Site icon Odisha.com

ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ନିଆଯାଇଥିବା ଜମି ଫେରାଇବାକୁ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ପୁରୀ ଜିଲ୍ଲାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ହୋଇଥିବା ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବେଆଇନ ଦର୍ଶାଇ ଓଡ଼ିଶା ହାଇକୋର୍ଟ ଜମି ମାଲିକଙ୍କୁ ସେମାନଙ୍କ ଜମି ଫେରାଇ ଦେବାକୁ ସରକାରଙ୍କୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି ।

ଏକ ଜନସ୍ୱାର୍ଥ ମାମଲାର ବିଚାର କରି ମୁଖ୍ୟ ବିଚାରପତି ଭି.ଗୋପାଳ ଗୌଡ଼ ଏବଂ ବିଚାରପତି ବି.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଥିବା ଆବେଦନକାରୀଙ୍କ ଓକିଲ ସୁବୀର ପାଲିତ କହିଛନ୍ତି ।

ପ୍ରକଳ୍ପ ପାଇଁ ହୋଇଥିବା ଜମି ଅଧିଗ୍ରହଣ ବେଆଇନ ଏବଂ ଏହା ବୈଧ ନୁହେଁ ବୋଲି ହାଇକୋର୍ଟ ଦର୍ଶାଇବା ସହ ସଂପୃକ୍ତ ଜମିମାଲିକମାନଙ୍କୁ ଜମି ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଥିବା ସେ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ପ୍ରବାସୀ ଭାରତୀୟ ଶିଳ୍ପପତି ଅନୀଲ ଅଗ୍ରୱାଲଙ୍କ ଦ୍ୱାରା ପ୍ରତିଷ୍ଠିତ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ପୁରୀ କୋଣାର୍କ ନିକଟରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ଯାଉଛି ।

ଏହି ବିଶ୍ୱବିଦ୍ୟାଳୟ ପାଇଁ ଛଅ ହଜାର ଏକରରୁ ଉର୍ଦ୍ଧ୍ଵ ଜମି କମ୍ପାନୀ ଚାହିଁଥିବା ବେଳେ ଏଥିପାଇଁ ୧୫ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖିଛି । କିନ୍ତୁ କମ୍ପାନୀ ସ୍ଥାନୀୟ ଲୋକଙ୍କ ବିରୋଧର ସମ୍ମୁଖିନ ହୋଇଛି । ଜମି ହରାଇଥିବା କେତେକ ଲୋକ ଏହି ଜମି ଅଧିଗ୍ରହଣକୁ ବେଆଇନ ଦର୍ଶାଇବା ପାଇଁ କୋର୍ଟରେ ଆବେଦନ କରିଥିଲେ ।

“ଜମି ଅଧିଗ୍ରହଣ ବେଆଇନ ହୋଇଥିବାରୁ ଆରମ୍ଭରୁ ଆମେ ଏହାକୁ ବିରୋଧ କରିଆସୁଛୁ । ଏହା ହାଇକୋର୍ଟଙ୍କ ଐତିହାସିକ ରାୟ” ଜଣେ ଆବେଦନକାରୀ ଉମାବଲ୍ଲଭ ରଥ କହିଛନ୍ତି । ଏ ସଂପର୍କରେ ରାଜ୍ୟ ସରକାର କିମ୍ବା କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ମତାମତ ମିଳିପାରି ନାହିଁ ।

ଓଡ଼ିଶା ଡ଼ଟ୍ କମ

Exit mobile version