Site icon Odisha.com

ମନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତା ନେଇ ବିଜେଡ଼ିରେ ବିଭେଦ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ଶାସକ ବିଜୁ ଜନତା ଦଳ(ବିଜେଡ଼ି)ରେ ମନ୍ତ୍ରୀ ମଣ୍ଡଳ ସଦସ୍ୟଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ବିଭେଦ ଦେଖାଦେଇଛି । ଗତ ଚାରି ତାରିଖରେ ସ୍ଥାନୀୟ ଇଡ଼କଲ ହଲ୍ ରେ ବିଜେଡ଼ିର ପର୍ଯ୍ୟବେକ୍ଷକ ସମ୍ମିଳନୀ ଅବସରରେ ଦଳର ଅନ୍ୟତମ ବରିଷ୍ଠ ନେତା ପ୍ୟାରୀମୋହନ ମହାପାତ୍ର ରାଜ୍ୟ ମନ୍ତ୍ରୀ ମାନଙ୍କ କାର୍ଯ୍ୟ ଦକ୍ଷତା ସମୀକ୍ଷା କରାଯିବ ବୋଲି କହିବା ପରେ ଏହି ବିବାଦ ସୃଷ୍ଟି ହୋଇଛିା

ଦିନଥିଲା ମୁଁ କେତେକ ନିର୍ଦ୍ଧିଷ୍ଟ ଲୋକଙ୍କ କାର୍ଯ୍ୟର ସମୀକ୍ଷା କରୁଥିଲି ଏବଂ କାର୍ଯ୍ୟ ଦକ୍ଷତା ପରଖୁଥିଲି । ମାତ୍ର ଏବେ ସେମାନେ ମୋର ଦକ୍ଷତା ଏବଂ ସଫଳତା ମାପିବାକୁ ଅଣ୍ଟା ଭିଡ଼ୁଛନ୍ତି ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ହସ୍ୟାସ୍ପଦ ବୋଲି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି ।

ଏହି ବୈଠକରେ କେତେକ ମନ୍ତ୍ରୀ ସେମାନଙ୍କ ସଫଳତାର ବିବରଣୀ ଦେଇଥିବା ବେଳେ ଅନ୍ୟ କେତେକ ପ୍ରସ୍ତୁତ ହୋଇ ଆସିନଥିଲେ । ଅପ୍ରସ୍ତୁତ ହୋଇ ଆସିଥିବା ମନ୍ତ୍ରୀ ମାନଙ୍କୁ ମହାପାତ୍ର କଡ଼ା ସମାଲୋଚନା କରିବା ସହ ତୁରନ୍ତ ସେମାନଙ୍କର ସଫଳତା ବିଷୟରେ ଜଣାଇବାକୁ କହିଥିଲେ ।

ଏହି ପ୍ରସଙ୍ଗରେ ଦଳର ଅନ୍ୟ ବରିଷ୍ଠ ମନ୍ତ୍ରୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ତେବେ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶାର ଜନସାଧାରଣ ତାଙ୍କ କାର୍ଯ୍ୟ ଦକ୍ଷତା ପରିଖି ପାରିବେ । ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାକୁ ସାକାର କରିବା ଏବଂ ନିଦେ୍ର୍ଧଶକୁ ପାଳନ କରିବା ତାଙ୍କର ଏକମାତ୍ର କର୍ତ୍ତବ୍ୟ ବୋଲି ରାଉତ ସାମ୍ବାଦିକ ମାନଙ୍କୁ କହିଥିଲେ ।

ଅତୀତରେ ସେ ସ୍ୱର୍ଗତ ନୀଳମଣି ରାଉତରାୟ ଏବଂ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ଓ ବହୁ ସଫଳତା ହାସଲ କରିଛନ୍ତି । ତାଙ୍କ କ୍ଷେତ୍ରରେ ପ୍ରମାଣ ନେବାର କୌଣସି ଆବଶ୍ୟକତା ଥିବା କଥା ଅନୁଭବ କରୁନାହିଁ, ସେ କହିଛନ୍ତି ।

ଏଭଳି ପ୍ରସଙ୍ଗ ଉଠାଇଥିବା ବ୍ୟକ୍ତି ଅତୀତ କଥା ଚିନ୍ତା କରିବାକୁ ସେ କହିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟୀତ୍ୱ ଦେଇଛନ୍ତି । ସେହି ତିନୋଟି ବିଭାଗ ଉପରେ ରାଜ୍ୟର ୮୦ ପ୍ରତିଶତ ଲୋକଙ୍କ ଜୀବନ ଜୀବିକା ସାମିଲ । ଏହି ବିଭାଗ ଗୁଡ଼ିକର ସଫଳତା ଉପରେ ରାଜ୍ୟର ସାମଗ୍ରୀକ ସଫଳତା ନିର୍ଭର କରୁଛି, ତେଣୁ ମୁଁ ଅସନ୍ତୋଷ ହେବାର ପ୍ରଶ୍ନ ଉଠୁନାହିଁ, ସେ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version