Site icon Odisha.com

ସୂଚନା କମିଶନ ଏକ ଥଇଥାନ କେନ୍ଦ୍ର: ଭୂପିନ୍ଦର

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ସୂଚନା କମିଶନ ପଦବୀରେ କେବଳ ଅବସରପ୍ରାପ୍ତ ପ୍ରଶାସକଙ୍କୁ ଅବସ୍ଥାପିତ କରାଯାଉଥିବାରୁ ଏହା ଏକ ଥଇଥାନ କେନ୍ଦ୍ରରେ ପରିଣତ ହୋଇଛି ବୋଲି ଏହି ପଦବୀ ନିମନ୍ତେ ଗଠିତ ମନୋନୟନ କମିଟିର ଅନ୍ୟତମ ସଦସ୍ୟ ତଥା ବିରୋଧୀ ଦଳନେତା ଭୂପିନ୍ଦର ସିଂହ କ୍ଷୋଭ ପ୍ରକାଶ କରିଛନ୍ତି ।

ମୁଖ୍ୟ ସୂଚନା କମିଶନର ପଦବୀରେ ତରୁଣକାନ୍ତି ମିଶ୍ରଙ୍କ ମନୋନୟନ ପରେ ଗଣମାଧ୍ୟମକୁ ବିବୃତି ଦେଇ ସେ କହିଲେ ଯେ ମୁଖ୍ୟ ସୂଚନା କମିଶନର ପଦବୀ ମନୋନୟନ ପୂର୍ବରୁ ସେ ନିଜେ ଏକ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ତଥା ମନୋନୟନ କମିଟିର ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କୁ ଲେଖିଥିଲେ ।

ସେଥିରେ ଓଡ଼ିଶାରେ ଚାଲିଥିବା ମନୋନୟନ ପଦ୍ଧତିରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ବିଶେଷ କରି ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ ରାଜ୍ୟ ତଥା ଜାତୀୟ ସ୍ତରରେ ଯେପରି ବ୍ୟବସ୍ଥା ଅନୁସାରେ ସିଧାସଳଖ ମୁଖ୍ୟ ସୂଚନାକମିଶନର ପଦବୀରେ ନିଯୁକ୍ତି ଦିଆଯାଉନାହିଁ ।

ବରଂ ତିନି ଜଣିଆ କମିଶନର ସଦସ୍ୟ ମାନଙ୍କ ମଧ୍ୟରୁ ବରିଷ୍ଠତା କ୍ରମରେ ମୁଖ୍ୟ ସୂଚନା କମିଶନରଙ୍କୁ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା ରହିଛି । ବାସ୍ତବରେ ତାହା ଏକ ଉତ୍ତମ ପଦ୍ଧତି । ତାହା ଓଡ଼ିଶାରେ କାର୍ଯ୍ୟକାରୀ ହେବା ଉଚିତ ବୋଲି ଉକ୍ତ ଚିଠିରେ ଲେଖାଯାଇଥିବା ସିଂହ ଦର୍ଶାଇଛନ୍ତି ।

ବର୍ତ୍ତମାନ ଚାଲିଥିବା ପଦ୍ଧତିରେ କେବଳ ଅବସରପ୍ରାପ୍ତ ପ୍ରଶାସକଙ୍କୁ ନିଯୁକ୍ତି ଦିଆଯିବା ଆଦୌ ଠିକ୍ ହେଉନାହିଁ । କେବଳ ଅବସରପ୍ରାପ୍ତ ପ୍ରଶାସକଙ୍କୁ ସେହି ପଦବୀରେ ନିଯୁକ୍ତ ଦେବାର କିଛି ସ୍ୱତନ୍ତ୍ର ନୀତି ନିର୍ଦ୍ଧାରଣ ହୋଇନାହିଁ ।

ଏହି ପଦବୀ ନିମନ୍ତେ ଅନ୍ୟକ୍ଷେତ୍ରରୁ ଯଥା ଶିକ୍ଷାବିତ, ପ୍ରଫେସର, ସାମ୍ବାଦିକ, ବରିଷ୍ଠ ଇଞ୍ଜିନିୟର, ବିଚାରପତି, ବରିଷ୍ଠ ଓକିଲ ଏବଂ ବୁଦ୍ଧିଜୀବୀଙ୍କ ମଧ୍ୟରୁ ଜଣଙ୍କୁ ନିଯୁକ୍ତି ିଆଯାଇପାରିବ ।

ତେଣୁ ମନୋନୟନକୁ ତୀବ୍ର ବିରୋଧ କରିଥିଲେ ବୋଲି ସେ ଗଣମାଧ୍ୟମକୁ କହିଥିଲେ । ତେବେ ସଂସଦୀୟ ବ୍ୟାପାର ମନ୍ତ୍ରୀରଘୁନାଥ ମହାନ୍ତି ବିରୋଧୀଳ ନେତା ସିଂହଙ୍କ ମନ୍ତବ୍ୟକୁ ଖଣ୍ଡନ କରିଥିଲେ ।

ବିରୋଧୀ ଦଳ ନେତାଙ୍କ ପୂର୍ଣ୍ଣ ସହମତିରେ ମିଶ୍ରଙ୍କୁ ପରବର୍ତ୍ତୀ ସୂଚନା କମିଶନର ଭାବେ ମନୋନୀତ କରାଯାଇଛି ବୋଲି ମହାନ୍ତି କହିଥିଲେ ।

ଓଡିଶା ଡଟ୍ କମ୍

Exit mobile version