Site icon Odisha.com

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ବିଧାନସଭାରେ ଅଚଳାବସ୍ଥା ଜାରି

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବୀରେ ବୁଧବାର ଦ୍ଵୀତୀୟ ଦିନ ପାଇଁ ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଆସି ବାଚସ୍ପତି ପ୍ରଦୀପ ଅମାତ ବିରୋଧି କଂଗ୍ରେସ ସଭ୍ୟ ମାନଙ୍କ ବିରୋଧର ସମ୍ମୁଖିନ ହୋଇଥିଲେ ।

ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ଉଚ୍ଚ ସ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଥିଲେ । ବେଦାନ୍ତ ପ୍ରସଙ୍ଗରେ ହାଇକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷୀରେ ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଚାହୁଁଛି ବୋଲି ସେ କହିଥିବା ବେଳେ ଅନ୍ୟ ବିଧାୟକ ମାନେ ହାତରେ ପ୍ଲାକାର୍ଡ଼ ଧରି ଗୃହର ମଧ୍ୟ ଭାଗକୁ ଆସି ସରକାରୀ ବିରୋଧି ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

କଂଗ୍ରେସ ବିଧାୟକମାନେ ମୋ ଓଡ଼ିଶା ପଛେ ନର୍କେ ପଡ଼ିଥାଉ-ବେଦାନ୍ତ ଉଦ୍ଧାର ହେଉ ଲେଖାଥିବା ପ୍ଲାକାର୍ଡ଼ ପ୍ରଦର୍ଶନ କରିବା ସହ ମହାପ୍ରଭୁଙ୍କ ଜମି ଫେରାଇ ଦିଅ-ହାଇକୋର୍ଟ ରାୟ ମାନି ନିଅ ବୋଲି କହିଥିଲେ ।

ଏହାପରେ ମଧ୍ୟ ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିଲା କିନ୍ତୁ ଗୃହ ପରିଚାଳନାରେ ପ୍ରତିବନ୍ଧକ ହେବାରୁ ବାଚସ୍ପତି ମାତ୍ର ୧୨ ମିନିଟ ପରେ ୧୦ଟା ୪୨ମିନିଟରୁ ୧୧ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।

ଦ୍ଵିତୀୟ ଥର ଗୃହ ପରିଚାଳନା କରିବାକୁ ଆସିଥିବା ଉପବାଚସ୍ପତି ଲାଲ ବିହାରୀ ହିକିରିକା ଅନୁରୂପ ଅସ୍ୱାଭାବିକ ଅବସ୍ଥାର ସମ୍ମୁଖିନ ହେବାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଥିଲେ ।

ତୃତୀୟ ଥର ପାଇଁ ଗୃହ ପରିଚାଳନା ପାଇଁ ବାଚସ୍ପତି ପୁନର୍ବାର ଆସିଥିଲେ । ହଟ୍ଟଗୋଳ ମଧ୍ୟରେ ସେ ଗୃହ ପରିଚାଳନା କରିବାକୁ ଚାହିଁଥିଲେ । ହଟ୍ଟଗୋଳ ମଧ୍ୟରେ ମାତ୍ର ଦୁଇ ମିନିଟ ପରେ ଅପରାହ୍ନ ୩ଟା ୨ ମିନିଟରେ ବାଚସ୍ପତି ଆସନ୍ତାକାଲି ୧୦ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ ।

ଏହାଦ୍ୱାରା ଆଜିର ଦିନ ତମାମ କାମ ମାତ୍ର ୧୮ ମିନିଟରେ ସୀମିତ ରହିଥିଲା । ତେବେ ବିରୋଧି ବିଜେପି ଏବଂ ସ୍ୱାଧିନ ବିଧାୟକମାନେ ବିକ୍ଷୋଭରେ ସାମିଲ ନହୋଇ ନିଜ ନିଜ ଆସନରେ ବସି ରହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version