Site icon Odisha.com

ମୁଖ୍ୟ ସୂଚନା କମିଶନର ଭାବେ ତରୁଣକାନ୍ତିଙ୍କ ଶପଥ ଗ୍ରହଣ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର ରାଜ୍ୟର ନୂତନ ମୁଖ୍ୟ ସୂଚନା କମିଶନର ଭାବେ ଶନିବାର ଶପଥ ଗ୍ରହଣ କରିଛନ୍ତି ।

ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହି ପଦବୀରେ ଥିବା ଧିରେନ୍ଦ୍ର ନାଥ ପାଢୀଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିବାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଅନେକ ଲୋକ ଏହି ଆଇନ ସଂପର୍କରେ ଜାଣିନଥିବାରୁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପ୍ରଥମ ଲକ୍ଷ ବୋଲି ଶପଥ ଗ୍ରହଣ ପରେ ମିଶ୍ର ସାମ୍ବାଦିକ ମାନଙ୍କୁ କହିଛନ୍ତି ।

ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୂଚନା କମିଶନର ଜଗାନନ୍ଦ ଓ ପ୍ରମୋଦ ପଟ୍ଟନାୟକଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଗତ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ତିନି ଜଣିଆ କମିଟିରେ ମିଶ୍ରଙ୍କୁ ମୁଖ୍ୟ ସୂଚନା କମିଶନର ଭାବେ ମନୋନୀତ କରାଯାଇଥିଲା ।

ସେ ୧୯୭୫ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ, ରାଜସ୍ୱ, ଯୋଜନା ସମନ୍ୱୟ, ଅବକାରୀ, ଶକ୍ତି, ବାଣିଜ୍ୟ ଓ ପରିବହନ, ମହିଳା ଓ ଶିଶୁ ବିକାଶ, ସ୍କୁଲ ଓ ଗଣ ଶିକ୍ଷା ଏବଂ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ଭାବେ କାର୍ଯ୍ୟ କରିଛନ୍ତି ।

ସେ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରି ଗତ ଅଗଷ୍ଟ ମାସ ୩୧ରେ ଅବସର ଗ୍ରହଣ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version