Site icon Odisha.com

ଚାଷୀଙ୍କୁ ସମବାୟ ବ୍ୟାଙ୍କ ଜରିଆରେ ଋଣ ଦେବାକୁ ଲକ୍ଷ୍ୟ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ସମବାୟ ଆନ୍ଦୋଳନକୁ ତୃଣମୂଳ ସ୍ତରରେ ଶକ୍ତିଶାଳୀ କରିବା ସହ ସବୁ ଚାଷୀ ପରିବାରକୁ ସମବାୟ ବ୍ୟାଙ୍କ ଜରିଆରେ ଋଣ ଦେବାକୁ ସରକାର ଲକ୍ଷ୍ୟ ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଏହାସହିତ ଚଳିତ ରବି ଋତୁରେ ଚାଷୀ ମାନଙ୍କୁ ଏହି ବ୍ୟାଙ୍କ ଜରିଆରେ ୧୪୦୦ କୋଟି ଟଙ୍କା ଋଣ ଦିଆଯିବ ବୋଲି ଶନିବାର ସମବାୟ ସପ୍ତାହ ପାଳନ ଅବସରରେ ସେ କହିଛନ୍ତି । ସମବାୟ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ବୈଦ୍ୟନାଥନ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରାଯାଇଛି ।

ପିଏସିଏସ୍ ଗୁଡ଼ିକୁ ଅଧିକ ଗଣତାନ୍ତ୍ରିକ ଓ ଅଧିକ ଅର୍ଥନୈତିକ ସ୍ୱତନ୍ତ୍ରତା ଦେବା ପାଇଁ କାମ କରାଯାଇଛି, ସେ କହିଛନ୍ତି ପିଏସିଏସ୍କୁ ମୂଳଧନ ଆକାରରେ ୬୬୦ କୋଟି ଟଙ୍କା ସହାୟତା ଦିଆଯାଇଛି । ଏଥିରେ ବୃତ୍ତିଗତ ଦକ୍ଷତା ବଢାଇବା ପାଇଁ ଏହାର ନିର୍ଦ୍ଦେଶକ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ତାଲିମ ଦିଆଯାଉଛି ।

ଓଡ଼ିଶାର ଚାଷୀ ମାନଙ୍କୁ ଏକର ପିଛା ଯେଉଁ ହାରରେ କୃଷି ଋଣ ପ୍ରଦାନ କରାଯାଉଛି ତାହା ଯଥେଷ୍ଟ ହେଉନଥିବାରୁ ଖୁବଶୀଘ୍ର ଏହି ଋଣ ହାର ବଢିବ ବୋଲି ଏଥିରେ ଯୋଗ ଦେଇ କୃଷି ଓ ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି ।

କେବଳ ଜମି ମାଲିକ ଥିବା ଚାଷୀ ମାନଙ୍କୁ ଏବେ ଋଣ ଦିଆଯାଉଥିବା ବେଳେ ଏଣିକି ଭାଗ ଚାଷୀ ମାନଙ୍କୁ ମଧ୍ୟ ସମବାୟ ଋଣ ପ୍ରଦାନ କରିବା ପାଇଁ ବ୍ୟବସ୍ଥା ହେବ, ସେ କହିଛନ୍ତି । ଓଡ଼ିଶାରେ କୃଷି ଋଣ ପ୍ରଦାନ ଅନ୍ୟ ରାଜ୍ୟ ତୁଳନାରେ ସର୍ବନିମ୍ନ ।

ଅନ୍ୟ ରାଜ୍ୟରେ ହେକ୍ଟର ପିଛା କୃଷି ଋଣ ୨୦ରୁ ୨୫ ହଜାର ଟଙ୍କା ଦିଆଯାଉଥିବା ବେଳେ ଓଡ଼ିଶାରେ ତାହା ନଅ ହଜାର ଟଙ୍କା ପ୍ରଦାନ କରାଯାଇଛି ବୋଲି ନାବାର୍ଡ଼ର ମୁଖ୍ୟ ପ୍ରବନ୍ଧକ ଚିତ୍ତରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version