Site icon Odisha.com

ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାର ବିକାଶ ପାଇଁ କ୍ୟାପେକ୍ସ ଯୋଜନା

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାର ଉନ୍ନତୀକରଣ ସହ ପରିବହନ ଓ ବିଦ୍ୟୁତ ଅପଚୟ ରୋକିବା ଉଦେ୍ଧଶ୍ୟରେ ସରକାରଙ୍କ ପକ୍ଷରୁ ସୋମବାର ଠାରୁ କ୍ୟାପେକ୍ସ ଯୋଜନାର ଶୁଭାରମ୍ଭ କରାଯାଇଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଭିତ୍ତିଭୂମିର ବିକାଶ ପାଇଁ ୨୪୦୦ କୋଟି ଟଙ୍କା ବ୍ୟୟ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବିଦ୍ୟୁତ୍ ବଣ୍ଟନ କମ୍ପାନୀ ଓ ରାଜ୍ୟ ସରକାର ୧୨୦୦ କୋଟି ଟଙ୍କା ଲେଖାଏଁ ବହନ କରିବେ ।

ରାଜ୍ୟରେ ବିଦ୍ୟୁତ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ହେବାକୁୁ ଯାଉଥିବା ଯୋଗୁଁ ବିଦ୍ୟୁତ ଉତ୍ପାଦନ, ବଣ୍ଟନ ଓ ପରିବହନ ବ୍ୟବସ୍ଥା ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦ୍ଵାଦଶ ଯୋଜନା ଶେଷ ସୁଦ୍ଧା ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ୪୦ ହଜାର ଗେଗାୱାଟ ହେବ ।

ସେହି ଅନୁପାତରେ ବିଦ୍ୟୁତ ପରିବହନ ଓ ବଣ୍ଟନ ବ୍ୟବସ୍ଥାରେ ଉନ୍ନତି କରାଯିବା ଦରକାର । ଟ୍ରାନ୍ସମିସନ ବ୍ୟବସ୍ଥାରେ ସୁଧାର ପାଇଁ ଓପିଟିସିଏଲ୍ ବାର୍ଷିକ ୬୦ କୋଟି ଟଙ୍କା ବ୍ୟୟ କରିବ । ଏହି ଅନ୍ତର୍ଗତ କେବିକେ ଏବଂ ଆଦିବାସୀ ଅଞ୍ଚଳରେ ମଧ୍ୟ ନୂଆ ଗ୍ରୀଡ଼ ସବଷ୍ଟେସନ ନିର୍ମାଣ କରାଯିବ ।

୨୦୧୨ ସୁଦ୍ଧା ସବୁ ଗ୍ରାମକୁ ବିଦ୍ୟୁତ ଯୋଗାଇବାର ଲକ୍ଷ୍ୟ ରଖାଯାଇଥିବାରୁ ବର୍ତ୍ତମାନ ଥିବା ଗ୍ରାହକଙ୍କ ସଂଖ୍ୟା ୨୮ ଲକ୍ଷରୁ ୭୦ ଲକ୍ଷକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ସେହିପରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୩୪ଟି ବିଦ୍ୟୁତ ଥାନା କାର୍ଯ୍ୟକ୍ଷମ କରିବାକୁ ଯାଉଛି ବୋଲି ସେ କହିଛନ୍ତି । ଏହି ଯୋଜନାରେ ପ୍ରଥମ ବର୍ଷରେ ୩୦୦ କୋଟି ଟଙ୍କା, ଦ୍ଵିତୀୟ ବର୍ଷରେ ୭୦୦ କୋଟି ଟଙ୍କା, ତୃତୀୟ ବର୍ଷରେ ୭୫୦ କୋଟି ଓ ଶେଷ ବର୍ଷରେ ୮୫୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଏହି ଅବସରରେ ଶକ୍ତିମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version