Site icon Odisha.com

ଲୋକପ୍ରିୟ ନୃତ୍ୟ କାର୍ଯ୍ୟକ୍ରମର ଫାଇନାଲରେ ଭାଇ, ଭଉଣୀ

ଓଡ଼ିଶା ଡ଼ଟ୍ କମ୍ : ହେମନ୍ତ ରାଉତ

ବାଲେଶ୍ୱର, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ଲୋକଙ୍କ ମଧ୍ୟରେ ଅପରିଚିତ ଥିବା ବାଲେଶ୍ୱର ଜିଲ୍ଲାର ଭାଇ ଭଉଣୀ ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ମନୋରଂଜନ କାର୍ଯ୍ୟକ୍ରମର ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରବେଶ କରିଥିବା ଘୋଷଣା ହେବା ପରେ ସେମାନେ ସମସ୍ତଙ୍କ ନିକଟରେ ପରିଚିତ ହୋଇପାରିଛନ୍ତି ।

ରୋହିତ ଚୌଧୁରୀ, ୧୧ ଓ ତାଙ୍କ ଭଉଣୀ ଅଭିପ୍ସା, ୧୩ ଓଡ଼ିଶାର ଲୋକପ୍ରିୟ ନୃତ୍ୟ କାର୍ଯ୍ୟକ୍ରମ ଝୁମ୍ ଓଡ଼ିଶା ଝୁମ୍(ଜୁନିୟର) ପ୍ରତିଯୋଗୀତାର ଚରମ ପର୍ଯ୍ୟାୟରେ ଅଂଶ ଗ୍ରହଣ କରିଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ସେମାନଙ୍କ ପାଖକୁ ନିମନ୍ତ୍ରଣର ସୁଅ ଛୁଟିଛି ।

ଫାଇନାଲରେ ଅଂଶ ଗ୍ରହଣ କରିଥିବା ଛଅ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଏମାନେ ଦୁଇ ଜଣ କେବଳ ଭାଇ ଓ ଭଉଣୀ । ଏହା ପୂର୍ବରୁ ଉଭୟେ କୌଣସି ମଞ୍ଚରେ ଅଭିନୟ ନକରି ଏଭଳି ସଫଳତା ପାଇଥିବାରୁ ସେମାନଙ୍କ ବାପା ମା’ ଗର୍ବଅନୁଭବ କରିଛନ୍ତି ।

“ଗତ ବର୍ଷ ନଭେମ୍ବର ୨୮ରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ହୋଇଥିବା ଅଡ଼ିସନ୍ ଦିନଠାରୁ ସେମାନେ ଭଲ ପ୍ରଦର୍ଶନ କରିଆସିଛନ୍ତି । ସେମାନଙ୍କ ସଫଳତାରେ ଆମେ ବେଶ୍ ଗର୍ବିତ । ସମଗ୍ର ରାଜ୍ୟରେ ଆମକୁ ସେମାନେ ପରିଚିତ କରାଇଛନ୍ତି” ବାପା ରାଜେଶ କୁମାର ଚୌଧୁରୀ କହିଛନ୍ତି ।

ବାଲେଶ୍ୱର ସ୍ଥିତ ମହର୍ଷୀ ବିଦ୍ୟାମନ୍ଦିରରେ ଅଭିପ୍ସା ଷ୍ଟାଣ୍ଡାର୍ଡ଼ ୮ରେ ପଢୁଥିବା ବେଳେ ରୋହିତ ଷ୍ଟାଣ୍ଡାର୍ଡ଼ ୭ରେ ପଢୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ବାଲେଶ୍ୱର, ଭଦ୍ରକ, ଯାଜପୁର, ବାରିପଦା, କଟକ, ଢେଙ୍କାନାଳ, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଓ ବାଣିବିହାର, କୃପାଜଳ ଇଂଜିନିୟରିଂ କଲେଜ ପରିସରରେ ମଧ୍ୟ ନୃତ୍ୟ ପରିବେଷଣ କରିଛନ୍ତି, ମା’ ମୌସୁମୀ ଚୌଧୁରୀ କହିଛନ୍ତି ।

ହିନ୍ଦୁସ୍ଥାନୀ ସଂଗୀତରେ ଦ୍ଵୀତୀୟ ବର୍ଷର ଛାତ୍ରୀ ଅଭିପ୍ସା ଆଇଏଏସ୍ ଅଫିସର ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ରୋହିତ କ୍ରିକେଟ ଖେଳିବାକୁ ଭଲ ପାଆନ୍ତି । ଏହି ସଫଳତା ପାଇଁ ସେମାନେ ବିକେ ଡ଼୍ୟାନ୍ସ ଗୃପର ରାଜେଶ ପ୍ରଧାନଙ୍କୁ ଶ୍ରେୟ ଦେଇଛନ୍ତି ।

“ଆମେ କଠିନ ପରିଶ୍ରମ କରି ନିୟମିତ ଅଭ୍ୟାସ ଜାରି ରଖିଥିଲୁ ଏବଂ ବିଚାରକ ମଣ୍ଡଳୀଙ୍କ ଉପଦେଶ ଅନୁସାରେ କଳା ପ୍ରଦର୍ଶନ କରିଥିଲୁ । ଆମେ ଆମର କାର୍ଯ୍ୟ କରିଛୁ ବର୍ତ୍ତମାନ ଲୋକଙ୍କ ଏସ୍ଏମ୍ଏସ୍ ଭୋଟ୍ ଉପରେ ଏହା ନିର୍ଭର କରୁଛି । ଆମକୁ ଭୋଟ୍ ଦେବା ପାଇଁ ଲୋକଙ୍କୁ ଅନୁରୋଧ କରୁଛୁ” ସେମାନେ କହିଛନ୍ତି ।

ରାଜ୍ୟରେ ଥିବା ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାରେ ଚ୍ୟାନେଲ କର୍ତ୍ତୃପକ୍ଷଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରୁଛୁ, ବାପା ମା’ କହିଛନ୍ତି । ଉଭୟଙ୍କୁ ଭୋଟ୍ ଦେଇ ଏହି କାର୍ଯ୍ୟକ୍ରମରେ ବିଜୟୀ କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି ।

ଏମାନଙ୍କ କୋଡ଼୍ ୦୬ ଓ ମୋବାଇଲରେ ଜେଓଜେଆର୍ ରେ ଟାଇପ କରି ୫୪୯୯୯୨୩କୁ ଏସ୍ଏମ୍ଏସ୍ କରିବାକୁ ଅନୁରୋଧ କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version