Site icon Odisha.com

ଓଡ଼ିଆ ବୈଜ୍ଞାନିକଙ୍କ ପାଇଁ କଳିଙ୍ଗ ସମ୍ମାନ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ବିଦ୍ୟାଳୟ ସ୍ତରରୁ ବିଜ୍ଞାନକୁ ଲୋକପ୍ରିୟ କରାଇବା କ୍ଷେତ୍ରରେ ମହନୀୟ ସଫଳତା ହାସଲ କରିଥିବା ଓଡ଼ିଆ ବୈଜ୍ଞାନିକଙ୍କୁ କଳିଙ୍ଗ ସମ୍ମାନ ପ୍ରଦାନ କରାଯିବ ।

କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଏହି ସମ୍ମାନ ସହ ମାନପତ୍ର, ଉପଢୌକନ ଏବଂ ନଗଦ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ୫୮ ବର୍ଷର କଳିଙ୍ଗ ପୁରସ୍କାର ଇତିହାସରେ ଜଣେ ହେଲେ ଓଡ଼ିଆ ବୈଜ୍ଞାନିକ ତାହା ପାଇପାରି ନାହାନ୍ତି ।

ତେଣୁ ସେହି ପୁରସ୍କାର ବଳରେ ପ୍ରତୀକ ସ୍ୱରୂପ ଓଡ଼ିଶାର ସୁନାମଧନ୍ୟ ବୈଜ୍ଞାନିକ ମାନଙ୍କୁ କଳିଙ୍ଗ ସମ୍ମାନ ପ୍ରଦାନ କରାଯିବ,ଟ୍ରଷ୍ଟ ପକ୍ଷରୁ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଏବଂ ବିମଳ ଦାସ କହିଛନ୍ତି ।

ଏଥିପାଇଁ ତିନି ଜଣ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ଓଡ଼ିଆ ବୈଜ୍ଞାନିକଙ୍କୁ ନେଇ ଏକ ବିଚାରକ ମଣ୍ଡଳୀ ଗଠନ କରାଯାଇଛି । ସେମାନେ ହେଲେ ପ୍ରଫେସର ଶିବ ଶଙ୍କର ବେହେରା, ପ୍ରଫେସର ତ୍ରିଲୋଚନ ପ୍ରଧାନ ଓ ପି.କେ.ଜେନା ।

ଚଳିତ ବର୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ । ବିଜ୍ଞାନକୁ ଲୋକପ୍ରିୟ କରିବା ନିମନ୍ତେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ଗଠନ କରିବା ସହ ପ୍ରତିବର୍ଷ ପୁରସ୍କାରର ବ୍ୟବସ୍ଥା କରିଥିଲେ ।

୧୯୫୧ରୁ ସେହି ପୁରସ୍କାର ବିଶ୍ୱର ବିଶିଷ୍ଟ ବୈଜ୍ଞାନିକଙ୍କୁ ପ୍ରଦାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ପାଞ୍ଚ ଜଣ ଭାରତୀୟଙ୍କ ସମେତ ୬୫ ଜଣ ବୈଜ୍ଞାନିକ ଏହି ପୁରସ୍କାର ପାଇ ସାରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version