Site icon Odisha.com

ଦଶଲକ୍ଷ ହେକ୍ଟର ଅଞ୍ଚଳରେ ନୂତନ ଜଙ୍ଗଲ ସୃଷ୍ଟି: ମୁଖ୍ୟମନ୍ତ୍ରୀ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଦଶ ଲକ୍ଷ ହେକ୍ଟର ଅଞ୍ଚଳରେ ନୂତନ ଜଙ୍ଗଲ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଏଥିପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଜଙ୍ଗଲ ଯେପରି ସୁରକ୍ଷିତ ରହିବ ସେଥିପ୍ରତି ଆଞ୍ଚଳିକ ବନ ଅଧିକାରୀମାନେ ଯତ୍ନବାନ ହେବା ଉଚିତ୍ ବୋଲି ଗୁରୁବାର ଭୁବନେଶ୍ୱରରେ ଅନୁଷ୍ଠିତ ଡ଼ିଏଫ୍ଓ ସମ୍ମିଳନୀରେ ସେ କହିଛନ୍ତି ।

ଜଙ୍ଗଲ ସୁରକ୍ଷା ସହିତ କୌଣସି ପ୍ରକଳ୍ପ ପାଇଁ ଜଙ୍ଗଲ ଜମି ବ୍ୟବହାର ହେଉଥିଲେ ବିଭାଗୀୟ ଅଧିକାରୀମାନେ ଜଙ୍ଗଲ ଆଇନ ଯେପରି ସଠିକ୍ ଭାବେ କାର୍ଯ୍ୟକାରୀ ହେବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

ରାଜ୍ୟରେ ହାତୀ ମାନଙ୍କ ମୃତ୍ୟୁ ଏବେ ସମସ୍ୟା ହୋଇଛି । ଏମଧ୍ୟରେ ଏକାଧିକ ହାତୀ ବିଭିନ୍ନ କାରଣରୁ ମୃତ୍ୟୁବରଣ କରିଥିବା ବେଳେ ହାତୀ ମାନଙ୍କ ଆକ୍ରମଣରେ ଧନ ଜୀବନ ନଷ୍ଟ ହୋଇଛି । ତେଣୁ ହାତୀ ମାନଙ୍କ ପାଇଁ ସୁରକ୍ଷିତ ଅଞ୍ଚଳ ଚିହ୍ନଟ କରାଯାଇ ସେଠାରେ ଜଙ୍ଗଲର ବିକାଶ କରାଯିବା ଆବଶ୍ୟକ, ସେ କହିଛନ୍ତି ।

ଏହାବ୍ୟତୀତ ହାତୀ ମାନଙ୍କ ଦ୍ଵାରା ଯେଉଁ ଧନଜୀବନ ନଷ୍ଟ ହେଉଛି ସେ କ୍ଷେତ୍ରରେ କ୍ଷତିଗ୍ରସ୍ତଙ୍କୁ ଯେପରି ଉପଯୁକ୍ତ କ୍ଷତିପୂରଣ ମିଳିପାରିବ ସେଥିପାଇଁ ଦୃଷ୍ଟି ଦେବା ଦରକାର । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିର୍ମିତ କର୍ମ ନିଯୁକ୍ତି ଯୋଜନା ଓ କାମ୍ଫା ପାଣ୍ଠିରୁ ମିଳୁଥିବା ଅର୍ଥରେ ଜଙ୍ଗଲ ମଧ୍ୟରେ ରାସ୍ତାଘାଟ ନିର୍ମାଣ ଏବଂ ହେନ୍ତାଳ ବଣ ସୃଷ୍ଟି କରାଯାଇ ପାରିବ ।

ସେହିପରି କେନ୍ଦୁପତ୍ର ତୋଳାଳି ମାନେ ସେମାନଙ୍କ ପ୍ରାପ୍ୟ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପାଇବେ ଏବଂ ଏକ୍ଷେତ୍ରରେ ହେଉଥିବା ସମସ୍ୟାର ତୁରନ୍ତ ସମାଧାନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସେ ଡ଼ିଏଫ୍ଓ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଓଡିଶା ଡଟ୍ କମ୍

Exit mobile version