Site icon Odisha.com

ଦୁର୍ଘଟଣା ସ୍ଥଳରେ ଆଶୁ ଚିକିତ୍ସା ପାଇଁ ମଟର ସାଇକେଲ ବାହିନୀ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ରାସ୍ତା ଦୁର୍ଘଟଣାର ସମ୍ମୁଖିନ ହେଉଥିବା ଲୋକଙ୍କୁ ତୁରନ୍ତ ଆଶୁ ଚିକିତ୍ସା ତଥା ସହାୟତା ଯୋଗାଇ ଦେବାପାଇଁ ସ୍ଥାନୀୟ ଆୟୁଷ ଡ଼ାକ୍ତରଖାନା ପକ୍ଷରୁ ଏକ ଆଠ ଜଣିଆ ମଟରସାଇକେଲ ବାହିନୀ ଗଠନ କରାଯାଇଛି ।

ଦୁର୍ଘଟଣା ଖବର ପାଇବା ମାତ୍ରେ ସେମାନେ ତୁରନ୍ତ ସେଠାରେ ପହଞ୍ଚି ପ୍ରାଥମିକ ଚିକିତ୍ସା ଆରମ୍ଭ କରିପାରିବେ । ଏହାଦ୍ୱାରା ଦୁର୍ଘଟଣାଗ୍ରସ୍ତ ହେଉଥିବା ଲୋକଙ୍କ ମଧ୍ୟରୁ ବହୁ ଲୋକଙ୍କ ପ୍ରାଣ ବଞ୍ଚାଇ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଡ଼ାକ୍ତରଖାନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶୋକ ଆଚାର୍ଯ୍ୟ କହିଛନ୍ତି ।

ଏହି ବାହିନୀର ସଦସ୍ୟମାନେ ପୂର୍ବତନ ସାମରିକ କର୍ମଚାରୀ ଏବଂ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଆଶୁ ଚିକିତ୍ସା ଯୋଗାଇବାରେ ଉଚ୍ଚ ପ୍ରଶିକ୍ଷିତ । ରାଜଧାନୀର ୨୦ କିମି ମଧ୍ୟରେ ସେମାନଙ୍କ କର୍ମକ୍ଷେତ୍ର ହେବ ।

କଟକ ଭୁବନେଶ୍ୱର ରାସ୍ତାର ପାହାଳ ଠାରୁ ଭୁବନେଶ୍ୱର-ଖୋର୍ଦ୍ଧା ରାସ୍ତାର ତମାଣ୍ଡୋ ପର୍ଯ୍ୟନ୍ତ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଏହି ରାସ୍ତାରେ ୨୦୦୯ରେ ଦୁର୍ଘଟଣାରେ ୨୨୦୦ ଲୋକ ପ୍ରାଣ ହରାଇଥିବା ବେଳେ ୨୦୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ୧୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି, ସେ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version