Site icon Odisha.com

ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୬(ଓଡ଼ିଶା ଡ଼ଟ୍ କମ୍) ଘରୋଇ ଓ ସରକାରୀ ଭାଗିଦାରୀରେ କେନ୍ଦୁଝର ଜିଲ୍ଲାରେ ଏକ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଶୁକ୍ରବାର ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ।

ଏନେଇ ରାଜ୍ୟ ସରକାର ଏବଂ ସହଯୋଗ ହେଲଥ କେୟାର ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଦୁଇ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ଉକ୍ତ ସଂସ୍ଥା ଲକ୍ଷ୍ୟ ରଖିଛି ବୋଲି ଏହାର ଅଧ୍ୟକ୍ଷ ସୁଗ୍ରିବ ସିଂ କହିଛନ୍ତି ।

କଲେଜ ପାଇଁ ସରକାର ୨୦ ଏକର ଜମି ସହ ଦଶ କୋଟି ଟଙ୍କା ଯୋଗାଇ ଦେବେ । ୧୦୦ ଆସନ ବିଶିଷ୍ଟ ମେଡ଼ିକାଲ କଲେଜ, ୧୦୦ ଆସନ ବିଶିଷ୍ଟ ଡ଼େଣ୍ଟାଲ କଲେଜ ସହ ୨୦ ଆସନ ବିଶିଷ୍ଟ ନର୍ସିଂ ସ୍କୁଲ ଓ ୧୦୦ ଆସନ ବିଶିଷ୍ଟ ପାରା ମେଡ଼ିକାଲ ଇନଷ୍ଟିଚ୍ୟୁଟ କରାଯିବ, ସେ କହିଛନ୍ତି ।

୨୧୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ମେଡ଼ିକାଲ କଲେଜରେ ଫାଉଣ୍ଡେସନ ଦୁଇ ଶହ କୋଟି ଟଙ୍କା ଖର୍ଚ୍ଚ କରିବ । ଏଥିପାଇଁ ପାଣ୍ଠି ବିଭିନ୍ନ ଫୋରମରୁ ଯୋଗାଡ଼ କରାଯିବ ବୋଲି ସେ କହିଛନ୍ତି ।

ଘରୋଇ ସରକାରୀ ଭାଗିଦାରୀରେ ରାଜ୍ୟରେ ଅଧିକରୁ ଅଧିକ ମେଡ଼ିକାଲ କଲେଜ କରାଯିବ ବୋଲି ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ରାଉରକେଲା ଓ କଳାହାଣ୍ଡି ଠାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ହୋଇସାରିଥିବା ବେଳେ ମହାନଦୀ କୋଲଫିଲ୍ଡ(ଏମ୍ସିଏଲ୍) ତାଳଚେର ଠାରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବ ବୋଲି ସେ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version