Site icon Odisha.com

ଐତିହାସିକ ବାଲିଯାତ୍ରା ଆରମ୍ଭ

ଓଡିଶା ଡଟ୍ କମ୍ ସମ୍ବାଦ ଦାତା

କଟକ, ନଭେମ୍ବର ୨୧ (ଓଡିଶା ଡଟ୍ କମ୍) କଟକର ମହାନଦୀ ବାଲିପଠାରେ ରବିବାର ଆରମ୍ଭ ହୋଇଛି ଐତିହାସିକ ବାଲିଯାତ୍ରା ।୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରସିଦ୍ଧ ବାଲିଯାତ୍ରାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଉଦ୍ଘାଟନ କରିଛନ୍ତି ।

ଏଥିରେ ଚଳିତ ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୧୫ ଶହରୁ ଉର୍ଦ୍ଧ୍ଵ ଷ୍ଟଲ ଖୋଲିଛି । ଏଥି ମଧ୍ୟରୁ ଓରମାସ୍ ର ସାଢ଼େ ତିନି ଶହରୁ ଉର୍ଦ୍ଧ୍ଵଷ୍ଟଲ ରହିଛି ଯେଉଁଥିରେ ସବୁ ପ୍ରକାର ହସ୍ତକର୍ମ ସାମଗ୍ରୀ ଉପଲବ୍ଧ ହେବ । ଏହା ବ୍ୟତୀତ ଆଖପାଖ ଅଞ୍ଚଳରେ ପସରା ମେଲିଛନ୍ତି ଶତାଧିକ ଛୋଟବଡ ଦୋକାନ ।

ଲୋକମାନଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି ।ଏହି ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ଜିଲ୍ଲା ପ୍ରଶାସନ ଓ କମିଶନରେଟ ପୋଲିସ ଠାରୁ ଆରମ୍ଭ କରି ଅଗ୍ନିଶମ ସେବା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ବାଲିଯାତ୍ରା ପଡ଼ିଆର ସୁରକ୍ଷା ବ୍ୟବସ୍ଥା ପାଇଁ ୪୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅପରାଧୀଙ୍କ ଗତିବିଧି ଜାଣିବା ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ଫୋର୍ସ ମୁତୟନ କରାଯିବା ସହିତ ଦୁଇଟି ୱାଚ ଟାୱାରର ବ୍ୟବସ୍ଥା କରାଯାଇଛି, କ୍ଲୋଜ ସର୍କିଟ କ୍ୟାମେରା ଖଞ୍ଜାଯାଇଛି ।

ଏହାବ୍ୟତୀତ ସାଦା ପୋଷାକରେ ମହିଳା ଓ ପୁରୁଷ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି ।

ଓଡିଶା ଡଟ୍ କମ୍

Exit mobile version