Site icon Odisha.com

ଅପରେସନ ବେଳେ ସମନ୍ୱୟ ଆବଶ୍ୟକ: ବିଏସ୍ଏଫ୍ ଅତିରିକ୍ତ ଡ଼ିଜି

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ମାଓବାଦୀ ଅପରେସନ ବେଳେ ରାଜ୍ୟ ପୋଲିସ ବିଏସ୍ଏଫ୍ ଓ ସିଆର୍ପିଏଫ୍ ମଧ୍ୟରେ ସମନ୍ୱୟ ନିହାତି ଆବଶ୍ୟକ ବୋଲି ଗୁରୁବାର ବିଏସ୍ଏଫ୍ ଅତିରିକ୍ତ ମହାନିର୍ଦ୍ଦେଶକ ଅରବିନ୍ଦ ରଞ୍ଜନ ଭୁବନେଶ୍ୱରରେ କହିଛନ୍ତି ।

ଓଡ଼ିଶା ଗସ୍ତରେ ଆସି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ସାକ୍ଷାତ କରି ମାଓବାଦୀ ଅପରେସନ ସଂପର୍କରେ ଆଲୋଚନା କରିଛନ୍ତି ।

ମାଓବାଦୀ ଅପରେସନ ଓ ହିଂସାକାଣ୍ଡ ସଂପର୍କରେ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରାଯାଇଥିବା ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ଅପରେସନ ସମୟରେ ଯେଉଁ ସବୁ ସମସ୍ୟା ସୃଷ୍ଟି ହୋଇଛି ତାହାର ସମାଧାନ ପାଇଁ ଆବଶ୍ୟକ ପକ୍ଷେପ ଗ୍ରହଣ କରାଯିବ ।

ରାଜ୍ୟରେ ବିଏସ୍ଏଫ୍ ଅପରେସନ କାର୍ଯ୍ୟ ତଦାରଖ ପାଇଁ ଜଣେ ଆଇଜିଙ୍କୁ ଅବସ୍ଥାପିତ କରାଯାଇଛି । ସେ ବିଭିନ୍ନ ସମୟରେ ମାଲକାନଗିରି ଯାଇ ଅପରେସନ କାର୍ଯ୍ୟ ତଦାରଖ କରୁଛନ୍ତି । ଅପରେସନ ସମୟରେ ରାଜ୍ୟ ପୋଲିସ, ବିଏସ୍ଏଫ୍ ଓ ସିଆର୍ପିଏଫ୍ ମଧ୍ୟରେ ସମନ୍ୱୟ ରହୁନଥିବାରୁ ବହୁ ସମସ୍ୟା ସୃଷ୍ଟି ହେଉଛି, ସେ କହିଛନ୍ତି ।

ଏହି ସମସ୍ୟା ନେଇ ସରକାର ଓ ସିଆର୍ପିଏଫ୍ ମଧ୍ୟରେ ପୂର୍ବରୁ ଆଲୋଚନା ହୋଇଛି । ତେଣୁ ଓଡ଼ିଶାରେ ଜଣେ ଆଇଜିଙ୍କୁ ସ୍ଥାୟୀ ଭାବେ ଅବସ୍ଥାପିତ କରାଯିବ ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସିଆର୍ପିଏଫ୍ ଡ଼ିଜି କେ.ବିଜୟ କୁମାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ ।

ଏହି ସମନ୍ୱୟ ସଂପର୍କରେ ଆଲୋଚନା ପାଇଁ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୟୁନିଫାଏଡ଼ କମାଣ୍ଡର ବୈଠକ ଅନୁଷ୍ଠିତ ହୋଇଛି ।

ଓଡିଶା ଡଟ୍ କମ୍

Exit mobile version