Site icon Odisha.com

ମହାବାତ୍ୟା କ୍ଷତିଗ୍ରସ୍ତ ପରିବାର କେନ୍ଦ୍ରୀୟ ସହାୟତାରୁ ବଞ୍ଚିତ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଅକ୍ଟୋବର ୨୮(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାରେ ହୋଇଥିବା ମହାବାତ୍ୟାର ୧୧ ବର୍ଷ ପରେ ମଧ୍ୟ ହଜାର ହଜାର କ୍ଷତିଗ୍ରସ୍ତ ପରିବାର କେନ୍ଦ୍ରୀୟ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଏହାଦ୍ଵାରା କେନ୍ଦ୍ର ସରକାର ରାଜ୍ୟ ପ୍ରତି ଅବହେଳା କରୁଥିବା ଅଭିଯୋଗ ପ୍ରମାଣିତ ହୋଇଥିବା ସ୍ଥାନୀୟ ଲୋକମାନେ କହୁଛନ୍ତି ।

କ୍ଷତିଗ୍ରସ୍ତ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୫୦ ହଜାର ଟଙ୍କା ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୫ ହଜାର ଟଙ୍କା ସହ ମୋଟ୍ ୭୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ ।

ରାଜ୍ୟ ସରକାର ସହାୟତା ରାଶି ୨୫ ହଜାର ଟଙ୍କା ଲେଖାଏଁ କ୍ଷତିଗ୍ରସ୍ତ ପରିବାରକୁ ଦେଇ ସାରିଥିବା ବେଳେ
ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ଟଙ୍କା ଏ ପର୍ଯ୍ୟନ୍ତ ମିଳିନଥିବାରୁ ଉକ୍ତ ଲୋକମାନେ ବହୁ ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି ।

ସହାୟତା ରାଶି ପାଇବାରେ ବିଳମ୍ବ ଯୋଗୁଁ ବାତ୍ୟା କ୍ଷତିଗ୍ରସ୍ତ ଏର୍ସମା ବ୍ଲକର ଲୋକଙ୍କ ଅବସ୍ଥା ଶୋଚନୀୟ
ହୋଇପଡ଼ିଛି । ଗରିବ ଶ୍ରେଣୀର ଲୋକମାନେ ଚଳିବା ପାଇଁ ଭିକ ମାଗୁଥିବା ବେଳେ ଅଧିକାଂଶ ବିଧବା ମହିଳା
ପାରାଦ୍ଵୀପରେ ଅନ୍ୟ ଲୋକଙ୍କ ଘରେ କାମ କରୁଛନ୍ତି ।

ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଏମାନଙ୍କ ଦୁଃଖ ଶୁଣୁନଥିବା ଅଭିଯୋଗ ହୋଇଛି । ସହାୟତା ରାଶି ପାଇବା ପାଇଁ କ୍ଷତିଗ୍ରସ୍ତ ପରିବାର ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ରିଡ଼ ପିଟିସନ ଦାଖଲ କରିଛନ୍ତି । କିନ୍ତୁ ୧୧ ବର୍ଷ ପରେ ମଧ୍ୟ ପରିସ୍ଥିତିରେ କୌଣସି ଉନ୍ନତି ହୋଇନାହିଁ ।

“ସହାୟତା ରାଶି ନମିଳିବାରୁ ଆର୍ଥିକ ଅନାଟନରେ ଜୀବନ ବିତାଉଛୁ । ରାଜ୍ୟ ସରକାର ୨୫ ହଜାର ଟଙ୍କା ଦେଇଥିଲେ ମଧ୍ୟ କେନ୍ଦ୍ରୀୟ ସହାୟତା ପାଇବା ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ତେଣୁ ମୁଁ ଅନ୍ୟ ଲୋକଙ୍କ ଘରେ କାମକରି ପରିବାର ଚଳୁଛି” ଏର୍ସମାର ରେଣୁବାଳା ଦାସ କହିଛନ୍ତି ।

କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ହିବର ଗ୍ରାମର ଗୀତା ମଣ୍ଡଳ
ଅଭିଯୋଗ କରିଛନ୍ତି ।

୧୯୯୯ ମହାବାତ୍ୟାରେ ଜଗତସିଂହପୁର ଜିଲ୍ଲାର ପ୍ରାୟ ୮୦୯୦ ଜଣ ଲୋକ ପ୍ରାଣ ହରାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୪୨୩୨ ପରିବାରଙ୍କୁ ସମସ୍ତ କ୍ଷତିପୂରଣ ସହାୟତା ରାଶି ୭୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଅନ୍ୟ ୧୪୬୦ଟି ପରିବାର କେବଳ ରାଜ୍ୟ ସରକାରଙ୍କ ସହାୟତା ରାଶି ପାଇଥିବା ବେଳେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମିଳିବାକୁ ଥିବା ଅର୍ଥ ଏପର୍ଯ୍ୟନ୍ତ ପାଇନାହାନ୍ତି ।

ଏର୍ସମା ଓ କୁଜଙ୍ଗ ତହସିଲର ପ୍ରାୟ ଦୁଇ ହଜାର ଲୋକ ପାଇବାକୁ ଥିବା କେନ୍ଦ୍ରୀୟ ସହାୟତା ରାଶି ୫୦ ହଜାର ଟଙ୍କା ଲେଖାଏଁ ପାଇ ନାହାନ୍ତି ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସରୋଜ କାନ୍ତ ମହାନ୍ତି କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version