ଓଡ଼ିଶା ଡ଼ଟ୍ କମ୍ ସମ୍ବାଦ ଦାତା
ଭୁବନେଶ୍ୱର, ନଭେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାର ମରୁଡ଼ି ପ୍ରଭାବିତ ଅଞ୍ଚଳ ଗସ୍ତକରି ଏହାର କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ସୋମବାର ସାତ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।
କେନ୍ଦ୍ର କୃଷି ଓ ସମବାୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଏସ୍.କେ.ଜି ରାହାତେଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧି ଦଳ ଦୁଇଟି ଦଳ ହୋଇ ଆଠଟି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
କେନ୍ଦ୍ରୀୟ ଦଳ ଆଜିଠାରୁ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇଛନ୍ତି । ସେମାନେ ମୟୁରଭଞ୍ଜ, କେନ୍ଦୁଝର, ବରଗଡ଼, ବୌଦ୍ଧ, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରିବେ ।
ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏମାନେ ସଂପୃକ୍ତ ଅଞ୍ଚଳ ପରିଦର୍ଶନ କରି ୨୬ରେ ଭୁବନେଶ୍ୱରରେ ପହଞ୍ଚି ରାଜସ୍ୱ ମନ୍ତ୍ରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ଅନିୟମିତ ଓ ସ୍ୱଳ୍ପ ବର୍ଷା ଯୋଗୁଁ ଓଡ଼ିଶାର ୧୭ଟି ଜିଲ୍ଲାରେ ଫସଲ ହାନି ଓ ମରୁଡ଼ି ପରିସ୍ଥିତି ସୃଷ୍ଟିହୋଇଥିଲା ।
ଜିଲ୍ଲାପାଳ ମାନଙ୍କ ରିପୋର୍ଟକୁ ଆଧାର କରି ୧୦୭ଟି ବ୍ଲକର ୧୦,୯୯୧ ଗାଁ ଏବଂ ୧୪ଟି ପୌର ପରିଷଦର ୧୦୪ଟି ୱାର୍ଡ଼କୁ ମରୁଡ଼ି ପ୍ରଭାବିତ ଭାବେ ସରକାର ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ୧୫୧୬ କୋଟି ଟଙ୍କାର କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦିଆଯାଇଥିଲା ।
ଓଡିଶା ଡଟ୍ କମ୍
Leave a Reply