Site icon Odisha.com

ଗୁଇନ୍ଦା ତଥ୍ୟ ବ୍ୟାପକ କରିବା ପାଇଁ ନିଷ୍ପତ୍ତି

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀ ପ୍ରଭାବିତ ରାଜ୍ୟ ମାନଙ୍କରେ ଯେଉଁ ଦମନ ପ୍ରକ୍ରିୟା ଆରମ୍ଭ ହୋଇଛି ସେଗୁଡ଼ିକ ମଧ୍ୟରେ ସମନ୍ୱିତ ଗୁଇନ୍ଦା ତଥ୍ୟର ଆଦାନ ପ୍ରଦାନ ଆହୁରି ବ୍ୟାପକ କରିବା ପାଇଁ ଗୁରୁବାର ଅନୁଷ୍ଠିତ ୟୁନିଫାଏଡ଼ କମାଣ୍ଡର ଦ୍ଵୀତୀୟ ବୈଠକରେ ନିଷ୍ପତ୍ତି ହୋଇଛି ।

ବିଭିନ୍ନ ଗଣମାଧ୍ୟମରେ ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସମନ୍ୱୟ ରହୁନଥିବା ନେଇ ପ୍ରକାଶିତ ସମ୍ବାଦ ଉପରେ ବୈଠକରେ ଆଲୋଚନା ହୋଇଥିଲା । ତେବେ ଏଭଳି ଖବରକୁ ଅବାସ୍ତବ ଏବଂ ଓଡ଼ିଶାରେ ଗ୍ରୀନହଣ୍ଟ ଅପରେସନ ଯୋଜନାବଦ୍ଧ ଭାବେ ଚାଲିଛି ବୋଲି ସହମତି ପ୍ରକାଶ ପାଇଥିଲା ।

ଏହାବ୍ୟତୀତ ମାଓ ଉପଦ୍ରୁତ ଛତିଶଗଡ଼, ଓଡ଼ିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବାକୁ ସ୍ଥିର ହୋଇଛି । ବିଶେଷକରି ପ୍ରତ୍ୟେକ ପଦକ୍ଷେପ କ୍ଷେତ୍ରରେ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି ।

ଫଳରେ ମାଓବାଦୀଙ୍କ ଗତିବିଧି ଓ ଅବସ୍ଥିତି ସଂପର୍କରେ ରାଜ୍ୟ ପୋଲିସ ଅବଗତ ହେବା ସହ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟ ହୁସିଆର ହେବେ ।

ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ ମନମୋହନ ପ୍ରହରାଜ, ଆଇଜି ଅପରେଶନ ସଂଜୀବ ମାରିକ, ଗୃହ ସଚିବ ଉପେନ୍ଦ୍ରନାଥ ବେହେରା, ବିଏସ୍ଏଫ୍ ଅତିରିକ୍ତ ଡ଼ିଜି ଅରବିନ୍ଦ ରଞ୍ଜନଙ୍କ ସମେତ ସିଆର୍ପିଏଫ୍ ର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ଓଡିଶା ଡଟ୍ କମ୍

Exit mobile version