍ରତିଭା ପାଟିଲ ପୁରସ୍କୃତ କରିଛନ୍ତି ।
ଅରଜିବାଲୁରିଆ ଗ୍ରାମର ୪୫ ବର୍ଷ ବୟସ୍କ ସାହୁଙ୍କୁ ଚଳଚ୍ଚିତ୍ର ‘କମିନେ’ର ଓଡ଼ିଓଗ୍ରାଫି ପାଇଁ ଗତ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଉକ୍ତ ଚଳଚ୍ଚିତ୍ରର ସାଉଣ୍ଡ ରେକଡ଼ିଷ୍ଟ ଭାବେ ବେଷ୍ଟ ଅଟୋବାଇଓଗ୍ରାଫି ପୁରସ୍କାର ପାଇଥିବାରୁ ଏହା ସବୁଦିନ ପାଇଁ ମନେ ରହିବ ବୋଲି ସେ ପୁରସ୍କାର ଗ୍ରହଣ କରିବା ପରେ ନୂଆଦିଲ୍ଲୀରୁ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।
୨୦୦୯ ବର୍ଷ ପାଇଁ କୌଣସି ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇନଥିବାରୁ ବହୁତ ଦୁଃଖ ଲାଗୁଛି, ସେ କହିଛନ୍ତି ।
ପୁରସ୍କାର ଗ୍ରହଣଦିନ ଉକ୍ତ ଗ୍ରାମର ସମସ୍ତ ଲୋକ ଟିଭି ଲଗାଇ ଏହି କାର୍ଯ୍ୟକ୍ରମ ଦେଖିଥିଲେ । ରାଷ୍ଟ୍ରପତିଙ୍କ ଠାରୁ ସୁବାସ ପୁରସ୍କାର ଗ୍ରହଣ କରିବା ଦେଖି ତାଙ୍କ ମା ଖୁସିରେ କାନ୍ଦି ପକାଇଥିଲେ ।
“ସେ ଗାଁ ଯାତ୍ରାରେ ଅଭିନୟ କରି ଜଣେ ଅଭିନେତା ହେବାକୁ ଲକ୍ଷ୍ୟ ରଖିଥିଲା କିନ୍ତୁ ଭାଗ୍ୟ ତାକୁ ଜଣେ ସଫଳ ସାଉଣ୍ଡ ରେକଡ଼ିଷ୍ଟ ଭାବେ ତିଆରି କଲା” ଗ୍ରାମର ଜଣେ ବ୍ୟକ୍ତି ପ୍ରଫୁଲ୍ଲ ନାୟକ କହିଛନ୍ତି ।
“ଏହି ସଫଳତା ପାଇଁ ଏକ ଉତ୍ସବରେ ତାଙ୍କୁ ଜିଲ୍ଲା ନାଗରିକ ଫୋରମ ପକ୍ଷରୁ ସମ୍ମାନୀତ କରାଯିବ” ନାଗରିକ ଫୋରମ ସଂଯୋଜକ ଅମର କୁମାର ବିଶ୍ୱାଳ କହିଛନ୍ତି ।
ଭିତରକନିକା ଜାତୀୟ ଉଦ୍ୟାନ ଓ ଅଭିଲ ରିଡ଼ଲେ କଇଁଛଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବି, ସୁବାସ କହିଛନ୍ତି ।
୧୯୮୨ରେ ଗାଁ ସ୍କୁଲରୁ ମ୍ୟାଟ୍ରିକ ପାସ୍ କରିବା ପରେ ସେ ଭୁବନେଶ୍ୱର ସ୍ଥିତ ମହର୍ଷି କଲେଜରୁ ଆଇଏସ୍ସି ପାସ୍ କରିବା ପରେ ଚେନ୍ନାଇରୁ ଇଲେକ୍ଟ୍ରୋନିକ ଓ କମ୍ୟୁନିକେଶନରେ ଡ଼ିଗ୍ରୀ ହାସଲ କରିଥିଲେ । ୧୯୯୪ରେ ପୁନେ ସ୍ଥିତ ଫିଲ୍ମ ଓ ଟିଭି ଇନଷ୍ଟିଚ୍ୟୁଟ ଡ଼ିଗ୍ରୀ ହାସଲ କରିବା ସହ ସାଉଣ୍ଡ ରେକଡ଼ିଂରେ ବିଶେଷ ଜ୍ଞାନ ଆହରଣ କରିଥିଲେ ।
ମୁମ୍ବାଇର ବିଶିଷ୍ଟ ସାଉଣ୍ଡ ରେକଡ଼ିଷ୍ଟ ନମିତା ନାୟକଙ୍କ ଅଧିନରେ “ସରଫୋରସ” ଓ “କରିପ” ସହ ସେ ଆଠଟି ଚଳଚ୍ଚିତ୍ରରେ କାମ କରିଛନ୍ତି ।
ଚକ୍ରଧର ସାହୁଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ନୀଳ ମାଷ୍ଟ୍ରାଣୀ’ ପାଇଁ ୧୯୯୬ରେ ସେ ରାଜ୍ୟ ପୁରସ୍କାର ପାଇବା ସହ ୨୦୦୦ରେ ଇଂରାଜୀ ଚଳଚ୍ଚିତ୍ର “ପରଫେକ୍ଟ ହଜ୍ବ୍ୟାଣ୍ଡ”ରେ ମଧ୍ୟ ସେ କାମ କରିଥିଲେ ।
ହିନ୍ଦୀ ଚଳଚ୍ଚିତ୍ର “ଓମ୍କାରା” ପାଇଁ ୨୦୦୬ରେ ଫିଲ୍ମ ଫେୟାର ଓ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ବିଶାଳ ଭର୍ୱାଜଙ୍କ ଦ୍ୱାରା ନିଦେ୍ର୍ଧଶିତ”କମିନେ” ଚଳଚ୍ଚିତ୍ର ପାଇଁ ଷ୍ଟାର ସ୍କ୍ରିନ ଆୱାର୍ଡ଼ ମଧ୍ୟ ପାଇଛନ୍ତି ।
ଏହି ପୁରସ୍କାର ପ୍ରଦାନ ଉତ୍ସବରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅମ୍ବିକା ସୋନୀ, ଚଳଚ୍ଚିତ୍ର ଉତ୍ସବର ନିଦେ୍ର୍ଧଶକ ଏସ୍.ଏମ୍ ଖାନ୍, ଫିଚର ଫିଲ୍ମ ଜୁରି ଅଧ୍ୟକ୍ଷ ରମେଶ ସିପି ଓ ଚଳଚ୍ଚିତ୍ର ଜଗତର ବହୁ ଅଭିନେତା ଅଭିନେତ୍ରୀ ଯୋଗ ଦେଇଥିଲେ ।
ଓଡିଶା ଡଟ୍ କମ୍