ଦେବାଶିଷ ରାୟ
ଭୁବନେଶ୍ୱର, ନଭେମ୍ବର ୨୧: ସଚ୍ଚୋଟ ସାମ୍ବାଦିକତାର ନିର୍ଲିପ୍ତ ଦୀପଶିଖା ଏବଂ ଉତ୍ତରପିଢ଼ିଙ୍କ ଏକତ୍ର ଅଭୁଲା ମାର୍ଗଦର୍ଶକ ଥିଲେ ଅନ୍ନା କୁମାର ରାୟ ।
ଜଗତସିଂହପୁର ଜିଲ୍ଲାର ରାଜସ୍ୱଗ୍ରାମ ଓଡ଼ିଶାଗଡ଼(ଅଧୁନା-ନୂଆଗଡ଼)ର ଏକ ଜମିାର ବଂଶରେ ଜନ୍ମ ୧୩.୧୨.୪୩ ମାର୍ଗଶିର ମାସ କୃଷ୍ଣପକ୍ଷ ଦ୍ଵିତୀୟା ତିଥିରେ, ତତ୍କାଳୀନ ଜଳେଶ୍ୱରର ଷ୍ଟେସନ ମାଷ୍ଟର ସ୍ୱର୍ଗତ ହରିଚରଣ ରାୟ ଓ ସ୍ୱର୍ଗତା ଦେବୀ ରତ୍ନମଣିଙ୍କ ତୃତୀୟ ସନ୍ତାନ ରୂପେ । ଆଭିଜାତ୍ୟ ଠାରୁ ଅନେକ ଦୂରରେ ରଖି ବଡ଼ବାପା ତାଙ୍କୁ ଗଢ଼ିତୋଳିଥିଲେ ଏକ ନିର୍ଭିକ, ନିର୍ଲିପ୍ତ, ବ୍ୟକ୍ତିତ୍ୱରେ ।
ସ୍କୁଲ ଶିକ୍ଷା ଶେଷ କରିଥିଲେ ବାରିପଦାରେ, ସ୍ନାତକ ଶିକ୍ଷା ବିଜେବି କଲେଜରେ ଓ ମନସ୍ତତ୍ୱରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିଥିଲେ ବାଣୀବିହାରରେ । ସେତେବେଳର ଉଚ୍ଚପସ୍ଥ ସରକାରୀ ଚାକିରୀକୁ ତୁଛକରି ଆଦରି ନେଇଥିଲେ ସାମ୍ବାଦିକତାର କର୍ମମୟ ଜୀବନ ।
ସାମ୍ବାଦିକତାର ପ୍ରଥମ ସୋପାନ ଥିଲା ପ୍ରଜାତନ୍ତ୍ର ଏବଂ ତାପରେ ମାତୃଭୂମି, ସ୍ୱରାଜ୍ୟ, ଦିନଲିପି, ଖବରକାଗଜ ଓ ସମ୍ବାଦର ପରିବାର ଥିଲା ତାଙ୍କ ନିଜ ପରିବାର । ସାମ୍ବାଦିକତାର ନିଖୁଣ ଓ ସଚ୍ଚୋଟ କର୍ମଶୈଳୀ ପ୍ରିୟପାତ୍ର କରିଥିଲା, ତତ୍କାଳୀନ ସହକର୍ମୀ ଓ ପାଠକବୃନ୍ଦଙ୍କୁ ।
ଜଣେ ଉଚ୍ଚକୋଟୀର ସ୍ତମ୍ଭକାର ଓ ପରୋପକାରୀ ମଣିଷରୂପେ ଜନାଦୃତ ଥିଲେ ଅନ୍ନା କୁମାର ।ଶିକ୍ଷୟତ୍ରୀ କନକ ମଞ୍ଜରୀଙ୍କୁ ସହଧର୍ମିଣୀ ରୂପେ ଗ୍ରହଣ କରି ବୈବାହିକ ଜୀବନ ଆରମ୍ଭ କରିଥିଲେ ୧୯୭୪ରେ ।
