Site icon Odisha.com

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ବିଧାନସଭା ଅଚଳ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ମାମଲାରେ ହାଇକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷୀରେ ବିରୋଧି କଂଗ୍ରେସ ଓ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବୀରେ ମଙ୍ଗଳବାର ଆରମ୍ଭ ହୋଇଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ବାଧାପ୍ରାପ୍ତ ହୋଇଛି ।

ଶୂନ୍ୟକାଳ ଆରମ୍ଭରୁ ବିରୋଧି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ଧାରଣା ଦେବା ସହ ପ୍ଲାକାର୍ଡ଼ ପ୍ରଦର୍ଶନ କରିଥିଲେ ।

ଏହି ପରିସ୍ଥିତିକୁ ଏଡ଼ାଇବା ପାଇଁ ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ୧ଟା ୨୯ରୁ ୩ଟା ୨୮ ମି ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ପରେ ୧.୩୦ ରୁ ୫ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।

ହାଇକୋର୍ଟ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ମାମଲାରେ ଯେଉଁ ରାୟ ଦେଇଛନ୍ତି ସେଥିରେ ସରକାରଙ୍କ ସମସ୍ତ ବେଆଇନ କାରବାର ଧରା ପଡ଼ିଯାଇଛି ବୋଲି ପ୍ରଥମେ ବିରୋଧି ଦଳ ନେତା ଭୂପିନ୍ଦର ସିଂହ ଆଲୋଚନା ଆରମ୍ଭ କରି କହିଥିଲେ । ସରକାର ମାନବିକ ଅଧିକାରକୁ ମଧ୍ୟ ଉଲଂଘନ କରିଛନ୍ତି , ଏପରିକି ସମ୍ବିଧାନକୁ ମଧ୍ୟ ଖୋଲାଖୋଲି ଉଲଂଘନ କରିଛନ୍ତି ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଦିଅନ୍ତୁ ।

ନୈତିକତା ଦୃଷ୍ଟିରୁ ଆଉ ମୁହୁର୍ତ୍ତେ ପାଇଁ ଶାସନ କ୍ଷମତାରେ ରହିବାର ଅଧିକାର ନାହିଁ ବୋଲି ସେ କହିଥିଲେ । ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ଅନୂରୁପ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଥିଲେ ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ କଂଗ୍ରେସ ସାଂସଦମାନେ ମଙ୍ଗଳବାର ସଂସଦ ସମ୍ମୁଖରେ ଧାରଣା ଦେଇଛନ୍ତି । ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ସେମାନେ ପ୍ଲାକାର୍ଡ଼ ଧରି ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version