Site icon Odisha.com

ଏସୀୟ କ୍ରୀଡ଼ାରେ ଓଡ଼ିଶାର ପ୍ରତିମା, ପ୍ରମିଳାଙ୍କୁ ବ୍ରୋଞ୍ଚ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ଚୀନର ଗ୍ୱାଙ୍ଗଝୌ ଠାରେ ଚାଲିଥିବା ୧୬ ତମ ଏସୀୟ କ୍ରୀଡ଼ାର ରୋଇଂ ନୌ-ଚାଳନାରେ ପ୍ରଥମ ଭାରତୀୟ ଭାବେ ଓଡ଼ିଶାର ପ୍ରତିମା ପୁହାଣ ଓ ପ୍ରମିଳା ମିଞ୍ଜ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି ।

ଏସୀୟ କ୍ରୀଡ଼ାର ମହିଳା ବିଭାଗରେ ଭାରତ ପ୍ରଥମ ଥର ପାଇଁ ପଦକ ପାଇଛି ।

କଟକ ଜିଲ୍ଲା ଜଗତପୁରର ପ୍ରତିମା ଓ ସୁନ୍ଦରଗଡ଼ କାଂଶବାହାଲର ପ୍ରମିଳା “କକଲେସ୍ ପେୟାର” ଇଭେଣ୍ଟରେ ୭ ମିନିଟ ୪୭ ସେକେଣ୍ଡରେ ଦୁଇ ହଜାର ମିଟର ଅତିକ୍ରମ କରି ଏହି ବିଜୟ ହାସଲ କରିଛନ୍ତି ।

ସେମାନଙ୍କ ସଫଳତା ପାଇଁ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଉଭୟ କ୍ରୀଡ଼ାବିତ୍ ଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି ।

“ରୋଇଂ ପାଇଁ ଏହା ଏକ ଐତିହାସିକ ମୁହୁର୍ତ୍ତ । କେବଳ ଓଡ଼ିଶା ନୁହେଁ ଭାରତ ପାଇଁ ଏମାନେ ଗୌରବ ଆଣିଛନ୍ତି । ଉଭୟେ ଦୀର୍ଘ ଦିନଧରି କଠିନ ପରିଶ୍ରମ କରୁଥିଲେ ଓ ଏସୀଡୟ କ୍ରୀଡ଼ା ପାଇଁ ରୋଇଂ ଦଳକୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଥିଲା” କୋଚ୍ ଜୋସ ଜ୍ୟାକବ କହିଛନ୍ତି ।

ପ୍ରଶିକ୍ଷଣ ଶିବିରରେ ସେମାନେ ଦୈନିକ ୧୨ରୁ ୧୫ ଘଣ୍ଟା ପରିଶ୍ରମ କରୁଥିଲେ । ପରିଶ୍ରମର ଫଳ ମିଳିଛି ବୋଲି ସେ କହିଛନ୍ତି ।

କଟକ ମହାନଗର ନିଗମ ଅନ୍ତର୍ଗତ ପୋଡ଼ାବର ଗ୍ରାମର ସନାତନ ଓ ସଂଯୁକ୍ତା ପୁହାଣଙ୍କ ସାନ ଝିଅ ପ୍ରତିମା ଓ ରାଜଗାଙ୍ଗପୁର ଅନ୍ତର୍ଗତ ବଡ଼ ନୂଆଗାଁର ଯୋସେଫ୍ ମିଞ୍ଜଙ୍କ ଝିଅ ପ୍ରମିଳା ପଦକ ଜିତିଥିବାରୁ ଉଭୟଙ୍କ ଗ୍ରାମରେ ଆନନ୍ଦର ଲହରୀ ଖେଳିଯାଇଛି ।

ତୁଳସୀ ଦାସ ମଠରୁ ପାଠ ପଢା ଆରମ୍ଭ କରିଥିବା ପ୍ରତିମା ଭୈରପୁରର ଭଗବତୀ ବିଦ୍ୟାପୀଠରେ ସପ୍ତମ ଶ୍ରେଣୀ ପରୀକ୍ଷା ଦେବାପରେ ଜଗତପୁର ଠାରେ ଥିବା ରୋଇଂ କ୍ରୀଡ଼ାରେ ଯୋଗ ଦେବା ପାଇଁ ଆବେଦନ କରିଥିଲେ ।

ଏଠାରେ ନିଷ୍ଠାର ସହ ଶିକ୍ଷା ଲାଭ କରି ମାତ୍ର ଚାରି ମାସ ମଧ୍ୟରେ ତାମିଲନାଡ଼ୁରେ ଏକ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ । ବିଭିନ୍ନ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ସେ ସିଙ୍ଗାପୁର, ଫ୍ରାନ୍ସ, ସୁଇଜରଲ୍ୟାଣ୍ଡ, ହଂକଂ ଆଦି ଯାଇ ୨୦ରୁ ଉର୍ଦ୍ଧ୍ଵ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି ।

ସେହିପରି ପ୍ରମିଳାଙ୍କ ପରିବାର ସମସ୍ତ ଭାଇ ଭଉଣୀ ଜଣେ ଜଣେ ଖେଳାଳୀ । ବଡ଼ଭାଇ ରଜତ ହକିରେ ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରି ବର୍ତ୍ତମାନ ରେଳ ବିଭାଗରେ କାର୍ଯ୍ୟରତ ।

ପ୍ରମିଳା ସେଣ୍ଟମ୍ୟାରୀ ସ୍କୁଲରେ ପଢୁଥିବା ବେଳେ ସାଇ ପାଇଁ ମନୋନୀତ ହୋଇଥିଲେ । ସେ ୨୦୦୯ରେ ଜୁନିଅର ଏସିଆଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version