ଦୁଇ କନ୍ୟାରତ୍ନ ପୂର୍ଣ୍ଣୀମା (ମାମୁନୀ), ଲିପିକା(ଲିପି) ଓ ଏକମାତ୍ର ପୁତ୍ର ସାଇ ପ୍ରସାଦ (ବାପୁ)ଙ୍କ ଲାଳନ ପାଳନ ମଧ୍ୟ ସୁଚାରୁରୂପେ ନିର୍ବାହ କରିଥିଲେ । ସହଧର୍ମିଣୀଙ୍କ ବିଷମ ଶାରୀରିକ ଅସୁସ୍ଥତା ଓ ସୁୂର କର୍ମମୟ ଜୀବନକୁ ସେ ଆଦରି ନେଇଥିଲେ ବିନା ଅନୁଶୋଚନାରେ ଧରାବନ୍ଧା ନିୟମ ପରି । ରାୟଙ୍କ ସରଳ ଓ ନିଷ୍କପଟ ଜୀବନଶୈଳୀ ଯେତିକି ରହସ୍ୟମୟ, ତାଙ୍କର ଜନ୍ମଗାଥା ମଧ୍ୟ ସେତିକି ରୋମାଞ୍ଚକର ।
ବଡ଼ବୋଉ(୰ବେୀ ରତ୍ନମଣୀ)ଙ୍କର ତୃତୀୟ ଗର୍ଭବସ୍ଥା, ପରାଧୀନ ଭାରତର ଜଳେଶ୍ୱରର କଥା ୧୯୪୨ ମସିହାର । ବଡ଼ବାପାଙ୍କ ଘରେ ସବୁବୁଳେ ଗହଳୀ ଲାଗିରହିଥାଏ ଦୁଃଖୀରକିଙ୍କର । ହଠାତ୍ ଦିନେ ଆବିର୍ଭାବ ହେଲେ ଜଣେ ସନ୍ୟାସୀ ବଡ଼ବୋଉଙ୍କ ହାତରୁ ଖାଇବାକୁ ଅଳିକଲେ ।
ତୃପ୍ତହୋଇ କଲ୍ୟାଣ କଲେତୋ ଗର୍ଭରେ ଥିବା ଭୃଣଟି ଏକପୁତ୍ର ସନ୍ତାନ ହେବ- ତା’ ନାମ ହେବ ‘ଅନ୍ନା’ ଘରେ ଅନ୍ନପୂର୍ଣ୍ଣାଙ୍କ ପୂଜା କରିବୁ । ସନ୍ୟାସୀ ବିଶ୍ରାମ କରିବାକୁ ଯାଇ ହୁଅନ୍ତି ଅନ୍ତର୍ଦ୍ଧାନ ।ତାଙ୍କର କଥା ଅନୁଯାୟୀ ଭାଇଙ୍କର ନାମକରଣ ହେଲା ଅନ୍ନା ଏବଂ ଆଜିଯାଏଁ ପ୍ରତିବର୍ଷ ଆମ ଗାଁ ଘରେ ଅନ୍ନପୂର୍ଣ୍ଣାଙ୍କ ପୂଜା ଚାଲିଆସୁଛି । ସେ ଭଗବତ୍ରୂପୀ ସନ୍ୟାସୀଙ୍କର ଛାଡି ଯାଇଥିବା ‘ବାଡି’ ଆଜିମଧ୍ୟ ପୂଜା ପାଉଛି ଘରେ ।
ଓଡ଼ିଶାରେ ବିରଳ ଏବଂ ଅଜଣା (କାଶୀ ବିଶ୍ୱନାଥଙ୍କ ପାର୍ବତୀଙ୍କୁ ହିଁ ଅନ୍ନପୂର୍ଣ୍ଣା ରୂପେ ପୂଜା କରାଯାଏ ବୋଲି ଅନୁସନ୍ଧାନରୁ ଜଣାପଡିଥିଲା) ଏହି ‘ଅର୍ଣ୍ଣପୂର୍ଣ୍ଣା’ଙ୍କ ପ୍ରସା ଥିଲେ ଅନ୍ନା କୁମାର ରାୟ ।
ତାଙ୍କ ସରଳତା, କର୍ମଠ ଓ ପରୋପକାରୀ ହସବୋଳା ଚେହେରା କେବଳ ସାମ୍ବାଦିକତା କାହିଁକି, ତାଙ୍କ ସହଚର୍ଯ୍ୟ ପାଇଥିବା ସମାଜର ପ୍ରତ୍ୟେକ ଶ୍ରେଣୀର ମଣିଷଙ୍କ ପାଇଁ ଏକ ଦୁର୍ଲଭ, ଅନୁଭବ ହୋଇ ରହିବ । କିଛି ବନ୍ଧୁଙ୍କ ପରାମର୍ଶ ଓ ସହଯୋଗରେ ଏକ ନୂତନ, ଦିଗନ୍ତକାରୀ ପତ୍ରିକା“ଖୋଲାଦ୍ୱାର”ର ପରିଚାଳନା ଭାର ମଧ୍ୟ ଗ୍ରହଣ କରିଥିଲେ ।
“ଖୋଲାଦ୍ୱାର”ର ହୋଇଥିଲା ଅକାଳ ମୃତ୍ୟୁ । କିଛି ବନ୍ଦ ଦ୍ଵାରରେ ଆବଦ୍ଧଥିବା, ଦୁର୍ନିତିଖୋର ଷଡ଼ଯନ୍ତ୍ରକାରୀଙ୍କ ସଫଳ ରୂପାୟନରେ, କିନ୍ତୁ ବନ୍ଦହୋଇ ନଥିଲା ତାଙ୍କ କଲମ ଚାଳନା ଓ ନିର୍ଭିକ ପରାମର୍ଶ ସାମ୍ବାଦିକ ବନ୍ଧୁମାନଙ୍କୁ ଓ ପାଠକବୃନ୍ଦଙ୍କୁ । ନିଜ ସ୍ୱାର୍ଥ ସାଧନର ଏକ ଦୁର୍ବୋଦ୍ଧ ପ୍ରାଚୀର ହୋଇ ଠିଆ ହୋଇଥିଲା ତାଙ୍କ ସ୍ୱାଭିମାନ ଓ ଆତ୍ମିକ ଦାମ୍ଭିକତା ।
ଭୁବନେଶ୍ୱରରେ ପାଠପଢ଼ା ସାରି, ସାମ୍ବାଦିକତାର ଦୀର୍ଘମୟ ଜୀବନ ମଧ୍ୟରେ କାହାରି ଆଗରେ ମୁହଁ ଖୋଲିନଥିଲେ, ଅର୍ଜିତ କରିପାରିନଥିଲେ କିଛି ସମ୍ପତ୍ତିବାଡ଼ି, ରଖି ପାରିନଥିଲେ ପରିବାର ପାଇଁ ଆର୍ଥିକ ସ୍ୱଚ୍ଛଳତାର ଆଧାର । ନଥିଲା କିଛି ବଦଭ୍ୟାସ- ଏପରିକି ଚା’ ପାନ ମଧ୍ୟ କରୁନଥିଲେ ।
ଖାଦ୍ୟନଳୀରେ ଯନ୍ତ୍ରଣାରୁ ଚିକିତ୍ସା ଏବଂ ଅପରେସନ ଓ ତତ୍ପର ଜଟିଳତା- ମାତ୍ର କିଛି ମାସର ବ୍ୟବଧାନରେ ସମସ୍ତଙ୍କୁ ଛାଡି ପରମାତ୍ମାଙ୍କ ଠାରେ ବିଲୀନ ହୋଇଗଲା ଓଡ଼ିଶା ସାମ୍ବାଦୀକତାର ଏକ ସୁଯୋଗ୍ୟ ଦାୟାଦ ।
ପ୍ରଭୁ ଜଗନ୍ନାଥ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।
ଜୟଜଗନ୍ନାଥ
୪୯୪, ନୂଆପଲ୍ଲୀ
ଓଡିଶା ଡଟ୍ କମ୍
Leave a Reply